Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭିଏସଏସ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଲବୀ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା,ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରକାଶ ପାଇବ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ

ଭୁବନେଶ୍ୱର: ସାରା ବିଶ୍ୱରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଭୁବନେଶ୍ୱରଠାରେ ମିଲେଟ୍‌ ସଂପର୍କରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ୱତନ୍ତ୍ର ମିଲେଟ୍‌ ବିଶେଷାଙ୍କ ପ୍ରକାଶ ପାଇବ।

ମାଣ୍ଡିଆ ପୁଷ୍ଟିଶସ୍ୟ ମିଲେଟ୍‌ ଚାଷର ପ୍ରସାର ଓ ମିଲେଟ୍‌ଭିତ୍ତିକ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଆଲେଖ୍ୟଗୁଡ଼ିକ ସହାୟକ ହେବ। ମିଲେଟ୍‌ ଚାଷର ବିଭିନ୍ନ ଦିଗ, ଓଡ଼ିଶାରେ ମିଲେଟ୍‌ ଚାଷର ସଫଳତା, ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମିଲେଟ୍‌ ମିଶନ ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ, ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ସହ ମିଲେଟ୍‌ର ଉପକାରିତା ଓ ଏହାର ପ୍ରସାର ଆଦି ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉପାଦେୟ ଲେଖା ଏଥିରେ ସ୍ଥାନିତ ହେବ।

ଆଜି ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ମିଲେଟ୍‌ ବିଶେଷାଙ୍କକୁ ଆକର୍ଷଣୀୟ କରିବା ଦିଗରେ ସବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ରୂପରେଖ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ ଏହାର ଶୁଭ ଉନ୍ମୋଚନ କରାଯିବ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଓଡ଼ିଶା ମିଲେଟ୍‌ ମିଶନର ଅଧିକାରୀ ଏବଂ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଊତ୍ତରପିଢ଼ିଙ୍କୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଆଗମନ ସଂପର୍କରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିବା ସହିତ ଗାନ୍ଧୀ ଚେତନା ଓ ଗାନ୍ଧୀ ଦର୍ଶନ ସଂପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତବ୍ୟକ୍ତ କରିଥିଲେ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକର କାଠଯୋଡ଼ି କୂଳରେ ମହାତ୍ମା ଗାନ୍ଧୀଙ୍କ ସାଧାରଣ ସଭାଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କରିଥିବା ପଦଯାତ୍ରା, ସାଧାରଣ ସଭା, ବିଶ୍ରାମସ୍ଥଳୀ ଆଦିର ଦୁର୍ଲଭ ଫଟୋଚିତ୍ର ଏହି ପ୍ରଦର୍ଶନୀରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହେଉଛି।

ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ୩ ତାରିଖ ଦିନ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ସେହିପରି ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ସର୍ବସାଧାରଣଙ୍କ ନିମନ୍ତେ ‘ଗାନ୍ଧୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ସହିତ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ, ହରପ୍ରସାଦ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପ୍ରେସ ଦିବସ ଅବସରରେ ଭୁବନେଶ୍ବରରେ ସମ୍ବାଦପତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡିଶା ପର‌୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ପ୍ରଦର୍ଶନୀ ଉଦଘାଟନ ଓ ଏହାକୁ ପରିଦର୍ଶନ କରି ପ୍ରମୁଖ ଶାସନ ଶ୍ରୀ ସିଂ କହିଲେ ଯେ, ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିରଳ ସମ୍ବାଦପତ୍ରଗୁଡିକ ସ୍ଥାନ ପାଇଛି, ଯାହାର ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂରକ୍ଷଣକରିବା ପାଇଁ ଡିଜିଟାଇଜେସନ ଆବଶ୍ୟକ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ପ୍ରଦର୍ଶନୀରେ ସ୍ଥାନିତ ସମ୍ବାଦପତ୍ର ଓ ପତ୍ରପତ୍ରିକା ଅତ୍ୟନ୍ତ ଆକର୍ଷଣୀୟ ଓ ସୂଚନା ଧର୍ମୀ ହୋଇଥିବାରୁ ଏହାକୁ ସବୁଦିନ ଯେପରି ଜନସାଧାରଣ ଦେଖିବାର ସୁଯୋଗ ପାଇପାରିବେ, ସେଥିପାଇଁ ଏକ ସ୍ଥାୟୀ ଗ୍ୟାଲେରୀ ବ୍ୟବସ୍ଥା କରିବାକୁ କହିଥିଲେ । ସେହିପରି ଓଡିଶାରେ ସମ୍ବାଦପତ୍ରର କ୍ରମ ବିକାଶ ଉପରେ ଏକ ସୂଚନା ଫଳକ ବ୍ୟବସ୍ଥା କରିବା ଉପରେ ମଧ୍ୟ ଶ୍ରୀ ସିଂ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଜୟଦେବ ଭବନ ଯୁଗ୍ମ ନିର୍ଦ୍ଦେଶକଶ୍ରୀ ସୂର‌୍ୟ୍ୟରଞ୍ଜନ ମହାନ୍ତି, ବିଭାଗର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁରବୀର୍ ସିଂଙ୍କ ସମତେ ବିଭାଗର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ଲୋକ ସଂପର୍କ ବିଭାଗର କ୍ୟାମେରାମ୍ୟାନ ସହିତ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ବର: ଯେଉଁମାନେ ମିଡିଆରେ କାମ କରୁଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ବଡ ସୁଯୋଗ। ସେମାନେ ରାଜ୍ୟ ସରକାରଙ୍କ ସୂଚନା ଓ ଲେକ ସଂପର୍କ ବିଭାଗର କ୍ୟାମେରାମ୍ୟାନ ଭାବେ ନିଯୁକ୍ତି ପାଇଁ ବାହାରିଛି ନିଯୁକ୍ତି। ଏଥିରେ କ୍ୟାମେରାମ୍ୟାନ ଏବଂ ଷ୍ଟିଲ ଫଟୋଗ୍ରାଫର ପଦବୀ ରହିଛି। ଏସବୁ ପଦବୀ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ।

ସେହିପରି ଇଣ୍ଡେକ୍ସର ଏବଂ ଆସିଷ୍ଟାଣ୍ଡ ଅପରେଟର ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନରଙ୍କ ତତ୍ବାବଧାନରେ ହେବ। ଯେଉଁମାନେ ମନୋନିତ ହେବେ ସେମାନେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗରେ କାର୍ଯ୍ୟ କରିବେ। ନିକଟରେ ଏହି ବିଭାଗରେ ଜିଲ୍ଲା ସୂଚନା ଅଧିକାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକତା ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ନିଯୁକ୍ତି, ବାହାରିଲା ବିଜ୍ଞପ୍ତି

ଭୁବନେଶ୍ବର: ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଓଡିଶା ସରକାର ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବାହାର କରିଛନ୍ତି ବିଜ୍ଞାପନ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗରେ ଖାଲି ପଡିଥିବା SDIPRO ବା ସବ୍ ଡିଭିଜନାଲ ଇନଫରମେସନ ଆଣ୍ଡ ପବ୍ଲିକ ରିଲେସନ ଅଫିସର ଭାବେ ନିଯୁକ୍ତି ଦିଆଯିବ।

ଏଥିପାଇଁ ପ୍ରାର୍ଥୀଙ୍କର ବୟସ 21 ବର୍ଷରୁ 38 ବର୍ଷ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଗ୍ରାଜୁଏଟ ପାଶ କରିବା ସହିତ ବର୍ଷିକିଆ ସାମ୍ବାଦିକତା ଓ ଗଣଯୋଗାଯୋଗରେ ପିଜି ଡିପ୍ଲୋମା କରିଥିବାର ଆବଶ୍ୟକ। ଏ ସଂପର୍କରେ ପ୍ରାର୍ଥୀମାନେ opse.gov.in କୁ କ୍ଲିକ କରି ବିସ୍ତୁତ ତଥ୍ୟ ହାସଲ କରିପାରିବେ। ( ଯଦି ଏହି ବିଜ୍ଞାପନ ଦେଖିବାରେ ଅସୁବିଧା ହେଉଛି ତେବେ ସିଧା ସମୀକ୍ଷା ୱେବସାଇଟକୁ ଯାଇ କ୍ଲିକ କରନ୍ତୁ)

