ଟାଙ୍ଗି: ଇଣ୍ଡିଗୋ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

Published: Oct 22, 2021, 8:15 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଟାଙ୍ଗୀ ପୋଲିସ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଏ ନେଇ ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ସୂଚନା ମୁତାବକ ଗତକାଲି ଏକ ଇଣ୍ଡିଗୋ କାର ଦ୍ୱାରା କନ୍ଧମାଳରୁ ସୁଦୂର ରାଜସ୍ଥାନକୁ ଗଞ୍ଜେଇ  ଚୋରା ଚାଲାଣ ହେଉଥିବାର ବାଲୁଗାଁ ଏସଡ଼ିପିଓଙ୍କୁ ଖବର ମିଳିଥିଲା। ଏ ନେଇ ଏସଡ଼ିପିଓ ସଙ୍ଗେସଙ୍ଗେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟାଙ୍ଗୀ ପୋଲିସ ଓ ନାଚୁଣୀ ଫାଣ୍ଡି ପୋଲିସର ତିନି ଗୋଟି ଟିମକୁ ୧୬ ନମ୍ବର ଜାତୀୟ ରାଜପଥରେ ନିୟୋଜିତ କରିଥିଏଲ।  ଟାଙ୍ଗୀ ଠାରୁ ନାଚୁଣୀ ପର୍ଯ୍ୟନ୍ତ ଉକ୍ତ ଟିମ ପୃଥକ ପୃଥକ ସ୍ଥାନରେ ଛପି ରହିଥିବା ବେଳେ ଏସଡ଼ିପିଓ ଶ୍ରୀ ବାରିକ ମଧ୍ୟ ରାତିତମାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ରାତି ପାଖାପାଖି ୩ ଘଟିକା ସମୟରେ ଦୀକ୍ଷୀତପଡ଼ା ଚଣ୍ଡେଶ୍ୱର ରୋଡ଼ ନିକଟରେ ଉକ୍ତ ନିର୍ଦ୍ଦିଷ୍ଟ କାରଟି ପୋଲିସ ଗାଡିକୁ ଦେଖିବା ମାତ୍ରେ ପଛକୁ ବୁଲାଇ ପଳେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରେ କାରରୁ ହଠାତ ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ପରିଶେଷରେ ଶେଖ ମୁବାରକ (୩୨) ନାମକ ଅଭିଯୁକ୍ତଙ୍କୁ କାବୁ କରିଥିଲା। ମୁବାରକଙ୍କ ଘର ଟାଙ୍ଗୀ ଥାନା ଦୀକ୍ଷୀତପଡ଼ା ଅଞ୍ଚଳରେ।

ତେବେ ପୋଲିସ ତଲାସୀ କରିବା ସମୟରେ ଗାଡ଼ି ମଧ୍ୟରୁ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଗଞ୍ଜେଇ କନ୍ଧମାଳରୁ ଭାୟା ନୟାଗଡ ହୋଇ ଦୀକ୍ଷୀତପଡ଼ା ଆସିଥିଲା ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ରାଜସ୍ଥାନ ଯାଇଥାନ୍ତା।

ଏ ନେଇ ଟାଙ୍ଗୀ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୧/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।  ତେବେ ଉକ୍ତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରିରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଥାନା ଏସଆଇ କୁମାର ମୁଦୁଲି, ଏଏସଆଇ ଭଗବାନ ସ୍ୱାଇଁ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Related posts