ବ୍ରଜରାଜ ନଗର ଉପନିର୍ବାଚନ: ୧୦୪୮ ଜଣ ଅଟକ, ୭୧ ଜଣଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି

Published: May 21, 2022, 6:34 pm IST

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ସଂରକ୍ଷିତ ପୋଲିଂ କର୍ମଚାରୀଙ୍କୁ ମିଶାଇ ମୋଟରେ ୧୩୯୬ ଜଣ ପୋଲିଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି। ଗୋଟିଏ ବୁଥ୍‌ ପାଇଁ ପୁଲିଙ୍ଗ ଦଳରେ ଜଣେ ପ୍ରଜାଇଡିଂ ଅଫିସରଙ୍କ ସହ ତିନିଜଣ ପୁଲିଙ୍ଗ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲଠାରେ ଭୋଟଗ୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍‌ ଏବଂ ଭିଭିପ୍ୟାଟ୍‌ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନା ଓ ଭୋଟଗଣତି କେନ୍ଦ୍ର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ୱଚ୍ଛ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲାଇସେନ୍ସପ୍ରାପ୍ତ ୧୭୦ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଭାରତୀୟ ପିଙ୍ଗଳକୋର୍ଡ ଧାରା ୧୦୭ ଓ ୧୧୬ ଅନୁସାରେ ୧୦୪୮ ଜଣଙ୍କୁ ଅଟକ ରଖାଯାଇଛି, ୭୧ ଜଣ ବ୍ୟକ୍ତିଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି ଓ ୮୩୫ ଲିଟର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନରେ ପ୍ରାର୍ଥୀମାନଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ପାଇଁ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବିଭିନ୍ନ ସର୍ଭିଲାନ୍ସ ଟିମ୍‌ ଯଥା-୨ଟି ଭିଏସ୍‌ଟିଏସ୍‌, ୫ଟି ଏସ୍‌ଏସ୍‌ଟି, ଗୋଟିଏ ଭିଭିଟି, ୬ ଟି ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଟିମ୍‌ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମତଦାନ ଦିନ ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବା ପାଇଁ ସ୍ଥିର କରାଯାଇଛି। ଏତଦ୍‌ବ୍ୟତୀତ ଦରକାର ପଡ଼ିଲେ ବୁଥ୍‌ରେ ଭିଡ଼ିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଉପନିର୍ବାଚନରେ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ତିନି କମ୍ପାନୀ କେନ୍ଦ୍ରୀୟ ପୋଲିସବଳ (ସିପିଏଫ୍‌) ଜିଲ୍ଲାରେ ଉପସ୍ଥିତ ଅଛନ୍ତି ।

ଜିଲ୍ଲା ପ୍ରଶାସନଠାରୁ ନିର୍ବାଚନ ସଂପର୍କିତ ତଥ୍ୟ ଜାଣିବା ପାଇଁ ଜନସାଧାରଣଙ୍କ ପାଇଁ ଜିଲ୍ଲାରେ ନିଶୁଳ୍କ ଟେଲିଫୋନ୍‌ ନଂ-୧୯୫୦ କାର୍ଯ୍ୟକରୁଛି। ମତଦାନ କମ୍‌ ହେଉଥିବା ଅଞ୍ଚଳଗୁଡ଼ିକରେ ମତଦାନ ହାର ବଢ଼ାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ବି ଭୋଟ ଦେବି’ ଚାଲୁରହିଛି। ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅଞ୍ଚଳରେ ରହୁଥିବା ଭୋଟରମାନଙ୍କୁ ମତଦାନ ସଂପର୍କରେ ସଚେତନ କରାଯିବା ସହ ଅଧିକ ସଂଖ୍ୟାରେ ଯାଇ ବୁଥ୍‌ରେ ମତଦାନ କରିବାକୁ ଭୋଟରମାନଙ୍କୁ ସଚେତନ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

Related posts