Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦ୍ୟାନ କୃଷିର ଅମଳ ପରିଚାଳନା ଏବଂ ବିପଣନ ସହାୟତା ପାଇଁ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ

କାକଟପୁର/ଭୁବନେଶ୍ୱର: ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ଯୋଜନାରେ ‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ ସହାୟତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

କାକଟପୁର ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଫସଲ ଉତ୍ପାଦନ, ଅମଳ, ବିକି୍ରବଟା ନିମନ୍ତେ ବଜାରକୁ ନେବା ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିବହନଜନିତ କ୍ଷତି ଆଦି ସହିବାକୁ ପଡ଼ିଥାଏ। ମଜବୁତ୍‌ ପ୍ଲାଷ୍ଟିକ୍‌ କ୍ରେଟସ୍‌ରେ ପନିପରିବା ସାଇତି ରଖିବା ସହ ପରିବହନ କରିବା ସମୟରେ ପରିବାଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଦ୍ୱାରା ଚାଷୀମାନେ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକି୍ର କରିବାର ସୁଯୋଗ ପାଇଥାଆନ୍ତି।

ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ ଅମଳ ପରବର୍ତ୍ତୀ ପରିଚାଳନା କ୍ଷତି ହ୍ରାସ ପାଇବ। ଉଦ୍ୟାନ କୃଷି ଉତ୍ପାଦର ପ୍ରକି୍ରୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବିପଣନ ଦ୍ୱାରା ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ପାଇଁ ପର୍ଯ୍ୟାପ୍ତ ପରିସର ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ନିରନ୍ତର ଆୟ ଓ ଆୟବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥି ପାଇଁ ଚାଷୀମାନଙ୍କୁ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ମାନର ମଂଜି ଓ ଚାରା ଓ ଆନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣକୁ ବିଭାଗ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରବା ପାଇଁ ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବିପଣନ କ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପ୍ଲାଷ୍ଟିକ୍‌ କ୍ରେଟସ୍‌, ଶୀତଳିକରଣ ଗୃହ, ସବଜୀ କୁଲର, ପରିବହନ ଖର୍ଚ୍ଚ, ସଂରକ୍ଷଣ ଭଡ଼ା ଇତ୍ୟାଦି ବାବଦରେ ରାଜ୍ୟ ସରକାର ୭୦ରୁ ୯୦ ପ୍ରତିଶତ ରିହାତିର ବ୍ୟବସ୍ଥା କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ସଂଗଠନ ଏବଂ ସାଧାରଣ ଚାଷୀମାନଙ୍କ ପାଇଁ ଚଳିତ ବର୍ଷ ୧୦ ଲକ୍ଷ ପ୍ଲାଷ୍ଟିକ୍‌ କ୍ରେଟସ୍‌ ଶତକଡ଼ା ୯୦ ଭାଗ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରେ ହାରାହାରି ୩୨୦୦ ଟି ପ୍ଲାଷ୍ଟିକ୍‌ କ୍ରେଟସ୍‌ ହିସାବରେ ସମୁଦାୟ ୩୨୯୫୦ଟି କ୍ରେଟସ୍‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ନାୟକ, ଉଦ୍ୟାନ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଚିନ୍ଦ୍ରନାଥ ଭୋଳ, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁଳା ତ୍ରୀପାଠୀ, କାକଟପୁର ବିଡିଓ ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

କୁଜଙ୍ଗ: କୁଜଙ୍ଗ ବ୍ଳକ ସାଇଲୋ ଠାରେ ଆଜି ବ୍ଳକ ସ୍ତରୀୟ ଉଦ୍ୟାନ କୃଷୀ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଉଦ୍ୟାନ କୃଷୀ ବିଭାଗର ଅତିରିକ୍ତ ଉଦ୍ୟାନ କୃଷୀ ଅଧିକାରୀ ଉଷାରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ବୈଜ୍ଞାନିକ ଡକ୍ଟର ଦ୍ୱାରିକା ମୋହନ ଦାସ, ମୂର୍ତ୍ତିକା ସରଂକ୍ଷଣ ବିଭାଗର ବୈଜ୍ଞାନିକ ପ୍ରଦୀପ୍ତ ମାଝୀ, ଡକ୍ତର ଦେବାଶୀଷ ପଣ୍ଡା, କୃଷୀ ଅଧିକାରୀ ପ୍ରଦୋଷ ବେହେରା, ଜ୍ୟୋତ୍ସ୍ନାରାଣୀ ମନ୍ତ୍ରୀ, ସ୍ଥାନୀୟ ସରପଂଚ ସରୋଜ କୁମାର ସେଠୀ, ସମିତିସଭ୍ୟା ମନୀଷାରାଣୀ ମଲ୍ଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ସ୍ଥାନୀୟ ଅଂଚଳର ମହିଳା ସ୍ୱୟଂ ସହାୟିକା ଦଳର ସଦସ୍ୟା ମାନେ ବହୁ ସଙ୍ଖ୍ୟାରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦ୍ୟାନ କୃଷିକୁ ଲୋକପ୍ରିୟ କରାଇବା ପାଇଁ ପଦକ୍ଷେପ, ଛତୁଚାଷରୁ ଆରମ୍ଭ ହେଲା ଉଦ୍ୟମ

ଭୁବନେଶ୍ୱର : କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ପ୍ରମୁଖ ଭୂମିକା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛି। ଚାଷୀମାନେ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କଲେ ଉଦ୍ୟାନ କୃଷିରୁ ଅଧିକ ଲାଭବାନ ହୋଇପାରିବେ।

ରାଜ୍ୟର ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ଉଦ୍ୟାନ କୃଷିର ବ୍ୟାପକ ସୁଯୋଗ ରହିଥିବାବେଳେ ଚାଷୀମାନଙ୍କ ମଧ୍ୟରେ ଉଦ୍ୟାନ କୃଷିକୁ ଅଧିକ ଲୋକପି୍ରୟ କରାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଓ ବ୍ୟୟବରାଦିର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କୃଷିର ଉପଯୁକ୍ତ ସମନ୍ୱୟରେ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ।

ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ପ୍ରାଥମିକତା ପ୍ରଦାନ କରି ବଜେଟ୍‌ରେ ଆଶାତୀତ ଭାବେ ବୟବରାଦି ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯୋଜନାର ସଫଳ ରୂପାୟନ ନିମନ୍ତେ ବୟବରାଦିର ଅର୍ଥ ଠିକଣା ସମୟରେ ଖର୍ଚ୍ଚ କରି ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଚାଷୀମାନଙ୍କ ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଫଳଚାଷ ଓ ପନିପରିବା ଚାଷ ନିମନ୍ତେ ମଂଜି ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ରବିଋତୁରେ ଚାଷୀମାନଙ୍କୁ ଗୁଣାତ୍ମକ ଆଳୁ ବିହନ ଯୋଗାଣ କାର୍ଯ୍ୟର ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ଏଥି ସହିତ ରାଜ୍ୟରେ ଛତୁଚାଷର ବ୍ୟାପକ ସୁଯୋଗ ରହିଥିବା ଓ ଏଥି ନିମନ୍ତେ କମ୍‌ ପରିମାଣର ଜମିର ଆବଶ୍ୟକତା ଦୃଷ୍ଟିରୁ ଛତୁଚାଷ ନିମନ୍ତେ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉନ୍ନତ ମାନର ଚାରା ଉତ୍ପନ ନିମନ୍ତେ ବ୍ଲକ୍‌ସ୍ତରରେ ଅଧିକରୁ ଅଧିକ ନର୍ସରୀ ପ୍ରତିଷ୍ଠା କରିବା ପାଇଁ ମନ୍ତ୍ରୀ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଡିସେମ୍ବର ମାସରେ ବୟବରାଦିର ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଅଣୁ ଜଳସେଚନ, ଜାତୀୟ ଉଦ୍ୟାନ କୃଷି ମିଶନ, ଅଏଲ୍‌ ପାମ୍‌ ଚାଷ ଓ ପାମ୍‌ ଅଏଲ୍‌ କାରଖାନା ପ୍ରତିଷ୍ଠା ଆଦିର ଅଗ୍ରଗତି ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥିଲା ।

ଏଥି ସହିତ ମୃତ୍ତିକା ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର କୃଷି ବନିକରଣ, ଫାର୍ମପଣ୍ଡ ପ୍ଲସ୍‌, ରିୱାର୍ଡ ଯୋଜନାର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ବର୍ଷାପୁଷ୍ଟ ଅଞ୍ଚଳରେ ସମନ୍ୱିତ କୃଷି ପଦ୍ଧତିର ସଠିକ୍‌ ପରିଚାଳନା ଦ୍ୱାରା ଚାଷୀମାନଙ୍କର ଆୟ ବୃଦ୍ଧିରେ ବ୍ୟାପକ ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଜଳବିଭାଜିକା ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଯୋଗାଇଦେଇ ଚାଷୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଅଣାଯାଇପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ ଚଢ଼ା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାର ଉଦ୍ୟାନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବେ

ଭୁବନେଶ୍ୱର,  ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟର ଉଦ୍ୟନ କୃଷି ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧି କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଚଳିତ ବୃକ୍ଷରୋପଣ ଋତୁରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉନ୍ନତ ମାନର ଚାରା ପ୍ରସ୍ତୁତି ଓ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ରାଜ୍ୟରେ ଫଳ ଓ ପନିପରିବା ଚାଷ କରିବା ପାଇଁ ବ୍ୟାପକ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ବୃକ୍ଷରୋପଣ ନିମନ୍ତେ ଯୋଗାଇ ଦିଆଯାଉଥିବା ସବୁ ସାମଗ୍ରୀ ଯେପରି ସଠିକ୍‌ ସମୟରେ ଓ ସଠିକ୍‌ ମାନର ହୋଇଥିବ ତା’ର କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ବିଭାଗ ଦ୍ୱାରା କରାଯାଉଥିବା ବୃକ୍ଷରୋପଣର ସ୍ଥିତାବସ୍ଥା ସଂପର୍କରେ ନିୟମିତ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଆତ୍ମନିଯୁକ୍ତି ମିଳିବା ସହିତ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।

ବ୍ଲକ୍‌ ଏବଂ ଜିଲ୍ଲାସ୍ତରରୁ ତଥ୍ୟ ସଂଗ୍ରହ କରି ରାଜ୍ୟର ଉଦ୍ୟାନ କୃଷି କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ଓ ନିର୍ଭୁଲ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଉଦ୍ୟାନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଉଦ୍ୟାନ କୃଷି ଉତ୍ପାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ଯୋଜନାଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ସହକାରୀ ଉଦ୍ୟାନ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ସହ ଡେରାସ୍‌ ଫାର୍ମ ପରିଦର୍ଶନ କରିଥିଲେ ।