Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବ୍ରାଉନ ସୁଗାର ବେପାର, ଚାରି ନିଶା ବେପାରୀ ଗିରଫ

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ହୁ ହୁ ହୋଇ ବଢୁଥିବା ବେଳେ ପ୍ରତିଦିନ ପୋଲିସ ଏବଂ ଅବକାରୀ ଚଢ଼ାଉ ଜାରି ରଖିଛି । ତେବେ ଆଜି ଗୋଟାଏ ଦିନରେ ବାଘମାରି, ଜଙ୍କିଆ ଏବଂ ଟାଉନ ଥାନା ଅଞ୍ଚଳରୁ ୩ ଗୋଟି ବ୍ରାଉନ ସୁଗାର କେସ ଠାବ କରିଛି ପୋଲିସ ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଙ୍କ ତତ୍ୱାବଧାନ ଉକ୍ତ ୩ ଥାନା ଅଞ୍ଚଳରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୪ ଜଣ ନିଶା ବେପାରି ଗିରଫ ହୋଇଛନ୍ତି । ବାଘମାରି ଥାନା ଅଟ୍ରି ପଡିଆ ନିକଟରୁ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଅଭିଯୁକ୍ତ କାହ୍ନା ନାୟକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୩.୦୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।

ସେହିପରି ଭାବେ ଜଙ୍କିଆ ଥାନା ଛଣଗିରି ଖେଳପଡିଆ ନିକଟସ୍ଥ ଏକ ବିଶ୍ରାମଗୃହ ରୁ ଆଇଆଇସି ଅନିତା ସାହୁ ଅଭିଯୁକ୍ତ ବବଲୁ ନାୟକ(୨୨) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧.୯୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ସେହିପରି ଭାବେ ଟାଉନ ଥାନା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ ନିକଟରୁ ଆଇଆଇସି ତାରିକ ଅହମଦ ଦୁଇ ଅଭିଯୁକ୍ତ ସଞ୍ଜୟ କୁମାର ସାହୁ (୨୭) ଏବଂ ରବୀନ୍ଦ୍ର ବେହେରା(୨୦) ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।

ତେବେ ସମସ୍ତ ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୭ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସମସ୍ତ ଚାରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ: ଦୁଇ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏଠାରୁ ବିଭିନ୍ନ ଜିଲ୍ଲାକୁ ଧଳା ଜହର ଯାଉଥିବାର ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାର ୨ ଜଣ ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଫେରୁଥିବା ବେଳେ ଅବକାରୀ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତ କାଲି ରାତିରେ ଏକ ନିର୍ଦ୍ଦିଷ୍ଟ ଅଟୋରେ ବ୍ରାଉନ ସୁଗାର ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପରିଶେଷରେ ନୂଆ ବସ ଷ୍ଟାଣ୍ଡ ନିକଟରୁ ଅଟୋକୁ ଠାବ କରିବା ସହ ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ତଲାସି ନେଇଥିଲା। ତଲାସି ବେଳେ ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଅଟୋକୁ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୯୦ ହଜାର ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଟୋ ଚାଳକ ଏନ. ମୋହନ ରେଡ୍ଡୀ (୪୪) ଏବଂ ରାକେଶ ନାୟକ (୩୫)। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୬୩/୨୨-୨୩ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଖୋର୍ଦ୍ଧାରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଯୁବତୀଙ୍କ ସମେତ ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ରଜ ପରିପ୍ରେକ୍ଷୀରେ ଯେଉଁଠି ସାଧାରଣ ଜନତା ଘରେ ରହି ଏହାକୁ ପାଳନ କରୁଛନ୍ତି। ଅନ୍ୟ ପକ୍ଷରେ ବ୍ରାଉନ ସୁଗାର ବେପାରିଙ୍କ ପାଇଁ ସତେ ଯେମିତି ଏହା ଏକ ମଉକା ଧଳା ଜହର ବିକ୍ରି କରିବାର। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗୁରୁଜଙ୍ଗ ଗ୍ରାମ ନନ୍ଦ ସାହିରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।

ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୨୧ ଗ୍ରାମ ବ୍ରାଉନ ସୁଗାର, ନକଦ ୨୫ ହଜାର ୫୨୦ ଟଙ୍କା ଓ ଏକ ସ୍କୁଟି ଜବତ କରିବା ସହ ଅଭିଯୁକ୍ତ ଦ୍ବୟ ନୃସିଂହ ସିଂହ (୨୫) ଏବଂ ଆକାଂକ୍ଷା ଓରଫ ଲିପ୍ସା ମହାପାତ୍ର (୨୦) ଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଖ)/୨୯ ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୨୮୩/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ପଦ୍ମଲୋଚନ ବେହେରା ଏବଂ ଅନ୍ୟ ପୋଲିସ କର୍ମୀ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର କର୍ମଚାରୀମାନେ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର ପର୍ଯ୍ୟନ୍ତ ବ୍ୟାପିଲା ବ୍ରାଉନ ସୁଗାର କାରବାର: ଦୁଇ ଗିରଫ, ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟତଃ ସବୁ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବ୍ୟାପିଥିବାବେଳେ ଏଥିରୁ ବାଦ ପଡିନି ନିରାକାରପୁର ଅଞ୍ଚଳ। ଆଜି ନିରାକାରପୁର ପୋଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ନିରାକାରପୁର ଥାନା ଅନ୍ତର୍ଗତ ବଡ଼ଙ୍ଗରା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲେ ଆଇଆଇସି ଗୀତାଞ୍ଜଳି ନାୟକ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।  ଚଢ଼ାଉ ସମୟରେ ଦୁଇ ଜଣ ଯୁବକ ଉକ୍ତ ଅଞ୍ଚଳରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସି ନେବାରୁ ଉଭୟଙ୍କ ନିକଟରୁ ୨୧.୨୦୦ ଗ୍ରାମ ବ୍ରାଉନ ସୁଗାର ପାଇଥିଲା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସେହିପରି ଭାବେ ସେମାନଙ୍କ ନିକଟରୁ ଗୋଟେ ହିରୋ ଗ୍ଲାମର ମଟରସାଇକେଲ, ଆଉ ନକଦ ୫୦୦୦ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜଙ୍କିଆ ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ବଟକୃଷ୍ଣ ମାର୍ଥା ଏବଂ ଟାଙ୍କୋଳ ଗ୍ରାମର ଦିଲ୍ଲୀପ ପ୍ରଧାନ। ଉଭୟଙ୍କ ବିରୋଧରେ ନିରାକାରପୁର ଥାନାରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ୧୯୨/୨୧ ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।