Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀରେ କେରଳ ପର୍ଯ୍ୟଟକଙ୍କ ଠାରୁ ଲୁଟ୍: ଦେଢ ବର୍ଷ ପରେ ଅଭିଯୁକ୍ତ ଠାରୁ ଟଙ୍କା ଜବତ କଲା ପୋଲିସ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ଏହା ଏକ ପବିତ୍ର ସ୍ଥାନ। ଚାରି ଧାମ ମଧ୍ୟରେ ଜଗନ୍ନାଥ ଧାମ ଅନ୍ୟତମ। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି।

ସମଗ୍ର ବିଶ୍ଵରେ ପୁରୀ ଏକ ପ୍ରସିଦ୍ଧ ସ୍ଥାନ। କିନ୍ତୁ କିଛି ଅସମାଜିକ ଯୁବକମାନଙ୍କ ଯୋଗୁଁ ଏହି ସ୍ଥାନ ବଦନାମ ହେଉଥିବା ଦେଖିବାକୁ ମିଳିଛି। ବିଦେଶ କିମ୍ବା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବେଳେବେଳେ ସେଠାରେ ଲୁଟ୍ ର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ପ୍ରାୟ ଦେଢ ବର୍ଷ ତଳେ ଘଟିଥିଲା।

କେରଳର ଶ୍ରୀଜୀଥ ଆର ପଳାଇ ନାମକ ଜଣେ ଯୁବକ ପୁରୀ ବୁଲିବାକୁ ଆସି ଦେଢ ବର୍ଷ ତଳେ ଠକାମିର ଶିକାର ହୋଇଥିଲେ। ସେ ଜଣେ ଠକ ହାବୁଡରେ ପଡି ୪୫ ହଜାର ଟଙ୍କା ହରାଇଥିଲେ। ବାଲେଶ୍ବର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ହରିହର ପଣ୍ଡା ନାମକ ବ୍ୟକ୍ତି ଶ୍ରୀଜୀଥଙ୍କୁ ଠକି ୪୫ ହଜାର ଟଙ୍କା ଲୁଟିନେଇଥିଲେ। ଅଭିଯୁକ୍ତ ହରିହର କେରଳର ଏହି ପର୍ଯ୍ୟଟକଙ୍କୁ ଜଣେ ହୋଟେଲର ମ୍ୟାନେଜର କହି ଉକ୍ତ ରାଶି ବୁକିଙ୍ଗ ନିମନ୍ତେ କହି ଠକି ନେଇଥିଲା। ଯେତେବେଳେ ସେ ଏକଥା ଜାଣିଲେ, ତୁରନ୍ତ ପୁରୀ ଥାନାରେ ଏନେଇ ଅଭିଯୋଗ କରିବାରୁ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତେବେ ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ ଅଭିଯୁକ୍ତଙ୍କୁ ଧରିବା ସହ ତା’ ଠାରୁ ୪୫ ହଜାର ଟଙ୍କା ଜବତ କରିଥିଲେ। ଏବଂ ଉକ୍ତ ଜବତ ରାଶିକୁ ଫେରାଇବା ପାଇଁ ଶ୍ରୀ ପ୍ରଧାନ ଖବର ଦେଇଥିଲେ।

କିନ୍ତୁ କେରଳ ରାଜ୍ୟରୁ ସେହି ସମୟରେ ସେ ଆସିପାରିନଥିଲେ। କିନ୍ତୁ ସେ ଶୁକ୍ରବାର ଦିନ ଆସି ନିଜର ଅର୍ଥ ରାଶିକୁ ଥାନା ଅଧିକାରୀଙ୍କ ଠାରୁ ଗ୍ରହଣ କରିଥିଲେ। ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ପୁରୀ ପୋଲିସକୁ ଧନ୍ୟବାଦ ଜଣାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଲୁଟ ଘଟଣା: ଅଭିଯୁକ୍ତ କାର ଡ୍ରାଇଭରକୁ ବାନ୍ଧିଲା ପୋଲିସ

ପୁରୀ: ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା ମିଳିଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୁଦୂର ନେଦରଲାଣ୍ଡରୁ ଅନ୍ଥୋନି ଭାନ୍ ଅର୍କେଲ୍ ନାମକ ଜଣେ ୭୧ ବର୍ଷୀୟ ପର୍ଯ୍ୟଟକ ପୁରୀ ଭ୍ରମଣ ପାଇଁ ଆସିଥିଲେ। ଗତ ୧୦ ତାରିଖରେ ଭ୍ରମଣ ସମୟରେ ସେ ଜଣେ କାର ଡ୍ରାଇଭରଙ୍କ ଠାରୁ ଲୁଟରେ ଶିକାର ହୋଇଥିଲେ। କାର ଡ୍ରାଇଭରଜଣଙ୍କ ବିଦେଶୀ ପର୍ଯ୍ୟଟକ ଅନ୍ଥୋନିଙ୍କ ନିକଟରୁ ୩ ଲକ୍ଷ ୫୦ହଜାର ଟଙ୍କା, ୪୨୦୦ ୟୁରୋ ମୁଦ୍ରା, ଦାମୀ ଘଣ୍ଟା, କ୍ୟାନନ୍ କ୍ୟାମେରା, ହୀରା ମୁଦି ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଲୁଟି ନେଇଥିଲା।

ତେବେ ଏନେଇ ବିଦଶୀ ପର୍ଯ୍ୟଟକଜଣଙ୍କ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏବଂ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ପରିଚୟ ମିଳିପାରିଥିଲା। ସେ କଟକ ଜିଲ୍ଲା କାନପୁର ଥାନା କନରପୂର୍ ଗ୍ରାମର ସାଗର କୁମାର ମଲ୍ଲିକ ବୋଲି ଜଣାପଡିଥିଲା।

ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରାଯିବା ସହ ବ୍ୟବହୃତ କାର ଜବତ କରିଥିଲା। ତେବେ ଗୁରୁବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ପୁରୀରେ ଖୋଲିଲା ଓୟୋର ପ୍ରଥମ “ହୋମ୍ ଷ୍ଟେ”, ଦକ୍ଷ ମାନବ ସମ୍ବଳ ଯୋଗାଇଦେବ ଓଏସଡିଏ

ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ “ହୋମ୍ ଷ୍ଟେ” ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।

ପୁରୀ ସହରର ସାରଦା ଦେବୀ ରୋଡରେ ଓୟୋ ସୁଶିଳା ନିବାସରେ “ହୋମ୍ ଷ୍ଟେ” ସେବା ଖୋଲିଛି। ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ସୁବିଧାରେ ରହିପାରିବେ। ଆଗାମୀ ଦିନରେ ଓୟୋ ପକ୍ଷରୁ ପୁରୀ, କୋଣାର୍କ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ୫୦ଟି ହୋମ୍ ଷ୍ଟେ ସେବା ଖୋଲିବାକୁ ଯାଉଛି।

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଏସଡିଏ ଏବଂ ଓୟୋ ଭିତରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ବିଭିନ୍ନ “ହୋମ୍ ଷ୍ଟେ” ପାଇଁ ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବ।

“ପୁରୀ ହେଉଛି ଶ୍ରୀ ଜଗନ୍ନାଥଙ୍କ ଧାମ। ଏଠାରେ ପ୍ରତିଦିନ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଓଏସଡିଏ ସହଯୋଗକ୍ରମେ ଓୟୋ ପକ୍ଷରୁ ଆରମ୍ଭ ହୋଇଥିବା ଏହି ହୋମ୍ ଷ୍ଟେ ସେବା ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧାଜନକ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାର ଯୁବପିିଙ୍କ ଦକ୍ଷତା ବିକାଶ ଲାଗି ଯେଉଁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ଏହି “ହୋମ୍ ଷ୍ଟେ”ରେ ନିଯୁକ୍ତି ପାଇପାରିବେ। ଏହା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଜୀବିକାର ମାଧ୍ୟମ ହେବ”, ଏହି ଅବସରରେ କହିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା।

“ଶ୍ରୀକ୍ଷେତ୍ର ପୁରୀରେ ଶୁଭାରମ୍ଭ ହୋଇଥିବା ଓୟୋର ଏହି ହୋମ୍ ଷ୍ଟେ ସେବା ବେଶ୍ ସଫଳ ହେବ ବୋଲି ମୁଁ ଆଶା କରୁଛି। ଏହା ସମସ୍ତଙ୍କ ପାଇଁ ଲାଭଜନକ ହେବା ସହ ଓଡ଼ିଶାରେ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ଲାଗି ନିଯୁକ୍ତିର ବିଶେଷ ସମ୍ଭାବନା ହୋଇପାରିବ। ପ୍ରଥମ ହୋମ୍ ଷ୍ଟେ ଲାଗି ଆଗେଇ ଆସିଥିବା ସୁଶିଳା ନିବାସର ମାଲିକ ଓ ତାଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି”, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ଅଳକା ମିଶ୍ର।

ପର୍ଯ୍ୟଟକମାନେ ଗୋଟିଏ ନୂତନ ସ୍ଥାନକୁ ଗଲେ ସାଧାରଣତଃ ହୋଟେଲରେ ରୁମ୍ ନେଇ  ରହିଥାନ୍ତି। କିନ୍ତୁ ହୋମ୍ ଷ୍ଟେ ହେଉଛି ଏକ ଆଧୁନିକ ହୋଟେଲ ସେବା, ଯେଉଁଠି ଜଣେ ଗ୍ରାହକ କିଛିଦିନ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଘରକୁ ଭଡ଼ାରେ ନେଇ ରହିପାରିବେ। ସେଠାରେ ନିଜ ଘର ଭଳି ଆସବାବ, ରୋଷେଇ ଉପକରଣ ଏବଂ ସମସ୍ତ ପ୍ରକାର ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ ହୋଇ ରହିଥାଏ। ଆଜିର ଦିନରେ ଅନେକ ପର୍ଯ୍ୟଟକ ପରିବାରଙ୍କ ସହ ହୋଟେଲରେ ନରହି ଏଭଳି ହୋମ୍ ଷ୍ଟେ ସେବାକୁ ପସନ୍ଦ କରୁଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଓୟୋ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦ଟି ହୋମ୍ ଷ୍ଟେ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କମ୍ପାନିର ଷ୍ଟ୍ରାଟେଜିକ୍ ଆଲିଆନ୍ସ ମୁଖ୍ୟ ନିତିନ ଠାକୁର ପୁରୀଠାରେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଓୟୋର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ସୁଶିଳା ନିବାସର ମାଲିକ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ହେବ ବିଶ୍ୱ ଐତିହ୍ୟ ସହର, ୧୨୦୦ କୋଟି ଟଙ୍କାର ପ୍ରକଳ୍ପର ସୂଚନା ଦେଲେ ପାଣ୍ଡିଆନ

ଭୁବନେଶ୍ୱର : ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ ପ୍ରଦାନ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହିଛି। ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ ରହିଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ପ୍ରତି ପଞ୍ଚାଯତରେ ଆମ ବ୍ୟାଙ୍କ ସେବା ଆରମ୍ଭ ହେବ। ସବୁ ପ୍ରକାର ଭତ୍ତା ବଢାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେଵାଇ ନବୀନ କାର୍ଡର ଲାଭ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଗ୍ୟାରେଣ୍ଟି ଉନ୍ନତ ଚିକିତ୍ସା ସେବାର ସୁବିଧା ପାଇବେ ଲୋକେ। ଧନୀ ଲୋକ ଯେଉଁ ହସ୍ପିଟାଲକୁ ଯିବେ ଗରିବ ଲୋକ ବି ସେହି ହସ୍ପିଟାଲକୁ ଯିବେ। ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି ମୁଖ୍ୟମନ୍ତ୍ରୀ। ସବୁ ନିର୍ବାଚନମଣ୍ଡଳୀରେ ଶଙ୍ଖ ଛିହ୍ନ ଛଡା ଆଉ କିଛି ଚିହ୍ନ ଦେଖିବାନି। ମୁଖ୍ୟମନ୍ତ୍ରୀ ଆପଣ ସମସ୍ତଙ୍କୁ ପରିବାର ଭାବି ଦିନରାତି ଖଟୁଛନ୍ତି। ଆପଣ ମଧ୍ୟ ତାଙ୍କୁ ଆଶୀର୍ବାଦ କରିବେ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗତ ଅଗଷ୍ଟ ମାସରେ ସେ ପୁରୀ ଗସ୍ତ କରିଥିଲେ। ଏହି ୬ ମାସରେ ପୁରୀ ଜିଲ୍ଲା ପାଇଁ ୩୧୦ କୋଟି ମଂଜୁର ହୋଇଛି। ପୁରୀ ସଦର, କଣାସ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଲାଗି ୨୦ କୋଟି ମଂଜୁର ହୋଇଛି। ପିପିଲିରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି। ସେହିପରି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଲାଗି ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସିରୁଳି ମହାବୀର ମନ୍ଦିର ଲାଗି ୬ କୋଟି ୨ ଲକ୍ଷ, ନିମାପଡ଼ା ସୋମନାଥ ମନ୍ଦିର ଲାଗି ୫ କୋଟି, ଦାଣ୍ଡମୁକୁନ୍ଦପୁରର ଗୋପୀନାଥ ମନ୍ଦିର ଲାଗି ୨ କୋଟି, କୃଷ୍ଣପ୍ରସାଦର ସମଲେଶ୍ବର ମନ୍ଦିର ଲାଗି ୨ କୋଟି ୨୫ ଲକ୍ଷ ମଂଜୁର ହୋଇଛି।

