ଚାକିରିଆଙ୍କ ପାଇଁ ଜରୁରୀ ଖବର। ପ୍ରତି ମାସରେ ଦରମାରୁ କଟୁଥିବା PF ଟଙ୍କାକୁ ନେଇ କମ୍ପାନୀଗୁଡ଼ିକୁ ସତର୍କ କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)। ଅକ୍ଟୋବର ୨୦୨୬ ଦରମା ମାସର PF ଅବଦାନ ଜମା କରିବା ଏବଂ ଇଲେକ୍ଟ୍ରୋନିକ୍ ଚାଲାଣ-କମ୍-ରିଟର୍ଣ୍ଣ (ECR) ଦାଖଲ ପାଇଁ ନଭେମ୍ବର ୧୫ ତାରିଖକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଧାର୍ଯ୍ୟ ସମୟରେ ଟଙ୍କା ଜମା ନକଲେ କମ୍ପାନୀକୁ ସୁଧ ସହ ଜରିମାନା ଦେବାକୁ ପଡ଼ିପାରେ।
କମ୍ପାନୀଗୁଡ଼ିକୁ EPFOର ଚେତାବନୀ
ନଭେମ୍ବର ୧୨ ତାରିଖରେ EPFO ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ନିଯୁକ୍ତିଦାତା ଓ କମ୍ପାନୀଗୁଡ଼ିକୁ ମନେ ପକାଇ ଦେଇଛି ଯେ ଅକ୍ଟୋବର ମାସର PF ଅବଦାନ ନଭେମ୍ବର ୧୫ ସୁଦ୍ଧା ଜମା କରିବାକୁ ହେବ। ଏହାଦ୍ୱାରା କର୍ମଚାରୀଙ୍କ PF ଆକାଉଣ୍ଟରେ ଠିକ୍ ସମୟରେ ଟଙ୍କା ଜମା ହୋଇପାରିବ।
ଏହି ନିୟମ EPF ଅଧୀନରେ ଆସୁଥିବା ସମସ୍ତ କମ୍ପାନୀ ଓ ପ୍ରତିଷ୍ଠାନ ପାଇଁ ଲାଗୁ ହେବ। ତେଣୁ ନିଯୁକ୍ତିଦାତାମାନେ କର୍ମଚାରୀଙ୍କ ଦରମା, UAN ଓ PF ଅବଦାନ ସମ୍ପର୍କିତ ତଥ୍ୟ ଯାଞ୍ଚ କରି ସମୟସୀମା ମଧ୍ୟରେ ଜମା କରିବାକୁ ପଡ଼ିବ।
କ’ଣ ଏହି ECR?
ECRର ଅର୍ଥ ହେଉଛି ଇଲେକ୍ଟ୍ରୋନିକ୍ ଚାଲାଣ-କମ୍-ରିଟର୍ଣ୍ଣ। ଏହା ଏକ ମାସିକ ରିପୋର୍ଟ, ଯାହା କମ୍ପାନୀ EPFO ପୋର୍ଟାଲରେ ଦାଖଲ କରିଥାଏ। ଏଥିରେ କର୍ମଚାରୀଙ୍କ ଦରମା, PF କଟାଯାଇଥିବା ଟଙ୍କା ଏବଂ କମ୍ପାନୀର ଅବଦାନ ସମ୍ପର୍କିତ ତଥ୍ୟ ରହିଥାଏ। ECR ଦାଖଲ ଓ ଚାଲାଣ ପେମେଣ୍ଟ ପରେ ନିୟମ ଅନୁଯାୟୀ PF, ପେନସନ୍ (EPS) ଓ EDLI ଅବଦାନ ଜମା ହୋଇଥାଏ।
ବିଳମ୍ବ ହେଲେ ୧୨% ସୁଧ, ଜରିମାନା ମଧ୍ୟ ଗଣିବେ
ଧାର୍ଯ୍ୟ ସମୟରେ PF ଟଙ୍କା ଜମା ନକଲେ କମ୍ପାନୀ ଉପରେ ଆର୍ଥିକ ବୋଝ ବଢ଼ିବ। EPF ଆଇନର ଧାରା ୭Q ଅନୁଯାୟୀ ବକେୟା ରାଶି ଉପରେ ବାର୍ଷିକ ୧୨% ହାରରେ ସୁଧ ଆଦାୟ ହୋଇଥାଏ। ଏହାସହ ଧାରା ୧୪B ଅନୁଯାୟୀ ବିଳମ୍ବର ସମୟ ଅନୁସାରେ କ୍ଷତିପୂରଣ ଆଦାୟ ହୋଇପାରେ।
PF ଜମାରେ ବିଳମ୍ବ ପାଇଁ ଜରିମାନା
– ୨ ମାସରୁ କମ୍ ବିଳମ୍ବ: ବାର୍ଷିକ ୫%
– ୨ରୁ ୪ ମାସରୁ କମ୍: ବାର୍ଷିକ ୧୦%
– ୪ରୁ ୬ ମାସରୁ କମ୍: ବାର୍ଷିକ ୧୫%
– ୬ ମାସରୁ ଅଧିକ: ବାର୍ଷିକ ୨୫%
ଆପଣଙ୍କ PF ଟଙ୍କା ଜମା ହୋଇଛି କି ନାହିଁ କେମିତି ଜାଣିବେ?
କେବଳ ଦରମା ସ୍ଲିପ୍ରେ PF ଟଙ୍କା କଟିଥିବା ଦେଖି ନିଶ୍ଚିନ୍ତ ହୁଅନ୍ତୁ ନାହିଁ। କମ୍ପାନୀ ପ୍ରକୃତରେ ଟଙ୍କା ଜମା କରିଛି କି ନାହିଁ, ତାହା ଯାଞ୍ଚ କରନ୍ତୁ।
ଏଥିପାଇଁ EPFOର ଅଫିସିଆଲ୍ ୱେବସାଇଟ୍ରେ ଥିବା Member e-Passbook ସୁବିଧା ବ୍ୟବହାର କରନ୍ତୁ।
1. EPFOର ସଦସ୍ୟ ପୋର୍ଟାଲକୁ ଯାଆନ୍ତୁ।
2. UAN ଓ ପାସୱାର୍ଡ ଦେଇ ଲଗ୍ଇନ୍ କରନ୍ତୁ।
3. View ଅପ୍ସନ୍ରୁ Passbook ଚୟନ କରନ୍ତୁ।
4. ପ୍ରତି ମାସର PF ଅବଦାନ ଓ ଜମା ହୋଇଥିବା ରାଶି ଯାଞ୍ଚ କରନ୍ତୁ।
ତେଣୁ ଚାକିରିଆମାନେ ନିଜ PF ପାସବୁକ୍ ନିୟମିତ ଯାଞ୍ଚ କରିବା ସହ କମ୍ପାନୀ ଠିକ୍ ସମୟରେ ଟଙ୍କା ଜମା କରୁଛି କି ନାହିଁ ନଜର ରଖିବା ଜରୁରୀ।


