ପୁରୀ: ପୁରୀ ରେଡକ୍ରସ ରୋଡ୍ସ୍ଥିତ ପୋଲିସ ହାଇସ୍କୁଲର ଶ୍ରେଣୀଗୃହଗୁଡ଼ିକ ବିପଦଜନକ ଅବସ୍ଥାରେ ପହଞ୍ଚିଛି। ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁଥିବା ବେଳେ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିଛି। କୌଣସି ବି ମୁହୂର୍ତ୍ତରେ ଛାତ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଦେଇଛି। ଶ୍ରେଣୀ ଗୃହରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସମୟରେ ହଠାତ୍ ଛାତରୁ କଂକ୍ରିଟ୍ ପ୍ଲାଷ୍ଟର ଖସିପଡ଼ିଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି। କେବଳ ଶ୍ରେଣୀଗୃହ ନୁହେଁ, ପ୍ରଧାନ ଶିକ୍ଷକଙ୍କ କୋଠରି ଛାତରୁ ମଧ୍ୟ ପ୍ଲାଷ୍ଟର ଖସୁଥିବା ଦେଖାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭବିଷ୍ୟତରେ କୌଣସି ବଡ଼ ଅଘଟଣ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।


