Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ମତଦାନରେ କେତେ ଅଛନ୍ତି ଭୋଟର, କେତୋଟି ମତଦାନ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ (ଦେଶରେ ସାମୂହିକ ଭାବରେ ସପ୍ତମ ପର୍ଯ୍ୟାୟ) ମତଦାନ ପ୍ରକ୍ରିୟା ପାଇଁ ଆନୁଷ୍ଠାନିକ ଭାବରେ ତା. ୦୭/୦୫/୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ପର୍ଯ୍ୟାୟରେ ମୟୂରଭଞ୍ଜ (ଏସ୍‌.ଟି.), ବାଲେଶ୍ୱର, ଭଦ୍ରକ (ଏସ୍‌.ସି.), ଯାଜପୁର (ଏସ୍‌.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସ୍‌.ସି.) ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ର ପାଇଁ ମତଦାନ ପ୍ରକ୍ରିୟା ହେବ। ଏସବୁ ପାଇଁ ୧୪ ମଇ ୨୦୨୪ (ମଙ୍ଗଳବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ମଇ ୧୫ରେ ନାମାଙ୍କନ ପତ୍ର ଯାଞ୍ଚ, ମଇ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଓ ଜୁନ୍‌ ୧ରେ ମତଦାନ ତାରିଖ ରହିଅଛି ।

ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଅଧିନରେ ଅନ୍ୟ ପର୍ଯ୍ୟାୟ ତୁଳନାରେ ସର୍ବାଧିକ ମତଦାତା, ଯୁବ ମତଦାତା ଓ ସର୍ବାଧିକ ମତଦାନ କେନ୍ଦ୍ର ରହିଅଛି । ଉକ୍ତ ପର୍ଯ୍ୟାୟରେ ସର୍ବମୋଟ ୯୯୫୫୫୫୬ (ପୁରୁଷ-୫୦୮୫୫୩୮, ମହିଳା-୪୮୬୯୩୩୧, ତୃତୀୟ ଲିଙ୍ଗ-୬୮୭) ଜଣ ମତଦାତା ୧୦୮୫୭ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ଏଠାରେ ୨୫ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି ପର୍ଯ୍ୟାୟରେ ମୋଟ ୨୫୬୦୦୭ ପ୍ରଥମ ଥର ମତଦାତା (୧୮-୧୯ ବର୍ଷ), ୨୦୪୮୭୦୫ ଯୁବ ମତଦାତା (୨୦-୨୯ ବର୍ଷ) ରହିଛନ୍ତି । ଏହି ପର୍ଯ୍ୟାୟରେ ସର୍ବମୋଟ ମତଦାତା ଲିଙ୍ଗ ଅନୁପାତ ୯୫୭ ରହିଅଛି।

ଏହି ଛଅଗୋଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରୁ ସି-ଭିଜିଲ୍‌ ମାଧ୍ୟମରେ ୦୧/୦୩/୨୦୨୪ରୁ ୦୬/୦୫/୨୦୨୪ ମଧ୍ୟରେ ୨୪୦୮ ଗୋଟି ଅଭିଯୋଗ ପ୍ରାପ୍ତ ହୋଇଥିବାବେଳେ ୨୪୦୧ ଗୋଟି ଅଭିଯୋଗ ପାଇଁ ବିଧି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇସାରିଛି । ୦୧ ମାର୍ଚ୍ଚ ୨୦୨୪ରୁ ୦୬ ମଇ ୨୦୨୪ ପର୍ଯ୍ୟନ୍ତ ମୋଟ ୨୭୯୩ ଲକ୍ଷ ଟଙ୍କାର ସାମଗ୍ରୀ ଓ ଟଙ୍କା ଜବତ କରାଯାଇସାରିଛି ।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି ଏବଂ ପ୍ରତିଟି ବୁଥ୍‌ରେ ମୁକ୍ତ, ଅବାଧ, ସ୍ୱଚ୍ଛ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚିତ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସମସ୍ତ ମତଦାତା ମତଦାନ କରି ନିଜ ନିଜର ଗଣତାନ୍ତ୍ରିକ କର୍ତ୍ତବ୍ୟ ନିର୍ବାହ କରିବା ସହ ଆମ ଦେଶର ସର୍ବବୃହତ ଗଣତାନ୍ତ୍ରିକ ମହାପର୍ବରେ ଅଂଶୀଦାର ହେବା ପାଇଁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

HM Shah Votes in Gandhinagar: ପରିବାର ସହିତ ଆସି ଭୋଟ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