ସେହିପରି ଜଟେଶ୍ବର ମନ୍ଦିର ଲାଗି ୧ କୋଟି ୪୦ ଲକ୍ଷ, ଡେଲାଙ୍ଗର ଉନ୍ନତିଲାଗି ୧ କୋଟି, ସତ୍ୟବାଦୀ ଷ୍ଟାଡିୟମ ଲାଗି ୧ କୋଟି, କଣାସ ଷ୍ଟାଡିୟମ ଲାଗି ୧ କୋଟି, କଣାସର ମଙ୍ଗଳା ମନ୍ଦିର ଲାଗି ୫୦ ଲକ୍ଷ, କଣାସ ବୈଦ୍ୟନାଥ ମନ୍ଦିର ଲାଗି ୫୦ ଲକ୍ଷ, ଡେଲାଙ୍ଗ ଦାରୁବ୍ରହ୍ମ ମଠ ଲାଗି ୧ କୋଟି, ବରାଳ ବାଲୁଙ୍କେଶ୍ବର ମନ୍ଦିର ଲାଗି ୯୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିମାପଡା ଓ କାକଟପୁର ଅଞ୍ଚଳର ପାନଚାଷୀଙ୍କ ସମସ୍ୟାର ହେବ ସମାଧାନ ହେବ। ୨୩ ହଜାର ପାନଚାଷୀ ରହିଛନ୍ତି। ପାନ ଚାଷୀଙ୍କୁ ୧ ଲକ୍ଷ ପର‌୍ୟ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ପ୍ରତି ପାନଚାଷୀ ୟୁନିଟକୁ ଅଢେଇ ହଜାର ଟଙ୍କା ପ୍ରଦାନ କରାୟିବ। ଏଥିରୁ ୪ ହଜାର ପାନଚାଷୀ ଲାଭ ପାଇବେ। କାକଟପୁରରେ ପଟ୍ଟା ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିମୁଣ୍ଡା ଓ ବେଲଦଳରେ ପଟା ପ୍ରଦାନ ଆରମ୍ଭ ହୋଇଛି। ସମସ୍ତ ଜମି ପଟ୍ଟା ସମସ୍ୟା ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଅପରାହ୍ନରେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ୫୦ରେ ହେଲିକପ୍ଟର ଯୋଗେ ଯାଇ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସେ ବ୍ୟାଟିର ଗାଡିରେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ଶ୍ରୀଜଗନ୍ନାଥବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ।

ଗତ 17 ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ କରିଥିଲେ। ଏହାପରେ ସେ ଆଜି ପୁଣି ଥରେ ଏହି ପ୍ରକଳ୍ପ ଦେଖିବା ସହିତ ଜଗନ୍ନାଥ ପ୍ରଦର୍ଶନୀ ବୁଲିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରିଛନ୍ତି।

Categories
ଆଞ୍ଚଳିକ

ଭିକେ ପାଣ୍ଡିଆନଙ୍କ ଚିଲିକା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ: ଯୋଗ ଦେଲେ ସାଂସଦ ମାନସ ମଙ୍ଗରାଜ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୧୦ ତାରିଖରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାଣପୁରର ପଲଟନ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ତଦାରଖ କରିବେ ଶ୍ରୀ ପାଣ୍ଡିଆନ। ଏନେଇ ଆଜି ମଧ୍ୟାହ୍ନରେ ନାଚୁଣୀ ସୁନାଖଳା ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଛନ୍ତି। ଉକ୍ତ ପ୍ରସ୍ତୁତି ବୈଠକରେ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ନଗରପାଳ ମିଟୁ ନାୟକ, ପ୍ରଭାସ ସୁନ୍ଦରାୟ ଓ ବିଜୁଜନତା ଦଳର ସମସ୍ତ ନେତା ଓ କର୍ମୀ ସାମିଲ ଥିଲେ।

ଏହା ସହ ଆସନ୍ତା ୧୭ ତାରିଖ ଦିନ ପୁରୀ ପରିକଳ୍ପନା ପ୍ରକଳ୍ପ ଉଦଘାଟନ ହେବ। ସେଥିଲାଗି ଆସନ୍ତା ୮ ତାରିଖ ଦିନ ପୁରୀ ପରିକ୍ରମା ପ୍ରକଳ୍ପ ରଥ କେମିତି ସମସ୍ତ ପଞ୍ଚାୟତ ର ଘରେ ଘରେ ପହଞ୍ଚିବ ଓ ଅରୁଆ ଚାଉଳ, ଗୁଆ ସଂଗ୍ରହ କରାଯିବ, ସେଥିପାଇଁ ଆମେ ସମସ୍ତେ ସହଯୋଗ କରିବା ବୋଲି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଅନୁରୋଧ କରିଥିଲେ।

ଏତଦବ୍ୟତୀତ ସଭାସ୍ଥଳ, ବ୍ୟାରିକେଡ଼, ଜନସାଧାରଣଙ୍କ ଗମନାଗମନର ସୁବିଧା, ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୂଆ ବର୍ଷରେ ପୁରୀରେ ଭକ୍ତଙ୍କୁ ମିଳିଲା ନୂଆ ଅନୁଭବ, ବ୍ୟାରିକେଟରେ ମିଳିଲା ବସିବା ବ୍ୟବସ୍ଥା

