Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୬୬ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଏହାର ପ୍ରାର୍ଥୀ  ଅଳକା ମହାନ୍ତି ପ୍ରାୟ ୬୬ ହଜାର ୧୨୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି।

ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଶେଷ ସୁଦ୍ଧା ୮୮,୮୭୦ ଭୋଟ ପାଇଥିବା ବେଳେ କଂଗ୍ରେସ ୨୫,୮୨୭ ଖଣ୍ଡ ଭୋଟ ହାସଲ କରିଛି। ସେହିପରି ବିଜେପି ୨୧,୪୬୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ByPoll Result: ବ୍ରଜରାଜନଗରରେ ବିଜେଡି ଯଥେଷ୍ଠ ଭୋଟରେ ରହିଛି ଆଗୁଆ

ଭୁବନେଶ୍ବର: ଆଜି ସକାଳୁ ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ଚାରି ରାଉଣ୍ଡ ସୁଦ୍ଧା ବିଜେଡି ଯଥେଷ୍ଠ ଭୋଟରେ ଆଗୁଆ ରହିଥିବାର ଜଣାପଡିଛି। ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ସୂଚନା ଅନୁସାରେ ବିଭିନ୍ନ ଦଳର ସ୍ଥିତି ହେଲା…

ବିଜେଡି – ୨୦୭୮୦
ବିଜେପି – ୫୨୧୨
କଂଗ୍ରେସ – ୩୫୬୦
ବିଜେଡି ୧୫୬୦୮ ଭୋଟରେ ଆଗୁଆ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆଜି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି କରାଯିବ। ସେଥିପାଇଁ ଝାରସୁଗୁଡା ଇଂଜିନିୟରିଂ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ଭୋଟ ଗଣତି ଆଜି ସକାଳ ଆଠଟାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ଗଣତି ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରଥମେ ପୋଷ୍ଟାଲ ବାଲଟ ଭୋଟ ଗଣତି କରାଯିବ। ଏହାର ତିରିଶି ମିନିଟ ପରେ ଇଭିଏମ ଗଣତି କରାଯିବ। ଏଥିରେ ପାଞ୍ଚୋଟି ବୁଥର ଭିଭିପାଟ ଗଣତି କରାଯାଇ ମେଳକ କରାଯିବ। ଏହି କାର୍ଯ୍ୟ କରିବା ପାଇଁ କୋଡିଏ ଜଣ ଲେଖାଏଁ ମାକ୍ରୋ ଅବଜରଭର, କାଉଣ୍ଟିଂ ସୁପର ଭାଇଜର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଡଙ୍କୁ ମୁତୟନ କରାଯାଇଛି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନରେ ଜିତିବ ବିଜେଡି, ହେଲେ ଦ୍ବିତୀୟ ସ୍ଥାନରେ କିଏ? କଂଗ୍ରେସ ନା ବିଜେପି

ଭୁବନେଶ୍ବର: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା। ହେଲେ ଏଥର ଫଳ ମଧ୍ୟ ସେହି ବିଜେଡି ଖାତାକୁ ଯିବ। କାରଣ ଓଡିଶାରେ ନବୀନ ସରକାର ଆସିବା ପରେ ଯେତୋଟି ଉପନିର୍ବାଚନ ହୋଇଛି ଗୋଟିଏକୁ ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ଜିତିଛି।

ସେଥିପାଇଁ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ଜିତିଲେ ଏଥିରେ ଉତ୍ସାହିତ ହେବାର କିଛି କାରଣ ନାହିଁ। ରାଜ୍ୟ ରାଜନୀତିର ପୁରୁଣା ଇତିହାସ କହୁଛି ଉପନିର୍ବାଚନ ଅର୍ଥ ବିଜେଡିର ଜିତାପଟ। ହେଲେ ସବୁଠୁ ବଡ କଥା ବା ଆଲୋଚନାର ବିଷୟ ହେବ ଯେ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ କିଏ ରହୁଛି। ବିଜେପି ନା କଂଗ୍ରେସ।

