Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ନବମ ପର୍ଯ୍ୟାୟ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ନବମ ପର୍ଯ୍ୟାୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଦେବଗଡ଼ ଓ ଅନୁଗୋଳର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ଆଜ୍‌ମେର ଓ ପୁଷ୍କର ଯାତ୍ରା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟର ପ୍ରାୟ ୨୮ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ। ଏହି ତୀର୍ଥଯାତ୍ରା ମାଧ୍ୟମରେ ପାରସ୍ପରିକ ସଦ୍‌ଭାବ ଏବଂ ଜାତୀୟ ସଂହତି ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସମ୍ବଲପୁର ରେଳ ଷ୍ଟେସନ୍‌ରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ, ଜଳସଂପଦ ମନ୍ତ୍ରୀ  ଟୁକୁନି ସାହୁ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ, ଅଜାମ୍ବର ମହାନ୍ତି, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାୟ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇବା ସହ ଏହା ଦ୍ୱାରା ବରିଷ୍ଠ ନାଗରିକମାନଙ୍କର ସ୍ୱପ୍ନ ପୂରଣ ହେବା ସହ ବିଭିନ୍ନ ତୀର୍ଥସ୍ଥାନ ବୁଲିବାର ସୁଯୋଗ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ।

ଆଜିର ଏହି ନବମ ପର୍ଯ୍ୟାୟ ଯାତ୍ରାରେ ୮ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ସାମିଲ ଅଛନ୍ତି। ସେମାନେ ଆଜ୍‌ମେର ଓ ପୁଷ୍କରରେ ତୀର୍ଥ କରି ଆସନ୍ତା ୨୪ ତାରିଖରେ ସମ୍ବଲପୁରଠାରେ ପହଞ୍ଚିବେ। ଏ ପର୍ଯ୍ୟନ୍ତ ଆଇଆର୍‌ସିଟିସି ସହଯୋଗରେ ୨୯ଟି ଯାତ୍ରାରେ ୨୮ ହଜାର ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ଝରକା ତାଡି ବରିଷ୍ଠ ନାଗରିକଙ୍କ ଘରୁ ଚୋରୀ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍

ନିରାକାରପୁର: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାହୁଳ ହଜ କୃଷ୍ଣଚନ୍ଦ୍ର ଶତପଥୀଙ୍କ ଘରର ଝରକା ତାଡି ଲୁଟ ହୋଇଛି। କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ଦୁହେଁ ବରିଷ୍ଠ ନାଗରିକ। ଦୁହେଁ ଘରେ ଶୋଇଥିଲା ବେଳେ ଲୁଟେରାମାନେ ସୁଯୋଗ ଉଣ୍ଡି ଲୁଟିନେଇଛନ୍ତି। ଲୁଟେରା ମାନେ ଘରର ଝରକା ତାଡି ଘର ଭିତରେ ପଶି ଗଦରେଜ ଆଲମାରୀ ଓ ଟ୍ରଙ୍କ ବାକ୍ସ ଭାଗିଂ ସୁନାରୂପା ଅଳଙ୍କାର ସହିତ ଟଙ୍କା ଲୁଟିନେଇଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଜଣାପଡିଛି।

ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ସାଇଣ୍ଟିଫିକ ଟିମ ଆସି ପହଞ୍ଚି ତଦନ୍ତ କଲେ କିଛି ସୁରାକ ମିଳି ପାରିବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।ନିରାକାରପୁର ପୋଲିସର ଢିଲା ପାଟ୍ରୋଲିଂ ଅଭାବରୁ ଅଂଚଳରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଲୁଟ କରୁଥିବା ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା: ଆସନ୍ତାକାଲି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧାରୁ ୨୧୧ ତୀର୍ଥ ଯାତ୍ରୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୧୧ ଜଣ ତୀର୍ଥ ଯାତ୍ରୀଙ୍କ ସହ ୭ ଜଣ ସୁରକ୍ଷା ଅଧିକାରୀ ଅପରାହ୍ନ ୩.୦୦ ଟାରେ ୪ ଟା ବସ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ୟୁନିଟ ୩ ରେ ରହିବେ। ଆସନ୍ତାକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର. ଟ୍ରେନରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମୋଟ ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ସୁରକ୍ଷା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ପର୍ଯ୍ୟଟନ ବିଭାଗ ତରଫରୁ ଆଜମୀର ଏବଂ ପୁଷ୍କର ଅଭିମୁଖେ ଯାତ୍ରା କରିବେ।

ଏହି କାର୍ଯ୍ୟକ୍ରମରେ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଉତ୍ତୋଳନ କରି ୪ ଟି ବସକୁ ଭବ୍ୟ ସମ୍ବର୍ଦ୍ଧନା କରି ବିଦାୟ ଦେଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ପର୍ଯ୍ୟଟନ ବିଭାଗ ଆଡ଼ଭାଇଜର ଦୁର୍ଗା ସାମନ୍ତରାୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରାବାଈ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ମିଡ଼ିଆ ଏବଂ ଜନସାଧାରଣ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଥାନାକୁ ଯିବେ ନାହିଁ ବରିଷ୍ଠ ନାଗରିକ, ଘରକୁ ଯାଇ ଅଭିଯୋଗ ଶୁଣିବ ପୋଲିସ: ବାଲୁଗାଁ ଏସଡ଼ିପିଓ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପରିସରରେ ଆଜି ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ‘ଆମ ପୋଲିସ ମିଟିଂ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା। ସେହିପରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଡ଼ିଏସପି ଅତନୁ ରାଉତ, ଡ଼ିଏସପି ରବି ନାରାୟଣ ପାଢ଼ୀ ଏବଂ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବୈଠକରେ ନିରାକାରପୁର ଅଂଚଳର ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଏସପି ଶ୍ରୀ ଦୋରା ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଂଚଳର ୨୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।

ସେହିପରି ଭାବେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ବାଲୁଗାଁ ଏସଡ଼ିପିଓ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ପ୍ରଦାନ କରିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏସଡ଼ିପିଓଙ୍କୁ ବିନାଦ୍ଵିଧାରେ ଯୋଗାଯୋଗ କରିପାରିବେ ବୋଲି ଏସଡ଼ିପିଓ କହିଥିଲେ।

ଅନୁରୂପ ଭାବେ ବରିଷ୍ଠ ନାଗରିକମାନଙ୍କ ଯଦି ଥାନା ସମ୍ବନ୍ଧୀୟ କୌଣସି ଅଭିଯୋଗ ଥାଏ ତେବେ ସେମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ ନାହିଁ ଏବଂ ପୋଲିସ ଖୋଦ ସେମାନଙ୍କ ଘରକୁ ଯାଇ ଅଭିଯୋଗ ଗ୍ରହଣ କରିବ ବୋଲି ଏସଡ଼ିପିଓ କହିଥିଲେ। ପରିଶେଷରେ ଉକ୍ତ ବୈଠକରେ ଯୋଗଦେଇଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ କୃତଜ୍ଞତା ଜ୍ଞାପନ କରିଥିଲା।

Categories
ବିଶେଷ ଖବର

ବରିଷ୍ଠ ନାଗରିକଙ୍କ ଏହି ଯୋଜନା ବିଷୟରେ ଜାଣନ୍ତୁ, ଯାହା ମାସିକ ୯୨୫୦ ଟଙ୍କା ପେନ୍ସନ୍ ପ୍ରଦାନ କରିଥାଏ

ନୂଆଦିଲ୍ଲୀ: ପ୍ରତ୍ୟେକ ବରିଷ୍ଠ ନାଗରିକ ନିଜ ଜୀବନର କଷ୍ଟ ଉପାର୍ଜିତ ଟଙ୍କାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯେଉଁଠାରେ ସେ ଭଲ ରିଟର୍ଣ୍ଣ ପାଇପାରିବେ ଏବଂ ତାଙ୍କର ବିନିଯୋଗ ମଧ୍ୟ ସୁରକ୍ଷିତ ରହିବ। ଦେଶର ବରିଷ୍ଠ ନାଗରିକମାନଙ୍କୁ ଧ୍ୟାନରେ ରଖି ଭାରତ ସରକାରଙ୍କ ଦ୍ଵାରା ମଇ ୪ ତାରିଖ ୨୦୧୭ରେ ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା ଆରମ୍ଭ ହୋଇଛି।

ବରିଷ୍ଠ ନାଗରିକଙ୍କ ପାଇଁ ଯୋଜନା:

ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା ହେଉଛି ଏକ ସାମାଜିକ ସୁରକ୍ଷା ପାଇଁ ପେନ୍ସନ୍ ଯୋଜନା, ଯାହା ଭାରତର LIC ଦ୍ୱାରା ପରିଚାଳିତ ହେଉଛି। ପୂର୍ବରୁ ଏହି ଯୋଜନା ଅଧୀନରେ ବିନିଯୋଗ କରିବାର ସର୍ବାଧିକ ସୀମା ପୂର୍ବରୁ ୭.୫୦ ଲକ୍ଷ ଟଙ୍କା ଥିଲା, ଯାହାକୁ ବର୍ତ୍ତମାନ ୧୫ ଲକ୍ଷକୁ ବୃଦ୍ଧି କରାଯାଇଛି।

ପେନ୍‌ସନ୍‌ ୧, ୦୦୦ରୁ ୯,୨୫୦ ଟଙ୍କା ପର୍ଯ୍ୟନ୍ତ:

