ଭଦ୍ରକ: ଡ୍ୟୁଟିରେ ଥିବାବେଳେ ମୃତ୍ୟୁର ଶିକାର ହେଲେ ପୋଲିସ କର୍ମଚାରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ବିରସ ଛକ ନିକଟରେ ପୁରୀ ପୋଲିସର ଏକ ଗାଡ଼ି ସହ ଟ୍ରଲରର ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର କିଛି ପୋଲିସ କର୍ମଚାରୀ ଏକ ମୋବାଇଲ ଚୋରି ମାମଲାର ତଦନ୍ତ ପାଇଁ ଭଦ୍ରକ ଜିଲ୍ଲାର ନାୟକାଣିଡିହି ଅଞ୍ଚଳକୁ ଆସିଥିଲେ। କାର୍ଯ୍ୟ ସାରି ଫେରୁଥିବା ସମୟରେ ବାସୁଦେବପୁର-ଧାମରା ରାସ୍ତାର ବିରସ ଛକ ନିକଟରେ ସେମାନଙ୍କ ଗାଡ଼ି ଏକ ଟ୍ରଲର ସହ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।


