Categories
ବିଶେଷ ଖବର ରାଜ୍ୟ ଖବର

ଶିଳ୍ପ କ୍ଷେତ୍ରରେ ଅନ୍ୟ ରାଜ୍ୟଠୁ ଓଡ଼ିଶା ଆଗରେ: ବିଜେଡ଼ି

ଭୁବନେଶ୍ୱର: ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରି ଥିବାରୁ ଓଡ଼ିଶାରେ ଗତ ୭ ବର୍ଷ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଇଭି ଯାନ, ପ୍ଲାଷ୍ଟିକ ଓ କେମିକାଲ, ପର୍ଯ୍ୟଟନ ତଥା ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ୧୧.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଫଳରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଆରବିଆଇ ରିପୋର୍ଟ ଅନୁଯାୟୀ ପୁଞ୍ଜି ନିବେଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ସିଏମ୍‌ଆଇ ଓ ସିଆଇଆଇ ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଗତ ୭ ବର୍ଷ ଭିତରେ ରପ୍ତାନୀ ପରିମାଣ ପାଖାପାଖି ଦୁଇ ଗୁଣ ହୋଇପାରିଛି। ଗଲା ଦୁଇ ଦଶନ୍ଧି ମଧ୍ୟରେ ସିମେଣ୍ଟ ଉତ୍ପାଦନ ୨୨ ଗୁଣା ବୃଦ୍ଧି ହେବା ସହ ଷ୍ଟିଲ ଉତ୍ପାଦନରେ ପ୍ରାୟ ୧୫ ଗୁଣା ବୃଦ୍ଧି ହୋଇପାରିଛି।

ଟେକ୍ସଟାଇଲ, କେମିକାଲ, ପ୍ଲାଷ୍ଟିକ, ଗ୍ରୀନ ହାଇଡ୍ରୋଜେନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବହୁ ବଡ଼ ବଡ଼ ପୁଞ୍ଜିନିବେଶକାରୀ ଆଜି ଓଡ଼ିଶାରେ ପୁଞ୍ଜିନିବେଶ କରୁଛନ୍ତି। ବନ୍ଦର ପରିଚାଳନା କ୍ଷମତା ୨୦ ମେଟ୍ରିକ ଟନରୁ ବୃଦ୍ଧି ପାଇ ଆଜି ୧୭୬ ମେଟ୍ରିକ ଟନ୍‌ରେ ପହଞ୍ଚିପାରିଛି। ରାଜ୍ୟର ଯୁବଶକ୍ତିର ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ଫଳରେ ନୂତନ ପୁଞ୍ଜିନିବେଶକାରୀ ମାନେ ରାଜ୍ୟର ‘ଦକ୍ଷତା ବିକାଶ ବିଭାଗ’ ସହିତ ସମନ୍ୱୟ ରକ୍ଷା କରି ‘ସ୍କିଲ୍‌ଡ ଇନ୍ ଓଡ଼ିଶା’ ଯୁବଶକ୍ତିକୁ ନିଯୁକ୍ତି ମିଳିପାରୁଛି। ଶାସନରେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଫଳରେ ରାଜସ୍ୱ ବଳକା ରାଜ୍ୟ ହେବା ସହ ଓଡ଼ିଶା ଆଜି ଆର୍ଥିକ ପରିଚାଳନାରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି।

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସୁଶାସନ ଲାଗି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନିବେଶକମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆକୃଷ୍ଟ ହେଉଛନ୍ତି। ରାଜ୍ୟ ଅର୍ଥନୀତିର ରୂପରେଖ ବଦଳିଛି। ବ୍ୟାପକ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଲାଗି ଆଜି ଓଡ଼ିଶା ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରରୁ ୪୧.୩ ପ୍ରତିଶତ ରାଜସ୍ୱ ମିଳିପାରୁଛି, ଯାହାକି ଅନ୍ୟ ରାଜ୍ୟ ଓ ଜାତୀୟ ସ୍ତରରେ ଶିଳ୍ପ କ୍ଷେତ୍ରରୁ ୨୮.୫ ପ୍ରତିଶତ ରାଜସ୍ୱ ମିଳୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା କ୍ଷୀପ୍ର ଗତିରେ ଆଗେଇ ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ମମତା ଯୋଜନାରେ ବୃଦ୍ଧି କରିଥିବା ପରିମାଣକୁ ନେଇ ବିଜେଡି କହିଲା ଏପରି କଥା

ଭୁବନେଶ୍ୱର: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି।

ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ।

ଶ୍ରୀମତୀ ସାହୁ ଓ ଶ୍ରୀମତୀ ଆଲାମ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତୀକରଣକୁ ନେଇ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ଦ୍ୱିଗୁଣିତ କରିଛନ୍ତି।

ଏହା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଓ ରାଜ୍ୟର କୋଟି କୋଟି ମହିଳାଙ୍କ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ବର୍ତ୍ତମାନ ମମତା ଯୋଜନା ଅଧୀନରେ ଥିବା ମା’ମାନଙ୍କୁ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ମିଳୁଛି । ଏବେ ସେମାନଙ୍କୁ ୬୦୦୦ ଓ ୪୦୦୦ ଟଙ୍କାର ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।

୨୦୨୩ ଅଗଷ୍ଟରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ସହାୟତା ପ୍ରଦାନ କରାଯିବ ଏବଂ ୨୦୨୩ ଅଗଷ୍ଟରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଫେବୃଆରୀ ୨୦ରୁ ୨୫ତାରିଖ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଶୁମୃତ୍ୟୁ ଓ ମାତୃମୃତ୍ୟୁ ହାର ପୁଷ୍ଟିହୀନତା ହ୍ରାସ କରିବା ପାଇଁ ୨୦୧୧ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ। ଓଡ଼ିଶାର ମମତା ଯୋଜନାର ସଫଳତା ଯୋଗୁଁ ଏହାକୁ ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଛି ୬ ମାସର ଗର୍ଭଧାରଣ ପରେ ପ୍ରଥମ କିସ୍ତି ୬୦୦୦ ଟଙ୍କା ଏବଂ ଶିଶୁକୁ ୧୦ ମାସ ପୂରିବା ପରେ ଦ୍ୱିତୀୟ କିସ୍ତି ୪୦୦୦ ଟଙ୍କା ପ୍ରଦାନ କରାଯିବ।

ଏହା ଓଡ଼ିଶାର ମହିଳା ସଶକ୍ତୀକରଣ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଜାତୀୟ ମାନଦଣ୍ଡ ଏବଂମାଇଲ ଖୁଣ୍ଟ ଭାବେ ସ୍ୱୀକୃତି ପାଇଛି ଏବଂମମତା ଯୋଜନା ସହାୟତାକୁ ଦ୍ୱିଗୁଣିତ କରିବା ଏହି ଯାତ୍ରାରେ ଆଉ ଏକ ସଫଳତା ବୋଲି ବିଜେଡ଼ିର ଦୁଇ ପ୍ରବକ୍ତା କହିଛନ୍ତି।

 

Categories
ବିଶେଷ ଖବର ରାଜ୍ୟ ଖବର

ପରୀ ହତ୍ୟା ଘଟଣାର ରାୟ ଆସିବା ପରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ନାବାଳିକା ପରୀର ନିଖୋଜ ଓ ହତ୍ୟାଘଟଣା ଅତ୍ୟନ୍ତ ଦୁଃଖଦ ଥିଲା, ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ ଓ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ତଦନ୍ତକୁ ତଦାରଖ କରିବା ପାଇଁ।

ନିୟମିତବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍‌ ରିପୋର୍ଟ ଦାଖଲ କରୁଥିଲା। ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣଜୁଟାଇଥିଲା। ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି, ପରୀକୁ ନ୍ୟାୟମିଳିଛି ।ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାମାନଙ୍କ ଅସଲ ମୁଖା ଖୋଲିଯାଇଛି ବୋଲି କହିଛନ୍ତି ବିଧାୟିକା ତଥା ବିଜୁଜନତା ଦଳ ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ।

