ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଜାରୀ କଲେ ଏକକ ଟୋଲ ଫ୍ରି ହେଲ୍ପ ଲାଇନ

Published: Sep 28, 2021, 10:54 pm IST

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସ୍କମାନଙ୍କ ସହାୟତା ପାଇଁ ଦେଶର ପ୍ରଥମ ସର୍ବଭାରତୀୟ ହେଲ୍ପ ଲାଇନ ନମ୍ବର: ଏଲ୍ଡର ଲାଇନ (ନିଃଶୁଳ୍କ ନଂ – ୧୪୫୬୭)ର ଶୁଭାରମ୍ଭ କରାଯାଇଛି।

ଏହି ହେଲ୍ପ ଲାଇନ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ପେନସନ, ଆଇନଗତ ପ୍ରସଙ୍ଗରେ ମାର୍ଗଦର୍ଶନ ଦିଆଯିବା ସହିତ ସେମାନଙ୍କୁ ଭାବଗତ ସମର୍ଥନ ମଧ୍ୟ ଯୋଗାଇ ଦିଆଯିବ। ଉତ୍ପୀଡ଼ନର ଶିକାର ହେଉଥିବା ବରିଷ୍ଠ ନାଗରିକଙ୍କ ମାମଲାରେ ହସ୍ତକ୍ଷେପ କରିବା ସହ ବାସହୀନ ବୟସ୍କମାନଙ୍କୁ ମଧ୍ୟ ଉଦ୍ଧାର କରିବା କ୍ଷେତ୍ରରେ ଏହା ସହାୟକ ହୋଇପାରିବ।

ସାରା ଦେଶରେ ଏହି ଗୋଟିଏ ମଞ୍ଚ ଜରିଆରେ ବୟସ୍କ ନାଗରିକମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ ଏବଂ ଅଭିଯୋଗ କରିପାରିବେ। ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସୂଚନା ଏବଂ ପରାମର୍ଶ ହେଲ୍ପଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ୨୦୫୦ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରେ ବୟସ୍କ ନାଗରିକମାନଙ୍କ ସଂଖ୍ୟା ୩୦୦ ନିୟୁତରୁ ଅଧିକ ଅର୍ଥାତ୍ ୨୦ ପ୍ରତିଶତ ପାଖାପାଖି ପହଞ୍ଚିଯିବ।

ଦେଶର ସାମଗ୍ରିକ ଆର୍ଥିକ ଏବଂ ସାମାଜିକ ଅଭିବୃଦ୍ଧିରେ ବରିଷ୍ଠ ନାଗରିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଏପରି ଏକ ମହତ୍ବପୂର୍ଣ୍ଣ ହେଲ୍ପଲାଇନର ଶୁଭାରମ୍ଭ କରାଯାଇଛି। ଦେଶର ପ୍ରମୁଖ ଦାତବ୍ୟ ସଂସ୍ଥା ଟାଟା ଟ୍ରଷ୍ଟ, ଏନଏସଇ ଫାଉଣ୍ଡେସନ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ହେଲ୍ପଲାଇନର ଶୁଭାରମ୍ଭ କରାଯାଇଛି।

Related posts