Categories
ବିଶେଷ ଖବର ରାଜ୍ୟ ଖବର

ଗ୍ରୀଷ୍ମଋତୁରେ ପାନୀୟ ଜଳ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଜାରୀ କଲେ ସ୍ୱତନ୍ତ୍ର ମାର୍ଗଦର୍ଶିକା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ୩୫ଟି ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନ୍‌କୁ ନେଇ ଏକ ରାଜ୍ୟସ୍ତରୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ରକ୍ଷଣାବେକ୍ଷଣ କର୍ମଶାଳା ତଥା ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ।

ଆସନ୍ତା ୨୦୨୪ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ରାଜ୍ୟ ସରକାର ନଳକୂପ ଓ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ ଓ ବ୍ୟବହାରଯୋଗ୍ୟ ରଖିବା ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ପ୍ରତିଟି ଗୃହରେ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶତପ୍ରତିଶତ ନଳକୂପ ଓ ପାଇପ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ।

ସେହିପରି ନିୟମିତ ରକ୍ଷଣାବେକ୍ଷଣକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ। ଗ୍ରାମପଞ୍ଚାୟତଗୁଡ଼ିକର ଆବଶ୍ୟକତା ଏବଂ କନିଷ୍ଠ ଯନ୍ତ୍ରୀ/ସହକାରୀ ଯନ୍ତ୍ରୀଙ୍କ ପରାମର୍ଶ ଆଧାରରେ ଅର୍ଥ କମିଶନଙ୍କ ଅନୁଦାନକୁ ବ୍ୟବହାର କରି ପ୍ରତ୍ୟେକ ପଞ୍ଚାୟତ ସମିତିଗୁଡ଼ିକ ଯଥେଷ୍ଟ ପରିମାଣର ଯନ୍ତ୍ରାଂଶ, ରଙ୍ଗ, ରାଇଜର୍‌ ପାଇପ କ୍ରୟ କରିବେ। ପ୍ରତ୍ୟେକ ଶନିବାର ଦିନ ପଞ୍ଚାୟତି ସମିତିରେ ପାନୀୟ ଜଳଯୋଗାଣ ସ୍ଥିତିର ନିୟମିତ ସମୀକ୍ଷା ବୈଠକ କରାଯିବାକୁ ମାର୍ଗଦର୍ଶିକାରେ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରୁ ଜଣାପଡ଼ିଛି ଯେ ଆଇଏମ୍‌ଏସ୍‌ ପୋର୍ଟାଲର ରିପୋର୍ଟ ଅନୁଯାୟୀ ରାଜ୍ୟର ୬୬ ପ୍ରତିଶତ ଗ୍ରାମୀଣ ଗୃହକୁ ଜଳଯୋଗାଣ ଟ୍ୟାପ୍‌ ସଂଯୋଗ ହୋଇଛି। ପ୍ରାୟ ୯୬୭୧ ଗ୍ରାମରେ ଶତପ୍ରତିଶତ ଜଳଯୋଗାଣ ଟ୍ୟାପ୍‌ ସଂଯୋଗ ହୋଇସାରିଛି।

କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗରେ ଅନ୍ତର୍ଭୁକ୍ତ ହେବାକୁ ଥିବା ମୋଟ ୪୭,୨୭୪ଟି ଗ୍ରାମ ପାଇଁ ରାଜ୍ୟ ସରକାର ଏକ ପରିପୁଷ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି। ୩୧,୮୫୪ (୬୫%)ଟି ଗ୍ରାମରେ ମେଗା ପାଇପ୍‌ ଜଳଯୋଗାଣ ଏବଂ ୧୫୪୨୦ (୩୫%) ଗ୍ରାମ କ୍ଷୁଦ୍ର ଓ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ସମସ୍ତ ଗ୍ରାମ ପାଇଁ ୪,୭୯,୬୬୪ଟି ନଳକୂପ ଉପଲବ୍ଧ ହେଉଛି।

୩୫,୯୨୦ କୋଟି ଟଙ୍କା ବ୍ୟୟରେ ୨୦୭ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସେଥି ମଧ୍ୟରୁ ଦୁଇଟି ଟେଣ୍ଡର ପ୍ରକ୍ରିୟାରେ, ୧୮୯ଟି ମେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଅବସ୍ଥାରେ ଏବଂ ୧୬ଟି ମେଗା ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରାୟ ୨୦ଟି ମେଗା ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୧୮,୦୦୦ କୋଟି ଟଙ୍କା ବ୍ୟୟରେ ୧୪,୨୫୬ଟି ଏକକ ଗ୍ରାମ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି।

ରାଜ୍ୟରେ ୭୭ଟି ଜଳ ପରୀକ୍ଷାଗାର ରହିଛି। ପ୍ରତିବର୍ଷ ରାଜ୍ୟର ପରୀକ୍ଷାଗାରଗୁଡ଼ିକରେ ୨.୨୮ ଲକ୍ଷ ଉତ୍ସ ଏବଂ ବିତରଣ ପଏଣ୍ଟରୁ ଜଳ ନମୁନା ପରୀକ୍ଷା କରାଯାଉଛି। ରାଜ୍ୟର ୨୩ଟି ପରୀକ୍ଷାଗାରକୁ ଏନ୍‌ଏବିଏଲ୍‌ ସ୍ୱୀକୃତି ମିଳିଛି। ତିନୋଟି ପାଇଁ ଆବେଦନ କରାଯାଇଥିବା ବେଳେ ୭ଟି ପରୀକ୍ଷାଗାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ପରୀକ୍ଷାଗାରଗୁଡ଼ିକ ପାଇଁ ଏନ୍‌ଏବିଏଲ୍‌ ସ୍ୱୀକୃତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ସମୀକ୍ଷା ବୈଠକରେ ଗ୍ରାମଗୁଡ଼ିକରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗର ଅଗ୍ରଗତି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଡିଭିଜନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ସହ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ଦେଶରେ ପାଳନ କରାଯାଉଛି।

ଭୋଟର ତାଲିକାରେ ଅଧିକରୁ ଅଧିକ ନାମ ପଂଜୀକରଣ, ବିଶେଷ କରି ଯୁବଭୋଟମାନଙ୍କୁ ଭୋଟର ତାଲିକାରେ ନାମ ପଂଜୀକରଣ, ନିର୍ବାଚନ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନିର୍ବାଚନ ପ୍ରକ୍ରିୟାରେ ଶତପ୍ରତିଶତ ଅଂଶଗ୍ରହଣ କରି ସଠିକ୍‌ ତଥା ଉପଯୁକ୍ତ ନେତା ଚୟନ କରିବା ହେଉଛି ମତଦାତା ପାଳନ ଦିବସର ଅନ୍ୟ ଏକ ମହତ୍ତର ଉଦ୍ଦେଶ୍ୟ। ପ୍ରତିବର୍ଷ ନୂତନ ଭୋଟରଙ୍କ ପଂଜୀକରଣ ନିମନ୍ତେ ନିର୍ବାଚନ ଆୟୋଗ ଭୋଟର ତାଲିକାରେ ପଂଜୀକରଣ ପାଇଁ କେତେଗୁଡ଼ିଏ ସଂସ୍କାର ଆଣିଛନ୍ତି।

ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ପୂର୍ବରୁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ଗୋଟିଏ ବର୍ଷରେ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ସ୍ଥିର କରାଯାଇଛି । ପଂଜୀକରଣ ନିମନ୍ତେ ସହଜ ଓ ସରଳ ଫର୍ମର ବ୍ୟବହାର କରାଯାଉଛି ଓ ଅଯୋଗ୍ୟ ଭୋଟରମାନଙ୍କୁ ତାଲିକାରୁ ବାଦ୍‌ ଦେବା ନିମନ୍ତେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ ଇତ୍ୟାଦି ବ୍ୟବସ୍ଥାର ପ୍ରଚଳନ କରାଯାଇଛି।

ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନୂତନ ନିଷ୍ପତ୍ତି ଅନୁସାରେ ୧୭ ବର୍ଷରୁ ଊଦ୍ଧ୍ୱର୍ ବୟସର ଯୁବକଯୁବତୀମାନେ ଚାହିଁଲେ ଆଗୁଆ ଭାବେ ଭୋଟର ତାଲିକାରେ ନାମ ପଂଜୀକରଣ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ସହଜରେ ଭୋଟର ତାଲିକାରେ ଅନ୍‌ଲାଇନ୍‌ ନାମ ପଂଜୀକରଣ ନିମନ୍ତେ ଭୋଟର ହେଲପ୍‌ ଲାଇନ୍‌ ଓ ଏନ୍‌ଭିଏସ୍‌ପି ଭଳି ଆପ୍‌ର ପ୍ରଚଳନ ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଛି ।

ଜାତୀୟ ମତଦାତା ଦିବସ ପାଳନ ଅବସରରେ ଏହି ଦିନ ଅର୍ଥାତ୍‌ ଜାନୁଆରୀ ୨୫ ତାରିଖରେ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀ(୧୭ ବର୍ଷରୁ ଊଦ୍ଧ୍ୱର୍)ଙ୍କ ଦ୍ୱାରା ଶୋଭାଯାତ୍ରା, କୁଇଜ୍‌, ତର୍କ, ରଙ୍ଗୋଲି ପେଣ୍ଟିଂ ଇତ୍ୟାଦି ପ୍ରତିଯୋଗିତାମାନ ଆନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି ।

ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବକୁ ସ୍ଥିର କରାଯାଇଛି । ସେହିଭଳି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୁଥ୍‌ସ୍ତରୀୟ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି। ଏଥି ସହ ଉକ୍ତ ଦିନ ବିଭିନ୍ନ ପ୍ରକାରର ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଓ ଶତ୍ରୁଘ୍ନ କର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପି.କେ. ସ୍ୱାଇଁ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଓଏସ୍‌ଡ଼ି ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ସଂଜୟ ଲୁଗୁନ୍‌, ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ୍‌ର ଡେପୁଟୀ କମିଶନର ସପନ କୁମାର ନନ୍ଦ ଯୋଗଦେଇଥିଲେ।

ସେହିପରି ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅନାମିକା ଅଧିକାରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା, ଡେପୁଟୀ କମିଶନର ଅଫ୍‌ ପୋଲିସ୍‌ ଆଇ.କେ. ମହାପାତ୍ର, ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣି ରାଉତ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ ଓ ଗାଇଡ୍‌ର ରାଜ୍ୟ ସଂପାଦକ ମିହିର ରଞ୍ଜନ ପଟ୍ଟନାୟକ, ଓଡ଼ିଶା ଇଲେକ୍‌ସନ୍‌ ୱାଚର ଜ୍ୟୋତି ମହାନ୍ତି ଓ ରଞ୍ଜନ କୁମାର ମହାନ୍ତି, ଅନୁଶାସନ ସଚିବ ଶିବନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ, ମଇଦାନରେ ମୋଟ ୫ ପ୍ରାର୍ଥୀ

Dhamnagar Byelection : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟସୀମା ମଧ୍ୟରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀପତ୍ର ଯାଞ୍ଚବେଳେ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଥିଲା ଓ ସମୁଦାୟ ୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ୍‌ ରହିଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଶେଷରେ ୫ ଜଣ ପ୍ରାର୍ଥୀ ଯଥା ବିଜୁ ଜନତା ଦଳର ଅବନ୍ତୀ ଦାସ, ଭାରତୀୟ ଜାତୀୟ କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ଭାରତୀୟ ଜନତା ପାର୍ଟିର ସୂର୍ଯ୍ୟବଂଶୀ ସୂରଜ, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଉପନିର୍ବାଚନ ଲଢ଼ିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥର ଉପନିର୍ବାଚନରେ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ଡମି ବ୍ରେଲି ବାଲାଟ୍‌ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୪୧୭ ଓ ସମୁଦାୟ ବୁଥ୍‌ ସଂଖ୍ୟା ହେଉଛି ୨୫୨ ।

ସମୁଦାୟ ୮୦ ବର୍ଷରୁ ଊର୍ଦ୍ଧ ଓ ଦିବ୍ୟାଙ୍ଗ ଭୋଟର ୧୨,୧୬୨ ଜଣଙ୍କ ମଧ୍ୟରୁ ୫୦୫ ଜଣ ଭୋଟର ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡୋମାେଇଜେସନ୍‌ କାର୍ଯ୍ୟ ସମାପ୍ତ ହୋଇଛି ଓ ନଭେମ୍ବର ୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡୋମାଇଜେସନ୍‌ କାର୍ଯ୍ୟ ସମାପ୍ତ ହେବ ।

ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍‌ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍‌ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BEAKING: ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ସଂଜୟ ସିଂଙ୍କୁ ପୁଣି ମିଳିଲା ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ମୁଖ୍ୟତଃ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ଏହି ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା

1- ସୁଶୀଲ କୁମାର ଲୋହାନୀ- ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସେ ଅବାକାରୀ ବିଭାଗର ସଚିବ ପଦ ମଧ୍ୟ ତାଙ୍କ ପାଖରେ ରହିଛି।

2- ଦେଓରଞ୍ଜନ ସିଂହ- ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଂଜନ ସି ଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପୂର୍ବପରି ତୁଲାଇବେ। ସେ ଦାୟିତ୍ବ ନେବା ପରେ ଲୋହାନୀ ଏହି ପଦରୁ ହଟିଯିବେ।

3- ସଞ୍ଜୟ କୁମାର ସିଂହ- ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି। ସେ ପୂର୍ବପରି ଏହି ଦାୟିତ୍ବରେ ମଧ୍ୟ ରହିବେ।

ଆଇଏଏସ ଅଶୋକ କୁମାର ମୀନାଙ୍କ କେନ୍ଦ୍ରୀୟ ଡେପୁଟେସନ ଯିବା ପାଇଁ ନିଷ୍ପତି ହୋଇସାରିଛି। ଏପରିକି ସେ କେନ୍ଦ୍ରରେ କେଉଁ ଦାୟିତ୍ବରେ ରହିବେ ତାହା ମଧ୍ୟ ଗତ ମାସରେ ଘୋଷଣା ହୋଇସାରିଛି। ସେହି ଅନୁସାରେ ସେ ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ହେବେ। ସେହିପରି 2006 ବ୍ୟାଚର ଆଇଏଏସ ରୂପା ରୋଶନ ସାହୁ କେନ୍ଦ୍ର ସରକାରଙ୍କ ଯୁଗ୍ନ ସଚିବ ପ୍ୟାହାକୁ ଉନ୍ନତ ହୋଇଛନ୍ତି। ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳମାନଙ୍କ ସହ କଲେ ବୈଠକ, ଜାଣନ୍ତୁ କାରଣ କଣ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ଭୁଲ ଭୋଟର ତାଲିକା ସଂପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। କ୍ଷେତ୍ର ପରିଦର୍ଶନ କରି ବିଶେଷ କରି ଫଟୋ ସାଦୃଶ୍ୟ ଥିବା ଏକାଧିକ ଭୋଟର କିମ୍ବା ଦୋହରା ଭାବେ ଭୋଟର ତାଲିକାରେ ନାମ ଦରଜ ହେବା ପରି ଜଣାପଡ଼ୁଥିବା ଭୋଟରମାନଙ୍କୁ ସଠିକ୍‌ ଭାବେ ଯାଞ୍ଚ କରିବାକୁ କୁହାଯାଇଛି।

ଏଥିସହ ଏକାଧିକ ନାମଗୁଡ଼ିକୁ ତାଲିକାରୁ ବାଦ୍‌ ଦେବା ଏବଂ ଭୋଟର ତାଲିକାରେ ନାମ ଥାଇ ଫଟୋ ନଥିବା କିମ୍ବା ଭୋଟର ତାଲିକାରେ ନାମ, ଠିକଣା ଇତ୍ୟାଦି ତ୍ରୁଟି ଥିଲେ ((Logical Error) କିମ୍ବା ଦୋହରା ଫଟୋ ପରିଚୟ ପତ୍ର ଥିବା ଭୋଟରମାନଙ୍କୁ ସଠିକ୍‌ ଭାବେ ଯାଞ୍ଚ କରି ସେମାନଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେଇ ସଠିକ୍‌ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲେ।

ଭାରତ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ଭୋଟରମାନଙ୍କୁ ଫଟୋ ପରିଚୟ ଡାକ ମାଧ୍ୟମରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ନିମନ୍ତେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କଲାବେଳେ ଫର୍ମ ନଂ-୬ରେ ତାଲିକାରେ ନାମ ଯୋଗ ଓ ଫର୍ମ ନଂ-୮ରେ ତ୍ରୁଟି ସଂଶୋଧନ ପାଇଁ ଫର୍ମ ପୂରଣ କଲାବେଳେ ନାଗରିକମାନେ ଆବେଦନ ଫର୍ମରେ ସଂପୂର୍ଣ୍ଣ ଡାକ ଠିକଣା ଓ ସଠିକ୍‌ ମୋବାଇଲ୍‌ ନମ୍ବର ଦେବାକୁ ହେବ। ନଚେତ୍‌ ଭୋଟରଙ୍କ ଘରେ ଡାକ ଯୋଗେ ଫଟୋ ପରିଚୟ ପତ୍ର ପହଞ୍ଚିବା ସମ୍ଭବ ହେବ ନାହିଁ।

ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ସଠିକ୍‌ ତଥ୍ୟ ସଂଗ୍ରହ କରି ନିର୍ବାଚକ ପଂଜୀକରଣ ଅଧିକାରୀମାନଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ କରିବେ ଓ ପରେ ନିର୍ବାଚକ ପଂଜୀକରଣ ଅଧିକାରୀମାନେ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଫଟୋ ପରିଚୟ ପତ୍ରଗୁଡ଼ିକୁ ମଇ ମାସ ୧୫ ତାରିଖ ସୁଦ୍ଧା ଡାକ ମାଧ୍ୟମରେ ଭୋଟରମାନଙ୍କ ଘରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଯେଉଁ ଭୋଟରମାନଙ୍କ ନାମ ଭୋଟର ତାଲିକାରେ ନାହିଁ କିମ୍ବା ତାଲିକାରେ ନାମ ଓ ଡାକ ଠିକଣା ଇତ୍ୟାଦିରେ ତ୍ରୁଟି ଅଛି ସେମାନେ ଏବେ ଅନ୍‌ଲାଇନ୍‌ ମାଧ୍ୟମରେ nଠଟଞ୍ଛ.in ପୋର୍ଟାଲକୁ ଯାଇ ଆବେଦନ କରିପାରିବେ। ଏହା ମଧ୍ୟ ନିଜ ମୋବାଇଲ୍‌ ମାଧ୍ୟମରେ ଭୋଟର ହେଲ୍‌ପ ଲାଇନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ସେଥିରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହି ଆଭାସୀ ବୈଠକରେ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଶ୍ରୀମତୀ ସଂଘମିତ୍ରା ଶତପଥୀ, ଭବାନୀଶଙ୍କର ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଏଏସ୍‌ଇ ଇଦ୍ରିଶ୍‌ ଖାନ୍‌, ରାମ ଟୁଙ୍ଗା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହ ଠାରେ ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିଭିନ୍ନ ନୋଡାଲ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଉପ-ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ କୋଭିଡ ମାର୍ଗ ଦର୍ଶିକା ଅନୁଯାୟୀ କରିବାକୁ ବିଭିନ୍ନ ନୋଡାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ନିର୍ବାଚନରେ ନିୟୋଜିତ ସମସ୍ତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀଙ୍କ ଥର୍ମାଲ ସ୍କାନିଂ କରାଯିବ। କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇ ରିଜର୍ଭରେ ଥିବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ନିର୍ବାଚନ ଦିନ ପ୍ରତ୍ୟେକ ବୁଥ୍‌ରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦ୍ୱରତା ବଜାୟ ରଖିବା, ମାସ୍କ ପରିଧାନ, ହାତ ସାନିଟାଇଜ୍ କରିବା, ଗ୍ଲୋଭ୍‌ସ ପିନ୍ଧିବା, ଥର୍ମାଲ ସ୍କାନିଂ କରିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଥିଲେ।

ଏତଦ୍‌ବ୍ୟତୀତ କ୍ଲଷ୍ଟର ବୁଥ୍‌ମାନଙ୍କରେ ଆସ୍କା ଲାଇଟ୍ ଲଗାଇବା, ଭୋଟ ଗ୍ରହଣ ଦିନ ବୁଥ୍ ବାହାରେ ସାନିଟାଇଜ୍ କରିବା, ୫ଟି ବୁଥ୍‌ର ସ୍ଥାନ ପରିବର୍ତନ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କରାଇବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ପୂର୍ବଦିନ ଅର୍ଥାତ୍ ୨ ତାରିଖ ଦିନ ସମସ୍ତ ବୁଥ୍‌କୁ ସାନିଟାଇଜ୍ କରାଯିବ। ପ୍ରତ୍ୟେକ ବୁଥ୍ ପାଇଁ ଜଣେ ଲେଖାଏଁ ଆଶାକର୍ମୀଙ୍କୁ ନିୟୋଜିତ କରାଯିବ। ସେମାନେ ଭୋଟରମାନଙ୍କର ଥର୍ମାଲ ସ୍କାନିଂ ଓ ସାନିଟାଇଜ୍ କରିବେ। ଚଳିତ ବର୍ଷ ନୂତନଭାବେ ୫ଟି ବୁଥ୍‌ର ସ୍ଥାନ ପରିବର୍ତନ କରାଯାଇଛି। ଭୋଟରମାନେ ଯେପରି ସେହି ନୂତନ ବୁଥ୍‌କୁ ଭୋଟ ଦେବାକୁ ସହଜରେ ଯାଇ ପାରିବେ ସେଥିପାଇଁ ସେମାନଙ୍କୁ ସଚେତନତା ଦେବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତିର୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୈଠକର ବିବରଣୀରୁ ଜଣାଯାଏ ଯେ ତିର୍ତୋଲ ଉପ-ନିର୍ବାଚନରେ ୨,୩୯,୧୫୩ ଜଣ ଭୋଟରଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ଅଛନ୍ତି। ତିର୍ତୋଲ ଉପ-ନିର୍ବାଚନ ପାଇଁ ମୋଟ ୩୭୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ବିରିଡ଼ି ବ୍ଲକ୍‌ରେ ୧୦୩ଟି, ତିର୍ତୋଲ ବ୍ଲକ୍‌ରେ ୧୬୦ଟି ଓ ରଘୁନାଥପୁର ବ୍ଲକ୍‌ରେ ୧୧୦ଟି ବୁଥ୍ କରାଯାଇଛି। ସମସ୍ତ ବୁଥ୍‌ରେ ସର୍ବନିମ୍ନ ମୌଳିକ ସୁବିଧା ଯଥା – ର‌୍ୟାମ୍ପ୍‌, ପାନୀୟଜଳର ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ, ଦୁଇଦ୍ୱାର ବିଶିଷ୍ଟ ଭୋଟ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ୧୫୫ଟି ବୁଥ୍‌କୁ କ୍ରିଟିକାଲ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର, ୫ ଜଣ ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଥିବା ବେଳେ ୧୧ଟି ସି.ସି.ଟି.ଭି ଲାଗିବାର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଣ୍ଡଳୀରେ ୧୯୪୦ ଜଣ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀ ନିୟୋଜିତ ହୋଇଛନ୍ତି। ତିର୍ତୋଲ ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର୍‌ଙ୍କୁ ନିୟୋଜିତ କରାଯାଇଛି। ଏସ.ଭି.ଏମ୍ କଲେଜରେ ୩୭ ଗୋଟି ଡିସ୍‌ପର୍ସାଲ ଓ ରିସିଭିଙ୍ଗ୍ କେନ୍ଦ୍ର କରାଯାଇଛି। ପୋଲିଙ୍ଗ୍ ପାର୍ଟିଙ୍କୁ ନେବା ଆଣିବା କରିବା ପାଇଁ ୧୫୭ଟି ବସ୍‌, ସେକ୍ଟର ଅଫିସରଙ୍କ ନିମନ୍ତେ ୩୦ଟି ବୋଲେରୋ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୩୦୩୨ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ଭୋଟର, କୋଭିଡ ସଂକ୍ରମିତ ଓ ସନ୍ଦିଗ୍ଧ ଏବଂ ଭିନ୍ନକ୍ଷମ ଭୋଟର ପୋଷ୍ଟାଲ ବାଲାଟ୍ ପେପର ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ଜଣାଇ ଥିବା ବେଳେ ୨୭ ତାରିଖ ସୁଦ୍ଧା ୨୫୬୪ ଜଣ ଭୋଟଦାନ କରି ସାରିଛନ୍ତି।

ଏହି ବୈଠକରେ ଆଇ.ଜି ଶ୍ରୀ ପରବିନ୍ କୁମାର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର, ଅତିରିକ୍ତ ଜିଲ୍ଲାପାଳ-ତଥା-ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ଯୁଗ୍ମ ନିର୍ବାଚନ ଅଧିକାରୀ-ତଥା-ଯୁଗ୍ମ ଶାସନ ସଚିବ ଶ୍ରୀ ଶତୃଘ୍ନ କର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ୱନାଥ ମିଶ୍ର, ନିର୍ବାଚନ ନିମନ୍ତେ ନିୟୋଜିତ ବିଭିନ୍ନ ନୋଡାଲ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।