ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ: ଦୁଇ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

Published: Sep 4, 2022, 1:38 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏଠାରୁ ବିଭିନ୍ନ ଜିଲ୍ଲାକୁ ଧଳା ଜହର ଯାଉଥିବାର ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାର ୨ ଜଣ ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଫେରୁଥିବା ବେଳେ ଅବକାରୀ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତ କାଲି ରାତିରେ ଏକ ନିର୍ଦ୍ଦିଷ୍ଟ ଅଟୋରେ ବ୍ରାଉନ ସୁଗାର ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲା। ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପରିଶେଷରେ ନୂଆ ବସ ଷ୍ଟାଣ୍ଡ ନିକଟରୁ ଅଟୋକୁ ଠାବ କରିବା ସହ ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ତଲାସି ନେଇଥିଲା। ତଲାସି ବେଳେ ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଅଟୋକୁ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ ଲକ୍ଷ ୯୦ ହଜାର ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଟୋ ଚାଳକ ଏନ. ମୋହନ ରେଡ୍ଡୀ (୪୪) ଏବଂ ରାକେଶ ନାୟକ (୩୫)। ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୬୩/୨୨-୨୩ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ, ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Related posts