Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଭୋଟ ଗ୍ରହଣ ନେଇ ରାଜନୈତିକ ଦଳ ସହ ନିର୍ବାଚନ ଅଧିକାରୀଙ୍କ ବୈଠକ, କେତେକ ବୁଥରେ ସମୟ ପରିବର୍ତ୍ତନ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଥିଲେ । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ଶ୍ରୀ ଧଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିବା ସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଯେହେତୁ ଆଜିଠୁ ବିଧିବଦ୍ଧ ଭାବରେ ରାଜ୍ୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ନର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥି ପାଇଁ ଆଜିର ଦିନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ରୂପେ ଅଭିହିତ କରିଥିଲେ ।

ଏହି ଅବସରରେ ସେ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକି୍ରୟା, ନିର୍ବାଚନ ଓ ନିର୍ବାଚନ ଫଳ ପ୍ରକାଶ ପାଇବାର ତାରିଖ ଓ ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । କଳାହାଣ୍ଡି, ନବରଙ୍ଗପୁର (ଏସ୍‌.ଟି.), ବ୍ରହ୍ମପୁର ଓ କୋରାପୁଟ (ଏସ୍‌.ଟି.) ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା । କେତେକ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ସମୟକୁ ଅପରାହ୍ନ ୪ଟା ଓ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇଥିବା ବିଷୟରେ ମଧ୍ୟ ଶ୍ରୀ ଧଳ ସୂଚନା ଦେଇଥିଲେ। ଅନ୍ୟ ସମସ୍ତ ଅଞ୍ଚଳରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ଅନ୍ତର୍ଗତ ଓଡ଼ିଶାର ଉପରୋକ୍ତ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୨୫ ଅପ୍ରେଲ ୨୦୨୪ (ଗୁରୁବାର)କୁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସ୍ଥିର କରାଯାଇଛି । ୨୬ ଅପ୍ରେଲ ୨୦୨୪ (ଶୁକ୍ରବାର) ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୯ ଅପ୍ରେଲ ୨୦୨୪ (ସୋମବାର) ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବାବେଳେ ୧୩ ମଇ ୨୦୨୪ (ସୋମବାର) ଦିନ ମତଦାନ ହେବ ।  ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା ୦୬ ଜୁନ୍‌ ୨୦୨୪ (ଗୁରୁବାର) ସୁଦ୍ଧା ସଂପୂର୍ଣ୍ଣ ହେବ ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ନିର୍ବାଚନ ପରିଚାଳନାର ଆହ୍ୱାନ ବିଷୟରେ ଅବଗତ କରିବା ସହ ଖରାରେ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ ନେଇ ରାଲି ଓ ରୋଡ଼୍‌ ସୋ ନକରିବା ପାଇଁ ଆଲୋଚନା ହୋଇଥିଲା । ଏହା ସହ ର୍ୟାଲି ଓ ସଭାରେ ରାଜନୈତିକ ଦଳମାନେ ଯେପରି ଓଆର୍‌ଏସ୍‌, ଅଂଶୁଘାତ ସଂକ୍ରାନ୍ତୀୟ ଔଷଧପତ୍ର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ । ଯଦିଓ ପ୍ରଚଣ୍ଡ ଖରାରେ ନିର୍ବାଚନ ପ୍ରକ୍ରିୟା ଜାରି ରହିବ, ତଥାପି ‘ଅଂଶୁଘାତଜନିତ ହତାହତଶୂନ୍ୟ’ ନିର୍ବାଚନ ହେଉଛି ନିର୍ବାଚନ ପରିଚାଳନାର ମୂଳଲକ୍ଷ୍ୟ ବୋଲି ଶ୍ରୀ ଧଳ ମତପ୍ରକାଶ କରିଥିଲେ ।

ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପ୍ରଚାର ବିଷୟରେ ଆଲୋଚନା କରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିୟମ ଓ ଜନପ୍ରତିନିଧିତ୍ୱ ଅଧିନିୟମ-୧୯୫୧ର ବ୍ୟବସ୍ଥାକୁ ମାନି ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଦଳମାନେ ପ୍ରଚାର କରି ଏକ ସୁସ୍ଥ ଓ ମହାନ ଗଣତାନ୍ତ୍ରିକ ପଦ୍ଧତିର ଉଦାହରଣ ପ୍ରସ୍ତୁତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅଭିପ୍ରେରିତ କରିଥିଲେ । ଆଦର୍ଶ ଆଚରଣ ବିଧିର ଅନୁପାଳନ କ୍ରମେ ନିର୍ବାଚନ ପ୍ରଚାର ପାଇଁ ସେ ସଭିଙ୍କୁ ଅନୁରୋଧ କରିଥିଲେ ।

ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ କରିଥିଲେ। ଇଭିଏମ୍‌ ଓ ଭିଭିପାଟ୍‌ର ସୁରକ୍ଷା, ର୍ୟାଣ୍ଡମାଇଜେସନ୍‌ ଓ କମିସନିଂ ବିଷୟରେ ଶ୍ରୀ ଧଳ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ରାଜନୈତିକ ଦଳମାନେ ‘ସୁବିଧା’ ଆପ୍‌ରେ ଅନ୍‌ଲାଇନ୍‌ରେ ସବୁ ଅନୁମତି ପାଇଁ ଆବେଦନ କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ।

ଏହାପରେ ରାଜନୈତିକ ଦଳର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ପ୍ରସଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ, ଯାହା ଉପରେ ସକରାତ୍ମକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ମହାନ୍ତି, ଶ୍ରୀ ସବ୍ୟସାଚୀ ହୋତା ଅଂଶଗ୍ରହଣ କରିଥିଲେ।

ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମଗ୍ରିକ ନିର୍ବାଚନ ପ୍ରସ୍ତୁତି, ପ୍ରଚେଷ୍ଟା ଓ ପ୍ରତିବଦ୍ଧତାକୁ ଉଚ୍ଛ୍ୱସିତ ପ୍ରଶଂସା କରିବା ସହ ନିଜ ନିଜର ଆସ୍ଥା ପ୍ରକଟ କରିଥିଲେ ଓ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଲଢ଼ିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଶା, ଅଙ୍ଗନବାଡି ଓ ମିଶନଶକ୍ତି ମହିଳାଙ୍କୁ ଧମକାଉଛି ବିଜେପି, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଆଶା କର୍ମି, ଅଙ୍ଗନବାଡି କର୍ମି ଏବଂ ମିଶନ ଶକ୍ତି ମହିଳାଙ୍କୁ ବିଜେପି ଧମକାଉଛି। ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି। ଆଜି ଦଳର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗରେ ଦଳ କହିଛି ଯେ, ଗତ କିଛିଦିନ ଧରି ବିଜେପି ନେତା ତଥା ପ୍ରାର୍ଥୀମାନେ ତୃଣମୂଳ ସ୍ତରରେ ଥିବା ସରକାରୀ ସଂଗଠନର ମହିଳାଙ୍କୁ ଧମକ ଦିଆଯାଉଛି। ସେମାନଙ୍କ ପାଇଁ କାମ କରିବାକୁ ଏକ ପ୍ରକାର ବାଧ୍ୟ କରାଯାଉଛି। ସାହାଯ୍ୟ ନ କଲେ ତମ କଥା ପରେ ବୁଝାଯିବ ବୋଲି ଧମକ ଦିଆଯାଉଛି। ଏହାଦ୍ବାରା ସେମାନେ ମାନସିକ ଚାପ ଭିତରେ ତାଙ୍କ କାମ କରିପାରୁ ନାହାଁନ୍ତି ବୋଲି ଦଳ ଅଭିଯୋଗ କରିଛି।

ନିର୍ବାଚନ କମିଶନର ଏହା ଉପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବି କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପ୍ରସ୍ତୁତି: ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଦିଆଗଲା ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କର ଏକ ଦିନିକିଆ କର୍ମଶାଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୦ ଜଣ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଛି।

କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ପ୍ରୟୋଗ ଫଳରେ ସହଜରେ ଓ ସଠିକ୍‌ ଭାବରେ କାର୍ଯ୍ୟ ପରିଚାଳିତ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଓକାକ୍‌ରୁ ଆସିଥିବା ଦକ୍ଷ ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀ ମନମୋହନ ମହାପାତ୍ର, ଶ୍ରୀ ପ୍ରଭୁଦତ୍ତ ମହାପାତ୍ର ଓ ଶ୍ରୀ ହିମାଂଶୁ ଶେଖର ସାହୁ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଯୁକ୍ତି ବିଦ୍ୟା ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ଥିରୁମାଳା ନାୟକ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ପ୍ରଯୁକ୍ତି ବିଦ୍ୟା ନୋଡ଼ାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବୁଥ ସ୍ତରରେ ହେବ ଭୋଟର ତାଲିକା ସଂଶୋଧନ, ବିଭିନ୍ନ ଜିଲ୍ଲା ପାଇଁ ହେଲା ତାରିଖ ଘୋଷଣା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜାନୁଆରୀ ୫ ତାରିଖରେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥି ପୂର୍ବରୁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ରାଜନୈତିକ ଦଳମାନେ ପ୍ରତି ବୁଥ୍‌ରେ ସେମାନଙ୍କ ଦଳ ତରଫରୁ ଜଣେ ଲେଖାଏଁ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ଦଳ ତରଫରୁ ଫଟୋ ପରିଚୟ ପତ୍ର ଦେବେ ଓ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଏକକିତା ଲେଖାଏଁ ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ଇଆର୍‌ଓ ତଥା ଉପଜିଲ୍ଲାପାଳ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ।

ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରିବା, ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ତାଲିକା ଏବଂ ଭୋଟର ତାଲିକାରେ ଥିବା ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବା ଫଳରେ ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ଭବ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତପ୍ରକାଶ କରିଛନ୍ତି।

ବୁଥ୍‌ସ୍ତରୀୟ ଏଜେଣ୍ଟ ବୁଥ୍‌ ହୋଇଥିବା ଗ୍ରାମ ସଂପୃକ୍ତ ବୁଥ୍‌ ଅଞ୍ଚଳର ହୋଇଥିବା ଆବଶ୍ୟକ। ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳରେ ମୃତ ଭୋଟରଙ୍କୁ ଚିହ୍ନଟ କରି ଫର୍ମ ନଂ-୭ ପୂରଣ କରି ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଦେଲେ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ ହେବ। ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ଓଡ଼ିଶା ପାଇଁ ୪ ଗୋଟି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ସ୍ଥିର କରିଛନ୍ତି।

ଆସନ୍ତା ନଭେମ୍ବର ମାସ ୫ ତାରିଖ (ରବିବାର), ନଭେମ୍ବର ମାସ ୧୯ ତାରିଖ (ରବିବାର), ନଭେମ୍ବର ୧୧ ତାରିଖ (ଶନିବାର) ଏବଂ ନଭେମ୍ବର ୨୫ ତାରିଖ (ଶନିବାର) ଦିନ ରାଜ୍ୟର ସବୁ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଶୁଣିବା ସହ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରିବା ଲାଗି ନିର୍ଦ୍ଧାରିତ ଫର୍ମରେ ଅଭିଯୋଗ ଗ୍ରହଣ ଓ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ।

ଏହି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସମାନଙ୍କରେ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ରହି ଭୋଟରମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଯଦି ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିନଥାନ୍ତି, ଯାଥାଶୀଘ୍ର ରାଜନୈତିକ ଦଳମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି।

ଏତଦ୍‌ବ୍ୟତୀତ ଆଗାମୀ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍‌ ଓ ଭିଭିପ୍ୟାଟ୍‌ର (ଏଫ୍‌ଏଲ୍‌ସି) ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ୧୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ତନଖି କାର୍ଯ୍ୟ ଅନୁଷ୍ଠିତ ହେବ।

ସେହିପରି ଅବଶିଷ୍ଟ ୨୦ଟି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ତନଖି କାର୍ଯ୍ୟ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଫ୍‌ଏଲ୍‌ସି ଅନୁଷ୍ଠିତ ହେବାକୁ ଥିବା ଦିନଗୁଡ଼ିକରେ ପ୍ରତି ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଇଭିଏମ୍‌ ଓ ଭିଭିପ୍ୟାଟ୍‌ ତନଖି କାର୍ଯ୍ୟ ଦିନରେ ଉପସ୍ଥିତ ରହିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ତନଖି କାର୍ଯ୍ୟ ପୂର୍ବରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାଶ, ଭାରତୀୟ ଜାତୀୟ କଂଗ୍ରେସ୍‌ର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ଆମ୍‌ ଆଦ୍‌ମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଜୁ ଜନତା ଦଳର ମୁଖପାତ୍ର ଇପ୍‌ସିତା ସାହୁଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Padampur Byelection: ସୁଶାନ୍ତ ସିଂଙ୍କୁ ହତ୍ୟା ଧମକ, ପୁଣି ବିଜେଡିର ଅଭିଯୋଗ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ନେତା ସୁଶାନ୍ତ ସିଂଙ୍କୁ ହତ୍ୟା ଧମକ ନେଇ ବିଜେଡି ପୁଣି ଥରେ ଅଭିଯୋଗ କରିଛି। ଆଜି ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ଦଳ ତରଫରୁ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଛି।

ଏଥିରେ କୁହାଯାଇଛି ଯେ, ବିଜେଡି ନେତା ସୁଶାନ୍ତ ସିଂଙ୍କୁ ହତ୍ୟା କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଛି। ପୂର୍ବରୁ ବିଜେପୁର ଉପନିର୍ବାଚନ ବେଳେ ସୁଶାନ୍ତ ସିଂଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା। ସେଥିରେ ଯେଉଁମାନେ ଜେଲ ଯାଇଥିଲେ ସେମାନେ ମଧ୍ୟ ବର୍ତ୍ତମାନ ଜାମିନୀରେ ଆସି ପଦ୍ମପୁରରେ ପ୍ରଚାର କରୁଛନ୍ତି।

ସେଥିପାଇଁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସୁଦୃଢ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ବିଜେଡି ଦାବୀ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନେଇ ସର୍ବଦଳୀୟ ବୈଠକ, ଭୋଟ ଗ୍ରହଣ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଉପନିର୍ବାଚନ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌, ୧୭ ନଭେମ୍ବର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ, ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ଡିସେମ୍ବର ୫ ତାରିଖ ଭୋଟଗ୍ରହଣ ଓ ଡିସେମ୍ବର ୮ ତାରିଖ ଦିନ ଭୋଟଗଣତି କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ।

ଏଥର ପଦମ୍‌ପୁର ଉପନିର୍ବାଚନ ନିମନ୍ତେ ପୂର୍ବ ସାଧାରଣ ନିର୍ବାଚନ-୨୦୧୯ ପରି ସକାଳ ୭ ଘଟିକାଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ପାଇଁ ନିର୍ବାଚନ ଆୟୋଗ ସମୟ ଧାର୍ଯ୍ୟ କରିଛନ୍ତି । ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା. ୦୧/୦୧/୨୦୨୨ରିଖ ସୁଦ୍ଧା ୨୫୭୪୭୪ ଜଣ ଭୋଟର ଅଛନ୍ତି, ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଓ ୧୨୭୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି ।

ପଦମ୍‌ପୁର ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ଓ ବୁଥ୍‌ରେ ସର୍ବାଧିକ ୧୫୦୦ ଜଣ ମତଦାତା ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ଜଣାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । ଏହାକୁ ସବୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନେ ଅନୁପାଳନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଓ ଏହାର ତିଳେମାତ୍ର ଉଲ୍ଲଂଘନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ ୪୦ ଜଣ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ ।

ସେହିପରି ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସଂପର୍କରେ ଦଳ ତରଫରୁ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ୪ ଦିନ ମଧ୍ୟରେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୫ମରୁ ୮ମ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୯ମ ଦିନରୁ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ପ୍ରଚାରପ୍ରସାର କରିବେ ।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ୍‌ କରାଯିବା ସହ ଉତ୍ତେଳନାପ୍ରବଣ ବୁଥ୍‌ମାନଙ୍କରେ ୩୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଦମ୍‌ପୁର ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ୱାରା ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବଳ(ଈଅPଏ)ଙ୍କୁ ନିଯୁକ୍ତ କରାଯାଇଛି । ଏତଦ୍‌ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଭୋଟଗ୍ରହଣ ଦିବସ ଅର୍ଥାତ୍‌ ଡିସେମ୍ବର ୫ ତାରିଖକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ଓ ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ରମାରଞ୍ଜନ ବଳିୟାରସିଂହ ଓ ଲିଗାଲ୍‌ ସେଲର ଜୟନ୍ତ କୁମାର ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ ଓ ଭାରତୀୟ ଜତୀୟ କଂଗ୍ରେସର ଶିବାନନ୍ଦ ରାୟଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ, ମଇଦାନରେ ମୋଟ ୫ ପ୍ରାର୍ଥୀ

Dhamnagar Byelection : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ମଧ୍ୟରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀପତ୍ର ଯାଞ୍ଚବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଥିଲା ଓ ସମୁଦାୟ ୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍‌ ରହିଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଶେଷରେ ୫ ଜଣ ପ୍ରାର୍ଥୀ ଯଥା ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଉପନିର୍ବାଚନ ଲଢ଼ିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥର ଉପନିର୍ବାଚନରେ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ଡମି ବ୍ରେଲି ବାଲାଟ୍‌ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୪୧୭ ଓ ସମୁଦାୟ ବୁଥ୍‌ ସଂଖ୍ୟା ହେଉଛି ୨୫୨ ।

ସମୁଦାୟ ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟର ୧୨,୧୬୨ ଜଣଙ୍କ ମଧ୍ୟରୁ ୫୦୫ ଜଣ ଭୋଟର ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡୋମାେଇଜେସନ୍‌ କାର୍ଯ୍ୟ ସମାପ୍ତ ହୋଇଛି ଓ ନଭେମ୍ବର ୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ୍‌ କାର୍ଯ୍ୟ ସମାପ୍ତ ହେବ ।

ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍‌ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍‌ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ, ଦେଲେ ଏହି ପରାମର୍ଶ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ଅନୁସାରେ ଅକ୍ଟୋବର ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ।

୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା.୦୧/୦୧/୨୦୨୨ରିଖ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ। ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ ଅଟେ।

ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ଏମ୍‌-୩ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ବ୍ୟବହାର କରାଯିବ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୨ ଗୋଟି ବୁଥ୍‌ରେ ଏଥର ଭୋଟ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ୍‌ ଜରିଆରେ ସେମାନେ ଘରେ ରହି ମତଦାନ କରିପାରିବେ ଓ ଏଥି ନିମନ୍ତେ ୨୦ ଗୋଟି ପୁଲିଙ୍ଗ ପାର୍ଟିଙ୍କ ସହ ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ।

ପୂର୍ବ ନିର୍ବାଚନଗୁଡ଼ିକ ପରି ଏଥର ଧାମନଗର ଉପନିର୍ବାଚନରେ ଭୋଟର ଫଟୋ ପରିଚୟ ପତ୍ର ସହ ଅନ୍ୟ ୧୨ଗୋଟି ବିକଳ୍ପ ପରିଚୟ ପତ୍ର ମତଦାନ ସମୟରେ ଭୋଟରମାନେ ବ୍ୟବହାର କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ।

ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୪୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ରଚାର କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ରଚାର କରିପାରିବେ ବୋଲି ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି।

ଏଥର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି।  ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ତିନିଗୋଟି ପର୍ଯ୍ୟାୟରେ ସେମାନଙ୍କ ସଂପର୍କରେ ପ୍ରଚାରପ୍ରସାର କରିବେ। ଯାହାଫଳରେ ଭୋଟରମାନେ ପ୍ରାର୍ଥୀମାନଙ୍କ ସଂପର୍କରେ ନିର୍ବାଚନ ପୂର୍ବରୁ ସବିଶେଷ ସୂଚନା ପାଇପାରିବେ।

ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରଥମ ୪ ଦିନ ମଧ୍ୟରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ରୁ ୮ ଦିନ ମଧ୍ୟରେ ଓ ତୃତୀୟ ପର୍ଯ୍ୟାୟରେ ୯ମ ଦିନଠାରୁ ପ୍ରଚାରର ଶେଷ ଦିନ ପର୍ଯ୍ୟନ୍ତ ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି।

ଏଥର ଧାମନଗର ଉପନିର୍ବାଚନରେ ଶତକଡ଼ା ୫୦ ଭାଗ ଅର୍ଥାତ୍‌ ୧୨୬ଗୋଟି ବୁଥ୍‌ରେ େୱବ୍‌କାଷ୍ଟିଙ୍ଗ କରାଯିବା ପାଇଁ ସ୍ଥିର କରାଯାଇଛି। ଅବାଧ ଓ ସ୍ୱଚ୍ଛ ନିର୍ବାଚନ ଓ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଏଥର ଉପନିର୍ବାଚନ ପାଇଁ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ, ୪ କମ୍ପାନୀ କେନ୍ଦ୍ରୀୟ ପୋଲିସବଳ ଓ ୨୩ ପ୍ଲାଟୁନ୍‌ ରାଜ୍ୟ ପୋଲିସବଳ ନିୟୋଜିତ ହେବେ। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ ଗୋଟି ବୁଥ୍‌ ମଧ୍ୟରୁ ୧୦୭ଟି ବୁଥ୍‌କୁ ଉତ୍ତେଜନାପ୍ରବଣ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ କମୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ ଦାସ, ବିଜୁ ଜନତା ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଉପସଭାପତି ଶିବାନନ୍ଦ ରାୟଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି, ନିର୍ବାଚନ ଅଧିକାରୀ କହିଲେ ଏହି କଡା କଥା

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ କରାଇ ଧାମନଗର ଉପନିର୍ବାଚନ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ।

ଏ ନେଇ ବିଧିବଦ୍ଧ ଗେଜେଟ୍‌ ନୋଟିଫିକେସନ୍‌ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଅକ୍ଟୋବର ୧୪ ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୫ ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଓ ଅକ୍ଟୋବର ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ।

ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇ ନଭେମ୍ବର ୬ ତାରିଖରେ ଭୋଟଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନଭେମ୍ବର ୮ ତାରିଖ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ ହେବ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପନିର୍ବାଚନ ଘୋଷଣା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଭଦ୍ରକ ଜିଲ୍ଲା ସହ ସମଗ୍ର ବିଧାନସଭା ମଣ୍ଡଳୀରେ ସମସ୍ତ ପ୍ରାର୍ଥୀ, ସବୁ ରାଜନୈତିକ ଦଳ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୦୧ ଅକ୍ଟୋବର ୨୦୨୨ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୩୬୦। ତନ୍ମଧ୍ୟରେ ୧,୨୩,୦୧୩ ଜଣ ପୁରୁଷ ଭୋଟର ଓ ୧,୧୫,୩୧୪ ଜଣ ମହିଳା ଭୋଟର ଓ ୩୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏତଦ୍‌ବ୍ୟତୀତ ନିର୍ବାଚନ ମଣ୍ଡଳୀରେ ୪୯୫୬ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ୨୫୩୩ ଜଣ ପୁରୁଷ ଓ ୨୪୨୩ ଜଣ ମହିଳା ଭୋଟର ଅଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୨୦୬ ଜଣ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ମଧ୍ୟରୁ ୩୪୯୫ ଜଣ ପୁରୁଷ ଓ ୩୭୧୧ ଜଣ ମହିଳା ଭୋଟର ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ସର୍ଭିସ୍‌ ଭୋଟରଙ୍କ ସଂଖ୍ୟା ହେଉଛି ୪୫୬। ଗତ ଜାନୁଆରୀ ୨୦୨୨ରେ ପ୍ରକାଶ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଏବେ ମଧ୍ୟ ନବୀକରଣ ହେଉଛି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳରେ ଥିବା ଯୋଗ୍ୟ ନିର୍ବାଚକମାନେ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନାହିଁ ସେମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍‌ ଅକେଫାବର ୧୪ ତାରିଖ ସୁଦ୍ଧା ଭୋଟର ତାଲିକାରେ ନାମ ଦରଜ କରିବା ପାଇଁ ଆବେଦନ କରିବା ସହ ତଥ୍ୟ ସଂଶୋଧନ ପାଇଁ ଆବେଦନ କରିପାରିବେ ଓ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ଟି ବୁଥ୍‌ ରହିଛି। ଉପନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ ମହଜୁଦ୍‌ ରହିଛି ଓ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆସନ୍ତାକାଲିଠାରୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ବର୍ତ୍ତମାନ ୫୦୪ ଗୋଟି ବାଲାଟ୍‌ ୟୁନିଟ୍‌, ୫୦୪ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୫୦୪ ଗୋଟି ଭିଭିପ୍ୟାଟ୍‌ ଜିଲ୍ଲା ପ୍ରଶାସନ ନିକଟରେ ମହଜୁଦ୍‌ ଅଛି, ଯାହାକି ଉପନିର୍ବାଚନରେ ବ୍ୟବହାର କରାଯିବ।

ଉପନିର୍ବାଚନ ସମୟରେ ଯଦି କୋଭିଡ୍‌-୧୯ର ପ୍ରଭାବ ଥାଏ, ତାହାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ୮୦ ବର୍ଷରୁ ଊଦ୍ଧ୍ୱର୍ ଓ ଦିବ୍ୟାଙ୍ଗ ଭୋଟର ଯେଉଁମାନେ ଘରେ ରହି ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଉପନିର୍ବାଚନରେ ମତଦାନ କରିବାକୁ ଚାହିଁବେ ସେମାନେ ପ୍ରଥମେ ୧୨(ଘ) ଫର୍ମ ପୂରଣ କରି ପସନ୍ଦ କରି ସଂପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ।

ସେମାନଙ୍କ ଲାଗି ରିଟର୍ଣ୍ଣିଂ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରି ଭୋଟର ତାଲିକାରେ ଚିହ୍ନଟ କରିବେ ଓ ପରେ ପରେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍‌ ଯୋଗାଇ ଦିଆଯିବ ଓ ସେମାନେ ଘରେ ରହି ମତଦାନ କରିସାରିବା ପରେ ଉପନିର୍ବାଚନ ଧାର୍ଯ୍ୟ ତାରିଖ ପୂର୍ବରୁ ପୋଷ୍ଟାଲଗୁଡ଼ିକୁ ସଂଗ୍ରହ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧପ୍ରବଣ ସଂପର୍କରେ ଅତିକମ୍‌ରେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତିନିଥର ଖବର କାଗଜ ଓ ଟିଭି ମାଧ୍ୟମରେ ପ୍ରଚାର ପ୍ରସାର କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ପ୍ରଦାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣତନ୍ତ୍ରର ସୁରକ୍ଷାରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାକୁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୁଥ୍‌ସ୍ତରୀୟ ଅଧିକାରୀମାନେ କରିଥାନ୍ତି ବୋଲି ଆଜି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର କହିଛନ୍ତି। ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥ୍‌ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବି.ଏଲ୍‌.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍‌ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍‌ରେ ସହଜରେ ଉପଲବ୍ଧ ହେବ। ବୁଥ୍‌ସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିିଭିନ୍ନ ପ୍ରକାରର ଅସୁବିଧାଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣଅନୁକୋଣରେ କାର୍ଯ୍ୟକରୁଥିବା ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି।

ବି.ଏଲ୍‌.ଓ ଇ-ପତ୍ରିକା ପ୍ରତି ଦୁଇମାସରେ ଥରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବ ଓ ଏଥିରେ ନିର୍ବାଚନ ଆୟୋଗ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପଠାଇବା ଓ ତଳସ୍ତରରୁ ଆୟୋଗଙ୍କୁ କାର୍ଯ୍ୟଧାରାର ଫିଡ୍‌ବ୍ୟାକ୍‌ ଓ ସଫଳ କାହାଣୀ ପ୍ରେରଣ ଇତ୍ୟାଦିରେ ବିଶେଷ ସହାୟକ ହୋଇପାରିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ କରି ପ୍ରକାଶିତ ହୋଇଥିବା ଇ-ପତି୍ରକାରେ ଓଡ଼ିଶାର ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୦ ବୁଥ୍‌ର ବୁଥ୍‌ସ୍ତରୀୟ ଅଧିକାରୀ ସୁକ୍ରୁ ମାଝୀଙ୍କ ସଫଳ କାହାଣୀ ସ୍ଥାନିତ ହୋଇଛି। ବୁଥ୍‌ସ୍ତରୀୟ ଅଧିକାରୀ ଶ୍ରୀ ସୁକ୍ରୁ ମାଝୀ ୨୭୦ ନମ୍ବର ବୁଥ୍‌ରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ମହିଳା ଭୋଟର ପଂଜୀକରଣ ହାର ୧୭%ରୁ ୬୭%କୁ ବୃଦ୍ଧି କରିଥିବାରୁ ଜିଲ୍ଲାର ଶ୍ରେଷ୍ଠ ବି.ଏଲ୍‌.ଓ ଭାବେ ପ୍ରଶଂସିତ ହୋଇଛନ୍ତି।

ଆଜିର ଏହି ବି.ଏଲ୍‌.ଓ ଇ-ପତି୍ରକା ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ସମେତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୦ ଜଣ ଶ୍ରେଷ୍ଠ ବୁଥ୍‌ସ୍ତରୀୟ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଶତପଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ ପାଇଁ ଆରମ୍ଭ ହେଲା ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆଜି ୧୬ଟି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରଙ୍କର ଭୁବନେଶ୍ୱରସ୍ଥିତ ମଧୁସୂଦନ ଏକାଡେମୀଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୩ ସହ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସଂପର୍କରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ତ୍ରୁଟିଶୂନ୍ୟ ଭୋଟର ତାଲିକାର ପ୍ରସ୍ତୁତି ଓ ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ ସଂପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡେପୁଟୀ କଲେକଫର, ଆସିଷ୍ଟାଣ୍ଟ କଲେକଫର ଓ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିବା କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଥିଲେ।

ଜିଲ୍ଲାସ୍ତରରେ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ କରାଯାଇ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ନୂତନ ଭୋଟରମାନଙ୍କଠାରୁ ଫର୍ମ ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ୍‌ କରିବା, ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ରେ କରାଯାଇଥିବା ସଂଶୋଧନ, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ନିମନ୍ତେ ସଂଶୋଧିତ ହୋଇଥିବା ନୂତନ ଫର୍ମ ସଂପର୍କରେ ଅବଗତ କରାଯାଇଥିଲା।

ସେହିପରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ନିମନ୍ତେ ୪ଟି ଯୋଗ୍ୟତାସୂଚକ ତାରିଖ, ଭୋଟର ତାଲିକାରେ ସେ୍ୱଚ୍ଛାକୃତ ଭାବେ ଆଧାର ସଂଯୋଗୀକରଣ ନିମନ୍ତେ ନୂତନ ଫର୍ମ ନଂ ୬(ଖ) ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍‌. ଆୟାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଶ୍ରୀମତୀ ସଂଘମିତ୍ରା ଶତପଥୀ, ଭୁବନେଶ୍ୱରର ଆସିଷ୍ଟାଣ୍ଟ କଲେକଫର ଶ୍ରୀ ସମୀର ଦାସ, କଳାହାଣ୍ଡିର ଡେପୁଟି କଲେକଫର ସୁଶ୍ରୀ ପ୍ରଧାନ, ଏଏସ୍‌ଇ ଇଦ୍ରିଶ ଅଲ୍ଲୀ ଖାନ୍‌ ପ୍ରମୁଖ ଉପସ୍ଥିତ ରହି ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୬ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜ ନଗର ଉପନିର୍ବାଚନ: ୧୦୪୮ ଜଣ ଅଟକ, ୭୧ ଜଣଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ସଂରକ୍ଷିତ ପୋଲିଂ କର୍ମଚାରୀଙ୍କୁ ମିଶାଇ ମୋଟରେ ୧୩୯୬ ଜଣ ପୋଲିଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି। ଗୋଟିଏ ବୁଥ୍‌ ପାଇଁ ପୁଲିଙ୍ଗ ଦଳରେ ଜଣେ ପ୍ରଜାଇଡିଂ ଅଫିସରଙ୍କ ସହ ତିନିଜଣ ପୁଲିଙ୍ଗ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲଠାରେ ଭୋଟଗ୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍‌ ଏବଂ ଭିଭିପ୍ୟାଟ୍‌ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନା ଓ ଭୋଟଗଣତି କେନ୍ଦ୍ର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ୱଚ୍ଛ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲାଇସେନ୍ସପ୍ରାପ୍ତ ୧୭୦ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଭାରତୀୟ ପିଙ୍ଗଳକୋର୍ଡ ଧାରା ୧୦୭ ଓ ୧୧୬ ଅନୁସାରେ ୧୦୪୮ ଜଣଙ୍କୁ ଅଟକ ରଖାଯାଇଛି, ୭୧ ଜଣ ବ୍ୟକ୍ତିଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି ଓ ୮୩୫ ଲିଟର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନରେ ପ୍ରାର୍ଥୀମାନଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ପାଇଁ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବିଭିନ୍ନ ସର୍ଭିଲାନ୍ସ ଟିମ୍‌ ଯଥା-୨ଟି ଭିଏସ୍‌ଟିଏସ୍‌, ୫ଟି ଏସ୍‌ଏସ୍‌ଟି, ଗୋଟିଏ ଭିଭିଟି, ୬ ଟି ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଟିମ୍‌ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମତଦାନ ଦିନ ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବା ପାଇଁ ସ୍ଥିର କରାଯାଇଛି। ଏତଦ୍‌ବ୍ୟତୀତ ଦରକାର ପଡ଼ିଲେ ବୁଥ୍‌ରେ ଭିଡ଼ିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଉପନିର୍ବାଚନରେ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ତିନି କମ୍ପାନୀ କେନ୍ଦ୍ରୀୟ ପୋଲିସବଳ (ସିପିଏଫ୍‌) ଜିଲ୍ଲାରେ ଉପସ୍ଥିତ ଅଛନ୍ତି ।

ଜିଲ୍ଲା ପ୍ରଶାସନଠାରୁ ନିର୍ବାଚନ ସଂପର୍କିତ ତଥ୍ୟ ଜାଣିବା ପାଇଁ ଜନସାଧାରଣଙ୍କ ପାଇଁ ଜିଲ୍ଲାରେ ନିଶୁଳ୍କ ଟେଲିଫୋନ୍‌ ନଂ-୧୯୫୦ କାର୍ଯ୍ୟକରୁଛି। ମତଦାନ କମ୍‌ ହେଉଥିବା ଅଞ୍ଚଳଗୁଡ଼ିକରେ ମତଦାନ ହାର ବଢ଼ାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ବି ଭୋଟ ଦେବି’ ଚାଲୁରହିଛି। ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅଞ୍ଚଳରେ ରହୁଥିବା ଭୋଟରମାନଙ୍କୁ ମତଦାନ ସଂପର୍କରେ ସଚେତନ କରାଯିବା ସହ ଅଧିକ ସଂଖ୍ୟାରେ ଯାଇ ବୁଥ୍‌ରେ ମତଦାନ କରିବାକୁ ଭୋଟରମାନଙ୍କୁ ସଚେତନ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ବୁଥରେ ହେବ ୱେବକାଷ୍ଟିଂ, ସର୍ବଦଳୀୟ ବୈଠକରେ ଜଣାଇଦେଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୦୬-ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଥିଲେ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ସହ ସଂପୂର୍ଣ୍ଣ ନିର୍ବାଚନ ସୂଚୀ ସଂପର୍କରେ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ।

ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫। ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର ଅଟନ୍ତି। ଏତଦ୍‌ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି ।

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ବୁଥ୍‌ ସଂଖ୍ୟା ୨୫୭ ଥିବାବେଳେ କୋଭିଡ୍‌-୧୯ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବୁଥ୍‌ରେ ୧୨୫୦ ଜଣ ଭୋଟର ଅଧିକ ନହେବା ଯୋଗୁଁ ଆଉ ଅତିରିକ୍ତ ୨୨ଟି ବୁଥ୍‌ ସେହି ସ୍ଥାନରେ ଖୋଲିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଅର୍ଥାତ୍‌ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସର୍ବମୋଟ ବୁଥ୍‌ ସଂଖ୍ୟା ହେଉଛି ୨୭୯ ।

ଉପନିର୍ବାଚନରେ ଭୋଟରଙ୍କ ନିମନ୍ତେ ମୁଖ୍ୟ ପରିଚୟ ପତ୍ର ଭାବେ ଭୋଟର ଫଟୋ ପରିଚୟ ପତ୍ରକୁ ଗ୍ରହଣ କରାଯାଇଥିବାବେଳେ ମତଦାନବେଳେ ଭୋଟରମାନେ ନିମ୍ନଲିଖିତ ଦସ୍ତାବିଜ୍‌ଗୁଡ଼ିକୁ ପରିଚୟ ପତ୍ର ଭାବେ ବ୍ୟବହାର କରିପାରିବେ । ସେଗୁଡ଼ିକ ହେଲା ୧- ଆଧାର କାର୍ଡ, ୨-ଏମ୍‌ଜିଏମ୍‌ଆର୍‌ଏ ଜବ୍‌ କାର୍ଡ, ୩- ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ର ଫଟୋ ଥିବା ପାସ୍‌ବୁକ୍‌, ୪-ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ୫- ଡ୍ରାଇଭିଂ ଲାଇସେନ୍ସ, ୬-ପାନ୍‌ କାର୍ଡ, ୭-ପାସ୍‌ପୋର୍ଟ, ୮- ଫଟୋ ଥିବା ପେନ୍‌ସନ୍‌ ବୁକ୍‌, ୯- କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କର୍ମଚାରୀଙ୍କ ପରିଚୟ ପତ୍ର, ୧୦- ସାଂସଦ, ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ୧୧-ଏକକ ଦିବ୍ୟାଙ୍ଗ ପରିଚୟ ପତ୍ର ।

ନିର୍ବାଚନ ଆୟୋଗଙ୍କ ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ଦିନଠାରୁ ଅର୍ଥାତ୍‌, ତା.୦୨/୦୫/୨୨ଠାରୁ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ଓ ଏହା ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିଜ୍ଞାପନ ଛପା ହେଲେ ବିଜ୍ଞାପନରେ କୌଣସି ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କର ଫଟୋ ରହିବ ନାହିଁ କିମ୍ବା ଏହି ସମୟ ମଧ୍ୟରେ ଜିଲ୍ଲାରେ କୌଣସି ନୂତନ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଏହି ସମୟ ମଧ୍ୟରେ ଜିଲ୍ଲାକୁ ମନ୍ତ୍ରୀମାନଙ୍କର ସରକାରୀ ଗସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ଭୋଟଗ୍ରହଣ ଦିନ ବୁଥ୍‌ ମଧ୍ୟରେ ବିଶୃଙ୍ଖଳା ଓ ବୁଥ୍‌ ଜବରଦଖଲ ଇତ୍ୟାଦିକୁ ରୋକିବା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ନିର୍ବାଚନ ପ୍ରଚାର ଲାଗି ପ୍ରାର୍ଥୀମାନେ ଲିଫ୍‌ଲେଟ୍‌, ପାମ୍ପଲେଟ୍‌ ଛାପିଲେ, ଜନପ୍ରତିନିଧି ଆଇନ୍‌ ୧୯୫୧ର ଧାରା ୧୨୭(କ) ଅନୁସାରେ ମୁଦ୍ରାକାର ଓ ପ୍ରକାଶକଙ୍କ ସଂପୂର୍ଣ୍ଣ ନାମ ଓ ଠିକଣା ଲିଫ୍‌ଲେଟ୍‌ ଓ ପାମ୍ପଲେଟ୍‌ରେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍‌ ବ୍ୟବହାର ଉପରେ ନିଷୋଧାଦେଶ ଜାରି କରାଯାଇଛି । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ୩୦.୮୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ନିର୍ବାଚନର ଖର୍ଚ୍ଚର ଟିକ୍‌ନିଖ୍‌ ହିସାବ ରଖିବା ଲାଗି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପ୍ରାର୍ଥୀ ନିଜେ ଏବଂ ତାଙ୍କ ନିର୍ବାଚନ ଏଜେଣ୍ଟଙ୍କ ନାମରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିବେ।

ପାସ୍‌ବୁକ୍‌ର ଆକାଉଣ୍ଟ ନମ୍ବରକୁ ଲିଖିତ ଭାବେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବାକୁ ହେବ । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ଖବରକାଗଜ ଓ ଟିଭି ମାଧ୍ୟମରେ ପ୍ରାର୍ଥୀମାନଙ୍କର ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବେ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳମାନେ ସେମାନଙ୍କର ସରକାରୀ ସାମାଜିକ ଗଣମାଧ୍ୟମ ଯଥା-ଫେସ୍‌ବୁକ୍‌ ଓ ଟୁଇଟର ମାଧ୍ୟମରେ ନିର୍ବାଚନ ପ୍ରଚାର ପ୍ରସାର କଲେ ତାହାର ଖର୍ଚ୍ଚ ସଂପର୍କରେ ପ୍ରାର୍ଥୀଙ୍କ ନିର୍ବାଚନ ହିସାବ ରେଜିଷ୍ଟରରେ ଥିବା କ୍ରମିକ ସଂଖ୍ୟା ୧୧ରେ ଲିପିବଦ୍ଧ କରି ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରମାରଞ୍ଜନ ବଳିୟାର ସିଂହ ଓ ଜୟନ୍ତ କୁମାର ଜେନା, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜୟନ୍ତ ଦାଶ ଓ ସଂଘମିତ୍ରା ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ନେସ୍‌ନାଲିଷ୍ଟ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ବିଜୁ ଜନତା ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଏବଂ ଓଏସ୍‌ଡ଼ି ପ୍ରଫୁଲ୍ଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା-୨୦୨୨, ଆପଣଙ୍କ ନାମ ଠିକ ଅଛି କି ନାହିଁ କେମିତି ଜାଣିବେ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଭୋଟର ମାନଙ୍କର ଦାବୀ ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା ।

ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮ ଲକ୍ଷ ୬୫ ହଜାର ୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨ ଲକ୍ଷ ୦୨ ହଜାର ୧୦୧ ଅର୍ଥାତ୍ ୬୪.୪୪ ପ୍ରତିଶତ ଦାବୀ ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ 6,63,469 ଅର୍ଥାତ୍ 35.56 ପ୍ରତିଶତ ଦାବୀ ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।

ଆଜି ଅର୍ଥାତ ୦୫ ଜାନୁୟାରୀରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ ଗୋଟି ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭,୬୦୬ ଗୋଟି ବୁଥରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି ।

ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯ ଲକ୍ଷ ୫୦ ହଜାର ୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩ ଲକ୍ଷ ୪୪ ହଜାର ୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ଓ ଭୋଟର ତାଲିକାରେ ଥିବା ୩ ଲକ୍ଷ ୮୨ ହଜାର ୬୦୧ ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪ ଲକ୍ଷ୧୦ ହଜାର ୦୭୬ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫ ଲକ୍ଷ ୨୩ ହଜାର ୭୪୪ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟର ସମୁଦାୟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଜଣ ପୁରୁଷ  ଭୋଟର ଓ ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫  ଜଣ ମହିଳା ଭୋଟର ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩ କୋଟି ୨୫ ଲକ୍ଷ ୫୨ ହଜାର ୨୦୨ ଜଣ ଭୋଟର ଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଜଣ ଭୋଟର ଅଛନ୍ତି। ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪ ପ୍ରତିଶତ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଥବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭ ପ୍ରତିଶତରେ ପହଞ୍ଚିଛି ।

୨୦୨୧ ମସିହାର ଚୂଡାନ୍ତ ଭୋଟର ତାଲିକା ରେ ୯୮.୬୬ ପ୍ରତିଶତ ଭୋଟରଙ୍କ ଫଟୋ ଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଚୂଡାନ୍ତ ଭୋଟର ତାଲିକା ରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୯୯.୭୪ ପ୍ରତିଶତ ହୋଇଛି ।

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି ସେହି ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ୩ ଲକ୍ଷ ୩୮ ହଜାର ୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି ।

ଭୋଟର ତାଲିକା ପ୍ରସ୍ତୁତିର ଶୁଦ୍ଧିକରଣରେ ଆଶାନୁରୂପ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୧ ମସିହାର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକ ସଂଶୋଧନ ନିମନ୍ତେ ମାତ୍ର ୭% ଭୋଟର ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ଓ ସମସ୍ତ ହିତାଧିକାରୀଙ୍କ ଅଂଶ ଗ୍ରହଣ ଯୋଗୁଁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ୬୪% ରୁ ଅଧିକ ଭୋଟର ଆବେଦନ କରିଛନ୍ତି ।

ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପୀଡ୍ ପୋଷ୍ଟ୍ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ତଥା ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳ ମାନଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ ରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜି ଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ www.ceoorissa.nic.in ରେ ତନଖି କରି ପାରିବେ ।

ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.inକୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର e-EPIC ମଧ୍ୟ ଡାଉନଲୋଡ୍ କରି ନିଜ ମୋବାଇଲରେ ରଖି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠାରୁ ଓଡିଶାରେ ଆରମ୍ଭ ହେଲା ଭୋଟର ସଂଶୋଧନ କାର୍ଯ୍ୟ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଭୋଟର ସଂଶୋଧନ ପକ୍ରିୟା ଆରମ୍ଭ ହେଲା। ଏନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଯେଉଁମାନଙ୍କର ବୟସ ଆସନ୍ତା ଜାନୁୟାରୀ 1 ତାରିଖ ସୁଦ୍ଧା 18 ବର୍ଷ କିମ୍ବା ତଦୁର୍ଦ୍ଧ ହେଉଛି ସେମାନେ ନାମ ପଂଜୀକରଣ ପାଇଁ ଆବେଦନ କରିପାରିବେ।

ଏଥିସହିତ ଯେଉଁମାନେ ଠିକଣା ପରିବର୍ତ୍ତନ କରିବାକୁ ଚାହିଁବେ କିମ୍ବା କିଛି ସଂଶୋଧନ କରିବାକୁ ଚାହିଁବେ ସେମାନେ ଏହି ପକ୍ରିୟାରେ ଭାଗ ନେଇପାରିବେ। ତେବେ ଏହି ସଂଶୋଧନ ପକ୍ରିୟା  ନଭେମ୍ବବର 1 ତାରିଖରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ।

କେମିତି କରିବେ ଆବେଦନ

ଯେଉଁମାନେ ଭୋଟର ଲିଷ୍ଟକୁ ସଂଶୋଧନ ବା ନାମ ଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏସବୁ ମାଧ୍ୟମରେ ଆବେଦନ କରିପାରିବେ।

1- ଭୋଟର ତାଲିକାରେ ସଂଶୋଧନ କରିବାକୁ ଚାହୁଁଥିଲେ ଆପଣ ମୋବାଇଲ ଆପ ମାଧ୍ୟମରେ କରିପାରିବେ। ଆପଣ ପ୍ଲେ ଷ୍ଟୋରକୁ ଯାଇ ଭୋଟର ହେଲପଲାଇନ ଆପ ଡାଉନଲୋଡ କରି ଆବେଦନ କରିପାରିବେ।

2-ଆପଣ ଅନଲାଇନରେ ମଧ୍ୟ ଏହି ଆବେଦନ କରିପାରିବେ। ସେଥିପାଇଁ www.voterportal.eci.gov.in  କିମ୍ବା www.nvsp.in ରେ ଲଗଅନ କରି ଆବେଦନ କରିପାରିବେ।

3- ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ମଧ୍ୟ ଆପଣ ଏହି ସଂଶୋଧନ ପାଇଁ ଆବେଦନ କରିପାରିବେ।

ଏ ସଂପର୍କରେ ଅଧିକ ଜାଣିବା ପାଇଁ ଆପଣ ଭୋଟର ହେଲପ ଲାଇନ 1950 କୁ ଫୋନ କରି ମଧ୍ୟ ସମସ୍ତ ତଥ୍ୟ ବୁଝିପାରିବେ।