ଏଣିକି ଗୋ-ମହିଷାଦିଙ୍କ କିଣାବିକା ନେଇ ରାଜ୍ୟ ସରକାର କରିବେ କଟକଣା

Published: Apr 5, 2023, 8:18 am IST
Animal

ଭୁବନେଶ୍ୱର: ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଦେଖାଦେଇଥିବା ଚର୍ମବିଣ୍ଡି ରୋଗର ବର୍ତ୍ତମାନ ସ୍ଥିତି ଓ ଏ ପରିପ୍ରେକ୍ଷୀରେ ଗୋମହିଷାଦିଙ୍କ କିଣାବିକା ଓ ରାଜ୍ୟ ଭିତରେ ରାଜ୍ୟ ବାହାରେ ଗୋମହିଷାଦିଙ୍କ ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କୃଷିଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କଠାରୁ ଜିଲ୍ଲାର ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସଂପର୍କରେ ବୁଝିଥିଲେ ଏବଂ କଟକଣା ଉଠାଇବା ଓ ଗୋମହିଷାଦି ହାଟର ଆୟୋଜନ ସଂପର୍କରେ ମତାମତ ଲୋଡ଼ିଥିଲେ।

ବୈଠକରେ ସୀମାନ୍ତବର୍ତ୍ତୀ ଜିଲ୍ଲାର ସିଡିଭିଓମାନଙ୍କୁ ପଡ଼ୋଶୀ ଜିଲ୍ଲାରେ ଚର୍ମବିଣ୍ଡି ରୋଗର ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ସିଡିଭିଓ ଏବଂ ବରିଷ୍ଠ ଅଧିକାରୀଙ୍କ ମତାମତକୁ ତର୍ଜମା କରି ଖୁବ୍‌ଶୀଘ୍ର ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ଚର୍ମବିଣ୍ଡି ରୋଗ ନ ବ୍ୟାପିବା ଦିଗରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଗୋମହିଷାଦିଙ୍କ କିଣାବିକା ଓ ଆନ୍ତରାଜ୍ୟ ଓ ରାଜ୍ୟ ବାହାରେ ପରିବହନ ଉପରେ ଜାରି କରାଯାଇଥିବା କଟକଣା ଉଠାଇବା ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Related posts