ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡ଼ିଜିପିଙ୍କ ନିକଟରୁ ପଦକ ପାଇଲେ ବାଲୁଗାଁ ଏସଡିପିଓ

Published: Apr 1, 2023, 4:52 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୋଲିସ ସେବା କ୍ଷେତ୍ରରେ ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ୮୮ ତମ ଓଡ଼ିଶା ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୧୧୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡ଼ିଜିପି ସୁନୀଲ ବଂଶଲ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ଡ଼ିଏସପି ମାନସ ରଞ୍ଜନ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଦୁଇ ବର୍ଷ ଧରି ସଫଳତାର ସହ ବାଲୁଗାଁ ଏସଡିପିଓ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

ବାଲୁଗାଁ ଉପଖଣ୍ଡ ରାଜନୈତିକ ଦୃଷ୍ଟିକୋଣରୁ ଅତି ସମ୍ବେଦନଶିଳ ଅଞ୍ଚଳ ହୋଇଥିବା ବେଳେ ନିଜର କାର୍ଯ୍ୟଦକ୍ଷତା ଲାଗି ସେଠାରେ ସବୁ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀ ବାରିକ। ବର୍ତ୍ତମାନ ତାଙ୍କର ବଦଳି ତାଳଚେର ଏସଡିପିଓ ଭାବେ ହୋଇଥିବାବେଳେ ଶ୍ରୀ ବାରିକ ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ବାଲୁଗାଁ ଉପଖଣ୍ଡ ବାସୀଙ୍କୁ ପ୍ରଦାନ କରିଛନ୍ତି।

Related posts