ପୁରୀ: ଆଜି ନୂଆ ବର୍ଷରେ ପୁରୀରେ ଭକ୍ତଙ୍କୁ ମିଳିଛି ନୂଆ ଅନୁଭବ। ଏତର ଜଗାକୁ ଦର୍ଶନ କରିବା ପାଇଁ ଛିଡା ହୋଇ ଅପେକ୍ଷା କରିବା ଆବଶ୍ୟକ ନାହିଁ। ବ୍ୟାରିକେଟ ଭିତରେ ବସିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଘଣ୍ଟାଘଣ୍ଟା ଧରି ଛିଡା ହୋଇ ଅପେକ୍ଷା କରିବା ଭକ୍ତଙ୍କ ପକ୍ଷରେ କଷ୍ଟଦାୟକ ହୋଇପଡୁଥିଲା। ଏପରିକି ବରିଷ୍ଠ ଭକ୍ତମାନେ ଜଗାଦର୍ଶନ ପାଇଁ ଅସହୟ ଯନ୍ତ୍ରଣା ଭୋଗୀବାକୁ ପଡୁଥିଲା।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେଠାରେ ବ୍ୟାରିକେଟ ଭିତରେ ବସି ଅପେକ୍ଷା କରିବାର ବନ୍ଦୋବସ୍ଥ କରିଛନ୍ତି। ସେତିକି ନୁହେଁ ଏହାକୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଫଳରେ ଭକ୍ତମାନେ ଏହି ଏସି ଟନେଲ ଭିତରେ ଯେତେବେଳେ ଚାହିଁବେ ଛିଡା ହୋଇ କିମ୍ବା ବସିକି ଅପେକ୍ଷା କରିପାରିବେ। ଫଳରେ ନୂଆ ବର୍ଷରେ ଜଗା ଦର୍ଶନ ଭକ୍ତମାନଙ୍କ ପାଇଁ ଏକ ସୁବିଧା ଆଣିଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସମସ୍ତଙ୍କ ଘରୁ ସଂଗ୍ରହ ହେବ ଗୁଆ ଚାଉଳ, ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ସେଥିପାଇଁ ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ବନ୍ଦୋବସ୍ତ। ଏହି ଉଦଘାଟନ ପର୍ବରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ଓଡିଶାର ପ୍ରତିଟି ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ।

ଜାନୁଆରି ୫ ତାରିଖରୁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଏହି ଗୁଆ ଚାଉଳ ସଂଗ୍ରହ କରାଯିବ। ଏଥି ସହ ଗାଁ କୁ ଗାଁ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ଚାଉଳ ଓ ଗୁଆ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ।ସେଠାରୁ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଗାଡିରେ ପୁରୀ ନିଆଯିବ।

ଏଥିସହିତ ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ସେହିପରି ପ୍ରତି ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ଏହି ଅର୍ଥକୁ ଗତକାଲି କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି।

ଉଦଘାଟନୀ ଉତ୍ସବ ସରିବା ପରେ ଅର୍ଥାତ ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ। ଏଥିପାଇଁ ସରକାର ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ।

ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ।

ସେହିପରି ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ଗାଁରେ ଏହାର ପ୍ରଚାର କରାଯିବ। ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ୍‌ ବୈଠକରେ ମଂଜୁରୀ ପ୍ରଦାନ କରାଯାଇଛି।

ଏଥିରେ ପ୍ରତି ପଞ୍ଚାୟତରେ ବୈଠକ ହେବ, ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗ ଦେବେ। ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ଏହାଦ୍ବାରା ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରସାର ହୋଇପାରିବ ବୋଲି ସରକାର ଚିନ୍ତା କରିଛନ୍ତି।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ: ପୁରୀରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା। ଉପରୋକ୍ତ ୭ଟି ଗ୍ରାମପଞ୍ଚାୟତ ସମେତ ପ୍ରସ୍ତାବ ଆସିଥିବା ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ଜିଲ୍ଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ପାଣ୍ଡିଆନଙ୍କ ଗସ୍ତ ପରେ ନବୀନଙ୍କ ନିଷ୍ପତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା। ଉପରୋକ୍ତ ୭ଟି ଗ୍ରାମପଞ୍ଚାୟତ ସମେତ ପ୍ରସ୍ତାବ ଆସିଥିବା ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ପ୍ରବଳ ଭିଡ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ପବିତ୍ର ମାସରେ ବୃଦ୍ଧାମାନେ ମାସ ସାରା ବ୍ରତ ପାଳନ କରିଥାନ୍ତି। ମୁଖ୍ୟତଃ ପୁରୀ ଯାଇ ସେଠାରେ ଏକ ମାସ ଧରି ରହି ଏହି ବ୍ରତ ପାଳନ କରିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଫଳରେ ବର୍ତ୍ତମାନ ପୁରୀରେ ହବିଷ୍ୟାଳିଙ୍କର ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି।

ଏହି ଭିଡକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ପାଇଁ ମାଗଣା ରହିବା, ଖାଇବା, ଦର୍ଶନ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା ନେବା ପାଇଁ ପୂର୍ବରୁ ପୁରୀ ପ୍ରଶାସନ ତରଫରୁ ଅନ ଲାଇନ ବୁକିଂ କରାଯାଇଥିଲା।

 

Categories
ବିଶେଷ ଖବର

‘ଆମ ଓଡିଶା ନବୀନ ଓଡିଶା’ ଯୋଜନା: ପୁରୀ ଓ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି। ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି  ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର  ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ସମୀର ରଞ୍ଜନ ଦାଶ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ। ନୟାଗଡ ଜିଲ୍ଲା କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରମେଶଚନ୍ଦ୍ର ବେହେରା ଓ ଡଃ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ଯୋଗ ଦେଇ ମତାମତ ରଖିଥିଲେ। ୫-ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।

ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ଶ୍ରୀ ଲିଙ୍ଗରାଜ  ମନ୍ଦିର  ଏକାମ୍ର  ପ୍ରକଳ୍ପ, ତାଳଦଣ୍ଡା କେନାଲ ଆଦି ପ୍ରମୁଖ ରୂପାନ୍ତର କାର୍ଯ୍ୟକ୍ରମର  ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି ୫-ଟି ସଚିବ ମତ ଦେଇଥିଲେ। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

“ସ୍ୱକଳ୍ପ” କାର୍ଯ୍ୟକ୍ରମ ଅଧୀନରେ ଅସ୍ତରଙ୍ଗ ବ୍ଳକରେ “ଉଦ୍ୟୋଗୀ ପରାମର୍ଶ ଶିବିର”