HM Shah Votes in Gandhinagar: ଆଜି ଦେଶର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରୀ ରହିଛି। ଏଥିରେ ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଭୋଟ୍ ଚାଲିଛି। ସେହିପରି ଏହି ପର୍ଯ୍ୟାୟରେ ଗୁଜୁରାଟର ମଧ୍ୟ  ଲୋକସଭା ଆସନରେ ନିର୍ବାଚନ ଚାଲିଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତଦାନ କରିଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ପରିବାର ସହିତ ଆସି ଗାନ୍ଧୀନଗରରେ ମତଦାନ କରିଛନ୍ତି। ଶାହ ଧର୍ମପତ୍ନୀ ସୋନାଲ ଶାହ, ପୁତ୍ର ଜୟ ଶାହ ଏବଂ ଅନ୍ୟ ସଦସ୍ୟଙ୍କ ସହିତ ଆସି ମତଦାନ କରିଛନ୍ତି। ନିଜେ ଅମିତ ଶାହ ଗାନ୍ଧୀନଗରରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ମତଦାନ କରି ସମସ୍ତଙ୍କୁ କାଳି ଲଗା ଆଙ୍ଗୁଠି ଦେଖାଇଥିଲେ। ଏଥିସହିତ ସେ ସମସ୍ତଙ୍କୁ ମତଦାନ କରିବା ପାଇଁ ନିବେଦନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କେବେ ଏବଂ କେଉଁ ସ୍ଥାନରୁ

ଭୁବନେଶ୍ବର: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର କରି ଫେରିଯାଇଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ଜନସଭା କରିଛନ୍ତି। ତେବେ ସେ ଭୁବନେଶ୍ବରରେ ପ୍ରଚାର କରି ନାହାଁନ୍ତି। ଭୁବନେଶ୍ବରରେ ମୋଦୀଙ୍କର ଏକ ବିରାଟ ରୋଡ ସୋ କରାଯିବାର ଆୟୋଜନ ଚାଲିଛି। ସେଥିପାଇଁ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି।

ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ବରରେ ରୋଡ ସୋ କରିବେ। ସେହିଦିନ ସନ୍ଧ୍ୟା ୬ ଟା ସମୟରେ ମୋଦୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବେ। ଉଭୟ ରାସ୍ତାରେ ଲୋକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଏହା ଅଧିନରେ ଥିବା ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ସାଥିରେ ରହିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଟଙ୍କା ବାଣ୍ଟିବା ବେଳେ ଧରିଲେ ବିଜେଡି କର୍ମି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର: ଆଜି ବିଜେଡିର ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଗୁରୁତର ଅଭିଯୋଗ ଆଣିଛି। ତାହା ହେଲା ଯେ, ବିଜେପିକୁ ଭୋଟ ଦେବା ପାଇଁ ଦଳୀୟ କର୍ମିମାନେ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ନ ନେଲେ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତିରେ କେତେକ ବିଜେପି କର୍ମି ରାଉରକେଲା ନିର୍ବାଚନ ମଣ୍ଡଳୀର ବିଶ୍ବକର୍ମା ବସ୍ତିରେ ୪ ଜଣ ବିଜେପି କର୍ମି ଟଙ୍କା ବାଣ୍ଟୁଥିଲେ। ସେଠାରେ ଭୋଟରମାନଙ୍କୁ ଜଣଙ୍କ ପିଛା ୫ ଶହରୁ ୧ ହଜାର ଟଙ୍କା ବାଣ୍ଟୁଥିଲେ। ଯେଉଁମାନେ ନେଉ ନ ଥିଲେ ସେମାନଙ୍କୁ ଧମକ ଚମକ ଦେଉଥିଲେ। ଏପରିକି ଜଣେ ବସ୍ତିବାସିନ୍ଦା ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମାରିଛନ୍ତି।

ଏ ନେଇ ରାଉରକେଲା ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ନିର୍ବାଚନ ଅଧିକାରୀ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ସଂପର୍କରେ କିଛି ଅଭିଯୋଗ କରିବେ କି? ଜାଣନ୍ତୁ ଆପଣଙ୍କ ଅଞ୍ଚଳର ଅଫିସର

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରାଇବାରେ ପର୍ଯ୍ୟବେକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇ ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକି୍ରୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ତୀକ୍ଷ୍ମ ଦୃଷ୍ଟି ରଖନ୍ତି।

ଏହି କ୍ରମରେ ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ପର୍ଯ୍ୟବେକ୍ଷକମାନଙ୍କ ନାମ, ଯୋଗାଯୋଗ ନମ୍ବର ଓ ଠିକଣା ତଥା ସେମାନେ ଦାୟିତ୍ୱରେ ଥିବା ନିର୍ବାଚନ ମଣ୍ଡଳୀର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ https://ceoodisha.nic.in/ ପ୍ରଦତ୍ତ କରାଯାଇଛି।

ଏହା ବ୍ୟତୀତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଦାୟିତ୍ୱରେ ଥିବା ବିଭିନ୍ନ ପର୍ଯ୍ୟବେକ୍ଷକମାନଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ପ୍ରକାଶିତ କରାଉଛନ୍ତି। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ସଂପୃକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଯୋଗାଯୋଗ କରି ଅଭିଯୋଗ ଦାଖଲ କରାଯାଇପାରିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ ମାର୍ଚ୍ଚ, ଆଇନ ଶୃଙ୍ଖଳା ପ୍ରତି କଡା ନଜର

