ଖୋର୍ଦ୍ଧା: ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

Published: Jan 13, 2022, 9:21 am IST

ଖୋର୍ଦ୍ଧା: ଗତକାଲି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏକାଧିକ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଏବଂ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକଙ୍କ ମିଳିତ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡ ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୪.୧୦୦ କେଜି ଗଞ୍ଜେଇ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ସୁରଜ ମଣ୍ଡଳ ଏବଂ ସିମନ୍ତ ମଣ୍ଡଳ। ସେହିପରି ଭାବେ ଜଟଣୀ ଅବକାରୀ ବିଭାଗ ଯାଆଁଳା ରୁ ୪ କେଜି ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲାର ଯଶୋଦା ଦିଗଲ ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ଅନୁରୂପ ଭାବେ ଟାଙ୍ଗୀ ଅବକାରୀ ବିଭାଗ ରାମେଶ୍ୱର ଛକରୁ ୮ କେଜି ଗଞ୍ଜେଇ ସମେତ କନ୍ଧମାଳ ଜିଲ୍ଲାର ରସିକ ଦିଗଲ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମୁଦାୟ ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି।

Related posts