ଚାନ୍ଦପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୁରୀରୁ ନାଚୁଣୀ ଫେରୁଥିଲେ ଯାତ୍ରୀ, ୫ ଗୁରୁତର

Published: Jan 2, 2023, 5:40 pm IST

ଚାନ୍ଦପୁର: ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବାର ଖବର ହସ୍ତଗତ ହୋଇଛି।  ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଓଡି ୧୩ ଜି ୨୨୮୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋଟି ପୁରୀରୁ ନାଚୁଣୀ ନିକଟସ୍ଥ କହ୍ନେଇପୁୁର ଗ୍ରାମକୁ ଫେରୁଥିବାବେଳେ ଉକ୍ତ ଦୁର୍ଘଟଣା ଘଟିଥିଲା। କୌଣସି କାରଣବଶତଃ ଡ୍ରାଇଭର ଅଟୋ ରିକ୍ସା ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ରାସ୍ତାର ଡିଭାଇଡର ସହ ପିଟି ହୋଇ ଯାଇଥିଲା। ଫଳରେ ଅଟୋଟି ଓଭରବ୍ରିଜ୍ ଉପରୁ ତଳକୁ ଖସି ପଡିବାରୁ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଆହତମାନେ ହେଲେ କହ୍ନେଇପୁର ଗ୍ରାମର ମୀନା ମୁଦୁଲି (୫୦), ଉମାକାନ୍ତ ମୁଦୁଲି (୫୩), ପ୍ରକାଶ ଚନ୍ଦ୍ର ମୁଦୁଲି (୩୬), ରିନା ମୁଦୁଲି (୨୪) ଏବଂ ଅଖିଳେଶ ମୁଦୁଲି (୭)।

ସମସ୍ତ ଗୁରୁତର ଆହତଙ୍କୁ ଚାନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Related posts