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ।

ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳିତ ହେବ ତାହାକୁ ଗୁରୁତ୍ୱ ଦେଇଛନ୍ତି ଏସପି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାଧିକାରୀ ଆଜି ଦିନ ତମାମ ସହର ଏବଂ ଗ୍ରାମାଞ୍ଚଳ ରେ ଡାକବାଜି ଯନ୍ତ୍ର ଦ୍ୱାରା ନାଗରିକ ମାନଙ୍କ ମନୋବଳ ବଢାଇବା ସହ ନିର୍ଭୟରେ ମତଦାନ କରିବା ପାଇଁ ଅନୁରୋଧ କରିଥିଲେ।

ବାଣପୁର ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସହ ଅଛି ଏବଂ ଯଦି କୌଣସି ବ୍ୟକ୍ତି ବିଶେଷ ଥାନାଧିକାରୀଙ୍କ ସହାୟତା ଲୋଡିବାକୁ ଚାହୁଁଛନ୍ତି ଅବା ସୂଚନା ଦେବାକୁ ଚାହୁଁଛନ୍ତି ତେବେ ସେ ନିର୍ଦ୍ବନ୍ଦରେ ଥାନାଧିକାରୀଙ୍କୁ ଭେଟିପାରିବେ ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି। ତେବେ ଏହି ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଙ୍ଗ ଦ୍ୱାରା ଦ୍ୱାରା ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭୋଟରଙ୍କ ମନରେ ସକାରାତ୍ମକ ପ୍ରଭାବ ପଡିଥିବା ଅନୁମେୟ ହେଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାୟକ ସମୀର ରଂଜନ ଦାସଙ୍କ ମାନଭଂଜନ କଲା ବିଜେଡି, ଦେଲା ଗୁରୁ ଦାୟିତ୍ବ

ଭୁବନେଶ୍ବର: ଶେଷରେ ନିମାପଡା ବିଧାୟକ ସମୀର ଦାସଙ୍କ ମାନଭଂଜନ ପାଇଁ ବିଜେଡି ତାଙ୍କୁ ଏକ ପଦବୀରେ ନିଯୁକ୍ତି ଦେଇଛି। କାରଣ ନିମାପଡାରେ ସମୀରଙ୍କୁ ଦଳ ଟିକେଟ ନ ଦେଇ ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସମୀର ନିମାପଡାରେ ପ୍ରତିବାଦ କରିଥିଲେ। ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ସେ ନିଜେ ଏ ପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେଇ ନାହାଁନ୍ତି।

ଆଜି ବିଜେଡି ସମୀର ରଂଜନ ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏ ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଦେଓଗଡର ରାଣୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରୁ ଜେଡିପି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲୁଗାଁ ( ସୀତାରାମ ଅଗ୍ରୱାଲ) :-ସୋମବାର ପୂର୍ବାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରସ୍ତାବକ ଓ ସମର୍ଥକଙ୍କ ଦସ୍ତଖତ ପରେ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଚଳିତ ନିର୍ବାଚନରେ ଜନସାଧାରଣଙ୍କ ସେବା ଓ ଅଞ୍ଚଳର ବିକାଶ ଦିଗରେ ଉଦ୍ୟମ ଜାରି ରଖିବାସହ ସୁଖଦୁଃଖରେ ଲୋକଙ୍କ ଅତି ନିକଟତର ହୋଇ ସହାୟତାର ହାତ ବଢ଼ାଇବା ପାଇଁ ସଂକଳ୍ପ ନେଇଥିବା ସେକ କୌଶର ଜିତିବେ ବୋଲି ଆଶା କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ କେଉଁଝର ଘଷିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ। ସେ ତାଙ୍କ ସମର୍ଥକଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ସେ ଘଟଗାଁ ମା ତାରିଣୀଙ୍କ ଆର୍ଶିବାଦ ନେଇ ସେଠାରୁ ଏକ ବଡ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇଥିଲେ।

ନାମଙ୍କନ ଦାଖଲ ପରେ ସେ କହିଛନ୍ତି ଯେ, ଏଥର କୌଣସି ଦଳୀୟ ବନ୍ଧନ ନୁହେଁ ସ୍ବାଧୀନ ଚେତାରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କଲି ବୋଲି ସୌମ୍ୟ କହିଛନ୍ତି। ବର୍ତ୍ତମାନ ଘଷିପୁରା ବାସୀ ପରିବର୍ତ୍ତନ ଚାହୁଁଥିବାରୁ ମୁଁ ଏହି ନିର୍ବାଚନ ରଣାଙ୍ଗନାରେ ପ୍ରାର୍ଥୀ ହେଲି। ଗତଥର ସେ ବିଜେଡି ଟିକେଟରେ ଖଣ୍ଡପଡା ଆସନରୁ ଜିତି ବିଧାୟକ ଅଛନ୍ତି। ହେଲେ ପରବର୍ତ୍ତି ସମୟରେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ।

ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବ ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ବିଜେପି ସରକାର ଗଠନ କରିବା ପ୍ରଶ୍ନରେ ନବୀନ ଦେଲେ ମଜଦାର ଉତ୍ତର, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାର ନିର୍ବାଚନ ପ୍ରଚାରରେ କହିଛନ୍ତି ଯେ ଏଥର ବିଜେପି ଓଡିଶାରେ ସରକାର ଗଠନ କରିବ। ସେତିକି ନୁହେଁ ସେ ବ୍ରହ୍ମପୁର ସଭାରେ କେଉଁଦିନ ବିଜେପି ଶପଥ ନେବ ତାହା ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ତାହା ଘୋଷଣା ହେବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।

ବିଜେପିର ଏପରି ଦମ୍ଭୋକ୍ତି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଲେ ତାହା ବେଶ ମଜଦାର। ଆକାଶ ମାର୍ଗରେ ନବୀନଙ୍କୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ପ୍ରଶ୍ନ କଲେ। ପଚାରିଲେ ସାରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ସେମାନେ କହୁଛନ୍ତି। ଏହାର ଉତ୍ତରେ ନବୀନ ପଟ୍ଟନାୟକ କହିଲେ ଯେ, ସେମାନେ ବହୁ ଦିନ ହେଲା ଦିନରେ ସ୍ବପ୍ନ ଦେଖୁଛନ୍ତି। ଏହି ଉତ୍ତରକୁ ନେଇ ରାଜ୍ୟ ରଜାନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ଟା ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ପାଣ୍ଡିଆନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁରରେ ବିଜେପି ସରକାର ଗଠନ କରିବା ପାଇଁ ତାରିଖ ଘୋଷଣା ପରେ ଭବନୀପାଟଣାରେ ନବୀନଙ୍କ ଶପଥ ତାରିଖ ଓ ସମୟ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ଭବାନୀପାଟଣାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ୧୦ ଟାରୁ ୧୧ ଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ ପ୍ରଧାନମନ୍ତ୍ରୀ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଥିଲେ। ଠିକ ତାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ 9 ତାରିଖରେ ବିଜେଡି ସରକାର ଗଠନ ପାଇଁ ଶପଥ ନେବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଆୟୁଶ୍ମାନ ଭାରତ ଲାଗୁ କରିବା ଦାବୀକୁ ପାଣ୍ଡିଆନ ମନା କରିଦେଇଛନ୍ତି। ସେ ଲୋକଙ୍କୁ ଓଡିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଭଲ ତାହାର ହିସାବ ଦେଇଥିଲେ।

ଲୋକମାନଙ୍କୁ ପାଣ୍ଡିଆନ ଓଡିଶାର ବିଭିନ୍ନ ଯୋଜନା ଘୋଷଣା କରି ତାହା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଲୋକେ ନବୀନ ପଟ୍ଟନାୟକ ବୋଲି କହିଥିଲେ। ସେହିପରି ସେ ଲୋକଙ୍କୁ କହିଥିଲେ ଯେ, ଯେଉଁଠି ଡବଲ ଇଂଜିନି ଅଛି ସେହି ରାଜ୍ୟର ଅର୍ଥନୀତି ଭୁଷୁଡି ପଡିଛି। ତେଣୁ ଓଡିଶାର ଡବଲ ଇଂଜିନର କାମ ଦେବ ନାହିଁ ବୋଲି ପାଣ୍ଡିଆନ କହିଥିଲେ। ବିଭିନ୍ନ ରାଜ୍ୟରେ ଡବଲ ଇଂଜିନି ପାଇଁ ଲୋକେ ତେଲ ପକାଇଥିଲେ। ହେଲେ ସେହି ତେଲ ସରିଗଲା ଆଉ ଗାଡି ଚାଲିପାରିଲା ନାହିଁ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ବିରୋଧୀ କୁମ୍ଭୀର କାନ୍ଦଣା କରୁଛନ୍ତି ବୋଲି କହିଥିଲେ। ସେମାନେ କେବଳ ମିଛ କହୁଛନ୍ତି। ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଭଲ। ଏହିପରି ନବୀନ କେତେକ ଯୋଜନା ନାମ କହି ତାହା ଭଲ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ଯାହା ଲୋକେ ଉଚ୍ଚ ସ୍ବରରେ ଭଲ ବୋଲି କହିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଲୋକସଭା ପ୍ରାର୍ଥୀଙ୍କ ସହିତ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଦମ୍ଭ ଦେଖାଇଲେ ମୋଦୀ, କହିଲେ ଓଡିଶାରେ ଜୁନ ୧୦ ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରର କନିଷାଠାରେ ନିଜର ଦମ୍ଭ ଦେଖାଇଛନ୍ତି। ସେ ସେଠାରେ ଘୋଷଣା କରିଛନ୍ତି ଯେ, ଜୁନ୍ ୪ ତାରିଖ ହେଉଛି ବିଜେଡିର ଏକ୍ସପାୟର ତାରିଖ। ସେହିଦିନ ଭୋଟ ଗଣତି ପରେ ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ପସ୍ତ ହେବ।

ସେ ଆହୁରି କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ସେଥିପାଇଁ ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ଘୋଷଣା କରାଯିବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ। ଓଡିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବ୍ରହ୍ମପୁରରେ ମୋଦୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ କର୍ମିମାନଙ୍କୁ ବେଶ ଉତ୍ସାହିତ କରିଥିଲା। କାରଣ ପୂର୍ବରୁ ଓଡିଶା ନେତାମାନେ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି କହୁଥିଲେ ମଧ୍ୟ ତାହାକୁ କେହି ଗୁରୁତ୍ବ ଦେଉ ନ ଥିଲେ। ହେଲେ ଖୋଦ ପ୍ରଧାନମନ୍ତ୍ରୀ ଓଡିଶାରେ ବିଜେପି ଶାସନ କରିବା ଏବଂ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ତାରିଖ ଘୋଷଣା କରିବା ନେଇ କର୍ମୀ ଓ ନେତା ମହଲରେ ବେଶ ଉତ୍ସାହ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ପ୍ରଚାରରେ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗେ ଦେଇ ପ୍ରଥମେ ଜୟ ଜଗନ୍ନାଥ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଏହାପରେ ସେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଓଡିଶାରେ ବିଜେଡି ସରକାର କେନ୍ଦ୍ରର ଯୋଜନାକୁ ଠିକରେ କାର୍ଯ୍ୟକାରୀ କରୁ ନାହାଁନ୍ତି। ଓଡିଶାର ଲୋକେ କେନ୍ଦ୍ରର ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, କେନ୍ଦ୍ରରୁ କୋଟିକୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ରାଜ୍ୟରେ ଠିକରେ ଖର୍ଚ୍ଚ ହୋଇପାରୁ ନାହିଁ। ସେଥିପାଇଁ ଓଡିଶାର ଉନ୍ନତି ପାଇଁ ଏଠାରେ ଡବଲ ଇଂଜିନ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡିଶାର ଖଣିଜ ସଂପଦରେ ଭରପୁର ଏକ ଧନି ରାଜ୍ୟ, ହେଲେ ଏହି ରାଜ୍ୟର ଲୋକେ ଗରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଜନସମାବେଶରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ଆସ୍କା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କ ସହିତ ଏହି ଦୁଇ ଲୋକସଭା ଅଧିନରେ ଥିବା ବିଧାନସଭାର ସମସ୍ତ ବିଜେପି ପ୍ରାର୍ଥୀ ଯୋଗଦେଇଥିଲେ। ଏଥିସହିତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାପରେ ମୋଦି ନବରଂଗପୁର ଯାତ୍ରା କରିଛିନ୍ତି। ସେଠାରେ ସେ ଜନସମାବେଶ ଉଦବୋଧନ ଦେବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ୧୦ ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳ ୧୦ ଜଣ ନେତାଙ୍କୁ ନୂଆ ପଦପଦବୀରେ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ଆଉ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୬ ଜଣଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇଥିଲା। ସେଠାରୁ ସେ ରାଜଭବନ ଆସିବା ରାସ୍ତାରେ ଲୋକଙ୍କୁ ପଦ୍ମ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ। ସେ ରବିବାରରେ ଭୁବନେଶ୍ବର ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆଜି ବ୍ରହ୍ମପୁର ଏବଂ ନବରଗଂପୁର ପ୍ରଚାରରେ ଯିବେ।

ମୋଦୀ ଆଜି ରାଜଭବନରୁ ବାହାରି ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ସେ ବିମାନବନ୍ଦର ଯାଇ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ବ୍ରହ୍ମପୁର ପ୍ରଚାରରେ ଯିବେ। ସେଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳିର କନିଷା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେଠାରେ ବ୍ରହ୍ମପୁର ଏବଂ ଆସ୍କା ଲୋକସଭା ଓ ଏହାର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏହାପରେ ନବରଂଗପୁରରେ ଆୟୋଜିତ ପ୍ରଚାର କାର୍ଯ୍ୟରେ ମୋଦୀ ଯୋଗ ଦେଇ ଭୁବନେଶ୍ବର ଫେରିଆସି ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନା

ଭୁବନେଶ୍ୱର: କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ରବିବାର ଦିନ ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଶ୍ରୀୟା ସମ୍ବେଦନାଙ୍କ ଯୋଗଦାନ ଫଳରେ ବିଶେଷକରି କଟକ-ବାରବାଟୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶ୍ରୀୟା ସମ୍ବେଦନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ପ୍ରକାଶ କୁମାର ରାଉତରାୟ, ସୁଶାନ୍ତ ମହାପାତ୍ର, ବିଶ୍ୱନାଥ ପାଣିଗ୍ରାହୀ, ରାକେଶ କୁମାର ସିଂ, ସନ୍ତୋଷ କୁମାର ସ୍ୱାଇଁ, ସୁମିତ ମିଶ୍ର, ପରେଶ କୁମାର ରାଉତରାୟ, ଶଶୀକାନ୍ତ ଆଚାର୍ଯ୍ୟ, ଅଜୟ ମଲ୍ଲିକ, ଗଜେନ୍ଦ୍ର ସାହୁ, ରଞ୍ଜିତ ମହାନ୍ତି, ସଞ୍ଜୀବ କୁମାର ରାୟ, ଅମରନାଥ ବେହେରା, ସୌମ୍ୟ ରଞ୍ଜନ ମହାନ୍ତି, ତନୟ ବେହେରା, ଲକି ବେହେରା, ରବି ବେହେରା, ଦିଲ୍ଲୀପ ବେହେରା, ଜଗମୋହନ ବେହେରା, ରାହୁଳ ସେଠୀ, ସରୋଜ ବେହେରା, ସନ୍ତୋଷ ସ୍ୱାଇଁ, ବଳରାମ ସାହୁ, ସୁମନ୍ତ ସେଠୀ, ରାଜା ଦାସ, ରୋହିତ କୁମାର ସାହୁ, ଅରୁଣ କୁମାର ନାୟକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକଙ୍କୁ ପଦ୍ମ ଚିହ୍ନ ଦେଖାଇ କଲେ ପ୍ରଚାର

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ସ୍ବତନ୍ତ୍ର ବିମାନରେ ଆଜି ଭୁବେନଶ୍ବରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ଦଳ ତରଫରୁ ପାରଂପାରିତ ନୃତ୍ୟ ସଂଗୀତର ଆୟୋଜନ କରାଯାଇଥିଲା।

ମୋଦୀ ବିମାନ ବନ୍ଦରରୁ କାର ଯୋଗେ ରାଜଭବନ ଆସିଥିଲେ। ରାସ୍ତାରେ ଆସିବା ବେଳେ ତାଙ୍କୁ ଦେଖିବା ପାଇଁ ଛିଡା ହୋଇଥିବା ଜନ ସାଧାରଣଙ୍କୁ ମୋଦୀ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଏପରିକି ସେ ହାତରେ ପଦ୍ମ ଚିହ୍ନକୁ ଧରି ହଲାଇ ହଲାଇ ଲୋକଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ରାତିରେ ରାଜଭବନରେ ରାତ୍ରୀ ଯାପନ କରିବେ। ଏହାପରେ ସେ ଆସନ୍ତାକାଲି ସକାଳୁ ବ୍ରହ୍ମପୁର ଏବଂ ପରେ ନବରଂଗପୁର ପ୍ରଚାରରେ ଯିବେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ପ୍ରଚାର।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋର୍ଦ୍ଧା ବିଧାନସଭା ପାଇଁ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ

ଭୁବନେଶ୍ବର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ସରିଛି। କେବଳ ଆସନ୍ତା 13 ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ସରିଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନ ସଭାରେ ନିର୍ବାଚନ ହେବ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବହୁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଲେଣି। ଆସନ୍ତାକାଲି ଶେଷ ତାରିଖ ଥିବାରୁ ବାକି ରହିଯାଇଥିବା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହି ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସୋନାଲୀ ସାହୁ। ସେ ସକାଳ 10ଟାରୁ ଖୋର୍ଦ୍ଧାର ଜାନକୀ ବଲ୍ଲବ ପଟ୍ଟନାୟକ ପାର୍କରୁ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଦାଖଲ କରିବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉନମୋଚନ କଲେ ଇସ୍ତାହାର-ସଂକଳ୍ପ ପତ୍ର

ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି ଓଡିଶାର ତରଫରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଉନମୋଚନ କରାଯାଇଛି ନିର୍ବାଚନ ଇସ୍ତାହାର। ଯାହାର ନାମ ରଖାଯାଇଛି ସଂକଳ୍ପ ପତ୍ର। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହି ସଂକଳ୍ପପତ୍ରକୁ ଉନମୋଜଚନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା।

ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡିଶା ସଭାପତି ମନମୋହନ ସାମଲ ଏବଂ ବିଜେପି ସାଂସଦ ଜୁଏଲ ଓରାମ। ଏହି ସଂକଳ୍ପପତ୍ର ମୁଖ୍ୟତଃ ଓଡିଶାକୁ ନଜରରେ ରଖି କରାଯାଇଛି। ଏହାର ମୁଖ୍ୟ ପ୍ରସଂଗ ରହିଛି ଓଡିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି। ଏହି ଅବସରରେ ନଡ୍ଡା କହିଛନ୍ତି ଯେ, ମୋଦୀଙ୍କ ପାଇଁ ସାରା ଦେଶରେ ରାଜନୈତିକ ସଂସ୍କୃତି ପରିବର୍ତ୍ତନ ହୋଇଛି। ନିର୍ବାଚନୀ ଇସ୍ତାହାରର ଗୁରୁତ୍ବ ବଢିଯାଇଛି।

ନଡ୍ଡା କହିଛନ୍ତି ଯେ, ବିଜେପି ଯାହା କିଛି ଇସ୍ତାହାରରେ ପ୍ରତିଶୃତି ଦେଉଛି ତାହାକୁ ସେ ପାଳନ କରୁଛି। ଏଥିରେ ଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଲା କି ନାହିଁ ସେ ଉପରେ ତର୍ଜ୍ଜମା କରାଯାଉଛି। ବର୍ତ୍ତମାନ ଓଡିଶାବାସୀଙ୍କ ପାଇଁ ଯେଉଁ ପ୍ରତିଶୃତି ଏହି ସଂକଳ୍ପ ପତ୍ରରେ ଦିଆଯାଇଛି ତାହା ନିଶ୍ଚିତ ପୂରଣ କରାଯିବ ବୋଲି ନଡ୍ଡା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନଙ୍କୁ ଅବଗତ କରିଛି ଦଳ। ଯାହାର ଏକ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି।

