Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମ ବିଶ୍ବାସୀ ନବୀନ, ପ୍ରାର୍ଥୀ ତାଲିକା ଘୋଷଣାର ପ୍ରଥମରେ ଦେବାଦେବୀଙ୍କ ନାମ ଥିବା ନେତା, ୯ ଅଙ୍କ ଶୁଭକର

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଆଉ ମାତ୍ର ଛଅଟି ଆସନ ରହିଲା। ଶେଷ ଘୋଷଣାରେ ନବୀନ ଛଅଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ହେଲେ ଏହା ପୂର୍ବରୁ ସେ ତିନିଥର ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ତେବେ ନବୀନ କଣ ପାଇଁ ୯ ପରି ଏକ ଅଛିଣ୍ଡା ଅଙ୍କର ତାଲିକା ଘୋଷଣା କଲେ। ପ୍ରଶ୍ନ ଉଠିଛି ଯେ, କଣ ନବୀନଙ୍କ ପାଇଁ ୯ ଅଙ୍କ ଶୁଭକର କି ?

ଶୁଣାଯାଏ ଯେ, ନବୀନ ପଟ୍ଟନାୟକଙ୍କୁ କୁଆଡେ ଏହି ନିର୍ବାଚନ ୯ ଅଙ୍କ ଶୁଭକର। ସେଥିପାଇଁ ସେ ୯  କିମ୍ବା ଅଛିଣ୍ଡା ଅଙ୍କର ପ୍ରାର୍ଥୀ ଘୋଷଣା କରୁଛନ୍ତି। କୌଣସି ଜ୍ୟୋତିଷ କିମ୍ବା ସଂଖ୍ୟା ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଛନ୍ତି ତାହା ଜଣାପଡି ନାହିଁ। ହେଲେ ନବୀନ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପ୍ରାର୍ଥୀ ତାଲିକା ଦେଖିଲେ ଜଣାପଡେ ଯେ ସେ କେବଳ ୯ ଜଣପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ନବୀନ ପ୍ରଥମ ପର୍ଯ୍ୟାୟରେ ଯେଉଁ ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ତାହା ମଧ୍ୟ ୯ କୁ ସୂଚାଉଛି । କାରଣ ୭+୨ ଫଳ ଆସୁଛି ୯। ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ମଧ୍ୟ ୨+ ୭ ମିଶିଲେ ୯। ତେଣୁ ଏହି ୯ ଅଙ୍କକୁ ନେଇ ବର୍ତ୍ତମାନ ବିଜେଡିରେ ବେଶ ଚର୍ଚ୍ଚା ଚାଲିଛି।

କେବଳ ୯ ଅଙ୍କ ନୁହେଁ ନବୀନ ଦେବାଦେବୀଙ୍କ ନାମ ସହ ଜଡିତ ପ୍ରାର୍ଥୀଙ୍କ ନାମ ମଧ୍ୟ ପ୍ରଥମେ ଘୋଷଣା କରୁଥିବାର ଦେଖାଯାଇଛି। ନବୀନ ସପ୍ତମ ପର୍ଯ୍ୟାୟ ତାଲିକା ଘୋଷଣା ବେଳେ ପ୍ରଥମେ ମହେଶ ସାହୁଙ୍କ ନାମ ଘୋଷଣା କରିଥିଲେ। ମହେଶ ଯାହା ଦେବତାଙ୍କ ନାମକୁ ସୂଚାଇଥାଏ। ସେହିପରି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପ୍ରଥମେ ଯେ ଥିଲେ ସେ ହେଲେ  ଚିଲିକାରୁ ‘ରଘୁନାଥ’ ସାହୁ।

ସେହିପରି ଗତ ରାମ ନବମୀ ଦିନ ମଧ୍ୟ ନବୀନ ଦଳର ପଞ୍ଚମ ପର୍ଯ୍ୟାୟ ତାଲିକା ଘୋଷଣା କରିଥିଲେ। ସେଥିରେ ସେ ନିଜେ କଣ୍ଟାବାଞ୍ଜିରେ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କ ନାମ ଆଗରେ ନ ରଖି  ଚିତ୍ରକୁଣ୍ଡାର ‘ଲକ୍ଷ୍ମୀପ୍ରିୟା’ ନାୟକଙ୍କ ନାମ ଆଗେ ଘୋଷଣା କରିଥିଲେ। ଦ୍ବିତୀୟ ନମ୍ବରରେ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ବୋଲି କହିଥିଲେ।  ସେହିପରି ଚତୁର୍ଥ ପ୍ରାର୍ଥୀ ତାଲିକାରେ ନବୀନ ପ୍ରଥମେ ଲକ୍ଷ୍ମୀପୁର ବିଧାନସଭା ପାଇଁ ‘ପ୍ରଭୃ’ ଜାନୀ  ବୋଲି ଘୋଷଣା କରିଥିଲେ।

ନବୀନ ଯେତେବେଳେ ବିଜେଡିର ପ୍ରଥମ ତାଲିକା ଘୋଷଣା କରିଥିଲେ ସେତେବେଳେ ମଧ୍ୟ ସେ ବିଷମକଟକରୁ ‘ଜଗନ୍ନାଥ’ ସାରକାଙ୍କ ନାମ ଘୋଷଣା କରିଥିଲେ। ଫଳରେ ଏଥିରୁ ସ୍ପଷ୍ଟ ଯେ, ନବୀନ ନିଜେ ଧର୍ମ ବିଶ୍ବାସୀ ହୋଇଥିବାରୁ ତାହାକୁ ଆଧାର କରି ତାଙ୍କ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛନ୍ତି। ଯାହାକୁ ନେଇ ବିଜେଡିର ନେତୃବୃନ୍ଦଙ୍କ ମଧ୍ୟରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ।  ସେଥିପାଇଁ ବିଜୁ ଜନତା ଦଳ ତରଫରୁ ଜୋରଜାର ପ୍ରସ୍ତୁତି କରିଛି।

ଏହି ପ୍ରଚାର ବେଳେ ନବୀନ ଆସ୍କା ଓ ବ୍ରହ୍ମପୁର ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ ଆସନ୍ତାକାଲି ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହିଞ୍ଜିଳିରେ କରିବେ ପ୍ରଚାର

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଲା ପ୍ରାର୍ଥୀ ଘୋଷଣା, ଆରମ୍ଭ ହେବ ପ୍ରଚାର। ସେଥିପାଇଁ ସବୁ ଦଳ ବର୍ତ୍ତମାନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସେଥିପାଇଁ ବିଜୁ ଜନତା ଦଳ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇବେ  ମଇଦାନକୁ। ଆସନ୍ତା 24 ତାରିଖରେ ନବୀନ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ପ୍ରଚାର କରିବେ।

ଏହି ପ୍ରଚାର ବେଳେ ନବୀନ ଆସ୍କା ଲୋକସଭା ଏବଂ ଏହାର ଅଧିନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ରାୟଗଡାରେ ପ୍ରଚାର କରିବେ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳି ଏବଂ ଏହା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ। ଏଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନବୀନ ଆରମ୍ଭ କରିଦେଲେ ଡିଜିଟାଲ ପ୍ରଚାର, ଲୋକଙ୍କୁ ଭିଡିଓ କଲ କରି ବୁଝିଲେ ଭଲମନ୍ଦ ଓ ବିକାଶ କାମ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡିଜିଟାଲ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ସେ ଫୋନ କରି ଲୋକଙ୍କ ଭଲମନ୍ଦ ଓ ବିକାଶ କାମ ସଂପର୍କରେ ଅବଗତ ହୋଇଥିଲେ।

ହେଲେ ଆଜି ନବୀନ ପଟ୍ଟନାୟକ ଭିଡିଓ କଲ କରି ବିଭିନ୍ନ ଲୋକଙ୍କ ସହିତ ବିକାଶ କାମ ଉପରେ ଆଲୋଚନା କରିଛନ୍ତି। ଏ ନେଇ ଏକ ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ସମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରାଯାଇଛି।

ଏଥିରେ ନବୀନ ପାଞ୍ଚ ଜଣଙ୍କ ସହିତ କଥା ହେଉଛନ୍ତି। ପ୍ରଥମ ଭିଡିଓରେ ସେ ପୁରୀର ସ୍ବର୍ଣ୍ଣଲତା ବିଶୋଇଙ୍କ ସହିତ କଥା ହୋଇ ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟରେ ଆବଗତ ହୋଇଛନ୍ତି।

ସେହିପରି ସେ ସମ୍ବଲପୁରର ଆରତୀ ନାୟକ, ଖୋର୍ଦ୍ଧାର ପ୍ରକାଶ ହାତୀ, ପୁରୀର ବିଜୟଲକ୍ଷ୍ମୀ ପାଣିଙ୍କ ସହିତ ନବୀନ କଥା ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ସତ୍ୟ ନାରାୟଣଙ୍କୁ ଭରସା କଲେ ନବୀନ: ରଣପୁର ବିଧାନସଭା ଆସନ ପାଇଁ ଟିକେଟ ଦେଲା ବିଜେଡ଼ି

ରଣପୁର: ଐତିହାସିକ ଗଡ଼ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ସତ୍ୟ ନାରାୟଣ ପ୍ରଧାନଙ୍କ ଉପରେ ପୁନର୍ବାର ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀର ବିକାଶ କରିବା ପାଇଁ ପୁଣି ସତ୍ୟ ନାରାୟଣ ପ୍ରଧାନଙ୍କୁ ବିଜେଡି ଦଳ ବିଧାୟକ ଟିକେଟ ଦେଇଛି। ଏହି ଖବର ରଣପୁର ଞ୍ଚଳରେ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ।

ସ୍ଥାନୀୟ ଲୋକମାନଙ୍କ ସହ ଦଳୀୟ କର୍ମୀ ମାନେ ମିଠା ଖୁଆଇ ଖୁସି ମନାଇଛନ୍ତି। ରଣପୁର ନିର୍ବାଚନ ମଣ୍ଡଳୀର ରାଇପଡା ଗ୍ରାମରେ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ଦଳୀୟ କର୍ମୀମାନେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦ୍ୱଗୁଣିତ ହୋଇଥିବା ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ରୁ ୨୦୩୪ ଓଡିଶାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ: ବିଜେଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି। ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପସୀତା ସାହୁ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଛନ୍ତି ଯେ, ୟୁଜି ଏବଂ ପିଜି କୋର୍ସରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ନୂଆ- ଓ ସ୍କଲାରଶିପ ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରାୟ ୯୮% ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ଦେଶର କୌଣସି ବି ରାଜ୍ୟରେ ଏତେ ବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ। ଓଡିଶା ଏ ଦିଗରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିଛି।

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ୍ ଏବଂ କଲଚୁରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି। ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ନବୀନ ଓଡିଶା ମ୍ୟାଜିକ କାର୍ଡରେ ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବାଦ୍ ଆଉ କ’ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି, ସେନେଇ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ୫-ଟି ଅଧ୍ୟକ୍ଷ କହଥିଲେ।

ଆଗାମୀ ୭ ଦିନ ଭିତରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା, ଜିଲ୍ଲା ଗସ୍ତ କରି ଏନେଇ ମତାମତ ସଂଗ୍ରହ କରିବେ। ଏହାବାଦ୍ ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରମାନଙ୍କର ଆଉ କ’ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ। ଆମ ହ୍ୱାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇ-ମେଲ୍ ଆଇଡି-ଭମହୟକ୍ଟଲଲସମସବକ୍ଷଅଶଜ୍ଞବସକ୍ଷ.ମକ୍ଟଜ୍ଞ ଜରିଆରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ।

ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ୱତନ୍ତ୍ର ଭାବେ ଷ୍ଟୁଡେଣ୍ଟ ମାନିଫେଷ୍ଟୋ ସାମିଲ କରିବା ପାଇଁ ଅନୁରୋଧ କରାଯିବ ଏବଂ ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟରେ ପାରିତ କରିବାକୁ ଛାତ୍ର ସମାଜ ପକ୍ଷରୁ ଅନୁରୋଧ କରିବୁ। ଆମର ସଂପୂର୍ଣ୍ଣ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ। ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୨୪ରୁ ୨୦୩୪ ଯାଏଁ ଛାତ୍ର ଏବଂ ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ। ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତା ବିକାଶ, ନିବେଶ ଓ ନିଯୁକ୍ତି ଜରିଆରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି। ଯାହା ଏକ ସମୃଦ୍ଧ, ସଶକ୍ତ ଓ ନବୀନ ଓଡିଶା ଗଠନରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିଶ୍ୱପ୍ରତାପ ସାହୁ, ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବା ଅପରୂପା, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ନବୀନ ନିବାସ ଯାଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜେଡି

ଭୁବନେଶ୍ୱର: ଫ୍ରାଙ୍କଲିନ ରୁଜଭେଲ୍ଟ କହିଛନ୍ତି, “ଆମେ ସବୁବେଳେ ଆମର ଯୁବଗୋଷ୍ଠୀଙ୍କ ପାଇଁ ଭବିଷ୍ୟତ ନିର୍ମାଣ କରିପାରିବା ନାହିଁ , କିନ୍ତୁ ଆମେ ଆମର ଯୁବକଙ୍କୁ ଭବିଷ୍ୟତ ପାଇଁ ନିର୍ମାଣ ପାରିବା।” ବିଜେଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟକୁ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ନେତୃତ୍ୱ ଭୂମିକା ଗ୍ରହଣ କରିବା ପାଇଁ ଯୁବପିଢ଼ି କିପରି ରୂପ ନେଉଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ସମାଜର ଭବିଷ୍ୟତ ନିର୍ଭର କରୁଛି। ତେଣୁ ଯୁବଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର।

ଆଜି ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ, ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅର୍ଥନୈତିକ ସୁଯୋଗ କ୍ଷେତ୍ର ଭାବେ ଇଲେକ୍ଟ୍ରୋନିକ୍ ପଲିସି, ୨୦୨୧; ଆଇଟି ନୀତି ୨୦୨୨; ବିପିଓ ନୀତି ୨୦୨୨; ଡାଟା ସେଣ୍ଟର ପଲିସି ୨୦୨୧ରେ ଏହି ସବୁ କ୍ଷେତ୍ରର ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇଛି। ଏଠାରେ ବ୍ୟାପକ ନିଯୁକ୍ତି ସହିତ ଶିକ୍ଷାର ପ୍ରସାର ହୋଇପାରୁଛି। ଇନୋଭେସନ ହବ୍‌- ଇନଫୋସିଟି ଭଳି ସିଲିକନ୍ ଭ୍ୟାଲି; ଇନଫୋ ଭ୍ୟାଲି ଓ ହବ୍ ଆଦି ରହିଛି । ବଡ଼ ବଡ଼ ସହରର ଆହ୍ୱାନ ବିନା ଭୁବନେଶ୍ୱର ଆଦର୍ଶ ସ୍ଥାନ ସାବ୍ୟସ୍ତ ହୋଇଥିଲା। ନାସ୍କମ୍ ଏବଂ ଡେଲୋଇଟ୍ ଏହାକୁ ସ୍ୱୀକୃତି ଦେଇଛନ୍ତି।

ଆସେଞ୍ଚର, ଆଇବିଏମ୍‌, କଗ୍ନିଜେଣ୍ଟ୍‌, ମାଇକ୍ରୋସଫ୍ଟ, ଇନଫୋସିସ୍‌, ଟେକ୍ ମହିନ୍ଦ୍ରା, ଟିସିଏସ୍ ପକ୍ଷରୁ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପିଡବ୍ଲ୍ୟୁସି, ଇୱାଇ ଏବଂ ଡେଲୋଇଟ୍‌ର ମଧ୍ୟ ନିଜସ୍ୱ କେନ୍ଦ୍ର ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବୃହତ ବିପିଓ ଫାର୍ମ କନସେନଟ୍ରିକ୍ସ ଉଦ୍‌ଘାଟନ କରିଥିଲେ। ଷ୍ଟେମ୍ ଗ୍ରାଜୁଏଟମାନେ ଏକ ପାଦ ଆଗକୁ ବଢିଛନ୍ତି। ୫ଟିରେ ଟି ଅର୍ଥ ଟେକ୍ନୋଲୋଜି।

ଶିକ୍ଷା ପରିଦୃଶ୍ୟରେ ନୂଆ ଓ – ସାମ୍ସ ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ହୋଇଛି । ଛାତ୍ରମାନଙ୍କୁ ୯୦୦୦ ଓ ମହିଳା ଛାତ୍ରୀମାନଙ୍କୁ ୧୦୦୦୦ ଟଙ୍କାର ବୃତ୍ତି ମିଳୁଛି । ଶିକ୍ଷାର ଅନ୍ତର୍ଭୁକ୍ତ ଏବଂ ସମାନ ଉପଲବ୍ଧତା ଭାବେ ଏସ୍‌ସି, ଏସ୍‌ଟି ଓ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଅଧିକ ବୃତ୍ତି ମିଳିଥାଏ । ନୂଆ ଉନ୍ନତ ଅଭିଳାଷ ଆଗାମୀ ତିନି ବର୍ଷ ମଧ୍ୟରେ ଏକ ଲକ୍ଷ ଯୁବକଙ୍କୁ ତାଲିମ ଦେବ । ଏଥିପାଇଁ ୩୮୫ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି । ୟୁଜି ଏବଂ ପିଜି ପାଇଁ ମ୍ୟାଜିକ୍ କାର୍ଡ – ସୁବିଧା ରହିଛି ।

ଦକ୍ଷତା ଏବଂ ଉଦ୍ୟୋଗୀ ଲ୍ୟାଣ୍ଡସ୍କେପ୍ ଭାବେ ଡବ୍ଲୁଏସ୍ସି ଆଇଟିଇଇଏସ୍ ଭାଗିଦାରୀ-୨୦୨୧ରେ ୭ଟି ଟ୍ରେଡରେ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ, ଇଞ୍ଜିନିୟରିଂ ସ୍କୁଲ – ୫ଟି ପାଠ୍ୟକ୍ରମ ଓ ସର୍ଭିସ ସ୍କୁଲରେ ୨ଟି ପାଠ୍ୟକ୍ରମ ରହିଛି । ଡବ୍ଲୁଏସସି ଏକାଡେମୀ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବ ଏବଂ ଆଇଟିଆଇ ଏବଂ ପଲିଟେକ୍ନିକ୍‌ର ଉନ୍ନତି ପାଇଁ ଏକ ହବ୍ ଏବଂ ସ୍ପିକ୍ ମଡେଲ ଭାବରେ କାର୍ଯ୍ୟ କରିବ ।

ସଂକଳ୍ପ ଯୋଜନାରେ ଉଦ୍ୟୋଗୀମାନଙ୍କ ପାଇଁ ୧୦୦ ଘଣ୍ଟିଆ ପାଠ୍ୟକ୍ରମ; ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୦,୦୦୦ ପ୍ରଶିକ୍ଷିତ ଏବଂ ୧୦୦୦ ଜଣଙ୍କୁ ଗ୍ରାମାଞ୍ଚଳରେ ଉଦ୍ୟୋଗ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପ୍ରାକୃତିକ ପ୍ରତିଭା ଥିବା ଲୋକଙ୍କ ପାଇଁ ପୂର୍ବ ଶିକ୍ଷାର ସ୍ୱୀକୃତି ପ୍ରଦାନ କରାଯାଉଛି ।

ଡାସଲ୍ଟ; ମାଇକ୍ରୋସଫ୍ଟ; ଟେକ୍ ମହିନ୍ଦ୍ରା; କୋର୍ସରା; ଆଇବିଏମ୍ ଆଦି ଡିଜିଟାଲ ଦକ୍ଷତା କ୍ଷୁଦ୍ର ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଏଥି ମଧ୍ୟରେ ଡିଜିଟାଲ ଆନିମେସନ ଏବଂ ସ୍ପେସିଆଲ ଏଆଇ ପାଠ୍ୟକ୍ରମ ରହିଛି । ସେହିଭଳି ସିଙ୍ଗାପୁର ସହ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି ।
ମିଶନ ଶକ୍ତିକୁ ସହାୟତା ପାଇଁ ଆଉ ୯ଟି ପାଠ୍ୟକ୍ରମ – ଲଜିଷ୍ଟିକ୍ ସାମୁଦ୍ରିକ ଇଞ୍ଜିନିୟରିଂ ସ୍ୱାସ୍ଥ୍ୟ ସେବା; ମହିଳାମାନଙ୍କ ପାଇଁ କଷ୍ଟମ ଏମବିଏ ଏବଂ ପୋଷାକରେ ପ୍ରଶିକ୍ଷଣ ସହ ମାଇକ୍ରୋ ଉତ୍ପାଦନ । ଡବ୍ଲୁଏସସିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଜାତୀୟ କ୍ୟାରିୟର ସେଣ୍ଟର ଭାବରେ ସ୍ୱୀକୃତି ଦେଇଛି ଯାହା ବିଦେଶୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛି । ଆଇଓଟିରେ ଉତ୍କର୍ଷ କେନ୍ଦ୍ରର ଯୋଜନା; ସ୍ମାର୍ଟ ଉତ୍ପାଦନ; ଉନ୍ନତ ୱେଲ୍ଡିଂ ଇତ୍ୟାଦି ରହିଛି ।

“ଭବିଷ୍ୟତ ପାଇଁ ଯୁବ ଓ ଯୁବଗୋଷ୍ଠୀଙ୍କ ପାଇଁ କ୍ରୀଡ଼ା’ । କ୍ରୀଡ଼ା ଓ ଯୁବସେବା ବିଭାଗ ଏଥିପାଇଁ ଭୁବନେଶ୍ୱରରେ କଳିଙ୍ଗ ସ୍ପୋର୍ଟସ କମ୍ପେ୍ଲକ୍ସ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, କଟକରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ୬ ଫିଫା ଷ୍ଟାଣ୍ଡାର୍ଡ ଫୁଟବଲ ପିଚ୍ (୫ ପ୍ରାକୃତିକ + ୧ କୃତ୍ରିମ), ପୁରୀ, ବ୍ରହ୍ମପୁର, ଜୟପୁର, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାଉରକେଲା, (ପ୍ରସ୍ତାବିତ- ସମ୍ୱଲପୁର ଓ ବାଲେଶ୍ୱର), ତମାଣ୍ଡୋ ଓ କୁଲୁଣ୍ଡିରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ୧୬ଟି କ୍ରୀଡ଼ା ଏକାଡେମୀ, ୧୨ ସୁଇମିଂ ଗ୍ରାସରୁଟ୍ ସେଣ୍ଟର, ୪୦ଟି ଇନ୍‌ଡୋର ହଲ୍‌, ୨ଟି ଇନ୍‌ଡୋର ଜିମ୍ନାଷ୍ଟିକ୍ସ ଓ ଭାରୋତ୍ତୋଳନ ହଲ୍‌, ୯୦ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ୨୫ଟି ସିନ୍ଥେଟିକ୍ ହକି ପ୍ରଶିକ୍ଷଣ ପିଚ୍ (ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ପାଇଁ), ୩୧୪ଟି ଗ୍ରାମୀଣ ମିନି ଷ୍ଟାଡିୟମ, ୧୪୯ ଅର୍ବାନ ମିନି ଷ୍ଟାଡିୟମ ଓ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ରହିଛି ।

ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର ଆଇଓସି ସହ ଭାଗିଦାରୀ କରିଛନ୍ତି । ସୁସ୍ଥ ଜୀବନଶୈଳୀ ପାଇଁ ଜୀବନ କୌଶଳ, ମୂଲ୍ୟବୋଧ ଏବଂ କ୍ରୀଡ଼ାରେ ଜୀବନବ୍ୟାପୀ ଅଂଶଗ୍ରହଣ ଶିଖାଇବା ପାଇଁ ଓଡ଼ିଶାର ୩୫୦ରୁ ଅଧିକ ବିଦ୍ୟାଳୟରେ ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି) ପ୍ରଦାନ ।

ମାଉଣ୍ଟ ଏଭରେଷ୍ଟ (୮୮୪୮ ମିଟର), ମାଉଣ୍ଟ ଆକନକାଗୁଆ (୬୯୫୯ ମିଟର) ଏବଂ ଆଣ୍ଟାର୍କଟିକା ପାଇଁ ଡିଏସୱାଇଏସ୍ ସିଦ୍ଧାର୍ଥ ରାଉତରାୟଙ୍କୁ ସହାୟତା ପ୍ରଦାନ କରିଥିଲା । ଡିଏସୱାଇଏସ୍ ପର୍ବତାରୋହୀଙ୍କୁ ସମର୍ଥନ ପ୍ରଦାନ କରିଛି ଯେଉଁମାନେ ଆଫ୍ରିକାର ସର୍ବୋଚ୍ଚ ମାଉଣ୍ଟ କିଲିମଞ୍ଜାରୋ (୫୮୯୫ ମିଟର) ଚଢିଛନ୍ତି ।

ଯୁବ ନିୟୋଜନ ଏବଂ ସଶକ୍ତୀକରଣ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଛି । ବ୍ଲକ/ଏନ୍‌ଏସି/ପୌରପାଳିକା ସ୍ତରରେ ୬ଟି ବିଭାଗକୁ ନେଇ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ୫୫ ହଜାରରୁ ଅଧିକ ଦଳ ପଞ୍ଜୀକୃତ ହୋଇଛନ୍ତି । ବିଭିନ୍ନ ସ୍ତରରେ ରାଜ୍ୟବ୍ୟାପୀ ସାଂସ୍କୃତିକ/ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଜିମ୍ନାଷ୍ଟ ପ୍ରଣତି ନାୟକ ଓଡ଼ିଶାର ଗୌରବ । ଗୋଆ ୨୦୨୩ର ୩୭ଟି ଜାତୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବେ ଉଭା ହୋଇଛନ୍ତି ପ୍ରଣତି । କିଶୋର ଜେନାଙ୍କୁ ଚଳିତ ବର୍ଷ ବଡ଼ ସଫଳତା ମିଳିଛି । ଜାତୀୟ ଚାମ୍ପିୟନଶିପରେ ରୌପ୍ୟ ପଦକ, ବିଶ୍ୱ ଚାମ୍ପିୟନଶିପରେ ପଞ୍ଚମ ଓ ରୌପ୍ୟ ପଦକ ଜିତି ୨୦୨୩ ଏସୀୟ କ୍ରୀଡ଼ାରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ସ୍ୱୟମ୍ ୟୁ – ସ୍ୱାଧୀନ ଯୁବ ଉଦ୍ୟୋଗ ୧୫ ଫେବୃଆରୀ ୨୦୨୪ର ଶୁଭାରମ୍ଭ ହୋଇଛି । ଅର୍ଥେନୈତିକ ଦୁର୍ବଳ ବର୍ଗ ଋଣ ପାଇବା କଷ୍ଟକର । ଯୁବକମାନେ ସୁଧ ବୋଝ ବୋହି ପାରନ୍ତି ନାହିଁ ଏବଂ ବ୍ୟାଙ୍କଗୁଡିକ ଦ୍ୱିଧାରେ ଅଛନ୍ତି । ମାର୍ଜିନ୍ ମନି ଏକ ଚ୍ୟାଲେଞ୍ଜ । ଏସସି ଏସଟି କିନ୍ନରଙ୍କ ପାଇଁ ୧୮-୩୫ ବର୍ଷ ଏବଂ ୪୦ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଏକ ଲକ୍ଷ ଟଙ୍କାର ପ୍ରକଳ୍ପରେ ୫୦୦୦ ମାର୍ଜିନ ମନି ଏବଂ ୯୫୦୦୦ କେନ୍ଦ୍ର କିମ୍ୱା ରାଜ୍ୟ ଯୋଜନା ଭାବରେ କମ୍ ସୁଧରେ ବ୍ୟାଙ୍କରୁ ଋଣ କରାଯାଇପାରିବ । କିନ୍ତୁ ସରକାର ଏହି ସୁଧ ବହନ କରିବେ । ୨ ବର୍ଷରେ ପ୍ରାରମ୍ଭିକ ଭାବେ ୫୦,୦୦୦ରୁ ଅଧିକ ଯୁବକଙ୍କୁ ଟାର୍ଗେଟ କରାଯାଇଛି । ଦୁଇଟି କିସ୍ତିରେ ଋଣ ମିଳିବ ଏବଂ ୪ ବର୍ଷରେ ପରିଶୋଧ ହେବ କିନ୍ତୁ ସ୍ଥଗନ ଅବଧି ୩-୬ ମାସ ପର୍ଯ୍ୟନ୍ତ ହୋଇପାରେ । ମୋ ସେବା କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକମାନଙ୍କ ପାଇଁ ଆସିଲା ଖୁସି ଖବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି।

ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନା କୁ (Modified Assured Career Progression Scheme) ସରଳ କରାଯାଇଛି. ଏବେ 100% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନ କୁ ଭିତ୍ତି କରି MACP ନିର୍ଣ୍ଣୟ କରାଯିବ.

ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକ ମାନଙ୍କୁ ଆକର୍ଷିତ କରିବା PH.D ଡିଗ୍ରୀ ହାସଲ ପାଇଁ, ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି. ଅଧ୍ୟାପକମାନଙ୍କୁ ଚାକିରୀ ସମୟରେ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ କେବଳ entry level ରେ appropriate pay ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି, (କେବଳ ଅଧ୍ୟାପକ ପଦରେ ) ପ୍ରଦାନ କରାଯିବ |

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ପୂର୍ଣ୍ଣ ସହାୟତା ପ୍ରାପ୍ତ କଲେଜ ର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି। ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି।

ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି।

ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି।

ଏହି ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ। ଦକ୍ଷିଣ ଓଡିଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଏହା ଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି।

ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସବୁ ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ଏହି ଅବସରରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଏଗୁଡିକୁ ସଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଜୟପୁରଠାରେ ଯୋଗଦେଇ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ କ୍ରୀଡାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏବଂ ବିଭିନ୍ନ କ୍ରୀଡା ଭିତ୍ତିଭୂମି ନିର୍ମାଣ ଓ ଉନ୍ନତ ତାଲିମ ପ୍ରଦାନ ଜରିଆରେ ଓଡିଶା ଏକ କ୍ରୀଡା ପ୍ରୋତ୍ସାହକ ରାଜ୍ୟ ଭାବେ ଆଗ ଧାଡିରେ ରହି ଆସିଛି।

କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଯୁଗପୋଯୋଗୀ ମାର୍ଗ ଦର୍ଶନ ପାଇଁ ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟରେ 5T ଉପକ୍ରମର ସଠିକ୍‌ ଅନୁପାଳନ ଯୋଗୁ ଓଡିଶା କ୍ରୀଡା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଛି।

କାର୍ଯ୍ୟକ୍ରମରେ ଜୟପୁରଠାରେ କ୍ରୀଡା ବିଭାଗର କୋଚ ଶ୍ରୀ ସୁମନ୍ତ ନାରାୟଣ ସାହୁ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କ୍ରୀଡାବିତ ଅଭ୍ୟାସ ଜରିଆରେ ଉପକୃତ ହେବେ ଏବଂ ସେମାନେ ଜାତୀୟ ଓ ‌ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବେ।

ସେହିପରି କ୍ରୀଡାବିତ ସମର୍ପିତା ପାଣିଗ୍ରାହୀ କହିଥିଲେ ଯେ ପୂର୍ବରୁ ଆମେ ନଦୀ ପୋଖରୀରେ ସନ୍ତରଣ ଅଭ୍ୟାସ କରୁଥିଲୁ। ଏବେ ଏହି ଅତ୍ୟାଧୁନିକ ସନ୍ତରଣାଗାରରେ ଆମେ ଅଭ୍ୟାସ କରିପାରିବୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଉଭୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ରୀଡା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବଢିଲା ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଏବଂ କାଉନସିଲରଙ୍କ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍‌.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍‌.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍‌ ବ୍ୟତୀତ ମହାନଗର ନିଗମର Standing Committee ର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।

ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି।

ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍‌.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର ସଂସ୍କୃତି

ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି ପଦ୍ମଶ୍ରୀ ପୁରସ୍କୃତଙ୍କୁ ମିଳିବ ମାସକୁ ୨୫ ହଜାର ଟଙ୍କା

ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର ସଂସ୍କୃତି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ।

ଆମ ରାଜ୍ୟରେ ଥିବା 7,200ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ 50 ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ଜିଲ୍ଲା କଲରାବାଙ୍କରେ ୧୦୦ ଶଯ୍ୟା କିମସ ଗ୍ରାମୀଣ ଡାକ୍ତରଖାନା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍ କଲରାବାଙ୍କଠାରେ ୧୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କିମ୍ସ ଗ୍ରାମୀଣ ଡାକ୍ତରଖାନା ଏବଂ କଲରାବାଙ୍କ ସ୍ମାର୍ଟ ଭିଲେଜର ଲୋକାର୍ପଣ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ଟି କିମ୍ସ ଗ୍ରାମୀଣ ଡାକ୍ତରଖାନାର ଭିତ୍ତି ରଖିଛନ୍ତି।

ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ହସ୍‌ପିଟାଲ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହେବ ବୋଲି କହି ସ୍ମାର୍ଟ ଭିଲେଜ୍ କଲରାବାଙ୍କ ପାଇଁ ଏହି ହସ୍‌ପିଟାଲ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନିଜ ଗାଁ ପାଇଁ ନିଜ ଜନ୍ମମାଟି ପାଇଁ କିଛି କରିବା ହେଉଛି ଜୀବନର ଶ୍ରେଷ୍ଠ ସନ୍ତୋଷ। କଲରାବାଙ୍କ ଗାଁର ରୂପାନ୍ତର ପାଇଁ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆମେ ସମସ୍ତେ ଯଦି ନିଜ ଗାଁ ନିଜ ମାଟି ପାଇଁ ଦାୟିତ୍ୱର ସହ କାମ କରିବା ତେବେ ରୂପାନ୍ତର ଲକ୍ଷ୍ୟ ଖୁବ୍‌ ଶୀଘ୍ର ପୂରଣ ହେବ।

କିମ୍ସ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୯ ଟି ୧୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ କରାଯାଉଥିବା ଜାଣି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଆମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଲକ୍ଷ୍ୟ ନେଇ ଆମେ କାମ କରୁଛୁ ଏବଂ ଓଡିଶାର ସବୁ ପରିବାର ଯେପରି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାକୁ ଆମେ ପ୍ରାଧାନ୍ୟ ଦେଇ କାମ କରୁଛୁ ବୋଲି କହିଥିଲେ।

ଏ ଦିଗରେ ଆମ ହସ୍‌ପିଟାଲ, BSKY, BSKY Nabin Card ଆଦି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କ ଏହି ଉଦ୍ୟମରେ କିମ୍ସ ପରି ଘରୋଇ ସଂସ୍ଥା ଗୁଡିକର ଯୋଗଦାନ ଆମର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ମଜବୁତ୍ କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କିମ୍ସର ପ୍ରତିଷ୍ଠାତା ଓ କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ଦୁଇଟି ଅପରିହାର୍ଯ୍ୟ ଦିଗ। ମୁଖ୍ୟମନ୍ତ୍ରୀ ଏହି ଦୁଇଟି ଦିଗକୁ ଗୁରୁତ୍ୱର ସହ ନେଇ ଏହାର ବିକାଶ ଜରିଆରେ ଶୀର୍ଷରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତିକୁ ସମାନ ଭାବେ ପ୍ରାଧାନ୍ୟ ଦେଇଥାନ୍ତି। ଆଜି କଲରାବାଙ୍କ ଗ୍ରାମରେ ସହର ଭଳି ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରୋତ୍ସାହନ ପ୍ରଶଂସନୀୟ ଅଟେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିଜ ଜନ୍ମ ମାଟି ଓ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ମହତ ଯୋଗଦାନକୁ ପ୍ରଶଂସା କରି କହିଥିଲେ ଯେ ଅଚ୍ୟୁତବାବୁଙ୍କ ଏହି ମହାନ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।

ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ ସମୟ ଥିଲା ଓଡିଶାବାସୀ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଥିଲେ। ଆଜି ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଏଠାରେ ଚିକିତ୍ସିତ ହେବା ପାଇଁ ଓ ପାଠ ପଢିବା ପାଇଁ। ଏ ସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ପାଇଁ। କଲରାବାଙ୍କର ଏହି ଅତ୍ୟାଧୁନିକ ହସ୍‌ପିଟାଲ ଅଞ୍ଚଳବାସୀଙ୍କ ସହିତ ଜିଲ୍ଲା ତଥା ପଡୋଶୀ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଏହି ହସ୍‌ପିଟାଲରେ ୨୪ ଘଣ୍ଟିଆ ଆପାତକାଳୀନ ସେବା, ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା, ଅତ୍ୟାଧୁନିକ ରୋଗ ନିଦାନ କେନ୍ଦ୍ର, ଆଇସିୟୁ, ସିଟିସ୍କାନ, ଏଚ୍‌ଡିୟୁ, ଏମ୍‌ଆରଆଇ, କ୍ୟାବିନ୍‌, ଅଲଟ୍ରାସାଉଣ୍ଡ, ଓଟି, ଅତ୍ୟାଧୁନିକ ପରୀକ୍ଷାଗାର, ଜେନେରାଲ ୱାର୍ଡ, ଫିଜିଓଥେରାପି କେନ୍ଦ୍ର ଭଳି ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା କିମ୍ସ ପକ୍ଷରୁ ଉପଲବ୍ଧ କରାଯାଇଛି। ଏହି ହସ୍‌ପିଟାଲ BSKY ହିତାଧିକାରୀ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।

ଭିତ୍ତି ଦିଆଯାଇଥିବା ହସ୍‌ପିଟାଲଗୁଡିକ ହେଲା ବଲାଙ୍ଗିର, କଳାହାଣ୍ଡି, ବାରିପଦା, କେନ୍ଦୁଝର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ, ସମ୍ବଲପୁର, କୋରାପୁଟ, ଶିବପୁର(ଜଗତସିଂହପୁର), ଲୁଣିବାହାଲ ଓ ମନମୁଣ୍ଡା (ବୌଦ୍ଧ), ପାଣିକୋଇଲି (ଯାଜପୁର), ବାଲିଗୁଡା, ଫୁଲବାଣୀ ଓ ଜି. ଉଦୟଗିରି ( କନ୍ଧମାଳ), ଦଶପଲ୍ଲା (ନୟାଗଡ) ଏବଂ ଭଞ୍ଜନଗର ଓ ନରସିଂହପୁର (ଗଞ୍ଜାମ)। ଏହି ସମସ୍ତ ହସ୍‌ପିଟାଲ ଗୁଡିକରେ ସମ୍ପୃକ୍ତ ଜିଲ୍ଲାର ୧୫୦ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦିଆଯିବ ବୋଲି ହସ୍‌ପିଟାଲ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଚାଷୀଙ୍କୁ ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀ ଭାଇଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ କାଳିଆ କେନ୍ଦ୍ର ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ପ୍ରତ୍ୟେକ ଚାଷୀ ପରିବାର ସମ୍ମାନ ସହ ବଞ୍ଚନ୍ତୁ, ସଶକ୍ତ ହୁଅନ୍ତୁ ଏବଂ ଓଡିଶାର ସମୃଦ୍ଧିରେ ଯୋଗଦାନ ରଖନ୍ତୁ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କାଳିଆ ଯୋଜନାର ସମୟ ଅବଧି ଆଉ ୩ ବର୍ଷ ଅର୍ଥାତ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଘୋଷଣା କରିଥିଲେ। ଏଥିପାଇଁ ରାଜ୍ୟ ସରକାର ୬୦୩୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା କେବଳ ଗୋଟିଏ ବ୍ୟକ୍ତିକୁ ନୁହେଁ, ପୁରା ପରିବାରକୁ, ସମାଜକୁ ସଶକ୍ତି କରିଥାଏ। ତେଣୁ କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି NIT, IIT, IIM, AIIMS, ICAR ପରି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢୁଥିବା ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ କୃଷି ସମ୍ବନ୍ଧୀୟ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍‌ଘାଟନ କରି କହିଛନ୍ତି ଯେ ଏଗୁଡିକ କୃଷି କ୍ଷେତ୍ରରେ ଅଭିନବ ଚିନ୍ତାଧାରା (Innovation) ଓ ସମ୍ବଳ କେନ୍ଦ୍ର ଭାବରେ କାମ କରିବ ।

ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ରାଜ୍ୟର ୧୮ ଲକ୍ଷରୁ ଉର୍ଦ୍ଧ୍ବ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ। ସମୁଦାୟ ୩୬୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ସେହିପରି ମୁଖ୍ୟମନ୍ତ୍ରୀ ଖରିଫ-୨୦୨୪ ପାଇଁ ରାଜ୍ୟର ଚାଷୀ ଭାଇଭଉଣୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ଦୁଇ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ବାରା ୪୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ।

ଚାଷୀ ଭାଇର ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି ହିଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ୫ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ କାଳିଆ ଯୋଜନା ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିଲା। ଏହି ଯୋଜନା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ଓଡିଶାର ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ସହାୟକ ହୋଇପାରିଛି। ରାଜ୍ୟରେ ଚାଷୀ ଭାଇମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଏହାର ଆକାର ଓ ପରିମାଣକୁ କ୍ରମାଗତ ଭାବେ ସଂପ୍ରସାରଣ କରୁଛନ୍ତି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ୨୦୧୯ ମସିହାରେ ଏହି ଐତିହାସିକ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଇତିମଧ୍ୟରେ ୬୪ ଲକ୍ଷ ଚାଷୀ ଭାଇ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ୧୩,୭୯୩ କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଛି । ଚାଷୀଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ ପଦକ୍ଷେପ ।

ଭାରତ ବର୍ଷରେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଭୂମିହୀନ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପାଞ୍ଚଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖମନ୍ତ୍ରୀ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା –

ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର

କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି. ବିଶିଷ୍ଟ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର

ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରିରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ

ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ଓଡିଶାର ଦୀର୍ଘତମ ସେତୁ

ରାକଡୋର- ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ

୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗିକରଣ ରାସ୍ତାରେ ମହାନଦୀ ଉପରେ ସେତୁ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ଦିଆଯାଇଥିବା ପ୍ରକଳ୍ପ ଗୁଡିକ ହେଲା – କଟକ ଜିଲ୍ଲା ନେମାଳଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ, ୩୨.୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ, ୧୫୫.୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧୭୩୮ ମିଟର ଦୈର୍ଘ୍ୟବିଶିଷ୍ଟ ସେତୁ ନିର୍ମାଣ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ 5T ଉପକ୍ରମରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡିଶାର ଏକ ପ୍ରମୁଖ ପୀଠ ହେଉଛି ହରିଶଙ୍କର। ସମନ୍ବିତ ଐତିହ୍ୟ, ସ୍ଥାପତ୍ୟ ଏବଂ ପର୍ଯ୍ୟଟନ ବିକାଶ ଯୋଜନାରେ ହୋଇଥିବା ଏହି ପୀଠର ରୂପାନ୍ତରଣ କାର୍ଯ୍ୟ ଏଠାକୁ ଆସୁଥିବା ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ସଫଳ ହେବା ସହ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ସଂସ୍କୃତି ଗୋଟିଏ ଜାତିର ଅସ୍ମିତାର ପରିଚୟ। ଏହାର ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। କଟକ ଜିଲ୍ଲାର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଗାଦି ଓ ପୀଠ ଏବଂ ଖୋର୍ଦ୍ଧା ଜିଲ୍ଲାର ମା’ ଉଗ୍ରତାରା ପୀଠର ରୂପାନ୍ତରଣ ପାଇଁ ଆଜି ଭିତ୍ତି ଦିଆଗଲା। ଏହି ମହାନ ପୀଠ ଗୁଡିକର ବିକାଶ ଦ୍ୱାରା ଓଡିଆ ଜାତିର ଭାବଗତ ବନ୍ଧନ ଆହୁରି ମଜବୁତ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

କେନ୍ଦୁଝରର ଯୋଡାଠାରେ ରାଜ୍ୟର ସବୁଠାରୁ ବଡ ଫ୍ଲାଏ ଓଭର, ଜଟଣିଠାରେ ରେଳ ଓଭରବ୍ରିଜ, ତେଲ ନଦୀ ଉପରେ ହାଇ ଲେଭଲ ସେତୁ, ମର୍ଯ୍ୟାକୁଦ ରାସ୍ତା ହାଇ ଲେଭଲ ସେତୁ ଏବଂ ଆଠମଲ୍ଲିକ-ଧଳପୁର ରାସ୍ତାରେ ସବୁଠାରୁ ବଡ ସେତୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଆମର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରିବା ସହିତ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ। ଏହି ସବୁ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକାର ପାଇବେ। ଯୋଗାଯୋଗ ହେଉଛି ସମୃଦ୍ଧିର ଆଧାର ବୋଲି କହି 5T ଉପକ୍ରମରେ ଆଜି ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆସିଛି ଏବଂ ଏହା ବିକାଶର ମାର୍ଗକୁ ପ୍ରଶସ୍ତ କରିଛି ବୋଲି କହିଥିଲେ।

ବିକାଶର ଏହି ଯାତ୍ରାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଆମକୁ ଶକ୍ତି ଦେଉଛି ବୋଲି କହି ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ଏହି ସହଯୋଗ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ କମ୍ ସମୟ ମଧ୍ୟରେ ବାବା ହରିଶଙ୍କରଙ୍କ ପୀଠ ରୂପାନ୍ତରଣ କାର୍ଯ୍ୟ ସମସ୍ତଙ୍କ ସହଯୋଗରେ ସୁନ୍ଦର ଭାବରେ ସମ୍ପୂର୍ଣ୍ଣ ହୋଇଛି। ଯୋଡାଠାରେ ଓଡିଶାର ଦୀର୍ଘତମ ଫ୍ଲାଏ ଓଭର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ ଏବଂ ନେମାଳବାସୀଙ୍କୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଅନୁରୋଧ ରକ୍ଷା କରିଛନ୍ତି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପୀଠର ଉନ୍ନତିକରଣ ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ, ବୌଦ୍ଧଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ଖୋର୍ଦ୍ଧାଠାରେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପାଟଣାଗଡଠାରେ ବିଧାୟକ ଶ୍ରୀ ସରୋଜ କୁମାର ମେହେର, ଚମ୍ପୁଆଠାରେ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହନ୍ତ, ନେମାଳଠାରେ ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ମାହାଙ୍ଗାଠାରେ ବିଧାୟକ ଶ୍ରୀ ପ୍ରତାପ ଜେନା, ଖୋର୍ଦ୍ଧାଠାରେ ଆମ ଓଡିଶା ନବୀନ ଓଡିଶା ସଂଯୋଜିକା ଶ୍ରୀମତୀ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର ଯୋଗଦେଇ କହିଥିଲେ ଯେ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥାନ୍ତି।

ଓଡିଶାବାସୀ ଆଜି ଗର୍ବିତ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇ। ଯିଏ କି ଲୋକଙ୍କ ମତାମତ ଆଧାରରେ ଦିନରାତି ଓଡିଶାବାସୀଙ୍କ କଲ୍ୟାଣ ଚିନ୍ତା କରିଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଥିବା ରୂପାନ୍ତରଣକୁ ସମଗ୍ର ବିଶ୍ୱ ଦେଖୁଛି। ଓଡିଶାକୁ ଏକ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ଏବଂ ଓଡିଶାବାସୀ କିଭଳି ଭଲରେ ରହିବେ ସେହି ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଇ.ଆଇ.ସି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନ୍ୟବାଦ ଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା 9ଘୋଷଣା କରିଛନ୍ତି।

ଘୋଷଣା ଅନୁଯାୟୀ ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥି ସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଦୁଇଟି ଜୀବିତ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୮୦ ଦିନ ର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ ପାଇବା ଦିନ ଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ Placement Scale ସୁବିଧା ପ୍ରଦାନ କରାଯିବ।

ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପାଇଁ ସେବା ସମୟରେ ମୃତ୍ୟୁବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା (Ex-Gratia) ରାଶି ଯଥାକ୍ରମେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା କୁ ଏବଂ ୧.୫୦ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ଇତି ମଧ୍ଯରେ କ୍ଯାବିନେଟ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଷାଠିଏ ବର୍ଷ ବୟସରେ ସେବା ନିବୃତ୍ତି ସମୟରେ ଏକକାଳୀନ ରାଶି ଭାବରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଯଥାକ୍ରମେ 10 ଲକ୍ଷ ଓ 5 ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ମଧ୍ଯ ନେଇଛନ୍ତି।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ବ୍ଲକ ଗ୍ରାଣ୍ଟ କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧୭,୫୦୦ କର୍ମଚାରୀ ଉପକୃତ ହେବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ କହିଲେ ଗୁଜବ ଓ ମିଛକଥା, ମେଣ୍ଟକୁ ନେଇ ଏହା କଣ ତାଙ୍କ ପ୍ରତିକ୍ରିୟା ? Video

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓରେ ଯାହା କହିଛନ୍ତି ତାହାକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା। କାରଣ କିଛି ଦିନ ଧରି ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ସାରା ଓଡିଶା ପଡୁଛି ଉଠୁଛି। ଏହି ସମୟରେ ହଠାତ ମୁଖ୍ୟମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଛୋଟ ସାକ୍ଷାତକାରଟିଏ ନେଇଛନ୍ତି। ସେଥିରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ସାରେ’ ରାଜନୀତିରେ ସବୁଠାରୁ ଖରାପ କଥା କଣ ? ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, “ଗୁଜବ ଏବଂ ମିଛ କଥା’। ଏହାପରେ ପଣ୍ଡିଆନ ହସି ହସି ଥାଙ୍କୁ ୟୁ ସାରେ ବୋଲି କହିଛନ୍ତି।

 

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି କହିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ଉଠିଛି। ମୁଖ୍ୟମନ୍ତ୍ରୀ କଣ ମେଣ୍ଟ ପ୍ରସଂଗରେ ଏହା ଗୁଜବ ବୋଲି ଇଙ୍ଗିତ କଲେକି ? ଦୀର୍ଘ ଦିନ ଧରି ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା କଣ ମିଛ କଥା ବୋଲି ନବୀନ କହିଲେ କି ? ଏହାକୁ ନେଇ ଶତାଧିକ ପ୍ରଶ୍ନ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ ଏପରି ମନ୍ତବ୍ୟ ପରେ ପ୍ରଶ୍ନ ଉଠିଛି କଣ ସତରେ ମେଣ୍ଟ ହେବ ନାହିଁ କି ? ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପରିସ୍ଥିତିରେ ହଠାତ ରାଜନୀତିରେ ଗୁଜବ ଓ ମିଛକଥା ଖରାପ ବୋଲି କହିବାର କଣ ଆବଶ୍ୟକ ପଡିଲା। ତେବେ କଣ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏପରି କହିଲେ କି ବୋଲି ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପୁଣି ଏକ ପ୍ରଶ୍ନ ଉଠିଛି ଯେ, ଯଦି ମେଣ୍ଟ କଥା ଗୁଜବ ଓ ମିଛକଥା, ତେବେ ମୁଖ୍ୟମନ୍ତ୍ରୀ ସିଧା କହିବାକୁ କାହିଁକି ଇଚ୍ଛା ପ୍ରକାଶ କଲେ ନାହିଁ। ଯଦି ବିଜେଡି ସୁପ୍ରିମୋ ସିଧା କହି ଥାଆନ୍ତେ ଯେ, ମେଣ୍ଟ ପ୍ରସଂଗ ଏକ ଗୁଜବ ଓ ମିଛ କଥା ତାହା ହେଲେ ଆଉ ଏ ସଂପର୍କରେ କୌଣସି ଚର୍ଚ୍ଚା ହେବାର ଆବଶ୍ୟକତା ନାହିଁ। ହେଲେ ସେ ସିଧା ମେଣ୍ଟ ପ୍ରସଂଗ ନ କହିଥିବାରୁ ଏଥିରେ କିଛି ସମ୍ଭାବନା ଅଛି ବୋଲି ସାଧାରଣରେ ଅନୁମାନ କରାଯାଉଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି।

ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍‌.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ।

ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର। 5T ଉପକ୍ରମରେ ସାରା ରାଜ୍ୟରେ ଗାଁରୁ ସହର ସବୁଆଡେ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆସିଛି। ମୋ ବସ୍‌ ଠାରୁ ଆରମ୍ଭ କରି ଲକ୍ଷ୍ମୀ ଯୋଜନା ଓ ମେଟ୍ରୋ ରେଳ ଯୋଜନା ନୂଆ ଓଡିଶା ଦିଗରେ ଆମର ଉଦ୍ୟମକୁ ଶକ୍ତିଶାଳୀ କରୁଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଆପଣଙ୍କ ସହରରେ ମୋ ବସ୍‌ ସେବା ଆରମ୍ଭ ହେଲା । ଏହାଦ୍ୱାରା ଆପଣମାନେ ସହର ଭିତରେ ଏବଂ ଆଖପାଖ ଅଞ୍ଚଳକୁ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ଯିବାଆସିବା କରି ପାରିବେ। ମୋ ବସ୍‌ ପାଇଁ ଉଭୟ କ୍ୟାସ୍ ଓ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ‘ମୋ ବସ୍‌ କାର୍ଡ ଟ୍ୟାପ ଆଣ୍ଡ ପେ’ ସୁବିଧା କରାଯାଇଛି ବୋଲି ସେ କହିଥିଲେ।ଏଥିରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମଧ୍ୟ ସେ କହିଥିଲେ।

ସମ୍ବଲପୁର ମୋ ବସ୍‌ ଗୁଡିକରେ ୯୦ ପ୍ରତିଶତ କଣ୍ଡକ୍ଟର ଭାବେ ମା’ମାନଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ମୋ ବସ ସେବାର ଲକ୍ଷ୍ୟ ବୋଲି ସେ କହିଥିଲେ। ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ସୁବିଧା ମିଳିବ ବୋଲି ସେ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁରରେ ବିଧାୟକ ଶ୍ରୀ ରୋହିତ ପୂଜାରୀ ଯୋଗ ଦେଇ କହିଲେ ଯେ ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ୍‌ ଭଳି ଏହି ମୋ ବସ୍‌ ସେବା ନିଶ୍ଚିତ ଭାବେ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାରେ ସୁବିଧା ଆଣିବ। ଆଜି ବିକାଶର ଧାରା ସମ୍ବଲପୁର ଜିଲ୍ଲାରେ ଜାରି ରହିଛି। ଏଥିପାଇଁ ଜିଲ୍ଲାବାସୀ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଥିଲେ।

ସେହିଭଳି ବ୍ରହ୍ମପୁରରେ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ କହିଲେ ଯେ ବ୍ରହ୍ମପୁର ସହରରେ ପିଇବା ପାଣି ଠାରୁ ଆରମ୍ଭ କରି ଗମନାଗମନ ପାଇଁ ମୋ ବସ୍‌ ପର୍ଯ୍ୟନ୍ତ ସମସ୍ତ ସୁବିଧା ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଯୋଗାଇ ଦେଇଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ରହିଛି। ଏହି ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱ ଦରବାରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି ମାଥି ଭାଥାନନ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ CRUTର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଯେଉଁଠାରେ ମା’ ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି।

ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଅଛି ଯେ ଯେଉଁଠାରେ ମା’ ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି।

ଓଡିଶାରେ ମହିଳାମାନଙ୍କର ପ୍ରଗତି ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ମହିଳାମାନେ ଏବେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ କହିଲେ ଯେ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୦ଟିରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତ ଓ ପୌର ସଂସ୍ଥା ଗୁଡିକରେ ୫୦ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି।

ସେହିପରି ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ମିଶନ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହା ଦ୍ୱାରା ମା’ମାନେ ଛୋଟ ଛୋଟ ବ୍ୟବସାୟ କରି ଅର୍ଥ ରୋଜଗାର କରି ନିଜ ପରିବାର ପାଇଁ ଅବଦାନ ରଖୁଛନ୍ତି। ଏହା ଏକ ବହୁତ ବଡ ପରିବର୍ତ୍ତନ। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସେମାନଙ୍କୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି।

ରାଜ୍ୟସରକାର ମଧ୍ୟ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ କୋଟି କୋଟି ଟଙ୍କାର ସରକାରୀ କାମ ଦେଉଛନ୍ତି। ସେମାନେ ମଧ୍ୟ ଏହି ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଉଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ପ୍ରକାଶ କରିଥିଲେ। ବର୍ତ୍ତମାନ ମହିଳାମାନେ ଆଉ ଏକ ପାଦ ଆଗକୁ ଯାଇ ଉଦ୍ୟୋଗୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟସରକାର ଏଥିପାଇଁ ୧୦ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି। ମା’ ମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣମାନେ ଆଗକୁ ବଢନ୍ତୁ , ମୁଁ ଆପଣମାନଙ୍କ ସହିତ ଅଛି’।

ସେହିପରି ମହିଳାମାନଙ୍କ ସାମାଜିକ ଅଧିକାରର ସୁରକ୍ଷା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ମଧ୍ୟ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଅଧିକ ସୁବିଧା ଦେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳୁଥିବା ବେଳେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ମିଳୁଛି। ନୂଆ-ଓ ଛାତ୍ରବୃତ୍ତିରେ ଝିଅମାନଙ୍କୁ ଅଧିକ ୧ ହଜାର ଟଙ୍କା ମିଳୁଛି। ଲକ୍ଷ୍ମୀ ବସ୍‌ରେ ମା’ମାନେ ଅଧା ଦାମରେ ମାତ୍ର ୫ ଟଙ୍କାରେ ଯିବାଆସିବା କରୁଛନ୍ତି। କେବଳ ସେତିକି ନୁହେଁ, ରେସନ କାର୍ଡ, BSKY କାର୍ଡ, ପକ୍କା ଘର ଆଦି ସବୁ ମା’ମାନଙ୍କ ନାଁରେ ରହୁଛି। ମହିଳାମାନଙ୍କ ନାଁରେ ଜମି କିଣାହେଲେ ରେଜିଷ୍ଟ୍ରେସନରେ ବହୁତ ରିହାତି ଦିଆ ଯାଉଛି। ଏହି ସବୁ ପଦକ୍ଷେପ ଦ୍ୱାରା ସମାଜରେ ମା’ମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି। ସେମାନେ ଦୃଢ ନିଶ୍ଚୟ ହେଲେ ଜୀବନରେ ବହୁତ କିଛି ହାସଲ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଜୀବନରେ ସଫଳତା କାମନା କରିବା ସହିତ ସେମାନେ ସବୁ କ୍ଷେତ୍ରରେ ସୁନାମ କରନ୍ତୁ ବୋଲି କହିଥିଲେ। ନୂଆ ଓଡିଶା ଗଠନରେ ମା’ମାନେ ସେମାନଙ୍କ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରେରଣାଦାୟୀ ଦିଗ୍‌ଦର୍ଶନ ଜରିଆରେ ମହିଳା ଶିଶୁ ବିକାଶ ବିଭାଗ ବିଭିନ୍ନ ମହିଳାକୈନ୍ଦ୍ରିକ ଯୋଜନା ଯଥା ମାତୃକଲ୍ୟାଣ ଯୋଜନା, ମମତା, ଅଦ୍ୱିକା, ଜାଗୃତି, ମହିଳା ହେଲ୍ପ ଲାଇନ୍‌ , ବିଜୁ କନ୍ୟାରତ୍ନ ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଆଦି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣକୁ ସୁଦୃଢ କରୁଛନ୍ତି। ମିଶନ ଶକ୍ତି ଆଜି ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଝାରସୁଗୁଡାର DSWO ପୁଣ୍ୟବତୀ ହେଲନସ୍କେ, ମୟୁରଭଞ୍ଜର ପ୍ରୋଗ୍ରାମ ଅଫିସର ଜୋତ୍ସ୍ନା ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଙ୍ଗନବାଡି କର୍ମୀ ନଳିନୀପ୍ରଭା ଦାସ, ସୁନ୍ଦରଗଡ ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁକାନ୍ତୀ ପାତ୍ର, ଗଜପତି ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁନୀତା ନାୟକ ଏବଂ କିଶୋରୀ ବାଳିକା ବିକାଶ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନବରଙ୍ଗପୁର ଜିଲ୍ଲାର ସରିତା ଗରଡା ଓ କନ୍ଧମାଳ ଜିଲ୍ଲାର ଶରତ ଘିବଲାଙ୍କୁ ପୁରସ୍କୃତ କରିବା ସହ ଆଶୀର୍ବାଦ ଯୋଜନା, ବିଜୁ କନ୍ୟାରତ୍ନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଓ ଅଦ୍ୱିକା ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଆଠଗଡ ସେକ୍ଟରର ଅଙ୍ଗନବାଡି କର୍ମୀ ଇପ୍ସିତା ମହାନ୍ତି ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଆଜି ଆମ ଗାଁରେ ମୋ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଯୋଗୁ ମୋ ଅଙ୍ଗନବାଡି କେନ୍ଦ୍ରର ରୂପରେଖ ବଦଳି ଯାଇଛି। ଅଙ୍ଗନବାଡି କର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। ସେହିପରି କୋରାପୁଟ ଜିଲ୍ଲା କୁନ୍ଦ୍‌ରା ଅଞ୍ଚଳର ମମତା ହିତାଧିକାରୀ ଭଗବତୀ ହରିଜନ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆମ ମା’ମାନଙ୍କ ମନ କଥା ଜାଣି ଆମ ପାଇଁ ସବୁ ସୁବିଧା କରିଛନ୍ତି। ମମତା ଯୋଜନାରେ ପୂର୍ବରୁ ମିଳୁଥିବା ୫ ହଜାର ଟଙ୍କାକୁ ୧୦ ହଜାର କରିଥିବାରୁ ‘ମୋ ପିଲା ଏବଂ ମୁଁ’ ପୋଷଣଯୁକ୍ତ ଖାଦ୍ୟ ଖାଇପାରୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ Director, ICDS ମନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବଢିଲା ଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨ ଆଶା କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।

ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେବା ନିବୃତ୍ତି ସମୟରେ ପୂର୍ବରୁ ସେମାନେ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ଟଙ୍କା ପାଇବେ। ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯.୪୩ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ।

ସୂଚନାଯୋଗ୍ୟ ଯେ ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସେମାନେ ସଫଳ ଭାବେ ସଚେତନ କରିପାରୁଛନ୍ତି। ଏହା ସହିତ ଟୀକାକରଣ ଓ Institutional Delivery କ୍ଷେତ୍ରରେ ମଧ୍ୟ ଆଶା କର୍ମୀମାନେ ଗୁରୁ ଦାୟିତ୍ୱ ବହନ କରିଆସୁଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବୃଦ୍ଧି ହେଲା ନିର୍ମାଣ ଶ୍ରମିକଙ୍କ ପେନ୍‌ସନ, ଜାଣନ୍ତୁ କେତେ ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି।

ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକ ମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍‌ସନ ପାଇବେ। ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଇବେ ।

ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଚ୍ଛିଲା ଭାବେ ଲାଗୁ ହେବ। ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ।