Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ହେଉଛି ମାଣ୍ଡିଆ ଦିବସ, ଜାଣନ୍ତୁ କଣ ରହିଛି ଏହି ମିଲେଟର ଉପକାରୀତା

ଡା ତ୍ରୈଲୋକ୍ୟନାଥ ମହାରଣା

ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜାତି ବର୍ଗର ଅଂଚଳରେ ମାଣ୍ଡିଆ ଏକ ପ୍ରମୁଖ ଖାଦ୍ୟ ଭାବରେ ବିବେଚନା ହୋଇ ଆସିଛି। ଅଧିକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ଲୋକପ୍ରିୟ କରାଇବାରେ ଆମ ଓଡ଼ିଶାର ମିଲେଟ କାର୍ଯ୍ୟକ୍ରମ କୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି।

ବାସ୍ତବରେ ମାଣ୍ଡିଆ ରେ ବହୁତ ଔଷଧୀୟ ଗୁଣ ରହିଛି।ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମାଂଗାନିଜ, ଭିଟାମିନ ଡ଼ି ରହିଛି। ଏଥିରେ ତ୍ରିପୋଟୋଫାୟାଡ଼ ଆମିନୋ ଏସିଡ୍ ରହିଛି ଯାହାକି ଭୋକକୁ ନିୟନ୍ତ୍ରିତ କରିଥାଏ। ଅଧିକ ଫାଇବର ଥିବାରୁ ଭୋକ ଲାଗି ନ ଥାଏଅସ୍ଥି କ୍ଷୟ ରୋଗ ବା ଅଷ୍ଟ୍ରୀୟପୋରସିସ ରୋଗ ହୋଇ ନ ଥାଏ। ସର୍ବଦା ମାଣ୍ଡିଆ ଖାଉଥିବା ବ୍ୟକ୍ତିକୁ ମଧୁମେହ ରୋଗ ହୋଇନଥାଏ। ରକ୍ତରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ।

ମାଣ୍ଡିଆ ରେ ଆମିନୋ ଏସିଡ୍ ଭରପୁର ଥିବାରୁ ଲିଭର ରେ ଚର୍ବୀ ଜମିବାକୁ ଦେଇ ନ ଥାଏ।ତେଣୁ ଲିଭର ବା ଯକୃତ ସୁସ୍ଥ ରଖିବାରେ ମାଣ୍ଡିଆ ର ଗୁରୁତ୍ୱ ପୂର୍ଣ ଭୂମିକା ରହିଛି।ସବୁ ଦିନ ମାଣ୍ଡିଆ ଖାଉଥିବା ବ୍ୟକ୍ତି ର ନିଦ୍ରା ହୀନତା, ଅବସାଦ ଆଦି ରହି ନ ଥାଏ। ରକ୍ତରେ ହିମୋଗ୍ଲୋବିନ ସ୍ତର ଠିକ ରହିଥାଏ। ସୁନ୍ଦର ଯୁବ ସୁଲଭ ଚେହେରା ରହିଥାଏ।

ପ୍ରତେକ ଦିନ ମାଣ୍ଡିଆ ଖାଉ ଥିବା ବ୍ୟକ୍ତି ର ଅମ୍ଳପିତ, ଗ୍ୟାଷ୍ଟ୍ରିକ,ଉଦରବିକାର, ରକ୍ତ ଗତ ରୋଗ, ଶରୀର ଦାହ ବା ପୋଡାଜଳା ରୋଗ ହୋଇନଥାଏ। ମାଣ୍ଡିଆ କୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ଆୟୁର୍ବେଦ ରେ ଏହାକୁ ମୂତ୍ର କାରକ ଦ୍ରବ୍ୟ ହିସାବରେ ଗ୍ରହଣ କରାଯାଇଛି, ମୂତ୍ର କମ ମାତ୍ରା ରେ ହେଉଥିବା ସମୟରେ ଏହାକୁ ବ୍ୟବହାର କଲେ ସରଳ ଭାବେ ମୂତ୍ର ପରିତ୍ୟାଗ ହୋଇଥାଏ। ମାଣ୍ଡିଆ ଅଧିକ ରୋଚକ ଖାଦ୍ୟ। ପୃଷ୍ଟି ସାର ଭରପୁର ମାତ୍ରା ରେ ରହିଛି।ସମସ୍ତ ପ୍ରକାର ଭିଟାମିନ, ଖଣିଜ ଦ୍ରବ୍ୟ ଆଦି ଭରପୁର ମାତ୍ରାରେ ରହିବା ଯୋଗୁଁ ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରୁଛନ୍ତି।

