Categories
ଆଜିର ଖବର ରାଜ୍ୟ ଖବର

Breaking News: ଧାମନଗର ଉପନିର୍ବାଚନରେ ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତିର ବର୍ତ୍ତମାନ ସୁଦ୍ଧା ପଞ୍ଚମ ରାଉଣ୍ଡ ଫଳାଫଳ ଆସିଛି। ସେହି ଅନୁସାରେ ବର୍ତ୍ତମାନ ବିଜେପି ପ୍ରାର୍ଥୀ ୩୫୭୨ ଆଗୁଆ ଅଛନ୍ତି। ବିଭିନ୍ନ ଦଳର ସ୍ଥିତି ଯାହା ତାହା ହେଲା

ଅବନ୍ତୀ ଦାସ, ବିଜେଡି : –          ୧୮୯୨୩
ସୂରଜ ସୂର‌୍ୟ୍ୟବଂଶୀ, ବିଜେପି : –  ୨୨୪୯୫
ବାବା ହରେକୃଷ୍ଣ ସେଠୀ, କଂଗ୍ରେସ: – ୭୧୯
ରାଜେନ୍ଦ୍ର ଦାସ, ସ୍ବାଧୀନ:                ୩୩୮୯
ପବିତ୍ର ମୋହନ ଦାସ, ସ୍ବାଧୀନ :         ୧୩୨
ନୋଟା:                                      ୧୭୩

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଧାମନଗର ଉପନିର୍ବାଚନର ଭୋଟ ଗଣନା, କେମିତି ଜାଣିବେ ଫଳାଫଳ ?

ଧାମନଗର: ଆସନ୍ତାକାଲି ହେବ ଧାମନଗର ଉପନିର୍ବାଚନର ଭୋଟ ଗଣତି। ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ ଗଣନା ସକାଳ 8.00 ରୁ ଆରମ୍ଭ ହେବ। ଭଦ୍ରକ ଜିଲ୍ଲାପଳଙ୍କ ଅଫିସ ନିକଟରେ ଥିବା ସଂସ୍କୃତି ଭବନରେ ଏହି ଗଣନା କରାଯିବ। ପ୍ରଥମ ରାଉଣ୍ଡ ଭାବରେ ଡାକ ବାଲାଟ ଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏହାପରେ ସକାଳ 8.30 ରୁ ଇଭିଏମରେ ସିଲ ହୋଇଥିବା ଭୋଟ ଗଣନା ଆରମ୍ଭ କରାଯାଇଛି। ଇଭିଏମ୍ ଗଣନା ପାଇଁ 14 ଟି କାଉଣ୍ଟିଂ ଟେବୁଲ୍ ଏବଂ ଡାକ ବାଲାଟ୍ ଗଣନା ପାଇଁ ଗୋଟିଏ କାଉଣ୍ଟିଂ ଟେବୁଲ୍ ଅଛି। ଏହି ନିର୍ବାଚନ ମଣ୍ଡଳିରେ ହୋଇଥିବା 252 ବୁଥର ପ୍ରାୟ 18 ରାଉଣ୍ଡ ଗଣନା ହେବ। ଶେଷରେ, କ୍ରସ ଯାଞ୍ଚ ପାଇଁ ମନଇଚ୍ଛା ମନୋନୀତ 5ଟୁ ବୁଥର VVPAT ରୁ ଗଣନା କରାଯିବ।

ସମଗ୍ର ଗଣନା ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ନିର୍ବାଚନ କମିଶର ଜଣେ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରିଛନ୍ତି। ପ୍ରତ୍ୟେକ ଗଣନା ଟେବୁଲରେ ଜଣେ ଗଣନା ସୁପରଭାଇଜର ଏବଂ ଜଣେ ଜଣେ ଆସିଷ୍ଟାଣ୍ଟ ରହିବେ। ଏଥିସହ କେନ୍ଦ୍ର ସରକାର କର୍ମଚାରୀ ଜଣେ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ନିୟୋଜିତ ହେବେ ଯିଏ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ କରିବେ।

ପ୍ରାର୍ଥୀ ଦ୍ୱାରା ମନୋନୀତ ହୋଇଥିବା ଗଣନାକାରୀ ଏଜେଣ୍ଟମାନେ ମଧ୍ୟ ଗଣନାକୁ ତଦାରଖ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। କାଉଣ୍ଟିଂ ହଲ୍ ଭିତରେ ନିଜେ ପ୍ରାର୍ଥୀ କିମ୍ବା ତାଙ୍କ ନିର୍ବାଚନ ଏଜେଣ୍ଟ ଉପସ୍ଥିତ ରହିପାରିବେ।

ସୁରଖୁରରେ ଗଣନା କାର୍ଯ୍ୟ କରିବା ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ସେଣ୍ଟ୍ରାଲ ପୋଲିସ ମିଲିଟାରୀ ଫୋର୍ସଙ୍କୁ ମୁତୟନ କରାଯାଇଛି। ଏଥିସହିତ ସେଠାରେ ରାଜ୍ୟ ସଶସ୍ତ୍ର ପୋଲିସ୍ ଏବଂ ଶେଷ ସ୍ତରରେ ଓଡିଶା ପୋଲିସ ସୁରକ୍ଷା ପରିଚାଳନା କରିବେ।

ଗଣନା ସ୍ଥାନରେ ଫଳାଫଳ ଘୋଷଣା ବ୍ୟତୀତ, ୱେବସାଇଟ୍ ମଧ୍ୟ ଫଳାଫଳ ପ୍ରକାଶ କରାଯିବ।  eci.gov.in କୁ ଲଗ ଅନ କରି ସାଧାରଣ ଲୋକେ ମଧ୍ୟ ଫଳାଫଳ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଭଉବନେଶ୍ବରର ସିଇଓ ଅଫିସରେ ମଧ୍ୟ ଗଣମାଧ୍ୟମକୁ ରାଉଣ୍ଡ ୱାରୀ ଫଳାଫଳକୁ ପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୁଦଷା ବ୍ରତ ଶେଷ କରି ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସ

ଧାମନଗର: ଆଜି ହେଉଛି ସୁଦଷା ବ୍ରତ, ଏହି ସମୟରେ ଚାଲିଛି ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ଫଳରେ ଧାମନଗରର ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଏକ ମାତ୍ର ମହିଳା ଅବନ୍ତି ଦାସଙ୍କୁ ଉଭୟ କାମ କରିବାକୁ ପଡିଛି। ଗୋଟିଏ ପଟେ ବ୍ରତ ଧାରଣ, ଅନ୍ୟପଟେ ନିଜ ପାଇଁ ଭୋଟ ଦାନ।

