ନିରାକାରପୁର ପର୍ଯ୍ୟନ୍ତ ବ୍ୟାପିଲା ବ୍ରାଉନ ସୁଗାର କାରବାର: ଦୁଇ ଗିରଫ, ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ

Published: Nov 28, 2021, 7:46 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟତଃ ସବୁ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବ୍ୟାପିଥିବାବେଳେ ଏଥିରୁ ବାଦ ପଡିନି ନିରାକାରପୁର ଅଞ୍ଚଳ। ଆଜି ନିରାକାରପୁର ପୋଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ନିରାକାରପୁର ଥାନା ଅନ୍ତର୍ଗତ ବଡ଼ଙ୍ଗରା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲେ ଆଇଆଇସି ଗୀତାଞ୍ଜଳି ନାୟକ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।  ଚଢ଼ାଉ ସମୟରେ ଦୁଇ ଜଣ ଯୁବକ ଉକ୍ତ ଅଞ୍ଚଳରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସି ନେବାରୁ ଉଭୟଙ୍କ ନିକଟରୁ ୨୧.୨୦୦ ଗ୍ରାମ ବ୍ରାଉନ ସୁଗାର ପାଇଥିଲା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସେହିପରି ଭାବେ ସେମାନଙ୍କ ନିକଟରୁ ଗୋଟେ ହିରୋ ଗ୍ଲାମର ମଟରସାଇକେଲ, ଆଉ ନକଦ ୫୦୦୦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ବଟକୃଷ୍ଣ ମାର୍ଥା ଏବଂ ଟାଙ୍କୋଳ ଗ୍ରାମର ଦିଲ୍ଲୀପ ପ୍ରଧାନ। ଉଭୟଙ୍କ ବିରୋଧରେ ନିରାକାରପୁର ଥାନାରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ୧୯୨/୨୧ ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Related posts