Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲା ବିଜେଡି, ଯଦି ଏହାର କାରଣ କଣ ଜାଣିବାକୁ ଚାହୁଁଛନ୍ତି ତେବେ କ୍ଲିକ କରି ପଢନ୍ତୁ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀ ସବୁଦିନିଆ ପରି ନ ଥିଲା। କାରଣ ଉଭୟ ନେତା ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସିଥିଲେ। ଯାହାକୁ ଦେଖି ସେଠାରେ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ହେଲା ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଏକ ନୀଳ ଲୁଙ୍ଗି ପିନ୍ଧି ହାତରେ ଯୋଡି ଶଙ୍ଖ ଧରି ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ପ୍ରଚାର କରୁଛନ୍ତି ବୋଲି କଟାକ୍ଷ କରିିଥିଲେ।

ଏହାର ଜବାବ ଦେବା ପାଇଁ ଆଜି ସସ୍ମିତ ଏବଂ ସ୍ବୟଂ ପ୍ରକାଶ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇ ନାହାନ୍ତି, ହେଲେ କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି, ଯୋଡି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ, ଇନଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା । ୨୪ ଘଣ୍ଟାରୁ କମ୍ ସମୟରେ ୪ ନିୟୁତ ଲୋକ ଏହି ଭିଡିଓ ଦେଖିସାରିଲେଣି।  ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ହିଁ ବିରୋଧୀ ଦଳର ନେତା ଖାସ୍ କରି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇର୍ଷାନ୍ୱିତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

ସେମାନେ କହିଛନ୍ତି ଯେ, ଇର୍ଷା ଏବଂ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି । ଏଭଳି କରି ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି । ଲକ୍ଷ ଲକ୍ଷ ବୁଣାକାର, ଯେଉଁମାନେ ଏହାକୁ ତିଆରି କରିଛନ୍ତି, ଓଡିଶାର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଏହାକୁ ପିନ୍ଧୁଛନ୍ତି, ସେମାନଙ୍କୁ ଅପମାନିତ କରିଛନ୍ତି ।

ରାଜ୍ୟରେ ବୁଣାକାର ମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି, ସେମାନଙ୍କର ଉତ୍ପାଦ ବେଶ୍ ଲୋକପ୍ରିୟ ଯାହାର ବେଶ୍ ଚାହିଦା ମଧ୍ୟ ରହିଛି । ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ୍ ଦେବାକୁ ଶ୍ରୀଯୁକ୍ତ ପ୍ରଧାନ ଉଦ୍ୟମ କରିଛନ୍ତି। ସାରା ଓଡିଶାରେ ଖାସ୍ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି । ସେହି ଲୁଙ୍ଗିକୁ ଓଡିଶାର ବୁଣାକାର ମାନେ ତିଆରି କରନ୍ତି।

ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି । ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା । ଶ୍ରୀଯୁକ୍ତ ପ୍ରଧାନ ଓଡିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି । ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ଅନେକ ସମୟ ତାଙ୍କର କଟିଛି । ସେଥିପାଇଁ ଓଡିଶାର ପରମ୍ପରା, ସଂସ୍କୃତି ଏବଂ ଅର୍ଥନୀତିକୁ ବୁଣାକାର ଭାଇ ଭଉଣୀଙ୍କ ଅବଦାନକୁ ସେ ଭୂଲି ଯାଇଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ଲକ୍ଷ ଲକ୍ଷ ବୁଣାକାରଙ୍କ ପାଖରେ, ଓଡିଶାବାସୀଙ୍କ ପାଖରେ ଖାସ୍ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କର ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ।

ତେବେ ଏହି ଲୁଙ୍ଗି ପିନ୍ଧାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ପୁଣି ଏକ ମାଟିଆ ରଂଗର ଲୁଙ୍ଗି ପିନ୍ଧି ସେହି ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ପ୍ରଚାର କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର କାହିଁକି ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ ରହିଛି କାରଣ ?

ଭୁବନେଶ୍ବର: ଏଥର ଦୁଇଟି ଆସନରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସମସ୍ତଙ୍କୁ ଚମକୃତ କରି ନିଜେ ଦୁଇଟି ଆସନରୁ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମେ ସେ ତାଙ୍କର ଚିରାଚରିତ ଆସନ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଥିଲା।

ତେବେ ଆଜି ବିଜେଡି ତରଫରୁ ଯେଉଁ ପ୍ରାର୍ଥୀ ତାଲିକା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହିଞ୍ଜିଳି ସହିତ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିରର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହେବେ। ନିଜେ ମୁଖ୍ୟମନ୍ତ୍ରୀ ୯ ଆସନର ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ସେ ନିଜେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

ଏହି ଘୋଷଣା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କାରଣ ଖୋଦ ନବୀନ ପଟ୍ଟନାୟକ କଣ ପାଇଁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କଲେ, ତାହା ପ୍ରଶ୍ନ ଉଠିଛି। ତେବେ ସମୀକ୍ଷକଙ୍କ ଅନୁସାରେ ନବୀନ ହିଞ୍ଜିଳିରୁ ଛିଡା ହୋଇ ଦକ୍ଷିଣ ଓଡିଶାରେ ଯେପରି ଦବଦବା ରଖିଛନ୍ତି ସେହିପରି ପଶ୍ଚିମ ଓଡିଶାରେ ବିଜେଡିର ଲୋକପ୍ରିୟତା ପାଇଁ ସେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା ଅର୍ଥ ବିଜେଡି ପଶ୍ଚିମ ଓଡିଶାକୁ ଫୋକସ କରିଛି। କାରଣ ସେହି ଅଞ୍ଚଳରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ଟକ୍କର ଦେବା ପାଇଁ ଦଳ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଶ୍ଚିମ ଓଡିଶାରେ ପୂର୍ବରୁ ବିଜେପିର ଦବଦବା ରହି ଆସିଛି। ସେହି ଗଡକୁ ଭାଙ୍ଗିବା ପାଇଁ ବିଜେଡି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ କଣ୍ଟାବାଞ୍ଜି ହେଉଛି କଂଗ୍ରେସ ଗଡ। ସେଠାରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ଥର ହେଲା ଜିତି ଆସୁଛନ୍ତି। ସେହିପରି ଏହି ଆସନଟି ବଲାଙ୍ଗିର ଜିଲ୍ଲା ଭିତରେ ଆସୁଛି। ବଲାଙ୍ଗିରରେ କଂଗ୍ରେସରୁ ନରସିଂହ ମିଶ୍ର ମଧ୍ୟ ସେଠାରୁ ଜିତି ଆସୁଛନ୍ତି। ସେହିପରି ବଲାଙ୍ଗିର ଲୋକସଭା ମଧ୍ୟ ବିଜେପି ହାତରେ ରହିଛି। କହିବାକୁ ଗଲେ କଣ୍ଟାବାଞ୍ଜି ବା ବଲାଙ୍ଗିର ବିଜେଡିର ଗଡ ନୁହେଁ। ତାହାକୁ ଭାଙ୍ଗିବା ପାଇଁ ଦଳ ଖୋଦ ସେନାପତିଙ୍କୁ ମଇଦାନରେ ଅବତିର୍ଣ୍ଣ କରାଇଛି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପଶ୍ଚିମ ଓଡିଶାରେ ଦଳକୁ ସୁଦୃଢ କରିବା ପାଇଁ ସମ୍ବଲପୁର ଓ ରେଢାଖୋଲ ଆସନରେ ପ୍ରାର୍ଥୀ ଅଦଳବଦଳ ମଧ୍ୟ କରିଛି। ବର୍ତ୍ତମାନ ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଲଢେଇ କରିବେ। ବିଜେଡି ଏହି ନୂଆ ରଣନୀତି ପଶ୍ଚିମ ଓଡିଶାରେ ନିଶ୍ଚିତ ପ୍ରଭାବ ପକାଇବା ବୋଲି ଜଣାପଡିଛି। ବିଜେଡିର ଏହି ନୂଆ ରଣନୀତି ବିଜେପି ପାଇଁ ନିଶ୍ଚିତ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଏହି ନେତ୍ରୀ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୁ ଜନତା ଦଳ ସେତେ କଠୋର ହେବାରେ ଲାଗିଛି। ଦଳ ବିରୋଧୀ କାମର ପ୍ରମାଣ ମିଳିଲେ ଦଳ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛି। ସେମିତି ଆଜି ଦଳ ଜଣେ ନେତ୍ରୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ କରିଛି। ସେ ହେଲେ ମୀନତି ଦେବତା।

ଆଜି ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଜୁ ମହିଳା ଜନତା ଦଳର ଉପସଭାପତି ଏବଂ ସମ୍ବଲପୁର ଓ ଦେଓଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ମୀନତି ଦେବତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛି। ଦଳର ଏକ ପ୍ରତିନିଧୀ ମଣ୍ଡଳି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ପଣ୍ଡାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଦଳ ଦାବୀ କରିଛି।

ବିଜେଡି କହିଛି ଯେ, ଗତକାଲି ଶ୍ରୀ ପଣ୍ଡା କେନ୍ଦ୍ରାପଡାରେ ନିର୍ବାଚନ ପ୍ରଚାର କରୁଥିବା ବେଳେ 15 ରୁ 20 ପିଲା ସେଥିରେ ସାମିଲ ହୋଇଥିଲେ। ସେହି ସମୟରେ ଖୋଦ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସେହି ଶୋଭାଯାତ୍ରାରେ ଥିଲେ। ଏହା ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି। ବିଜେଡି ଏ ନେଇ ଏକ ଫଟୋ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଇସ୍ତାହାର କମିଟ, ୩୮ ଜଣିଆ ତାଲିକାରେ ଜାଣନ୍ତୁ କେଉଁମାନେ ଅଛନ୍ତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଇସ୍ତାହାର କମିଟ ଗଠନ କରିଛି। ଏହି କମିଟ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏଥିରେ ମୋଟ ୩୮ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ

ଏହି କମିଟରେ 6 ଜଣଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି। ସେହିପରି ଏହି କମିଟରେ ତିନିଜଣ ପ୍ରବାସୀ ଓଡିଆଙ୍କୁ ମଧ୍ୟ ସାମିଲ କରାଯାଇଛି। ଅମର ପଟ୍ଟନାୟକ ହେଉଛନ୍ତି କମିଟର ଆବାହକ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ବିଜେଡିର ବାକିଥିବା ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା ୩୯ ଆସନ ମଧ୍ୟରୁ ୨୦ ରୁ ୨୫ ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଲୋକସଭାରେ ଅଭିନେତା ଓ ତାରକାମାନେ କେତେ ପ୍ରଭାବଶାଳୀ ଥିଲେ, କାହାର ଉପସ୍ଥାନ ଥିଲା କମ

ନୂଆଦିଲ୍ଲୀ: ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ସପ୍ତଦଶ ଲୋକସଭାରେ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍ ଓ ଗାୟକଙ୍କ ଭଳି ସେଲିବ୍ରିଟି ସାଂସଦମାନଙ୍କ ଉପସ୍ଥିତି କମ୍‍ ଥିଲେ ହେଁ ବିତର୍କରେ ଭାଗ ନେବା ବହୁତ କମ୍ ରହିଥିଲେ ହେଁ ଓଡ଼ିଆ ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତି ଏଥିରେ ଆଗରେ ଅଛନ୍ତି।

ଏହି ବିଶ୍ଳେଷଣ ପାଇଁ ୧୯ ଜଣ ସାଂସଦଙ୍କୁ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ତାଲିକାଭୁକ୍ତ କରିଥିବା ବୃତ୍ତି ଆଧାରରେ ବିଚାର କରାଯାଇଛି। ଏହି ବୃତ୍ତିଗୁଡ଼ିକ ମଧ୍ୟରେ ଅଭିନେତା/ଅଭିନେତ୍ରୀ, ଗାୟକ-ଅଭିନେତା, କଳାକାର, କ୍ରୀଡ଼ାବିତ୍, ନିର୍ଦ୍ଦେଶକ, ଲୋକଗାୟକ ଏବଂ ଏହି ବୃତ୍ତିର ଅନ୍ୟାନ୍ୟ ଭିନ୍ନତା ଅନ୍ତର୍ଭୁକ୍ତ। ବିଦାୟୀ ଲୋକସଭାରେ ଅଧିକାଂଶ ସେଲିବ୍ରିଟି ସାଂସଦଙ୍କ ମଧ୍ୟରୁ ବିଜେପିର ୧୦ଜଣ ହୋଇଥିବାବେଳେ ୫ ଜଣ ସାଂସଦ ଟିଏମସିର ଓ ବିଜେଡିର ଜରେ ରହିଛନ୍ତି।

ପିଆରଏସ୍ ଲେଜିସ୍ଲେଟିଭ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଏହି ଲୋକସଭାରେ ମୋଟ ୨୭୪ଟି ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା କି ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପାଇଁ ସର୍ବନିମ୍ନ ସଂଖ୍ୟା। ମାତ୍ର ୪ଟି ଲୋକସଭାରେ କମ୍ ବୈଠକ ବସିଥିଲେ ହେଁ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ସେସବୁକୁ ଭଙ୍ଗ କରି ଦିଆଯାଇଥିଲା। କୋଭିଡ୍-୧୯ ମହାମାରୀ ସଂସଦର ସିଟିଂ ସଂଖ୍ୟାକୁ ପ୍ରଭାବିତ କରିଥିଲା। ୨୦୨୦ରେ ସଂସଦ ମାତ୍ର ୩୩ ଦିନ ଚାଲିଥିଲା।

କମ୍ ଉପସ୍ଥାନ

ପିଆରଏସ ଲେଜିସ୍ଲେଟିଭ୍ ରିସର୍ଚ୍ଚଦ୍ୱାରା ସଂକଳିତ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ସେଲିବ୍ରିଟି ସାଂସଦମାନଙ୍କର ହାରାହାରି ୫୬.୭% ଉପସ୍ଥାନ ଥିଲା। ଏହା ସମସ୍ତ ସାଂସଦଙ୍କ ହାରାହାରି ୭୯% ତୁଳନାରେ କମ୍। ବିଜେପିର ୧୯ଜଣ ସେଲିବ୍ରିଟି ସାଂସଦଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କ ଉପସ୍ଥିତି ଜାତୀୟ ହାରାହାରିଠାରୁ ଅଧିକ ଥିଲା।

ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ ନିରାହୁଆଙ୍କ ଉପସ୍ଥିତି ୯୦% ଥିଲା। ବଙ୍ଗଳା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀ୮୮%, ଭୋଜପୁରୀ ଅଭିନେତା ମନୋଜ ତିୱାରୀଙ୍କ ୮୫% ଏବଂ ସୁଟିଂରେ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋରଙ୍କର ୮୦% ଥିଲା। ବଙ୍ଗଳା ଅଭିନେତା ଦୀପକ (ଦେବ) ଅଧିକାରୀଙ୍କ ଉପସ୍ଥିତି ସର୍ବନିମ୍ନ ୧୨% ଥିବାବେଳେ ଷୋଡ଼ଶ ଲୋକସଭାରେ ଏହା ୧୧% ଥିଲା। ଓଡ଼ିଆ ଚଳଚ୍ଚିତ୍ର ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଉପସ୍ଥାନ ୭୬% ରହିଛି।

ଏହି ତାଲିକାରେ ହିନ୍ଦୀ ଅଭିନେତା ଅଜୟ ସିଂ ଦେଓଲ ଓରଫ ସନ୍ନି ଦେଓଲ ୧୭%, ବଙ୍ଗଳା ଅଭିନେତ୍ରୀ ତଥା ଗାୟିକା ମିମି ଚକ୍ରବର୍ତ୍ତୀ ୨୧%, ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରୁହି ୩୯%, ଗାୟକ ହଂସରାଜ ହଂସ ୩୯%, ହିନ୍ଦୀ ଅଭିନେତ୍ରୀ କିରଣ ଖେର ୪୭% ଏବଂ ଅଭିନେତ୍ରୀ ହେମା ମାଳିନୀ ୫୦% ଓ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଉପସ୍ଥାନ ୬୧% ରହିଛି।

ବିତର୍କରେ ଅଂଶଗ୍ରହଣ

ମୋଟାମୋଟି ଭାବେ ସେଲିବ୍ରିଟି ସାଂସଦମାନେ କିଛି ବିତର୍କ ଓ ଆଲୋଚନାରେ ଭାଗ ନେଇଥିଲେ। ସେଲିବ୍ରିଟି ସାଂସଦଙ୍କ ମଧ୍ୟରେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ସର୍ବାଧିକ ୮୨% ବିତର୍କରେ ଭାଗ ନେଇଥିବାବେଳେ ଭୋଜପୁରୀ ଅଭିନେତା ତଥା ଗାୟକ ରବି କିଶନ ୮୧% ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଲକେଟ ଚାଟାର୍ଜୀ ୪୩ % ତୃତୀୟ ସ୍ଥାନରେ ଅଛନ୍ତି। ହିନ୍ଦୀ ଅଭିନେତା ଦେଓଲ ଓ ସିହ୍ନା କୌଣସି ବିତର୍କରେ ଭାଗ ନେଇନଥିଲେ। ଅଧିକାରୀ ଗୋଟିଏ ବିତର୍କରେ ଭାଗ ନେଇଥିବା ବେଳେ ଗମ୍ଭୀର ଓ ହଂସ ଯଥାକ୍ରମେ ୩ ଓ ୪ଟି ବିତର୍କରେ ଭାଗ ନେଇଥିଲେ।

ପ୍ରଶ୍ନ ପଚାରିବା

ସପ୍ତଦଶ ଲୋକସଭାରେ ସାଂସଦମାନେ ହାରାହାରି ୨୧୦ଟି ଲେଖାଏଁ ପ୍ରଶ୍ନ ପଚାରିଥିଲେ। ୧୯ ଜଣ ସେଲିବ୍ରିଟି ସାଂସଦଙ୍କ ମଧ୍ୟରୁ ମାତ୍ର ୪ ଜଣ ଜାତୀୟ ହାରାହାରିଠାରୁ ଅଧିକ ବା ଅଧିକ ପଚାରିଥିଲେ। ରବି କିଶନ ୪୮୦ଟି, ତିୱାରୀ ୩୯୫ଟି, ଲକେଟ ଚାଟାର୍ଜୀ ୨୯୫ଟି ଏବଂ ସୁମଲତା ଅମ୍ବରୀଶ ୨୧୦ଟ ଓ ଅନୁଭବ ମହାନ୍ତି ୧୬୮ଟି ପ୍ରଶ୍ନ ପଚାରିଛନ୍ତି।

ଶତ୍ରୁଘ୍ନ ସିହ୍ନା କୌଣସି ପ୍ରଶ୍ନ ପଚାରି ନ ଥିଲାବେଳେ ବଙ୍ଗୀୟ ଅଭିନେତ୍ରୀ-ନିର୍ଦ୍ଦେଶକ ସତବଦି ରାୟ ବାନାର୍ଜୀ ଗୋଟିଏ ପ୍ରଶ୍ନ ପଚାରିଲେ, ଲୋକକଣ୍ଠଶିଳ୍ପୀ ମହମ୍ମଦ ସାଦିକ ଦୁଇଟିୁ ପ୍ରଶ୍ନ ପଚାରିଲେ ଏବଂ ସନ୍ନି ଦେଓଲ ୪ଟି ପ୍ରଶ୍ନ ପଚାରିଥିଲେ। ଏହାବ୍ୟତୀତ ସଂସଦରେ ମାତ୍ର ୪ ଜଣ ସେଲିବ୍ରିଟି ସାଂସଦ ଘରୋଇ ବିଲ୍ ଉପସ୍ଥାପନ କରିଥିଲେ। ରବି କିଶନ ୧୦ଟି ବିଲ୍, ଅନୁଭବ ମହାନ୍ତି ୩ଟି ବିଲ୍, ଲକେଟ୍ ଚାଟାର୍ଜୀ ୨ଟି ବିଲ୍ ଏବଂ ଗୌତମ ଗମ୍ଭୀର ଗୋଟିଏ ବିଲ୍ ଆଣିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିର ଯୁବ ନେତା ଅମିତ ମଲ୍ଲିକଙ୍କୁ ମିଳିଲା ନୂଆ ଦାୟିତ୍ବ, ଜାଣନ୍ତୁ କଣ

ଭୁବନେଶ୍ବର: ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ଦୁଇଟି ଦାୟିତ୍ବ ଦେଇଛନ୍ତି। ସେ ବର୍ତ୍ତମାନ ଦଳର ମୁଖପାତ୍ର ଥିବା ବେଳେ ଆଜି ତାଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ବ ଦେଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ଅମିତ ମଲ୍ଲିକଙ୍କୁ ନୟାଗଡ ଜିଲ୍ଲାର ଖଣ୍ଡପଡା ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ମଧ୍ୟ ଉଲ୍ଲେଖ କରାଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାର୍ଥୀ ଘୋଷଣା ନେଇ ଦୁଇ ପ୍ରମୁଖ ଦଳ ଭିତରେ ଛକାଛକି, ବିଜେଡି ଅସନ୍ତୁଷ୍ଠଙ୍କୁ ଅନେଇ ରହିଛି ବିଜେପି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାଁନ୍ତି। କେବଳ ବିଜେଡି ତାହାର 15 ଲୋକସଭା ଏବଂ 72 ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିଜେପି ସଂପୂର୍ଣ୍ଣ ଭାବେ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଧାନସଭାର ଗୋଟିଏ ମଧ୍ୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ସେହିପରି କଂଗ୍ରେସ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ବିଜେଡିର ପ୍ରାର୍ଥୀ ତାଲିକାକୁ ଉଭୟ ବିଜେପି ଓ କଂଗ୍ରେସ ଅନେଇ ରହିଛନ୍ତି। କାରଣ ହେଲା ବିଜେଡିରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ରହିଛନ୍ତି ବହୁ ଆଶାୟୀ। ସେମାନଙ୍କର ନିଜ ନିଜ ନିର୍ବାଚନ ମଣ୍ଡଳିରେ କିଛି ନା କିଛି ସଂଗଠନ ରହିଛି। ସେଥିପାଇଁ ବିଜେଡି ଜଣଙ୍କ ନାମ ଘୋଷଣା କରିବା ପରେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ ଦଳ ଛାଡିବେ। ସେହିମାନଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟିକେଟ ଦେବ ବୋଲି ଅନେଇ ରହିଛନ୍ତି।

ଅନ୍ୟପଟେ ବିଜେଡି ଏହି କଥା ଜାଣିବା ପରେ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁ ନାହିଁ। ବର୍ତ୍ତମାନ ବିଜେଡି 72 ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଅନ୍ୟ 75ଟି ଆସନ ବିବାଦୀୟ ରହିଛି। ଅର୍ଥାତ ଏହି ଆସନରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ଅଧିକ। କାଳେ ସେମାନଙ୍କୁ ଟିକେଟ ନ ଦେଲେ ଦଳ ଛାଡି ଦେବେ ସେଥିପାଇଁ ବିଜେଡି ମଧ୍ୟ ତାଲିକାକୁ ଜାବୁଡି ଧରିଛି। ମୁଖ୍ୟତଃ ବିଜେପି ଘୋଷଣା କରିବା ପରେ ବିଜେଡି ତାହାର ତାଲିକା ଖୋଲିବ ବୋଲି ଜଣାପଡିଛି।

ବିଜେଡି ପାଇଁ ବର୍ତ୍ତମାନ ଭୁବନେଶ୍ବରର ତିନି ବିଧାନସଭା ଆସନରେ ପ୍ରାର୍ଥୀ ଦେବା କଷ୍ଟକର ହୋଇପଡିଛି। କାରଣ ଏହି ତିନୋଟି ଆସନରେ ଆଶାୟୀଙ୍କ ଦାବୀ ଜୋରଦାର ହୋଇଛି। ଭୁବନେଶ୍ବରର ଉତ୍ତରରେ ବିଜେଡି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଟିକେଟ ପାଇବେ ନାହିଁ ବୋଲି ଜାଣିବା ପରେ ଦଳ ଛାଡି ଦେଇଛନ୍ତି। ହେଲେ ଅନ୍ୟ ଆସନରେ ଆଶାୟୀ ଏବେ ବିଜେଡି ଟିକେଟକୁ ଅନେଇ ରହିଛନ୍ତି। କୌଣସି କାରଣରୁ ବିଜେଡି ଟିକେଟ ନ ଦେଲେ ସେମାନେ ଦଳ ଡିଆଁ ଆରମ୍ଭ କରିଦେବେ।

ତେବେ ଏହି ଛକାଛକି ଭିତରେ ବର୍ତ୍ତମାନ ବିଜେପି ଯେଉଁ ଯେଉଁ ଆସନରେ ତାଙ୍କ ପ୍ରାର୍ଥୀଙ୍କ ସଂଗଠନ ରହିଛି ସେଗୁଡିକ ଘୋଷଣା କରିବ ବୋଲି ଜଣାପଡିଛି। ହେଲେ ଏମିତି ଅନେକ ଆସନ ରହିଛି ଯାହା ବିଜେପି ପାଖରେ ସେପରି କେହି ଦବଦବା ଥିବା ପ୍ରାର୍ଥୀ ନାହାଁନ୍ତି। ସେଥିପାଇଁ ଦଳ ସେହି ଆସନ ପାଇଁ ବିଜେଡିର ଅସନ୍ତୁଷ୍ଠଙ୍କୁ ଅନେଇ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ। ଏ ନେଇ ବିଜେଡି ଆଶାୟୀଙ୍କ ଛାତିରେ ଛନକା ପଶିଗଲାଣି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଦୁଇଟି ପର୍ଯ୍ୟାୟରେ ମୋଟ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।

ବର୍ତ୍ତମାନ ବିଜେଡିର ଆଉ 75 ଟି ବିଧାନସଭା ଏବଂ 6 ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଲା। ଏହି ଆସନ ପାଇଁ ଦଳ ତରଫରୁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଦିନରାତି କସରତ କରିବାରେ ଲାଗିଛନ୍ତି। ଯଦି କାହାକୁ ନବୀନ ନିବାସରୁ ଡକରା ଆସୁଛି ତେବେ ବିରୋଧୀ ଗୋଷ୍ଠି ବିରୋଧ ଆରମ୍ଭ କରିଦେଉଛନ୍ତି। ଫଳରେ ସେମାନଙ୍କୁ ମ୍ୟାନେଜ କରିବା ଦଳ ପାଇଁ କଷ୍ଟକର ହୋଇପଡୁଛି।

Categories
ଆଜିର ଖବର ରାଜ୍ୟ ଖବର

ଲୋକସଭା ଆସନ ପାଇଁ ଜାରି ହେଲା ବିଜେଡ଼ି ର ପ୍ରାର୍ଥୀ ତାଲିକା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବେ ପ୍ରଣବ ପ୍ରକାଶ

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ସମସ୍ତ ଦଳ ଏବେ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି। ଏହିକ୍ରମରେ ଓଡିଶାର ବିଜୁ ଜନତା ଦଳ ମଧ୍ୟ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୯ ଟି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସମ୍ବଲପୁର ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ସୁନ୍ଦର ଗଡ ଆସନ ପାଇଁ ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ସେହିଭଳି ମୟୂରଭଞ୍ଜରୁ ସୁଦାମ ମାରଣ୍ଡୀ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀ, ଭୁବନେଶ୍ବର ଆସନ ପାଇଁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ସେହିଭଳି କୋରାପୁଟ ଲୋକସଭା ଆସନ ପାଇଁ କୌଶଲ୍ୟା ହିକ୍କକାଙ୍କୁ ଟିକେଟ ମିଳିଥିବା ବେଳେ ଆସ୍କା ଆସନ ପାଇଁ ରଞ୍ଜିତ ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର

କାମ ଦେଲାନି ବାପାଙ୍କ ତାଗିଦ୍: ବିଜେଡ଼ି ରେ ମିଶିଲେ ସୁର ରାଉତରାୟଙ୍କ ସାନ ପୁଅ

ଭୁବନେଶ୍ଵର: ବାପାଙ୍କ ଅନିଚ୍ଛା ଏବଂ ତାଗିଦ୍ ସତ୍ତ୍ୱେ ସାନ ପୁଅ ବିଜେଡ଼ି ରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ଆଜି ବିରାଟ ପଟୁଆରରେ ଆସି ଶଙ୍ଖ ଭବନରେ ବିଜେଡ଼ି ରେ ସାମିଲ ହୋଇଛନ୍ତି। ସେଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ସ୍ବାଗତ କରିଛନ୍ତି। ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।

ମନ୍ମଥ କହିଛନ୍ତି ଯେ, ନବୀନନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡି ରେ ସାମିଲ ହୋଇଛି। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଭରସା କରିଥିବାରୁ ମୁଁ ଗର୍ବିତ। ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ। ମୁଁ ଶୃଙ୍ଖଳିତ କର୍ମୀ ଭାବେ ବିଜେଡ଼ି ଦଳରେ କାମ କରିବି।

ଉଲ୍ଲେଖ ଯୋଗ୍ୟ ଯେ, ରାଜନୀତିକୁ ଆସିବା ପୂର୍ବରୁ ମନ୍ମଥ ଜଣେ ପାଇଲଟ ଭାବେ କାର୍ଯ୍ଯ କରୁଥିଲେ। ଚାକିରୀରୁ ସ୍ଵେଚ୍ଛାକୃତ ଭାବେ ଅବସର ନେବା ପରେ ରାଜନୀତିରେ ସାମିଲ ହେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେ କେଉଁ ଦଳରେ ସାମିଲ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଥିଲା। ହେଲେ ସେ ବିଜେଡ଼ିରେ ସାମିଲ ହେବା ପରେ ଏହି କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି।

ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ବାପା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି। କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି ସୁର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ରୁ ୨୦୩୪ ଓଡିଶାର ଯୁବକଙ୍କ ପାଇଁ ସୁବର୍ଣ୍ଣ ସମୟ: ବିଜେଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭୦୦୦ ହାଇସ୍କୁଲକୁ ୫-ଟି ହାଇସ୍କୁଲରେ ରୂପାନ୍ତରିତ କରାଯାଇଛି। ସେହିଭଳି ଅଧିକାଂଶ କଲେଜର ରୂପାନ୍ତରଣ ମଧ୍ୟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଠିନ ପରିଶ୍ରମରେ ଏହା ସଫଳ ହୋଇଛି ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହାସଚିବ ଇପସୀତା ସାହୁ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଛନ୍ତି ଯେ, ୟୁଜି ଏବଂ ପିଜି କୋର୍ସରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କୁ ବିଜେଡି ସରକାର ନୂଆ- ଓ ସ୍କଲାରଶିପ ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରାୟ ୯୮% ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ଦେଶର କୌଣସି ବି ରାଜ୍ୟରେ ଏତେ ବଡ ମାତ୍ରାରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଚାଲିନାହିଁ। ଓଡିଶା ଏ ଦିଗରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିପାରିଛି।

ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହିତ ସ୍ପୋର୍ଟସ୍ ଏବଂ କଲଚୁରାଲ ପ୍ଲାଟଫର୍ମ ଉପଲବ୍ଧ କରାଇଛନ୍ତି। ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନବୀନ ଓଡିଶା ମ୍ୟାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ନବୀନ ଓଡିଶା ମ୍ୟାଜିକ କାର୍ଡରେ ରାଜ୍ୟ ସରକାର ଘୋଷଣା କରିଥିବା ସୁବିଧା ବାଦ୍ ଆଉ କ’ଣ ସବୁ ସୁବିଧା ସାମିଲ କରିବାର ଆବଶ୍ୟକତା ରହିଛି, ସେନେଇ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ୫-ଟି ଅଧ୍ୟକ୍ଷ କହଥିଲେ।

ଆଗାମୀ ୭ ଦିନ ଭିତରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା, ଜିଲ୍ଲା ଗସ୍ତ କରି ଏନେଇ ମତାମତ ସଂଗ୍ରହ କରିବେ। ଏହାବାଦ୍ ଗୁଣାତ୍ମକ ଶିକ୍ଷା ପାଇଁ ଛାତ୍ରମାନଙ୍କର ଆଉ କ’ଣ ଆବଶ୍ୟକତା ରହିଛି, ସେନେଇ ଆସିଥିବା ପରାମର୍ଶକୁ ଏକାଠି କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଦାନ କରାଯିବ। ଆମ ହ୍ୱାଟସଆପ୍ ନମ୍ବର-୯୦୭୮୪୦୪୪୪୪ ଏବଂ ଇ-ମେଲ୍ ଆଇଡି-ଭମହୟକ୍ଟଲଲସମସବକ୍ଷଅଶଜ୍ଞବସକ୍ଷ.ମକ୍ଟଜ୍ଞ ଜରିଆରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ।

ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ଯେଉଁ ଇସ୍ତାହାର ଜାରି କରାଯିବ, ସେଥିରେ ସ୍ୱତନ୍ତ୍ର ଭାବେ ଷ୍ଟୁଡେଣ୍ଟ ମାନିଫେଷ୍ଟୋ ସାମିଲ କରିବା ପାଇଁ ଅନୁରୋଧ କରାଯିବ ଏବଂ ଏହାକୁ ନୂତନ ସରକାରର ପ୍ରଥମ କ୍ୟାବିନେଟରେ ପାରିତ କରିବାକୁ ଛାତ୍ର ସମାଜ ପକ୍ଷରୁ ଅନୁରୋଧ କରିବୁ। ଆମର ସଂପୂର୍ଣ୍ଣ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିବେ। ଆଗାମୀ ୧୦ ବର୍ଷ ଅର୍ଥାତ୍ ୨୦୨୪ରୁ ୨୦୩୪ ଯାଏଁ ଛାତ୍ର ଏବଂ ଯୁବପୀଢିଙ୍କ ପାଇଁ ସୁବର୍ଣ୍ଣ ସମୟ। ଏହି ଅବଧିରେ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି, ଦକ୍ଷତା ବିକାଶ, ନିବେଶ ଓ ନିଯୁକ୍ତି ଜରିଆରେ ସଶକ୍ତିକରଣ ବ୍ୟାପକ ଆକାରରେ ହେବାକୁ ଯାଉଛି। ଯାହା ଏକ ସମୃଦ୍ଧ, ସଶକ୍ତ ଓ ନବୀନ ଓଡିଶା ଗଠନରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ସାହୁ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ବିଶ୍ୱପ୍ରତାପ ସାହୁ, ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବା ଅପରୂପା, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ନବୀନ ନିବାସ ଯାଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ବିଜେପି ନେତ୍ରୀ ଇରାନୀ ରାୟ

ଭୁବନେଶ୍ୱର: ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡଃ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଏବଂ ଶତାଧିକ ବିଜେପି କର୍ମୀଙ୍କୁ ଡଃ ସାହୁ, ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନୟାଗଡ଼ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡଃ ସାହୁ, ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ନୟାଗଡ଼ରେ ବିଜେପି ପାଇଁ ବହୁତ କିଛି କରିଥିଲି । ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମୋତେ ବିଜେପିରେ ମିଳିଲାନି। ବିଜେପିରେ ମହିଳାଙ୍କୁ ସମ୍ମାନ ମିଳେନାହିଁ। ମୋ ସହିତ ଅନ୍ୟାୟ କରିଛି ବିଜେପି। ବିଜେପିର ଅନ୍ୟାୟ ବିରୋଧରେ ଲଢ଼ିବି। ବିଜେପିରେ ମୋତେ ବହୁତ ଅଣଦେଖା କରାଯାଉଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବାଲୁଗାଁ ମଣ୍ଡଳ ସଭାପତି ବିନୋଦ କୁମାର ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାତ କୁମାର ଷଡ଼ଙ୍ଗୀ, ଓଡଗାଁ ମଣ୍ଡଳ ସଭାପତି ଦୁର୍ଗା ଚରଣ ପଣ୍ଡା, କୃଷକ ମୋର୍ଚ୍ଚା ସଭାପତି ଶିବ ଶଙ୍କର ମହାନ୍ତି, ଓଡଗାଁ ଏନଏସି ମଣ୍ଡଳ ସଭାପତି ପ୍ରକାଶ ଦାସ, ନୟାଗଡ଼ ଜିଲ୍ଲା ଉପସଭାପତି ବିରେନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ଅମିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜେଡି

ଭୁବନେଶ୍ୱର: ଫ୍ରାଙ୍କଲିନ ରୁଜଭେଲ୍ଟ କହିଛନ୍ତି, “ଆମେ ସବୁବେଳେ ଆମର ଯୁବଗୋଷ୍ଠୀଙ୍କ ପାଇଁ ଭବିଷ୍ୟତ ନିର୍ମାଣ କରିପାରିବା ନାହିଁ , କିନ୍ତୁ ଆମେ ଆମର ଯୁବକଙ୍କୁ ଭବିଷ୍ୟତ ପାଇଁ ନିର୍ମାଣ ପାରିବା।” ବିଜେଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟକୁ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ନେତୃତ୍ୱ ଭୂମିକା ଗ୍ରହଣ କରିବା ପାଇଁ ଯୁବପିଢ଼ି କିପରି ରୂପ ନେଉଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ସମାଜର ଭବିଷ୍ୟତ ନିର୍ଭର କରୁଛି। ତେଣୁ ଯୁବଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର।

ଆଜି ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ, ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅର୍ଥନୈତିକ ସୁଯୋଗ କ୍ଷେତ୍ର ଭାବେ ଇଲେକ୍ଟ୍ରୋନିକ୍ ପଲିସି, ୨୦୨୧; ଆଇଟି ନୀତି ୨୦୨୨; ବିପିଓ ନୀତି ୨୦୨୨; ଡାଟା ସେଣ୍ଟର ପଲିସି ୨୦୨୧ରେ ଏହି ସବୁ କ୍ଷେତ୍ରର ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇଛି। ଏଠାରେ ବ୍ୟାପକ ନିଯୁକ୍ତି ସହିତ ଶିକ୍ଷାର ପ୍ରସାର ହୋଇପାରୁଛି। ଇନୋଭେସନ ହବ୍‌- ଇନଫୋସିଟି ଭଳି ସିଲିକନ୍ ଭ୍ୟାଲି; ଇନଫୋ ଭ୍ୟାଲି ଓ ହବ୍ ଆଦି ରହିଛି । ବଡ଼ ବଡ଼ ସହରର ଆହ୍ୱାନ ବିନା ଭୁବନେଶ୍ୱର ଆଦର୍ଶ ସ୍ଥାନ ସାବ୍ୟସ୍ତ ହୋଇଥିଲା। ନାସ୍କମ୍ ଏବଂ ଡେଲୋଇଟ୍ ଏହାକୁ ସ୍ୱୀକୃତି ଦେଇଛନ୍ତି।

ଆସେଞ୍ଚର, ଆଇବିଏମ୍‌, କଗ୍ନିଜେଣ୍ଟ୍‌, ମାଇକ୍ରୋସଫ୍ଟ, ଇନଫୋସିସ୍‌, ଟେକ୍ ମହିନ୍ଦ୍ରା, ଟିସିଏସ୍ ପକ୍ଷରୁ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପିଡବ୍ଲ୍ୟୁସି, ଇୱାଇ ଏବଂ ଡେଲୋଇଟ୍‌ର ମଧ୍ୟ ନିଜସ୍ୱ କେନ୍ଦ୍ର ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବୃହତ ବିପିଓ ଫାର୍ମ କନସେନଟ୍ରିକ୍ସ ଉଦ୍‌ଘାଟନ କରିଥିଲେ। ଷ୍ଟେମ୍ ଗ୍ରାଜୁଏଟମାନେ ଏକ ପାଦ ଆଗକୁ ବଢିଛନ୍ତି। ୫ଟିରେ ଟି ଅର୍ଥ ଟେକ୍ନୋଲୋଜି।

ଶିକ୍ଷା ପରିଦୃଶ୍ୟରେ ନୂଆ ଓ – ସାମ୍ସ ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ହୋଇଛି । ଛାତ୍ରମାନଙ୍କୁ ୯୦୦୦ ଓ ମହିଳା ଛାତ୍ରୀମାନଙ୍କୁ ୧୦୦୦୦ ଟଙ୍କାର ବୃତ୍ତି ମିଳୁଛି । ଶିକ୍ଷାର ଅନ୍ତର୍ଭୁକ୍ତ ଏବଂ ସମାନ ଉପଲବ୍ଧତା ଭାବେ ଏସ୍‌ସି, ଏସ୍‌ଟି ଓ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଅଧିକ ବୃତ୍ତି ମିଳିଥାଏ । ନୂଆ ଉନ୍ନତ ଅଭିଳାଷ ଆଗାମୀ ତିନି ବର୍ଷ ମଧ୍ୟରେ ଏକ ଲକ୍ଷ ଯୁବକଙ୍କୁ ତାଲିମ ଦେବ । ଏଥିପାଇଁ ୩୮୫ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି । ୟୁଜି ଏବଂ ପିଜି ପାଇଁ ମ୍ୟାଜିକ୍ କାର୍ଡ – ସୁବିଧା ରହିଛି ।

ଦକ୍ଷତା ଏବଂ ଉଦ୍ୟୋଗୀ ଲ୍ୟାଣ୍ଡସ୍କେପ୍ ଭାବେ ଡବ୍ଲୁଏସ୍ସି ଆଇଟିଇଇଏସ୍ ଭାଗିଦାରୀ-୨୦୨୧ରେ ୭ଟି ଟ୍ରେଡରେ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ, ଇଞ୍ଜିନିୟରିଂ ସ୍କୁଲ – ୫ଟି ପାଠ୍ୟକ୍ରମ ଓ ସର୍ଭିସ ସ୍କୁଲରେ ୨ଟି ପାଠ୍ୟକ୍ରମ ରହିଛି । ଡବ୍ଲୁଏସସି ଏକାଡେମୀ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବ ଏବଂ ଆଇଟିଆଇ ଏବଂ ପଲିଟେକ୍ନିକ୍‌ର ଉନ୍ନତି ପାଇଁ ଏକ ହବ୍ ଏବଂ ସ୍ପିକ୍ ମଡେଲ ଭାବରେ କାର୍ଯ୍ୟ କରିବ ।

ସଂକଳ୍ପ ଯୋଜନାରେ ଉଦ୍ୟୋଗୀମାନଙ୍କ ପାଇଁ ୧୦୦ ଘଣ୍ଟିଆ ପାଠ୍ୟକ୍ରମ; ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୦,୦୦୦ ପ୍ରଶିକ୍ଷିତ ଏବଂ ୧୦୦୦ ଜଣଙ୍କୁ ଗ୍ରାମାଞ୍ଚଳରେ ଉଦ୍ୟୋଗ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପ୍ରାକୃତିକ ପ୍ରତିଭା ଥିବା ଲୋକଙ୍କ ପାଇଁ ପୂର୍ବ ଶିକ୍ଷାର ସ୍ୱୀକୃତି ପ୍ରଦାନ କରାଯାଉଛି ।

ଡାସଲ୍ଟ; ମାଇକ୍ରୋସଫ୍ଟ; ଟେକ୍ ମହିନ୍ଦ୍ରା; କୋର୍ସରା; ଆଇବିଏମ୍ ଆଦି ଡିଜିଟାଲ ଦକ୍ଷତା କ୍ଷୁଦ୍ର ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଏଥି ମଧ୍ୟରେ ଡିଜିଟାଲ ଆନିମେସନ ଏବଂ ସ୍ପେସିଆଲ ଏଆଇ ପାଠ୍ୟକ୍ରମ ରହିଛି । ସେହିଭଳି ସିଙ୍ଗାପୁର ସହ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି ।
ମିଶନ ଶକ୍ତିକୁ ସହାୟତା ପାଇଁ ଆଉ ୯ଟି ପାଠ୍ୟକ୍ରମ – ଲଜିଷ୍ଟିକ୍ ସାମୁଦ୍ରିକ ଇଞ୍ଜିନିୟରିଂ ସ୍ୱାସ୍ଥ୍ୟ ସେବା; ମହିଳାମାନଙ୍କ ପାଇଁ କଷ୍ଟମ ଏମବିଏ ଏବଂ ପୋଷାକରେ ପ୍ରଶିକ୍ଷଣ ସହ ମାଇକ୍ରୋ ଉତ୍ପାଦନ । ଡବ୍ଲୁଏସସିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଜାତୀୟ କ୍ୟାରିୟର ସେଣ୍ଟର ଭାବରେ ସ୍ୱୀକୃତି ଦେଇଛି ଯାହା ବିଦେଶୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛି । ଆଇଓଟିରେ ଉତ୍କର୍ଷ କେନ୍ଦ୍ରର ଯୋଜନା; ସ୍ମାର୍ଟ ଉତ୍ପାଦନ; ଉନ୍ନତ ୱେଲ୍ଡିଂ ଇତ୍ୟାଦି ରହିଛି ।

“ଭବିଷ୍ୟତ ପାଇଁ ଯୁବ ଓ ଯୁବଗୋଷ୍ଠୀଙ୍କ ପାଇଁ କ୍ରୀଡ଼ା’ । କ୍ରୀଡ଼ା ଓ ଯୁବସେବା ବିଭାଗ ଏଥିପାଇଁ ଭୁବନେଶ୍ୱରରେ କଳିଙ୍ଗ ସ୍ପୋର୍ଟସ କମ୍ପେ୍ଲକ୍ସ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, କଟକରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ୬ ଫିଫା ଷ୍ଟାଣ୍ଡାର୍ଡ ଫୁଟବଲ ପିଚ୍ (୫ ପ୍ରାକୃତିକ + ୧ କୃତ୍ରିମ), ପୁରୀ, ବ୍ରହ୍ମପୁର, ଜୟପୁର, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାଉରକେଲା, (ପ୍ରସ୍ତାବିତ- ସମ୍ୱଲପୁର ଓ ବାଲେଶ୍ୱର), ତମାଣ୍ଡୋ ଓ କୁଲୁଣ୍ଡିରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ୧୬ଟି କ୍ରୀଡ଼ା ଏକାଡେମୀ, ୧୨ ସୁଇମିଂ ଗ୍ରାସରୁଟ୍ ସେଣ୍ଟର, ୪୦ଟି ଇନ୍‌ଡୋର ହଲ୍‌, ୨ଟି ଇନ୍‌ଡୋର ଜିମ୍ନାଷ୍ଟିକ୍ସ ଓ ଭାରୋତ୍ତୋଳନ ହଲ୍‌, ୯୦ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ୨୫ଟି ସିନ୍ଥେଟିକ୍ ହକି ପ୍ରଶିକ୍ଷଣ ପିଚ୍ (ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ପାଇଁ), ୩୧୪ଟି ଗ୍ରାମୀଣ ମିନି ଷ୍ଟାଡିୟମ, ୧୪୯ ଅର୍ବାନ ମିନି ଷ୍ଟାଡିୟମ ଓ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ରହିଛି ।

ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର ଆଇଓସି ସହ ଭାଗିଦାରୀ କରିଛନ୍ତି । ସୁସ୍ଥ ଜୀବନଶୈଳୀ ପାଇଁ ଜୀବନ କୌଶଳ, ମୂଲ୍ୟବୋଧ ଏବଂ କ୍ରୀଡ଼ାରେ ଜୀବନବ୍ୟାପୀ ଅଂଶଗ୍ରହଣ ଶିଖାଇବା ପାଇଁ ଓଡ଼ିଶାର ୩୫୦ରୁ ଅଧିକ ବିଦ୍ୟାଳୟରେ ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି) ପ୍ରଦାନ ।

ମାଉଣ୍ଟ ଏଭରେଷ୍ଟ (୮୮୪୮ ମିଟର), ମାଉଣ୍ଟ ଆକନକାଗୁଆ (୬୯୫୯ ମିଟର) ଏବଂ ଆଣ୍ଟାର୍କଟିକା ପାଇଁ ଡିଏସୱାଇଏସ୍ ସିଦ୍ଧାର୍ଥ ରାଉତରାୟଙ୍କୁ ସହାୟତା ପ୍ରଦାନ କରିଥିଲା । ଡିଏସୱାଇଏସ୍ ପର୍ବତାରୋହୀଙ୍କୁ ସମର୍ଥନ ପ୍ରଦାନ କରିଛି ଯେଉଁମାନେ ଆଫ୍ରିକାର ସର୍ବୋଚ୍ଚ ମାଉଣ୍ଟ କିଲିମଞ୍ଜାରୋ (୫୮୯୫ ମିଟର) ଚଢିଛନ୍ତି ।

ଯୁବ ନିୟୋଜନ ଏବଂ ସଶକ୍ତୀକରଣ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଛି । ବ୍ଲକ/ଏନ୍‌ଏସି/ପୌରପାଳିକା ସ୍ତରରେ ୬ଟି ବିଭାଗକୁ ନେଇ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ୫୫ ହଜାରରୁ ଅଧିକ ଦଳ ପଞ୍ଜୀକୃତ ହୋଇଛନ୍ତି । ବିଭିନ୍ନ ସ୍ତରରେ ରାଜ୍ୟବ୍ୟାପୀ ସାଂସ୍କୃତିକ/ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଜିମ୍ନାଷ୍ଟ ପ୍ରଣତି ନାୟକ ଓଡ଼ିଶାର ଗୌରବ । ଗୋଆ ୨୦୨୩ର ୩୭ଟି ଜାତୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବେ ଉଭା ହୋଇଛନ୍ତି ପ୍ରଣତି । କିଶୋର ଜେନାଙ୍କୁ ଚଳିତ ବର୍ଷ ବଡ଼ ସଫଳତା ମିଳିଛି । ଜାତୀୟ ଚାମ୍ପିୟନଶିପରେ ରୌପ୍ୟ ପଦକ, ବିଶ୍ୱ ଚାମ୍ପିୟନଶିପରେ ପଞ୍ଚମ ଓ ରୌପ୍ୟ ପଦକ ଜିତି ୨୦୨୩ ଏସୀୟ କ୍ରୀଡ଼ାରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ସ୍ୱୟମ୍ ୟୁ – ସ୍ୱାଧୀନ ଯୁବ ଉଦ୍ୟୋଗ ୧୫ ଫେବୃଆରୀ ୨୦୨୪ର ଶୁଭାରମ୍ଭ ହୋଇଛି । ଅର୍ଥେନୈତିକ ଦୁର୍ବଳ ବର୍ଗ ଋଣ ପାଇବା କଷ୍ଟକର । ଯୁବକମାନେ ସୁଧ ବୋଝ ବୋହି ପାରନ୍ତି ନାହିଁ ଏବଂ ବ୍ୟାଙ୍କଗୁଡିକ ଦ୍ୱିଧାରେ ଅଛନ୍ତି । ମାର୍ଜିନ୍ ମନି ଏକ ଚ୍ୟାଲେଞ୍ଜ । ଏସସି ଏସଟି କିନ୍ନରଙ୍କ ପାଇଁ ୧୮-୩୫ ବର୍ଷ ଏବଂ ୪୦ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଏକ ଲକ୍ଷ ଟଙ୍କାର ପ୍ରକଳ୍ପରେ ୫୦୦୦ ମାର୍ଜିନ ମନି ଏବଂ ୯୫୦୦୦ କେନ୍ଦ୍ର କିମ୍ୱା ରାଜ୍ୟ ଯୋଜନା ଭାବରେ କମ୍ ସୁଧରେ ବ୍ୟାଙ୍କରୁ ଋଣ କରାଯାଇପାରିବ । କିନ୍ତୁ ସରକାର ଏହି ସୁଧ ବହନ କରିବେ । ୨ ବର୍ଷରେ ପ୍ରାରମ୍ଭିକ ଭାବେ ୫୦,୦୦୦ରୁ ଅଧିକ ଯୁବକଙ୍କୁ ଟାର୍ଗେଟ କରାଯାଇଛି । ଦୁଇଟି କିସ୍ତିରେ ଋଣ ମିଳିବ ଏବଂ ୪ ବର୍ଷରେ ପରିଶୋଧ ହେବ କିନ୍ତୁ ସ୍ଥଗନ ଅବଧି ୩-୬ ମାସ ପର୍ଯ୍ୟନ୍ତ ହୋଇପାରେ । ମୋ ସେବା କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଟିକଟ ଓ ପଦ ପଦବୀ ଲୋଭରେ ବିଜେପିକୁ ଯାଉଛନ୍ତି ଭର୍ତ୍ତୃହରି ମହତାବ: ବିଜେଡି

ଭୁବନେଶ୍ୱର: ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡି ଦଳରୁ ସାଂସଦ ଟିକଟ ଦିଆ ଯାଇ ଦିଲ୍ଲୀ ପଠା ଯାଇଥିଲା ଓ ୨୦୧୪ ଓ ୨୦୧୯ରେ ଶେଷ ମୂହୁର୍ତ୍ତରେ ଟିକଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନଥିଲା ଓ ସେ ଦିନକୁ ଦିନ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ ଓ ସେ ଜାଣିସାରିଥିଲେ ଯେ, ଏଥର ସେ ଟିକଟ ପାଇବେ ନାହିଁ।

ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ ଓ ସେ ବହୁ ଦିନରୁ ବିଜେପି ସହ ସମ୍ପର୍କରେ ଥିଲେ। ଟିକଟ ପାଇବା ଲୋଭରେ ଓ ପଦ ପଦବୀ ଲୋଭରେ ସେ ବିଜେପିକୁ ଯାଉଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କାର୍ଯ୍ୟକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ନୂଆ କାର୍ଯ୍ୟକର୍ତ୍ତା ନାମ ଘୋଷଣା କରାଯାଇଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କେବଳ ଦେବଗଡ ଜିଲ୍ଲାର ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ହେଲେ

ଏଥିରେ ସାତ ଜଣ ଉପଦେଷ୍ଠା, ଆଠଜଣ ଉପସଭାପତି, ପନ୍ଦର ଜଣ ସାଧାରଣ ସଂପାଦକ ରହିଛନ୍ତି। ସେହପିର 13 ଜଣ ସଂପାଦକଙ୍କୁ ନିଯୁକ୍ତି ଦିଆଯାଇଛି।

ନିର୍ବାଚନ ଘୋଷଣା ହେବା ପରେ ପରେ ବିଜେଡି ଦଳିୟ ପଦପଦବୀରେ ପ୍ରଥମ ପରିବର୍ତ୍ତନ  କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା, ଜାତୀୟ ଗଣମାଧ୍ୟମ ଖବରର ସତ୍ୟତା ?

ଭୁବନେଶ୍ବର: ଦେଶର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ବିଜେଡି ଲୋକସଭା ଏବଂ ବିଧାନସଭା ପ୍ରାର୍ଥି ଘୋଷଣା କରିଛି। ସେଥିରେ କୁହାଯାଇଛି ଯେ, ବିଜେଡି 9 ଟି ଲୋକସଭା ଏବଂ 53 ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁ ଲୋକସଭା ଆସନ ରହିଛି ସେଗୁଡିକ ହେଲା କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର, କୋରାପୁଟ, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କା।

ଏହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। କାରଣ ଏଥିରେ ବିଜେଡି ଲେଟରହେଡ ରେ ପୁରା ତାଲିକା ପ୍ରକାଶ ହୋଇଛି। ହେଲେ ପରେ ଜଣାପଡିଛି ଯେ ଏହି ତାଲିକା 2019 ନିର୍ବାଚନ ସମୟରେ ବିଜେଡି ପ୍ରକାଶ କରିଥିଲା। ବିଜେଡି ଠିକ ଆଜିର ଦିନରେ ଏହି ତାଲିକା ପ୍ରକାଶ କରିଥିଲା। ତାହାକୁ ନେଇ ଜାତୀୟ ଗଣମାଧ୍ୟମ ଏପରି ରିପୋର୍ଟ କରିଦେଇଛି। ଯାହା ସଂପୂର୍ଣ୍ଣ ଭୁଲ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ନବୀନ ନିବାସ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ମେଣ୍ଟ ରାଜନୀତି ନେଇ ହଲଚଲ ସୃଷ୍ଟି ହୋଇଛି। ଏହା ହେବ କି ନାହିଁ ଏ ପର୍ଯ୍ୟନ୍ତ ସସପେନସ ଲାଗି ରହିଛି। ଏହା ଭିତରେ ନୂଆଦିଲ୍ଲୀରେ ଓ଼ଡିଶା ବିଜେପି ନେତାଙ୍କର ଅମିତ ସାହାଙ୍କ ବାସଭବନରେ ବୈଠକ ବସିଥିଲା। ହେଲେ ସେ ସଂପର୍କରେ କେହି କିଛି କହି ନାହାଁନ୍ତି।

ସେହିପରି ଆଜି ଗୁରୁବାର ଦିନ ବିଜେଡି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି। ଆଜି ଅପରାହ୍ନରେ ନବୀନ ନିବାସରେ ହାଜର ହେବା ପାଇଁ ନେତାମାନଙ୍କୁ କୁହାଯାଇଛି। ଏଥିରେ କେବଳ ଦଳର ବରିଷ୍ଠ ନେତା ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିବାର ଜଣାପଡିଛି। ସେହି ବୈଠକରେ ମଧ୍ୟ ମେଣ୍ଟ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମାହାଙ୍ଗା ବିଧାନସଭା: ପ୍ରତିଦ୍ୱନ୍ଦ୍ୱୀତାରେ ତିନି ଦଳର ଯୁବ ପ୍ରାର୍ଥୀ!

ଭୁବନେଶ୍ୱର: କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭାକୁ ବାଗ୍ମୀ ରାଜନତାମାନେ ନିର୍ବାଚିତ କରୁଥିବାର ଏକ ଅନନ୍ୟ ରେକର୍ଡ ଥିଲା। ସେଠାରୁ କଂଗ୍ରେସର ସେକ୍‍ ମତଲୁବ ଅଲ୍ଲୀ ଓ ଜନତା ଦଳ, ପରେ ବିଜେଡି ପକ୍ଷରୁ ଶରତ କର ବିଧାନସଭାକୁ ନିର୍ବାଚିତ ହୋଇ ନିଜ ବାଗ୍ମୀତାର ପରିଚୟ ଦେଇ ବକ୍ତା ଭାବରେ ସୁନାମ ଅର୍ଜନ କରିଥିଲେ। କିନ୍ତୁ ୨୦୦୪ ପରଠାରୁ ସେହି ଧାରା ଆଉ ଦେଖିବାକୁ ମିଳୁନାହିଁ। କାରଣ ଉଭୟ ନେତାଙ୍କର ପରଲୋକ ହୋଇଯାଇଛି। ତେଣୁ ଆଗାମୀ ନିର୍ବାଚନରେ ଏହି ଦୁଇନେତାଙ୍କ ପୁଅମାନେ ନିର୍ବାଚନ ସମରରେ ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏପରିକି ଗତଥରର ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ମଧ୍ୟ ଜଣେ ନୂତନ ଯୁକକଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି।

୨୦୦୯ର ନିର୍ବାଚନ ମଣ୍ଡଳୀ ପୁନଃଗଠନ ପରଠାରୁ ବିଜେଡି ପ୍ରାର୍ଥୀ ପ୍ରତାପ ଜେନା ମାହାଙ୍ଗାରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୯ ନିର୍ବାଚନରେ ଜିତିବା ପରଠାରୁ ବିଧାୟକ ଶ୍ରୀ ଜେନା ଅନେକ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ବିଜେଡି ଆଉ ପ୍ରାର୍ଥୀ କରିବ ନାହିଁ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଆଗାମୀ ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଶରତ କରଙ୍କ ପୁଅ ଶୋଭନ କର ସର୍ବଭାରତୀୟ ଚାକିରିରୁ ଅବସର ନେଇସାରିଛନ୍ତି। ଶୋଭନ କରଙ୍କର ଏବେ ୫ଟି ଅଧ୍ୟକ୍ଷଙ୍କ ସହିତ ଭଲ ସମ୍ପର୍କ ଥିବାରୁ ସେ ନିଶ୍ଚିତ ପ୍ରାର୍ଥୀ ହେଉଛନ୍ତି ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି। ଏତଦ୍‍ଭିନ୍ନ ସେ ଶରତ କରଙ୍କ ପୁଅ ହୋଇଥିବାରୁ ତାଙ୍କ ପ୍ରତି ମତଦାତାମାନଙ୍କର ସହାନୁଭୂତି ରହିଥିବା ଲକ୍ଷ୍ୟ କରାଯାଉଛି। ଏହା ହେଲେ ଦଳ ବର୍ତ୍ତମାନର ବିଧାୟକ ପ୍ରତାପ ଜେନାଙ୍କୁ ଅନ୍ୟ କୌଣସି ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରାଇବ କିମ୍ବା ଦଳୀୟ ସଂଗଠନ କାମରେ ନିୟୋଜିତ କରାଇପାରେ।

ବିଜେଡି ଭଳି ବିଜେପିର ପ୍ରାର୍ଥୀ ଚୟନକୁ ନେଇ ରୋଚକ ଘଟଣା ସାମ୍ନାକୁ ଆସୁଛି। ଏକଦା ରାଜ୍ୟ ବିଜେପିରେ ଏକଚାଟିଆ ଆଧିପତ୍ୟ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚଳନ୍ତି ପ୍ରତିମା ଶାରଦା ପ୍ରଧାନ ଗତଥର ବିଜେପି ପ୍ରାର୍ଥୀଭାବେ ମାହାଙ୍ଗାରୁ ପ୍ରତିଦ୍ୱନ୍ଦ୍ୱୀତା କରି ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଆଗାମୀ ନିର୍ବାଚନରେ ଶାରଦାଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବାର ଆଶା କ୍ଷୀଣ ରହିଛି। ମାହାଙ୍ଗା ବ୍ଳକର ଆରଏସଏସର କର୍ମୀ ତଥା ଯୁବ ସଂଗଠକ ସୁମନ୍ତ କୁମାର ଘଡ଼େଇଙ୍କୁ ପ୍ରାର୍ଥୀ କରିବା ପାଇଁ ସଂଘ ପକ୍ଷରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେଉଛି। ଏହା ଜାଣିପାରି ଶାରଦା ପ୍ରଧାନ ଏବେ ଅନ୍ୟଦଳକୁ ଯିବାକୁ କିମ୍ବା ପୁଣି ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପୂର୍ବରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଚୌଧୁରୀ ପ୍ରଭାତ କୁମାର ମିଶ୍ର ମଧ୍ୟ ଆଶାୟୀ ତାଲିକାରେ ଅଛନ୍ତି।

ମାହାଙ୍ଗା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ୪ଥର ନିର୍ବାଚିତ ହୋଇଥିବା ସେକ୍‍ ମତଲୁବ ଅଲ୍ଲୀଙ୍କ ପୁତ୍ର ମାସୁଦ ଅଲ୍ଲୀ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ମାହାଙ୍ଗା ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତା ପ୍ରାୟ ୪୬ ହଜାର ଥିବାରୁ ତାହାକୁ ଲକ୍ଷ୍ୟ ରଖି ମାସୁଦ ଅଲ୍ଲୀ ଜିତିବା ପାଇଁ ଆଶାବାଦୀ ଅଛନ୍ତି। ତାଙ୍କ ଛଡ଼ା ଗତଥରର ପ୍ରାର୍ଥୀ ଦେବେନ୍ଦ୍ର କୁମାର ସାହୁ ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ତିନି ବିଧାନସଭା ଆସନରୁ ଗୋଟିଏରେ ମହିଳା ପ୍ରାର୍ଥୀ ଦେବ ବିଜେଡି, ଜାଣନ୍ତୁ କେଉଁ ଆସନ ?

ଭୁବନେଶ୍ବର: ବିଜେଡି ଏଥର ଭୁବନେଶ୍ବରରେ ଥିବା ତିନି ଆସନରେ ଏକ ନୂଆ ସମୀକରଣ କରିବ। ତାହା ହେଲା ଏହି ତିନି ଆସନରୁ ଗୋଟିଏରେ ଦଳ ମହିଳା ପ୍ରାର୍ଥୀ ଦେବ ବୋଲି ନିଷ୍ପତି କରିଛି। ବର୍ତ୍ତମାନ ଭୁବନେଶ୍ବର ମେୟର ମହିଳା ରହିଛନ୍ତି। ସେହିପରି ଏହି ତିନି ଆସନରେ ଦଳ ଏ ପର୍ଯ୍ୟନ୍ତ ମହିଳା ପ୍ରାର୍ଥୀ  ଛିଡା କରାଇ ନାହିଁ। ତେଣୁ ଏଥର ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

ତେବେ ଅନ୍ୟ ଏକ କାରଣରେ କୁହାଯାଇଛି ଯେ, ଭୁବନେଶ୍ବରରେ ତିନି ବିଧାୟକଙ୍କର ବିରୋଧୀଙ୍କ ଆର୍ବିଭାବ ଦେଖିବାକୁ ମିଳିଛି। ତେବେ ସବୁଠାରୁ ତୀବ୍ର ପ୍ରତିଦ୍ବନ୍ଦିତା ଭୁବନେଶ୍ବର ଉତ୍ତର ଏବଂ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ହେଉଛି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଭାବେ ଅମରେଶ ଜେନା ସମାନ୍ତରାଳ ସଂଗଠନ କରିବାରେ ଲାଗିଛନ୍ତି। ବନ୍ଧୁ ମିଳନଠାରୁ ଆରମ୍ଭ କରି କର୍ମମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି।

ଫଳରେ ବିଜେଡିରୁ ଉଭୟ ବିଧାୟକ ଅନନ୍ତ ଜେନା ଏବଂ କରପୋରେଟର ଅମରେଶ ଜେନା ମଧ୍ୟରେ ଟିକେଟ ଲଢେଇ ଲାଗିରହିଛି। ଉଭୟ ନବୀନ ନିବାସ ଆସି କାର୍ତ୍ତିକ ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକଙ୍କୁ ଭେଟି ଯାଉଛନ୍ତି। ଫଳରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ବର୍ତ୍ତମାନ ବିଜେଡି ଭିତରେ ଏପରି ଦ୍ବନ୍ଦ ଲାଗି ରହିିଥିବାରୁ କାହାକୁ ଟିକେଟ ମିଳିବ ତାହାକୁ ନେଇ ସନ୍ଦେହ ରହିଛି।

ସେହିପରି ଅନୁରୂପ ଅବସ୍ଥା ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ମଧ୍ୟ ଲାଗି ରହିଛି। ସେଠାରେ ବର୍ତ୍ତମାନର ବିଧାୟକ ସୁଶାନ୍ତ ରାଉତ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ମଧ୍ୟରେ ଲଢେଇ ଲାଗି ରହିଛି। ଉଭୟ ଭିନ୍ନ ଭିନ୍ନ ସ୍ଥାନରେ ନିଜ କର୍ମିଙ୍କୁ ନେଇ ସଂଗଠନ କରିବାରେ ଲାଗିଛନ୍ତି। ଉଭୟ ମଧ୍ୟ ନବୀନ ନିବାସରେ ନିଜ ସମର୍ଥକଙ୍କୁ ଧରି ସମସ୍ତଙ୍କୁ ଭେଟୁଛନ୍ତି।

ତେଣୁ ଏହି ଲଢେଇ ମଧ୍ୟରେ ଦଳ କାହାକୁ ଟିକେଟ ଦେବ ସେ ନେଇ ଦ୍ବନ୍ଦରେ ରହିଛି। ପ୍ରକୃତରେ ଦେଖିବାକୁ ଗଲେ ଉଭୟଙ୍କର ସେହି ନିର୍ବାଚନ ମଣ୍ଡଳିରେ ସଂଗଠନ ରହିଛି ଏବଂ ଲୋକ ସଂପର୍କ ମଧ୍ୟ ରହିଛି। ତେବେ ଏକ୍ରାମ ଭୁବନେଶ୍ବରେ ବିରୋଧ ରହିଥିଲେ ମଧ୍ୟ ତାହା ତୀବ୍ର ହୋଇପାରି ନାହିଁ। କିନ୍ତୁ ଆଗାମୀ ଦିନରେ ସେଠାକାର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମଧ୍ୟ ବିରୋଧ ନ କରିବେ ତାହା କହି ହେବ ନାହିଁ।

ଏସବୁ ପରିସ୍ଥିତିକୁ ନଜରରେ ରଖି ବିଜେଡି ଏଥର ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ଟିକେଟ ଦେବ ବୋଲି ନିଷ୍ପତି କରିଛି। ବିଶେଷ କରି ଭୁବନେଶ୍ବର ଉତ୍ତରରେ ଜଣେ ପ୍ରତିଷ୍ଠିତ ମହିଳା ଟିକେଟ ପାଇବା ପାଇଁ ଲବି କରିଥିବାର ମଧ୍ୟ ଜଣାପଡିଛି। ଯଦି ତାହା ନ ହୁଏ ତେବେ ଭୁବନେଶ୍ବର ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ଦେବ ବୋଲି ଦଳ ଚିନ୍ତା କରୁଛି।