Dhamnagar Bypoll: ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

Published: Oct 27, 2022, 9:10 pm IST

ନୂଆଦିଲ୍ଲୀ: ଆଜି ବିଜେଡିର ଏକ ଚାରି ଜଣିଆ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ସେମାନେ ଧାମନଗରରେ ହେଉଥିବା ଉପନିର୍ବାଚନରେ ବିଜେପି କଳା ଟଙ୍କା ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ନିର୍ବାଚନ କମିଶନରଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ଏଥିରେ କୁହାଯାଇଛି ଯେ, ଧାମନଗରରେ ବିଜେପି ଏସଏଚଜି ମହିଳାମାନଙ୍କୁ ଅପମାନିତ କରିଛି। ଏକ ଛଦ୍ମବେଶୀ ମହିଳାଙ୍କ ଦ୍ବାରା ଟଙ୍କା ବାଣ୍ଟି ସେ ଜଣେ ଏସଏଚଜି ମହିଳା ବୋଲି ବିଜେପି ପ୍ରଚାର କରୁଛି। ଯାହା ଭୁଲ, ଏହା ବିଜେପିର ଏକ ଷଢଯନ୍ତ୍ର ବୋଲି ବିଜେଡି କହିଛି।

ସେହିପରି ବିଜେପି ଧାମନଗର ଉପନିର୍ବାଚନରେ ନିୟୋଜିତ ଅଧିକାରୀଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି। ସେମାନଙ୍କ ନାମରେ ମିଛ ଅଭିଯୋଗ ଆଣି ସେମାନଙ୍କୁ ହତାଶ କରାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଏମାନେ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଅଫିସରଙ୍କୁ ଧମକ ଦେଉଛିନ୍ତି ବୋଲି ବିଜେଡି କହିଛି।

ବିଜେପି ଧାମନଗରରେ ହାରିଯିବା ଭୟରେ ଏପରି କରୁଛି। ନିର୍ବାଚନ କମିଶନର ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି। ଏଥିସହିତ ଧାମନଗର ଉପନିର୍ବାଚନରେ ଏକ ସ୍ବତନ୍ତ୍ର ମନିଟରିଂ ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ନିର୍ବାଚନ କମିିଶନରଙ୍କ ନିକଟରେ ଦାବୀ କରିଛି।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ମୁନ୍ନା ଖାଁ ଏବଂ ସାଂସଦ ନିଶିକାନ୍ତ ବିଶି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରିଥିଲେ।

Related posts