Categories
ଆଞ୍ଚଳିକ

ଚିଲିକା: ମହଙ୍ଗା ପଡିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଇବା: ଛଅ ବାଇକ ଜବତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକାଧିକ ବ୍ୟକ୍ତି କ୍ଷିପ୍ରଗତିରେ ଏବଂ ବିକଟାଳ ଶବ୍ଦ କରି ମଟରସାଇକେଲ ଚଲାଉଥିବା ଅଭିଯୋଗ ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଏକ ଟିମ ଗଠନ କରି ଆଜି ଅମାନିଆ ବାଇକ ଚାଳକଙ୍କ ଉପରେ ଚଢ଼ାଉ କରିଥିଲେ। ଫଳସ୍ୱରୂପ ଆଜି ଛଅ ଗୋଟି ବାଇକ ଜବତ କରିଛି ପୋଲିସ। ଉକ୍ତ ବାଇକ ଚାଳକ ମାନେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ନାଚୁଣୀ ବଜାରରେ ବାଇକ ଚଲାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି।

ନାଚୁଣୀ ପୋଲିସ ଉକ୍ତ ବାଇକ ଜବତ କରିବା ସହ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି।  ତେବେ ନାଚୁଣୀ ଅଞ୍ଚଳରେ ଏପରି ଗତିବିଧିକୁ କେବେବି ବରଦାସ୍ତ କରାଯିବ ନାହିଁ ଏବଂ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଜେନା କହିଛନ୍ତି।  ନାଚୁଣୀ ପୋଲିସର ଉକ୍ତ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ସୀତାରାମ ଅଗ୍ରୱାଲ

ବ୍ରହ୍ମପୁର/ବାଲୁଗାଁ: ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର। ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଶ୍ରୀ ମିଶ୍ରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସିନ୍ଦୁରାପଲ୍ଲି ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମିଶ୍ରଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଆଇଏଏସ କୀର୍ତ୍ତି ଭାଷନ।

ଉକ୍ତ ଉତ୍ସବରେ ଅନ୍ୟ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ, ବ୍ରହ୍ମପୁର ଓ ଘୁମୁସର ଡ଼ିଏଫଓ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ପ୍ରକୃତି ବଞ୍ଚାଅ ଅଭିଯାନରେ ଜଡ଼ିତ ଥିବା ବିଭିନ୍ନ କ୍ଷେତ୍ରର ୧୬ ଜଣ ବ୍ୟକ୍ତିବିଶେଷଙ୍କୁ ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲା ବନ ବିଭାଗ ପକ୍ଷରୁ ଚୟନ କରାଯାଇଥିଲା। ତେବେ ବାଲୁଗାଁ ଏସଡିପିଓ ଶ୍ରୀ ମିଶ୍ର ଏହା ପୁର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସଡିପିଓ ଭାବେ କାର୍ଯ୍ୟରତ ଥିବାବେଳେ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେଲେ ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସଡିପିଓ ଭାବେ ଶ୍ରୀ ମିଶ୍ର କାର୍ଯ୍ୟରତ ଥିଲେ। ଭଞ୍ଜନଗର ପୋଲିସ ସବ ଡିଭିଜନରେ ତିନି ବର୍ଷରୁ ଊର୍ଦ୍ଧ୍ଵ ସମୟ କାର୍ଯ୍ୟକାଳରେ ଶ୍ରୀ ମିଶ୍ର ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଥିଲେ। ତତସହିତ ଭଞ୍ଜନଗର ପୋଲିସ ଉପଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଆଜି କାର୍ଯ୍ୟରେ ଯୋଗଦେବା ପରେ ବହୁ ପୋଲିସ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ତେବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା, ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁର ଓ ବାଲୁଗାଁ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ନୂତନ ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି ବାଲୁଗାଁ ପୂର୍ବତନ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତାଳଚେର ଏସଡିପିଓ ଭାବେ ନିକଟରେ ବଦଳି ହେବା ପରେ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କୁ ସାଳିଆ ପ୍ରେସ କ୍ଲବ ଦେଲା ବିଦାୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ପକ୍ଷରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ‘ଶାଳିଆ ପ୍ରେସ କ୍ଲବ’ର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଶ୍ରୀ ଜଗନ୍ନାଙ୍କ ପଟ୍ଟଚିତ୍ର ଦେଇ ଶ୍ରୀ ବାରିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରେସ କ୍ଲବ ସଭାପତି ଅଜିତ୍ କୁମାର ସାହୁଙ୍କ ନେତୃତ୍ବରେ ସମସ୍ତ ଉପସ୍ଥିତ ସାମ୍ବାଦିକ ସଭ୍ୟଙ୍କ ଗହଣରେ ଶ୍ରୀ ବାରିକଙ୍କ ବାଲୁଗାଁ ପୋଲିସ ଉପଖଣ୍ଡରେ ବିଗତ ଦିନର କାର୍ଯ୍ୟଶୈଳୀ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ସହିତ ନିକଟରେ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇଥିବା ଶ୍ରୀ ବାରିକ ନିଜର କର୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ।

ସେ ଏକାଧାରରେ ସଂପୃକ୍ତ ଅଞ୍ଚଳରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଜଣାଶୁଣା ହୋଇଥିବା ବେଳେ ଜଣେ ଭଲ ଲେଖକ ଓ କବି ଏବଂ ପରୋପକାରୀ ଅଧିକାରୀ ଭାବେ ମଧ୍ୟ ପରିଚିତ। ଯାହାକି କର୍ମ ମୟ ଜୀବନ ମଧ୍ୟରୁ ନିୟମିତ ରାତିରେ କିଛି କିଛି ସମୟ ବାହାର କରି “ଅଣୁଗଳ୍ପ ମାନସା”ଙ୍କ ନାମରେ ଏକ ପୁସ୍ତକ ରଚନା କରିଛନ୍ତି।

ବାଲୁଗାଁ ଉପଖଣ୍ଡରେ ଦୀର୍ଘ ୨ବର୍ଷ ୩ମାସ ଚାକିରି ଜୀବନ କାଳରେ ସମସ୍ତଙ୍କର ଅତି ପ୍ରିୟ ସାଜିଥିବା ଶ୍ରୀ ବାରିକଙ୍କ ତାଳଚେରକୁ ବଦଳି ହୋଇଛି । ଏ ନେଇ ସମଗ୍ର ବାଣପୁର ବାଲୁଗାଁ ଅଞ୍ଚଳବାସି ମ୍ରିୟମାଣ ଥିବା ବେଳେ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଛି ‘ଶାଳିଆ ପ୍ରେସ କ୍ଲବ’।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡ଼ିଜିପିଙ୍କ ନିକଟରୁ ପଦକ ପାଇଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୋଲିସ ସେବା କ୍ଷେତ୍ରରେ ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ୮୮ ତମ ଓଡ଼ିଶା ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୧୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡ଼ିଜିପି ସୁନୀଲ ବଂଶଲ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ଡ଼ିଏସପି ମାନସ ରଞ୍ଜନ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଦୁଇ ବର୍ଷ ଧରି ସଫଳତାର ସହ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

ବାଲୁଗାଁ ଉପଖଣ୍ଡ ରାଜନୈତିକ ଦୃଷ୍ଟିକୋଣରୁ ଅତି ସମ୍ବେଦନଶିଳ ଅଞ୍ଚଳ ହୋଇଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ଲାଗି ସେଠାରେ ସବୁ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀ ବାରିକ। ବର୍ତ୍ତମାନ ତାଙ୍କର ବଦଳି ତାଳଚେର ଏସଡିପିଓ ଭାବେ ହୋଇଥିବାବେଳେ ଶ୍ରୀ ବାରିକ ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ବାଲୁଗାଁ ଉପଖଣ୍ଡ ବାସୀଙ୍କୁ ପ୍ରଦାନ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ବଦଳି: ବଢୁଛି ଜନ ଅସନ୍ତୋଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଏସଡିପିଓ ଓପିଏସ ମାନସ ରଞ୍ଜନ ବାରିକଙ୍କ ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି। ତାଳଚେର ଏସଡ଼ିପିଓ ଭାବେ ତାଙ୍କର ବଦଳି ହୋଇଛି। ହେଲେ ଏ କଥାକୁ ବାଣପୁର-ବାଲୁଗାଁବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଖବର ସମଗ୍ର ବାଣପୁର-ବାଲୁଗାଁରେ ବ୍ୟାପିବା ମାତ୍ରେ ସବୁ ମହଲରୁ ଏହାକୁ ବିରୋଧ ହେବା ଆରମ୍ଭ ହୋଇଛି। ଶ୍ରୀ ବାରିକ ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ପରୋପକାରି ଏବଂ ଭଦ୍ର ଅଧିକାରୀ ବୋଲି କହିବା ସହ ତାଙ୍କର ବଦଳି ଖବରକୁ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଓପିଏସ ମାନସ ରଞ୍ଜନ ବାରିକ ଜାନୁଆରୀ ୧ ତାରିଖ ୨୦୨୧ରେ ବାଲୁଗାଁ ଏସଡ଼ିପିଓ ଭାବେ ଦାଇତ୍ୱ ନେବା ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨ ବର୍ଷ ହେଲା ନିରବଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ଖୁବ କମ ଛୁଟି ନେଉଥିବା ଏହି ଅଧିକାରୀ ସଦାବେଳେ ଦିନ ରାତି ଜନସାଧାରଣଙ୍କ ପାଇଁ ଉପଲବ୍ଧ ରୁହନ୍ତି। ଏପରିକି ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ୨୪ ଘଣ୍ଟା ଜନସାଧାରଣଙ୍କ ପାଇଁ ଖୋଲା ଥାଏ। ପୁର୍ବରୁ ବାଲୁଗାଁରେ ଅନେକ ଏସଡ଼ିପିଓ ଆସିଥିଲେ ମଧ୍ୟ ମାନସ ରଞ୍ଜନ ବାରିକ ଜନସାଧାରଣଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇପାରିଛନ୍ତି।

ପୁର୍ବରୁ ଅଭିଯୋଗକାରୀମାନେ ଏସଡ଼ିପିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ସଙ୍କୋଚ କରୁଥିବାବେଳେ ଶ୍ରୀ ବାରିକ ଯୋଗଦେବା ପରେ ବହୁ ଅଭିଯୋଗକାରୀମାନେ ଏସଡ଼ିପିଓଙ୍କ କାର୍ଯ୍ୟାଳୟକୁ ନିଃସଙ୍କୋଚରେ ଯାଇ ନ୍ୟାୟ ପାଇଥିବାର ଏକାଧିକ ନଜିର ରହିଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଶ୍ରୀ ବାରିକଙ୍କ ତତ୍ୱାବଧାନରେ ବହୁ ଜଟିଳ ଅପରାଧିକ ମାମଲାଗୁଡ଼ିକର ସମାଧାନ ହୋଇଥିବା ବେଳେ କ୍ରାଇମ ଫିଗର ଗ୍ରାଫ ତଳମୁହାଁ ହୋଇଛି। ସେହିପରି ଭାବେ ବାଣପୁର ବାଲୁଗାଁରେ କୋଭିଡ ପରିଚାଳନାରେ ଶ୍ରୀ ବାରିକଙ୍କ ଉଲ୍ଲେଖନିୟ ଅବଦାନ ରହିଥିବା ବେଳେ ଲକଡ଼ାଉନ ସମୟରେ ନିଜସ୍ୱ ପାଣ୍ଠିରୁ ଏକାଧିକ ସେବା କାର୍ଯ୍ୟ ମଧ୍ୟ ଏସଡ଼ିପିଓ ବାରିକ ଜାରି ରଖିଥିଲେ। ବାଲୁଗାଁ ଉପଖଣ୍ଡରେ ବହୁ ଅସହାୟଙ୍କୁ ସାହାଯ୍ୟ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା, ଗୋସେବା, କୋଭିଡ଼ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାର କରିବା ଆଦି ଅନେକ ସେବା କାର୍ଯ୍ୟ କରି ଶ୍ରୀ ବାରିକ ପ୍ରଶଂସା ସାଉଁଟିଛନ୍ତି।

ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ଜେଏନୟୁରୁ ଉଚ୍ଚ ଶିକ୍ଷା ସାରି ଓଡ଼ିଶା ପୋଲିସ ସେବାରେ ଯୋଗଦେଇଥିବା ଏହି ଯୁବ ଅଧିକାରୀ ଆଜି ବହୁ ପୋଲିସ ଅଧିକାରୀ ଏବଂ ଜନସାଧାରଣଙ୍କ ଆଦର୍ଶ ପାଲଟିଛନ୍ତି। ଶ୍ରୀ ବାରିକ ଜଣେ ଭଲ କବି ଏବଂ ଲେଖକ ମଧ୍ୟ।  ନିକଟରେ ତାଙ୍କ ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଉନ୍ମୋଚନ ଅପେକ୍ଷାରେ ଅଛି।

ଟ୍ରେନିଂ ସମୟରେ ନିଜ ବ୍ୟାଚର ଶ୍ରେଷ୍ଠ କ୍ୟାଡେଟ ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଉକ୍ତ ଯୁବ ଓପିଏସ ଅଧିକାରୀଙ୍କ ବଦଳିରେ ମ୍ରିୟମାଣ ହୋଇପଡିଛି ସାରା ବାଲୁଗାଁ-ବାଣପୁର ଏବଂ ଉପଖଣ୍ଡବାସୀ। ରାଜ୍ୟ ସରକାର ପୁଣି ଥରେ ଏହା ଉପରେ ବିଚାର କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ। ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ଅଭିଯୁକ୍ତ ପିଣ୍ଟୁ ପ୍ରଧାନ (୨୨) ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବାର ଅକ୍ଟୋବର ମାସ ୧୭ ତାରିଖରେ ଥାନାରେ ଏକ ଅଭିଯୋଗ ହୋଇଥିଲା।

ଅଭିଯୋଗ ଆଧାରରେ ପୋଲିସ ୬ ପୋକସୋ ଆକ୍ଟରେ କେସ ନମ୍ବର ୪୨୯/୨୨ ରେ ମାମଲା ରୁଜୁ କରିଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।  ତେବେ ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ପିଣ୍ଟୁଙ୍କୁ ପୋଲିସ ଖୋର୍ଦ୍ଧା ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଗିରଫ କରି ଭୁବନେଶ୍ୱର ପୋକସୋ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଥର ରୋଡ ରୋମିଓଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ବାଲୁଗାଁ ଏସଡିପିଓ ନେଲେ ଏହି ନିଷ୍ପତ୍ତି

ବାଲୁଗାଁ: ଦିନକୁ ଦିନ ଚିଲିକା ଅଞ୍ଚଳରେ ରୋଡ ରୋମିଓଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ରାସ୍ତାରେ ଯାଉଥିବା ସ୍କୁଲ ଆଉ କଲେଜ ଛାତ୍ରୀମାନଙ୍କୁ ଏମାନେ ଟାର୍ଗେଟ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାସ୍ତା ପାର୍ଶ୍ଵରେ କିମ୍ବା କୌଣସି ନିକାଞ୍ଚନ ସ୍ଥାନରେ ଛିଡା ହୋଇ ଏହି ରୋଡ ରୋମିଓମାନେ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବାରେ ଅଭିଯୋଗ ହେଉଛି।

ତେବେ ଏହି ଅସାମାଜିକ ଯୁବକଙ୍କ ଏଭଳି କାର୍ଯ୍ୟକୁ ରୋକିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବେ ସଜାଗ ହୋଇଛନ୍ତି। ସେମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ବାରିକ ଯୋଜନା ପ୍ରସ୍ତୁତଛନ୍ତି। ସେଥିପାଇଁ ଜନସାଧାରଣଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ରୋଡ ରୋମିଓଙ୍କ କାର୍ଯ୍ୟକଳାପ ଯୋଗୁଁ ଅସୁବିଧା ପଡୁଥିବା ବ୍ୟକ୍ତିମାନଙ୍କୁ ସେ ବାର୍ତ୍ତା ଦେଇଛନ୍ତି।

ତେଣୁ ସେ କିଛି ଅଭିଯୋଗ ନମ୍ବର ଜାରି କରିଛନ୍ତି। ଟ୍ବିଟର ଜରିଆରେ ଶ୍ରୀ ବାରିକ ଏହି ଯୋଗାଯୋଗ ନମ୍ବର ସେୟାର କରି ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ସେ ଟ୍ବିଟରରେ ବାଲୁଗାଁ, ବାଣପୁର, ଟାଙ୍ଗୀ ଏବଂ ନିରାକାରପୁର ଥାନା କ୍ଷେତ୍ର ପାଇଁ ଥାନା ଅଧିକାରୀଙ୍କ ନମ୍ବର ସେୟାର କରିଛନ୍ତି। ଆବଶ୍ୟକମୁତାବକ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଯଦି ଏହି ଥାନା ଅଧିକାରୀଙ୍କ ସହ କେହି ଯୋଗାଯୋଗ କରିବାରେ ବିଫଳ ହୁଏ, ତେବେ ସିଧାସଳଖ ବାଲୁଗାଁ ଏସଡିପିଓଙ୍କୁ ସେହି ବ୍ୟକ୍ତି ଅଭିଯୋଗ କରିପାରିବେ ବୋଲି କହିଛନ୍ତି।

ବାଲୁଗାଁ ଥାନା ଅଧିକାରୀ- ୭୦୦୮ ୮୩୨୩ ୮୦୭

ବାଣପୁର ଥାନା ଅଧିକାରୀ- ୮୬୩ ୭୨୨ ୫୦୫୯

ଟାଙ୍ଗୀ ଥାନା ଅଧିକାରୀ- ୭୯୭୮ ୧୯୭ ୬୯୫

ନିରାକରପୁର ଥାନା- ୮୭୬ ୩୯୬ ୫୭୦୫

ଉପରୋକ୍ତ ନମ୍ବରରେ ଯୋଗାଯୋଗ ବିଫଳ ହେଲେ…..

ବାଲୁଗାଁ ଏସଡିପିଓ- ୯୦୭ ୮୯୩ ୪୯୩୪

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁରରେ ଲଭ ଜିହାଦରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ: ବାଲୁଗାଁ ଏସଡିପିଓ ଙ୍କ ତଦନ୍ତ ଜାରି

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଲଭ ଜିହାଦରୁ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକଙ୍କ ନିର୍ଯ୍ୟାତନା ସହିନପାରି ଜନୈକ ୧୭ ବର୍ଷିୟା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବାକ ନିରାକାରପୁର ଥାନା ଅଞ୍ଚଳର ଇପସିତା ପ୍ରଧାନ (୧୭ ବର୍ଷ) ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରୀ। ଇପସିତାଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଏକତରଫା ପ୍ରେମ କରୁଥିଲେ। କିନ୍ତୁ ପ୍ରେମରେ ବିଫଳ ହେବାରୁ ସଜତ ଓ ତାଙ୍କର ଭାଇ ଓ ବାପା ମିଶି ଇପସିତାକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏ ସମ୍ପର୍କରେ ଇପସିତା ଓ ତାଙ୍କର ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।

ହେଲେ ସମାଧାନ ପରେ ମଧ୍ୟ ନିର୍ଯ୍ୟାତନା ବଢିଚାଲିଥିଲା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ ହରରାଣ ହରକତ କରୁଥିଲେ। ଗତକାଲି ସଜତ ଶାହା ଇପସିତାଙ୍କ ଘର ସମ୍ମୁଖରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ପାଖରେ ଥିବା ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା। ତେଣୁ ଏହାକୁ ସହ୍ୟ କରିନପାରି ଇପସିତା ଆତ୍ମହତ୍ୟା କରିଥିଲା। ତେବେ ଏନେଇ ଇପସିତାଙ୍କ ମା’ ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ସଜତ ସାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ପୋଲିସ ଏସଆଇଙ୍କ ମୃତ ଶରୀରକୁ ରଖି ସଡ଼କ ଅବରୋଧ କଲେ ଶତାଧିକ ଜନତା

ନିରାକାରପୁର: କନ୍ଧମାଳ ଜିଲ୍ଲା ପୋଲିସ୍ ଏସ୍ ଆଇ ସ୍ୱାଗତିକା ବେହେରା ଆତ୍ମହତ୍ୟାକୁ ନେଇ ରାଜ୍ୟରେ ଅସନ୍ତୋଷ ଦେଖାଯାଇଛି। ଆଜି ନିଜ ଜନ୍ମ ମାଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ସ୍ୱାଗତିକାଙ୍କ ମର ଶରୀର ପହଂଚିଛି। କିନ୍ତୁ ମର ଶରୀରର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମର ଶରୀରକୁ ରାସ୍ତାରେ ରଖି ସ୍ଥାନୀୟ ଲୋକେ ନୂଆ ଜଗନ୍ନାଥ ସଡକ ଅବରୋଧ କରିଛନ୍ତି।

ମୃତ ପୋଲିସ୍ ଏସ୍ ଆଇ ସ୍ୱାଗତିକା ବେହେରାଙ୍କ ଦୁଇ ଭାଇଙ୍କୁ ସରକାରୀ ଚାକିରୀ ସହ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ଜନସାଧାରଣ।  ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ପତାକାକୁ ଅସମ୍ମାନ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ: ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଜାତୀୟ ପତାକାକୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଦେଶପ୍ରେମୀମାନଙ୍କୁ ଏପରି ସନ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ।  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକାର ବହୁଳ ବ୍ୟବହାର ହେଉଥିବାର ଦେଖାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକ୍ରମେ ହର ଘର ତ୍ରିରଙ୍ଗା ଅଭିଯାନ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ତେବେ ଜାତୀୟ ପତାକାର ବହୁଳ ବ୍ୟବହାର ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ହର୍ଷର ବିଷୟ। କିନ୍ତୁ ଏହି ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ଅରୁଚିକର ଦୃଶ୍ୟ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ରାଲି ପରବର୍ତ୍ତୀ ସମୟରେ ହେଉ କିମ୍ବା ଘର ସମ୍ମୁଖରେ ହେଉ ଜାତୀୟ ପତାକା ତଳେ ପଡିଥିବାର ଦେଖିବାକୁ ମିଳୁଛି। ଯାହାକି ଆମର ଦେଶ ପ୍ରତି ଅପମାନ। ଜାତୀୟ ପତାକାର ଅସମ୍ମାନ ଅର୍ଥ ଆମ ଦେଶର ସମ୍ବିଧାନକୁ ଅସମ୍ମାନ।

ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଲୁଗାଁ ପୋଲିସ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନାଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେମାନେ ନିଜ ଥାନା ଷ୍ଟାଫ୍ ଓ ସ୍ଥାନୀୟ ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଥିବା ହ୍ୱାଟସାପ୍ ଗ୍ରୁପରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସ୍ଥାନରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ଖବର ମିଳିବା କ୍ଷଣି ତ୍ଵରିତ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଥାନାଧିକାରୀମାନେ ଆଗ୍ରହୀ ବିଦ୍ୟାଳୟ ଓ ସ୍ଵେଚ୍ଛାସେବୀ ମାନଙ୍କସହ ମିଶି ଉକ୍ତ ସଚେତନତା ଦିଗରେ ପ୍ରଚାର ପ୍ରସାର କରିବେ। ଆବଶ୍ୟକ ସ୍ଥଳେ ଘଟଣା ସ୍ଥାନକୁ ଯାଇ ଜାତୀୟ ପତାକାକୁ ଉଦ୍ଧାର କରିବା ସହିତ ଖିଲାପକାରୀ ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଅନୁରୂପ ଭାବେ ଜାତୀୟ ପତାକା ଅସମ୍ମାନଜନିତ କୌଣସି ସୂଚନା, ଫୋଟୋ କିମ୍ବା ଭିଡିଓ ପଠାଇବା ଅବା ଫୋନ କରି ଜଣାଇବା ପାଇଁ ଏସଡ଼ିପିଓ ଶ୍ରୀ ବାରିକ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ୯୦୭୮-୯୩୪-୯୩୪ ଜନସାଧାରଣଙ୍କ ନିମନ୍ତେ ଜାରି କରିଛନ୍ତି।  ସୂଚନାଦାତାମାନେ ଏସଡିପିଓଙ୍କ ବ୍ୟକ୍ତିଗତ ନମ୍ବର କିମ୍ବା ସ୍ଥାନୀୟ ଥାନାଧିକାରୀଙ୍କ ନମ୍ବରକୁ ଯୋଗାଯୋଗ କରିପାରିବେ। ଜାତୀୟ ପତାକାର ସମ୍ମାନ ଆମର ମୌଳିକ କର୍ତ୍ତବ୍ୟ, ଆଉ ଏହାର ଅସମ୍ମାନ ଆମ ସମସ୍ତଙ୍କର ଅସମ୍ମାନ ବୋଲି ଏସଡିପିଓ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ଼ ଧରଣର ଗୋ ଚାଲାଣ ଯୋଜନା ପଣ୍ଡ, ବାଲୁଗାଁ ଏସଡିପିଓଙ୍କ ନେତୃତ୍ଵରେ ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରକ୍ଷା ବନ୍ଧନରେ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର। ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ଖବର ପାଇଥିଲେ। ବିଳମ୍ବ ନକରି ଏସଡିପିଓ ତୁରନ୍ତ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଓ ଟିମକୁ ନେଇ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ ପାଇଁ ଯାଇଥିଲେ।

ରାତିତମାମ ଅପରେସନ ଜାରି ରହିଥିବା ବେଳେ ପରିଶେଷରେ ଅପରେସନରେ ସଫଳ ହୋଇଥିଲା ପୋଲିସ। ପୋଲିସକୁ ଦେଖି ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଏସଡିପିଓ ଉକ୍ତ କାରବାରର କିଙ୍ଗପିନକୁ ଧରିବାରେ ସଫଳ ହୋଇଥିଲେ।

ତେବେ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁଙ୍କୁ ଜବତ କରାଯାଇଛି, ଯାହାଫଳରେ ଏକ ବଡ଼ ଧରଣର ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ପୋଲିସ।

ରାତିତମାମ ଏସଡିପିଓଙ୍କ ସମେତ ଆଇଆଇସି ଶ୍ରୀ ବିଶ୍ୱାଳ ଓ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଗୋରୁମାନଙ୍କୁ ଉକ୍ତ ଜଙ୍ଗଲରେ ଜଗି ରହିଥିବା ବେଳେ ଖବର ପାଇ ଧୀରେ ଧୀରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସୁଅ ଛୁଟୁଛି।

ତେବେ ଏତେ ପରିମାଣର ଗୋରୁ ଙ୍କୁ ଉଦ୍ଧାର କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇଛି ପୋଲିସ। ଗହ୍ମା ପୂର୍ଣ୍ଣିମା ପରି ପବିତ୍ର ଦିବସରେ ସାରା ରାତି ଉଜାଗର ରହି ଗୋରୁଙ୍କୁ ଉଦ୍ଧାର କରିଥିବାରୁ ଆରଏସଏସ, ଭିଏଚପି, ଏବିଭିପି ଏବଂ ଅନ୍ୟ ସାମାଜିକ ସଂଗଠନ ବାଲୁଗାଁ ଏସଡିପିଓ ଓ ଟିମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ପୋଲିସ ଉଦ୍ଧାର କରୁଥିବା ଗୋରୁଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ, ଯାହା ଫଳରେ ପୋଲିସକୁ ଉଦ୍ଧାର ଗୋରୁଙ୍କ ଥଇଥାନ ପାଇଁ ନାକେଦମ ହେବାକୁ ପଡୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା: ନଅ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ୧୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି। କିନ୍ତୁ ସେହିଦିନ ଏହି ଘଟଣା ପରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଜନସାଧାରଣଙ୍କ ମାଡରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇପଡ଼ିଥିଲେ। ଏହାପରେ ବିଧାୟକଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ। ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କ ମଧ୍ୟରୁ ନଅ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ଆଜି ନୀଳାଦ୍ରିପ୍ରସାଦସ୍ଥିତ ପୁରୁଣା ବଙ୍କାଡ଼ଗଡ଼ ରାଜପ୍ରସାଦ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ବାଣପୁର କୋର୍ଟ ଚାଲାଣ କରିଛି।

ସେମାନଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେଶ ନମ୍ବର ୧୧୭/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପ୍ରକ୍ରିୟା ଜାରିରହିଥିବାର ଏସଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକ କହିଛନ୍ତି। ଅନୁରୂପ ଭାବେ ବିଧାୟକଙ୍କ ଗାଡ଼ି ନମ୍ବର ଜାଲିଆତି ମାମଲାରେ ଏପ୍ରିଲ ୨ ତାରିଖ ସନ୍ଧ୍ୟା ୫ ଘଟିକା ସୁଦ୍ଧା ଉଭୟ ଗାଡ଼ି ମାଲିକଙ୍କୁ ଗାଡ଼ି କାଗଜପତ୍ର ଦାଖଲ କରିବା ପାଇଁ ନୋଟିସ ଦିଆଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଆଞ୍ଚଳିକ

ଆସନ୍ତାକାଲି ଏନଏସି ନିର୍ବାଚନ: ବାଣପୁର ଓ ବାଲୁଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଓ ବାଲୁଗାଁ ଏନଏସି ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଉଭୟ ଏନଏସିରେ ପୌର ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ଉଭୟ ଏନଏସି ର ସମସ୍ତ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଉଭୟ ସ୍ଥାନରେ ହୋଇଥିବା ଫ୍ଲାଗମାର୍ଚ୍ଚରେ ବାଲୁଗାଁ ଏସଡିପିଓ, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ ପଣ୍ଡା, ବାଣପୁର ଆଇଆଇସି ବିଜୟିନୀ ମଲ୍ଲ, ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁ, ଉଭୟ ଥାନା ଏସଆଇ, ଏଏସଆଇ ଏବଂ ବହୁ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

ତେବେ ଆସନ୍ତାକାଲି ପୌର ନିର୍ବାଚନ ସମେତ ଓଡିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚଦୋଳ ଯାତ୍ରା ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉଭୟ ଏନଏସି ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ କରିବାପାଇଁ ୪ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୨ ଜଣ ଏସଆଇ, ୧୬ ଜଣ ଏଏସଆଇ ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ସରିଲା ବାଣପୁର ବ୍ଲକରେ ମତଦାନ, ଭୋଟରଙ୍କୁ ଧନ୍ୟବାଦ ଦେଲେ ବାଲୁଗାଁ ଏସଡିପିଓ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଶେଷ ହେଲା ଗଣତନ୍ତ୍ରର ମହାପର୍ବ ପଞ୍ଚାୟତ ନିର୍ବାଚନ। ବାଣପୁର ବ୍ଲକ ଜିଲ୍ଲା ରାଜନୀତିରେ ପ୍ରମୁଖ ଭୁମିକା ନିଭାଉଥିବା ବେଳେ ସମସ୍ତଙ୍କ ଆଖି ଥିଲା ଏଠାକାର ପଞ୍ଚାୟତ ନିର୍ବାଚନ ଉପରେ। ପୁର୍ବରୁ ଉକ୍ତ ବ୍ଲକରେ ଶାସକ ଦଳର ଦୁଇ ଛାମୁଆ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି ହେଉ କିମ୍ବା ଶାସକ ବିରୋଧୀ କର୍ମୀ ମୁହାଁମୁହିଁ ସଦାବେଳେ ରାଜନୈତିକ ତିକ୍ତତା ଲାଗି ରହିଆସୁଛି।

ଏହି ପରିସ୍ଥିତିରେ ବାଣପୁରରେ ଶାନ୍ତିଶୃଙ୍ଖଳା ଭାବେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିବା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିବାବେଳେ ଏହାକୁ ସଫଳତାର ସହ ପାର କରିପାରିଛି ଜିଲ୍ଲା ପୋଲିସ ପ୍ରଶାସନ। ଆଜି ବାଣପୁରରେ ସମ୍ପୂର୍ଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି ପଞ୍ଚାୟତ ନିର୍ବାଚନ। ବ୍ଲକରେ ସମୁଦାୟ ୬୮.୮୩ ପ୍ରତିଶତ ମତଦାନ ଅନୁଷ୍ଠିତ ହୋଇଥିବାର ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ‘ସମୀକ୍ଷା’ ମାଧ୍ୟମରେ ବାଣପୁରବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ l ଗଣତନ୍ତ୍ରରେ ଜନତା ଜନାର୍ଦନ ହିଁ ସବୁକିଛି ବୋଲି କହିଛନ୍ତି ଏସଡିପିଓ। ପୋଲିସର ଅନୁରୋଧକୁ ରକ୍ଷା କରି ଉକ୍ତ ନିର୍ବାଚନକୁ ସଫଳ କରିବା ଦିଗରେ ବାଣପୁର ବାସି ସମ୍ପୃର୍ଣ ସହଯୋଗ କରିଥିବାରୁ ଭୋଟରକୁ ପ୍ରଶଂସା କରିଛନ୍ତି ଶ୍ରୀ ବାରିକ।

ସୂଚନା ଥାଉକି ବାଣପୁର ବ୍ଲକରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଥିଲା l ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦେଶକ୍ରମେ ଏବଂ ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ କରାଯାଇଥିଲା ବାଣପୁର ବ୍ଲକ ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ , ଯାହାର ମଙ୍ଗ ଧରିଥିଲେ ଖୋଦ ବାଲୁଗାଁ ଏସଡିପିଓ। ନିର୍ବାଚନ ପାଇଁ ସମଗ୍ର ବାଣପୁର ବ୍ଲକକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା।

ବ୍ଲକର ସତର ଗୋଟି ପଞ୍ଚାୟତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ କୁମାର ପଣ୍ଡା, ଡ଼ିଏସପି ନିରୁପମା ମଲ୍ଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ଆଇଆଇସି କାଁହୁଚରଣ ସ୍ୱାଇଁ, ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ, ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରା, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆ, ଗମ୍ଭାରୀମୁଣ୍ଡା ବିଟହାଉସ ଅଧିକାରୀ ହାଡିବନ୍ଧୁ ନାୟକ, ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନିରାକାରପୁର ଥାନାର ସମସ୍ତ ଏସଆଇ, ଏଏସଆଇ ଏବଂ 10 ପ୍ଲାଟୁନ ପୋଲିସ ଫୋର୍ସକୁ ନିୟୋଜିତ କରାଯାଇଥିଲା l ତେବେ ନିର୍ବାଚନରେ କୌଣସି ପ୍ରକାର ହିଂସା ଘଟିନଥିବାର ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତାକଡରେ ପଡି ଭୋକ ବିକଳରେ ଡହଳ ବିକଳ ହେଉଥିଲେ ନିରାଶ୍ରୟ ବୃଦ୍ଧ, ଉଦ୍ଧାର କଲେ ବାଲୁଗାଁ ଏସଡିପିଓ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଏପରିକି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ। ମାତ୍ର ସରକାରୀ ଯୋଜନା ସବୁ ଖାତା କଲମରେ ରହିଯାଉଛି। କେଉଁଠି ନିରାଶ୍ରୟକୁ ଆଶ୍ରୟ ମିଳୁନାହିଁ ତ କେଉଁଠି ଅନାହାରରେ ଜୀବନ କାଟୁଛନ୍ତି ଅନେକ ଭୋକିଲା। ମାନବ ସେବା ହିଁ ମାଧବ ସେବା ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୌମ୍ୟକାନ୍ତ ଦାସ ପଟ୍ଟନାୟକ।

ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ଚିଲିକା ରୋଡ଼ ସ୍ଥିତ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ରାସ୍ତାକଡ଼ରେ ଜଣେ ଅଜଣା ନିରାଶ୍ରୟ ବୃଦ୍ଧ ଦୀର୍ଘ ଚାରି ଦିନ ହେବ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ଶରୀରରେ ଶୀତବସ୍ତ୍ର ନଥିବାରୁ ପ୍ରବଳ ଶୀତର ପ୍ରକୋପରେ ଜନୈକ ବୃଦ୍ଧ ଥରୁଥିବାର ଦେଖାଯାଇଥିଲା। ଏବଂ ଖାଦ୍ୟ ପାଇଁ ଡହଳ ବିକଳ ମଧ୍ୟ ହେଉଥିବାର ଦେଖିବାକୁ ମିଳିଥିଲା।

ତେବେ ଉକ୍ତ ଦୃଶ୍ୟ ଆଜି ‘ଶାଳିଆ ପ୍ରେସ କ୍ଲବ’ ର ସଦସ୍ୟଙ୍କ ନଜରକୁ ଆସିବା ପରେ ସଙ୍ଗେସଙ୍ଗେ ଏ ନେଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସଡ଼ିପିଓ ଉକ୍ତ ଖବର ପାଇବା ମାତ୍ରେ କାଳ ବିଳମ୍ବ ନକରି ସଙ୍ଗେସଙ୍ଗେ ମେଡିକାଲ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ ମଧ୍ୟ ଅସହାୟ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଇଥିଲେ। ସେହିପରି ଭାବେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସହାୟତାର ହାତ ବଢାଇଥିଲେ। ଏସଡ଼ିପିଓ ଶ୍ରୀ ବାରିକ ଏବଂ ଡ଼ା. ପଟ୍ଟନାୟକ ମେଡିକାଲରୁ ଷ୍ଟ୍ରେଚର ଆଣି ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଇବା ସହ ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ।

ଏଥି ସହିତ ଅସହାୟ ବ୍ୟକ୍ତିଙ୍କୁ ଏସଡ଼ିପିଓ କମ୍ବଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇଦେଇଥିଲେ। ବର୍ତ୍ତମାନ ବ୍ୟକ୍ତି ଜଣକ ସୁସ୍ଥ ଥିବାବେଳେ ନିଜର ପରିଚୟ ଉତ୍ତର ପ୍ରଦେଶ କାନପୁର ଅନ୍ତର୍ଗତ ନୟାଗଞ୍ଜ ଅଞ୍ଚଳର ଅବଦୁଲ ହାକିମ ଖାନ ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଏହା ଜାଣିବା ପରେ ଏସଡ଼ିପିଓ ଉତ୍ତର ପ୍ରଦେଶ ପୋଲିସକୁ ଯୋଗାଯୋଗ ମଧ୍ୟ କରିଥିବାର ଜଣାପଡିଛି।

ତେବେ ଏସଡ଼ିପିଓ ଏବଂ ମେଡିକାଲ ଅଧିକାରୀଙ୍କ ଉକ୍ତ ବଦନ୍ୟତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। ଅନୁରୂପ ଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଏନଏସି ଅଞ୍ଚଳରେ ଏହିପରି ରାସ୍ତା କଡ଼ରେ ବସବାସ କରୁଥିବା ଅସହାୟ ନିରାଶ୍ରୟ ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ସେଲଟର ହୋମକୁ ସ୍ଥାନାନ୍ତରିତ କରାଯାଇପାରିଲେ ମାନବିକତା ବଞ୍ଚିରହିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଥାନାକୁ ଯିବେ ନାହିଁ ବରିଷ୍ଠ ନାଗରିକ, ଘରକୁ ଯାଇ ଅଭିଯୋଗ ଶୁଣିବ ପୋଲିସ: ବାଲୁଗାଁ ଏସଡ଼ିପିଓ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପରିସରରେ ଆଜି ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ‘ଆମ ପୋଲିସ ମିଟିଂ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା। ସେହିପରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଡ଼ିଏସପି ଅତନୁ ରାଉତ, ଡ଼ିଏସପି ରବି ନାରାୟଣ ପାଢ଼ୀ ଏବଂ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବୈଠକରେ ନିରାକାରପୁର ଅଂଚଳର ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଏସପି ଶ୍ରୀ ଦୋରା ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଂଚଳର ୨୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।

ସେହିପରି ଭାବେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ବାଲୁଗାଁ ଏସଡ଼ିପିଓ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ପ୍ରଦାନ କରିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏସଡ଼ିପିଓଙ୍କୁ ବିନାଦ୍ଵିଧାରେ ଯୋଗାଯୋଗ କରିପାରିବେ ବୋଲି ଏସଡ଼ିପିଓ କହିଥିଲେ।

ଅନୁରୂପ ଭାବେ ବରିଷ୍ଠ ନାଗରିକମାନଙ୍କ ଯଦି ଥାନା ସମ୍ବନ୍ଧୀୟ କୌଣସି ଅଭିଯୋଗ ଥାଏ ତେବେ ସେମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ ନାହିଁ ଏବଂ ପୋଲିସ ଖୋଦ ସେମାନଙ୍କ ଘରକୁ ଯାଇ ଅଭିଯୋଗ ଗ୍ରହଣ କରିବ ବୋଲି ଏସଡ଼ିପିଓ କହିଥିଲେ। ପରିଶେଷରେ ଉକ୍ତ ବୈଠକରେ ଯୋଗଦେଇଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ କୃତଜ୍ଞତା ଜ୍ଞାପନ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱର ଛକରୁ ଗୋମାଂସ ସନ୍ଦେହରେ ଗାଡିକୁ ଘେରିଲେ ଜନତା, ବାଲୁଗାଁ ଏସଡିପିଓଙ୍କ ତଦନ୍ତ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଆଜି ସକାଳେ ଏକ ମାଂସ ବୋଝେଇ କଣ୍ଟେନର ଜବତ କରିଛି ନିରାକାରପୁର ପୋଲିସ। ଉକ୍ତ କଣ୍ଟେନରରେ ୫ ଟନ ମାଂସ ଥିବା ଅନୁମାନ କରାଯାଉଛି।

ସୂଚନା ମୁତାବକ ଆଜି ସକାଳେ ରାମେଶ୍ୱର ଛକରେ ଉକ୍ତ ମାଂସ ବୋଝେଇ ଟ୍ରକକୁ ଘେରାଉ କରି ଅଟକ ରଖିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉକ୍ତ କଣ୍ଟେନରକୁ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛନ୍ତି।

ଅଟକ ତିନିଜଣ ଅଭିଯୁକ୍ତ ହେଲେ ସଂଜ ରାଠୋର, ମିଆଁଲାଲ ପିଣ୍ଡାରୀ, ଚନ୍ଦୁ ଲତାଫ୍। ତେବେ ଗୁଜବ ହେଉଛି ଯେ, ଖୋର୍ଦ୍ଧାରୁ ହାଇଦ୍ରାବାଦକୁ ଉକ୍ତ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବାବେଳେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଏହାକୁ ପିଛା କରିବା ସହ ରାମେଶ୍ୱର ଛକରେ ଅଟକାଇଥିଲେ।

ଏ ନେଇ ବାଲୁଗାଁ ଏସଡିପିଓଙ୍କୁ ପଚାରିବାରୁ ଏଯାବତ କେଉଁ ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଉକ୍ତ ମାଂସ କଣ୍ଟେନରକୁ ଅଟକାଇଛନ୍ତି ତାହା ଜଣାପଡିନାହିଁ। ଏହାସହିତ ଏହି କଣ୍ଟେନରକୁ କେଉଁ ସଂଗଠନ  ପକ୍ଷରୁ ଅଟକାଯାଇଛି, ତାହା ଦାବି କରାଯାଇନାହିଁ କିମ୍ବା ଏତଲା ମଧ୍ୟ ଦିଆଯାଇନାହିଁ। ପୋଲିସ ବର୍ତ୍ତମାନ ନିଜଆଡୁ ତଦନ୍ତ ଜାରିରଖିଛି ଏବଂ ଉକ୍ତ କଣ୍ଟେନରରେ କେଉଁ ମାଂସ ଅଛି ଏବଂ କେତେ ପରିମାଣରେ ଅଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ବାଲୁଗାଁ ଏସଡିପିଓ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛଦ୍ମ ଵେଶରେ ଚଢାଉ କଲେ ବାଲୁଗାଁ ଏସଡିପିଓ, ବେଆଇନ ପଥର ଖଣିରୁ ଜବତ କଲେ ୩ ଜେସିବି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଞ୍ଚଳରେ ଖଣି ମଫିଆମାନଙ୍କ ପାଦୃଭାବ ବଢିବାରେ ଲାଗିଛି। ପ୍ରଶାସନ ଆଖିରେ ଧୁଳି ଦେଇ ଖଣି ମାଫିଆମାନେ ବେଆଇନ ପଥର ଚୋରା ଚାଲାଣ କରୁଛନ୍ତି। ଯାହାଫଳରେ ସରକାରକୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି। ତେଣୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ତତ୍ପରତା ଦେଖାଇଛନ୍ତି।

ତେବେ ଆଜି ବାଲୁଗାଁ ଏସଡିପିଓ ବେଆଇନ ପଥର ଖଣି ଉପରେ ଅଚାନକ ଚଢାଉ କରିଛନ୍ତି। ଛଦ୍ମ ଵେଶରେ ଟାଙ୍ଗୀ ତହସିଲ ଅନ୍ତର୍ଗତ ସୁନ୍ଦରପୁର ବେଆଇନ ମାଙ୍କଡା ପଥର ଖଣି ଉପରେ ଏସଡିପିଓ ଅଚାନକ ଚଢାଉ କରିଛନ୍ତି। ଉକ୍ତ ଚଢାଉ ସମୟରେ ୩ ଟି ଜେସିବି, ୩ ଟି ଟ୍ରାକ୍ଟରକୁ ଏସଡିପିଓ ଜବତ କରିଥିବା ବେଳେ ମାଫିଆମାନେ ଖସି ପଳେଇଯିବାରେ ସକ୍ଷମ ହୋଇଛନ୍ତି। ଉକ୍ତ ଚଢାଉରେ ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲିକ ମଧ୍ୟ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗି: ଇଣ୍ଡିଗୋ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଟାଙ୍ଗୀ ପୋଲିସ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଏ ନେଇ ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ସୂଚନା ମୁତାବକ ଗତକାଲି ଏକ ଇଣ୍ଡିଗୋ କାର ଦ୍ୱାରା କନ୍ଧମାଳରୁ ସୁଦୂର ରାଜସ୍ଥାନକୁ ଗଞ୍ଜେଇ  ଚୋରା ଚାଲାଣ ହେଉଥିବାର ବାଲୁଗାଁ ଏସଡ଼ିପିଓଙ୍କୁ ଖବର ମିଳିଥିଲା। ଏ ନେଇ ଏସଡ଼ିପିଓ ସଙ୍ଗେସଙ୍ଗେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟାଙ୍ଗୀ ପୋଲିସ ଓ ନାଚୁଣୀ ଫାଣ୍ଡି ପୋଲିସର ତିନି ଗୋଟି ଟିମକୁ ୧୬ ନମ୍ବର ଜାତୀୟ ରାଜପଥରେ ନିୟୋଜିତ କରିଥିଏଲ।  ଟାଙ୍ଗୀ ଠାରୁ ନାଚୁଣୀ ପର୍ଯ୍ୟନ୍ତ ଉକ୍ତ ଟିମ ପୃଥକ ପୃଥକ ସ୍ଥାନରେ ଛପି ରହିଥିବା ବେଳେ ଏସଡ଼ିପିଓ ଶ୍ରୀ ବାରିକ ମଧ୍ୟ ରାତିତମାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ରାତି ପାଖାପାଖି ୩ ଘଟିକା ସମୟରେ ଦୀକ୍ଷୀତପଡ଼ା ଚଣ୍ଡେଶ୍ୱର ରୋଡ଼ ନିକଟରେ ଉକ୍ତ ନିର୍ଦ୍ଦିଷ୍ଟ କାରଟି ପୋଲିସ ଗାଡିକୁ ଦେଖିବା ମାତ୍ରେ ପଛକୁ ବୁଲାଇ ପଳେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରେ କାରରୁ ହଠାତ ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ପରିଶେଷରେ ଶେଖ ମୁବାରକ (୩୨) ନାମକ ଅଭିଯୁକ୍ତଙ୍କୁ କାବୁ କରିଥିଲା। ମୁବାରକଙ୍କ ଘର ଟାଙ୍ଗୀ ଥାନା ଦୀକ୍ଷୀତପଡ଼ା ଅଞ୍ଚଳରେ।

ତେବେ ପୋଲିସ ତଲାସୀ କରିବା ସମୟରେ ଗାଡ଼ି ମଧ୍ୟରୁ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଗଞ୍ଜେଇ କନ୍ଧମାଳରୁ ଭାୟା ନୟାଗଡ ହୋଇ ଦୀକ୍ଷୀତପଡ଼ା ଆସିଥିଲା ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ରାଜସ୍ଥାନ ଯାଇଥାନ୍ତା।

ଏ ନେଇ ଟାଙ୍ଗୀ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୧/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।  ତେବେ ଉକ୍ତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରିରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଥାନା ଏସଆଇ କୁମାର ମୁଦୁଲି, ଏଏସଆଇ ଭଗବାନ ସ୍ୱାଇଁ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆକ୍ସନ ମୁଡ଼ରେ ବାଲୁଗାଁ ଏସଡ଼ିପିଓ: ଛଦ୍ମବେଶରେ ବିଭିନ୍ନ ସ୍ଥାନରେ କଲେ ଚଢ଼ାଉ, ୩ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ପ୍ରଶାସନର ଅପାରଗତା ଯୋଗୁଁ ମାଙ୍କଡା ପଥର ମାଫିଆ ମାନେ ଟାଙ୍ଗୀ ତହସିଲର ବିଭିନ୍ନ ଅଞ୍ଚଳରେ ଚଲାଇଛନ୍ତି ବେଧଡକ ଚୋରା ପଥର କାରବାର। ମାଫିଆ ମାନେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୁନାଫା। କାଁ ଭାଁ କ୍ୱଚିତ୍ ତହସିଲ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରି ସ୍ୱଳ୍ପ ଜରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦେଉଥିବାରୁ ମାଫିଆ ମାନେ ରହୁଛନ୍ତି ବେଫିକର।

ସୂଚନା ମୁତାବକ ଟାଙ୍ଗୀ ତହସିଲ ଚଣ୍ଡେଶ୍ୱର ନିକଟ କୁହୁଡି ତଳଗଡ ମୌଜାରେ କେତେକ ଖଣି ମାଫିଆ ଗାଁ ର ଗୋଚର ଅନାବାଦି ଜମିକୁ ପଥର ଖଣି ଭାବେ ବ୍ୟବହାର କରି ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ କରିଆସୁଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ୍ ଆଜି ମଧ୍ୟାହ୍ନରେ ଛଦ୍ମ ବେଶରେ ବାଇକ୍ ରେ ଆସି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢାଉ କରି ମାଙ୍କଡା ପଥର ଖଣିରେ ଥିବା ୩ ଟି ବାଇକ୍ ସହ ୨ ଟି କଟର୍ ଜବତ କରିଛନ୍ତି। ଏବଂ ଜଣେ ପଥର କଟାଳିଙ୍କୁ ଅଟକ ରଖିଛନ୍ତି। ତେବେ ଉକ୍ତ ଚୋରା ଖଣି ମାଲିକଙ୍କ ପତା ମିଳିସାରିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ସେହିପରି ଭାବେ ଟାଙ୍ଗୀ ଠିପି ବନ୍ଦ ବିଦେଶୀ ମଦ ଦୋକ‍ାନ ନିକଟରେ ଚାଲିଥିଲା ମଦୁଆଙ୍କ ଉତ୍ପାତ। ମଦୁଆ ମଦ ପିଇ ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ସ୍ଥାନୀୟ ଝିଅ ବୋହୁଙ୍କ ପ୍ରତି ଅଶାଳୀନ ଆଚରଣ କରି ଆସୁଥିଲେ। ଫଳରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇ ପୋଲିସ୍ କୁ କରିଥିଲେ ଅଭିଯୋଗ। ଅଭିଯୋଗ ପାଇବା ପରେ ଆଜି ବାଲୁଗାଁ ଏସଡିପିଓ ଛଦ୍ମ ବେଶରେ ବାଇକ୍ ରେ ଆସି ଟାଙ୍ଗୀ ବିଦେଶୀ ମଦ ଦୋକାନରେ କରିଥିଲେ ଚଢାଉ। ଚଢାଉ ପରେ ସେଠାରୁ ମଦୁଆ ଛତ୍ରଭଙ୍ଗ ଦେଇଥିଲେ। ମଦ ଦୋକାନ ନିକିଟରେ ଚାଖଣା ଦୋକାନ ଖୋଲି ମଦୁଆଙ୍କୁ ଚାଖଣା ପରଷି ଦେଉଥିଵା ୨ ଦୋକାନୀଙ୍କୁ ଅଟକ ରଖି ଘଟଣ‍ାର ଅଧିକ ଛାନବିନ୍ ଜାରି ରଖିଛନ୍ତି ଏସଡିପିଓ ଶ୍ରୀ ବାରିକ। ତେବେ ବାଲୁଗାଁ ଏସଡିପିଓଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଦେଖି ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନେ ଭୟରେ ପ୍ରମାଦ ଗଣୁଥିବାର ଦେଖାଯାଇଛି।