ପୁରଣା ରାଜନୈତିକ ଇତିହାସ ପୃଷ୍ଠା ଓଲଟାଇଲେ ପୂର୍ବରୁ ଦ୍ବିତୀୟ ସ୍ଥାନରେ ରହୁଛି ବିଜେପି। କାରଣ ମୋଦୀ ସରକାର ଆସିବା ପରେ ଓଡିଶାର ଅନେକ ଭୋଟର ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଫଳରେ ଓଡିଶାରେ ବିଜେପି ବିରୋଧୀ ଦଳରେ ବସିବାରେ ସକ୍ଷମ ହୋଇପାରିଛି। ହେଲେ ବ୍ରଜରାଜନଗରରେ ବର୍ତ୍ତମାନ ବିଜେପି ଦ୍ବିତୀୟ ସ୍ଥାନରେ ରହିବ କି ନାହିଁ ସେ ନେଇ ଅନେକଙ୍କ ସନ୍ଦେହ ଉପୁଜିଛି।

ଏପରି ସନ୍ଦେହ କରିବାର କାରଣ ମଧ୍ୟ ରହିଛି। ତାହା ହେଲା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଯେତିକି ସଫଳତା ହାସଲ କରିଛି ତାଠାରୁ ଅଧିକ କରିପାରିଥାଆନ୍ତା। ହେଲେ ରାଜ୍ୟ ନେତୃତ୍ବ ପ୍ରଚାରରେ ଯେପରି ଅଂଶ ଗ୍ରହଣ କରିବା କଥା ତାହା ହେଲା ନାହିଁ। ବିଜେପି ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ୟୁପି ନିର୍ବାଚନ ନାଁରେ ଓଡିଶା ମଇଦାନ ଛାଡିଦେଲେ। ପୌର ନିର୍ବାଚନ ବେଳକୁ ୟୁପି ନିର୍ବାଚନ ନ ଥିଲେ ମଧ୍ୟ ସେ ପ୍ରଚାର କଲେ ନାହିଁ। ଫଳରେ ବିଜେପି କର୍ମୀମାନେ ଏହି ନିର୍ବାଚନରେ ନେତୃତ୍ବ ଛେଉଣ୍ଡ ହୋଇ ବୁଲିଲେ।

ବିଜେପି ନେତୃତ୍ବର ଏପରି ଭୂମିକାକୁ ନେଇ ତଳ ସ୍ତରର କର୍ମିଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ପଞ୍ଚାୟତ ଆଉ ପୌର ନିର୍ବାଚନ ହେଉଛି କର୍ମିଙ୍କ ନିର୍ବାଚନ। ହେଲେ ସେତେବେଳେ ନେତା ଧରାଛୁଆଁ ଦେଲେ ନାହିଁ। ସେମାନଙ୍କ ମନ ଭିତରେ ଅସନ୍ତୋଷ କୁହୁଳିଛି। ଫଳରେ ରାଜନୈତିକ ସମୀକ୍ଷ ଆଶଙ୍କା କରୁଛନ୍ତି ଯେ ସେହି ଅସନ୍ତୋଷ ହୁଏତ ଭୋଟରେ ପ୍ରତିଫଳିତ ହୋଇଯିବ। ଯଦି ତାହା ସତ ହେବ ତେବେ ବିଜେପି ତୃତୀୟ ସ୍ଥାନକୁ ଖସିଆସିବା କିଛି ଅସମ୍ଭବ ହେବ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ସଂଗଠନକୁ ନଜର ପକାଇବା। ବ୍ରଜରାଜନଗର ପାଇଁ କଂଗ୍ରେସର ଜଣେ ଭଲ ପ୍ରାର୍ଥୀ ହେଉଛନ୍ତି କିଶୋର ପଟେଲ। ପୁରୁଣା କଂଗ୍ରେସ ନେତା ସହ ତାଙ୍କର ସେଠାରେ ଭଲ ସଂଗଠନ ଅଛି। ଠିକ ମତଦାନ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ହୋଇ ଶରତ ପଟ୍ଟନାୟକ ହେଲେ। ଫଳରେ ନୂଆ ସଭାପତିଙ୍କ ନେତୃତ୍ବରେ ବ୍ରଜରାଜନଗର ହେଉଛି ପ୍ରଥମ ନିର୍ବାଚନ। ତେଣୁ କଂଗ୍ରେସର ଏପରି ପରିବର୍ତ୍ତନ କଣ ଭୋଟରମାନେ ଭଲରେ ଗ୍ରହଣ କରିଛନ୍ତି କି? ଯଦି ହଁ ତେବେ ହୁଏତ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିପାରେ।

