Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ଲୋକସଭା ଆସନ ପୋଛି ନେଲା ବିଜେପି, ବିଜେଡି ହାତ ଖାଲି, ଏକମାତ୍ର ଆସନ ନେଲା କଂଗ୍ରେସ

ଭୁବନେଶ୍ବର: ଏଥର ଲୋକସଭା ଏବଂ ବିଧାନସଭା ଫଳାଫଳ ବେଶ ଆଶ୍ଚର୍ଯ୍ୟଜନକ ହୋଇଛି। ଏଠାରେ ବିଜେପି ବିଧାନସଭାରେ ବହୁମତ ହାସଲ କରିଥିବା ବେଳେ ଲୋକସଭାରେ ସମସ୍ତ ଆସନ ପୋଛି ନେଇଛି। ଏକମାତ୍ରା କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେ ହେଉଛନ୍ତି କୋରାପୁଟ ଆସନର ସପ୍ତଗିରି ଉଲ୍ଲାକା।

ଗତଥର ବିଜେପି ମାତ୍ର ଆଠଟି ଲୋକସଭା ଆସନରେ ବିଜୟ ଲାଭ କରିଥିଲା ବେଳେ ବିଜେଡି 12 ଟି ଆସନରେ ବିଜୟ ଲାଭ କରିଥିଲା। ଏଥର ବିଜେଡି 17ଟି ଆସନ ହାସଲ କରିବ ବୋଲି ଆଶା ରଖିଥିଲା। ହେଲେ ଶେଷରେ ତାହା ଧୂଳିସାତ ହୋଇଛି। ଭୋଟ ଗଣତିର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଜପୁରରୁ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ଶେଷ ମୂହୁର୍ତ୍ତରେ ସେ ମଧ୍ୟ ପରାଜୟ କଲେ। ଏହା ବିଜେଡିର ଏକ ବଡ ବିପର୍ଯ୍ୟୟ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଧାନସଭା ନିର୍ବାଚନରେ ହାରିଲେ ଓଡିଶାର ତିନି ଦଳର ତିନି ସେନାପତି

ଭୁବନେଶ୍ବର: ବିଧାନସଭା ନିର୍ବାଚନରେ ଏଥର ତିନି ଦଳର ସେନାପତି ବା ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେମାନେ ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚେଷ୍ଠା କରିଥିବା ବେଳେ ନିଜେ ନିର୍ବାଚନ ବୈଇତରଣୀ ପାର ହୋଇପାରି ନାହାଁନ୍ତି। ସେମାନେ ହେଲେ ବିଜେପି ସଭାପତି ମନମୋହନ ସାମଲ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରେ ଛିଡା ହୋଇ ଗୋଟିଏରେ ଜିତିଥିବା ବେଳେ ଅନ୍ୟ ଗୋଟେ ଆସନରେ ପରାଜୟ ବରଣ କରିଛନ୍ତି। ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ନିର୍ବାଚନ ଜିତିଛନ୍ତି। ହେଲେ ସେଠାରେ ସେ ମାତ୍ର 4 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କଣ୍ଟାବାଞ୍ଜିରେ ନବୀନ 16 ହଜାର ଭୋଟରେ ହାରିଯାଇଛନ୍ତି।

ସେହିପରି ବିଜେପି ସଭାପତି ମନମୋହନ ସାମଲ ଭଦ୍ରକର ଚାନ୍ଦବାଲି ଆସନରୁ ହାରିଯାଇଛନ୍ତି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ସେ ମାତ୍ର 1916 ଖଣ୍ଡ ଭୋଟରେ ହାରିଯାଇଛନ୍ତି। ଯାହା ତାଙ୍କ ପାଇଁ ଏକ ବଡ ଧକ୍କା ହୋଇଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ 83063 ଖଣ୍ଡ ଭୋଟ ହାସଲ କରିଛନ୍ତି। ତେବେ ମନମୋହନ ଏହି ଆସନରେ ବିଜୟ ଲାଭ କରିବେ ବୋଲି ଆଶା କରାଯାଉଥିଲା।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନ ହାରି ଯାଇଛନ୍ତି। କେବଳ ହାରି ନାହାଁନ୍ତି ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେଠାରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନିର୍ବାଚନ ଜିତିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ 10881 ଖଣ୍ଡ ଭୋଟରେ ହରାଇଛନ୍ତି।

ଏହାପରେ ନୂଆପଡାରେ ତୃତୀୟ ସ୍ଥାନରେ ଅଛନ୍ତି ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା। ସେ ହାସଲ କରିଛନ୍ତି 44 ହଜାର 814 ଖଣ୍ଡ ଭୋଟ। ସେହିପରି ଶରତ ପଟ୍ଟନାୟକ ସେଠାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ପାଇଛନ୍ତି 15 ହଜାର 501 ଖଣ୍ଡ ଭୋଟ। ସେ 46 ହଜାର 322 ଖଣ୍ଡ ଭୋଟରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ଜନାଦେଶ ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି ଓଡ଼ିଶା ଜନାଦେଶ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ସମ୍ବଲପୁର ଲୋକସଭାର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର ଲୋକସଭାର ଜନସାଧାରଣଙ୍କ ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ନେତୃମଣ୍ଡଳୀ ଓଡ଼ିଶାର ସେବା କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଏକ ଅଗ୍ରଣୀ ଅଞ୍ଚଳକୁ ଗୋଢି ତୋଳିବା ପାଇଁ ଆମ ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଗଣ ଲୋକଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ଉପରେ ସହମତି ପ୍ରକାଶ କରି ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଭକ୍ତିପୂର୍ଣ୍ଣ କୃତଜ୍ଞତା ଜ୍ଞାପନ କରୁଛି। ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବାକୁ ଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଇ, ମା’ ହିଙ୍ଗୁଳା ଏବଂ ସବୁ ଦେବାଦେବୀଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି।

ମହାପ୍ରଭୁଙ୍କ ଶୁଭ ଆଶୀର୍ବାଦରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିବା ଆମ ପାଇଁ ସୌଭାଗ୍ୟର ବିଷୟ। ଆମର ଶୀର୍ଷ ନେତୃତ୍ୱଙ୍କ ଦୂରଦୃଷ୍ଟି, ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି। ବିଜେପିର ବିଜୟ ସବୁ ଓଡ଼ିଆ ଲୋକଙ୍କର ବିଜୟ। ଓଡ଼ିଆ ଅପେକ୍ଷା ଓ ଆକଂକ୍ଷାର ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତାର ବିଜୟ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଉପରେ ଲୋକଙ୍କ ବିଶ୍ୱାସ ଓ ଭରସାର ପ୍ରତିଫଳନ।

ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ସ୍ୱାଭିମାନ କେବଳ ରାଜନୈତିକ ବିଷୟ ନୁହେଁ । ଓଡ଼ିଆ ଅସ୍ମିତା ଓ ସଂସ୍କୃତିରେ ମହାପ୍ରଭୁଙ୍କ ସଂସ୍କୃତି, ଓଡ଼ିଆ ଚାଲିଚଳଣୀ ଓ ପରମ୍ପରାର କଥା ଅଛି। ଏଥିପାଇଁ ଓଡ଼ିଆ ଲୋକମାନେ ବିଜେପିକୁ ଭରପୁର ମାତ୍ରାରେ ଆଶୀର୍ବାଦ କରିଛନ୍ତି। ମୋଦୀ ଯାହା କୁହନ୍ତି, ତାହା କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ । ସବୁ ମୋଦୀ ଗ୍ୟାରେଣ୍ଟିର ସ୍ୱପ୍ନ ସାକାର ହେବ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ବିଜେପି ନିଷ୍ଠାର ସହକାରେ ଲୋକଙ୍କ ସେବା କରିବା ସହ ସବୁ ପ୍ରତିଶ୍ରୁତି ପୂରଣ କରି ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରଣପୁରରେ ସୁରମା ପାଢୀଙ୍କୁ ନେଇ ବେଶ୍ ଉତ୍ସାହିତ କର୍ମି, ତେବେ ଜିତିବା ପାଇଁ ନୁହେଁ

ରଣପୁର: ବିଧାନସଭା ନିର୍ବାଚନରେ ରଣପୁର ଆସନରୁ ବିଜେପି ପ୍ରାର୍ଥୀନୀ ସୁରମା ପାଢୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟନାରାୟଣ ପ୍ରଧାନ (ବାଦଲ) କୁ ୧୫୩୪୬ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହା ପରେ ସୁରମା ଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ବିଜେଡି ମହଲରେ ନୈରାସ୍ୟ ଭାବ ଖେଳିଯାଇଛି ।

