Categories
ଆଜିର ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଠଗଡ ନିର୍ବାଚନ ମଣ୍ଡଳିର ଗଳିକନ୍ଦି କାହିଁକି ବୁଲୁଛନ୍ତି ମନ୍ତ୍ରୀ ରାଜା ସ୍ବାଇଁଙ୍କ ପୁଅ ଆଦିତ୍ୟ ?

ଭୁବନେଶ୍ବର: ବର୍ତ୍ତମାନ ଆଠଗଡ ନିର୍ବାଚନ ମଣ୍ଡଳିରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁଙ୍କ ନିର୍ବାଚନ ମଣ୍ଡଳି ବୁଲିବା। ଆଦିତ୍ୟ ବେଶ କିଛି ଦିନ ଧରି ସକାଳୁ ଘରୁ ବାହାରି ଆଠଗଡର ଗଳକନ୍ଦି କୁଲିବାରେ ଲାଗିଛନ୍ତି। କେଉଁଠି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, କେଉଁଠି କ୍ରିକେଟ ମ୍ୟାଚ, କେଉଁଠି ଫୁଟବଲ ମ୍ୟାଚ, କାହାର ଶ୍ରାଦ୍ଧ କାର୍ଯ୍ୟ ସବୁଠି ସେ ହାଜର।

ତେବେ ଏହାର କାରଣ ହେଲା ଯେ, ଆଦିତ୍ୟ ପ୍ରତାପ ଏଥର ନିର୍ବାଚନ ଲଢେଇ କରିବେ। ତାଙ୍କ ବାପା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୁଆଡେ ଆଉ ନିର୍ବାଚନ ଲଢେଇରେ ସାମିଲ ହେବେ ନାହିଁ। ସେ ନେଇ ରଣେନ୍ଦ୍ର ଦଳକୁ ଜଣାଇ ଦେଇଛନ୍ତି। ଏଥିସହିତ ତାଙ୍କ ପୁଅ ଏଥର ନିର୍ବାଚନ ଲଢିବ ବୋଲି ମଧ୍ୟ ଦଳକୁ ଅନୁରୋଧ କରିଛନ୍ତି।

ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ତଥା ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁରୋଧକୁ କୁଆଡେ ବିଜେଡି ଗ୍ରହଣ କରିଛି। ତାଙ୍କ ପୁଅଙ୍କୁ ଟିକେଟ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଛି। ଫଳରେ ରଣେନ୍ଦ୍ର ପ୍ରତାପ ବା ରାଜା ସ୍ବାଇଁ ତାଙ୍କ ପୁଅକୁ ବର୍ତ୍ତମାନ ରାଜନୈତିକ ମଇଦାନକୁ ଛାଡି ଦେଇଛନ୍ତି। ଫଳରେ ଆଦିତ୍ୟ ବର୍ତ୍ତମାନ ସକାଳୁ ଉଠି ସାରା ନିର୍ବାଚନ ମଣ୍ଡଳି ବୁଲିବୁଲି ରାତିରେ ଘରକୁ ଫେରୁଛନ୍ତି।

Categories
ଆଜିର ଖବର

୫-‘ଟି’ ଉପକ୍ରମରେ କୃଷି ବିଭାଗର ତାଲିମ ପ୍ରତିଷ୍ଠାନଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ

ଭୁବନେଶ୍ବର: ୫-‘ଟି’ ଉପକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସଂପ୍ରସାରଣ କର୍ମଚାରୀଙ୍କ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ ପରିବର୍ତ୍ତନ ଆଣିବ।

ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୧୧ଟି ତାଲିମ ପ୍ରତିଷ୍ଠାନର ନବନିର୍ମିତ ସ୍ମାର୍ଟ କ୍ଲାସ୍‌ରୁମ୍‌ଗୁଡ଼ିକର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ୫-‘ଟି’ ଉପକ୍ରମରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ଫଳରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମରେ ଯୋଡ଼ି ହୋଇଯାଇଛି ଆଉ ଏକ ନୂତନ ଫର୍ଦ୍ଦ, ଯାହା ପାରମ୍ପରିକ ତାଲିମ ପ୍ରଦାନ ପଦ୍ଧତିରେ ରୂପାନ୍ତରଣ ଆଣି ପ୍ରଶିକ୍ଷଣକୁ ଅଧିକ ଯୁଗୋପଯୋଗୀ କରିପାରିଛି।

କୃଷି କ୍ଷେତ୍ରରେ ଗବେଷଣାଲବ୍ଧ ଜ୍ଞାନକୌଶଳ ଓ ନୂତନ ପ୍ରଯୁକ୍ତିବିଦ୍ୟାକୁ ରାଜ୍ୟର ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିଭାଗ ପକ୍ଷରୁ ନିରନ୍ତର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ ସରକାର ଉନ୍ନତ ମାନର ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ବିଭାଗ ଦ୍ୱାରା କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର, ଉନ୍ନତ ମାନର ବିହନ ଓ କୀଟନାଶକ ବ୍ୟବହାର ଓ ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଫଳରେ ବିଗତ ଦୁଇଦଶନ୍ଧିରେ କୃଷି ଉତ୍ପାଦନ ଓ ଉତ୍ପାଦିକତାରେ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟ ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ ହୋଇପାରିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ପ୍ରଶିକ୍ଷଣ ପଦ୍ଧତିରେ ସ୍ମାର୍ଟ କ୍ଲାସ୍‌ରୁମ୍‌ର ପ୍ରଚଳନ ଫଳରେ ଚାଷୀ ଓ ବିଭାଗୀୟ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ସଠିକ୍‌ ଉପଯୋଗ ନିମନ୍ତେ ଦକ୍ଷ ହୋଇପାରିବେ ଓ ସମୟ ସହିତ ତାଳଦେଇ ଚାଲିପାରିବେ। ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କ ପାଇଁ ଶିକ୍ଷଣୀୟ ଓ ଲାଭଦାୟକ ସାବ୍ୟସ୍ତ ହେବା ସହିତ ଓଡ଼ିଶାର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ସକ୍ଷମ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ପ୍ରୟୋଗ କ୍ଷେତ୍ରରେ ବିଭାଗ ରାଜ୍ୟର ଏକ ଆଗୁଆ ବିଭାଗ ରୂପେ ବିବେଚିତ ହୋଇଆସୁଛି। ନିକଟ ଅତୀତରେ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ କୋ-ଚେୟାର ବିଲ୍‌ ଗେଟସ୍‌ଙ୍କ କୃଷି ଭବନ ପରିଦର୍ଶନ ଓ କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ ରାଜ୍ୟର କୃଷି କ୍ଷେତ୍ରରେ ହୋଇଥିବା ନୂତନ ଜ୍ଞାନକୌଶଳର ପ୍ରୟୋଗ ସଂପର୍କରେ ଓଡ଼ିଶାକୁ ବିଶ୍ୱଦରବାରରେ ପରିଚିତ କରାଇପାରିଛି।

ସ୍ମାର୍ଟ କ୍ଲାସ୍‌ରୁମ୍‌ ପ୍ରଚଳନ ତାଲିମ ଅନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ସ୍ମାର୍ଟ କରିବା ସହିତ ଚାଷୀଭାଇମାନଙ୍କର ବହୁଳ ଉପଯୋଗୀ ହୋଇପାରିବ ବୋଲି ଡ. ପାଢ଼ୀ କହିଥିଲେ।
ସୂଚନାଯୋଗ୍ୟ ଯେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଭୁବନେଶ୍ୱରରେ ଇମେଜ୍‌ ସମେତ ୫ଟି ତାଲିମ ପ୍ରତିଷ୍ଠାନ ସାଙ୍ଗକୁ ଢେଙ୍କାନାଳର ମହିଷାପାଟ, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ବଲାଙ୍ଗିରର ୩ଟି ରିଜିଓନାଲ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ଟ୍ରେନିଂ ଆଣ୍ଡ ଏକ୍ସଟେନ୍‌ସନ୍‌ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅନ୍ତର୍ଗତ ଖୋର୍ଦ୍ଧା, ସମ୍ବଲପୁର ଓ କଳିଙ୍ଗା, ଜି. ଉଦୟଗିରିର ତାଲିମ କେନ୍ଦ୍ରରେ ସ୍ମାର୍ଟ କ୍ଲାସ୍‌ରୁମ୍‌ର ପ୍ରଚଳନ କରାଯାଇଛି।

କାର୍ଯ୍ୟକ୍ରମ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସି ମାଧ୍ୟମରେ ସମସ୍ତ ତାଲିମ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲୋକଙ୍କୁ ପୁଷ୍ଟି ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହେଲା କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ

ଭୁବନେଶ୍ବର: ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଅପପୁଷ୍ଟି ଦୂରୀକରଣ ପାଇଁ ଘରଦୁଆରେ ପୁଷ୍ଟି ଯୋଜନାରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଭାସି ମାଧ୍ୟମରେ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇଥିବା ବିଭାଗୀୟ ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ଚିହ୍ନଟ ହିତାଧିକାରୀମାନଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟବାସୀଙ୍କ ପୁଷ୍ଟି ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ରାଜ୍ୟ ସରକାର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିବାବେଳେ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହୋଇଥିବା ମା’ ଓ ଶିଶୁମାନଙ୍କୁ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।

ସୁସ୍ଥ ମା’ ଓ ସୁସ୍ଥ ଶିଶୁର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟିସଂପନ୍ନ ପଦକ୍ଷେପ ସ୍ୱରୂପ ‘ଘରଦୁଆରେ ପୁଷ୍ଟି’ ଯୋଜନା ଆରମ୍ଭ କରାଯାଇଛି। ଏଥି ମଧ୍ୟରେ ଚିହ୍ନଟ ହିତାଧିକାରୀ ପରିବାରଙ୍କୁ ଫଳ ଓ ପନିପରିବା ଚାରା ବଣ୍ଟନ ଏବଂ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀଜ ପୁଷ୍ଟିସାର ଯୋଗାଇଦେବା ପାଇଁ କୁକୁଡ଼ା ଚିଆଁ ବଣ୍ଟନ କାରାଯାଉଛି।

ରାଜ୍ୟର ୭ ଲକ୍ଷରୁ ଊଦ୍ଧ୍ୱର୍ ପରିବାର ଏହି କାର୍ଯକ୍ରମରେ ଉପକୃତ ହେବେ। ପରିବାର ପ୍ରତି ୫ ଗୋଟି ୨୮ ଦିନିଆ କୁକୁଡ଼ା ଚିଆଁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଦିନିକିଆ କୁକୁଡ଼ା ଚିଆଁ ତୁଳନାରେ ୨୮ ଦିନିଆ କୁକୁଡ଼ା ଚିଆଁ ପାଳନ ସୁବିଧାଜନକ ହୋଇଥିବାରୁ ବିଭାଗ ତରଫରୁ ୨୮ ଦିନିଆ କୁକୁଡ଼ା ଯୋଗାଇ ଦିଆଯାଉଛି। ବାଡ଼ି ଅଗଣାରେ ପାଳନ କରିବାକୁ ଥିବା ଏହି କୁକୁଡ଼ାରୁ ହିତାଧିକାରୀ ପରିବାରଙ୍କୁ ହାତପାଆନ୍ତାରେ ଅଣ୍ଡା ମିଳିବ ଏବଂ ଅଣ୍ଡା ପୁଷ୍ଟି ସାଧନରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୪ କୋଟି ଟଙ୍କା ବ୍ୟୟ ହେବ ଏବଂ ଏଥିରୁ ଦୈନିକ ପ୍ରାୟ ୪ ଲକ୍ଷ ୫୦ ହଜାର ଅଣ୍ଡା ଓ ବର୍ଷକୁ ପ୍ରାୟ ୧୬ କୋଟି ଅଣ୍ଡା ଉତ୍ପାଦନ ହୋଇପାରିବ। ଏହି କୁକୁଡ଼ା ଚିଆଁଗୁଡିକୁ ଲୋକମାନଙ୍କ ଘର ପାଖରେ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ପୂର୍ବରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅପପୁଷ୍ଟିରେ ପୀଡ଼ିତ ପରିବାରଙ୍କୁ ସଜନା, କଦଳୀ, ଅମୃତଭଣ୍ଡା, କନ୍ଦମୂଳ ଆଦି ଚାରା ବଣ୍ଟନ କରାଯାଇଛି। ଏଥିରୁ ସେମାନେ ସଜନା ଶାଗ, ସଜନା ଛୁଇଁ, କଞ୍ଚା କଦଳୀ, ଅମୃତଭଣ୍ଡା ପରି ପରିବା ପାଇପାରିବେ ଏବଂ ସେମାନଙ୍କର ପୁଷ୍ଟି ସାଧନ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ।

ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିବା ରାଜ୍ୟର ୩୦ଟି ଜିଲ୍ଲାର ୩୦ଟି ପଞ୍ଚାୟତର ହିତାଧିକାରୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଧାସଳଖ କଥାବାର୍ତ୍ତା ହୋଇଥିଲେ। ହିତାଧିକାରୀମାନେ ସେମାନଙ୍କ ସୁବିଧା ଓ ରାଜ୍ୟରୁ ଅପପୁଷ୍ଟି ଦୂର ପାଇଁ ନିଆଯାଇଥିବା ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରାରମ୍ଭରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ, କୁକୁଡ଼ା ଚିଆଁ ପାଳନ ମାଧ୍ୟମରେ ରାଜ୍ୟର ପ୍ରାୟ ୭ ଲକ୍ଷ ପରିବାରକୁ ଆବଶ୍ୟକୀୟ ପୁଷ୍ଟିସାର ମିଳିବ।

ଛୋଟ ଛୁଆ ଓ ମା’ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଡ. ସଚ୍ଚିଦାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଗୋରୁଙ୍କ ସମାଜ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଏବଂ ପ୍ରାଣୀ କଲ୍ୟାଣକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ପଞ୍ଜୀକୃତ ଗୋଶାଳାରେ ଗୋରୁମାନଙ୍କର ଯନି ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରାଣୀ କଲ୍ୟାଣ ସଂସ୍ଥା ସରକାରୀ ସହାୟତାର ସୁଯୋଗନେଇ ଆଗେଇ ଆସି ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଏହି କ୍ରମରେ କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ୫୯ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ବଣ୍ଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ବୁଲା ଗାଈଗୋରୁଙ୍କ ଏକମାତ୍ର ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ପ୍ରାଣୀକଲ୍ୟାଣ ପାଇଁ ପ୍ରତିବଦ୍ଧ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବୁଲା ଓ ଅସହାୟ ପ୍ରାଣୀଙ୍କ ହିତ ପାଇଁ ଗୋଶାଳାକୁ ପ୍ରଦାନ କରାଯାଉଥିବା ସହାୟତା ରାଶିର ପରିମାଣକୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇଗୁଣ କରିଛନ୍ତି।

ଚଳିତବର୍ଷ ଏହି ସହାୟତା ରାଶି ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପ୍ରତି ଗୋରୁପିଛା ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଗତ ବର୍ଷର ସହାୟତା ରାଶି ୧୬ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏଥି ସହିତ ଗୋଶାଳାରେ ଜିଆଖତ ପ୍ରସ୍ତୁତି ନିମନ୍ତେ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରି ସେଥିରୁ ଉପାର୍ଜିତ ଅର୍ଥ ଓ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରିକରି ଗୋଶାଳାଗୁଡିକର ଆର୍ଥିକ ଉନ୍ନତି ହୋଇପାରିବ।

ସେଥିପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠାକୁ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଗୋଶାଳାରେ ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖର୍ଚ୍ଚର ୫୦ ପ୍ରତିଶତ ସହାୟତା ତଥା ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଚଳିତ ବର୍ଷ ଏଥି ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥି ସହିତ ଗୋଶାଳାରେ ଗୋରୁମାନଙ୍କ ଚିକିତ୍ସା ନିମନ୍ତେ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନେ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଆଜିର କାର୍ଯ୍ୟକ୍ରମରେ ଗୋଶାଳାକୁ ସହାୟତା ରାଶି ବଣ୍ଟନ ସହିତ ଗୋଶାଳାଗୁଡିକ ଜିଆଖତ ଉତ୍ପାଦନ ନିମନ୍ତେ କିପରି ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବେ ସେ ବିଷୟରେ ସଚେତନତା କରାଯାଇଛି। ଏହା ଦ୍ୱାରା ଗୋବର ଓ ଗୋମୁତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା ହେବ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜିଆଖତ ସୃଷ୍ଟି ହୋଇ ପାରିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷରେ ପଞ୍ଜୀକୃତ ଗୋଶାଳାର ରକ୍ଷଣାବେକ୍ଷଣ ଓ ଗୋରୁମାନଙ୍କ ଯନି ନିମନ୍ତେ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରୁ ୯ କୋଟି ଟଙ୍କା ପଞ୍ଜୀକୃତ ଗୋଶାଳାଗୁଡିକୁ ସହାୟତା ରାଶି ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିବାବେଳେ ୧ କୋଟି ଟଙ୍କା ଅନୈତିକ ଗୋଚାଲାଣରେ ଜବତ ଓ ଦୁର୍ଘଟଣାଗସ୍ତ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯିବ। ଏଥି ସହିତ ରାଜ୍ୟରେ ନୂତନ ଭାବେ ଗୋଶାଳା ପ୍ରତିଷ୍ଠା ପାଇଁ ଆଗ୍ରହୀ ସଂସ୍ଥାଗୁଡିକୁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତାର ବ୍ୟବସ୍ଥା ରହିଛି।

ଏଥିରେ ୫୦ ରୁ ୧୫୦ ପର୍ଯ୍ୟନ୍ତ ଅସହାୟ ଗୋରୁଙ୍କ ନିମନ୍ତେ ଆଶ୍ରୟସ୍ଥଳ ନିର୍ମାଣ କରାଯିବ।ନୂତନ ଗୋଶଳା ନିର୍ମାଣ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଗୋଟି ସଂସ୍ଥାକୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଛି ଓ ସେ ବାବଦକୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରମାଶିଷ ହାଜରା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ରାଜ୍ୟରୁ ଆସିଥିବା ଗୋଶାଳାର କର୍ମଜୀବୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ରାଜ୍ୟରେ ଆସିବ ଛେଳି ପ୍ରଜନନ ନୀତି, ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବିକାନିର୍ବାହ ନିମନ୍ତେ ପ୍ରାଣୀପାଳନ ଏକ ପ୍ରମୁଖ ଅଙ୍ଗ ହୋଇଥିବା ପରିପ୍ରେକ୍ଷୀରେ ଏକ ଯୁଗୋପଯୋଗୀ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରି ଚାଷୀମାନଙ୍କୁ ଉନ୍ନତ ମାନର ଛେଳି ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଛେଳି ପ୍ରଜନନ ନୀତି ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କ୍ଷୁଦ୍ର ପ୍ରାଣୀମାନଙ୍କ ନିମନ୍ତେ ଗୋଟିଏ ପ୍ରଜନନ ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ଛେଳି, ମେଣ୍ଢା ଓ ଘୁଷୁରୀଙ୍କୁ ଅଲଗା ଅଲଗା ସ୍ଥାନିତ କରାଯାଇପାରିବ।

ରାଜ୍ୟର ଭୌଗୋଳିକ ଓ କୃଷି ଜଳବାୟୁକୁ ଦୃଷ୍ଟିରେ ରଖି ଛେଳି ପ୍ରଜନନ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ନୂତନ ପ୍ରଜନନ ନୀତିରେ ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ବେଙ୍ଗଲ୍‌ ଏବଂ ଗଞ୍ଜାମ ଆଦି ଅତି ଉଚ୍ଚ ମାନର ଜେନେଟିକ୍‌ ପ୍ରଜାତିର ଛେଳିକୁ ସଂରକ୍ଷଣ କରାଯିବା ସହିତ ଏହାକୁ ଅଧିକ ଉନ୍ନତ କରାଯିବା ପାଇଁ ପଦକ୍ଷେପ ନିଆଯିବ।

ସେହିପରି ଦେଶୀ ଛେଳିକୁ ଯମୁନାପୁରୀ, ବିଟଲ୍‌, ଶିରୋହୀ, ଗଞ୍ଜାମ ଏବଂ ବ୍ଲାକ୍‌ ବେଙ୍ଗଲ୍‌ ସହିତ କ୍ରସ୍‌ବି୍ରଡିଂ କରାଯାଇ ଉନ୍ନତ ମାନର ଛେଳି ଉତ୍ପାଦନ କରାଯିବ। ରାଜ୍ୟରେ ଥିବା ନାରାୟଣପାଟଣା, ରାଇଘର, ମାରାଗୁଡ଼ା, ଘୁମୁସରୀ ଆଦି ସ୍ଥାନୀୟ ପ୍ରଜାତିର ଛେଳିକୁ ଚିହ୍ନଟ କରାଯାଇ ପ୍ରଜନନ କରାଯିବା ପାଇଁ ପ୍ରଜନନ ନୀତିରେ ଗୁରୁତ୍ୱ ଦିଆଯାଉଛି।