ଅସ୍ତରଙ୍ଗ/ପୁରୀ: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ “ସ୍ୱକଳ୍ପ” ଅଧୀନରେ ବିଭିନ୍ନ ସ୍ଥାନରେ “ଉଦ୍ୟୋଗୀ ପରାମର୍ଶ ଶିବିର” ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପତିଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଠାରେ ସ୍ୱକଳ୍ପ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ନେଇଥିବା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀମାନଙ୍କୁ ବିଭିନ୍ନ ପ୍ରକାରର ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ସହାୟତା ଦିଆଯାଇଥିଲା

ଏହି କାର୍ଯ୍ୟକ୍ରମରେ “ସ୍ୱକଳ୍ପ” ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ସ୍ଥାନୀୟ ଅଞ୍ଚଳର ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ସେଠାରେ ସେମାନଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ତା’ଛଡ଼ା ବ୍ୟବସାୟ ସ୍ଥାପନା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ମଧ୍ୟ ପଞ୍ଜୀକରଣ କରାଯାଇଥିଲା।

“ଉଦ୍ୟୋଗୀ ପରାମର୍ଶ ଶିବିର”ରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସହ ବଜାର ବିଶେଷଜ୍ଞ ଏବଂ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହି ଅବସରରେ ୧୬ରୁ ଅଧିକ ପ୍ରାର୍ଥୀ ନିଜ ନିଜର ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟାଙ୍କ ଅଧିକାରୀ ତାହା ଗ୍ରହଣ କରିଥିଲେ।

“ସ୍ୱକଳ୍ପ” କାର୍ଯ୍ୟକ୍ରମ ଅଧୀନରେ ସଫଳତାର ସହ ତାଲିମ ଶେଷ କରିଥିବା କେତେକ ପ୍ରାର୍ଥୀ ସେମାନଙ୍କ ସ୍ୱପ୍ନ କିପରି ସାକାର ହେଉଛି ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧନ ଅଧିକାରୀ ସଞ୍ଜିତ ମହାନ୍ତି, ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର ଜିତେନ୍ଦ୍ର ମୋହନ ସାହୁ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅସ୍ତରଙ୍ଗ ଶାଖାର ପ୍ରବନ୍ଧକ ସମୀର କୁମାର ନାୟକ, ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୟ ମିଶ୍ର, ପାଲାଡିୟମ ଇଣ୍ଡିଆର କମ୍ୟୁନିକେସନ ମ୍ୟାନେଜର ପାରୁଲ ଶର୍ମା, ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ, ପ୍ରକଳ୍ପ ସଂଯୋଜକ ରାଜକୁମାର ନାୟକ, ହମାରା ବଚପନ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟ୍ଟନାୟକ, ଓମଫେଡ୍ ପୁରୀ ଜିଲ୍ଲାର ମାର୍କେଟିଙ୍ଗ ସୁପରିଣ୍ଟେଣ୍ଡେଣ୍ଟ ଜଗଦ୍ଦୀଶ ମଲ୍ଲିକ, ୟୁକୋ ବ୍ୟାଙ୍କ ଅସ୍ତରଙ୍ଗ ଶାଖାର ବ୍ୟାଙ୍କ ମିତ୍ର ସ୍ୱୟମତାରା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା “ସ୍ୱକଳ୍ପ”ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ହମାରା ବଚପନ ଟ୍ରଷ୍ଟ “ଉଦ୍ୟୋଗୀ ପରାମର୍ଶ ଶିବିର”ର ପରିଚାଳନା କରୁଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆପଣଙ୍କ ଘରେ କିଏ ପୁରୀରେ କାର୍ତ୍ତିକ ବ୍ରତ କରିବେ କି? ଆଜିଠାରୁ କରନ୍ତୁ ବୁକିଂ

ଭୁବନେଶ୍ବର: କାର୍ତ୍ତିକ ମାସରେ ବୟସ୍କା ମହିଳାମାନେ ବ୍ରତ କରିଥାନ୍ତି। ସେଥିପାଇଁ ସେମାନେ ପୁରୀରେ ଭିଡ କରିଥାନ୍ତି। ତେବେ ଏହି ଭିଡକୁ ନିୟନ୍ତ୍ରଣ କରି ହବିଷ୍ୟାଳିଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ପ୍ରତି ବର୍ଷ ଏହି ହବିଷ୍ୟାଳିଙ୍କ ପାଇଁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ସେମାନଙ୍କୁ ଏହି ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଆରମ୍ଭ ହୋଇଛି।

ଏହି ହବିଷ୍ୟାଳି ଯୋଜନା ପାଇଁ ଆଜିଠାରୁ ଅନଲାଇନରେ ବୁକିଂ ଆରମ୍ଭ କରାଯାଉଛି। ଆପଣଙ୍କ ଘରେ ଯଦି କେହି ପୁରୀ ଯାଇ ଏହି ବ୍ରତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ସେମାନେ ଅନଲାଇନରେ ନାମ ରେଜେଷ୍ଟ୍ରୀ କରିବାକୁ ପଡିବ। ସେଥିପାଇଁ ସେମାନେ edistrict.odisha.gov.in ରେ ଲଗଅନ କରି ନାମ ପଂଜିକରଣ କରିବାକୁ ପଡିବ।

ସେହିପରି ଆପଣ ସିଧା ଜିଲ୍ଲା ଅଫିସରେ ମଧ୍ୟ ନାମ ପଂଜିକରଣ କରିପାରିବେ। ଏହାପରେ ସେଠାରେ ସେମାନେ ଅନଲାଇନରେ ତାହାକୁ ଅପଲୋଡ କରିବେ। ଏ ସଂପର୍କରେ ବିସ୍ତୁତ ତଥ୍ୟ ଜାଣିବା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ମୋବାଇଲ ନମ୍ବର 9692720594 ରେ ଯୋଗାଯୋଗ କରିପାରିବେ। ସେହିପରି ଜିଲ୍ଲା ଲୋକସଂପର୍କ ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ। ତାଙ୍କର ନମ୍ବର ହେଲା 9437302618।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ପିତୃପକ୍ଷ, ପିଣ୍ଡଦାନ ପାଇଁ ପୁରୀରେ ଭକ୍ତଙ୍କ ଗହଳି

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଭାଦ୍ରବ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଆଶ୍ବନୀ ମାସ। ଏହି ମାସରେ ମହାଳୟା ଅମବାସ୍ୟା ପର୍ଯ୍ୟନ୍ତ ପିତୃ ପକ୍ଷ ବୋଲି ଧରାଯାଏ। ସେଥିପାଇଁ ଏହିଦିନରୁ ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ତଥା ପିଣ୍ଡଦାନ କରାଯାଇଥାଏ।

ମୁଖ୍ୟତଃ ପୁରୀରେ ଥିବା ବିଭିନ୍ନ ତିର୍ଥ ପୁଷ୍କରଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ଲୋକଙ୍କ ଆଗ୍ରହ ରହିଥାଏ। ସେଥିପାଇଁ ଏହି ସମୟରେ ଶ୍ରୀକ୍ଷେତ୍ରରେ ଗହଳି ଆରମ୍ଭ ହୋଇଯାଏ। ପୁରୀରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ର ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି।

Categories
ବିଶେଷ ଖବର

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୁରୀ ପୌରପାଳିକା ଜମି ସମସ୍ୟା ସଂପର୍କରେ ୫-ଟି ସଚିବଙ୍କ ଗସ୍ତ ସମୟରେ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରୀ ପୌରପାଳିକା ଦ୍ଵାରା ପୌରପାଳିକା ନିୟମ ଓ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ଲିଜଗୁଡିକୁ ନିୟମିତ କରିବା ପାଇଁ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକୁ ଧାର୍ଯ୍ୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ସର୍ଭେ କାମକୁ ୨୦ ଦିନ ମଧ୍ୟରେ ଶେଷ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ  ଜିଲ୍ଲାପାଳଙ୍କୁ ଆବଶ୍ୟକ ଅତିରିକ୍ତ ରାଜସ୍ବ ଅଧିକାରୀ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ପୁରୀ ପୌରପାଳିକା ବହୁ ବର୍ଷ ଧରି  ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ  ପ୍ରାୟ  ୫୦୪ ଏକର ଜମି ଦେଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର‌୍ୟ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ନୟାଗଡ ଜିଲ୍ଲାର ମଂଜରୀ ଗ୍ରାମ ନିକଟରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ପରିବେଶ ତଥା ଅନ୍ୟାନ୍ୟ ଆବଶ୍ୟକ ମଂଜୁରୀ ମିଳିବା ପରେ ପ୍ରକଳ୍ପ ପାଇଁ ତୁରନ୍ତ ଟେଣ୍ଡର ଆହ୍ବାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏହି ଦୁଇଟି ବିଶେଷ ଟ୍ରେନ: ଚଳାଚଳ ଦିବସରେ ବୃଦ୍ଧି

ଭୁବନେଶ୍ଵର: ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି |

ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ_

ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛି ରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ରୁ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ:

ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ରେ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର-ପୁରୀ- ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ଟ୍ରେନ 1 ଅକ୍ଟୋବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ଉପରୋକ୍ତ ଟ୍ରେନ୍ ପାଇଁ ବିଭିନ୍ନ ସ୍ଥାନରେ (ଷ୍ଟେସନରେ) ନିର୍ଦ୍ଧାରିତ ରହଣି ଏବଂ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

ଟ୍ରେନର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା:

ଦକ୍ଷିଣ ପୂର୍ବ ରେଳ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଗୋଇଲକେରା ଷ୍ଟେସନରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି।

ହାଓଡ଼ା ରୁ ଛାଡୁଥିବା 12871 ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ମାସ 2 ତାରିଖ ଠାରୁ ଗୋଇଲକେରାରେ ପୂର୍ବାହ୍ନ 11ଘ.50ମି.ରେ ପହଞ୍ଚି 11ଘ.51ମି.ରେ ଟିଟିଲାଗଡ଼ ଯାତ୍ରା କରିବ। ଟିଟିଲାଗଡ଼ ରୁ ଛାଡୁଥିବା 12872 ଟିଟିଲାଗଡ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 3 ସେପ୍ଟେମ୍ବର 2023 ଠାରୁ ଅପରାହ୍ନ 12ଘ.21ମି.ରେ ପହଞ୍ଚି ଅପରାହ୍ନ 12ଘ.22ମି.ରେ ହାଓଡ଼ା ଯାତ୍ରା କରିବ।

18477/18478 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗୋଇଲକେରା ଷ୍ଟେସନ ଠାରେ 3 ସେପ୍ଟେମ୍ବର 2023 ଠାରୁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇ ଦେବ। ପୁରୀରୁ ଏହି ଟ୍ରେନ୍ ସକାଳ 07ଘ.39ମି.ରେ ପହଞ୍ଚି ଏବଂ ସକାଳ 07ଘ.40ମି.ରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଋଷିକେଶରୁ ଏହି ଟ୍ରେନ୍ ଅପରାହ୍ନ 04ଘ.12ମି.ରେ ପହଞ୍ଚି ଅପରାହ୍ନ 04ଘ.13ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

