ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖଳବାଡ଼ିଆ ଗ୍ରାମରେ ଚାଲିଥିବା କାଳୀପୂଜା ମେଳାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ସଟ୍ସର୍କିଟ୍ କାରଣରୁ ନିଆଁ ଲାଗି ମେଳା ପରିସରରେ ଥିବା ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ସୂଚନା ଅନୁଯାୟୀ, ଖଳବାଡ଼ିଆ ଗ୍ରାମରେ କାଳୀପୂଜା ଅବସରରେ ଆୟୋଜିତ ମେଳାରେ ଅନେକ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ପସରା ମେଲାଇଥିଲେ। ତେବେ ହଠାତ୍ ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ଗୋଟିଏ ଦୋକାନରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିବା ସହ ପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକୁ ମଧ୍ୟ ବ୍ୟାପିଯାଇଥିଲା। ନିଆଁର ଲେଲିହାନ ଶିଖା ଦେଖି ମେଳା ପରିସରରେ ଉପସ୍ଥିତ ଥିବା ଲୋକେ ଓ ବ୍ୟବସାୟୀମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ପାଣି ଢାଳି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ନିଆଁର ତୀବ୍ରତା ଅଧିକ ଥିବାରୁ ତାହା ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରିନଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ତେବେ ସେତେବେଳକୁ ୧୦ରୁ ଊର୍ଦ୍ଧ୍ୱ ଦୋକାନରେ ଥିବା ସମସ୍ତ ଜିନିଷପତ୍ର ଓ ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଥିଲା। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ମେଳାର ଅନ୍ୟାନ୍ୟ ଅଂଶକୁ ନିଆଁ ବ୍ୟାପିବାରୁ ରକ୍ଷା ପାଇଯାଇଥିଲା ଏବଂ ଏକ ବଡ଼ ଧରଣର ଅଘଟଣ ଟଳିଯାଇଥିଲା। ଏହି ଘଟଣାରେ କୌଣସି ଜୀବନହାନି ଘଟିନଥିବା ବେଳେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।