ଅବନ୍ତୀ ଆଜି ସକାଳୁ ପ୍ରଥମେ ସୁଦଷା ବ୍ରତ ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି। ସେଥିପାଇଁ ସେ ପ୍ରାୟ ଏକ ଘଣ୍ଟା ନେଲେ ପୂଜାପାଠ କରିଥିଲେ। ଏହାପରେ ବ୍ରତ ଧାରଣ କରି ଭୋଟ ଦାନ କରିବାକୁ ସେ ବାହାରିଥିଲେ। ସେ ସ୍ବାମୀଙ୍କ ସହ କାଁପଡ଼ାର ୭୮ ନମ୍ବର ବୁଥକୁ ଯାଇ ଭୋଟ୍ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଧାମନଗର ଉପନିର୍ବାଚନର ଭୋଟ ପ୍ରତିଶତ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ ପକ୍ରିୟା। ଏଥିରେ ସକାଳୁ ଭୋଟରମାନେ ଲମ୍ବା ଧାଡିରେ ଭୋଟଦାନ କରୁଥିବାରୁ ପରିଲକ୍ଷିତ ହୋଇଛି। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭୋଟ ପ୍ରତିଶତ ଘୋଷଣା କରାଯାଇଛି। ସେହି ଅନୁସାରେ ଧାମନଗର ଉପନିର୍ବାଚନରେ ସକାଳ 9ଟା ସୁଦ୍ଧା 10.25 ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ଏହି ମତଦାନରେ ପ୍ରାୟ ୨,୩୮,୪୧୭ ଭୋଟର ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ୧,୨୩,୦୩୮ ପୁରୁଷ, ୧,୧୫,୩୪୬ ମହିଳା ଏବଂ ୩୩ ଉଭୟ ଲିଙ୍ଗି ରହିଛନ୍ତି। ମତଦାନ ପାଇଁ ୨୫୨ ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ମତଦାନ ପାଇଁ ମୋଟ ୯୯୭ ପୋଲିସ୍ କର୍ମଚାରୀ, ଅଧିକାରୀ, ସଶସ୍ତ୍ର ପୋଲିସ, ହାଭିଲଦାର, କନଷ୍ଟେବଳ ଏବଂ ହୋମ ଗାର୍ଡଙ୍କ ସମେତ ୦୪ ଟି କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାଲିଛି ଧାମନଗର ଭୋଟ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି

ଧାମନଗର: ଆଜି ସକାଳ ସାତଟାରୁ ଆରମ୍ଭ ହୋଇଛି ଧାମନଗର ଭୋଟ ଗ୍ରହଣ। ଲୋକମାନଙ୍କ ମଧ୍ୟରେ ଭୋଟ ଦେବାପାଇଁ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ଭୋଟରମାନେ ଧାଡିବାନ୍ଧି ଭୋଟ ଦେବା ପାଇଁ ଅପେକ୍ଷା କରୁଥିବାର ଲକ୍ଷ୍ୟ କରାଯାଇଛି। କେତେକ ସ୍ଥାନରେ ଇଭିମ ଖରାପ ଥିବାର ନଜରକୁ ଆସିଛି। ହେଲେ ପରବର୍ତ୍ତି ସମୟରେ ତାହାକୁ ସଜାଡିବା ପରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଚାଲିଛି।

ଏହି ମତଦାନରେ ପ୍ରାୟ ୨,୩୮,୪୧୭ ଭୋଟର ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ୧,୨୩,୦୩୮ ପୁରୁଷ, ୧,୧୫,୩୪୬ ମହିଳା ଏବଂ ୩୩ ଉଭୟ ଲିଙ୍ଗି ରହିଛନ୍ତି। ମତଦାନ ପାଇଁ ୨୫୨ ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ମତଦାନ ପାଇଁ ମୋଟ ୯୯୭ ପୋଲିସ୍ କର୍ମଚାରୀ, ଅଧିକାରୀ, ସଶସ୍ତ୍ର ପୋଲିସ, ହାଭିଲଦାର, କନଷ୍ଟେବଳ ଏବଂ ହୋମ ଗାର୍ଡଙ୍କ ସମେତ ୦୪ ଟି କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଧାମନଗର ଭୋଟ ଗ୍ରହଣ, ୯୯୭ ପୋଲିସ୍ କର୍ମଚାରୀ, ୪ କମ୍ପାନୀ ସିଏପିଏଫ ନିୟୋଜିତ

ଭୁବନେଶ୍ବର: ଆସନ୍ତାକାଲି ହେବ ଧାମନଗର ଉପନିର୍ଭାଚନର ଭୋଟ ଗ୍ରହଣ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲିଠାରୁ ଭଦ୍ରକ କଲେକ୍ଟର କ୍ୟାମ୍ପସରୁ ଭଦ୍ରକ ଠାରେ ମତଦାନ ପାର୍ଟିଗୁଡିକ ସେମାନଙ୍କ ପୁଲିଂ ବୁଥକୁ ଯିବା ଆରମ୍ଭ କରିସାରିଛନ୍ତି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି।

ଗତକାଲି ଗ୍ରାମୀଣ ତଥା ଦୂର ସ୍ଥାନଗୁଡିକରେ ଥିବା ପୁଲିଂ ପାର୍ଟି ବାହାରିଥିଲେ। ସହରୀ ମତଦାନ କେନ୍ଦ୍ର ସମ୍ବନ୍ଧୀୟ ମତଦାନ ଦଳ ଆଜି ପ୍ରେରଣ କରାଯାଇଛି। ପ୍ରତି ବୁଥରେ ୦୪ ଜଣ ପୁଂଲି ଅଧିକାରୀ ନିୟୋଜିତ ହୋଇଛନ୍ତି।

ସମୁଦାୟ ୧୦୦୮ ମତଦାନ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରାୟ ୧୦୦ ମତଦାନ ଅଧିକାରୀ ବା ୨୫ ଟି ଟିମ ରିଜର୍ଭରେ ଅଛନ୍ତ। ମତଦାନ ଅଧିକାରୀମାନେ ଇଭିଏମ୍ ଏବଂ ଭିଭିପିଏଟ୍ ସମ୍ପୃକ୍ତ ବୁଥକୁ ପଠାଯିବା ପୂର୍ବରୁ ସେମାନେ ତୃତୀୟ ରାଉଣ୍ଡ ଏବଂ ଦ୍ୱିତୀୟ ରାଉଣ୍ଡ ରାଣ୍ଡୋମାଇଜେସନ୍ କରିଛନ୍ତି।

ଗତକାଲି ସଂଧ୍ୟା ୬ ଟା ରୁ ନୀରବ ଅବଧି କାର୍ଯ୍ୟକାରୀ ହୋଇଛି। ଗତକାଲି କଲେକ୍ଟର, ଏସ୍ ପି ​​ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମସ୍ତ ରାଜନୈତିକ ଦଳର କର୍ମୀ, ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀ ଯେଉଁମାନେ ଧାମନଗର ଭୋଟର ନୁହଁନ୍ତି, ସେମାନେ ଏହି ସମୟ ମଧ୍ୟରେ ବିଧାନସଭା କ୍ଷେତ୍ର ଛାଡିବେ। ସମସ୍ତ କମ୍ୟୁନିଟି ହଲ୍, ଗେଷ୍ଟ ହାଉସ୍, ହୋଟେଲଗୁଡିକ ଭଲ ଭାବରେ ଯାଞ୍ଚ କରାଯାଉଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ବ୍ୟବହୃତ ହେବାକୁ ଥିବା ସମସ୍ତ ଇଭିଏମ୍ ପ୍ରତିଯୋଗୀ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ କରାଯାଇଛି। ଯଦି କୈଣସି ତ୍ରୁଟିପୂର୍ଣ୍ଣ ଇଭିଏମ୍ କିମ୍ବା ତ୍ରୁଟିପୂର୍ଣ୍ଣ ଇଭିଏମ୍ ମତଦାନ ଦିନ ଆମ ନଜରକୁ ଆସେ ତେବେ ସେକ୍ଟର ଅଫିସର କିମ୍ବା ଟ୍ରେନିଂ ଇଞ୍ଜିନିୟରଙ୍କୁ ତୁରନ୍ତ ପ୍ରେରଣ କରାଯିବ। ଆବଶ୍ୟକ ସ୍ଥଳେ ଇଭିଏମକୁ ସଂପୃକ୍ତ ଅଧିକାରୀଙ୍କ ଅନୁମତି କ୍ରମେ ତାହା ବଦଳାଯାଇପାରିବ। ଇଭିଏମକୁ ସଜାଡିବା ପାଇଁ ହାଇଦ୍ରାବାଦରୁ ୭ ଜଣ ଟ୍ରେନିଂ ଇଞ୍ଜିନିୟର ଧାମନଗରରେ ମହଜୁଦ ଅଛନ୍ତି।

ଆସନ୍ତାକାଲି ୨୫୨ ବୁଥରେ ମତଦାନ ହେବାକୁ ଯାଉଛି। ହେଲେ ସେଥିମଧ୍ୟରୁ ୧୩୪ ବୁଥରେ ନାମକରଣର ପରିବର୍ତ୍ତନ କରାଯାଇଥିବାରୁ ସେଠାରେ ପର୍ଯ୍ୟାପ୍ତ ପ୍ରଚାର ପ୍ରସାର କରାଯାଉଛି। ୧୨୦ ଟି ସ୍ଥାନରେ ଏକକ ବୁଥ୍, ୫୪ ଟି ସ୍ଥାନରେ ଡବଲ୍ ବୁଥ୍, ୦୫ ଟି ସ୍ଥାନରେ ଟ୍ରିପଲ୍ ବୁଥ୍, ୦୧ ଟି ସ୍ଥାନରେ ୪ ଟି ବୁଥ୍ ଏବଂ ୦୧ ଟି ସ୍ଥାନରେ ୫ ଟି ବୁଥ୍ ଅଛି।

ଏହି ପୋଲରେ ପ୍ରାୟ ୨,୩୮,୪୧୭ ଭୋଟର ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ୧,୨୩,୦୩୮ ପୁରୁଷ, ୧,୧୫,୩୪୬ ମହିଳା ଏବଂ ୩୩ ଉଭୟ ଲିଙ୍ଗି ରହିଛନ୍ତି। ଏହି ନିର୍ବାଚନରେ ମୋଟ ପାଞ୍ଚଜଣ ପ୍ରାର୍ଥୀ ଅବତିର୍ଣ୍ଣ ହୋଇଛନ୍ତି।

ଉପର୍ବାଚନ ପ୍ରକ୍ରିୟା ସମୟରେ ଆଇନ ଶୃଙ୍ଖଳା ଏବଂ ଉପଯୁକ୍ତ ସୁରକ୍ଷା ଉପରେ ନଜର ରଖିବା ପାଇଁ ପୋଲିସ ଅଧୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ମତଦାନ ପାଇଁ ମୋଟ ୯୯୭ ପୋଲିସ୍ କର୍ମଚାରୀ (ଅଧିକାରୀ, ସଶସ୍ତ୍ର ପୋଲିସ, ହାଭିଲଦାର, କନଷ୍ଟେବଳ ଏବଂ ହୋମ ଗାର୍ଡଙ୍କ ସମେତ) ଏବଂ ୦୪ ଟି କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ଧାମନଗନର ଉପନିର୍ବାଚନ ପ୍ରଚାର, ଭୋଟ ଗ୍ରହଣ ପାଇଁ ବିଭିନ୍ନ ବୁଥକୁ ଗଲେ ପୁଲିଂ ପାର୍ଟି

ଭୁବନେଶ୍ବର: ଶେଷ ହେଲା ଧାମନଗର ଉପନିର୍ବାଚନର ପ୍ରଚାର। ଆସନ୍ତା ୩ ଗୁରୁବାର ଦିନ ହେବ ଭୋଟ ଗ୍ରହଣ। ଦୀର୍ଘଦିନ ଧରି ଧାମନଗର ବେଶ କଂପମାନ ହେଉଥିଲା। ଏଥର ଏହି ନିର୍ବାଚନରେ ତିନି ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନେଇ ଚର୍ତୁମୁଖୀ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ହେଲେ ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେଡି ସହିତ ବିଜେପିର ହେବ ବୋଲି ଅନୁମାନ କରାଯାଇଛି।

ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ ପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଭୋଟ ଗ୍ରହଣ ପରିଚାଳନା କରିବା ପାଇଁ ସମୁଦାୟ ୧୧୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ପ୍ରଶାସନ ତରଫରୁ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା, ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବା କର୍ମଚାରୀମାନଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ। ଉକ୍ତ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।

ଏପରିକି ଯେଉଁମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି, ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ। ଉପନିର୍ବାଚନରେ ସମୁଦାୟ ବୁଥ୍‌ର ଶତକଡ଼ା ୫୦ ଭାଗ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ କରାଯିବ ଓ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଉପନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌ ଓ ଭିଭିପ୍ୟାଟ୍‌ ରିଟର୍ଣ୍ଣିଂ ଅଧିକାରୀଙ୍କ ସ୍ତରରେ ଗଚ୍ଛିତ ଅଛି। ଆଜି ପୁଲିଙ୍ଗ୍‌ ପାର୍ଟିମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିର୍ବାଚନ ସାମଗ୍ରୀ ଧରି ଭୋଟଗ୍ରହଣ ନିମନ୍ତେ ନିଜ ନିଜ ବୁଥ୍‌ଗୁଡ଼ିକୁ ଯିବେ। ସମୁଦାୟ ୨୫୨ ବୁଥ୍‌ ମଧ୍ୟରୁ ୧୦୬ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ଓ ସେସବୁ ବୁଥ୍‌ରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ। ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ। ୩ ତାରିଖରେ ଭୋଟ ଗ୍ରହଣ ଶେଷ ହେବା ପରେ ଆସନ୍ତା ୬ ରେ ଭୋଟ ଗଣତି କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉପନିର୍ବାଚନ ପାଇଁ ପ୍ରଚାର କଲେ ନବୀନ, କହିଲେ ଧାମନଗର ବିକାଶ ମୋର ଦାୟିତ୍ବ

ଧାମନଗର : ଧାମନଗର ହେଉଛି ଶାନ୍ତି, ସଦ୍‌ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗରର ବିକାଶ ମଧ୍ୟ କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି।

ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର। ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା। ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନସଭାକୁ ସମ୍ବୋଧିତ କରି ‌ଧାମନଗରବାସୀଙ୍କୁ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ଏହିସବୁ ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ହୋଇଥିଲା।

ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏବଂ ଆବାଳବୃଦ୍ଧବନିତା ନିଜ ହୃଦୟରେ ସ୍ଥାନ ଦେଇଥିବା ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ମୁହଁରୁ ପଦେ ଭାଷଣ ଶୁଣିବା ପାଇଁ ଉତ୍କଣ୍ଠାର ସହ ‌ଅପେକ୍ଷା କରିଥିଲେ। ନାଚ, ଗୀତ, ବାଜା ଓ ସ୍ଳୋଗାନରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅବସାନ ଘଟାଇ ସନ୍ଧ୍ୟା ଠିକ୍ ସାଢ଼େ ୫ଟାବେଳେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ଖୁସି ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି । ମା’ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ହୋଇଛି । ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି। ମା’ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ତେଣୁ ଜଣେ ମା’ଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବରେ ଦେଖିବାକୁ ଚାହେଁ, ଯାହା ଆପଣମାନେ ବି ଚାହାନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ଏବଂ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ।

ଧାମନଗରର ୬ଟି ଯାକ ଜିଲ୍ଲା ପରିଷଦ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ତେଣୁ ମୋର ପୂରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ।

ଶେ‌ଷରେ ଧାମନଗରର ବିକାଶ କାର୍ଯ୍ୟ ସେ ନିଜେ ଦେଖିବେ ଏବଂ ଆଗାମୀ ୧୮ ମାସ ଭିତରେ ଧାମନଗରରେ ୫ ବର୍ଷର କାର୍ଯ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୃଢ଼ତା ଓ ପ୍ରତିବଦ୍ଧତାର ସହ କହିଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପୂର୍ବରୁ ଏହିସବୁ ଜନସଭାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବ‌ାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖ‌ାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭଦ୍ରକ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତିଙ୍କ ସହ ଏକ ଉଚ୍ଚସ୍ତରୀୟ ଦଳ

Dhamnagar Byelection : ଧାମନଗର ଉପନିର୍ବାଚନରେ ସ୍ଥାନୀୟ ପ୍ରଶାସନ ବିରୋଧରେ ଅଭିଯୋଗ କରିଛି ରାଜ୍ୟ ବିଜେପି। ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ଏସପିଙ୍କୁ ଭେଟି କଡା ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ସମୀର ମହାନ୍ତି କହିଛନ୍ତି ଯେ, ଏବେ ଧାମନଗରରେ ପଂଚାୟତ ସ୍ତରରେ କାମ କରୁଥିବା ବିଭିନ୍ନ ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ବିଜୁ ଜନତା ଦଳ ଭୋଟରମାନଙ୍କୁ ପ୍ରଲୋଭନ କରିବା ପାଇଁ ଟଙ୍କା ବାଂଟୁଛି। ଏମିତି କରାଯାଉଥିବାର ଅନେକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। କିଛି ଦିନ ତଳେ ଜଣେ ମହିଳା ସିଆରପି କର୍ମଚାରୀ ବିଜେଡି ର‌୍ୟାଲିରେ ଯାଇଥିବାରୁ ମହିଳାମାନଙ୍କୁ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ହୋଇଥିଲା।

ତେଣୁ ଜିଲ୍ଲାପାଳ ଏହି ସମସ୍ତ ଦିଗକୁ ଅତି ଗମ୍ଭୀରତାର ସହ ନେବା ସହିତ କିଭଳି ସରକାରୀ କର୍ମଚାରୀମାନେ ନିର୍ବାଚନ ସମୟରେ ଓ ନିର୍ବାଚନ ପରିଚାଳନାରେ ଶାସକ ଦଳକୁ ଜିତାଇବା ସକାଶେ କୌଣସି ପକ୍ଷପାତିତା ନକରନ୍ତି ସେ ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ

ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛି ଦଳ। କେନ୍ଦ୍ରମନ୍ତ୍ରୀ ଟୁଡୁ ଧାମନଗର ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ସେ ନିର୍ବାଚନ ପ୍ରଚାରରେ ଧାମନଗର ବୈତରଣୀ ବନ୍ୟାର ସମାଧାନ ହେବ ବୋଲି କହିଛନ୍ତି।

ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଏପରି ପ୍ରତିଶୃତି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେପି ପ୍ରାର୍ଥୀଙ୍କ ପ୍ରଚାର ବେଳେ ସେ ମନ୍ତ୍ରୀ ଥାଇ କିପରି ପ୍ରତିଶୃତି ଦେଲେ ବୋଲି ବିଜେଡି କହିଛି। ବର୍ତ୍ତମାନ ବିଜେପି ଧାମନଗରରେ ହାରୁଥିବାର ଜାଣିବା ପରେ ମନ୍ତ୍ରୀ ଆଇନ ଉଲ୍ଲଘଂନ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଗତକାଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ସେ ଭୋଟରମାନଙ୍କୁ ବୈତରଣୀ ବନ୍ୟା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ପରେ ଏହାକୁ ଜରୁରୀ ଭାବେ ଗ୍ରହଣ କରି ସମାଧାନ କରାଯିବ। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ବୋଲି ବିଜେଡି କହିଛି।

ଏ ନେଇ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଭିଯୋଗ ପତ୍ର ଦେବା ସହିତ ମନ୍ତ୍ରୀ ଟୁଡୁଙ୍କ ଭାଷଣର ଏକ ଭିଜୁଆଲ କପି ମଧ୍ୟ ପ୍ରଦାନ କରିଛି। ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି। ବିଜେଡି ନେତା ଲେନୀନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି।

ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ବିଜେଡି ମଧ୍ୟ ଅଭିଯୋଗ କରିବ ବୋଲି ଦଳ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ବିଜେଡି ବିରୋଧରେ ଅଭିଯୋଗ କଲା ବିଜେପି

ଭୁବନେଶ୍ୱର : ଆଜି ବିଜେପି ମଧ୍ୟ ଧାମନଗର ଉପନିର୍ବାଚନରେ ବିଜେଡି ବିରୋଧରେ ଅଭିଯୋଗ ଦାଖଲ କରିଛି। ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି। ଏଥିରେ ଦଳ ଅଭିଯୋଗ କରିଛି ଯେ, ବିଜେଡି ନିର୍ବାଚନ ପ୍ରଚାରରେ ଏସଏଚଜି ମହିଳାଙ୍କୁ ବ୍ୟବହାର କରୁଛି। ସେମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଛି।

ପୂର୍ବରୁ ବିଜେପି ଏସ୍‌ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଅବଗତ କରିଥିଲା। ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ଚାକିରୀରୁ ନିଲମ୍ବନ କରାଯାଇନାହିଁ । ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଡ. ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ନିକଟରେ ଦାବି କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳିରେ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନାପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନରେ ଜିତିବା ପାଇଁ ରାଜୁ ଦାସଙ୍କ ବଡ ଯୋଜନାକୁ ପଣ୍ଡ କରିଦେଲା ବିଜେଡି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ଜିତିବା ପାଇଁ ସବୁ ଦଳ ନିଜ ନିଜର ରଣ ନୀତି ପ୍ରସ୍ତୁତ କରି ଯୁଦ୍ଧ କରୁଛନ୍ତି। ହେଲେ ଓଡିଶାର ନିର୍ବାଚନ ପରିଚାଳନାରେ ମାଷ୍ଟର ବିଜେଡି ଆଗରେ କେହି ନୁହଁନ୍ତି ବୋଲି ପ୍ରମାଣିତ ହେବାରେ ଲାଗିଛି। କାରଣ ଏହି ଉପନିର୍ବାଚନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଯେଉଁ ଚାଲ ଖେଳିଥିଲେ ତାହାକୁ ଭାଙ୍ଗି ଚୁରମାର କରିଦେଇଛି ବିଜେଡି।

ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବା ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡିରୁ ଅମାନିଆ ହୋଇ ପ୍ରାର୍ଥୀ ପତ୍ର ଦାଖଲ କଲେ। ତେବେ ସେତେବେଳେ ପ୍ରଶ୍ନ ଉଠିଲା ଯେ , ରାଜୁ କାହା ବଳରେ ଏପରି ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି। ପରେ ଜଣାପଡିଥିଲା ଯେ, ରାଜୁ ଦାସଙ୍କର ଜଣେ ସଂପର୍କିୟ ପଶ୍ଚିମବଂଗର ନନ୍ଦି ଗ୍ରାମରେ ବଡ ବ୍ୟବସାୟ କରୁଛନ୍ତି। ବିଜେଡି ଯେତେବେଳେ ଟିକେଟ ଦେଲା ନାହିଁ ସେ କୁଆଡେ ଭରସା ଦେଲେ ଛିଡା ହେବା ପାଇଁ।

ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହେଲା ସେ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ମଧ୍ୟ ଦେଲେ। ସେହି ଅନୁସାରେ ରାଜୁ ଦାସ ପ୍ରାର୍ଥୀପତ୍ର ଦାଖଲ କଲେ। ଯୋଜନା ଥିଲା ରାଜୁ ଦାସଙ୍କର ଯେତେକ ସମର୍ଥକ ଅଛନ୍ତି ସେମାନଙ୍କ ଦ୍ବାରା ଆର୍ଥିକ କାରବାର କରି ବିପୁଳ ପରିମାଣର ଭୋଟ ହାତେଇବା। ହେଲେ ଧାମନଗରରେ ରାଜୁ ଦାସଙ୍କ ଯେଉଁସବୁ ସମର୍ଥକ ଥିଲେ ବିଜେଡି ପ୍ରାୟ ସମସ୍ତଙ୍କୁ ନିଜ ଆଡକୁ ନେଇ ଆସିଲା। ଫଳରେ ରାଜୁ ଦାସଙ୍କ ମୁଣ୍ଡ ଖରାପ ହୋଇଗଲା।

ଏହାପରେ ପୁଣି ଦ୍ବିତୀୟ ଯୋଜନା କରାଗଲା। ତାହା ହେଲା କୋଲକାତାରୁ ପ୍ରାୟ ତିନିରୁ ଚାରି ଶହ ପାଇପ ମିସ୍ତ୍ରୀଙ୍କୁ ଧାମନଗର ଆଣି ସେମାନଙ୍କ ଦ୍ବାରା କାରବାର କରିବା। ଏପରିକି ସେମାନଙ୍କ ଦ୍ବାରା ବିଭିନ୍ନ ବିଶୃଙ୍ଖଳା ମଧ୍ୟ କରିବା ପାଇଁ ଯୋଜନା କରାଗଲା। ହେଲେ ବିଜେଡି ଏ ଖବର ପାଇବା ପରେ ପୋଲିସକୁ ଅବଗତ କରାଇ ଚଢାଉ ଆରମ୍ଭ ହେଲା। ପୋଲିସ ବଳ ପୁରା ଧାମନଗରରେ ଗାଁ କୁ ଗାଁ ବୁଲି ବାହାର ରାଜ୍ୟରେ କିଏ ଅଛିନ୍ତି ତାଙ୍କୁ ଖୋଜିବାକୁ ଲାଗିଲା।

ପୋଲିସର ଏପରି କାର୍ଯ୍ୟ ଦେଖି କୋଲକାତାରୁ ଆସିବାକୁ ଥିବା ଏହି ଲୋକବଳ ଶେଷରେ ଭୟଭିତ ହୋଇ ପଡିଲେ। ଆଉ ଧାମନଗର ଆସିବାକୁ ସାହାସ ଜୁଟାଇ ପାରିଲେ ନାହିଁ। ଫଳରେ ରାଜୁ ଦାସଙ୍କର ଏହି ଦ୍ବିତୀୟ ଯୋଜନା ମଧ୍ୟ ପଣ୍ଡ ହୋଇଗଲା। ଏହା ଯଦି ସଫଳ ହୋଇଥାଆନ୍ତି ତେବେ ରାଜୁ ଦାସ ଜିତିଥାଆନ୍ତେ କି ହାରିଥାଆନ୍ତେ ତାହା ଭିନ୍ନ କଥା। ହେଲେ ଏହା ବିଜେପି ପ୍ରାର୍ଥୀଙ୍କୁ ବେଶ୍ ସାହାଯ୍ୟ କରିପାରି ଥାଆନ୍ତା।

Categories
ଆଜିର ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନରେ ଅଧିକାରୀଙ୍କୁ ଭୟଭୀତ କରାଉଛି ବିଜେପି, ଅଭିଯୋଗ କଲା ବିଜେଡି

Dhamnagar Byelection: ଧାମନଗର ଉପନିର୍ବାଚନରେ ବିଜେପି ସେଠାରେ ନିୟୋଜିତ ସରକାରୀ ଅଧିକାରୀଙ୍କୁ ଭୟଭୀତ କରୁଛି। ଏପରି ଏକ ଅଭିଯୋଗ କରିଛି ବିଜୁ ଜନତା ଦଳ। ଆଜି ଦଳ ତରଫରୁ ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଗୋଷ୍ଠୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ, ଧାମନଗରରେ ବିଜେପି ନେତାମାନେ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରିବା ସହିତ ଏସଏଚଜି ମହିଳାଙ୍କୁ ଅପମାନିତ କରୁଛନ୍ତି। ସେମାନେ ବର୍ତ୍ତମାନ ନିର୍ବାଚନ ହାରୁଥିବାର ଜାଣିପାରି ଏପରି କରୁଛନ୍ତି ବୋଲି ବିଜେଡି କହିଛି। ଏ ନେଇ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାର୍ଥୀ ରାଜୁ ଦାସଙ୍କ ସହ ଅମିତ ଶାହାଙ୍କ କଥାବାର୍ତ୍ତାର ଏକ ଭିଡିଓ ଭାଇରାଲ, ବିଜେପିର ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ତେବେ ଏବେ ଏକ ଅଡିଓକୁ ନେଇ ସେଠାକାର ରାଜନୀତି ବେଶ ଗରମ ହୋଇ ଉଠିଛି। ତାହା ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାର ଏକ ମିଥ୍ୟା ଅଡିଓ, ଭିଡିଓ କ୍ଲିପ ଯାହାକି ଏକ ସାମ୍ବାଦିକ ଭଏସ୍ ଭଳି ନ୍ୟୁଜ୍ ଫରମାର୍ଟରେ ଭାଇରାଲ ହେଉଛି।

ତେବେ ଏହି ଭାଇରାଲ ଅଡିଓଟି ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଅଭିଯୋଗ କରିଛି ବିଜେପି। ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଚାଣିବା ଏବଂ ତାଙ୍କୁ ଯୋଡି ମିଥ୍ୟା ଅଡିଓ ଭାଇରାଲ କରିବା ଏକ ହୀନ ରାଜନୀତି ଓ ଧର୍ତବ୍ୟ ଅପରାଧ ବୋଲି ଦଳ କହିଛି। ତେବେ ଏହି କାର୍ଯ୍ୟ ପାଇଁ ଦଳ ସିଧା ବିଜେଡିକୁ ଟାର୍ଗେଟ କରିଛି।

ଦଳ କହିଛି ଯେ, ଶେଷରେ ବିଜୁ ଜନତା ଦଳ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଟାଣିବା ସହ ମିଥ୍ୟା ଅଡିଓ, ଭିଡିଓର ଷଡଯନ୍ତ୍ର ରଚନା କରି ସବୁ ଅପରାଧର ସୀମା ଟପିଯାଇଛି ବୋଲି ଦଳ କହିଛି। ଏନେଇ ଭାରତୀୟ ଜନତା ପାର୍ଟିର ୭ ଜଣିଆ ଟିମ୍ ଭୁବନେଶ୍ୱର ଭିଏସ୍‌ଏସ୍‌ନଗର ସ୍ଥିତ ସାଇବର ଥାନାରେ ଲିଖିତ ଏଫଆଇଆର କରିବା ସହ ପରେ ପରେ ସିଇଓଙ୍କୁ ଭେଟି ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଏହି ମିଛ ଅଡିଓ, ଭିଡିଓ କରିଥିବା ବ୍ୟକ୍ତିଙ୍କ ନାମକୁ ଲୋକଲୋଚନକୁ ଆଣିବା ଲାଗି ଡିଜି, ଆଡିସନାଲ ଡିଜି ଅଫ୍ କ୍ରାଇମବ୍ରାଂଚ ସହ କଥା ହୋଇ ଆଇନ ଅନୁମଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସିଇଓଙ୍କୁ ଭେଟି ଦାବି  କରିଛନ୍ତି।ଯଥାଶୀଘ୍ର ଏହି ମିଥ୍ୟା ଅଡିଓ, ଭିଡିଓ କରିଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରିବା ସହ ଧାମନଗର ଉପନିର୍ବାଚନ ମୁକ୍ତ, ଅବାଧ ନିର୍ବାଚନ କରିବା ଲାଗି ସିଇଓ କଡା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଏହି ପ୍ରତିନିଧି ମଣ୍ଡଳିରେ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: ଆଜି ବିଜେଡିର ଏକ ଚାରି ଜଣିଆ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ସେମାନେ ଧାମନଗରରେ ହେଉଥିବା ଉପନିର୍ବାଚନରେ ବିଜେପି କଳା ଟଙ୍କା ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ନିର୍ବାଚନ କମିଶନରଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଏଥିରେ କୁହାଯାଇଛି ଯେ, ଧାମନଗରରେ ବିଜେପି ଏସଏଚଜି ମହିଳାମାନଙ୍କୁ ଅପମାନିତ କରିଛି। ଏକ ଛଦ୍ମବେଶୀ ମହିଳାଙ୍କ ଦ୍ବାରା ଟଙ୍କା ବାଣ୍ଟି ସେ ଜଣେ ଏସଏଚଜି ମହିଳା ବୋଲି ବିଜେପି ପ୍ରଚାର କରୁଛି। ଯାହା ଭୁଲ, ଏହା ବିଜେପିର ଏକ ଷଢଯନ୍ତ୍ର ବୋଲି ବିଜେଡି କହିଛି।

ସେହିପରି ବିଜେପି ଧାମନଗର ଉପନିର୍ବାଚନରେ ନିୟୋଜିତ ଅଧିକାରୀଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି। ସେମାନଙ୍କ ନାମରେ ମିଛ ଅଭିଯୋଗ ଆଣି ସେମାନଙ୍କୁ ହତାଶ କରାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଏମାନେ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଅଫିସରଙ୍କୁ ଧମକ ଦେଉଛିନ୍ତି ବୋଲି ବିଜେଡି କହିଛି।

ବିଜେପି ଧାମନଗରରେ ହାରିଯିବା ଭୟରେ ଏପରି କରୁଛି। ନିର୍ବାଚନ କମିଶନର ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି। ଏଥିସହିତ ଧାମନଗର ଉପନିର୍ବାଚନରେ ଏକ ସ୍ବତନ୍ତ୍ର ମନିଟରିଂ ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ନିର୍ବାଚନ କମିିଶନରଙ୍କ ନିକଟରେ ଦାବୀ କରିଛି।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ମୁନ୍ନା ଖାଁ ଏବଂ ସାଂସଦ ନିଶିକାନ୍ତ ବିଶି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଧାମନଗର ଉପନିର୍ବାଚନ ପ୍ରଚାରକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର‌୍ୟ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି ।

ସେହିପରି ଅକ୍ଟୋବର ୨୯ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: ଆଚରଣବିଧି ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ, ସିଇଓ

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହେଲା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଆଦର୍ଶ ଆଚରଣବିଧି ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଏହା ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ ଯାହାକି ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀମାନେ ନିଶ୍ଚିତ ଭାବେ ପାଳନ କରିବେ । ଏପରିକି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣବିଧିକୁ ମାନିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଖୁବ୍‌ ଜୋରରେ ଚାଲୁଅଛି ଓ ଏହା ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହେଉଥିବା ନେଇ ଅନେକଗୁଡ଼ିଏ ଅଭିଯୋଗ ଆମ ପାଖକୁ ଆସୁଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିବାବେଳେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ନିର୍ବାଚନ ସମୟରେ ବେଆଇନ କାର୍ଯ୍ୟ ଯଥା ଭୋଟରମାନଙ୍କୁ ଟଙ୍କା ଦେଇ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା କିମ୍ବା ଭୋଟରଙ୍କୁ ନିୟମିତ ଭୟଭୀତ କରାଇ ଭୋଟଦେବା ପାଇଁ ବାଧ୍ୟ କରିବା ହେଉଛି ଜଘନ୍ୟ ଅପରାଧ। ଏସବୁ କାର୍ଯ୍ୟରେ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା କିମ୍ବା ପ୍ରାର୍ଥୀ, ଯେକେହି ବି ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଖ), ୧୭୧(ଗ), ୧୭୧(ଙ) ଏବଂ ୧୭୧(ଚ) ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୧) ଏବଂ ୧୨୩(୨) ଅନୁସାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତିା

ଆସନ୍ତା ଉପନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଆଦର୍ଶ ଆଚରଣବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପଦେଶ ଦେଇଛନ୍ତି ଓ ଏହାର ବ୍ୟତିକ୍ରମ ହେଲେ ନିଶ୍ଚିତ ଭାବେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଉପନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିର୍ବାଚନ ସମୟରେ କ’ଣ କରିବା ଓ କ’ଣ ନକରିବା  ସଂପର୍କରେ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ସହ ଅବଗତ କରାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗ ସି-ଭିଜିଲ୍‌ ନାମକ ଏକ ମୋବାଇଲ୍‌ ଆପ୍‌ ଜାଗ୍ରତ ନାଗରିକମାନଙ୍କ ପାଇଁ ପ୍ରଚଳନ କରିଛନ୍ତି। ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍‌ କାମ ଯଥା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବା ଧମକଚମକ ଦେଇ ଭୋଟ ଦେବା ପାଇଁ ବାଧ୍ୟ କରିବା ଇତ୍ୟାଦି କାର୍ଯ୍ୟ ହେଉଥାଏ ତାହାହେଲେ ଜାଗ୍ରତ ନାଗରିକମାନେ ନିଜ ମୋବାଇଲ୍‌ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରି ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ ମିନିଟ୍‌ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣବିଧିର କଡ଼ାକଡ଼ି ପାଳନ ନିମନ୍ତେ ସବୁ ପ୍ରକାରର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଲଗାଇଛନ୍ତି।

ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଗାଡ଼ିର ଅପବ୍ୟବହାର, ଡାକବାଜି ଯନ୍ତ୍ର ବ୍ୟବହାର ଆଇନର ଉଲ୍ଲଂଘନ କରିବା, ବେଆଇନ ଭାବେ ସଭାସମିତି କରିବା, ଭୋଟରଙ୍କୁ ଟଙ୍କା ଦେଇ ନିଜ ସପକ୍ଷରେ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା ଇତ୍ୟାଦି ବାବଦରେ ଅଦ୍ୟାବଧି ସର୍ବମୋଟ ୧୦୨ ଗୋଟି ଅଭିଯୋଗ ଗ୍ରହଣ କରାଯାଇ ସବୁଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଥାନାରେ ଦୁଇଜଣଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦରଜ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ପ୍ରକାଶ କରିଛନ୍ତି।

ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଜନସାଧାରଣ ଓ ବ୍ୟକ୍ତିଗତ କୋଠାବାଡ଼ିଗୁଡ଼ିକୁ ବିକୃତ କରି ନିର୍ବାଚନ ପ୍ରଚାର (ପେଣ୍ଟିଂ ) କରିବା ଅଭିଯୋଗରେ ୧୬୧୪ ଗୋଟି କେସ୍‌ ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସେହିପରି ଜନସାଧାରଣ ଓ ବ୍ୟକ୍ତିଗତ ସଂପତ୍ତି ଯଥା କୋଠାବାଡ଼ିଗୁଡ଼ିକରେ ପୋଷ୍ଟରବ୍ୟାନର, କାନ୍ଥରେ ଲେଖିବା ଇତ୍ୟାଦି ଅଭିଯୋଗରେ ୨୦୦୬ ଗୋଟି କେସ୍‌ ଧରା ପଡ଼ିବାେ ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଜିଲ୍ଲା ପୋଲିସ ପ୍ରଶାସନ ଦ୍ୱାରା ଚଢ଼ାଉ କରାଯାଇ ୬୩୯ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ସିଆର୍‌ପିସି ଧାରା ୧୦୭ ଓ ୧୧୬ ଅନୁସାରେ ୨୦୧୧ ଜଣଙ୍କୁ ଅଟକ ରଖାଯାଇଛି ଓ ୧୯୬ ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି। ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ୧୯୭ ଗୋଟି କେସ୍‌ ରୁଜୁ କରିବା ସହ ୨୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ୧୪୦୦ ହଜାର ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଶ୍ରୀ ଲୋହାନୀ ଜଣାଇଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧାନମନଗର ଉପନିର୍ବାଚନରେ କିଛି ଅନିୟମତା ଦେଖିଲେ ଏହି ଦୁଇ ଜଣଙ୍କୁ କରନ୍ତୁ ଫୋନ

ଭୁବନେଶ୍ବର:  ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ଯଦି କିଏ କେଉଁଠି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଦୃଷ୍ଟିକୁ ଆସେ ତେବେ ଆପଣ ଫୋନ କରି ଅଭିଯୋଗ କରିପାରିବେ। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇଜଣ ବରିଷ୍ଠ ଆଇଏଏସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।

ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର (ମୋବାଇଲ୍‌ ନଂ-୭୮୫୪୮୨୬୫୦୯)ଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍‌ ଗୁପ୍ତାଙ୍କୁ (ମୋବାଇଲ୍‌ ନଂ-୮୨୬୦୭୪୫୬୨୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀ ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଲେ ଏପରି କଥା

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟ କଂଗ୍ରେସର ଲିଗାଲ୍ କୁଇକ୍ ଆକ୍ସନ କମିଟିର ଅଧ୍ୟକ୍ଷ, ବରିଷ୍ଠ ଆଇନ୍‌ଜୀବୀ ଶ୍ରୀଯୁକ୍ତ ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସ ଭବନରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଧାମନଗର ଉପନିର୍ବାଚନରେ ବିଜୁ ଜନତାଦଳ ଓ ଭାରତୀୟ ଜନତା ପାର୍ଟି ଦ୍ୱାରା ହେଉଥିବା ବିଭିନ୍ନ ଅନୈତିକ କାର୍ଯ୍ୟ, ସରକାରୀ କଳର ଅପବ୍ୟବହାର, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ଭୋଟର ମାନଙ୍କୁ ଭୟଭୀତ କରିବା ସହିତ ଭୋଟ ବ୍ୟବଧାନ ଅଧିକ ହେଲେ ପୁରସ୍କୃତ କରିବା ପ୍ରଲୋଭନ ଦେଖାଇବା ଇତ୍ୟାଦି ବିରୁଦ୍ଧରେ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ବିଷୋଦ୍‌ଗାର କରିଥିଲେ ।

ଏହି ନିର୍ବାଚନକୁ ନିରପେକ୍ଷ ଉପାୟରେ କରାନଗଲେ, ଆଗାମୀ ଦିନରେ କଂଗ୍ରେସ ଦଳ ଦୃଢ଼ ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପସ୍ଥିତ ସଦସ୍ୟବୃନ୍ଦ ସର୍ବୋପରି ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ବରିଷ୍ଠ ନେତା ପ୍ରକାଶ ଜେନା ଏହି ସମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତିି । ଶେଷରେ ସଦସ୍ୟ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଭୋଟ ଗ୍ରହଣ ବେଳେ ୫୦ ଭାଗ ବୁଥ୍‌ରେ ହେବ ୱେବକାଷ୍ଟିଂ, ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲୁ ରହିଛି ଓ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଉପନିର୍ବାଚନ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆଗାମୀ ଉପନିର୍ବାଚନକୁ ପରିଚାଳନା କରିବା ପାଇଁ ସମୁଦାୟ ୧୧୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ଏହା ମଧ୍ୟରେ ସେମାନଙ୍କର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ପ୍ରଶାସନ ତରଫରୁ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା, ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବା କର୍ମଚାରୀମାନଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଉକ୍ତ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି । ଏପରିକି ଯେଉଁମାନେ ସ୍ଥାୟୀ କର୍ମଚାରୀ ନୁହନ୍ତି, ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ । ଉପନିର୍ବାଚନରେ ସମୁଦାୟ ବୁଥ୍‌ର ଶତକଡ଼ା ୫୦ ଭାଗ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ କରାଯିବ ଓ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଧାମନଗର ଉପନିର୍ବାଚନ କାର୍ଯ୍ୟ ପର୍ଯ୍ୟବେକ୍ଷଣ ଲାଗି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର (ମୋବାଇଲ୍‌ ନଂ-୭୮୫୪୮୨୬୫୦୯)ଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍‌ ଗୁପ୍ତାଙ୍କୁ (ମୋବାଇଲ୍‌ ନଂ-୮୨୬୦୭୪୫୬୨୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଉପନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌ ଓ ଭିଭିପ୍ୟାଟ୍‌ ରିଟର୍ଣ୍ଣିଂ ଅଧିକାରୀଙ୍କ ସ୍ତରରେ ଗଚ୍ଛିତ ଅଛି । ଆସନ୍ତା ନଭେମ୍ବର ୧ ତାରିଖ ଦିନ ପୁଲିଙ୍ଗ୍‌ ପାର୍ଟିମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିର୍ବାଚନ ସାମଗ୍ରୀ ଧରି ଭୋଟଗ୍ରହଣ ନିମନ୍ତେ ନିଜ ନିଜ ବୁଥ୍‌ଗୁଡ଼ିକୁ ଯିବେ । ସମୁଦାୟ ୨୫୨ ବୁଥ୍‌ ମଧ୍ୟରୁ ୧୦୬ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ଓ ସେସବୁ ବୁଥ୍‌ରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ୬୪୧ ଗୋଟି ଅସ୍ତ୍ରଶସ୍ତ୍ର ଜବତ ସହ ୧୯୦୯ ଜଣ ବ୍ୟକ୍ତିଙ୍କୁ ସିଆର୍‌ପିସି ଧାରା ୧୦୭/୧୧୬ ଅନୁସାରେ ଅଟକ କରାଯାଇଛି । ୧୭୨ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଅବକାରୀ ବିଭାଗ ଦ୍ୱାରା ୧୫ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ କରାଯାଇଛି । ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଏହାର ଉଲଂଘନ କରାଯାଇ ଜନସାଧାରଣଙ୍କ ସଂପତ୍ତି, କୋଠାବାଡ଼ି, ବିଦ୍ୟାଳୟ, ମହାବିଦ୍ୟାଳୟ ଇତ୍ୟାଦିକୁ ବିକୃତ କରି ପୋଷ୍ଟର, ବ୍ୟାନର ଆଦି ମାରିବା ଅଭିଯୋଗରେ ୧୨୮୭ ଗୋଟି କେସ୍‌ କରାଯାଇଛି ଓ ବ୍ୟକ୍ତିଗତ ସଂପତ୍ତିଗୁଡ଼ିକରେ ପୋଷ୍ଟରବ୍ୟାନର ଇତ୍ୟାଦି ମାରିବା ସହ ଆଦର୍ଶ ଆଚରଣବିଧି ଉଲଂଘନ ଅଭିଯୋଗରେ ୨୭ଗୋଟି କେସ୍‌ କରାଯାଇଛି ।

ସେହିପରି ଆଦର୍ଶ ଆଚରଣବିଧି ଉଲଂଘନ କରି ଏକ ନିର୍ଦ୍ଦିଷ୍ଟ ଭିଡ଼ିଓ ଫୁଟେଜ (ଦୁଇଜଣ ମହିଳାଙ୍କ କଥୋପକଥନ) ଲୋକଲୋଚନକୁ ଆସିବା ସଙ୍ଗେ ସଙ୍ଗେ ୪୮ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରାଯାଇ ଧାମନଗର ଥାନା କେସ୍‌ ନଂ ୩୯୧, ତା.୨୪/୧୦/୨୦୨୨ରିଖରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଇ) ଉପଧାରା ୧୨୩(୧)/୧୩୪ ଲୋକପ୍ରତିନିଧି ଆଇନ ଅନୁସାରେ କେସ୍‌ ରୁଜୁ କରାଯାଇଛି ।

ସେହିପରି ଅନ୍ୟ ଏକ ଭିଡ଼ିଓ ଫୁଟେଜ୍‌ ଆଦର୍ଶ ଆଚରଣବିଧି ଉଲଂଘନ କରି ଲୋକଲୋଚନକୁ ଆସିବା ପରେ ତତ୍‌କ୍ଷଣାତ୍‌ ଏହାର ତଦନ୍ତ କରାଯାଇ ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ୧୯୫୧ ଲୋକପ୍ରତିନିଧି ଆଇନର ଧାରା ୧୨୩(୧)/୧୨୩(୨) କ(ଆଇ)/୧୨୩ (୩କ)ରେ ଧାମନଗର ଜେଏମ୍‌ଏଫ୍‌ସି କୋର୍ଟରେ କେସ ରୁଜୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

Dhamnagar Bypoll: ଜଣେ ମହିଳା ମୁହଁ ଘୋଡାଇ ପଇସା ବାଣ୍ଟୁଛି, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ଆଜି ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁରୁତର ଅଭିଯୋଗ କରିଛି। ତାହା ହେଲା ଧାମନଗରରେ ଜଣେ ମହିଳା ମୁହଁ ଘୋଡାଇ ପଇସା ବାଣ୍ଟୁଛି। ସେ ଏସଏଚଜି ମହିଳା କହି ବିଜେପି ନିନ୍ଦା କରିବା ପାଇଁ ଏପରି ନାଟକ କରିଛି। ଏହା ଦ୍ବାରା ବିଜେପି ଏସଏଚଜି ମହିଳାଙ୍କ ପ୍ରତି ଅପମାନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି କହିଛି ଯେ, ବର୍ତ୍ତମାନ ବିଜେପି ଧାମନଗନର ଉପନିର୍ବାଚନରେ ହାରିଯାଉଥିବାର ଜାଣି ବିଭିନ୍ନ ବେଆଇନ କାର୍ଯ୍ୟ କରିବାରେ ଲାଗିଛି। ଏହା ଉପରେ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଅଭିଯୋଗ କରିଛନ୍ତି।