ଡକ୍ଟର ଅଭିଲକ୍ଷ୍ୟ ଲିଖିଙ୍କ ପୁରୀର ପେଣ୍ଠକଟା ଗ୍ରାମ ଓ ଏନଏଫଏଫବିବି କୌଶଲ୍ୟାଗଙ୍ଗ ପରିଦର୍ଶନ

ଭୁବନେଶ୍ଵର: ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ତୃଣମୂଳ ସ୍ତରୀୟ ସମସ୍ୟା ଓ ସେଥିପାଇଁ ଆବଶ୍ୟକ ଦୀର୍ଘମିଆଦୀ ଯୋଜନା ପ୍ରଣୟନ ଲକ୍ଷ୍ୟ ନେଇ କେନ୍ଦ୍ର ମତ୍ସ୍ୟ ବିଭାଗ ସଚିବ ଡକ୍ଟର ଅଭିଲକ୍ଷ୍ୟ ଲିଖି ଆଜି (୧୬-୦୮-୨୦୨୩) ପୁରୀ ଜିଲ୍ଲାର ପେଣ୍ଠକଟା ଗ୍ରାମ ପରିଦର୍ଶନ କରିଛନ୍ତି। ଡକ୍ଟର ଲିଖି ପେଣ୍ଠକଟା ଠାରେ ମତ୍ସ୍ୟଜୀବୀ ସମବାୟ ସମିତି ସଦସ୍ୟ (ପିଏଫସିଏସ), ମତ୍ସ୍ୟଜୀବୀ ଓ ମହିଳା ମତ୍ସ୍ୟଜୀବୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସାମାଜିକ – ଆର୍ଥିକ ସ୍ଥିତି ଉପରେ ପଚାରି ବୁଝିଥିଲେ। ଆଲୋଚନା କାଳରେ ମତ୍ସ୍ୟଜୀବୀ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ଜାଲ, ନୌକା ଓ ଡିଜେଲ ରିହାତି ନେଇ ସହାୟତା ପାଉଥିବା ବିଷୟରେ କହିଥିଲେ। ପେଣ୍ଠକଟାର ମତ୍ସ୍ୟଜୀବୀମାନେ ମାଛ ଅବତରଣ କେନ୍ଦ୍ର ବା ଜେଟି ନିର୍ମାଣ, ପରିମଳଯୁକ୍ତ ଶୁଖୁଆ ବଜାର ଓ ସେମାନଙ୍କ କଲ୍ୟାଣ ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ। ଡକ୍ଟର ଲିଖି ମତ୍ସ୍ୟ ନିର୍ଦ୍ଦଶେକଙ୍କୁ ସେମାନଙ୍କ ଦାବିଗୁଡ଼ିକ ପ୍ରତି ଦୃଷ୍ଟି ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସହାୟତା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଉପକୃତ ହେଉଥିବା ପୁରୀ ଜିଲ୍ଲା ମତ୍ସ୍ୟଜୀବୀଙ୍କ ସହ ମଧ୍ୟ ସେ ମତ ବିନିମୟ କରିଥିଲେ। ଡକ୍ଟର ଅଭିଲକ୍ଷ୍ୟ ଲିଖି ମଧ୍ୟ ସିଫା କୌଶଲ୍ୟାଗଙ୍ଗରେ ଏକ ବୈଠକରେ ଅଧ୍ୟକ୍ଷତା କରି ଆଇସିଏଆର-ସିଆଏଫଏ ଓ ଏନଏଫବିବି ଜାତୀୟ ମଧୁର ଜଳ ମାଛ ଜାଆଁଳ ବ୍ୟାଙ୍କ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସଓ୍ବାଇ)ର ଅଗ୍ରଗତିର ସମୀକ୍ଷା କରିଥିଲେ।

ଆଇସିଏଆର-ସିଆଇଏଫଏର ନିର୍ଦ୍ଦଶେକ ଡକ୍ଟର ପ୍ରମୋଦ କୁମାର ସାହୁ ସଂସ୍ଥା ଦ୍ବାରା କରାଯାଉଥିବା ଗବେଷଣାରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡକ୍ଟର ସାହୁ ପ୍ରତିଷ୍ଠାନ ଦ୍ବାରା ଆନୁବଂଶିକ ବିକାଶ ଦ୍ବାରା ରୋହୀ ଓ ଭାକୁଡ଼ ମାଛ ଉତ୍ପାଦନ, ବଡ଼ ବଡ଼ ଚିଙ୍ଗୁଡ଼ିର ଜିଆଇ, ପ୍ରଜାତି ଓ ପଦ୍ଧତିର ବିବିଧକରଣ, ଜଳଜ କୃଷି କ୍ଷେତ୍ରରେ ନୂତନ ଓ ନବୋନ୍ମେଷ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ବିଭିନ୍ନ ମଧୁର ଜଳ ଜୀବଙ୍କ ଖାଦ୍ୟ ତିଆରି ପ୍ରକ୍ରିୟା, ରୋଗ ନିରୂପଣ ଓ ଉପଚାର, ଗବେଷଣା ଓ ଚାଷୀମାନଙ୍କ ତାଲିମ ଇତ୍ୟାଦି ସମ୍ପର୍କରେ ବୁଝାଇଥିଲେ। ଜଳଜୀବ କୃଷି ପାଇଁ ଯେପରି ଚାଷୀମାନେ ବିଶେଷ ଲାଭବାନ ହେବେ ସେପରି ଗବେଷଣା ସହ ପ୍ରତିବର୍ଷ ମାଛ ଉତ୍ପାଦନ ଯେପରି ରୋଗ ଯୋଗୁ ବାଧାପ୍ରାପ୍ତ ନ ହୁଏ ତାହା ସିଆଇଏଫଏ କରିବାକୁ ଡକ୍ଟର ଲିଖି ଗୁରୁତ୍ବ ଆରୋପ କରିଥିଲେ। ଜାତୀୟ ମଧୁର ଜଳ ମାଛ ଜାଆଁଳ (ଏନଏଫଏଫବିବି)ର ଅଧିକାରୀଗଣ ସେମାନଙ୍କ ପ୍ରତିଷ୍ଠାନର ଲକ୍ଷ୍ୟ ଓ ସଫଳତା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଡକ୍ଟର ଲିଖି ଉଭୟ ଏନଏଫଡିବି-ଏନଏଫଏଫବିବିକୁ ବାଣିଜ୍ୟିକ ଦୃଷ୍ଟିରୁ କେତେ ଗୁରୁତ୍ବପୂର୍ଣ୍ଣ ମତ୍ସ୍ୟ ପ୍ରଜାତି ବିକାଶ ଉପରେ ପରାମର୍ଶ ଦେଇଥିଲେ।

ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଓଡ଼ିଶାରେ ମାଛ ଓ ଅନ୍ୟାନ୍ୟ ଜଳଜ କୃଷିର ସଫଳତା ଉପରେ ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ସେ ମାଛ ଉତ୍ପାଦନ, ରପ୍ତାନୀ, ଘରୋଇ ବ୍ୟବହାର ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ଡକ୍ଟର ଲିଖି ସିଫା ଓ ଏନଏଫଏଫବିବିର କାର୍ଯ୍ୟକଳାପର ସମୀକ୍ଷା କରିବା ସହ ରପ୍ତାନୀକାରୀ, ଅଗ୍ରଣୀ ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ମତ୍ସ୍ୟ ଚାଷୀ ଉତ୍ପାଦକ ସଂଗଠନ (ଏଫଏଫପିଓ) ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ପ୍ରାଥମିକତା ଓ ସରକାର ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକରୁ ସେମାନଙ୍କ ଆଶା ଆକାଂକ୍ଷା ଉପରେ ଅବଗତ ହୋଇଥିଲେ।