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ହେଲେ ସଞ୍ଜୟ ସିଂ

ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ବରିଷ୍ଠ ଆଇଏଏସ ସଂଜୟ ସିଂଙ୍କୁ ପୁଣି ଥରେ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ପୂର୍ବପରି ବିଡିଏ ଏବଂ ସ୍ମାର୍ଟ ସିଟିର ମୁଖିଆ ଭାବେ ଦାୟିତ୍ବରେ ରହିବେ।

ପୂର୍ବରୁ ସଂଜୟ ସେହି ଲୋକ ସଂପର୍କ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସମୟରେ ଏହି ବିଭାଗର ବେଶ୍ କିଛି ଉନ୍ନତି ପରିଲକ୍ଷିତ ହୋଇଥିଲା। ସେ ଅନେକ ନୂଆ ନୂଆ ଯୋଜନାରେ ଆରମ୍ଭ କରିଥିଲେ। ମୁଖ୍ୟତଃ ଏହି ବିଭାଗକୁ ସକ୍ରିୟ କରିବାରେ ସଂଜୟଙ୍କ ଭୂମିକା ବେଶ୍ ଉଚ୍ଚ କୋଟିର ଥିଲା। ସଂଜୟଙ୍କ ସହ ୟାମିନୀ ଷଡଙ୍ଗୀଙ୍କୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି।

Categories
ଆଞ୍ଚଳିକ

ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଂଚଳ ଉପ ନିର୍ଦ୍ଦେଶକଙ୍କ ବାଲିପାଟଣା ସୂଚନା କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ତଦାରଖ ପରିପ୍ରେକ୍ଷୀରେ ପୂର୍ବାହ୍ଣରେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ତଥା ଏହି କାର୍ଯ୍ୟାଳୟ ତତ୍ୱାବଧାନରେ ପରିଚାଳିତ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲ। ପାଠାଗାର ପରିଦର୍ଶନ କରି ଶ୍ରୀ ନାୟକ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ବିଦ୍ୟୁତ ସରବରାହ ବ୍ୟାଘାତ ହେଲେ ପାଠାଗାରରେ ନିରବିଚ୍ଛିନ୍ନ ବିଦ୍ୟୁତ ପାଇଁ ଏଠାରେ ଇନଭର୍ଟର ବ୍ୟବସ୍ଥା, ପାଠାଗାରରେ ଟିଭି ସେଟ୍‌ର ବ୍ୟବସ୍ଥା ସହ ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ପାଠାଗାରରେ ପାଠକପାଠିକା ସଂଖ୍ୟା ବୃଦ୍ଧି ପାଇଁ ଏଠାରେ ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ ବା ଶ୍ରାଦ୍ଧୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରିବା ସହ ପାଠାଗାରର ଉପଯୋଗିତା ସମ୍ପର୍କରେ ସେମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରାଇବା ନେଇ ଆଲୋଚନା କରାଯାଇଥିଲା । ପାଠାଗାରଟି ବର୍ତମାନ ଭଡାଘରେ ଚାଲୁଥିବାରୁ ଏଥିପାଇଁ ସ୍ଥାୟୀ ଘର ନିମନ୍ତେ ସରକାରୀ ଜାଗା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।

ଅପରାହ୍ଣରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ତଦାରଖ କରିଥିଲେ । କାର୍ଯ୍ୟାଳୟ ତରଫରୁ ତାଙ୍କୁ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ନାୟକ ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟର ଆବଶ୍ୟକ ନଥି ଓ ରେଜିଷ୍ଟର ଯାଂଚ କରିଥିଲେ । ପ୍ରତ୍ୟେକ ସରକାରୀ କାର୍ଯ୍ୟର ସଠିକ୍ ଭାବେ ନିର୍ବାହ କରିବା, ସାଂବାଦିକଙ୍କ କଲ୍ୟାଣ, ହକର ପରିଚୟ ପତ୍ର ପ୍ରଦାନ, ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍‌୍ୟବୀମା ଯୋଜନାରେ ପରିଚୟ ପ୍ରଦାନ , କାର୍ଯ୍ୟାଳୟ ଦ୍ଲାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ପ୍ରସାର ପ୍ରସାର ସଂପର୍କରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ପଚାରି ବୂଝିବା ସହ କାର୍ଯ୍ୟାଳୟକୁ ଅଧିକ କ୍ରିୟାଶୀଳ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ରାଜ୍ୟ ସରକାରଙ୍କ ସୂଚନା ଅଧିକାରୀମାନେ ଡିଜିଟାଲ ମିଡିଆ ସହ ତାଳ ଦେଇ କରିବେ କାମ

ଭୁବନେଶ୍ୱର, ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କ୍ରମେ ସଫଳ କାହାଣୀ ପ୍ରସ୍ତୁତି ସାଙ୍ଗକୁ ଆଧୁନିକ ସୂଚନା-ପ୍ରଯୁକ୍ତି ଉପକରଣର ବ୍ୟବହାର ଆପଣେଇବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ । ସରକାରଙ୍କ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାରଣ ଉପରେ ସୂଚନା ଅଧିକାରୀମାନେ ଗୁରୁତ୍ୱ ଦେବାକୁ  ସଚିବ ଉଲ୍ଲେଖ କରିଥିଲେ ।

ବିଭାଗୀୟ କାର୍ଯ୍ୟକୁ ଆଖି ଆଗରେ ରଖି ସମ୍ବାଦ ପରିବେଷଣ ଏବଂ ବିଭାଗକୁ କ୍ରିୟାଶୀଳ କରିବାରେ ସୂଚନା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଥିଲେ । ବିଗତ ଦିନର ଅଭିଜ୍ଞତାକୁ ନେଇ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ ଅନୁଯାୟୀ ସୂଚନା ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶାପ୍ରକାଶ କରିଥିଲେ ।

ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନିରଂଜନ ସେଠୀ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ବର, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ବରିଷ୍ଠ ଅଧିକାରୀ ନିରଂଜନ ସେଠୀଙ୍କୁ ନିଯୁକ୍ତି ମିଳିଛି। ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ ଅଧିକାରୀ କୃପାସିନ୍ଧୁ ମିଶ୍ର ଆଜି ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନିର୍ଦ୍ଦେଶକ (ବୈଷୟିକ) ଭାବେ କାର୍ଯ୍ୟ କରୁଥିବା ନିରଂଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି।

ନିରଂଜନ ସେଠୀ ଓଡିଶା ସୂଚନା ସେବା ଅଧିକାରୀ ଭାବେ 32 ବର୍ଷର ଅଭିଜ୍ଞତା ରହିଛି। ସେ ବିଭିନ୍ନ ସମୟରେ ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ଦିଗରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗରେ ବେଶ କିଛି ପରିବର୍ତ୍ତନ ଘଟିଛି। ଆଜି କୃପାସିନ୍ଧୁ ମିଶ୍ରଙ୍କୁ କୋଭିଡ କଟକଣା ଭିତରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ନିଜେ ନିରଂଜନ ସେଠୀଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମଙ୍ଗଳବାର ଦିନ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି 12 ହଜାର ଟପିଲା ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, ଆଜିର ତାଜା ରିପୋର୍ଟ ଅନୁସାରେ ଓଡିଶାରେ ଗତକାଲି 12 ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଅନୁସାରେ ଓଡିଶାର ଗୋଟିଏ ଦିନରେ କରୋନା ଆକ୍ରାନ୍ତ ସଂଖ୍ୟା ରହିଛି 12 ହଜାର 2 ଶହ 38। ଏମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 9 ଶହ 14 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 5 ହଜାର 3 ଶହ 24।