କଣ୍ଟାବାଞ୍ଜି ପୁଲିଂ ଅଫିସରଙ୍କ ହୃଦଘାତରେ ମୃତ୍ୟୁ, ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

Published: May 19, 2024, 11:36 pm IST

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜିି ବିଧାନସଭା କ୍ଷେତ୍ର ପାଇଁ ନିୟୋଜିତ ଜଣେ ପୋଲିଂ ଅଧିକାରୀ ସୁଶୀଲ କୁମାର ଆଚାର୍ଯ୍ୟଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ସେ ମତଦାନ ସଂପର୍କିତ କାର୍ଯ୍ୟ ନିମନ୍ତେ ଟିଟିଲାଗଡ଼ ଡିସପର୍ସାଲ ସେଣ୍ଟରର ରେଜିଷ୍ଟ୍ରେସନ୍‌ କାଉଣ୍ଟର ନିକଟରେ ଥିବାବେଳେ ମୁର୍ଚ୍ଛା ହୋଇଯାଇଥିଲେ ।  ତାଙ୍କୁ ତୁରନ୍ତ ଟିଟିଲାଗଡ଼ସ୍ଥିତ ଉପଖଣ୍ଡ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରୁ ତାଙ୍କୁ ବଲାଙ୍ଗିର ସଦର ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ରାସ୍ତାରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଘୋଷଣା କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏହି ଦୁଃଖଦ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ଆଚର୍ଯ୍ୟଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ସେ ଅମର ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ ସ୍ୱର୍ଗତ ଆଚାର୍ଯ୍ୟ ବିଧାନସଭା କ୍ଷେତ୍ର ୭୦-କଣ୍ଟାବାଂଜିର ୧୭୦ ନମ୍ବର ବୁଥ୍‌ ପାଇଁ ପୋଲିଂ ଅଧିକାରୀ ରୂପେ କାର୍ଯ୍ୟ କରିବା ନିମନ୍ତେ ନିୟୋଜିତ ହୋଇଥିଲେ । ସ୍ୱର୍ଗତ ଆଚାର୍ଯ୍ୟଙ୍କ ପରିବାରଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହା ସହ ସେ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts