Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଗୋ-ମହିଷାଦିଙ୍କ କିଣାବିକା ନେଇ ରାଜ୍ୟ ସରକାର କରିବେ କଟକଣା

ଭୁବନେଶ୍ୱର: ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଦେଖାଦେଇଥିବା ଚର୍ମବିଣ୍ଡି ରୋଗର ବର୍ତ୍ତମାନ ସ୍ଥିତି ଓ ଏ ପରିପ୍ରେକ୍ଷୀରେ ଗୋମହିଷାଦିଙ୍କ କିଣାବିକା ଓ ରାଜ୍ୟ ଭିତରେ ରାଜ୍ୟ ବାହାରେ ଗୋମହିଷାଦିଙ୍କ ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କୃଷିଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କଠାରୁ ଜିଲ୍ଲାର ଚର୍ମବିଣ୍ଡି ରୋଗର ସଦ୍ୟତମ ସ୍ଥିତି ସଂପର୍କରେ ବୁଝିଥିଲେ ଏବଂ କଟକଣା ଉଠାଇବା ଓ ଗୋମହିଷାଦି ହାଟର ଆୟୋଜନ ସଂପର୍କରେ ମତାମତ ଲୋଡ଼ିଥିଲେ।

ବୈଠକରେ ସୀମାନ୍ତବର୍ତ୍ତୀ ଜିଲ୍ଲାର ସିଡିଭିଓମାନଙ୍କୁ ପଡ଼ୋଶୀ ଜିଲ୍ଲାରେ ଚର୍ମବିଣ୍ଡି ରୋଗର ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ସିଡିଭିଓ ଏବଂ ବରିଷ୍ଠ ଅଧିକାରୀଙ୍କ ମତାମତକୁ ତର୍ଜମା କରି ଖୁବ୍‌ଶୀଘ୍ର ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ଚର୍ମବିଣ୍ଡି ରୋଗ ନ ବ୍ୟାପିବା ଦିଗରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଗୋମହିଷାଦିଙ୍କ କିଣାବିକା ଓ ଆନ୍ତରାଜ୍ୟ ଓ ରାଜ୍ୟ ବାହାରେ ପରିବହନ ଉପରେ ଜାରି କରାଯାଇଥିବା କଟକଣା ଉଠାଇବା ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଭିନ୍ନ ରାଜ୍ୟରେ ଗୋରୁଗାଈଙ୍କୁ ଲମ୍ପି ଭାଇରସ ସଂକ୍ରାମଣ, ଓଡିଶାରେ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ବର: ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ବା ଲମ୍ପି ସ୍କିନ୍‌ ରୋଗରେ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ ଦିଗରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ଗୋମହିଷାଦିଙ୍କୁ ଯେପରି ଚର୍ମବିଣ୍ଡି ରୋଗ ବ୍ୟାପି ନପାରେ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶାଳୟ ସମେତ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ସମସ୍ତ ୧୪ଟି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନଙ୍କୁ ଚର୍ମବିଣ୍ଡି ରୋଗ ପ୍ରତିରୋଧ ନିମନ୍ତେ ମାର୍ଗଦର୍ଶିକା ପଠାଯାଇଥିଲା ଓ ଏ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସାମିଲ କରି ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଏଥି ସହିତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସଚିବ ପ୍ରଭାବିତ ପଡ଼ୋଶୀ ରାଜ୍ୟର ପ୍ରାଣୀସଂପଦ ବିକାଶ ବିଭାଗର ସଚିବଙ୍କ ସହିତ ନିୟମିତ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ସେହିପରି ସୀମାବର୍ତ୍ତୀ ଜିଲ୍ଲାର ସିଡ଼ିଭିଓମାନେ ପଡ଼ୋଶୀ ରାଜ୍ୟର ସିଡ଼ିଭିଓମାନଙ୍କ ସହିତ ନିୟମିତ ସଂପର୍କରେ ରହି ସେଠାକାର ସ୍ଥିତିର ଅନୁଧ୍ୟାନ କରିବା ସହିତ ସେଠାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ।

ବିଭାଗରେ ଉପଲବ୍ଧ ଥିବା ଭ୍ୟାକ୍‌ସିନ୍‌କୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଆଗୁଆ ମହଜୁଦ୍‌ ରଖିବା ପାଇଁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସିଡ଼ିଭିଓମାନେ ସମ୍ବେଦନଶୀଳ ଗ୍ରାମପଞ୍ଚାୟତ ଓ ଗ୍ରାମର ତାଲିକା ଓ ସେଠାରେ ଥିବା ଗୋମହିଷାଦିଙ୍କ ଟୀକାକରଣ ନିମନ୍ତେ ବିସ୍ତୃତ ସୂଚନା ତୁରନ୍ତ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିବାବେଳେ ସମସ୍ତ ଜିଲ୍ଲାର ସିଡ଼ିଭିଓ, ଏଡ଼ିଭିଓମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।