ବିଜେଡିର ଅଭିଯୋଗ ହେଲା ଯେ, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ 30 ରୁ ମେ 4 ମେ ପର୍ଯ୍ୟନ୍ତ ଭୁବନେଶ୍ବରରେ ଥିଲେ। ଏହା ଭିତରେ ସେ ନିଜ ଭୁବନେଶ୍ୱର ବାସଭବନରେ ଚିଲିକା ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିବା ସହ ଫୋନ ଯୋଗେ ମଧ୍ୟ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଯିଏ କି ବିଜେପିର ଚିଲିକା ପ୍ରାର୍ଥୀ ଅଛନ୍ତି ତାଙ୍କ ସପକ୍ଷରେ ଭୋଟ ଦେବାକୁ ସେ ପରୋକ୍ଷରେ ନିବେଦନ କରିଛନ୍ତି।

ଏକ ସାମ୍ବିଧାନିକ ପଦବୀରେ ରହି ଏପରି କରିବା ନିର୍ବାଚନ ଆଚରଣ ଵିଧିର ଉଲଂଘନ। ଏହାର ତଦନ୍ତ ପାଇଁ ଦାବି କରିବା ସହ ନିର୍ବାଚନ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଆସିବା ଉପରେ ଅଙ୍କୁଶ ଲଗାଇବାକୁ ବିଜେଡି ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସରେ ମିଶିଲେ ଦେବାଶୀଷ ନାୟକ, ବରୀର ପ୍ରାର୍ଥୀ ହୋଇପାରେ ପରିବର୍ତ୍ତନ

ଭୁବନେଶ୍ବର: ପ୍ରଥମେ ବିଜେଡିରେ ଥିଲେ। ଟିକେଟ ମିଳିବାର ସମ୍ଭାବନା ନ ଥିବାରୁ ବିଜେପିରେ ମିଶିଲେ। ହେଲେ ବିଜେପିରେ ମଧ୍ୟ ସେଇ କଥା। ତାଙ୍କୁ ବରୀ ଆସନରେ ଟିକେଟ ମିଳିଲା ନାହିଁ। ଫଳରେ ହତାଶ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ। ମାତ୍ର କଂଗ୍ରେସରୁ ପ୍ରତିଶୃତି ମିଳିବା ପରେ ସେ ଆଜି କଂଗ୍ରେସରେ ହେଲେ ସାମିଲ।

କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦେବାଶିଷ ହାତ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଭାରୀ ଅଜୟ କୁମାର, ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଦେବାଶୀଷ କହିଛନ୍ତି ଯେ, ମୁଁ କଂଗ୍ରେସରେ ଯୋଗଦେବାକୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲି। ହେଲେ ଟିକିଏ ଭୁଲ ହୋଇଗଲା। ଏଠି ବିଜେଡି ବିଜେପି ଗୋଟିଏ। ଏବେ କଂଗ୍ରେସରେ ଯୋଗଦେଇ ମୁଁ ବେଶ ଖୁସି ବୋଲି ଦେବାଶୀଷ କହିଛନ୍ତି।

ତେବେ କଂଗ୍ରେସ ବରୀରୁ ଆରତି ଦେଓଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ବର୍ତ୍ତମାନ ଦେବାଶିଷ ଯୋଗଦେବା ପରେ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ଓଡିଶା ରାଜନୀତି ଉପରେ କହିଲେ ଏପରି କଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ସର୍ବଦା ଓଡିଶା ରହିଆସିଛି। ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦିଜୀ ପ୍ରତିଶୃତିବଦ୍ଧ । ବିଶେଷ ଭାବେ ଓଡିଆ ଭାଷା, ଐତିହ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ସ୍ୱତନ୍ତ୍ର ଭୁମିକା ଗ୍ରହଣ କରିଛନ୍ତି। ବିଶ୍ୱର ବିତଶୀଳ ରାଷ୍ଟ୍ରମାନଙ୍କୁ ନେଇ ନୂଆଦିଲ୍ଲୀଠାରେ ଆୟୋଜିତ “ଜି-୨୦ ଶିଖର ସମ୍ମିଳନୀ”ରେ କୋଣାର୍କ ଚକ୍ରକୁ ସ୍ଥାନିତ ଓ ପ୍ରଦର୍ଶିତ କରାଇ ମୋଦିଜୀ ଓଡିଶାର ମାନ ଓ ସମ୍ମାନ ବୃଦ୍ଧି କରାଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

ସେ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ କରିଛନ୍ତି। ଗତ ୧୦ ବର୍ଷରେ ଓଡିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଓ ସହାୟତା ପ୍ରଦାନ କରିଛନ୍ତି । ମୋଦିଜୀଙ୍କ କାର୍ଯ୍ୟକାଳରେ ସାଗରମାଳା ପ୍ରକଳ୍ପ ମାଧ୍ୟମରେ ୫୪ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ୩୪ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି । ୫୩ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ମିଳିଛି । ସ୍ୱନିଧୀ ଯୋଜନାରେ ୫୪ହଜାର ଉପଭୋକ୍ତା ଓଡ଼ିଶାରୁ ସାମିଲ ହୋଇଛନ୍ତି। ୫୮ ହଜାର କିଲୋମିଟର ନୂତନ ରାସ୍ତା ନିର୍ମାଣ ହୋଇଛି। ୨୦ଟି ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲିଛି ଏବଂ ବର୍ଷକୁ ପ୍ରାୟ ୨.୫ ପାସପୋର୍ଟ ଇସ୍ୟୁ ହେଉଛି।

ଭୁବନେଶ୍ୱର ଓ ରାଉରକେଲାକୁ ସ୍ମାର୍ଟ ସିଟି ମାନ୍ୟତା ମିଳିଛି । ସ୍ୱଚ୍ଛ ପାନୀୟ ଜଳ ପାଇଁ ସମସ୍ୟାର ସମାଧାନ ପାଇଁ ପର୍ଯ୍ୟାପ୍ତ ସହାୟତା ଓ ଅନୁଦାନ ଆସିଛି । ପ୍ରାକୃତିକ ସଂପଦ ପ୍ରାଚୁର୍ଯ୍ୟ ଭରପୁର ଓଡଶା ରାଜ୍ୟ ଦେଶର ଅନ୍ୟତମ ବିକଶିତ ରାଜ୍ୟ ଗଢି ଉଠିବାର ଅପାର ସମ୍ଭାବନା ରହିଛି । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଦ୍ୱାରା ଓଡିଆ ଯୁବକଯୁବତୀ ରୋଜଗାରକ୍ଷମ ହୋଇପାରିବେ ବୋଲି ଜୟଶଙ୍କର କହିଛନ୍ତି।

ଓଡିଶାର ଲୋକ ଅନେକ କୁଶଳୀ ଓ ଦକ୍ଷ। ମାତ୍ର ରାଜନୈତିକ ସଦିଚ୍ଛାର ଅଭାବ କାରଣରୁ ଓଡିଶାର ବିକାଶ ସଠିକ ହୋଇପାରିନାହିଁ। ଓଡ଼ିଶାରେ ସବୁ ଥାଇ ମଧ୍ୟ ସେହି ଅନୁପାତରେ ବିକାଶ ହୋଇପାରି ନାହିଁ । ଆଜିର ଓଡ଼ିଶାକୁ ଦେଖିଲେ ଆହୁରି ବିକାଶ ହେବାର ଥିଲା । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ଓଡିଶାର ଶାସନ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବାର ଆବଶ୍ୟକତା ରହିଛି । ଲୋକଙ୍କୁ କେନ୍ଦ୍ର ଯୋଜନାର ସୁଫଳ ମିଳିବାକୁ ହେଲେ କେନ୍ଦ୍ରରେ ମୋଦି ହାତମୁଠାକୁ ମଜବୁତ୍ କରିବାକୁ ପଡିବ ଏବଂ ଓଡିଶାରେ ମଧ୍ୟ ବିଜେପିର ସରକାର ଗଠନ କରିବା ଆବଶ୍ୟକ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ.ଏସ.ଜୟଶଂକର କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀ କରି ଡ.ଜୟଶଂକର କହିଛନ୍ତି ଯେ, ମୋଦିଜୀଙ୍କ ଗ୍ୟାରେଂଟି ଦେଶରେ ତଥା ଦେଶର ସୀମା ବାହାରେ ପଡୋଶୀ ରାଷ୍ଟ୍ରମାନଙ୍କରେ ମଧ୍ୟ ସ୍ପଷ୍ଟ ପ୍ରକାଶ ପାଉଛି । ବିଦେଶରେ ଫସି ରହୁଥିବା ଭାରତୀୟଙ୍କୁ ଉଦ୍ଧାର କରିବା ମୋଦି ସରକାରଙ୍କ ପ୍ରାଥମିକତା। ୟୁକ୍ରେନ, ସୁଦାନ, ଇସ୍ରାଏଲ ସଂକଟରୁ ଓଡ଼ିଶା ଲୋକଙ୍କୁ ବି ଉଦ୍ଧାର କରାଯାଇଛି । ଦେଶର ବିକାଶକୁ ଆଗେଇ ନେବା ଭଳି ମୋଦି ସରକାର ଓଡିଶାରେ ହେବା ଦରକାର । କେନ୍ଦ୍ରରେ ଏଥର ୪୦୦ ପାର ଏବଂ ଓଡିଶାରେ ବିଜେପି ସରକାର ହେବ ବୋଲି ଡ.ଜୟଶଂକର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋଦି ସରକାର ପାଇଁ ଦେଶ ପ୍ରଥମ ଓ ଦେଶର ସୁରକ୍ଷା ମଧ୍ୟ ପ୍ରଥମ। ଦେଶର ସୁରକ୍ଷା ପାଇଁ ମୋଦି ସରକାର କୌଣସି ସାଲିସ କରିବ ନାହିଁ ବୋଲି ଡ.ଜୟଶଂକର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।