ଭୋଗରାଇ: କାଳୀପୂଜା ମେଳାରେ ହଠାତ୍ ଅଗ୍ନିକାଣ୍ଡ। ଆଖି ପିଛୁଳାକେ ଜଳିଗଲା ୧୦ରୁ ଅଧିକ ଅସ୍ଥାୟୀ ଦୋକାନ। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଦୋକାନରେ ଥିବା ସାମଗ୍ରୀ ବଞ୍ଚାଇବାକୁ ସୁଯୋଗ ପାଇଲେନି ବ୍ୟବସାୟୀ। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଖଳାବଡ଼ିଆ ଗ୍ରାମସ୍ଥିତ ଭୋଗରାଇ ଲକ୍ ନିକଟ କାଳୀପୂଜା ମେଳାରେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ଭୋଗରାଇ ଲକ୍ ନିକଟରେ ଚାଲିଥିଲା କାଳୀପୂଜା ମେଳା। ମେଳାକୁ ଶହ ଶହ ଲୋକଙ୍କ ଆଗମନ ହେଉଥିବାରୁ ଖୋଲିଥିଲା ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନ। ତେବେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ଗୋଟିଏ ଦୋକାନରୁ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହା ପାଖ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା।
ନିଆଁର ଭୟାବହତା ଦେଖି ମେଳା ପରିସରରେ ଆତଙ୍କ ଖେଳିଯାଇଥିଲା। ଦୋକାନୀମାନେ ନିଜ ସାମଗ୍ରୀ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅନେକଙ୍କୁ ସେଥିରେ ସଫଳତା ମିଳିନଥିଲା। ଅଳ୍ପ ସମୟ ମଧ୍ୟରେ ୧୦ରୁ ଅଧିକ ଦୋକାନ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଭୋଗରାଇ ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ୧୦ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଥିଲା। ପ୍ରାଥମିକ ଭାବେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଅନ୍ୟପଟେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ଦୋକାନୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।