ଯଦି ଏସବୁ କାରଣ ନେଇ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିଯାଏ ତେବେ ଓଡିଶା ରାଜନୀତିରେ ହେବ ଏକ ବଡ ପରିବର୍ତ୍ତନ। ଆଉ ସେହି ପରିବର୍ତ୍ତନ କଂଗ୍ରେସ ମୁହାଁ ହେବାର କିଛି ଅସମ୍ଭବ ହେବ ନାହିଁ।

Categories
RajyasabhaElection ଆଜିର ଖବର ରାଜ୍ୟ ଖବର

ଆସିଲା ବ୍ରଜରାଜନଗର ଉପନିର୍ବାଚନ ଚୁ଼ଡାନ୍ତ ଭୋଟ ପ୍ରତିଶତ ରିପୋର୍ଟ

ଭୁବନେଶ୍ବର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ରଜରାଜନଗର ଉପନିର୍ବାଚନର ଚୁଡାନ୍ତ ଭୋଟ ପ୍ରତିଶତ ଆସିଛି। ତଥ୍ୟ ଅନୁସାରେ ଗତକାଲି ବ୍ରଜରାଜନଗରରେ ୭୧ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଯାହା ଆଶାତିତ ବୋଲି କୁହାଯାଉଛି।

ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ ଏଥର ବ୍ରଜରାଜନଗରରେ ମୋଟ ଭଟର ସଂଖ୍ୟା ହେଉଛି ୨ ଲକ୍ଷ ୧୪ ହଜାର ୮୭୮। ହେଲେ ଉପନିର୍ବାଚନରେ ମୋଟ ୧ ଲକ୍ଷ ୫୩ ହଜାର ୭୧୬ ଜଣ ମତଦାନ କରିଛନ୍ତି।

ଏହି ନିର୍ବାଚନ ମଣ୍ଡଳୀରେ ମୋଟ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୫୦ ଜଣ ଥିବା ବେଳେ ଭୋଟ ଦେଇଛନ୍ତି ୮୦ ହଜାର ୮୪୮ ଜଣ। ସେହିପରି ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୪ ହଜାର ୮୧୧ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ମତଦାନ କରିଛନ୍ତି ୭୨ ହଜାର ୮୬୫ ଜଣ। ତୃତୀୟ ଲିଙ୍ଗ ସଂଖ୍ୟା ୧୭ ଥିବା ବେଳେ ୩ ଜଣ ମତ ସାବ୍ୟସ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Brajaragnagar Bypoll: ସଂଧ୍ୟା ୫ ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ବ୍ରଜରାଜନଗର ଉପନିର୍ବାଚନ ଶେଷ ପର୍ଯ୍ୟାୟରେ ପହଁଚିଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସଂଧ୍ୟା ୫ ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭିଡ ପରିଲକ୍ଷିତ ନ ହୋଇଥିଲେ ମଧ୍ୟ ଦିନରେ ମତଦାନ ଅଧିକ ହୋଇଥିଲା।

ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ବ୍ରଜରାଜନଗରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ସରିବା ପରେ ଇଭିଏମଗୁଡିକ ଝାରସୁଗୁଡା ଇଂଜିନିୟରିଂ କଲେଜରେ ରଖାଯିବ। ସେଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚାଲିଛି ବ୍ରଜରାଜନଗର ଉପନିର୍ବାଚନ, ସକାଳ ନଅଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ସକାଳ ସାତଟାରୁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସକାଳ ନଅଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି। ଧିରେଧିରେ ଭୋଟରମାନେ ବୁଥକୁ ମତଦାନ କରିବା ପାଇଁ ଆସୁଥିବାର ପରିଲକ୍ଷିତ ହୋଇଛି।