ବୈଠକରେ ସ୍ଥାନୀୟ ପ୍ରଜାତିର ଛେଳି ରାଇଘର, ଘୁମୁସରୀ, ନାରାୟଣପାଟଣା, ମାରାଗୁଡ଼ା ଆଦି ପ୍ରଜାତିର ଛେଳିକୁ ନ୍ୟାସନାଲ ବୁ୍ୟରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସରେ ପଂଜିକୃତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରସ୍ତୁତ କରାଯାଉଥିବା ଛେଳି ପ୍ରଜନନ ନୀତିର ରୂପରେଖ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ କୃଷିମନ୍ତ୍ରୀ ଭାବେ ଯୋଗ ଦେଇ ବିଭାଗୀୟ ସମୀକ୍ଷା କଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଓଡ଼ିଶାରେ କୃଷିର ସାମଗି୍ରକ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲୋକସଭା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କୃଷିର ଉନ୍ନତିକରଣ ତଥା ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନିଷ୍ଠାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କୃଷି ଭବନ ପରିଦର୍ଶନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ସମ୍ବନ୍ଧରେ ଅବଗତ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବର୍ତ୍ତମାନର କୃଷକ କଲ୍ୟାଣ ଯୋଜନାଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ ଆବଶ୍ୟକତା ଅନୁଯାୟୀ ନୂତନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ।

ଚାଷର ବିବିଧିକରଣ ଏବଂ ସମନ୍ୱିତ କୃଷି ବାବଦରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା, କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ ଚଢ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଠି ଅନୁକୂଳ କଲେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

କଟକ: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଲଷ୍ମୀନାରାୟଣପୁର ଏବଂ ତିଗିରିଆ ବ୍ଲକର ପାଞ୍ଚଗାଁ ଅନ୍ତର୍ଗତ ତେନ୍ତୁଳିରଗଡି ଗ୍ରାମରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।

କୃଷିଭିତ୍ତିକ ପର୍ଵ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ମନ୍ତ୍ରୀ ଶ୍ରୀ ସ୍ଵାଇଁ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏ ବର୍ଷର ଚାଷ କାର୍ଯ୍ୟ ଚାଷୀଭାଇମାନଙ୍କ ପାଇଁ ଅନୁକୂଳ ହେଉ ଵୋଲି କାମନା କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ରାଜ୍ୟରୁ ସଂଗୃହିତ ହେଲା ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ରବିଧାନ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ ଜରିଆରେ ରାଜ୍ୟର ୧୪ଟି ଜିଲ୍ଲାରୁ ଅଦ୍ୟାବଧି ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ସେମାନଙ୍କ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ପ୍ୟାକ୍ସ ଓ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । ତନ୍ମଧ୍ୟରୁ ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କର ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼, ଜଳସେଚିତ ଜମିର ପରିମାଣ ଇତ୍ୟାଦିର ଯାଞ୍ଚ ପ୍ରକ୍ରିୟା ସରିଛି । ଏଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ଧାନ କିଣାଯାଇଛି, ଯାହାର ମୂଲ୍ୟ ପ୍ରାୟ ୭୯୩ କୋଟି ଟଙ୍କା ।

ଚଳିତ ରବିରେ ଅଦ୍ୟାବଧି ରାଜ୍ୟର ୧୦୨୦ଟି ଧାନସଂଗ୍ରହ କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଅଛି । ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଧାନସଂଗ୍ରହ କରାଯାଉଥିବାବେଳେ ଖୁବ୍‌ଶୀଘ୍ର ଅନ୍ୟ ତିନୋଟି ଜିଲ୍ଲା: କୋରାପୁଟ, ଖୋର୍ଦ୍ଧା ଓ ଯାଜପୁରରୁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ମଇ ମାସରୁ ଆରମ୍ଭ ହୋଇଥିବା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଦ୍ୟାବଧି ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ୨ ଲକ୍ଷ ୮ ହଜାର ୮୯ ମେଟି୍ରକ୍‌ ଟନ୍‌, ସୁବର୍ଣ୍ଣପୁରରେ ୮୧,୮୨୪ ମେଟି୍ରକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟି୍ରକ୍‌ ଟନ ଓ କଳାହାଣ୍ଡି ଜିଲ୍ଲାରେ ୫୦,୬୧୦ ମେଟି୍ରକ୍‌ ଟନ୍‌ ଧାନସଂଗ୍ରହ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀ ରାଜା ସ୍ବାଇଁ ମଧ୍ୟ କୋଭିଡ ପଜେଟିଭ୍, ଘରେ ଏକାନ୍ତାବାସରେ ରହିଲେ

ଭୁବନେଶ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଆଜି କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ନମୂନା ପରୀକ୍ଷା କରିଥିଲେ। ଏହି ପରୀକ୍ଷାରୁ ତାଙ୍କର କୋଭିଡ ପଜେଟିଭ ଆସିଛି। ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରେ ଏକାନ୍ତବାସରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି।