ଭୁବନେଶ୍ୱର: କ୍ରିକେଟ୍ ପଡ଼ିଆରେ ନିଜର ସ୍ପିନ୍ ଯାଦୁରେ ବ୍ୟାଟରଙ୍କୁ ଘାଇଲା କରୁଥିବା ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବେ ରାଜନୀତି ମଇଦାନରେ! କ୍ରିକେଟ୍ ପରେ ରାଜନୀତିରେ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି ଚହଲ। ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ OBC ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ କମିଟିରେ ତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ମିଳିଛି। ଏହି ନିଯୁକ୍ତି ପରେ କ୍ରିକେଟ୍ ଓ ରାଜନୀତି ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ବିଜେପି ପକ୍ଷରୁ ଜାତୀୟ OBC ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟର ଅନେକ ବ୍ୟକ୍ତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ଏହି ତାଲିକାରେ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ନାମ ରହିଛି। ତାଙ୍କୁ ଦିଲ୍ଲୀ ରାଜ୍ୟ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ହୋଇଥିବା ସୂଚନା ମିଳିଛି।
କ’ଣ ଏହି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦ?
ଚହଲଙ୍କ ନିଯୁକ୍ତିକୁ ନେଇ ଏବେ ଆଉ ଏକ ପ୍ରଶ୍ନ ଉଠୁଛି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ତାଙ୍କର ଭୂମିକା କ’ଣ ରହିବ? ସାଧାରଣତଃ ଏହି ପଦବୀରେ ନିଯୁକ୍ତ ବ୍ୟକ୍ତିମାନେ ଦଳର ନିୟମିତ ପଦାଧିକାରୀ ନ ହୋଇଥିଲେ ମଧ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟକଳାପରେ ଯୋଗଦେବାର ସୁଯୋଗ ପାଇଥାନ୍ତି। ତେବେ ଚହଲଙ୍କୁ କେଉଁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଅନ୍ତର୍ଜାତୀୟ କ୍ରିକେଟରୁ ନେଇନାହାନ୍ତି ଅବସର
ରାଜନୀତିରେ ନୂଆ ଦାୟିତ୍ୱ ମିଳିଥିଲେ ମଧ୍ୟ କ୍ରିକେଟ୍ ସହ ଚହଲଙ୍କ ସମ୍ପର୍କ ଶେଷ ହୋଇନାହିଁ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇନାହାନ୍ତି। ତାଙ୍କ କ୍ରିକେଟ୍ କ୍ୟାରିୟର ସମ୍ପର୍କରେ ଦିଆଯାଇଥିବା ତଥ୍ୟ ଅନୁସାରେ, ସେ ଟେଷ୍ଟ ଫର୍ମାଟରୁ ଅବସର ନେଇଥିବା ବେଳେ ODI ଓ T20 କ୍ରିକେଟ୍ ପାଇଁ ଉପଲବ୍ଧ ଅଛନ୍ତି।
ଭାରତ ପାଇଁ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୧୫୨ଟି ମ୍ୟାଚ୍ ଖେଳି ୨୧୭ଟି ୱିକେଟ୍ ହାସଲ କରିଛନ୍ତି ଚହଲ। ସେହିପରି IPLରେ ୧୮୮ଟି ମ୍ୟାଚ୍ ଖେଳି ୨୩୩ଟି ୱିକେଟ୍ ନେଇଛନ୍ତି। ତେବେ ୨୦୨୩ ଅଗଷ୍ଟ ପରଠାରୁ ସେ ଭାରତୀୟ ଦଳ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି।
କ୍ରିକେଟ୍ ମଇଦାନରେ ନିଜ ପ୍ରଦର୍ଶନ ପାଇଁ ପରିଚିତ ଚହଲ ଏବେ ରାଜନୈତିକ ସଂଗଠନରେ ନୂଆ ଭୂମିକା ତୁଲାଇବାକୁ ଯାଉଛନ୍ତି। ତେବେ ଏହି ନୂଆ ଇନିଂସ୍ ତାଙ୍କୁ ରାଜନୀତିରେ କେତେ ସଫଳତା ଦେବ ଏବଂ କ୍ରିକେଟ୍ କ୍ୟାରିୟର ଉପରେ ଏହାର କି ପ୍ରଭାବ ପଡ଼ିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।