କୋଭିଡ କଟକଣା ଦୃଷ୍ଟିରେ ରଖି ସମସ୍ତ ବୁଥରେ ସାନିଟାଇଜେନସ ବ୍ୟବସ୍ଥା କରାଯାଇଛି। ଏଥର ଭୋଟରମାନଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ୨୭୯ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ସେହିପରି ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାତିପାହିଲେ ବ୍ରଜରାଜନଗର ଉପନିର୍ବାଚନ, ସୁରକ୍ଷା ବ୍ୟବସ୍ଥା ପାଇଁ ନିଆଗଲା କଡା ପଦକ୍ଷେପ

ଝାରସୁଗୁଡା: ଆସନ୍ତାକାଲି ହେବ ବ୍ରଜରାଜନଗରର ଉପନିର୍ବାଚନ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାରଦିନ ସକାଳ ୭ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ୨୭୯ଟି ବୁଥ କରାଯାଇଛି । ଆଜି ଜିଲ୍ଲାପାଳ ଏବଂ ଏସପି ବିଭିନ୍ନ ବୁଥ ପରିକ୍ରମା କରି ପ୍ରସ୍ତୁତି ସଂପର୍କରେ ତଦାରଖ କରିଛନ୍ତି।

ଶାନ୍ତି ଶୃଙ୍ଖଳାରେ ମତଦାନ କରିବା ପାଇଁ ଏକ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ। ବ୍ରଜରାଜନଗରର ୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ। ସେଥିପାଇଁ ମଧ୍ୟ ନୀର୍ବାଚନ ଅଧିକାରୀଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ମତଦାନ ପରେ ଇଭିଏମଗୁଡିକ ରଖିବା ପାଇଁ ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି ।

ଏଥର ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ସେଥିମଧ୍ୟରୁ ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର। ବ୍ରଜରାଜନଗରରେ ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମଇଦାନକୁ ଓହ୍ଲାଇବେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରଜରାଜନଗରରେ କରିବେ ମାରାଥନ ପ୍ରଚାର

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଦିନ ବ୍ରଜରାଜନଗର ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୋଦି ସରକାରଙ୍କ ଜନକଲ୍ୟାଣ ଓ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟକୁ ନେଇ ଭାରତୀୟ ଜନତା ପାର୍ଟୀ ସାଧାରଣ ଭୋଟର ପାଖକୁ ଯାଉଛି। ପ୍ରଚାର କାର୍ଯ୍ୟକୁ ଅଧିକ ଶାଣିତ କରିବା ପାଇଁ ପାର୍ଟିର ବହୁ ବରିଷ୍ଠ ମନ୍ତ୍ରୀ ଏବଂ ନେତାମାନେ ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି।

ଗତ ଦୁଇ ଦିନ ହେଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ବ୍ରଜରାଜନନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରି ଦଳୀୟ ପ୍ରାର୍ଥିନୀ ଶ୍ରମତୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ମଙ୍ଗଳବାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରି ପ୍ରଚାର କାର୍ଯ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ସୁଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତା କାଲି ଲଖନପୁର ବ୍ଲକର ଡୁନଡୁନ ଗ୍ରାମରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚାରପାଲି, କୁମାରବନ୍ଦ, ଡାଲଗାଁ, ବନ୍ଧବାହାଲ, ଅଧାପଡା, ବଗମୁଣ୍ଡା, କଦମଡିହି, ଜାମଗାଁ, କନକତୁରା ଦେଇ ବେଲପାହାଡ ମ୍ୟୁନିସିପାଲିଟିରେ ପ୍ରଚାର କରିବେ। ସଂଧ୍ୟାରେ ଶ୍ରୀ ପ୍ରଧାନ ବ୍ରଜରାଜନଗର ମ୍ୟୁନିସିପାଲିଟିରେ ଅନୁଷ୍ଠିତ ହେବାକୁ ଥିବା ରୋଡ ସୋ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜ ନଗର ଉପନିର୍ବାଚନ: ୧୦୪୮ ଜଣ ଅଟକ, ୭୧ ଜଣଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ସଂରକ୍ଷିତ ପୋଲିଂ କର୍ମଚାରୀଙ୍କୁ ମିଶାଇ ମୋଟରେ ୧୩୯୬ ଜଣ ପୋଲିଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି। ଗୋଟିଏ ବୁଥ୍‌ ପାଇଁ ପୁଲିଙ୍ଗ ଦଳରେ ଜଣେ ପ୍ରଜାଇଡିଂ ଅଫିସରଙ୍କ ସହ ତିନିଜଣ ପୁଲିଙ୍ଗ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲଠାରେ ଭୋଟଗ୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍‌ ଏବଂ ଭିଭିପ୍ୟାଟ୍‌ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନା ଓ ଭୋଟଗଣତି କେନ୍ଦ୍ର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ୱଚ୍ଛ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲାଇସେନ୍ସପ୍ରାପ୍ତ ୧୭୦ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଭାରତୀୟ ପିଙ୍ଗଳକୋର୍ଡ ଧାରା ୧୦୭ ଓ ୧୧୬ ଅନୁସାରେ ୧୦୪୮ ଜଣଙ୍କୁ ଅଟକ ରଖାଯାଇଛି, ୭୧ ଜଣ ବ୍ୟକ୍ତିଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି ଓ ୮୩୫ ଲିଟର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନରେ ପ୍ରାର୍ଥୀମାନଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ପାଇଁ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବିଭିନ୍ନ ସର୍ଭିଲାନ୍ସ ଟିମ୍‌ ଯଥା-୨ଟି ଭିଏସ୍‌ଟିଏସ୍‌, ୫ଟି ଏସ୍‌ଏସ୍‌ଟି, ଗୋଟିଏ ଭିଭିଟି, ୬ ଟି ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଟିମ୍‌ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମତଦାନ ଦିନ ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବା ପାଇଁ ସ୍ଥିର କରାଯାଇଛି। ଏତଦ୍‌ବ୍ୟତୀତ ଦରକାର ପଡ଼ିଲେ ବୁଥ୍‌ରେ ଭିଡ଼ିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଉପନିର୍ବାଚନରେ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ତିନି କମ୍ପାନୀ କେନ୍ଦ୍ରୀୟ ପୋଲିସବଳ (ସିପିଏଫ୍‌) ଜିଲ୍ଲାରେ ଉପସ୍ଥିତ ଅଛନ୍ତି ।

ଜିଲ୍ଲା ପ୍ରଶାସନଠାରୁ ନିର୍ବାଚନ ସଂପର୍କିତ ତଥ୍ୟ ଜାଣିବା ପାଇଁ ଜନସାଧାରଣଙ୍କ ପାଇଁ ଜିଲ୍ଲାରେ ନିଶୁଳ୍କ ଟେଲିଫୋନ୍‌ ନଂ-୧୯୫୦ କାର୍ଯ୍ୟକରୁଛି। ମତଦାନ କମ୍‌ ହେଉଥିବା ଅଞ୍ଚଳଗୁଡ଼ିକରେ ମତଦାନ ହାର ବଢ଼ାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ବି ଭୋଟ ଦେବି’ ଚାଲୁରହିଛି। ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅଞ୍ଚଳରେ ରହୁଥିବା ଭୋଟରମାନଙ୍କୁ ମତଦାନ ସଂପର୍କରେ ସଚେତନ କରାଯିବା ସହ ଅଧିକ ସଂଖ୍ୟାରେ ଯାଇ ବୁଥ୍‌ରେ ମତଦାନ କରିବାକୁ ଭୋଟରମାନଙ୍କୁ ସଚେତନ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର :  ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜି ରାଜ୍ୟ ବିଜେପି ତରଫରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ନାମ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ, ଅଶ୍ୱନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଶ୍ରୀମତି ଡି.ପୂରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂହ ତୋମର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଅଛନ୍ତି।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ସାଂସଦ ସଙ୍ଗୀତା ସିଂହଦେଓ, ଛତିଶଗଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବ୍ରିଜ ମୋହନ ଅଗ୍ରୱାଲ, ସାଂସଦ ନିତେଶ ଗଙ୍ଗଦେବ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ନେତ୍ରୀ ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢ଼ୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଛନ୍ତି।

ସେହିପରି ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବଳ ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ନାଉରି ନାୟକ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ, ଶ୍ରୀମତୀ କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ବରିଷ୍ଠ ନେତା ରଞ୍ଜନ ପଟେଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ଅନୁ ଚୌଧୁରୀ ଓ ହରିହର ମହାପାତ୍ର ପ୍ରମୁଖ ସାମିଲ ଅଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନରେ ଏଥର କେତେ ଭୋଟର ଅଛନ୍ତି, କେତେ ବୁଥ ହେବ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଚଳିତ ମଇ ୩୧ ତାରିଖରେ ହେବ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ସଜବାଜ ଆରମ୍ଭ ହୋଇଯାଇଛି। ତେବେ ଏହି ନିର୍ବାଚନ ମଣ୍ଡଳୀରେ କେତେ ଭୋଟର ଅଛନ୍ତି ଏବଂ କେତେ ବୁଥ ହେବ ତାହା ଜାଣିବା ନିହାତି ଆବଶ୍ୟକ।

ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫। ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର ଅଟନ୍ତି। ଏତଦ୍‌ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି ।

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ବୁଥ୍‌ ସଂଖ୍ୟା ୨୫୭ ଥିବାବେଳେ କୋଭିଡ୍‌-୧୯ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବୁଥ୍‌ରେ ୧୨୫୦ ଜଣ ଭୋଟର ଅଧିକ ନହେବା ଯୋଗୁଁ ଆଉ ଅତିରିକ୍ତ ୨୨ଟି ବୁଥ୍‌ ସେହି ସ୍ଥାନରେ ଖୋଲିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଅର୍ଥାତ୍‌ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସର୍ବମୋଟ ବୁଥ୍‌ ସଂଖ୍ୟା ହେଉଛି ୨୭୯ ।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ବୁଥରେ ହେବ ୱେବକାଷ୍ଟିଂ, ସର୍ବଦଳୀୟ ବୈଠକରେ ଜଣାଇଦେଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୦୬-ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଥିଲେ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ସହ ସଂପୂର୍ଣ୍ଣ ନିର୍ବାଚନ ସୂଚୀ ସଂପର୍କରେ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଥିଲେ।

ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫। ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର ଅଟନ୍ତି। ଏତଦ୍‌ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି ।

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ବୁଥ୍‌ ସଂଖ୍ୟା ୨୫୭ ଥିବାବେଳେ କୋଭିଡ୍‌-୧୯ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବୁଥ୍‌ରେ ୧୨୫୦ ଜଣ ଭୋଟର ଅଧିକ ନହେବା ଯୋଗୁଁ ଆଉ ଅତିରିକ୍ତ ୨୨ଟି ବୁଥ୍‌ ସେହି ସ୍ଥାନରେ ଖୋଲିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଅର୍ଥାତ୍‌ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସର୍ବମୋଟ ବୁଥ୍‌ ସଂଖ୍ୟା ହେଉଛି ୨୭୯ ।

ଉପନିର୍ବାଚନରେ ଭୋଟରଙ୍କ ନିମନ୍ତେ ମୁଖ୍ୟ ପରିଚୟ ପତ୍ର ଭାବେ ଭୋଟର ଫଟୋ ପରିଚୟ ପତ୍ରକୁ ଗ୍ରହଣ କରାଯାଇଥିବାବେଳେ ମତଦାନବେଳେ ଭୋଟରମାନେ ନିମ୍ନଲିଖିତ ଦସ୍ତାବିଜ୍‌ଗୁଡ଼ିକୁ ପରିଚୟ ପତ୍ର ଭାବେ ବ୍ୟବହାର କରିପାରିବେ । ସେଗୁଡ଼ିକ ହେଲା ୧- ଆଧାର କାର୍ଡ, ୨-ଏମ୍‌ଜିଏମ୍‌ଆର୍‌ଏ ଜବ୍‌ କାର୍ଡ, ୩- ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ର ଫଟୋ ଥିବା ପାସ୍‌ବୁକ୍‌, ୪-ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ୫- ଡ୍ରାଇଭିଂ ଲାଇସେନ୍ସ, ୬-ପାନ୍‌ କାର୍ଡ, ୭-ପାସ୍‌ପୋର୍ଟ, ୮- ଫଟୋ ଥିବା ପେନ୍‌ସନ୍‌ ବୁକ୍‌, ୯- କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କର୍ମଚାରୀଙ୍କ ପରିଚୟ ପତ୍ର, ୧୦- ସାଂସଦ, ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ୧୧-ଏକକ ଦିବ୍ୟାଙ୍ଗ ପରିଚୟ ପତ୍ର ।

ନିର୍ବାଚନ ଆୟୋଗଙ୍କ ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ଦିନଠାରୁ ଅର୍ଥାତ୍‌, ତା.୦୨/୦୫/୨୨ଠାରୁ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ଓ ଏହା ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିଜ୍ଞାପନ ଛପା ହେଲେ ବିଜ୍ଞାପନରେ କୌଣସି ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କର ଫଟୋ ରହିବ ନାହିଁ କିମ୍ବା ଏହି ସମୟ ମଧ୍ୟରେ ଜିଲ୍ଲାରେ କୌଣସି ନୂତନ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଏହି ସମୟ ମଧ୍ୟରେ ଜିଲ୍ଲାକୁ ମନ୍ତ୍ରୀମାନଙ୍କର ସରକାରୀ ଗସ୍ତ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ଭୋଟଗ୍ରହଣ ଦିନ ବୁଥ୍‌ ମଧ୍ୟରେ ବିଶୃଙ୍ଖଳା ଓ ବୁଥ୍‌ ଜବରଦଖଲ ଇତ୍ୟାଦିକୁ ରୋକିବା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ନିର୍ବାଚନ ପ୍ରଚାର ଲାଗି ପ୍ରାର୍ଥୀମାନେ ଲିଫ୍‌ଲେଟ୍‌, ପାମ୍ପଲେଟ୍‌ ଛାପିଲେ, ଜନପ୍ରତିନିଧି ଆଇନ୍‌ ୧୯୫୧ର ଧାରା ୧୨୭(କ) ଅନୁସାରେ ମୁଦ୍ରାକାର ଓ ପ୍ରକାଶକଙ୍କ ସଂପୂର୍ଣ୍ଣ ନାମ ଓ ଠିକଣା ଲିଫ୍‌ଲେଟ୍‌ ଓ ପାମ୍ପଲେଟ୍‌ରେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍‌ ବ୍ୟବହାର ଉପରେ ନିଷୋଧାଦେଶ ଜାରି କରାଯାଇଛି । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ୩୦.୮୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ନିର୍ବାଚନର ଖର୍ଚ୍ଚର ଟିକ୍‌ନିଖ୍‌ ହିସାବ ରଖିବା ଲାଗି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପ୍ରାର୍ଥୀ ନିଜେ ଏବଂ ତାଙ୍କ ନିର୍ବାଚନ ଏଜେଣ୍ଟଙ୍କ ନାମରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିବେ।

ପାସ୍‌ବୁକ୍‌ର ଆକାଉଣ୍ଟ ନମ୍ବରକୁ ଲିଖିତ ଭାବେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବାକୁ ହେବ । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ଖବରକାଗଜ ଓ ଟିଭି ମାଧ୍ୟମରେ ପ୍ରାର୍ଥୀମାନଙ୍କର ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବେ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳମାନେ ସେମାନଙ୍କର ସରକାରୀ ସାମାଜିକ ଗଣମାଧ୍ୟମ ଯଥା-ଫେସ୍‌ବୁକ୍‌ ଓ ଟୁଇଟର ମାଧ୍ୟମରେ ନିର୍ବାଚନ ପ୍ରଚାର ପ୍ରସାର କଲେ ତାହାର ଖର୍ଚ୍ଚ ସଂପର୍କରେ ପ୍ରାର୍ଥୀଙ୍କ ନିର୍ବାଚନ ହିସାବ ରେଜିଷ୍ଟରରେ ଥିବା କ୍ରମିକ ସଂଖ୍ୟା ୧୧ରେ ଲିପିବଦ୍ଧ କରି ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରମାରଞ୍ଜନ ବଳିୟାର ସିଂହ ଓ ଜୟନ୍ତ କୁମାର ଜେନା, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜୟନ୍ତ ଦାଶ ଓ ସଂଘମିତ୍ରା ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ନେସ୍‌ନାଲିଷ୍ଟ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ବିଜୁ ଜନତା ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଏବଂ ଓଏସ୍‌ଡ଼ି ପ୍ରଫୁଲ୍ଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ତାହାର ପ୍ରାର୍ଥୀ

ଭୁବନେଶ୍ବର: ଝାରସଗୁଡା ଜିଲ୍ଲାର ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେ ହେଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲ। ଆଜି ଏଆଇସିସି ତରଫରୁ ଏହି ଘୋଷଣା କରାଯାଇଛି। ସେ ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ ମନ୍ତ୍ରୀ ମଧ୍ୟ ଥିଲେ।

ବର୍ତ୍ତମାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନିଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିସାରିଛି। ଆଜି ବିଜେପି ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେବଳ କଂଗ୍ରେସ ପ୍ରାର୍ଥୀଙ୍କ ନାମ ବାକି ରହିଥିଲା।

ଏହି ନିର୍ବାଚନ ପାଇଁ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା

ମଇ ୧୧ ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ମଇ ୧୨ ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ

ମଇ ୧୭ ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ

ମଇ ୩୧ ତାରିଖ- ଭୋଟ ଗ୍ରହଣ

ଜୁନ ୩ ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ

ଜୁନ ୫ ତାରିଖ- ନିର୍ବାଚନ ପକ୍ରିୟା ଶେଷ

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ବ୍ରଜରାଜନଗରର

ତେବେ ବିଜେପି ଏହି ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି। ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା।

ତେବେ ବିଜେପି ଏହି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏହା ପୂର୍ବରୁ ଘୋଷଣା କରିଛି। ଏହି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଶାସକ ଦଳ ବିଜେଡ଼ି ପକ୍ଷରୁ ଏହି ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

BREAKING: ଘୋଷଣା ହେଲା ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ତାରିଖ

ଭୁବନେଶ୍ବର: ଆଜି ଭାରତ ନିର୍ବାଚନ କମିଶନର ତରଫରୁ ଓଡିଶାର ଖାଲିପଡିଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଚଳିତ ମଇ 31 ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଆଜିଠାରୁ ସେହି ଅଞ୍ଚଳ ପାଇଁ ଆଚରଣ ବିଧି ଲାଗୁ କରାଯାଇଛି।

ଘୋଷଣା ଅନୁସାରେ ନିମ୍ନ ଲିଖିତ ତାରିଖ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ

ମଇ 4 ତାରିଖ- ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ

ମଇ 11 ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ମଇ 12 ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ

ମଇ 17 ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ

ମଇ 31 ତାରିଖ- ଭୋଟ ଗ୍ରହଣ

ଜୁନ 3 ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ

ଜୁନ 5 ତାରିଖ- ନିର୍ବାଚନ ପକ୍ରିୟା ଶେଷ

ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିଥିଲା। ଫଳରେ ସେହିଦିନଠାରୁ ଏହି ଆସନ ଖାଲି ପଡିଛି।