ପ୍ରାଣୀସଂପଦ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଠା କରିବାକୁ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶ

Published: Jun 10, 2022, 11:44 am IST

ଭୁବନେଶ୍ୱର: ପ୍ରାଣୀସଂପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି।

କୃଷି ଭବନଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଘର ଅଗଣାରେ କୁକୁଡ଼ା ପାଳନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦ୍ୱାରା ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର, ମହିଳା, ଜନଜାତି ଚାଷୀମାନଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଅଣକାର୍ଯ୍ୟକ୍ଷମ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗୀୟ ଫାର୍ମଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକର ବିକାଶ ଓ ସଂଖ୍ୟା ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଚାଷୀମାନଙ୍କ ସଚେତନତା ବୃଦ୍ଧି ନିମନ୍ତେ ବିଭାଗୀୟ ସୂଚନା, ଶିକ୍ଷା, ପ୍ରସାରଣ କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏଥି ସହିତ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛତା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଏବଂ ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଖାଲିଥିବା ବିଭାଗୀୟ ପଦବୀଗୁଡ଼ିକର ପୂରଣ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts