ରାତିପାହିଲେ ବ୍ରଜରାଜନଗର ଉପନିର୍ବାଚନ, ସୁରକ୍ଷା ବ୍ୟବସ୍ଥା ପାଇଁ ନିଆଗଲା କଡା ପଦକ୍ଷେପ

Published: May 30, 2022, 10:06 pm IST

ଝାରସୁଗୁଡା: ଆସନ୍ତାକାଲି ହେବ ବ୍ରଜରାଜନଗରର ଉପନିର୍ବାଚନ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାରଦିନ ସକାଳ ୭ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ୨୭୯ଟି ବୁଥ କରାଯାଇଛି । ଆଜି ଜିଲ୍ଲାପାଳ ଏବଂ ଏସପି ବିଭିନ୍ନ ବୁଥ ପରିକ୍ରମା କରି ପ୍ରସ୍ତୁତି ସଂପର୍କରେ ତଦାରଖ କରିଛନ୍ତି।

ଶାନ୍ତି ଶୃଙ୍ଖଳାରେ ମତଦାନ କରିବା ପାଇଁ ଏକ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ। ବ୍ରଜରାଜନଗରର ୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ। ସେଥିପାଇଁ ମଧ୍ୟ ନୀର୍ବାଚନ ଅଧିକାରୀଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ମତଦାନ ପରେ ଇଭିଏମଗୁଡିକ ରଖିବା ପାଇଁ ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି ।

ଏଥର ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ସେଥିମଧ୍ୟରୁ ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର। ବ୍ରଜରାଜନଗରରେ ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

Related posts