ଯୁବ ବୟସରେ ଧାତୁ କ୍ଷୟ ରୋଗ ସୃଷ୍ଟି ହେଲେ, ସକାଳୁ ମାଣ୍ଡିଆ ଜାଉ କରି ବ୍ୟବହାର କରିବା ପରେ ଏଥିରୁ ଉପଶମ ମିଳେ।ବର୍ତ୍ତମାନ ରାଜ୍ୟରେ ମାଣ୍ଡିଆ କୁ ନେଇ ମିଲେଟ ମିଶନ ପୋଗ୍ରାମ ଆରମ୍ଭ ହୋଇଛି।

ମାଣ୍ଡିଆ ର ଉପକାରୀତା ଜାଣିବା ପରେ ସମସ୍ତେ ମାଣ୍ଡିଆ ବା ରାଗି କୁ ନେଇ ମାଣ୍ଡିଆ ରୁ ସୁପ, ମାଣ୍ଡିଆ ଚା, ଚକୁଳି, ଡ୍ରିଂକ୍ସ, ଉପୁମା, ଏଡିଲି, ପକୁଡି ଆଦି କରି ଲୋକେ କରି ବ୍ୟବହାର କରି ସୁସ୍ଥ ଭାବେ ବଞ୍ଚିବାକୁ ଚାହିଁଛନ୍ତି।କଂରୋନା ସମୟରେ ବହୁ ସଂଖ୍ୟକ ରୋଗୀ କେବଳ ମାଣ୍ଡିଆ ଜାତ ଦ୍ରବ୍ୟ ବ୍ୟବହାର କରି କେବଳ ଘରେ ରହି କରୋନା ଠାରୁ ସୁରକ୍ଷିତ ହୋଇପାରିଥିଲେ।

ଡା ତ୍ରୈଲୋକ୍ୟନାଥ ମହାରଣା
ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ବାଲୁଗାଁ,ଖୋର୍ଦ୍ଧା
ମୋ -୯୪୩୭୩୬୫୭୨୨

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର:  ଆଜି ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ପୁଷ୍ଠଶସ୍ୟ ବା ମିଲେଟ ସମ୍ମିଳନୀ ଆରମ୍ଭ ହୋଇଛି। ଜନତା ମଇଦାନରେ ଚାଲିଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିସହିତ କୃଷି ଓ କୃଷକ ଶସକ୍ତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇଥିଲେ। ସେହିପରି ଭାରତ ସରକାରଙ୍କ କୃଷି ସଚିବ ମନୋଜ ଆହୁଜା ମଧ୍ୟ ଯୋଗଦେଇଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ପୃଷ୍ଟିଶସ୍ୟ ବର୍ତ୍ତମାନ ଆଦିବାସୀଙ୍କର ଜୀବିକା ଭାବେ ଉଭା ହୋଇଛି। ଓଡିଶା ସରକାର ଏହା ଉପରେ ବେଶ ଗୁରୁତ୍ବ ଦେଇ ଏହି ଶସ୍ୟକୁ ପ୍ରଚାରପ୍ରସାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛି। ସେ କହିଥିଲେ ଯେ ମିଲେଟ ହେଉଛି ପୃଷ୍ଟିସାରର କେନ୍ଦ୍ରବିନ୍ଦୁ, ପ୍ରାକୃତିକ ଶସ୍ୟ ଏବଂ ପ୍ରାକୃତିକ ପରିବେଷରେ ବଢିଥାଏ। ଓଡିଶାର ହେଉଛି ପ୍ରଥମ ରାଜ୍ୟ ଯେ କି ଏପରି ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିପାରିଛି।

ଦୁଇଦିନିଆ ମିଲେଟ୍‌ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଅବସରରେ ଆଜି ଅନୁଷ୍ଠିତ ‘ବୈଜ୍ଞାନିକ ପଦ୍ଧତିରେ ପୁଷ୍ଟିଶସ୍ୟ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି’ ଶୀର୍ଷକ ଆଲୋଚନା ଚକ୍ରରେ ନିରନ୍ତର ପୁଷ୍ଟିଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଷୟିକ ଅଧିବେଶନର ଅଂଶସ୍ୱରୂପ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବୁଦ୍ଧିଜୀବୀ, ଗବେଷକ ଓ ସ୍ଥାନୀୟ ପ୍ରଭାବୀ ନେତୃବୃନ୍ଦ ନିରନ୍ତର ଉତ୍ପାଦନ ବୃଦ୍ଧି ଉପରେ ବକ୍ତବ୍ୟ ରଖିଛନ୍ତି।

ଭାରତୀୟ ପୁଷ୍ଟିଶସ୍ୟ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡ. ବି. ଭେଙ୍କଟେଶ ଭଟ୍ଟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗ ଡିନ୍‌ ଡ. ସଂଗ୍ରାମ କେଶରୀ ସ୍ୱାଇଁଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମିଲେଟ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ପୋଷଣ ଓ ଜୀବିକାର୍ଜନ ଉପରେ ଅନୁରୂପ ଭାବରେ ପ୍ରାଧାନ୍ୟ ଦିଆଯାଇଥିଲା।

ଆଲୋଚକ ଭାବରେ ମଧୂସ୍ମିତା ଶତପଥୀ, ଡ. ରାଜେନ୍ଦ୍ର ଆର୍‌. ଚାପ୍‌କେ, ହାଇଦ୍ରାବାଦସ୍ଥିତ ହାର୍ଭେଷ୍ଟ ପ୍ଲସ୍‌ ସଂଗଠନର ବିନୁ ଚେରିଆନ୍‌ଙ୍କ ସମେତ ଦମୟନ୍ତୀ ରଣା ଓ ଅଜିତ କୁମାର ସାହୁ ନିଜ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ। ରାଜ୍ୟରେ ମିଲେଟ ଚାଷର ପୃଷ୍ଠଭୂମି ସାଙ୍ଗକୁ ସେମାନେ ବିଭିନ୍ନ ଆହ୍ୱାନ ଓ ସୁଯୋଗଗୁଡ଼ିକ ଉପରେ ମତ ରଖିଥିଲେ।

ଦୂରଦୃଷ୍ଟିସଂପନ୍ନ ଆଭିମୁଖ୍ୟ, ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ରାଜ୍ୟରେ ପୁଷ୍ଟିଶସ୍ୟ ଉତ୍ପାଦନ ବୃଦ୍ଧି ହୋଇପାରିବ। ପୁଣ୍ଟି ନିରାପତ୍ତା ସାଙ୍ଗକୁ ପୋଷଣୀୟ ଜୀବିକାର୍ଜନ ନିମନ୍ତେ କମ୍‌ ବ୍ୟୟରେ ପୁଷ୍ଟିଶସ୍ୟ ଉତ୍ପାଦନ ନିମନ୍ତେ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଅଂଶଗ୍ରହଣକାରୀ କୃଷକ ଓ ଗୋଷ୍ଠୀ ନେତୃବୃନ୍ଦ କ୍ଷେତ୍ରୀୟ ସ୍ତରରେ ସାମ୍‌ନା କରିଥିବା ପ୍ରତିବନ୍ଧକଗୁଡ଼ିକ ନେଇ କହିବା ସହିତ ସେଗୁଡ଼ିକର ନିରାକରଣ ପାଇଁ ବିଭିନ୍ନ ପ୍ରୟାସ ବାବଦରେ ଅଭିଜ୍ଞତା ପ୍ରକାଶ କରିଥିଲେ।

ଜୈବ-ପୁଷ୍ଟିବର୍ଦ୍ଧକ ମିଲେଟ ଉତ୍ପାଦନ ନିମନ୍ତେ ନିରନ୍ତର କୃଷି ଅଭ୍ୟାସର ବିକାଶ ସାଙ୍ଗକୁ ଆଧୁନିକ ଜ୍ଞାନକୌଶଳର ସମନ୍ୱୟ ଉପରେ ଆଲୋଚକମାନେ ଗୁରୁତ୍ୱ ଦେଇଥିଲେ। ପୁଷ୍ଟିଶସ୍ୟ ଚାଷ, ଉତ୍ପାଦନ ଓ ବ୍ୟବହାର ଉପରେ ସେମାନେ ନିଜ ନିଜର କ୍ଷେତ୍ରଭିତ୍ତିକ ଅନୁଭୂତି ବାଣ୍ଟିଥିଲେ। ପୁଷ୍ଟିଶସ୍ୟ ଚାଷରେ ଅଧିକ ସମ୍ଭାବନା ଓ ଭବିଷ୍ୟତ ରହିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରକାଶ ପାଇବ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ

ଭୁବନେଶ୍ୱର: ସାରା ବିଶ୍ୱରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ମିଲେଟ୍‌ ସଂପର୍କରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ ପ୍ରକାଶ ପାଇବ।

ମାଣ୍ଡିଆ ପୁଷ୍ଟିଶସ୍ୟ ମିଲେଟ୍‌ ଚାଷର ପ୍ରସାର ଓ ମିଲେଟ୍‌ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଆଲେଖ୍ୟଗୁଡ଼ିକ ସହାୟକ ହେବ। ମିଲେଟ୍‌ ଚାଷର ବିଭିନ୍ନ ଦିଗ, ଓଡ଼ିଶାରେ ମିଲେଟ୍‌ ଚାଷର ସଫଳତା, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମିଲେଟ୍‌ ମିଶନ ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସହ ମିଲେଟ୍‌ର ଉପକାରିତା ଓ ଏହାର ପ୍ରସାର ଆଦି ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉପାଦେୟ ଲେଖା ଏଥିରେ ସ୍ଥାନିତ ହେବ।

ଆଜି ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ମିଲେଟ୍‌ ବିଶେଷାଙ୍କକୁ ଆକର୍ଷଣୀୟ କରିବା ଦିଗରେ ସବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ରୂପରେଖ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ ଏହାର ଶୁଭ ଉନ୍ମୋଚନ କରାଯିବ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ମିଲେଟ୍‌ ମିଶନର ଅଧିକାରୀ ଏବଂ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ ପ୍ରଥମ ଥର ପାଇଁ ଓଡିଶା ଜାରୀ କଲା ପାରଂପାରିକ ମାଣ୍ଡିଆର 4ଟି ପ୍ରଜାତି

ଭୁବନେଶ୍ବର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ ଟି ଭୁ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯାଇଛି। ପ୍ରଥମଥର ପାଇଁ କୃଷକ ମାନଙ୍କ ଚାହିଦା ଅନୁଯାୟୀ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପାରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆ ଭୂ-ପ୍ରଜାତି ବିକଶିତ ହେବା ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତନ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଓଡ଼ିଶା ମିଲେଟ ମିଶନର ଏହି ସଫଳତା ପୁଷ୍ଟିଶସ୍ୟ ମାଣ୍ଡିଆର ବ୍ୟାପକ ପ୍ରସାର ଦିଗରେ ସହାୟକ ହେବ ଏବଂ ଏହାଦ୍ୱାରା ଜନଜାତି କୃଷକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଏହି ଚାରିଗୋଟି ଭୂ-ପ୍ରଜାତିର ମାଣ୍ଡିଆ ବିହନ କୋରାପୁଟ ଓ ମାଲକାନଗିରି ଜିଲ୍ଲାପାଇଁ ଜାରି କରାଯାଇଥିବା ବେଳେ ଏହାର ସଫଳ ପ୍ରୟୋଗ ଏବଂ କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟତାକୁ ଆଧାର କରି ଅନ୍ୟ ଜିଲ୍ଲାଗୁଡିକୁ ସଂପ୍ରସାରିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ  କହିଛନ୍ତି।

ଏଥିପାଇଁ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ନିମନ୍ତେ ନିରନ୍ତର ପରୀକ୍ଷଣ କରାଯାଇ ଥିଲା। ଏହି ପ୍ରକ୍ର୍ରିୟାରେ ଅଂଶବିଶେଷ ଭାବରେ ଫସଲର ବିବିଧତା ଅନୁଯାୟୀ ଚାଷଜମିର ପ୍ରାମାଣିକ ଅବସ୍ଥିତି, କୃଷି କ୍ଷେତ୍ରର ସଂରକ୍ଷଣ, ଚାଷୀମାନଙ୍କର ପସନ୍ଦ ଓ ସେମାନଙ୍କର ଦୃଷ୍ଟିକୋଣ ଅନୁଯାୟୀ ବିହନମାନର ବିକାଶ ଆଦି କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଥିଲା। ଏଥି ମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତମ ପ୍ରଦର୍ଶନର ସମ୍ଭାବନା ଲକ୍ଷ୍ୟ କରଯାଇଥିଲା। ପରବର୍ତି ପର୍ଯ୍ୟାୟରେ ଉପରୋକ୍ତ ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯିବା ନିମନ୍ତେ ଗଠିତ ଲ୍ୟାଣ୍ଡରେସ ଭେରାଇଟି ରିଲିଜ କମିଟି ସୁପାରିଶ କରିଥିଲେ।

ପାରମ୍ପାରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି। ଏହି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତନ ପ୍ରତି ମଧ୍ୟ ସହନଶୀଳ ଅଟନ୍ତି। ଏହି ପାରମ୍ପାରିକ ଭୂ-ପ୍ରଜାତି ଗୁଡିକ ଜୈବିକ କୃଷି କ୍ଷେତ୍ରରେ ଉତମ ପ୍ରଦର୍ଶନ କରୁଛନ୍ତି। ଜନଜାତି ସଂପ୍ରଦାୟର ମାଣ୍ଡିଆ ଆଦି କିସମର ସଂରକ୍ଷଣ ଦିଗରେ ଏକ ସମୃଦ୍ଧ ଐତିହ୍ୟ ରହିଛି। ଓଡ଼ିଶାର ଜନଜାତି ସଂପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ବିବେଚିତ ହୋଇ ଆସୁଅଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରାକାରଙ୍କ କୃଷକ ଓ କୃଷକ ସଶକ୍ତି କରଣ ବିଭାଗ, ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଏହିସବୁ ଭୂ-ପ୍ରଜାତି ନିମନ୍ତେ ମାନକ ସଂଚାଳନ ପ୍ରକ୍ର୍ରି୍ର୍ରୟା ବିକଶିତ କରିଛନ୍ତି। ଏହି  ପଦ୍ଧତି ଆଇସିଏଆର,  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶେଷଜ୍ଞ, କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନଜାତି କୃଷକମାନଙ୍କ ଭାଗୀଦାରିତା ଓ ପରାମର୍ଶ ଅନୁସାରେ ବିକଶିତ କରାଯାଇଛି।

ମାର୍ଗଦର୍ଶିକା ପ୍ରସ୍ତୁତ ସମୟରେ ବୈଜ୍ଞାନିକ ମାନଦଣ୍ଡ ସମେତ ମାଣ୍ଡିଆର ଉପକାରିତା, ସ୍ୱାଦ, ପୌଷ୍ଟିକ ଗୁଣବତା, ଜଳବାୟୁ ସହନଶୀଳତା, ରୋଗପୋକ ସହନଶୀଳତା, ସାଂସ୍କୃତିକ ପସନ୍ଦ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକମାନଙ୍କ ଖାଦ୍ୟାଭ୍ୟାସରେ ଆସିଲାଣି ପରିବର୍ତ୍ତନ

ଭୁବନେଶ୍ୱର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ଦିଗରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ଓଡ଼ିଶା ସହାୟକ ହୋଇପାରିବ। ଏଥି ସହିତ ସହରର ଗ୍ରାହକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଦିଗରେ ଆସୋସିଏସନ୍‌ ଏକ ଅଣୁଘଟକର ଭୂମିକା ଗ୍ରହଣ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ରାଜ୍ୟରେ ମାଣ୍ଡିଆର ପ୍ରଚାର ଓ ପ୍ରସାର ଦିଗରେ ରଣନୀତି ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ଦ୍ୱାରା କୃଷି ଭବନଠାରେ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହିତ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ରାଜ୍ୟ ସରକାର ମିଲେଟ୍‌ର ଲୋକପି୍ରୟତା ଓ ଗ୍ରହଣୀୟତା ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ନଭେମ୍ବର ୧୦ ତାରିଖକୁ ‘ମାଣ୍ଡିଆ ଦିବସ’ ଭାବରେ ସାରା ରାଜ୍ୟରେ ପାଳନ କରାଯାଉଛି। ଆସନ୍ତା ନଭେମ୍ବର ୧୦ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭୁବନେଶ୍ୱରଠାରେ ଏକ ଅନ୍ତର୍ଜାତୀୟ ସମ୍ମେଳନର ଆୟୋଜନ ନିମନ୍ତେ ଯୋଜନା କରିଛି।

ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌କୁ ଓଡ଼ିଶା ମିଲେଟ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଅଭିହିତ କରି ଏହି ସମ୍ମିଳନୀରେ ଆସୋସିଏସନ୍‌ ସକି୍ରୟ ଅଂଶଗ୍ରହଣ କରିବା ସହିତ ସଂଘର ସଦସ୍ୟମାନଙ୍କୁ ସେମାନଙ୍କ ହୋଟେଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଡ. ପାଢ଼ୀ ଅନୁରୋଧ କରିଥିଲେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ସଂଘର ସହଯୋଗରେ ବିଭିନ୍ନ ସ୍ଥାନରେ ନିୟମିତ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ହୋଟେଲ୍‌ ରୁମ୍‌ଗୁଡ଼ିକରେ ଅତିଥିମାନଙ୍କ ନିମନ୍ତେ ମିଲେଟରୁ ପ୍ରସ୍ତୁତ ସ୍ନାକ୍ସ ଓ ସୂଚନା ପୁସ୍ତିକା ଉପଲବ୍ଧ କରାଇବା ସହ ଜନସଚେତନତା ବୃଦ୍ଧି ନିମନ୍ତେ ହୋଟେଲଗୁଡ଼ିକରେ ଭିଡିଓ କ୍ଲିପିଙ୍ଗ୍‌ସ ଏବଂ ଷ୍ଟାଣ୍ଡି ପ୍ରଦର୍ଶନ ଉପରେ ଶ୍ରୀ ଚୌଧାରୀ ଗୁରୁତ୍ୱ ଦେଇଥିଲେ।

ଶ୍ରୀ ଚୌଧାରୀ ମାଣ୍ଡିଆକୁ ଭବିଷ୍ୟତର ଖାଦ୍ୟ ଭାବରେ ଅଭିହିତ କରିବା ସହିତ ଏହା ଦ୍ୱାରା ଆଧୁନିକ ଜୀବନଶୈଳୀରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଉପକାର ମିଳିବ ବୋଲି ଆଶା ପ୍ରକାଶ କରିଥିଲେ। ରାଜ୍ୟରେ ମିଲେଟ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ମିଲେଟ୍‌ର ସ୍ୱାସ୍ଥ୍ୟ ଉପଯୋଗିତାର ପ୍ରଚାର ଦିଗରେ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଡାକ୍ତର ଏବଂ ଡାଇଟିସିଆନ୍‌ମାନଙ୍କୁ ନିୟୋଜିତ କରାଯାଉଛି ବୋଲି ଶ୍ରୀ ଚୌଧାରୀ କହିଥିଲେ।

ବୈଠକରେ ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ପ୍ରତିନିଧିମାନେ ମିଲେଟ୍‌ର ପ୍ରସାର ନିମନ୍ତେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ହୋଟେଲମାନଙ୍କ ଅବଗତି ପାଇଁ ମିଲେଟରୁ ପ୍ରସ୍ତୁତ ଖାଦ୍ୟର ଏକ ରୂପରେଖ ଏବଂ ମାନକ ସଂଚାଳନ ପ୍ରୋଟୋକଲ୍‌ ବିକଶିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ହୋଟେଲଗୁଡ଼ିକୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟକୁ ଅଧିକ ପ୍ରଭାବଶାଳୀ ଓ ମାନକସମ୍ମତ କରିବାରେ ସହାୟକ ହୋଇପାରିବ। ପାରମ୍ପରିକ ଓ ଆଧୁନିକ ଶୈଳୀରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ନିମନ୍ତେ ଏକ ରେସିପି ବ୍ୟାଙ୍କ ପ୍ରସ୍ତୁତ କରାଯାଇ ଏହାର ବ୍ୟାପକ ପ୍ରସାର ଉପରେ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।

ଏହା ସହିତ ମାଣ୍ଡିଆର ସ୍ୱାସ୍ଥ୍ୟ ଉପଯୋଗିତା ସଂପର୍କିତ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ମାଣ୍ଡିଆର ପ୍ରୋତ୍ସାହନ ନିମନ୍ତେ ଆସୋସିଏସନ୍‌ ପକ୍ଷରୁ ସକି୍ରୟ ସହଯୋଗ ଦିଆଯିବ ଏବଂ ମାଣ୍ଡିଆର ଏକ ବୃହତ୍‌ ଉତ୍ପାଦ-ଶୃଙ୍ଖଳ ବିକଶିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ସହିତ ଆସୋସିଏସନ୍‌ କାର୍ଯ୍ୟ କରିବ ବୋଲି କହିଥିଲେ।

ଏଥି ସହିତ ମିଶନ୍‌ ମୋଡ୍‌ରେ ମାଣ୍ଡିଆର ପ୍ରୋତ୍ସାହନ ନିମନ୍ତେ ଆସୋସିଏସନ୍‌ର ସହଯୋଗରେ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ମାଣ୍ଡିଆର ଯୋଗାଣ-ଶୃଙ୍ଖଳକୁ ସୁବ୍ୟବସ୍ଥିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ସହିତ ସହଯୋଗ କରିବା ପାଇଁ ସଂଘର କର୍ମକର୍ତ୍ତା ଆଗ୍ରହ ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କ ଦ୍ୱାରା ପରିଚାଳିତ ହୋଟେଲଗୁଡ଼ିକର ଖାଦ୍ୟ ତାଲିକାରେ ମିଲେଟ୍‌କୁ ଅନ୍ତର୍ଭୁକ୍ତ କରାଯାଇ ସାରିଲାଣି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏବେ ଏହାକୁ ଅଧିକ ବ୍ୟାପକ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି। ଓଟିଡ଼ିସିର ସମସ୍ତ ହୋଟେଲଗୁଡ଼ିକରେ ମିଲେଟ ଷ୍ଟାଣ୍ଡି ପ୍ରଦର୍ଶନ କରାଯାଉଛି। ଇକୋ-ରିଟ୍ରିଟ୍‌ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟନ ବିଭାଗର ନିୟମିତ ପର୍ଯ୍ୟଟନ ପ୍ରଚାର କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆର ପ୍ରଚାର ଓ ଏହାର ବ୍ରାଣ୍ଡିଂରେ ସହଯୋଗିତା ପାଇଁ ବିଭାଗ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଥିଲା।

ବୈଠକରେ ଅଂଶଗ୍ରହଣ କରି ହୋଟେଲ୍‌ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ୍‌ ଶ୍ରୀ ମିଲିନ୍ଦ ଗୁପ୍ତା କହିଲେ ଯେ ଓଡ଼ିଶା ମିଲେଟ୍‌ ମିଶନ ସହଭାଗିତାରେ ମେକ୍‌ ଇନ୍‌ ଓଡ଼ିଶାର ମିଲେଟ୍‌ ଅଧିବେଶନରେ ଏବଂ ବିଶ୍ୱକପ୍‌ ପୁରୁଷ ହକି ପ୍ରତିଯୋଗିତାରେ ଆସୋସିଏସନ୍‌ ପକ୍ଷରୁ ସକି୍ରୟ ଭାବରେ ଅଂଶଗ୍ରହଣ କରାଯାଇଥିଲା।

ସଂପ୍ରତି ଅନେକ ହୋଟେଲ୍‌ରେ ପାଇଲଟ୍‌ ଭିତ୍ତିରେ ଗ୍ରାହକମାନଙ୍କୁ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଉଛି। ସ୍ୱସ୍ତି ପ୍ରିମିୟମ୍‌ ପକ୍ଷରୁ ମିଲେଟ୍‌ରୁ ବେକେରୀ ଉତ୍ପାଦ ପ୍ରସ୍ତୁତ କରାଯାଉଛି। ଏଥି ସହିତ କିଛି ସ୍ଥାନରେ ରାଗି ଉପମାକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଓ ଏଥିରେ ଗ୍ରାହକମାନଙ୍କ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି। ସେହିପରି ଆଇଟିସି ପକ୍ଷରୁ ସ୍ୱତନ୍ତ୍ର ଦିନଗୁଡ଼ିକରେ ଗ୍ରାହକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ମିଲେଟ୍‌ ଖାଦ୍ୟ ପରିବେଷଣ କରାଯାଉଛି।

ବୈଠକରେ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌ଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଗୀତକୁ ପରିବେଷଣ କରାଯାଇଥିଲା। ବୈଠକରେ ରାଜ୍ୟ ପର୍ଯ୍ୟଟନ ଓ ଅନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱସ୍ତି ପି୍ରମିୟମ୍‌, ଫୁଡ୍‌ ଜଙ୍କସନ୍‌, ଦି ନିଉ୍‌ ମାରିୟନ୍‌, ପାଲ୍‌ ହାଇଟସ୍‌, ସ୍ୱସ୍ତି ଗ୍ରାଣ୍ଡ, ହୋଟେଲ ଏକ୍ସିଲେନ୍ସି, ବାର୍‌ଜୋରିସ୍‌ ହୋଟେଲ୍‌, ସୂର୍ୟାଂଶ ଆଦିି ହୋଟେଲ୍‌ ଏବଂ ଫିକିର ପ୍ରତିନିଧିମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍‌ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସଂପର୍କରେ ପ୍ରଚାର ପ୍ରସାର କରିବା ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି। ଏହି କ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚେମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜ୍‌ (ଫିକି)ର ସହଭାଗିତାରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରାଯିବ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଫିକିର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ମୌସୁମୀ ଘୋଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମିଲେଟ୍‌କୁ ଘରେ ଘରେ ଆଦୃତ କରାଇବା ସହିତ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ଷସାରା ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ପାଳନ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ନିୟମିତ ସମୀକ୍ଷା କରାଯିବ।

ବୁଝାମଣାପତ୍ର ଅନୁଯାୟୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକିର ସହଭାଗିତାରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ହେବ। ଫିକି ଓ ଓଡ଼ିଶା ସରକାର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିୟମିତ ଭାବେ କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା ଏବଂ ତଦାରଖ ସହିତ ଏଥି ନିମନ୍ତେ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବ। ମିଲେଟର ପ୍ରଚାରପ୍ରସାର ଦିଗରେ ଜନସଂପର୍କ ସଂସ୍ଥା, ଡିଜାଇନର ପାର୍ଟନର, ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ, ନଲେଜ ପାର୍ଟନର, ଗବେଷଣା ଆଦିରେ ଫିକି ସହଭାଗିତା ଯୋଗାଇଦେବ।

ମିଲେଟ୍‌ର ପ୍ରଚାର ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି, ସାମାଜିକ ଗଣମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟ ସହିତ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଆଦି ସହରରେ ମିଲେଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ ଆଦିର ଆୟୋଜନ କରାଯିବ। ବିଭିନ୍ନ ଏଫ୍‌ଏମ୍‌ସିଜି କମ୍ପାନୀମାନଙ୍କୁ ମିଲେଟ୍‌ ଜାତୀୟ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ ପୁଂଜିନିବେଶ ଦିଗରେ ଆଲୋଚନା ହେବ।

ସହରାଞ୍ଚଳରେ ମିଲେଟ୍‌ର ବ୍ୟାପକ ପ୍ରଚାର ଓ ଜନସଚେତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ମିଡ଼ିଆରେ ବିଶେଷଜ୍ଞଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମିଲେଟ୍‌ ଜାତୀୟ ଖାଦ୍ୟର ପ୍ରଚାର ଦିଗରେ ଖାଦ୍ୟ ପ୍ରସ୍ତୁତି ନେଇ ବିଭିନ୍ନ ରୋଷେଇ କାର୍ଯ୍ୟକ୍ରମ ଓ ରୋଷେଇ ପ୍ରତିଯୋଗିତା ଟିଭି ଚ୍ୟାନେଲ ଏବଂ ହୋଟେଲ୍‌ ଆସୋସିଏସନ୍‌ ଦ୍ୱାରା ଆୟୋଜନ କରାଯିବ।

କାର୍ଯ୍ୟକ୍ରମର ଡକୁ୍ୟମେଣ୍ଟେସନ୍‌ କରାଯିବା ସହିତ ଓଡ଼ିଶା ମିଲେଟ୍‌ ମିଶନ ସଂପର୍କରେ ଡକୁ୍ୟମେଣ୍ଟାରୀ ପ୍ରସ୍ତୁତ କରାଯିବ। ଏହି ଅବସରରେ ଫାଉଣ୍ଡେସନ୍‌ ବୁକ୍‌ ଅନ୍‌ ମିଲେଟ୍‌ସ୍‌ର ଅନ୍ତର୍ଜାତୀୟ ପ୍ରକାଶନ ମଧ୍ୟ କରାଯିବ। ଏଥି ସହିତ ଇଣ୍ଟରନ୍ୟାସନାଲ୍‌ କନ୍‌ଭେନ୍‌ସନ୍‌ ଅନ୍‌ ମିଲେଟ୍‌ର ଆୟୋଜନ ନିମନ୍ତେ ମଧ୍ୟ ଫିକି ଆବଶ୍ୟକ ସହଯୋଗ ଯୋଗାଇଦେବ।

ଭୁବନେଶ୍ୱର ଓ ରାଉରକେଲାଠାରେ ପୁରୁଷ ବିଶ୍ୱକପ୍‌ ହକି ପ୍ରତିଯୋଗିତା ସମୟରେ ମିଲେଟ ସଂପର୍କିତ ଭିଡ଼ିଓ ପ୍ରଦର୍ଶନ କରାଯିବା ସହିତ ଖେଳାଳି ଓ ଅତିଥିମାନଙ୍କୁ ମିଲେଟ୍‌ ସମ୍ବନ୍ଧୀୟ ସ୍ମରଣିକା, ବ୍ୟାଗ୍‌ ଓ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯିବ। ଖେଳାଳିମାନଙ୍କ ଖାଦ୍ୟ ତାଲିକାରେ ଯେପରି ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ସ୍ଥାନ ପାଇବ, ସେଥି ପ୍ରତି ହୋଟେଲଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବ।

କାର୍ଯ୍ୟକ୍ରମ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଓ ଫିକିର କର୍ମକର୍ତ୍ତା ଉପସ୍ଥିତ ଥିଲେ।