ରାମେଶ୍ୱର ଛକରୁ ଗୋମାଂସ ସନ୍ଦେହରେ ଗାଡିକୁ ଘେରିଲେ ଜନତା, ବାଲୁଗାଁ ଏସଡିପିଓଙ୍କ ତଦନ୍ତ ନିର୍ଦ୍ଦେଶ

Published: Nov 14, 2021, 12:26 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଆଜି ସକାଳେ ଏକ ମାଂସ ବୋଝେଇ କଣ୍ଟେନର ଜବତ କରିଛି ନିରାକାରପୁର ପୋଲିସ। ଉକ୍ତ କଣ୍ଟେନରରେ ୫ ଟନ ମାଂସ ଥିବା ଅନୁମାନ କରାଯାଉଛି।

ସୂଚନା ମୁତାବକ ଆଜି ସକାଳେ ରାମେଶ୍ୱର ଛକରେ ଉକ୍ତ ମାଂସ ବୋଝେଇ ଟ୍ରକକୁ ଘେରାଉ କରି ଅଟକ ରଖିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉକ୍ତ କଣ୍ଟେନରକୁ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛନ୍ତି।

ଅଟକ ତିନିଜଣ ଅଭିଯୁକ୍ତ ହେଲେ ସଂଜ ରାଠୋର, ମିଆଁଲାଲ ପିଣ୍ଡାରୀ, ଚନ୍ଦୁ ଲତାଫ୍। ତେବେ ଗୁଜବ ହେଉଛି ଯେ, ଖୋର୍ଦ୍ଧାରୁ ହାଇଦ୍ରାବାଦକୁ ଉକ୍ତ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବାବେଳେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଏହାକୁ ପିଛା କରିବା ସହ ରାମେଶ୍ୱର ଛକରେ ଅଟକାଇଥିଲେ।

ଏ ନେଇ ବାଲୁଗାଁ ଏସଡିପିଓଙ୍କୁ ପଚାରିବାରୁ ଏଯାବତ କେଉଁ ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଉକ୍ତ ମାଂସ କଣ୍ଟେନରକୁ ଅଟକାଇଛନ୍ତି ତାହା ଜଣାପଡିନାହିଁ। ଏହାସହିତ ଏହି କଣ୍ଟେନରକୁ କେଉଁ ସଂଗଠନ  ପକ୍ଷରୁ ଅଟକାଯାଇଛି, ତାହା ଦାବି କରାଯାଇନାହିଁ କିମ୍ବା ଏତଲା ମଧ୍ୟ ଦିଆଯାଇନାହିଁ। ପୋଲିସ ବର୍ତ୍ତମାନ ନିଜଆଡୁ ତଦନ୍ତ ଜାରିରଖିଛି ଏବଂ ଉକ୍ତ କଣ୍ଟେନରରେ କେଉଁ ମାଂସ ଅଛି ଏବଂ କେତେ ପରିମାଣରେ ଅଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ବାଲୁଗାଁ ଏସଡିପିଓ କହିଛନ୍ତି।

Related posts