ସଚିବ ଡକ୍ଟର ଲିଖି ଉଭୟ ସିଆଇଏଫଏ ଓ ଏନଏଫଏଫବିବିଙ୍କୁ ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମ, କିଶାନ ମେଳା, ପ୍ରକାଶନ, ଆଲୋଚନାଚକ୍ର ଇତ୍ୟାଦି ଜରିଆରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ନିବେଦନ କରିଥିଲେ। ଶ୍ରେଷ୍ଠ ପରିଚାଳନାଗତ ପଦ୍ଧତି ଦ୍ବାରା ବିଭିନ୍ନ ଯୋଜନା ଓ ପ୍ରଯୁକ୍ତିବିଦ୍ୟା ଦ୍ବାରା ଚାଷୀମାନେ ଯେପରି ସଚେତନ ହୋଇ ତାହାର ସୁବିଧା ନେବେ ତାହା ଦେଖିବାକୁ ସେ ପରାମର୍ଶ ଦେଇଥିଲେ।

ଡକ୍ଟର ଲିଖି ଆଇସିଏଆର-ସିଆଇଏଫଏର ବଡ଼ ଚିଙ୍ଗୁଡ଼ି-ଜିଆଇ ପରିସର, ବାୟୋଫ୍ଲକ ୟୁନିଟ, ରଙ୍ଗୀନ ମତ୍ସ୍ୟ ପରିସର ଓ ମାଛଗୁଡ଼ିକର ଅମ୍ଳଜାନ ଗ୍ରହଣ ୟୁନିଟ ଇତ୍ୟାଦି ପରିଦର୍ଶନ ମଧ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଓଡିଶା ଗସ୍ତର ଦ୍ଵିତୀୟ ଦିନ: ଆଜି ପୁରୀ ଓ ଭୁବନେଶ୍ୱର ଠାରେ ଏକାଧିକ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୁରୀ ଓ ଭୁବନେଶ୍ୱର ଠାରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଉଭୟ କେନ୍ଦ୍ର ମନ୍ତ୍ରୀ ଦେଶର ଐତିହ୍ୟ ଓ ପ୍ରଗତି ପ୍ରତି ସମର୍ପିତ ‘‘ମେରୀ ମାଟି ମେରା ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିନର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ।

ଏହାବ୍ୟତୀତ ଗୁରୁବାର ସକାଳ ପ୍ରାୟ ୭ଟାରେ ଉଭୟ କେନ୍ଦ୍ର ମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହିତ ଶହ ଶହ ବର୍ଷ ପୁରୁଣା ପରମ୍ପରା ପ୍ରତି ସମ୍ମାନ ବ୍ୟକ୍ତ କରିବେ।

ଏହାପରେ ସକାଳ ପ୍ରାୟ ୮ଟା ସମୟରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ। ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମି ଠାରେ ବାଲୁକା କଳାକୃତି ନିର୍ମାଣ କରାଯିବ।

ସକାଳ ୯ଟା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହିତ ପଞ୍ଚ ପ୍ରାଣ ଶପଥ ଗ୍ରହଣ କରିବେ।

ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ଏବଂ ସେଠାରୁ ଅମୃତ କଳା ଯାତ୍ରାର ଶୁଭାରମ୍ଭ କରିବେ।

ଏହାପରେ ଉଭୟ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାର ଠାରେ କୁଇ ଓ ଦେଶିଆ ଭାଷାରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ। ଏହି ଦୁଇଟି ପୁସ୍ତକ ଉଭୟ ଭାରତୀୟ ଭାଷାରେ ଜ୍ଞାନ ବିତରଣ ଦିଗରେ ସହାୟକ ହେବ।

ଆସନ୍ତାକାଲି ଅପରାହ୍ଣ ୫ଟା ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ବୌଦ୍ଧିକ ବିନିମୟ ଓ ବୃତ୍ତିଗତ ବିକାଶ ପାଇଁ ବିଚାରବିମର୍ଶ କରାଯିବ।

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆମ ଐତିହ୍ୟ ସଂରକ୍ଷଣ, ଆମ ମାତୃଭୂମି ସହ ସମ୍ପର୍କ ସ୍ଥାପନ ଏବଂ ପରିବେଶ ଓ ଆମ ରାଷ୍ଟ୍ର ପ୍ରତି ରହିଥିବା ଉତ୍ତରଦାୟିତ୍ୱ ଭାବନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପାଇବେ ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ ସାହୁ

ପୁରୀ: ୨୦୨୩ରେ ତଦନ୍ତରେ ଉତ୍କର୍ଷତା ପାଇଁ ଦେଶବ୍ୟାପୀ ୧୪୦ ଜଣ ପୋଲିସ କର୍ମଚାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ତନ୍ମଧ୍ୟରୁ ତତ୍କାଳୀନ ଆସ୍କା ଆଇଆଇସି ତଥା ବର୍ତ୍ତମାନ ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁ ଅନ୍ୟତମ।

ଶ୍ରୀ ସାହୁ ଓଡ଼ିଶା ପୋଲିସର ଜଣେ ଦକ୍ଷ ଅଧିକାରୀ ଭାବେ ବେଶ ଜଣାଶୁଣା। ଆସ୍କା ଆଇଆଇସି ଥିବା ସମୟରେ ସେ ରାଜ୍ୟ ପାଇଁ ଅନେକ ଗୌରବ ଆଣିଦେଇଥିଲେ।

ଗତବର୍ଷ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିକଟରୁ ଦେଶର ଶ୍ରେଷ୍ଠ ଥାନା ଭାବେ ଆସ୍କା ଥାନା ପୁରସ୍କୃତ ହୋଇଥିଲା। ତାହା କେବଳ ଶ୍ରୀ ସାହୁଙ୍କ ଲାଗି ସମ୍ଭବ ହୋଇପାରିଥିଲା।

ଅନୁରୂପ ଭାବେ ଶ୍ରୀ ସାହୁ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।  ନିଜର କାର୍ଯ୍ୟ ଦକ୍ଷତା ଲାଗି ସେ ପୋଲିସ ବିଭାଗର ଟେକ ରଖିପାରିଛନ୍ତି।

ତଦନ୍ତରେ ଉତ୍କର୍ଷତା ପାଇଁ ଚଳିତ ବର୍ଷ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ପଦକ ପାଇବାପାଇଁ ଯୋଗ୍ୟ ବିବେଚିତ ହେବାପରେ ଚାରିଆଡୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ଉଲ୍ଲେଖ ଥାଉ କି ପୁରୀ ସିଟି ଡ଼ିଏସପି ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଡିଏସପି ମାନସ ରଞ୍ଜନ ପ୍ରଧାନ, ଡିଏସପି ପ୍ରଭାତ କୁମାର ବିଶ୍ୱାଳ ଏହି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି।