ଥାନାକୁ ଯିବେ ନାହିଁ ବରିଷ୍ଠ ନାଗରିକ, ଘରକୁ ଯାଇ ଅଭିଯୋଗ ଶୁଣିବ ପୋଲିସ: ବାଲୁଗାଁ ଏସଡ଼ିପିଓ

Published: Jan 2, 2022, 8:32 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପରିସରରେ ଆଜି ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ‘ଆମ ପୋଲିସ ମିଟିଂ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା। ସେହିପରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଡ଼ିଏସପି ଅତନୁ ରାଉତ, ଡ଼ିଏସପି ରବି ନାରାୟଣ ପାଢ଼ୀ ଏବଂ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବୈଠକରେ ନିରାକାରପୁର ଅଂଚଳର ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଏସପି ଶ୍ରୀ ଦୋରା ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଂଚଳର ୨୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।

ସେହିପରି ଭାବେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ବାଲୁଗାଁ ଏସଡ଼ିପିଓ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ପ୍ରଦାନ କରିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏସଡ଼ିପିଓଙ୍କୁ ବିନାଦ୍ଵିଧାରେ ଯୋଗାଯୋଗ କରିପାରିବେ ବୋଲି ଏସଡ଼ିପିଓ କହିଥିଲେ।

ଅନୁରୂପ ଭାବେ ବରିଷ୍ଠ ନାଗରିକମାନଙ୍କ ଯଦି ଥାନା ସମ୍ବନ୍ଧୀୟ କୌଣସି ଅଭିଯୋଗ ଥାଏ ତେବେ ସେମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ ନାହିଁ ଏବଂ ପୋଲିସ ଖୋଦ ସେମାନଙ୍କ ଘରକୁ ଯାଇ ଅଭିଯୋଗ ଗ୍ରହଣ କରିବ ବୋଲି ଏସଡ଼ିପିଓ କହିଥିଲେ। ପରିଶେଷରେ ଉକ୍ତ ବୈଠକରେ ଯୋଗଦେଇଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ କୃତଜ୍ଞତା ଜ୍ଞାପନ କରିଥିଲା।

Related posts