ଏହି ଯୋଜନା ଉପରେ ସୁଧ ବାର୍ଷିକ ୭.୪ ପ୍ରତିଶତ ଅଟେ। ୬୦ ବର୍ଷରୁ ଅଧିକ ସମସ୍ତ ନାଗରିକ ମାର୍ଚ୍ଚ ୩୧ ତାରିଖ ୨୦୨୩ ପୂର୍ବରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ। ବିନିଯୋଗ ଉପରେ ନିର୍ଭର କରି ନାଗରିକମାନଙ୍କୁ ମାସକୁ ୧୦୦୦ ରୁ ୯୨୫୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ପ୍ରଦାନ କରାଯାଇଥାଏ। ଯଦି ଆପଣ ସର୍ବନିମ୍ନ ୧.୫୦ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ପ୍ରତି ମାସରେ ୧୦୦୦ ଟଙ୍କା ପେନ୍ସନ୍ ପାଇବେ ଏବଂ ଯଦି ଆପଣ ୧୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ପ୍ରତି ମାସରେ ୯୨୫୦ ଟଙ୍କା ପେନ୍ସନ୍ ପାଇବେ।

ସ୍ୱାମୀ ଏବଂ ସ୍ତ୍ରୀ ମିଶି କରନ୍ତୁ ଏକାଠି ବିନିଯୋଗ:

ଯଦି ଆପଣ ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ପ୍ରତି ମାସରେ ୯୨୫୦ ହଜାର ଟଙ୍କା ପେନ୍ସନ୍ ପାଇବେ। ଯଦି ସ୍ୱାମୀ-ସ୍ତ୍ରୀ ଏହି ଯୋଜନାରେ ଏକାଠି ବିନିଯୋଗ କରୁଛନ୍ତି ଏବଂ ବିନିଯୋଗ ପରିମାଣ ହେଉଛି ୩୦ ଲକ୍ଷ ଟଙ୍କା, ତେବେ ପେନ୍‌ସନ୍‌ ଭାବରେ ପ୍ରତି ମାସରେ ୧୮ ହଜାର ୫୦୦ ହଜାର ଟଙ୍କା ଗ୍ରହଣ କରାଯିବ।

ଅନଲାଇନ୍ ଅଫଲାଇନ୍ ଆବେଦନ ବିକଳ୍ପ:

ପେନ୍‌ସନ୍‌ର ପ୍ରଥମ କିସ୍ତି ଜମା କରିବା ରାଶି ୧ ବର୍ଷ, ୬ ମାସ, ୩ ମାସ, ୧ ମାସ ପରେ ଗ୍ରହଣ କରାଯିବ। ଆପଣ କେଉଁ ବିକଳ୍ପ ବାଛିବେ ତାହା ଉପରେ ନିର୍ଭର କରେ। PMVVY ସ୍କିମ୍ ୨୦୨୧ ଅଧୀନରେ, ଆପଣ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଆବେଦନ କରିପାରିବେ ଏବଂ ପଲିସି କ୍ରୟ କରିପାରିବେ। ଅନଲାଇନରେ ଆବେଦନ କରନ୍ତୁ ଆପଣ LIC ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପଲିସି କିଣିପାରିବେ ଏବଂ LIC ର ଶାଖା ପରିଦର୍ଶନ କରି ଅଫଲାଇନରେ ଆବେଦନ କରିପାରିବେ ଏବଂ PM Vaya Vandana Yojana ୨୦୨୧ ର ଲାଭ ଉଠାଇ ପାରିବେ।

ପୂର୍ଣ୍ଣ ଟଙ୍କା ନୋମିନୀଙ୍କ ଆକାଉଣ୍ଟକୁ ଯିବ:

ଏହା ଏକ ୧୦ ବର୍ଷର କାର୍ଯ୍ୟକାଳ ଯୋଜନା, ଯେଉଁଥିରେ ଯଦି ପଲିସିଧାରୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁବରଣ କରନ୍ତି, ତେବେ ମୂଳ ରାଶି ନୋମିନୀଙ୍କ ଆକାଉଣ୍ଟକୁ ଯାଏ। ଯଦି ଆପଣ ଏହି ସ୍କିମ୍ ସହିତ ଜଡିତ ଅଧିକ ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ୦୨୨-୬୭୮୧୯୨୮୧ କିମ୍ବା ୦୨୨-୬୭୮୧୯୨୯୦ ରେ ଯୋଗାଯୋଗ କରିପାରିବେ। ଏଥିପାଇଁ LIC ଏକ ଟୋଲ୍ ଫ୍ରି ନମ୍ବର ୧୮୦୦-୨୨୭-୭୧୭ ମଧ୍ୟ ଜାରି କରିଛି।

ପଲିସି ଫେରସ୍ତ ହୋଇପାରିବ:

ଯଦି ଜଣେ ପଲିସିଧାରୀ ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନାରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସେ ଏହାକୁ ଗ୍ରହଣ କରିବାର ୧୫ ଦିନ ମଧ୍ୟରେ ଫେରସ୍ତ କରିପାରିବେ। ଯଦି ଅଫଲାଇନରେ କିଣାଯାଏ, ତେବେ ଏହା ୧୫ ଦିନ ମଧ୍ୟରେ ଏବଂ ଅନ୍ଲାଇନରେ କିଣାଯାଇଥିଲେ, ତେବେ ୩୦ ଦିନ ମଧ୍ୟରେ ପଲିସି ଫେରସ୍ତ ହୋଇପାରିବ। ପଲିସି ଫେରସ୍ତ କରିବାବେଳେ, ପଲିସି ଫେରସ୍ତ କରିବାର କାରଣ ଦେବାକୁ ପଡିବ। ଯଦି ପଲିସିଧାରୀ ପଲିସି ଫେରସ୍ତ କରନ୍ତି, ତେବେ ଷ୍ଟାମ୍ପ ଡ୍ୟୁଟି ଏବଂ ଜମା ହୋଇଥିବା ପେନସନ୍ ରାଶି କାଟିବା ପରେ ତାଙ୍କୁ କ୍ରୟ ମୂଲ୍ୟ ଫେରସ୍ତ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଜାରୀ କଲେ ଏକକ ଟୋଲ ଫ୍ରି ହେଲ୍ପ ଲାଇନ

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସ୍କମାନଙ୍କ ସହାୟତା ପାଇଁ ଦେଶର ପ୍ରଥମ ସର୍ବଭାରତୀୟ ହେଲ୍ପ ଲାଇନ ନମ୍ବର: ଏଲ୍ଡର ଲାଇନ (ନିଃଶୁଳ୍କ ନଂ – ୧୪୫୬୭)ର ଶୁଭାରମ୍ଭ କରାଯାଇଛି।

ଏହି ହେଲ୍ପ ଲାଇନ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ପେନସନ, ଆଇନଗତ ପ୍ରସଙ୍ଗରେ ମାର୍ଗଦର୍ଶନ ଦିଆଯିବା ସହିତ ସେମାନଙ୍କୁ ଭାବଗତ ସମର୍ଥନ ମଧ୍ୟ ଯୋଗାଇ ଦିଆଯିବ। ଉତ୍ପୀଡ଼ନର ଶିକାର ହେଉଥିବା ବରିଷ୍ଠ ନାଗରିକଙ୍କ ମାମଲାରେ ହସ୍ତକ୍ଷେପ କରିବା ସହ ବାସହୀନ ବୟସ୍କମାନଙ୍କୁ ମଧ୍ୟ ଉଦ୍ଧାର କରିବା କ୍ଷେତ୍ରରେ ଏହା ସହାୟକ ହୋଇପାରିବ।

ସାରା ଦେଶରେ ଏହି ଗୋଟିଏ ମଞ୍ଚ ଜରିଆରେ ବୟସ୍କ ନାଗରିକମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ ଏବଂ ଅଭିଯୋଗ କରିପାରିବେ। ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସୂଚନା ଏବଂ ପରାମର୍ଶ ହେଲ୍ପଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ୨୦୫୦ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରେ ବୟସ୍କ ନାଗରିକମାନଙ୍କ ସଂଖ୍ୟା ୩୦୦ ନିୟୁତରୁ ଅଧିକ ଅର୍ଥାତ୍ ୨୦ ପ୍ରତିଶତ ପାଖାପାଖି ପହଞ୍ଚିଯିବ।

ଦେଶର ସାମଗ୍ରିକ ଆର୍ଥିକ ଏବଂ ସାମାଜିକ ଅଭିବୃଦ୍ଧିରେ ବରିଷ୍ଠ ନାଗରିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଏପରି ଏକ ମହତ୍ବପୂର୍ଣ୍ଣ ହେଲ୍ପଲାଇନର ଶୁଭାରମ୍ଭ କରାଯାଇଛି। ଦେଶର ପ୍ରମୁଖ ଦାତବ୍ୟ ସଂସ୍ଥା ଟାଟା ଟ୍ରଷ୍ଟ, ଏନଏସଇ ଫାଉଣ୍ଡେସନ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ହେଲ୍ପଲାଇନର ଶୁଭାରମ୍ଭ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା: ଫୋନ କଲେ ଘରକୁ ଆସିବ ନମୁନା ସଂଗ୍ରହ ଗାଡି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଲକ୍ଷଣ ଦେଖାଯାଉଥିବା କୌଣସି ବରିଷ୍ଠ ନାଗରିକ ଯଦି କରୋନା ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ଅଛନ୍ତି। ସେମାନଙ୍କ ପାଇଁ ବିଏମସି ଏକ ଭଲ ବ୍ୟବସ୍ଥା କରିଛି। ଘରୁ ଆସିପାରୁନଥିବା ବରିଷ୍ଠ ନାଗରିକ ମାନେ ଏବେ ଫୋନ କଲେ ନମୁନା ସଂଗ୍ରହ ଗାଡି ତାଙ୍କ ଘରେ ପହଞ୍ଚିବ। ସେଠାରେ ଏହି ଗାଡି ତାଙ୍କର ନମୁନା ସଂଗ୍ରହ କରିବ।

ତେବେ ଏଥିପାଇଁ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ କରିବାକୁ ପଡିବ। ଏହି ବ୍ୟବସ୍ଥା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।

ସେହିଭଳି ଟୀକା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୀକା ପାଇଁ ଯେଉଁ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡୁଥିବେ, ସେମାନଙ୍କ ପାଇଁ ମଧ୍ୟ ବିଏମସି ପ୍ରଶଂସନୀୟ ପଦକ୍ଷେପ ନେଇଛି। ଏକା ରହୁଥିବା ବରିଷ୍ଠ ନାଗରିକମାନେ ଫୋନ କରି ନିଜର ତଥ୍ୟ ଦେଲେ, ଘରେ ଗାଡି ପହଞ୍ଚିବ। ୧୯୨୯କୁ ଫୋନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଗାଡି ପହଞ୍ଚିବ। ତାଙ୍କୁ ଟୀକାକରଣ କେନ୍ଦ୍ରକୁ ନେଇ ଟୀକା ଦେବା ପରେ ପୁନଶ୍ଚ ଘରେ ଛାଡିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ  ବିଏମସି କମିଶନର ସଞ୍ଜୟ କୁମାର ସିଂହ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମା’ ବାପାଙ୍କ ସେବା ନାହିଁ ତ ସମ୍ପତ୍ତି ଉପରେ ଅଧିକାର ନାହିଁ: ୟୁପିଏସଏଲସି

ଲକ୍ଷ୍ନୌ: ବରିଷ୍ଠ ନାଗରିକ ଭରଣପୋଷଣ କଲ୍ୟାଣ ଅଧିନିୟମ-୨୦୧୭ ଆଇନରେ ସଂଶୋଧନ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ବିଧି ନିୟମ ଦ୍ଵାରା (ୟୁପିଏସଏଲସି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଯେଉଁ ଆଇନ ବଳରେ ଉତ୍ତରାଧିକାରୀଙ୍କ ଦ୍ଵାରା ଦୁର୍ବ୍ୟବହାର କରାଗଲେ ବରିଷ୍ଠ ନାଗରିକମାନେ ତାଙ୍କ ସମ୍ପତ୍ତି ଫେରସ୍ତ ନେଇପାରିବେ।

ୟୁପିଏସଏଲସିର ପ୍ରସ୍ତାବ ଅନୁଯାୟୀ, ବରିଷ୍ଠ ବ୍ୟକ୍ତିଙ୍କ ଦ୍ଵାରା ଉପହାର ସ୍ୱରୂପ ଦିଆଯାଇଥିବା ସମ୍ପତ୍ତିଙ୍କୁ ଅଭିଯୋଗ ପରେ ମଧ୍ୟ ବାତିଲ କରାଯିବ।

ଏହାସହ ଯଦି ବରିଷ୍ଠ ନାଗରିକଙ୍କୁ ଘରେ ରହୁଥିବା ପିଲାମାନେ କିମ୍ବା ସମ୍ପର୍କୀୟ ଯତ୍ନ ନିଅନ୍ତି ନାହିଁ କିମ୍ବା ଖରାପ ବ୍ୟବହାର କରନ୍ତି, ତେବେ ସେମାନଙ୍କୁ ଘରୁ ବାହାର କରାଯାଇପାରିବ। ଏହି ଅଧିନିୟମ ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ରୋଜଗାରକ୍ଷମ ନୁହନ୍ତି କିମ୍ବା ନିଜେ ଚଳିବା ପାଇଁ ଅସମର୍ଥ ଅଟନ୍ତି, ସେହି ସମୟରେ ସନ୍ତାନ ଏବଂ ସମ୍ପର୍କୀୟମାନଙ୍କ ଦ୍ଵାରା କେବଳ ଭରଣପୋଷଣ ପାଇଁ ସମ୍ପତ୍ତି ଉପରେ ଅଧିକାର ରହିବ।

Categories
ଆଜିର ଖବର ଆଞ୍ଚଳିକ

ଭିଡକୁ ନେଇ ବାଣପୁର ମେଡିକାଲରେ ଉତ୍ତେଜନା: ଆଜିଠୁ ଚାରି ଗୋଟି କେନ୍ଦ୍ରରେ ମିଳିବ କୋଭିଡ ଟୀକା

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ୮ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ବରିଷ୍ଠ ନାଗରିକମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଜି ମେଡ଼ିକାଲ ପରିସରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକମାନେ ବହୁ ଦୂର ଦୁରାନ୍ତରରୁ ବଡ଼ି ଭୋରରୁ ଆସି ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ମେଡ଼ିକାଲ ପରିସରରେ ବସିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିବାରୁ ଖରାରେ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘ ସମୟ ଧରି ଟୀକା ନେବା ପାଇଁ ଠିଆ ହୋଇ ରହିବାକୁ ପଡୁଛି। ତେବେ ଏ ବିଷୟ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସମଗ୍ର ବାଣପୁର ବ୍ଲକର ବରିଷ୍ଠ ନାଗରିକ ମାନଙ୍କ ଟୀକାକାରଣ କେବଳ ବାଣପୁର ମେଡିକାଲରେ ହେଉଥିବାରୁ ଏପରି ଭିଡ଼ ହେଉଛି ବୋଲି କହିଛନ୍ତି।

ଅନ୍ୟପକ୍ଷେ ଗୋଟେ ଦିନରେ ୧୦୦ ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଥିବାବେଳେ ସେହି ଅନୁପାତରେ ଜନସଂଖ୍ୟା ବହୁତ ଅଧିକ ରହୁଛି। ଟୀକାକାରଣ ପ୍ରକ୍ରିୟା ସକାଳ ୯ ଘଟିକାରୁ ଆରମ୍ଭ ହେଉଥିବାବେଳେ ଅକାରଣରେ ଲୋକାମାନେ ସକାଳ ୫ ଟା ରୁ ଆସି ଭିଡ଼ ଜମାଉଛନ୍ତି ଯାହାଦ୍ୱାରା ଭିଡ଼ ବଢୁଛି। ଯେଉଁମାନେ ଅନଲାଇନ ପଞ୍ଜିକରଣ କରୁଛନ୍ତି ସେମାନଙ୍କୁ ନିର୍ଦ୍ଧିଷ୍ଟ ସମୟର ସ୍ଲଟ ଅନୁଯାୟୀ ମେଡ଼ିକାଲକୁ ଆସିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ ଘଟୁଛି।

ଆଜିର ଭିଡକୁ ଦୃଷ୍ଟିରେ ରଖି ବାଣପୁର ପୋଲିସ ଏବଂ ମେଡ଼ିକାଲ କର୍ତ୍ତୃପକ୍ଷ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ରହି ଟୀକାକାରଣ ପ୍ରକ୍ରିୟା ଚାଲୁ ରଖିଛନ୍ତି। ତେବେ ଟୀକାକରଣ ପ୍ରକ୍ରିୟାକୁ ଶୀଘ୍ର କରିବା ଏବଂ ଭିଡ଼ କମାଇବା ନିମନ୍ତେ ଆଜିଠାରୁ ବାଣପୁରରେ ଚାରି ଗୋଟି ସ୍ଥାନରେ ଏକକାଳୀନ ଭାବେ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଜିଠାରୁ ସୁନାଖଳା, ଗମ୍ଭାରୀମୁଣ୍ଡା, ନୀଳାଦ୍ରିପ୍ରସାଦ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଲୋକେ ଟୀକା ନେଇପାରିବେ। ବରିଷ୍ଠ ନାଗରିକମାନେ ନିଜର ନିକଟସ୍ଥ ଟୀକା କେନ୍ଦ୍ରକୁ ଯାଇ ଟୀକା ନେବାକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ଅନୁରୋଧ କରିଛନ୍ତି।

ସେହିପରି ଭାବେ ସମସ୍ତ ଚାରି ଗୋଟି କେନ୍ଦ୍ରରେ ଯେପରି ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ ସମୟରେ କୌଣସି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ତହସିଲରେ ଅଭାବନୀୟ ଘଟଣା: ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଲେ ବରିଷ୍ଠ ନାଗରିକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ପ୍ରକାଶ କରିଛନ୍ତି।

କରଜ ଦେଇଥିବା ଲୋକେ ତାଙ୍କ ଘରକୁ ଆସି ଟଙ୍କା ମାଗୁଥିବାରୁ ସେ ବ୍ୟସ୍ତ ହୋଇପଡିଛନ୍ତି। ତହସିଲଦାରଙ୍କ ନିକଟରେ ଏନେଇ ଆନନ୍ଦ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେଥିପାଇଁ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ କ୍ଷୋଭର ସହ କହିଛନ୍ତି।

ତେବେ ଗଣମାଧ୍ୟମଙ୍କ ପ୍ରତିନିଧିଙ୍କୁ ଦେଖି ତହସିଲଦାର ଯୁଗଳ କିଶୋର ମିଶ୍ର ତତ୍ପରତା ଦେଖାଇଛନ୍ତି। ଶ୍ରୀ ମିଶ୍ର ଆନନ୍ଦଙ୍କୁ ନିଜ ପ୍ରକୋଷ୍ଠକୁ ନେଇ ଏବବାଦରେ ବୁଝାସୁଝା କରିଥିବା ଦେଖିବାକୁ ମିଳିଛି। ହେଲେ ଏହି ଘଟଣାର ଖୁବ୍ ଶିଘ୍ର ସମାଧାନ ହେଵ ବୋଲି ତହସିଲଦାର ଶ୍ରୀ ମିଶ୍ର ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩୮୮୦ ବରିଷ୍ଠ ନାଗରିକ ଓ ରୁଗଣ ବ୍ୟକ୍ତିଙ୍କୁ କୋଭିଡ଼୍ ଟୀକାକରଣ

ଗଞ୍ଜାମ: ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ହଜାର ୮୮୦ ଜଣ ବରିଷ୍ଠ ନାଗରିକ ଓ ରୁଗଣ ବ୍ୟକ୍ତିଙ୍କୁ କୋଭିଡ଼୍ ଟୀକାକରଣ କରାଯାଇଛି। ପ୍ରଥମ ଦିନରେ ୨୨୩୩ ଜଣ କୋଭିଡ଼୍ ଟୀକା ନେଇଥିଲେ। ପୁଣି ଦ୍ୱିତୀୟ ଦିନରେ ୩୮୮୦ ଜଣଙ୍କ ମଧ୍ୟରୁ ୩୮୭୦ ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ୬୩ ଜଣ ରୋଗାଗ୍ରସ୍ତ ରହିଥିବା ସୂଚନା ମିଳିଛି।

ଜିଲ୍ଲାର ମୋଟ୍ ୩୨ ଟି ସ୍ଥାନରେ ଟୀକାକରଣ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ୬ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ଦିଆଯାଉଛି। ସହରର ଆସିକା ରୋଡ଼, ବୈକୁଣ୍ଠ ନଗର, ରେଡ଼କ୍ରସ, ଗୁଡ଼ସେଡ୍ ରୋଡ଼, ଖୋଡ଼ାସିଙ୍ଗି ଏବଂ ଆମ୍ବପୁଆ ସ୍ଥିତ ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ୍ ୯୮୬ ଜଣ ଟୀକା ନେଇଛନ୍ତି। ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ମୋଟ୍ ଟୀକା ଗ୍ରହଣକାରୀଙ୍କ ସଂଖ୍ୟା ୬୦୫୩ ରେ ପହଂଚି ଥିବା ବେଳେ ଏଥିରେ ବ୍ରହ୍ମପୁର ସହରରେ ୧୨୨୬ ଜଣ ରହିଛନ୍ତି।

ଦ୍ୱିତୀୟ ଦିନରେ ବାଲିସିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୧୨ ଜଣ, ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୦ ଜଣ, ବେଲଗୁଣ୍ଠାରେ ୨୦୬, ବେଗୁନିଆପଡ଼ାରେ ୨୮୧ ଜଣ, ଭଞ୍ଜନଗର ବ୍ଲକରେ ୭୬ ଜଣ, ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬୧, ବୁଗୁଡ଼ାରେ ୨୫୬, ଛତ୍ରପୁର ବ୍ଲକରେ ୧୩୪, ଛତ୍ରପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୨ ଜଣ, ଚିକିଟିରେ ୧୭୨, ଧରାକୋଟରେ ୧୩୪, ଦିଗପହଣ୍ଡିରେ ୨୯୧ ଜଣ, ଗଞ୍ଜାମରେ ୧୫୧, ହିଞ୍ଜିଳିକାଟୁରେ ୧୮୯ ଜଣ, ଜଗନ୍ନାଥପ୍ରସାଦ ବ୍ଲକରେ ୧୯୭, କବିସୂର୍ଯ୍ୟନଗର ବ୍ଲକରେ ୧୪୪ ଜଣ, ଖଲ୍ଲିକୋଟରେ ୨୨୨, କୁକୁଡ଼ାଖଣ୍ଡିରେ ୩୭୩, ପାତ୍ରପୁରରେ ୧୨୧, ପୋଲସରାରେ ୭୮, ପୁରୁଷୋତମପୁରରେ ୪୦୯, ରଙ୍ଗେଇଲୁଣ୍ଡାରେ ୧୮୬, ସାନଖେମୁଣ୍ଡିରେ ୨୨୬, ଶେରଗଡ଼ରେ ୨୨୪ ଏବଂ ସୋରଡ଼ା ବ୍ଲକରେ ୨୪୨ ଜଣ ବରିଷ୍ଠ ନାଗରିକ ଏବଂ ଜଟିଳ ରୋଗାଗ୍ରସ୍ତ ବ୍ୟକ୍ତି ମାନେ କୋଭିଡ଼୍ ଟକା ନେଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଟିକାକରଣ

ରମେଶ ମହାନ୍ତି 
ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବର୍ହିଃବିଭାଗ ଠାରେ ବରିଷ୍ଠ ନାଗରିକ ମାନଙ୍କର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୧.୧.୨୦୨୨ ସୁଦ୍ଧା ୬୦ ବର୍ଷ କିମ୍ବା ୬୦ବର୍ଷରୁ ଉର୍ଦ୍ଧ୍ଵ ସେମାନଙ୍କୁ ସହରାଞ୍ଚଳ ଆଶା ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟୀକା ପ୍ରଦାନ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂହପୁର ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିରିଡ଼ି ଠାରେ ମାର୍ଚ୍ଚ ୧ ଓ ୨ ତାରିଖରେ ଟୀକାକରଣ କରାଯିବ।

ସୋମବାର ଦିନ (ଗତକାଲି)ପ୍ରଥମ ଦିବସରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଠାରେ ୬୯ଜଣଙ୍କୁ ଓ ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮୬ଜଣଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କରାଯାଇଛି।

ଉକ୍ତ ଜିଲ୍ଲା ସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରମୋଦ କୁମାର ବାରିକ, ଡଃ କ୍ଷେତ୍ରବାସୀ ଦାଶ, ଡି.ପି.ଏମ୍ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଡି.ଭି.ଏଲ୍.ଏମ୍ ପାର୍ଥ ସାରଥି କରଶର୍ମା, ଭ୍ୟାକ୍ସିନେଟର ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଦିପ୍ତିମୟୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୮ରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଟିକା: ଡିପିଆରଓ

ଖୋର୍ଦ୍ଧା: ବରିଷ୍ଠ ନାଗରିକମାନଙ୍କର କରୋନା ଟିକାକରଣ ଆଜିଠାରୁ ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଶୁଭାରମ୍ଭ କରିଛନ୍ତି। ଆଜି ଜିଲ୍ଲା ଚିକିତ୍ସାଳୟରେ ୬୦ ଜଣଙ୍କୁ ଟିକା ଦିଆଯାଇଛି।

ତେବେ ଆସନ୍ତା ୮ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କୁ କରୋନା ଟିକା ଦିଆଯିବ। ଏହାବ୍ୟତୀତ ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ରୋଗାକ୍ରାନ୍ତ ଅଛନ୍ତି, ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇ ନାମ ପଞ୍ଜୀକରଣ କରିବା ସହ ଟିକା ନେଇପାରିବେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ବିଶ୍ଵାଳ ଏନେଇ ସୂଚନା ଦେଇଛନ୍ତି।

ଆଜିର ଟିକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ସ୍ୱାସ୍ଥ୍ୟ ଅଧିକାରୀ ଡା. ଜୀବନ୍ତ କୁମାର ଆଚାର୍ଯ୍ୟ, ଡା. ପ୍ରଶାନ୍ତ କୁମାର ଦାଶ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଜଟଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଛି। ଏହା ସହିତ ରୋଗାଗ୍ରସ୍ତ ଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କରୋନା ସଂକ୍ରମିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବରିଷ୍ଠ ନାଗରିକ(୮୦ ବର୍ଷରୁ ଉର୍ଦ୍ଧ୍ୱ), ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଓ ସଂକ୍ରମଣ ସନ୍ଦେହରେ ଥିବା (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଥିବା) ଭୋଟଦାତା ଯେଉଁମାନଙ୍କର ଭୋଟର ତାଲିକାରେ ନାମଥିବ ସେମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ନିର୍ଭୟରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ।

ଏହି ପରିପ୍ରେକ୍ଷୀରେ ପ୍ରତି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପରୋକ୍ତ ବର୍ଗର ମତଦାତା ମାନଙ୍କୁ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ସହମତି ଗ୍ରହଣ କରିବେ। ଥରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ସହମତି ପ୍ରଦାନ କରିସାରିଥିଲେ ଭୋଟଦାତା ଆଉ ବୁଥକୁ ଯାଇ ମତଦାନ କରିପାରିବେ ନାହିଁ। ଉପରୋକ୍ତ ବର୍ଗର ମତଦାତା ମାନେ ସେମାନଙ୍କର ଘରେ ରହି ସୁରକ୍ଷିତ ଭାବରେ ମତଦାନ କରିପାରିବେ।

ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଚଳିତ ଉପନିର୍ବାଚନରେ କୋଭିଡ୍-୧୯ ର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ମଧ୍ୟ ସାନିଟାଇଜେସନ୍, ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।