ଚଳିତ ବିଧାନସଭା ନିର୍ବାଚନରେ ବିଜେପି ,ବିଜେଡି , କଂଗ୍ରେସ .ସିପିଏମ ସହ ୭ ଜଣ ପ୍ରାର୍ଥୀ ପ୍ରତିନ୍ଦନ୍ଦିତା କରୁଥିଲେ। ଏହି ନିର୍ବାର୍ଚନରେ ବିଜେପି ପ୍ରାର୍ଥୀ ସୁରମା ପାଢୀ ମୋଟ ୮୧୦୦୨ ଭୋଟ ପାଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସତ୍ୟନାରାୟଣ ପ୍ରଧାନ ୬୫୬୫୬ ଖଣ୍ଡ ଭୋଟ ପାଇଥିଲେ । ଯାହାଫଳରେ ସୁରମା ସତ୍ୟନାରାୟଣଙ୍କଠାରୁ ୧୫୩୪୬ ଭୋଟ ଅଧିକା ପାଇଁ ବିଜୟୀ ଲାଭ କରିଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ପ୍ରାଥୀ ର୍ ବିଭୁପ୍ରସାଦ ମିଶ୍ର ୪୯୧୨ ଭୋଟ ପାଇଛନ୍ତି ।

୨୦୦୦ ମସିହାରେ ବିଜେପି ବିଜେଡି ମେଣ୍ଟ ହୋଇଥିଲା । ସେତେବେଳେ ମେଣ୍ଟ ତରଫରୁ ରଣପୁରର ବିଜେପି ପ୍ରାର୍ଥୀ ସୁରମା ପାଢୀ ହୋଇଥିଲେ । କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରମାକାନ୍ତ ମିଶ୍ର ଙ୍କ ଠରୁ ସୁରମା ପରାସ୍ତ ହୋଇଥିଲେ । ୨୦୦୪ ମସିହାରେ ପୁଣି ବିଜେପି ବିଜେଡି ମେଣ୍ଟ ତରଫରୁ ସୁରମା ପାଢୀ ପ୍ରାର୍ଥୀ ହୋଇ ରମାକାନ୍ତ ମିଶ୍ର ଙ୍କୁ ପରାସ୍ତ କରି ବିଧାନସଭାକୁ ଯାଇ ଗୁରୁତ୍ୱପୂର୍ଣ୍ଣ ସମାବାୟ ମନ୍ତ୍ରୀ ହୋଇଥିଲେ ।

ପରେ ୨୦୦୯ ରେ ବିଜେପି ବିଜେଡି ମେଟଂ ଭାଙ୍ଗି ଯାଇଥିଲା । ସେତେବେଳେ ସୁରମା ବିଜେପି ପ୍ରର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ସେ ୨୦୦୯ ରେ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ , ୨୦୧୪ ରେ ବିଜେଡି ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଓ ୨୦୧୯ ରେ ପୁଣି ସତ୍ୟନାରାୟଣ ପ୍ରଧାନ ଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ୨୦୨୪ ରେ ସୁରମାଙ୍କ ପାଇଁ ସୌଭାଗ୍ୟ ଆଣିଦେଇଛି ।

ଏବେ ସୁରମାଙ୍କ ବିଜୟ ପରେ କର୍ମିମାନେ ଖୁସି ହୋଇଛନ୍ତି ସତ, ହେଲେ ସୁରମା ଏଥର ମନ୍ତ୍ରୀ ହେବାର ସମ୍ଭାବନା ଥିବାରୁ ସେମାନେ ଆହୁରି ଅଧିକ ଖୁସି ହେଉଥିବାର ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚଳିତ ନିର୍ବାଚନରେ ବିଜେଡିର 12 ମନ୍ତ୍ରୀ ସଦସ୍ୟତା ହରାଇଲେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବିଜେଡି ମାତ୍ର 51ଟି ଆସନରେ ବିଜୟ ଲାଭ କରି ସତ୍ତାରୁ ଓହରିଯାଇଛି। ତେବେ ଏହି ଭିତରେ ଦଳର ଟାଣୁଆ 12 ଜଣ ମନ୍ତ୍ରୀ ସେମାନେ ମଧ୍ୟ ହାରିଯାଇଛନ୍ତି। ସେମାନେ ହେଲେ

1- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ଆସନରୁ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠୁ ୪୬୨୧ଖଣ୍ଡ ଭୋଟରେ ହାରି ଯାଇଛନ୍ତି।

2- ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକଙ୍କଠୁ ୧୬୩୨୪ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।

3- ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନିଜର ବୌଦ୍ଧ ଆସନରୁ ବିଜେପିର ସରୋଜ ପ୍ରଧାନଙ୍କଠୁ ୨୭୬୫ଖଣ୍ଡ ଭୋଟରେ ହାରି ଯାଇଛନ୍ତି।

4- ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଲୋକସଭା ଆସନରୁ ବିଜେପିର ନବଚରଣ ମାଝୀଙ୍କଠୁ ୨ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି।

5- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ଆସନରୁ ବିଜେପିର ଦୁର୍ଗାପ୍ରସନ୍ନ ନାୟକଙ୍କଠୁ ୩୩୫୨୬ଖଣ୍ଡ ଭୋଟରେ ହାରିଯାଇଛନ୍ତି।

6- ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ଆସନରୁ ବିଜେପିର ନବୀନ ଜୈନଙ୍କଠୁ ୧୭୩୯୯ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।

7- ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ସୁକିନ୍ଦା ଆସନରୁ ବିଜେପିର ପ୍ରଦୀପ ବଳସାମନ୍ତଙ୍କଠୁ ପରାଜିତ ହୋଇଛନ୍ତି।

8- ମନ୍ତ୍ରୀ ରୀତା ସାହୁ ବିଜେପୁର ଆସନରୁ ବିଜେପିର ସନତ ଗରତିଆଙ୍କଠୁ ୧୦୦୬୬ଖଣ୍ଡ ଭୋଟରେ ହାରି ଯାଇଛନ୍ତି।

9- ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର-ଏକାମ୍ର ଆସନରୁ ବିଜେପିର ବାବୁ ସିଂଙ୍କଠୁ ୫୦୦୫ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି।

10- ମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକ ଆସନରୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନୀଳମାଧବ ହିକ୍କାଙ୍କଠୁ ୯୪୦୩ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି।

11- ମନ୍ତ୍ରୀ ଉଷା ଦେବୀ ନିଜେ ନିର୍ବାଚନ ନଲଢ଼ି ତାଙ୍କ ପୁଅ ଚିନ୍ମୟାନନ୍ଦ ସ୍ୱରୂପଦେବଙ୍କୁ ଚିକିଟି ଆସନରୁ ପ୍ରାର୍ଥୀ କରିଥିଲେ ଓ ସେଠାରୁ ବିଜେପିର ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କଠୁ ପରାଜିତ ହୋଇଛନ୍ତି।

12- ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କରଞ୍ଜିଆ ଆସନରୁ ବିଜେପିର ପଦ୍ମଚରଣ ହାଇବ୍ରୁଙ୍କଠୁ ୨୯୪୯୯ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୋଟ ଦେଉଛି ଓଡିଶା, ସକାଳୁ ମତଦାତାଙ୍କ ମତଦାନ କେନ୍ଦ୍ରରେ ଲମ୍ବା ଧାଡି

ଭୁବନେଶ୍ବର: ଆଜି ଓଡିଶାରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳ 7ଟାରୁ ଏହି ପକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପକ୍ରିୟା। ଏହି ପର୍ଯ୍ୟାୟରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଂଜ ଏବଂ ବାଲେଶ୍ବର। ଏଥିସହିତ ଏହା ଅଧିନରେ ଥିବା 42ଟି ବିଧାନସଭାରେ ମଧ୍ୟ ଏକକାଳିନ ନିର୍ବାଚନ ହେଉଛି।

ଆଜି ସକାଳୁ ମତଦାତାମାନେ ସେମାନଙ୍କ ମତଦାନ କରିବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିବାର ପରିଲକ୍ଷିତ ହୋଇଛି। ଏହି ମତଦାତାମାନେ ଲୋକସଭା ପାଇଁ ମୋଟ ୬୬ ଜଣ ପ୍ରାର୍ଥୀ ଏବି ବିଧାନସଭା ପାଇଁ ୩୯୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ଏହି ପର୍ଯ୍ୟାୟରେ ମୋଟ ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ଶେଷ ହେଲା ପ୍ରଚାର, ପୁଣି ଆରମ୍ଭ ହେବ ଅନ୍ଧାରୀ ବିଜେ

ଭୁବନେଶ୍ବର: ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଏହି ପର୍ଯ୍ୟାୟର ପ୍ରଚାର ବେଶ ସରଗରମ ହୋଇପଡିଥିଲା। କାରଣ ସବୁ ରାଜନୈତିକ ଦଳ ସେମାନଙ୍କର ଶେଷ ଅସ୍ତ୍ର ପ୍ରୟୋଗ କରି ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ଚେଷ୍ଠା କରିଥିଲେ। ନିର୍ବାଚନ ପ୍ରଚାର ସରିବା ପରେ ବର୍ତ୍ତମାନ କର୍ମିମାନେ ଲୁଚାଛପାରେ ଆରମ୍ଭ କରିବେ ପ୍ରଚାର।

ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ପ୍ରଚାରରେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସରୁ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଳ ଗାନ୍ଧୀ ମଧ୍ୟ ପ୍ରଚାର କରିଛନ୍ତି।

ଏହି ଶେଷ ପର୍ଯ୍ୟାୟ ନିର୍ବାଚନ ଛଅଟି ଲୋକସଭା ଏବଂ ଏହା ଅଧିନରେ ଥିବା 42ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଂଜ, କେନ୍ଦ୍ରାପଡା ଏବଂ ଜଗତସିଂହପୁର। ଆସନ୍ତା ଜୁନ 1 ତାରିଖରେ ଏହିସବୁ ସ୍ଥାନରେ ନିର୍ବାଚନ ହେବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ଆଜି ଶେଷ ହେଉଛି ଶେଷ ପର୍ଯ୍ୟାୟ ନିର୍ବାଚନର ପ୍ରଚାର। ଏହି ପରିପ୍ରେକ୍ଷୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ସିମୁଳିଆ ଏବଂ ଭଣ୍ଡାରୀପୋଖରୀରେ ଜୋରଦାର ପ୍ରଚାର କରିଛନ୍ତି। ସେ ଦୁଇଟି ସ୍ଥାନରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ସେ ଜନ ସମାବେଶକୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଦୁଇ ଭଉଣୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରନ୍ତୁ। ସିମୁଳିଆ ପାଇଁ ନବୀନ ବାବୁ ବହୁତ କାମ କରିଛନ୍ତି। ଗତଥର ଯେଉଁ କାମ ଦେଇଥିଲେ ତା’ର ୮୦ ପ୍ରତିଶତ କାମ ହୋଇଯାଇଛି। ସିମୁଳିଆ ଓ ଖଇରାକୁ ଏନ୍‍ଏସି ମାନ୍ୟତା ଦିଆଯାଇଛି। ସାଳନ୍ଦୀ ଲେଫ୍ଟ କେନାଲ ଓ ବିଭିନ୍ନ ଆଡ଼ିବନ୍ଧ ନିର୍ମାଣ ଜରିଆରେ ଜଳସେଚନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବହୁତ କାମ କରିଛନ୍ତି ବୋଲି ସେ କହିଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦରୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ଆପଣମାନଙ୍କ ସେବା କରିବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ସମସ୍ତଙ୍କୁ ବିଜୁଳି ବିଲ୍‍ରୁ ମୁକ୍ତ କରିବେ, ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ସମସ୍ତେ ପାଇବେ, ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

କଲେଜ ପିଲାମାନଙ୍କ ନୂଆ-ଓ ସ୍କଲାରସିପ୍‍କୁ ମଧ୍ୟ ବୃଦ୍ଧି କରିବେ, ପୁଅ ପିଲା ୯ ହଜାର ପରିବର୍ତ୍ତେ ପାଇବେ ୧୨ ହଜାର, ଝିଅ ପିଲା ୧୦ ହଜାର ପରିବର୍ତ୍ତେ ପାଇବେ ୧୪ ହଜାର ଟଙ୍କା। ଏ ସବୁ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ମୁଣ୍ଡରୁ ବୋଝ ହାଲ୍‍କା କରିବା ପାଇଁ କରୁଛନ୍ତି, ଆପଣମାନଙ୍କ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ କରୁଛନ୍ତି।  ସିମୁଳିଆର ଉନ୍ନତି ପାଇଁ, ଓଡ଼ିଶାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା କାମ କରୁଛନ୍ତି, ତାଙ୍କର ସମ୍ମାନ ରଖିବେ।କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ, ଜ୍ୟୋତି ପାଣିଗ୍ରାହୀଙ୍କ ସମ୍ମାନ ରଖିବେ, ସମସ୍ତେ ଲାଗିପଡ଼ି ଏହି ଦୁଇ ଭଉଣୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇବେ।

ସେହିପରି ଭଣ୍ଡାରୀପୋଖରୀରେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର କଣ କରୁଛି ? ବହୁତ କଥା କହିଥିଲେ, ତେଲ ଦର, ଏଲ୍‍.ପି.ଜି. ଡିଜେଲ, ପେଟ୍ରୋଲ ଦର କମିଲା କି ? ସେମାନେ ଆପଣଙ୍କ ବୋଝ ବଢ଼େଇ ଚାଲିଛନ୍ତି।ଆଶୀର୍ବାଦ କରନ୍ତୁ ଆମର ବିଧାୟକ ପ୍ରାର୍ଥୀ ସଞ୍ଜୀବ ବାବୁ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ଙ୍କୁ ଆଶୀର୍ବାଦ କରନ୍ତୁ, ବିଜୁ ପରିବାର ଲାଗି ପଡ଼ନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କଥା ରହିଲା, ଆପଣ ୪୦ ହଜାର ମାର୍ଜିନରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୁହାଁମୁହିଁ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ରାଜନୀତି ସରଗରମ

ଭୁବନେଶ୍ବର: ନିର୍ବାଚନ ପ୍ରଚାରରେ ଶେଷ ପର୍ଯ୍ୟାୟରେ ଓଡିଶାରେ ଏକ ବିଚିତ୍ର ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ତାହା ହେଲା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ଚିନ୍ତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ପ୍ରଚାରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ସେ ପ୍ରମୁଖ ଅସ୍ତ୍ର କରିଛନ୍ତି। ସେ ତିନୋଟି ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ସେ ବିଜେଡି ତଥା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ତାଙ୍କ ପାଖ ଲୋକ କୁଆଡେ ବେଶୀ ଚିନ୍ତିତ। ନବୀନବାବୁ ମୋ ଠାରୁ ସାନ ହେବେ, ହେଲେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ହଠାତ କିପରି ଖରାପ ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ତାଙ୍କଠାରୁ ସାନ ହୋଇ ପ୍ରତିଦିନ ବହୁ ସ୍ଥାନ ବୁଲୁଛି ଖରାରେ ଜନସମାବେଶକୁ ଉଦବୋଧନ ଦେଉଛି। ହେଲେ ନବୀନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏପରି କାହିକି ଦୁର୍ବଳ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ପାଇଁ କିଛି ଷଢଯନ୍ତ୍ର ହୋଇଛି କି ବୋଲି ଜନସମାବେଶକୁ ମୋଦି ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡିଶାରେ ବିଜେପି ସରକାର ଆସିଲେ ନବୀନଙ୍କ ସ୍ବାସ୍ଥ୍ୟ ନେଇ ହଠାତ ଖରାପ ହେବାର ପର୍ଦ୍ଦାଫାର୍ସ କରିବ। ଏହି ଘଟଣାର ତଦନ୍ତ ହେବ। ସେଥିପାଇଁ ଏକ ହାଇ ଲେବୁଲ କମିଟ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ମୋଦି କହିଥିଲେ। ଏପରିକି ସେ କହିଥିଲେ ଯେ, ତାଙ୍କର ହିତାକାଂକ୍ଷୀ ବୋଲାଉଥିବା ଜଣେ ବ୍ୟକ୍ତି ଏହାପଛରେ ଅଛନ୍ତି କି କଣ ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ। ଏହା ପୂର୍ବରୁ ଓଡିଶାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ନବୀନଙ୍କ ସ୍ବାସ୍ଥ୍ୟ ନେଇ ସମାଲୋଚନା କରିଥିଲେ।

ତେବେ ଏ ନେଇ ଆଜି ଖୋଦ ନବୀନ ପଟ୍ଟନାୟକ ନବୀନ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛନ୍ତି। ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟ ଉପରେ ଏତେ ନଜର ତେବେ ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ କରି ପଚାରିପାରିଥାଆନ୍ତେ। ହେଲେ ମୋ ସ୍ବାସ୍ଥ୍ୟ ସଂପର୍କରେ ସେ ଜନସମାବେଶରେ କହିବା କେତେ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟକୁ ଢାଲ କରି ଭୋଟ ପାଇବାକୁ ଯେଉଁ ଚେଷ୍ଠା କରୁଛନ୍ତି ବୋଲି ନବୀନ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋକ ସ୍ବାସ୍ଥ୍ୟ ଭଲ ଅଛି। ମୁଁ ମଧ୍ୟ ଖରାରେ ବିଭିନ୍ନ ପ୍ରଚାରରେ ସାମିଲ ହେଉଛି। ମୁଁ ମଧ୍ୟ ଭାଷଣ ଦେଉଛି। ଯଦି ପ୍ରଧାନମନ୍ତ୍ରୀ ଏକ କମିଟ ଗଠନ କରିବାକୁ ଚାହୁଛନ୍ତି, ତେବେ ମୋ ସ୍ବାସ୍ଥ୍ୟ ଖରାପ ବୋଲି କେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଧରନ୍ତୁ ବୋଲି ନବୀନ କହିଥିଲେ। ସେ କହିଥିଲେ ଯେ, ଗତ ଦଶ ବର୍ଷ ଧରି ମୋର ସ୍ବାସ୍ଥ୍ୟ ଖରାପ ଅଛି ବୋଲି ସ୍ଥାନୀୟ ବିଜେପି ନେତା ଅପ୍ରଚାର କରିଆସୁଛନ୍ତି। ହେଲେ ସେଥିରେ କୌଣସି ପ୍ରଭାବ ପଡୁ ନାହିଁ।

ନବୀନ ଆହୁରି କହିଲେ ଯେ, ପ୍ରଧାନମନ୍ତ୍ରୀ ମୋ ସ୍ବାସ୍ଥ୍ୟ ଉପରେ ଏକ କମିଟ ଗଠନ କରିବା ଅପେକ୍ଷା ସେ ରାଜ୍ୟକୁ ସ୍ବତନ୍ତ୍ର ପ୍ୟାହା ଦେବା ପାଇଁ ଏକ କମିଟ ଗଠନ କରନ୍ତୁ। ତେବେ ତାହା ଓଡିଶାବାସୀଙ୍କ ଭଲ ହେବ ବୋଲି ନବୀନ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଜନସଭାରେ କହି ଭୋଟ ନେବା ହେଉଛି ତାଙ୍କର ଉଦ୍ଦେଶ୍ୟ। ହେଲେ ଓଡିଶା ଲୋକେ ଠିକ କଥା ଜାଣନ୍ତି ବୋଲି ନବୀନ କହିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଜେପିର ୱାସିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀ: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଅନେକ ପ୍ରକାରର ୱାସିଂ ମେସିନ୍ ରହିଛି । କିନ୍ତୁ ଓଡ଼ିଶା ବିଜେପି ପାଖରେ ଯାହା ଅଛି ତାହା ବାସ୍ତବରେ ଅନନ୍ୟ। ସେମାନେ ଜଣେ ବିଜେଡି ନେତାଙ୍କ ବିରୋଧରେ ଆନ୍ଦୋଳନ କରିବେ, ତାଙ୍କୁ ଗୁଣ୍ଡା, ଜମି ଜବରଦଖଲକାରୀ, କଳାଧନ କାରବାରୀ ଓ ଚୋର କହିବେ । କିନ୍ତୁ ଏହି ବିଜେଡି ନେତା ଓଡ଼ିଶା ବିଜେପିକୁ ଯିବା ମାତ୍ରେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିବା ସହ ଓଡ଼ିଶା ବିଜେପିର ୱାସିଂ ମେସିନରେ ପକାଇ ସେ ସ୍ୱଚ୍ଛ ବୋଲି କହୁଥିବା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର।

ଡ. ପାତ୍ର କହିଛନ୍ତି ଯେ ପ୍ରଥମେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ କଥା ନିଅନ୍ତୁ । ସମସ୍ତେ ଜାଣନ୍ତି ଯେ ଖୋର୍ଦ୍ଧା ସାରୁଅରେ ନିଜ କମ୍ପାନୀ ଜରିଆରେ ଗରିବ ଅନୁସୂଚିତ ଜାତି ଚାଷୀଙ୍କ ଠାରୁ ବେଆଇନ ଭାବେ ଜମି ହଡ଼ପ କରିଛନ୍ତି। ସେ ଏହା ଉପରେ ଏକ ବିରାଟ ଷ୍ଟୁଡିଓ ତିଆରି କରିଥିଲେ ଏବଂ ଆଜି ଏଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଗତ ୪ ବର୍ଷ ଧରି ଏହି ଗରିବ ଅନୁସୂଚିତ ଜାତିର ଲୋକମାନେ ଆନ୍ଦୋଳନ କରିବା ସତ୍ତ୍ୱେ ସେମାନଙ୍କୁ ଜମି ଫେରାଇବାକୁ ସେ ମନା କରିଦେଇଛନ୍ତି।

ତାଙ୍କ ପାଖରେ ଶହ ଶହ ଏକର ଜମି ଅଛି ଏବଂ ସେ ସେମାନଙ୍କ ଜମି ଫେରାଇ ପାରିବେ। କିନ୍ତୁ ସେ କରିବେ ନାହିଁ କାରଣ ଗରିବ ଅନୁସୂଚିତ ଜାତିର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି, ତାଙ୍କ ଷ୍ଟୁଡିଓ ଦ୍ୱାରା କରାଯାଇଥିବା କୋଟି କୋଟି ଟଙ୍କା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସେ ଓଡ଼ିଶା ବିଜେପିର ପୋଷ୍ଟର ବଏ, ଗରିବ ଓ ଅବହେଳିତ ଲୋକଙ୍କ ଉନ୍ନତି କଥା କହୁଛନ୍ତି। ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ହଟାଇ ଦେଇଥିଲା ବିଜେଡି। କିନ୍ତୁ ବିଜେପି ତାଙ୍କୁ ସାମିଲ କରିଛି। ସେମାନେ ନିଜ ଦଳର ନେତାଙ୍କୁ ଅବହେଳା କରିଥିଲେ ଏବଂ ଓଡ଼ିଶା ବିଜେପି ଏହି ଜମି ଜବରଦଖଲକାରୀଙ୍କୁ ଟିକେଟ୍ ଦେଇଥିଲା।

ବାହାମାସ ତଦନ୍ତରେ ସମସ୍ତେ କହୁଛନ୍ତି ଯେ ବାହାମାସ ଦ୍ୱୀପର ତିନୋଟି କମ୍ପାନୀ ଫିନଲେ, ମେସିନା ଏବଂ ପିକିକା ୧୬-୧୭ କୋଟି ଟଙ୍କା ବୈଜୟନ୍ତ ପଣ୍ଡାଙ୍କ ଟିଭି କମ୍ପାନୀରେ ନିବେଶ କରିଛନ୍ତି । ମନି ଲଣ୍ଡରିଂ ଜରିଆରେ କଳାଧନ ଚାଲାଣ କ’ଣ ବଡ଼ ପ୍ରଶ୍ନ ଥିଲା । ଦିଲ୍ଲୀ ହାଇକୋର୍ଟ ୨୦୧୮/୧୯ରେ କଠୋର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ହୋଇନାହିଁ । କିନ୍ତୁ କଳାଧନ କାରବାରୀ ଭାବେ ଦେଖାଯାଉଥିବା ଏଭଳି ବ୍ୟକ୍ତିଙ୍କୁ ଓଡ଼ିଶା ବିଜେପିର ୱାସିଂ ମେସିନରେ ରଖାଯାଇ ଏବେ ସ୍ୱଚ୍ଛ ଭାବେ ଉପସ୍ଥାପିତ କରାଯାଇ ବିଜେପି ଟିକେଟ ଦିଆଯାଇଛି।

ଶ୍ରୀ ବୈଜୟନ୍ତ ପଣ୍ଡା ଆଜିକାଲି ବିଜୁଳି କଥା କହୁଛନ୍ତି। କିନ୍ତୁ ଓଡ଼ିଶାବାସୀ ଜାଣନ୍ତି ନାହିଁ ଯେ ତାଙ୍କ କମ୍ପାନୀ ଓଡ଼ିଶାକୁ ୪୮୦ କୋଟି ଟଙ୍କା ବିଜୁଳି ବକେୟା ଦେବାକଥା, କିନ୍ତୁ ସେ ମନା କରିଦେଇଥିଲେ। ଏପରିକି ଟଙ୍କା ନଦେବା ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହଜାର ହଜାର କୋଟି ଟଙ୍କାର ବ୍ୟକ୍ତି ନିଜ କମ୍ପାନୀର ୪୮୦ କୋଟି ଟଙ୍କାର ବିଜୁଳି ବକେୟା ଓଡ଼ିଶାବାସୀଙ୍କୁ ଦେବାକୁ ମନା କରିଦେଇଛନ୍ତି। କିନ୍ତୁ ଆଜି ସେ ଓଡ଼ିଶାବାସୀଙ୍କ ଆଗରେ ଶସ୍ତା ବିଜୁଳି କଥା କହୁଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ୧୦ଟି ବ୍ୟାଙ୍କ ଏକାଥରକେ ତାଙ୍କ କମ୍ପାନୀକୁ ୨୩୦୦ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି । ଭାରତୀୟ ଶିଳ୍ପ ବିକାଶ ବ୍ୟାଙ୍କ ୧୫୦୦ କୋଟି ଟଙ୍କା, ଇଣ୍ଡଷ୍ଟ୍ରିଆଲ ଫାଇନାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ୧୪୦ କୋଟି ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କ ୧୩୬ କୋଟି ଟଙ୍କା, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ୯୦ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୮୩ କୋଟି ଟଙ୍କା, ବିଜୟା ବ୍ୟାଙ୍କ ୧୦୩ କୋଟି ଟଙ୍କା, କାନାରା ବ୍ୟାଙ୍କ ପ୍ରାୟ ୧୦୦ କୋଟି ଟଙ୍କା, ଆନ୍ଧ୍ର ବ୍ୟାଙ୍କ ୫୦ କୋଟି ଟଙ୍କା, ସେଣ୍ଟ୍ରାଲ ବ୍ୟାଙ୍କ ୫୯ କୋଟି ଟଙ୍କା ଏବଂ ୟୁନିୟନ ବ୍ୟାଙ୍କ ୫୨ କୋଟି ଟଙ୍କା ଛାଡ଼ କରିଛି। ଯଦି ସେ ସେହି ୨୩୦୦ କୋଟି ଟଙ୍କା ବ୍ୟାଙ୍କକୁ ଦେଇଥାନ୍ତେ, ତେବେ ଆଜି ଯୁବବର୍ଗଙ୍କ ପାଇଁ ଆଉ କେତେ ପୁଞ୍ଜିନିବେଶ, ଶିଳ୍ପ, ଚାକିରି ହୋଇଥାନ୍ତା । କିନ୍ତୁ ସେ ନିଜ ବିଷୟରେ ଚିନ୍ତା କରନ୍ତି, ଯୁବକମାନଙ୍କ ପାଇଁ କିମ୍ବା ସେମାନଙ୍କ ଚାକିରି ପାଇଁ ନୁହେଁ।

ଏବେ ଶ୍ରୀ ପ୍ରଶାନ୍ତ ଜଗଦେବଙ୍କ କଥା। ଜଣେ ମଦ୍ୟପ ବ୍ୟକ୍ତି ବିଜେପି କର୍ମୀଙ୍କ ଉପରକୁ କାର୍ ଚଢାଇବା ସହିତ ବିଜେପି ବାଲୁଗାଁ ନଗର ସଭାପତିଙ୍କୁ ମାଡ଼ ମାରିବା ପରେ ଓଡ଼ିଶା ବିଜେପିର ୱାସିଂ ମେସିନ୍‌ରେ ନୂଆ ଗୁଣ୍ଡା ପୋଷ୍ଟର ବଏ ପାଲଟିଯାଏ, ଯାହାକୁ ଓଡ଼ିଶା ବିଜେପି ନେତାମାନେ ପୋଲିଂ ବୁଥ୍ ଭିତରେ ସେ କରିଥିବା ହିଂସାକୁ ସୁରକ୍ଷା ଦେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାରେ ବ୍ୟସ୍ତ ଅଛନ୍ତି। ଗତକାଲି ପର୍ଯ୍ୟନ୍ତ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହୁଥିଲେ ଯେ ତାଙ୍କ ଭଳି ଲୋକ ବାହାରେ ରହିବା ଉଚିତ ନୁହେଁ, ସେମାନଙ୍କ ସ୍ଥାନ ଜେଲରେ ଅଛି ଏବଂ ଏବେ ସେ କର୍ମଠ ଓ କର୍ମବୀର ବୋଲି କହୁଛନ୍ତି।

ଓଡ଼ିଶା ବିଜେପିର ୱାସିଂ ମେସିନରେ ସଫା ହୋଇଥିବା ଆଉ ଜଣେ ରାଜନେତା ହେଉଛନ୍ତି ଶ୍ରୀ ପ୍ରଦୀପ ପାଣିଗ୍ରାହୀ। ନିରୀହ ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଠକିବା, ଏଥିପାଇଁ ସେମାନଙ୍କ ଠାରୁ ଟଙ୍କା ନେଇ ଠକେଇ କରିବା ଅଭିଯୋଗରେ ଜେଲରେ ରହିଥିଲେ । ତାଙ୍କୁ ଫୁଲମାଳ ପକାଇ ଦଳୀୟ ଟିକେଟ ଦିଆଯାଇଥିଲା ଏବଂ ଏବେ ସେ ଓଡ଼ିଶା ବିଜେପି ପାଇଁ ଠକେଇର ପୋଷ୍ଟର ବଏ। ସେହି ଓଡ଼ିଶା ବିଜେପି ନେତାମାନେ ତାଙ୍କୁ ଚିଟ୍‌ଫଣ୍ଡ ଚୋର ବୋଲି କହୁଥିଲେ ଏବଂ ଆଜି ସେ ସେମାନଙ୍କ ପୋଷ୍ଟର ବଏ ପାଲଟି ଯାଇଛନ୍ତି।

ଏହା ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା । ଯେଉଁ ଦଳ ଗୁଣ୍ଡା, ଜମି ଜବରଦଖଲକାରୀ, ଠକ ଓ କଳାଧନ କାରବାରକାରୀଙ୍କୁ ଖୋଲା ହୃଦୟରେ ସ୍ୱାଗତ କରି ଦଳୀୟ ଟିକେଟ ଦେଇଥାଏ । ସେମାନେ ଏଭଳି ଅପରାଧୀଙ୍କୁ ଯେତେ ଅଧିକ ପ୍ରୋତ୍ସାହନ ଓ ସୁରକ୍ଷା ଦେଉଛନ୍ତି, ଲୋକଙ୍କ ଆଖିରେ ସେତିକି ତଳକୁ ଖସୁଛନ୍ତି ଏବଂ ସେଥିପାଇଁ ଓଡ଼ିଶା ବିଜେପି ନିର୍ବାଚନ ପରେ ନିର୍ବାଚନ ହାରୁଥିବା ଡ.ପାତ୍ର କହିଛନ୍ତି ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଦମଦାର ପ୍ରଚାର, ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନାରେ ଧୋଇଦେଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ ଦମଦାର ପ୍ରଚାର କରିଛନ୍ତି। ସେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନସମାଜକୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନାରେ ଧୋଇଦେଲେ। ତାଙ୍କ ନାଁ ନ ନେଇ ସେ ଯାହା କହିଲେ ତାହା ବୈଜୟନ୍ତଙ୍କ ମୁଣ୍ଡବିନ୍ଧା ହୋଇଯାଇଥିବ।

ଆଜି କେନ୍ଦ୍ରାପଡାରେ ଆୟୋଜିତ ସଭାରେ ପାଣ୍ଡିଆନ କହିଥିଲେ ଯେ, ଆପଣମାନଙ୍କୁ ପୂର୍ବରୁ ଜଣା ସାଂସଦଙ୍କୁ ଦିଆଯାଇଥିଲା। ସେ ଦୁଇଥର ସାଂସଦ ହୋଇଥିଲେ, ଥରେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। କିନ୍ତୁ ଦୁଃଖର କଥା କେନ୍ଦ୍ରାପଡା ପାଇଁ କିଛି କଲେ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି ଦଶ ବର୍ଷ ଭିତରେ ତାଙ୍କର ପାରିବାରିକ କଂପାନୀର ବେଶ ବୃଦ୍ଧି କରିପାରିଲେ। ଫାଇନାନ୍ସ କମିଟର ସଦସ୍ୟ ହୋଇ ତାଙ୍କ ଉପରେ ଥିବା ସବୁ ଋଣ ଛାଡ କରାଇଦେଲେ। ହେଲେ କେନ୍ଦ୍ରାପଡା କଥା ପୁରା ଭୁଲିଗଲେ।

ସେତିକି ନୁହେଁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇ ବେଶ ଫାଇଦା ନେଇଛନ୍ତି। ହେଲେ କେନ୍ଦ୍ରାପଡା ପାଇଁ ନୁହେଁ। ବରଂ ନିଜ ପାଇଁ ତଥା ନିଜ କଂପାନୀ ପାଇଁ। ତାଙ୍କ ସାଂସଦ ସମୟରେ ସେ ନିଜ କଂପାନୀକୁ ରେଳ ଲାଇନ ପକାଇ ଦେଲେ, ହେଲେ ସେ କେନ୍ଦ୍ରାପଡାକୁ ରେଳ ଲାଇନ ଆଣିପାରିଲେ ନାହିଁ। ଏହିଭଳି ନେତାଙ୍କୁ କେନ୍ଦ୍ରାପଡା ବାସୀ କେବେ ବି କ୍ଷମାକରିବେ ନାହିଁ ବୋଲି ପାଣ୍ଡିଆନ ଜନସମାବେଶକୁ କହିଥିଲେ।

ସେ ଆହୁରି କହିଥିଲେ ଯେ, ସେ ପୂର୍ବତନ ସାଂସଦ ମୁଖ୍ୟମନ୍ତ୍ରୀ ହେବା ପାଇଁ ବେଶ ଚେଷ୍ଠା କରୁଥିଲେ। ସେ ସବୁବେଳ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି କହି ଗୁଜବ ସୃଷ୍ଟି କରୁଥିଲେ। ନିଜ ପାରିବାରିକ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନଲରେ ଏ ନେଇ ଖବର ପ୍ରକାଶ କଲେ। ଯାହକୁ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ବେଶ ଦୁଃଖ ପ୍ରକାଶ କରିଥିଲେ।

ସେତିକି ନୁହେଁ କେନ୍ଦ୍ରରୁ ଯେତେବେଳେ କୌଣସି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସନ୍ତି ସେତେବେଳେ ସମସ୍ତେ ତାଙ୍କ ଦେହ କେମିତି ଅଛି ବୋଲି ପଚାରନ୍ତି। ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ, ମୋ ଦେହ ତ ଭଲ ଅଛି, ଦେହ ଖରାପ କଥା କିଏ କହିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ସେମାନେ ସମସ୍ତେ କେବଳ ସେହି ଜଣଙ୍କ ନାମ କହିଲେ। ମୁଖ୍ୟମନ୍ତ୍ରୀଙ୍କ ଏତେ ଘନିଷ୍ଠ ରହି ସେ ଏମିତି କାମ କିପରି କଲେ ବୋଲି ପାଣ୍ଡିଆନ ଜନସମାଜକୁ ପ୍ରଶ୍ନ କରିଥିଲେ।

ସେହିପରି କେନ୍ଦ୍ରାପଡାକୁ ଏକ ଲକ୍ଷ କୋଟି ଟଙ୍କାର ନିପ୍ପନ ଷ୍ଟିଲ କାରଖାନା ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଠା ସଂପର୍କରେ ଲୋକଙ୍କୁ ଆବଗତ କରାଇଛିଲେ ପାଣ୍ଡିଆନ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜାପାନର ନିପ୍ପନ କଂପାନୀର ଚ୍ୟାୟରମ୍ୟାନଙ୍କୁ ଦେଖା କରିବା ପାଇଁ ସେ ଯେଉଁ ସମୟ ଦେଲେ ସେତେବେଳେ ଜାପାନ ଯିବା ପାଇଁ ବିଜିନେସ କ୍ଲାସ ଟିକେଟ ମିଳିଲା ନାହିଁ। ଆଠଘଣ୍ଟା ରାସ୍ତା କିପରି ମୁଖ୍ୟମନ୍ତ୍ରୀ ଯିବେ ବୋଲି ଚିନ୍ତା କରି ଆମେ ତାରିଖ ପରିବର୍ତ୍ତନ କରିବାକୁ ଚେଷ୍ଠା କଲୁ। ହେଲେ ମୁଖ୍ୟମନ୍ତ୍ରୀ ମନା କଲେ ଆଉ ଇକୋନମିକ୍ କ୍ଲାସରେ ବସି ଯାତ୍ରା କଲା। ଏହା କେନ୍ଦ୍ରାପଡା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବାର ପ୍ରମାଣ ବୋଲି ପାଣ୍ଡିଆନ୍ କହିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସର୍ବାଧିକ ଆସନ ଜିତି ଥିବା ବେଳେ କଂଗ୍ରେସ ଖାତା ଖାଲି ଥିଲା

ଭୁବନେଶ୍ବର: ଓଡିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଶେଷ ଉଦ୍ୟମ ଜାରୀ ରଖିଛନ୍ତି। ଆସନ୍ତା ଜୁନ ଏକ ତାରିଖରେ ଓଡିଶାର ଛଅଟି ଲୋକସଭା ଆସନ ଏବଂ ଏହାର ବିଧାନସଭା ଆସନରେ ନିର୍ବାଚନ ହେବ। ସେଗୁଡିକ ହେଲା ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ମୟୁରଭଂଜ, ଜଗତସିଂହପୁର, ଯାଜପୁର। ଏଥିସହିତ ଏହି ଛଅଟି ଆସନର 42ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି 29 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସରୁ ରାହୁଳ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି। ସେହିପରି ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ପ୍ରଚାରରେ ଆସିବେ ବୋଲି ଜଣାପଡିଛି।

ତେବେ ଏହି ଶେଷ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ଛଅଟି ଲୋକସଭା ଆସନରୁ ବିଜେଡି 4ଟି ରେ ଜିତିଥିବା ବେଳେ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଛି। ବିଜେପି ବାଲେଶ୍ବର ଏବଂ ମୟୁରଭଂଜ ଆସନରେ ଜିତିଥିବା ବେଳେ, ବିଜେଡି କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଏବଂ ଯାଜପୁର ବିଜୟ ଲାଭ କରିଛି। ସେହିପରି 42ଟି  ବିଧାନସଭା ଆସନରେ ବିଜେଡି 33ଟି ଜିତି ଥିବା ବେଳେ ବିଜେପି 9ଟି ଆସନରେ ଜିତିଛି। ହେଲେ କଂଗ୍ରେସ ଗୋଟିଏ ବି ଆସନରେ ବିଜୟ ଲାଭ କରିପାରି ନାହିଁ।

ବିଜେଡି ଚଳିତ ନିର୍ବାଚନରେ ବାଲେଶ୍ବର ଏବଂ ମୟୁରଭଂଜ ଲୋକସଭା ଆସନକୁ ଫେରାଇ ଆଣିବା ପାଇଁ ବଡ ଗୋଟି ଚାଳନା କରିଛି। ସେହିପରି ବିଧାନସଭାରେ ମଧ୍ୟ ବିଜେଡି 42ଟି ଆସନରୁ 40ଟି ଆସନ ଅକ୍ତିୟାର କରିବା ମୁଡରେ ରହିଛି। ସେହି ଅନୁସାରେ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଅନ୍ୟପକ୍ଷରେ ବିଜେପି ଲୋକସଭା ଆସନରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି। ସେହିପରି କଂଗ୍ରେସ ମଧ୍ୟ ବହୁତ ବଡ ଆଶା କରି ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ପାଇଁ ଦିନିକିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତି ଇରାନୀ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଜଙ୍ଗ, ଆଳି ଓ ରେମୁଣାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିଛନ୍ତି।

ଶ୍ରୀମତୀ ଇରାନୀ କହିଛନ୍ତି ଯେ, “ମୋଦି ଗ୍ୟାରେଂଟି”କୁ ଓଡ଼ିଶାର ଲୋକେ ଚାହୁଁଛନ୍ତି। ବିଜେପି ‘ଆମେଠିରୁ ରାହୁଳଙ୍କୁ ହଟାଇଛି, ଓଡ଼ିଶାରୁ ବିଜେଡି’କୁ ହଟାଇବ। ଓଡିଶାରେ ରିମୋଟ୍ କଂଟ୍ରୋଲରେ ସରକାର ଚାଲିଛି। ରିମୋଟ୍ ଧରି ତାମିଲବାବୁ ଓଡ଼ିଶାକୁ ଲୁଟୁଛନ୍ତି। ଓଡ଼ିଶାକୁ କବଜା କରି ରଖିଛନ୍ତି ତାମିଲବାବୁ। ୨୫ବର୍ଷରେ ବିଜେଡି ଓଡ଼ିଶାକୁ ଜମି, କୋଇଲା, ବାଲି ଓ ଖଣି ମାଫିଆଙ୍କ ଦେଇଛି। ତାମିଲ ବାବୁ କାହିଁକି ରତ୍ନଭଣ୍ଡାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ଚାପି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ଇରାନୀ।

ଓଡ଼ିଶାରେ ବିଜେପି ସରକାର ଆସିଲେ, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟର ଯାଂଚ କରାଯିବ। ଯାଂଚ ପରେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କହିବାର ସ୍ୱାଧୀନତା ନାହିଁ କି କାହାକୁ ଭେଟିବାର ସ୍ୱାଧୀନତା ନାହିଁ। ତାମିଲବାବୁଙ୍କୁ ଓଡ଼ିଶାରୁ ହଟାଇବାକୁ ହେଲେ ବିଜେପିକୁ ଓଡ଼ିଶାବାସୀ ବହୁମାତ୍ରାରେ ନିଜର ମତଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନାରେ ଓଡ଼ିଶାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର୍ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛଡା କିଷାନସମ୍ମାନ ନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ହଜାର ଟଙ୍କା ପଠାଉଛନ୍ତି ବୋଲି ଜନସମାବେଶକୁ ଉଦବୋଧନ ଦେଲେ ସ୍ମୃତି।

ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀମତୀ ଇରାନୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାର ବିକାଶକୁ ଶିଖର ସ୍ତରରେ ପହଂଚାଇ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସଂକଳ୍ପବଦ୍ଧ। ମୋଦି ଗ୍ୟାରେଂଟି ଆସିବ, ଓଡ଼ିଶାର ବିକାଶ ଦ୍ୱିଗୁଣିତ ହେବ ବୋଲି ଶ୍ରୀମତୀ ଇରାନୀ ଦୃଢ଼ତାର ସହ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୦,୫୧୫ଟି ମତଦାନ କେନ୍ଦ୍ର, ୯୪ ଲକ୍ଷ ୪୮ ହଜାର ମତଦାତା

ଭୁବନେଶ୍ବର: ଓଡିଶାର ତୃତୀୟ ତଥା ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ।  ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ରରେ ଏହି ନିର୍ବାଚନ ହେବ। ସେଗୁଡିକ ହେଲା ସମ୍ବଲପୁର, କେଉଁଝର (ଏସ୍‌.ଟି.), ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର। ସେହିପରି ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଆସନ୍ତାକାଲି ମତଦାନ ହେବ।

ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮,୨୯,୬୬୦ ପୁରୁଷ, ୪୬,୧୭,୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୬ ରହିଛି । ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି ।

ମତଦାନ କେନ୍ଦ୍ର

ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ମତଦାନ କେନ୍ଦ୍ର ପିଛା ପ୍ରାୟ ୮୯୬ ଜଣ ମତାଦାତା ରହିଛନ୍ତି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍‌ ଲୋକେସନ୍‌ରେ ଜଣେ ଲେଖାଏଁ ସେ୍ୱଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି।

ମୋଟ ପ୍ରାର୍ଥୀ ସଂଖ୍ୟା

ସମ୍ବଲପୁର, କେଉଁଝର (ଏସ୍‌.ଟି.), ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ୫୫ ଥିବା ବେଳେ ମହିଳା ସଂଖ୍ୟା ୯ ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ  ପୁରୁଷ-୩୩୯ ଓ ମହିଳା-୪୪ ପ୍ରାର୍ଥୀ ରହିଛନ୍ତି ।

ଇଭିଏମ୍‌ ଓ ଭିଭିପାଟ୍‌

ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୧୩୨୭୨ଟି ବାଲାଟ୍‌ ୟୁନିଟ୍‌, ୧୩୪୨୫ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୪୨୭ଟି ଭିଭିପାଟ କମିଶନିଂ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୩୩୬୫ଟି ବାଲାଟ ୟୁନିଟ୍‌, ୧୩୫୧୮ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୧୪୬୦୪ଟି ଭିଭିପାଟ୍‌ କମିଶନିଂ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ରାଜନୀତିର ନୂଆ ମୋଡ, ପ୍ରଚାରର ଶେଷ ଦିନରେ ବିଜେପିରେ ମିଶିଲେ ବିଧାୟକ ଜିତୁ ମିତ୍ର

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଆଜି ଶେଷଦିନରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ରୋଡ ସୋ କରୁଥିବା ବେଳେ ସେଥିରେ ସାମିଲ ହୋଇଥିଲେ ଜିତୁ। ଖୋର୍ଦ୍ଧାରେ ବିଜେଡିରୁ ପୁଣି ଥରେ ଟିକେଟ ପାଇବେ ବୋଲି ଜିତୁ ମିତ୍ର ଆଶା କରିଥିଲେ। ହେଲେ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା।

ତେବେ ସେ ବିଜେଡି ଛାଡିବେ ନାହିଁ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ରଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ। ହେଲେ ଆଜି ହଠାତ ବିଜେପି ରାଲିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ଫିଲ୍ମ ଅଭିନେତ୍ରୀ ସ୍ୱପ୍ନା ପତି

ଭୁବନେଶ୍ୱର: ବଲିଉଡ ତଥା ଓଡିଶାର ପ୍ରତିଷ୍ଠିତ ଫିଲ୍ମ ଅଭିନେତ୍ରୀ ଓ ମଡେଲ ସ୍ୱପ୍ନା ପତି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସ୍ୱପ୍ନା ପତିଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ସ୍ୱପ୍ନା ପତିଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସ୍ୱପ୍ନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ତାମିଲନାଡୁ ଲୋକ କଣ ଚୋର ? ରତ୍ନ ଭଣ୍ଡାର ଚାବି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ନୂଆଦିଲ୍ଲୀ: ରତ୍ନ ଭଣ୍ଡାର ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ଦୃଢ ନିନ୍ଦା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ କଣ ପାଇଁ ଚୋରୀ ହୋଇଥିବା ରତ୍ନ ଭଣ୍ଡାରର ଚାବି ତାମିଲନାଡୁରେ ଅଛି ବୋଲି କହିଲେ। ତାହା ହେଲେ  ତାମିଲନାଡୁ ଲୋକେ କଣ ଚୋର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ। ଦୟାକରି ପ୍ରଧାନମନ୍ତ୍ରୀ ତାମିଲ ବିରୋଧୀ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ଏକ ନିର୍ବାଚନ ସଭାରେ କହିଛନ୍ତି ଯେ, ଚୋରୀ ହୋଇଥିବା ପ୍ରଭୃ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି। ଏହାର ଅର୍ଥ ସେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ସହିତ ତାମିଲନାଡୁ ଲୋକଙ୍କୁ ଆଘାତ କରିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ଭାବେ ଏପରି କହିବା ଠିକ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ବିଜେପି କର୍ମିଙ୍କୁ ଉତ୍ସାହିତ କରିବା ପାଇଁ ତାମିଲନାଡୁ ଲୋକଙ୍କୁ ଅପମାନିତ କରିବା ଠିକ ନୁହେଁ।

ପ୍ରଧାନମନ୍ତ୍ରୀ କାହିଁକି ତାମିଲଙ୍କ ପ୍ରତି ଏତେ ଘୃଣାଭାବ ପୋଷଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଷ୍ଟାଲିନ। ସେ କହିଛନ୍ତି ଯେ ତାମିଲନାଡୁ ଗସ୍ତ ସମୟରେ ତାମିଲ ଭାଷା ଏବଂ ତାମିଲଙ୍କ ବୁଦ୍ଧି ବିଷୟରେ ଶ୍ରୀ ମୋଦୀ ଉଚ୍ଚକୋଟୀର ପ୍ରଶଂସା କରୁଛନ୍ତି। ହେଲେ ବାହାର ରାଜ୍ୟରେ କିନ୍ତୁ ତାମିଲଙ୍କୁ ଚୋର ଭାବରେ ଚିତ୍ରଣ କରୁଛନ୍ତି। ସେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡିଶାରେ ଏପରି ତାମିଲ ବିରୋଧୀ ଭାଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଦୟାକରି ଏପରି ଡବଲ ଷ୍ଟାଣ୍ଡାର୍ଡ ଗୁଣ ପରିତ୍ୟାଗ କରନ୍ତୁ ବୋଲି ଶ୍ରୀ ଷ୍ଟାଲିନ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଜେପି କେତେ ଲୋକସଭା ଓ ବିଧାନସଭା ଆସନ ଜିତିବ, ଭବିଷ୍ୟବାଣୀ କଲେ ଅମିତ ଶାହ

ଭୁବନେଶ୍ବର: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦିନ ଓଡିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ। ସେଏହି ଅବସରରେ ପୁଣି ଥରେ ବିଜେଡି ସରକାର ଦ୍ୱାରା ଓଡିଆ ଭାଷା,ସଂସ୍କୃତିକୁ ମହତ୍ୱ ନ ଦେଉଥିବାକୁ ନେଇ ଟାର୍ଗେଟ କରିଥିଲେ ।

ଏହି କାର୍ଯ୍ୟକ୍ରମ ଗୁଡିକରେ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ପ୍ରାର୍ଥୀ ଶ୍ରୀ ପ୍ରତାପ ଷଡଙ୍ଗୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଫଗଗନ୍ ସିଂ କୁଲସ୍ତେ , କେନ୍ଦୁଝର ପ୍ରାର୍ଥୀ ଶ୍ରୀ ଅନନ୍ତ ନାୟକ, ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଶ୍ରୀ ରୁଦ୍ର ନାରାୟଣ ପାଣି , ପୁରୀର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ଏବଂ ବହୁ ବରିଷ୍ଠ ନେତା ତଥା ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ 25 ବର୍ଷ ପରେ ଓଡିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଆଧାରରେ ଓଡିଶାରେ ସରକାର ଗଠନ ହେବାକୁ ଯାଉଛି । ମୁଁ ଯେଉଁଠାକୁ ଯାଏ ଲୋକ ମାନେ କହନ୍ତି ଯେ ଆମ ସାଂସଦକୁ ମନ୍ତ୍ରୀ କରି ଦିଅନ୍ତୁ ହେଲେ ସମ୍ବଲପୁରର ଜନସାଧାରଣଙ୍କ ପାଇଁ ଆଦରଣୀୟ ନରେନ୍ଦ୍ର ମୋଦୀ ଜୀ ଜଣେ ମନ୍ତ୍ରୀଙ୍କୁ ପ୍ରାର୍ଥୀ ଭାବେ ଦେଇଛନ୍ତି ।

ସମ୍ପୂର୍ଣ ଦେଶରେ ପାଂଚ ପର୍ଯ୍ୟାୟର ନିର୍ବାଚନ ହୋଇ ସାରିଛି ଓ ପଂଚମ ପର୍ଯ୍ୟାୟରେ ହିଁ ନରେନ୍ଦ୍ର ମୋଦୀଜୀ 310 ସିଟ ପାର କରି ସାରିଛନ୍ତି । ଷଷ୍ଠ ଓ ସପ୍ତମ ପର୍ଯାୟରେ 4 ଶହ ଆସନ ପାର କରିବା ପାଇଁ ରହିଛି । ସାରା ଦେଶରେ କେବଳ 4 ଶହ ପାର କରିବାର ଲକ୍ଷ୍ୟ ରହିଛି କିନ୍ତୁ ଓଡିଶାର ଜନସାଧାରଣଙ୍କୁ ବିଧାନସଭାରେ ମଧ୍ୟ 75ରୁ ଅଧିକ ଆସନରେ ବିଜେପିକୁ ବିଜୟୀ କରାଇ ପଦ୍ମ ଫୁଲ ଫୁଟାଇବାର ଅଛି ବୋଲି ଶାହ କହିଥିଲେ।

ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବ ଆଦିବାସୀ ଘରର ଝିଅକୁ ଦେଶର ରାଷ୍ଟ୍ରପତି କରି ସମଗ୍ର ଓଡ଼ିଶାର ସମ୍ମାନ କରିବାର କାର୍ଯ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରିଥିଲେ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଘୋଷଣା କରିଛନ୍ତି।

କଂଗ୍ରେସ ସରକାରରେ କେନ୍ଦ୍ରର ଆଦିବାସୀ କଲ୍ୟାଣ ବଜେଟ କେବଳ 85 ହଜାର କୋଟି ଟଙ୍କା ଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ବୃଦ୍ଧି କରି 1ଲକ୍ଷ 25 ହଜାର କୋଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ ପାଇଁ 740 ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ଏବଂ 40ହଜାର ଆଦିବାସୀ ଶିକ୍ଷକଙ୍କ ଭର୍ତ୍ତି କରିଛନ୍ତି।

ସେ କହିଥିଲେ ଯେ, ନବୀନ ବାବୁ ଓଡ଼ିଶାରେ ବାବୁଶାହୀ ଥୋପୁଛନ୍ତି ଏବଂ ଓଡ଼ିଶାର ଲୋକ, ସଂସ୍କୃତି ଓ ଅସ୍ମିତାର ଅପମାନ କରୁଛନ୍ତି। ଏହି ମହାନ ଉତ୍କଳ ପ୍ରଦେଶ ଉପରେ କୌଣସି ତାମିଲବାବୁ ଶାସନ କରିପାରିବେ ନାହିଁ, ଓଡ଼ିଶା ଉପରେ ଶାସନ ଓଡ଼ିଶାର ପୁଅ ହିଁ କରିବେ ଯିଏ ଓଡ଼ିଆ ଭାଷାରେ କଥା କରିପାରିବ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଆଗକୁ ବଢାଇବ।

ସେ ସମାଲୋଚନା କରି କହିଥିଲେ ଯେ, ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ବିଜେଡି ପର୍ଯ୍ୟଟନ ସ୍ଥଳ ବନାଇବା ନାମରେ ତାର ଅପମାନ କରୁଛନ୍ତି, ମଠ ମନ୍ଦିରକୁ ଭଙ୍ଗା ଯାଉଛି, ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲା ଯାଉନାହିଁ ଏବଂ ରଥଯାତ୍ରାକୁ ବି ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଷଡଯନ୍ତ୍ର କରାଯାଇଥିଲା। ଓଡ଼ିଶା ସାରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ଅଟେ, କିନ୍ତୁ ଏହା ସତ୍ତ୍ୱେ ସବୁଠୁ ଗରିବ ଲୋକେ ଏହି ରାଜ୍ୟର ଅଟନ୍ତି।

ଖଣିଜ ସଂପଦରେ ଭରି ରହିଥିବା ଉତ୍କଳ ଭୂମିକୁ ନବୀନଙ୍କ ‘ବାବୁ’ ଲୁଟିବାର କାର୍ଯ୍ୟ କରୁଛନ୍ତି। ବିଜେପି ଏଭଳି ଓଡ଼ିଶା ନିର୍ମାଣ କରିବାକୁ ଚାହୁଁଛି, ଯେଉଁଠି ଜଣେ ବି ଯୁବକଙ୍କୁ ନିଜ ପତ୍ନୀ ଓ ବୃଦ୍ଧ ମାଆ-ବାପାଙ୍କୁ ଛାଡି ଅନ୍ୟ କୌଣସି ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ନପଡୁ, ତାକୁ ତାର ରାଜ୍ୟରେ ହିଁ କାମ ମିଳୁ ବୋଲି ଜନସମାବେଶକୁ ଶାହ କହିଥିଲେ।

ଶ୍ରୀ ଶାହା ଓଡିଶାର ଜନତାଙ୍କୁ ନିବେଦନ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶା ପାଇଁ କିଛି କରୁନାହାନ୍ତି ଓ ବାବୁ ହିଁ ଓଡିଶାକୁ ଚଳାଉଛନ୍ତି , ଏଥିପାଇଁ ଏଥର ଜନତାଙ୍କୁ ଓଡିଶାର ମାଟିର ପୁଅକୁ ହିଁ ମୁଖ୍ୟମନ୍ତ୍ରୀ କରିବା ଉଚିତ୍, କାରଣ ବାବୁଗିରିରେ ଶାସନ ଚାଲେନାହିଁ। ଏହି କାମ କେବଳ ଭାଜପାର ସରକାର ହିଁ କରିପାରିବ। ଶ୍ରୀ ଅମିତ୍ ଶାହ ସ୍ଥାନୀୟ ଭାଜପା ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶ ଓ ଓଡିଶାରେ ଭାଜପାର ଡବଲ ଇଞ୍ଜିନ୍ ର ସରକାର ଗଠନ କରିବାକୁ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ପ୍ରଚାରରେ ଆସୁଛନ୍ତି ଜେ ପି ନଡ୍ଡା, ଯୋଗୀ ଅଦିତ୍ୟନାଥ, ଅରୁଣ ଗୋଭିଲ ସହ ବହୁ ବିଜେପି ନେତା

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ସେହି ପରିପ୍ରେକ୍ଷୀରେ ଆସନ୍ତା କାଲି ୨୨ତାରିଖ ଦିନ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ସେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ବିଜୁ ବରୁଆଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ।

ଶ୍ରୀ ବିଶ୍ୱଶର୍ମା ଦେବଗଡଠାରେ ପୂର୍ବାହ୍ନ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ । ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧.୩୦ରେ ଚଂପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଶ୍ରୀ ଅରୁଣ ଗୋଭିଲ ଆସନ୍ତା କାଲି ୨୨ ତାରିଖ ପୂର୍ବାହ୍ନ୧୦.୪୫ରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ନ ୧୨.୧୫ରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ଶ୍ରୀ ଗୋଭିଲ ଅପରାହ୍ନ ୧.୩୦ରେ ଢେଙ୍କାନାଳଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଶ୍ରୀ ଗୋଭିଲ ଅପରାହ୍ନ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ନ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ନ ୧.୩୦ରେ ବଡଚଣା ଏବଂ ଅପରାହ୍ଣ ୩.୩୦ରେ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

ସେହିପରି ଆସନ୍ତା ୨୩ ତାରିଖ ଦିନ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି। ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

OdishaElection2024: ଦିନ ୧୧ଟା ସୁଦ୍ଧା ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ

OdishaElection2024: ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି। ପ୍ରବଳ ଖରା ସତ୍ବେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବାର ପରିଲକ୍ଷିତ ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧୧ଟା ସୁଦ୍ଧା ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି।

ସୂଚନା ମୁତାବକ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ ୧୭.୧୬ ପ୍ରତିଶତ ହୋଇଛି । ସେହିପରି ବରଗଡରେ ୨୨.୦୬ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦,୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ମତଦାନ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଅନୁଗୁଳରେ ବିଜେଡି ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ରତ୍ନଭଣ୍ଡାର ଚାବି ହଜିବା ନେଇ ଟାର୍ଗେଟ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ରୋଡ ସୋ ସାରିବା ପରେ ସେ ସିଧା ଅନୁଗୁଳ ଜନସମାବେଶରେ ଯୋଗ ଦେଇଥିଲେ। ସେଠାରେ ସେ ରାଜ୍ୟର ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ସେ ଓଡିଆରେ ଭାଷଣ ଆରମ୍ଭ କରି ଓଡିଆ ଲୋକଙ୍କର ମନ ଜିଣିବା ପାଇଁ ଚେଷ୍ଠା କରିଥିଲେ। ସେ ଓଡିଆରେ ମୋର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ବୋଲି କହିଥିଲେ।

ତେବେ ମୋଦୀ ତାଙ୍କ ଭାଷଣରେ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ଆଜି ସକାଳେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ହେଲେ ଦୁଃଖର କଥା 6 ବର୍ଷ ଧରି ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କୁଆଡେ ହଜିଯାଇଛି ଯେ, ତାହା ମିଳୁ ନାହିଁ। ଲୋକଙ୍କ ଘର ଚାବି ହଜିଗଲେ ସେମାନେ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ତାହା ପାଉଛନ୍ତି। ହେଲେ ସ୍ବୟଂ ଜଗନ୍ନାଥଙ୍କ ଚାବି ହଜିଛି ତାହା ମିଳୁ ନାହିଁ। ସେହିପରି ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ବିଜେଡି ସରକାର କାହିଁକି ସାର୍ବଜନୀନ କରୁ ନାହିଁ ବୋଲି ମୋଦୀ ଲୋକଙ୍କୁ ପ୍ରଶ୍ନ କରିଥିଲେ।

ଓଡିଶାରେ ବିଜେପି ସରକାର କରିବା ପରେ ତାହାର ପ୍ରଥମ କାମ ହେବ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ପ୍ରକାଶ କରାଯିବ। ଜଗନ୍ନାଥଙ୍କ କାମରୁ ଓଡିଶାରେ ବିଜେପି ସରକାରର କାମ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ସେ କହିିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ କୋଟେରୀ ଘେରି କରି ରହିଛି। ଓଡିଶାରେ କାମ ଧିର ଗତିରେ ଚାଲୁଛି। ଡବଲ ଇଂଜନ ସରକାର ଆସିଲେ ଓଡିଶାର କାମ ବେଶ କ୍ଷୀପ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେହିପରି ଓଡିଶାରେ ବିଜେପି ସରକାର ଗଠନ ହେଲେ ଚାଷୀଙ୍କ ସମସ୍ତ ପ୍ରକାରର ସୁବିଧା ମିଳିବ ବୋଲି କହିଥିଲେ। ଏଠାକାର ଚାଷୀ ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ପାଉଛନ୍ତି ମାତ୍ର 2100 ଟଙ୍କା। ହେଲେ ଓଡିଶାରେ ବିଜେପି ସରକାର ଆସିଲେ ତାହା 3100 ଟଙ୍କା ହେବ ବୋଲି ମୋଦୀ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ସେ ଓଡିଶାର ମହିଳାମାନଙ୍କ ପାଇଁ ବିଜେପି ସରକାର ସୁଭଦ୍ରା ଯୋଜନା ଲାଗୁ କରିବେ ବୋଲି ଜନସମାବେଶକୁ ଉଦବୋଧନ ଦେଇଥିଲେ।

ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଏହି ସଭାରେ ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏହି ଦୁଇ ଲୋକସଭା କ୍ଷେତ୍ରରେ ବିଧାନସଭା ପ୍ରାର୍ଥୀ ଯୋଗଦେଇଥିଲେ। ସମସ୍ତଙ୍କୁ ପଦ୍ମଫୁଲରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଜନସମାବେଶକୁ ନିବେଦନ କରିଥିଲେ।