Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆୟୋଜିତ ହେବ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ, ନିର୍ଦ୍ଧାରିତ ହେଲା ଦିନ

ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମଇଦାନଠାରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ ଆୟୋଜିତ ହେବ। ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି ।

ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସଂପଦ ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଆଜି କୃଷି ଭବନଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମାବେଶର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ସମାବେଶରେ ବିଭିନ୍ନ ପ୍ରାଣୀପାଳନ ଓ ମତ୍ସ୍ୟଚାଷର ପ୍ରଦର୍ଶନୀ ମଣ୍ଡପ ଖୋଲାଯିବା ସହିତ ଉନ୍ନତ କିସମର ପ୍ରାଣୀସଂପଦ ଓ ମତ୍ସ୍ୟଚାଷର ଲାଇଭ୍‌ ଡେମୋନ୍‌ଷ୍ଟ୍ରେସନ୍‌, ବିଭିନ୍ନ ଯନ୍ତ୍ରପାତି ଓ ଉପକରଣର ପ୍ରଦର୍ଶନୀ, ଚାଷୀ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନାଚକ୍ର, ସଫଳ ଚାଷୀଙ୍କ ଅନୁଭୂତିର ଆଦାନପ୍ରଦାନ-ସଫଳ ପ୍ରାଣୀପାଳନ, ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ବର୍ଦ୍ଧନା ସମେତ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସମାବେଶରେ ରାଜ୍ୟରୁ ପ୍ରାୟ ୬ ହଜାର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗନେବେ। ପ୍ରତିଦିନ ଜିଲ୍ଲାରୁ ପ୍ରାୟ ୨ ହଜାର ଚାଷୀ ଏଥିରେ ଯୋଗଦେବେ। ସମାବେଶରେ ମିଶନ ଶକ୍ତି, ସମବାୟ, ନାବାର୍ଡ, ଜଳସଂପଦ ବିଭାଗ, ଓର୍‌ମାସ୍‌, ଓଡ଼ିଶା ଜୀବିକା ମିଶନ, ପ୍ରାଣୀମଙ୍ଗଳ ଅନୁଷ୍ଠାନ, ମୃତ୍ତିକା ସଂରକ୍ଷଣ, କୃଷି ଓ ଉଦ୍ୟାନ କୃଷି ଆଦି ବିଭାଗର ମଧ୍ୟ ଷ୍ଟଲ ପ୍ରଦର୍ଶିତ ହେବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ୍‌, ସୋଆ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ପକ୍ଷରୁ ମଧ୍ୟ ଷ୍ଟଲ ଖୋଲାହେବ।

ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶର ଆୟୋଜନ ଦ୍ୱାରା ରାଜ୍ୟର ଚାଷୀମାନେ ପ୍ରାଣୀପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ସଂପର୍କରେ ସଚେତନ ହେବେ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି।

ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା, ଦ୍ବିତୀୟରେ ନୟାଗଡ

ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି କ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି।

ଏହା ଦ୍ୱାରା ବର୍ଷସାରା ରୋଜଗାର ମିଳିବା ସହିତ ନିରନ୍ତର ଆୟର ଉତ୍ସ ସୃଷ୍ଟି ହୋଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଗତକାଲି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମାଛ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ଚତୁର୍ଥ ସ୍ଥାନ ଅଧିକାର କରିଛି।

ତେବେ ବୈଜ୍ଞାନିକ ପଦ୍ଧତି ଓ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରାଜ୍ୟରେ ଉପଲବ୍ଧ ଜଳଉତ୍ସରୁ ବିପୁଳ ପରିମାଣର ମାଛ ଉତ୍ପାଦନ କରିବାର ସୁଯୋଗ ରହିଛି। ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହ ରାଜ୍ୟବାସୀଙ୍କୁ ଅଧିକ ପରିମାଣର ପ୍ରାଣୀଜ ପ୍ରୋଟିନ୍‌ ମିଳିପାରିବ। ଉନ୍ନତ ଜ୍ଞାନକୌଶଳସଂପନ୍ନ ବାୟୋଫ୍ଲକ୍‌ ମାଛଚାଷ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବେଶ୍‌ ଉତ୍ସାହଜନକ ଏବଂ ଏହା ଅଚିରେ ଓଡ଼ିଶାକୁ ମାଛ ଉତ୍ପାଦନରେ ତୃତୀୟ ସ୍ଥାନକୁ ଉନ୍ନୀତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପୋଷଣ କରିଥିଲେ।

ଏଥି ସହିତ ମତ୍ସ୍ୟ ଓ ପ୍ରାଣୀପାଳନ ସହ ଜଡ଼ିତ କୃଷକମାନଙ୍କ ସଫଳ କାହାଣୀକୁ ଲୋକଲୋଚନକୁ ଆଣି ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଲେ ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସଂପ୍ରତି ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଛଚାଷ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ସେ କହିଥିଲେ।

ବୈଠକର ବିବରଣୀରୁ ପ୍ରକାଶ ଯେ ମଧୁର ଜଳ ମାଛ ଉତ୍ପାଦନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ସବୁଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ କଟକ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେହିପରି ସାମୁଦି୍ରକ ମତ୍ସ୍ୟ କ୍ଷେତ୍ରରେ ଗଞ୍ଜାମ କ୍ଷେତ୍ର ସର୍ବୋତ୍ତମ ସଫଳତା ପାଇଥିବାବେଳେ କୁଜଙ୍ଗ ସାମୁଦି୍ରକ କ୍ଷେତ୍ର ଏବଂ ବିଟି ବାଲୁଗାଁ କ୍ଷେତ୍ର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଜିଲ୍ଲା ନୋଡ଼ାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ଉଭୟ ପ୍ରାଣୀସଂପଦ ବିକାଶ ଏବଂ ମତ୍ସ୍ୟ ବିଭାଗର ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ କହିଥିଲେ। ଏଥି ସହିତ ପ୍ରତି ମାସର ଚାରି ତାରିଖରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ମାସର ୧୦ ତାରିଖରେ ନିର୍ଦ୍ଦେଶକଙ୍କ ସ୍ତରରେ ସମୀକ୍ଷା ବୈଠକ କରି ଏହାର ରିପୋର୍ଟ ବିଭାଗକୁ ମାସର ୧୫ ତାରିଖ ସୁଦ୍ଧା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାଛ ଜାଅଁଳ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିଛି ବୋଲି ଶ୍ରୀ ବଶିଷ୍ଠ ପ୍ରକାଶ କରିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ସମେତ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋଫ୍ଲକ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛଚାଷ ପାଇଁ ଦିଆଯାଉଥିବା ଇନ୍‌ପୁଟ ସହାୟତା, ମତ୍ସ୍ୟଚାଷ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ସେହିପରି ଅପରାହ୍ନରେ ପ୍ରାଣୀସଂପଦ ବିକାଶ ବିଭାଗର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟକଲେ କୃଷକଙ୍କ ଆୟକୁ ବହୁଗୁଣିତ କରିହେବ । ଏ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଭିବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ପ୍ରାଣୀସଂପଦର ସୁରକ୍ଷା ଓ ବିକାଶ ନିମନ୍ତେ ପ୍ରାଣୀଚିକିତ୍ସା ସେବାର ଆଧୁନିକୀକରଣ ଓ ଉନ୍ନତ ମାନର ଔଷଧ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଭାଗର ଯୋଜନାର କାର୍ଯ୍ୟକାରିତାକୁ ସରଳ କରିବା ସହିତ ସ୍ୱଚ୍ଛତା ଆଣିବା ପାଇଁ ପ୍ରଚଳିତ ଗୋ-ସୁଗମ ପୋର୍ଟାଲକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ୫୦୦ ଟିକିଆ ଏବଂ ହଜାରେ ଟିକିଆ ବ୍ରଏଲର କୁକୁଡ଼ା ପାଳନ, ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୨ ହଜାର ଟିକିଆ ବ୍ରଏଲର କୁକୁଡ଼ା ପାଳନ, ୧୦୦୦ ଟିକିଆ ବ୍ରଏଲର କୁକୁଡ଼ା, ୧୦୦୦ ଟିକିଆ ଅଣ୍ଡାଦିଆ କୁକୁଡ଼ା ପାଳନ ସମେତ ୧୦୦୦ ଟିକିଆ ଅର୍ଦ୍ଧବାଣିଜି୍ୟକ ବତକ ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୩୦ଟିକିଆ ଓ ୧୦ ଟିକିଆ ଛେଳି, ଅର୍ଦ୍ଧବାଣିଜି୍ୟକ ଘୁଷୁରୀ ପାଳନ ଆଦି ଯୋଜନା ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା ।

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଟିକାକରଣ, ଭିତ୍ତିଭୂମିର ବିକାଶ, ବିଭିନ୍ନ ପ୍ରାଣୀ କଲ୍ୟାଣ ଯୋଜନାର ଅଗ୍ରଗତି, ବେସରକାରୀ ଗୋଶାଳା ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ, ଆନିମଲ୍‌ ହେଲପ୍‌ଲାଇନ୍‌ ଏବଂ ପ୍ରାଣୀ ପ୍ରଜନନ ନିୟନ୍ତ୍ରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସିଡିଭିଓ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଗୋ-ମହିଷାଦିଙ୍କ କିଣାବିକା ନେଇ ରାଜ୍ୟ ସରକାର କରିବେ କଟକଣା

ଭୁବନେଶ୍ୱର: ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଦେଖାଦେଇଥିବା ଚର୍ମବିଣ୍ଡି ରୋଗର ବର୍ତ୍ତମାନ ସ୍ଥିତି ଓ ଏ ପରିପ୍ରେକ୍ଷୀରେ ଗୋମହିଷାଦିଙ୍କ କିଣାବିକା ଓ ରାଜ୍ୟ ଭିତରେ ରାଜ୍ୟ ବାହାରେ ଗୋମହିଷାଦିଙ୍କ ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କୃଷିଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କଠାରୁ ଜିଲ୍ଲାର ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସଂପର୍କରେ ବୁଝିଥିଲେ ଏବଂ କଟକଣା ଉଠାଇବା ଓ ଗୋମହିଷାଦି ହାଟର ଆୟୋଜନ ସଂପର୍କରେ ମତାମତ ଲୋଡ଼ିଥିଲେ।

ବୈଠକରେ ସୀମାନ୍ତବର୍ତ୍ତୀ ଜିଲ୍ଲାର ସିଡିଭିଓମାନଙ୍କୁ ପଡ଼ୋଶୀ ଜିଲ୍ଲାରେ ଚର୍ମବିଣ୍ଡି ରୋଗର ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ସିଡିଭିଓ ଏବଂ ବରିଷ୍ଠ ଅଧିକାରୀଙ୍କ ମତାମତକୁ ତର୍ଜମା କରି ଖୁବ୍‌ଶୀଘ୍ର ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ଚର୍ମବିଣ୍ଡି ରୋଗ ନ ବ୍ୟାପିବା ଦିଗରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଗୋମହିଷାଦିଙ୍କ କିଣାବିକା ଓ ଆନ୍ତରାଜ୍ୟ ଓ ରାଜ୍ୟ ବାହାରେ ପରିବହନ ଉପରେ ଜାରି କରାଯାଇଥିବା କଟକଣା ଉଠାଇବା ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀକୁ ପୁରଣ କରାଯିବ, ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଭାଗର ଲୋକାଭିମୁଖୀ କାର୍ଯ୍ୟକ୍ରମର ସୁଫଳ ଆନୁଷଙ୍ଗିକ କୃଷି ସହ ଜଡ଼ିତ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଖାଲିଥିବା ମୂଳ ପଦବୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ।

ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ଏବଂ ଓଡ଼ିଶା ସବ୍‌ଅର୍ଡ଼ିନେଟ୍‌ ଷ୍ଟାଫ ସିଲେକ୍ସନ୍‌ ଦ୍ୱାରା ଲିଖିତ ଓ ମୌଖିକ ପରୀକ୍ଷା କରାଯାଇ ପଦବୀ ପୂରଣ କରାଯାଉଥିବା ପରିପ୍ରେକ୍ଷୀରେ ଏ ଦିଗରେ ଆୟୋଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଖାଲିଥିବା ବିଭିନ୍ନ ପଦବୀ ପୂରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ୧୭୭ଟି ସହକାରୀ ମତ୍ସ୍ୟ ଅଧିକାରୀ ପଦବୀ ନିମନ୍ତେ ଚୟନ ପ୍ରକି୍ରୟା ଆରମ୍ଭ ହୋଇଛି । ସେହିପରି ୬୭ଟି ଜୁନିଅର ଫିସରିଜ୍‌ ଟେକ୍‌ନିକାଲ୍‌ ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ଷ୍ଟାଫ ସିଲେକ୍‌ସନ୍‌ କମିଶନ ଦ୍ୱାରା ଲିଖିତ ପରୀକ୍ଷା କରାଯାଇଛି।

ମତ୍ସ୍ୟ ନିର୍ଦ୍ଦେଶାଳୟ ଅଧୀନରେ ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଖାଲି ହେଉଥିବା ସହକାରୀ ମତ୍ସ୍ୟ ଅଧିକାରୀ ଓ ଜୁନିଅର ଫିସରିଜ୍‌ ଟେକ୍‌ନିକାଲ୍‌ ଆସିଷ୍ଟାଣ୍ଟ ପଦବୀ ତାଲିକା ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରି ପଦବୀ ପୂରଣ ନିମନ୍ତେ କ୍ଷମତାସଂପନ୍ନ କମିଟି ସମ୍ମୁଖରେ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସବ୍‌ଅର୍ଡ଼ିନେଟ୍‌ ଷ୍ଟାଫ ସିଲେକ୍‌ସନ୍‌ କମିଶନ ଦ୍ୱାରା ମତ୍ସ୍ୟ ନିର୍ଦ୍ଦେଶାଳୟର ୧୯ଟି ଜୁନିଅର କ୍ଲର୍କ ପଦବୀ ପୂରଣ ନିମନ୍ତେ ସାର୍ଟିଫିକେଟ୍‌ ଯାଞ୍ଚ କାର୍ଯ୍ୟ କରାଯିବା ପରେ ତାଲିକା ଚୂଡ଼ାନ୍ତ କରାଯିବ।

ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ଅଧୀନରେ ୩୫୧ଟି ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ମୌଖିକ ପରୀକ୍ଷା କରାଯାଇ ପ୍ରାର୍ଥୀ ତାଲିକା ସୁପାରିଶ କରାଯିବ। ଏତଦ୍‌ବ୍ୟତୀତ ୪୫୪ଟି ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପୂରଣ ନିମନ୍ତେ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୫୬୫ଟି ପ୍ରାଣୀସଂପଦ ନିରୀକ୍ଷକ (ଏଲ୍‌ଆଇ) ପଦବୀରେ ନିଯୁକ୍ତି ନିମନ୍ତେ ଲିଖିତ ଓ ଶାରୀରିକ ପରୀକ୍ଷା ଶେଷ ହୋଇଛି ଓ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ୭୧୯ଟି ଏଲ୍‌ଆଇ ପଦବୀ ପୂରଣ ନିମନ୍ତେ ସବଅର୍ଡ଼ିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌କୁ ଅନୁରୋଧ କରାଯାଇଛି। ବୈଠକରେ ୭୧୯ଟି ଏଲ୍‌ଆଇ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶନ ନିମନ୍ତେ ଆୟୋଗର ସଚିବଙ୍କୁ ଅନୁରୋଧ କରାଯାଇଥିଲା।
ବିଭିନ୍ନ ଅଦାଲତରେ ମକଦ୍ଦମା ଯୋଗୁଁ ପଦବୀ ପୂରଣ ଦିଗରେ ବାଧା ସୃଷ୍ଟି ହେଉଥିବାରୁ ବିଭାଗ ପକ୍ଷରୁ ଆଇନ ପରାମର୍ଶଦାତା ନିଯୁକ୍ତି କରିବା ସହିତ ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଡ଼୍‌ଭୋକେଟ୍‌ ଜେନେରାଲଙ୍କୁ ଅନୁରୋଧ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଶ୍ୱମୋହନ ରାୟ, ଶ୍ରୀ ସୁମନ ବେହେରା ଓ ଶ୍ରୀ ଗଙ୍ଗାଧର ନାୟକ, ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ ଆୟୋଗର ସଚିବମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାଣୀସଂପଦ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଠା କରିବାକୁ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରାଣୀସଂପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି।

କୃଷି ଭବନଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଘର ଅଗଣାରେ କୁକୁଡ଼ା ପାଳନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦ୍ୱାରା ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର, ମହିଳା, ଜନଜାତି ଚାଷୀମାନଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଅଣକାର୍ଯ୍ୟକ୍ଷମ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗୀୟ ଫାର୍ମଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକର ବିକାଶ ଓ ସଂଖ୍ୟା ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଚାଷୀମାନଙ୍କ ସଚେତନତା ବୃଦ୍ଧି ନିମନ୍ତେ ବିଭାଗୀୟ ସୂଚନା, ଶିକ୍ଷା, ପ୍ରସାରଣ କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏଥି ସହିତ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛତା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଏବଂ ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଖାଲିଥିବା ବିଭାଗୀୟ ପଦବୀଗୁଡ଼ିକର ପୂରଣ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନ ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ଏବଂ ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ୧୯୬୨ ଦିନରାତି ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ।

ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣୀସଂପଦ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟର ଚାଷୀ ମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଛି ଏବଂ ରାଜ୍ୟ ସରକାର ସେମାନଙ୍କ ପ୍ରାଣୀସଂପଦକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ବାରା ଏହି କାର୍ଯ୍ୟକ୍ରମ ଆହୁରି ଦୃଢ ହେବା ସହିତ ପ୍ରାଣୀପାଳକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ ।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଟୋଲ୍‌ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। ରାଜ୍ୟର ୧୧ଟି ସହରରେ ଆନିମଲ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି ଏବଂ ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମ (Fisheries & Animal Resources Mapping System)ର ଶୁଭାରମ୍ଭ ମଧ୍ୟ କରିଛନ୍ତି। ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍‌ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ଅବସରରେ BAIF Institute ସହିତ ଏକ ବୂଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ । ଏହାସହିତ ଗୋପାଳପୁର ଠାରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଭେକ୍‌ଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀସଂପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମ ପ୍ରାଣୀପାଳକ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନର-ତଥା-ସଚିବ ଏବଂ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।