Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା, ଦ୍ବିତୀୟରେ ନୟାଗଡ

ଭୁବନେଶ୍ବର: ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆୟବୃଦ୍ଧି ନିମନ୍ତେ କୃଷି କାର୍ଯ୍ୟ ସହିତ ମାଛଚାଷ ଓ ପ୍ରାଣୀପାଳନର ଆବଶ୍ୟକତା ରହିଛି । ଏହି କ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି।

ଏହା ଦ୍ୱାରା ବର୍ଷସାରା ରୋଜଗାର ମିଳିବା ସହିତ ନିରନ୍ତର ଆୟର ଉତ୍ସ ସୃଷ୍ଟି ହୋଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଗତକାଲି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ମାଛ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ଚତୁର୍ଥ ସ୍ଥାନ ଅଧିକାର କରିଛି।

ତେବେ ବୈଜ୍ଞାନିକ ପଦ୍ଧତି ଓ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରାଜ୍ୟରେ ଉପଲବ୍ଧ ଜଳଉତ୍ସରୁ ବିପୁଳ ପରିମାଣର ମାଛ ଉତ୍ପାଦନ କରିବାର ସୁଯୋଗ ରହିଛି। ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହ ରାଜ୍ୟବାସୀଙ୍କୁ ଅଧିକ ପରିମାଣର ପ୍ରାଣୀଜ ପ୍ରୋଟିନ୍‌ ମିଳିପାରିବ। ଉନ୍ନତ ଜ୍ଞାନକୌଶଳସଂପନ୍ନ ବାୟୋଫ୍ଲକ୍‌ ମାଛଚାଷ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବେଶ୍‌ ଉତ୍ସାହଜନକ ଏବଂ ଏହା ଅଚିରେ ଓଡ଼ିଶାକୁ ମାଛ ଉତ୍ପାଦନରେ ତୃତୀୟ ସ୍ଥାନକୁ ଉନ୍ନୀତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପୋଷଣ କରିଥିଲେ।

ଏଥି ସହିତ ମତ୍ସ୍ୟ ଓ ପ୍ରାଣୀପାଳନ ସହ ଜଡ଼ିତ କୃଷକମାନଙ୍କ ସଫଳ କାହାଣୀକୁ ଲୋକଲୋଚନକୁ ଆଣି ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଲେ ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ସଂପ୍ରତି ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଛଚାଷ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ସେ କହିଥିଲେ।

ବୈଠକର ବିବରଣୀରୁ ପ୍ରକାଶ ଯେ ମଧୁର ଜଳ ମାଛ ଉତ୍ପାଦନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ସବୁଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ କଟକ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେହିପରି ସାମୁଦି୍ରକ ମତ୍ସ୍ୟ କ୍ଷେତ୍ରରେ ଗଞ୍ଜାମ କ୍ଷେତ୍ର ସର୍ବୋତ୍ତମ ସଫଳତା ପାଇଥିବାବେଳେ କୁଜଙ୍ଗ ସାମୁଦି୍ରକ କ୍ଷେତ୍ର ଏବଂ ବିଟି ବାଲୁଗାଁ କ୍ଷେତ୍ର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଜିଲ୍ଲା ନୋଡ଼ାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ଉଭୟ ପ୍ରାଣୀସଂପଦ ବିକାଶ ଏବଂ ମତ୍ସ୍ୟ ବିଭାଗର ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ କହିଥିଲେ। ଏଥି ସହିତ ପ୍ରତି ମାସର ଚାରି ତାରିଖରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଏବଂ ମାସର ୧୦ ତାରିଖରେ ନିର୍ଦ୍ଦେଶକଙ୍କ ସ୍ତରରେ ସମୀକ୍ଷା ବୈଠକ କରି ଏହାର ରିପୋର୍ଟ ବିଭାଗକୁ ମାସର ୧୫ ତାରିଖ ସୁଦ୍ଧା ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାଛ ଜାଅଁଳ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିଛି ବୋଲି ଶ୍ରୀ ବଶିଷ୍ଠ ପ୍ରକାଶ କରିଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ସମେତ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବାୟୋଫ୍ଲକ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମାଛଚାଷ ପାଇଁ ଦିଆଯାଉଥିବା ଇନ୍‌ପୁଟ ସହାୟତା, ମତ୍ସ୍ୟଚାଷ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ସେହିପରି ଅପରାହ୍ନରେ ପ୍ରାଣୀସଂପଦ ବିକାଶ ବିଭାଗର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟକଲେ କୃଷକଙ୍କ ଆୟକୁ ବହୁଗୁଣିତ କରିହେବ । ଏ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଭିବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ପ୍ରାଣୀସଂପଦର ସୁରକ୍ଷା ଓ ବିକାଶ ନିମନ୍ତେ ପ୍ରାଣୀଚିକିତ୍ସା ସେବାର ଆଧୁନିକୀକରଣ ଓ ଉନ୍ନତ ମାନର ଔଷଧ ସଂଗ୍ରହ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଭାଗର ଯୋଜନାର କାର୍ଯ୍ୟକାରିତାକୁ ସରଳ କରିବା ସହିତ ସ୍ୱଚ୍ଛତା ଆଣିବା ପାଇଁ ପ୍ରଚଳିତ ଗୋ-ସୁଗମ ପୋର୍ଟାଲକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ୫୦୦ ଟିକିଆ ଏବଂ ହଜାରେ ଟିକିଆ ବ୍ରଏଲର କୁକୁଡ଼ା ପାଳନ, ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୨ ହଜାର ଟିକିଆ ବ୍ରଏଲର କୁକୁଡ଼ା ପାଳନ, ୧୦୦୦ ଟିକିଆ ବ୍ରଏଲର କୁକୁଡ଼ା, ୧୦୦୦ ଟିକିଆ ଅଣ୍ଡାଦିଆ କୁକୁଡ଼ା ପାଳନ ସମେତ ୧୦୦୦ ଟିକିଆ ଅର୍ଦ୍ଧବାଣିଜି୍ୟକ ବତକ ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୩୦ଟିକିଆ ଓ ୧୦ ଟିକିଆ ଛେଳି, ଅର୍ଦ୍ଧବାଣିଜି୍ୟକ ଘୁଷୁରୀ ପାଳନ ଆଦି ଯୋଜନା ସଂପର୍କରେ ବିଶଦ ଭାବରେ ସମୀକ୍ଷା କରାଯାଇଥିଲା ।

ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବାବେଳେ ନୟାଗଡ଼ ଓ ରାୟଗଡ଼ା ଜିଲ୍ଲା ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ କ୍ଷେତ୍ରରେ ଟିକାକରଣ, ଭିତ୍ତିଭୂମିର ବିକାଶ, ବିଭିନ୍ନ ପ୍ରାଣୀ କଲ୍ୟାଣ ଯୋଜନାର ଅଗ୍ରଗତି, ବେସରକାରୀ ଗୋଶାଳା ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ, ଆନିମଲ୍‌ ହେଲପ୍‌ଲାଇନ୍‌ ଏବଂ ପ୍ରାଣୀ ପ୍ରଜନନ ନିୟନ୍ତ୍ରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।

ବୈଠକରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସିଡିଭିଓ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାଣୀସଂପଦ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଠା କରିବାକୁ ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରାଣୀସଂପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଥିବାରୁ ବିଭାଗୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି।

କୃଷି ଭବନଠାରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଘର ଅଗଣାରେ କୁକୁଡ଼ା ପାଳନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦ୍ୱାରା ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର, ମହିଳା, ଜନଜାତି ଚାଷୀମାନଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଅଣକାର୍ଯ୍ୟକ୍ଷମ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗୀୟ ଫାର୍ମଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକର ବିକାଶ ଓ ସଂଖ୍ୟା ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଚାଷୀମାନଙ୍କ ସଚେତନତା ବୃଦ୍ଧି ନିମନ୍ତେ ବିଭାଗୀୟ ସୂଚନା, ଶିକ୍ଷା, ପ୍ରସାରଣ କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏଥି ସହିତ ଯୋଜନାଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛତା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା ଏବଂ ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଖାଲିଥିବା ବିଭାଗୀୟ ପଦବୀଗୁଡ଼ିକର ପୂରଣ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।