ଶ୍ରୀମତୀ ଛୁରିଆ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା ଯେତେବେଳେ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ବିଜେପିର କିଛି ନେତା ମାମଲାର ରାଜନୀତିକରଣ କରି ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ।

ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ। ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ। ପାଞ୍ଚ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା। ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିପାରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ତାଙ୍କର ଅନୁଗତମାନେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ। ଏଭଳି ସ୍ପର୍ଶକାତର ମାମଲାରେ ସର୍ବଦା ଓଡିଶା ବିଜେପି ରାଜନୀତି ହିଁ କରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂତାଙ୍କ ଅନୁଗତ ଗୋଷ୍ଠୀଓଡିଶାକୁ ବଦନାମକରିବାକୁବାରମ୍ବାର ଅପଚେଷ୍ଟା କଲେ । କିଡନୀ ଏବଂ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଚକ୍ରାନ୍ତ କରାଯାଇ ଥିବା ଭଳି ଡାହା ମିଛମାନ କହିଥିଲେ।

ଅଭିଯୁକ୍ତକୁ କି ଭଳି ଜାମିନ୍‌ ମିଳିବ ସେନେଇ ବହୁ ଚେଷ୍ଟା କରିଥିଲେ ଏହି ବ୍ୟକ୍ତିମାନେ, ଯାହା ହାଇକୋର୍ଟରେ ପ୍ରତ୍ୟାଖିତ ହୋଇଥିଲା। ଜଣେ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ଏଭଳି ହୀନ ରାଜନୀତି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତ ଗୋଷ୍ଠୀଙ୍କୁ ଲଜ୍ଜା ଲାଗିବା ଦରକାର।

ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାରହୀନ ରାଜନୀତି କରୁଥିବା ଏହି ଗୋଷ୍ଠୀଙ୍କୁ ରାତିରେ ନିଦ କେଉଁ ଭଳି ହେଉଛି? ସେମାନଙ୍କ ଅନ୍ତରାତ୍ମା ଏଭଳି କାର୍ଯ୍ୟ କରିବାକୁ କ’ଣ ବାଧା ଦେଉନି? ପରୀକୁ ଆଜି ନ୍ୟାୟ ମିଳିଛି, ତାର ଆତ୍ମା ଶାନ୍ତି ପାଉ। ମହାପ୍ରଭୁ ତାକୁ ନିଜ ପାଦ ପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ଅଭିନେତା ଦଇତାରୀ ପଣ୍ଡାଙ୍କ ସହ ବହୁ ଯାତ୍ରା କଳାକାର

ଭୁବନେଶ୍ୱର : ଯାତ୍ରା ଜଗତର ଖ୍ୟାତନାମା କଳାକାରମାନେ ଆଜି ଶଙ୍ଖଭବନ ଠାରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀ ମାନସ ମଙ୍ଗରାଜ ଓ ଶ୍ରୀ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ଯାତ୍ରା କଳାକାରମାନଙ୍କୁ ଶ୍ରୀ ମିଶ୍ର, ଶ୍ରୀ ମଙ୍ଗରାଜ ଓ ଶ୍ରୀ ପଟ୍ଟନାୟକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେଡ଼ିରେ ଯାତ୍ରା କଳାକାରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ନେତୃବୃନ୍ଦ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ଯାତ୍ରା କଳାକାରମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁା କଳାକାରମାନଙ୍କ ବିକାଶ ଓ ସ୍ୱପ୍ନକୁ ସାକାର କରିବା ପାଇଁ ସର୍ବଦା କାର୍ଯ୍ୟ କରିଥାନ୍ତି ମୁଖ୍ୟମନ୍ତ୍ରୀଏବଂ ଆମେ ଆଗାମୀ ଦିନରେ ବିଜେଡ଼ି କିପରି ଆହୁରି ମଜଭୁତ ହେବ, ସେ ନେଇ ଆମ ସ୍ତରରେ କାର୍ଯ୍ୟଜାରି ରଖିବୁ ।

ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଯାତ୍ରା କଳାକାର ବାପି ପଣ୍ଡା, ଦୈତାରୀ ପଣ୍ଡା, ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ, ସୁବାସ ବେହେରା ଏବଂ ବିଭିନ୍ନ ଜିଲ୍ଲାର ଯାତ୍ରା କଳାକାରମାନଙ୍କ ମଧ୍ୟରେ ରତିକାନ୍ତ ପରିଡ଼ା, ଆଦିକନ୍ଦ ନାୟକ, ଶୁଭେନ୍ଦୁ ଲେଙ୍କା, ସଞ୍ଜୟ କୁମାର ଦାସ, ହୃଷିକେଶ ମିଶ୍ର, ଅସିତ୍ କୁମାର ଜେନା, ମନୋଜ ବାରିକ, ହିରନ୍ୟା ବେହେରା, ବିଜୟ କୁମାର ବିଶ୍ୱାଳ, ପ୍ରତାପ ରୁଦ୍ର ପାତ୍ର, ରାଜେନ୍ଦ୍ର କୁମାର ପତି, ତପନ ମଲ୍ଲିକ, ବ୍ରଜ ସୁନ୍ଦର ମଲ୍ଲିକ, ଶରତ ଚନ୍ଦ୍ର ସାହୁ, ଲିଙ୍ଗରାଜ ପାଣିଗ୍ରାହୀ, ପଲାରାଜୁ ପବନ, ଅନିରୁଦ୍ଧ ପାଇକ, ଶଙ୍କରପୋଢ଼, ସୌଭାଗ୍ୟହରିପାଲ, ପୁରଷୋତ୍ତମ ସଗରିଆ, ପୂର୍ଣିର୍ମା ଚତ୍ରିଆ, ତ୍ରିଶୂଳିଆ ବେହେରା, ଡେଜିରାଣୀ ସ୍ୱାଇଁ। ଏହିସବୁ ନେତୃବୃନ୍ଦଙ୍କ ସହ ସାରା ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ୱ ଯାତ୍ରା କଳାକାର ଆଜି ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିଲୋ ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ବିଜେପିରେ ଯୋଗଦେଲେ ବିଜେଡ଼ି କର୍ମୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଆଙ୍କୁଲା ପଞ୍ଚାୟତରେ ବିଜେପି ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବରେ ପାରିକଂସାରି ଗ୍ରାମର ଆଗ ଧାଡ଼ିର ବିଜେଡି କର୍ମୀ ଭାଗ୍ୟଧର ସୁନ୍ଦରା, ବଳରାମ ଜେନା, ଯୋଗେଶ୍ଵର ଜେନା, ଶିବରାମ ବରାଳ, ଦିବାକର ଚ଼ହଟରାୟ, ବିରେନ ସ୍ବାଇଁ, ରିତେଶ ଶତ୍ରୁଶଲ୍ୟ, ସୁନିଲ ବରାଳ, ଜିତେନ୍ଦ୍ର ବରାଳ, ମିଟୁ ବରାଳ, ସୁରେନ୍ଦ୍ର ସୁନ୍ଦରା, ଲଳିତ ବରାଳ, ସୁବାସ ଚ଼ହଟରାୟ, ପାଣ୍ଡବ ଜେନା, ଅନନ୍ତ ସାହୁ, ରଘୁନାଥ ଜେନା, ରିତେଶ ବରାଳଙ୍କ ସମେତ ଏକାଧିକ କର୍ମୀ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱତଃପ୍ରତ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଉକ୍ତ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ାଃ ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ‌ ଡ଼ାଃ ପାତ୍ର ଓ ଶ୍ରୀ ହରିଚ଼ନ୍ଦନ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଇବର ଥାନାରେ ବିଜେଡି ବିରୋଧରେ କାହିଁକି ଏତଲା ଦେଲା ବିଜେପି ?

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ଫେସବୁକରେ ଶାସକ ବିଜୁ ଜନତା ଦଳର ପଦାଧିକାରୀମାନେ ଆଡମିନ୍ ଥିବା ଏକ ଗୃପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଥିବାର ଏକ ପୋଷ୍ଟ କରାଯାଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ। ଏହା ଏକ ଗର୍ହୀତ ଅପରାଧ ଏବଂ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦିଆଯାଇଛି।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବିକୁ “ବିଜୁ ଜନତା ଦଳ ଓଡ଼ିଶା”ର ଫେସବୁକ ଆଇଡିରୁ ପୋଷ୍ଟ କରାଯାଉଛି । ବିଜେଡି କର୍ମୀଙ୍କ ଅଶାଳୀନ କମେଂଟ ଦ୍ୱାରା ମୋଦିଜୀଙ୍କ ସମ୍ମାନ ହାନୀ ଘଟିଛି। ବିଜେଡି ସାମାଜିକ ଗଣମାଧ୍ୟମରେ ‘ଗୁଣ୍ଡା ସୃଷ୍ଟିକାରୀ ଦଳ’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଅସମ୍ମାନଜନକ ମନ୍ତବ୍ୟ ପୋଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେଡିର ଇପ୍ସିତା ସାହୁ, ସୁବ୍ରତ ଛାଟୋଇ, ଅଞ୍ଜନା କବି, ପଙ୍କଜ କେ ସିଂ, ଅମରଜିତ୍ ସେନାପତି, ନିବେଦିତା ବଳିୟାରସିଂ ନାୟକ ପ୍ରମୁଖ ବିଜୁ ଜନତା ଦଳର ପଦାଧିକାରୀ ଓ କର୍ମୀମାନେ ଫେସ୍‌ବୁକ୍ ପେଜ୍‌ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଲେଖି ପୋଷ୍ଟ କରିଛନ୍ତି।

ସେଥିପାଇଁ ଧାରା ୧୨୪(ଏ), ୧୫୩(ଏ), ୫୦୪, ୫୦୫(୨) ଆପିସି ୧୮୬୦ ସେକ୍ସନ ୬୬,୬୭ ଦ୍ୱାରା ଏମାନଙ୍କ ନାମରେ ମାମଲା ରୁଜୁ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଦାବୀ କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଠାକୁର ରଞ୍ଜିତ ଦାସ, ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପବିତ୍ର ଦାସ, ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ରୁ ଇସ୍ତଫା ଦେଲେ ବଳଭଦ୍ର ମାଝି: ଦଳ ଉପରେ ଆଣିଲେ ଏହି ଅଭିଯୋଗ

ଭୁବନେଶ୍ଵର: ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ବିଜେଡି ରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବଳଭଦ୍ର ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ଉପରେ ସେ ଅବହେଳା ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବିଜେଡ଼ି ପ୍ରତିଷ୍ଠା ହେବା ଦିନଠାରୁ ବଳଭଦ୍ର ମାଝି ଦଳ ସହ ଥିଲେ। ସେ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ ଥର ବିଧାୟକ ରହିଛନ୍ତି। ଜନତା ଦଳରୁ ଥରେ ବିଧାୟକ ହୋଇଥିବାବେଳେ ବିଜେଡି ଟିକେଟରେ ସେ ୪ ଥର ବିଧାୟକ ହୋଇଥିଲେ। ତେବେ ୨୦୧୯ରେ ବଳଭଦ୍ରଙ୍କୁ ବିଜେଡ଼ି ଟିକେଟ ଦେଇନଥିଲା। ତାଙ୍କ ସ୍ଥାନରେ ଦଳ ବପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା। ସେହିଦିନ ଠାରୁ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା ବୋଲି କୁହାଯାଉଥିଲା।
Categories
ଆଜିର ଖବର ରାