ଧାମନଗର ଉପନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ, ମଇଦାନରେ ମୋଟ ୫ ପ୍ରାର୍ଥୀ

Published: Oct 17, 2022, 10:55 pm IST

Dhamnagar Byelection : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ମଧ୍ୟରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀପତ୍ର ଯାଞ୍ଚବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଥିଲା ଓ ସମୁଦାୟ ୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍‌ ରହିଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଶେଷରେ ୫ ଜଣ ପ୍ରାର୍ଥୀ ଯଥା ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଉପନିର୍ବାଚନ ଲଢ଼ିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥର ଉପନିର୍ବାଚନରେ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ଡମି ବ୍ରେଲି ବାଲାଟ୍‌ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୪୧୭ ଓ ସମୁଦାୟ ବୁଥ୍‌ ସଂଖ୍ୟା ହେଉଛି ୨୫୨ ।

ସମୁଦାୟ ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟର ୧୨,୧୬୨ ଜଣଙ୍କ ମଧ୍ୟରୁ ୫୦୫ ଜଣ ଭୋଟର ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡୋମାେଇଜେସନ୍‌ କାର୍ଯ୍ୟ ସମାପ୍ତ ହୋଇଛି ଓ ନଭେମ୍ବର ୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ୍‌ କାର୍ଯ୍ୟ ସମାପ୍ତ ହେବ ।

ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍‌ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍‌ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts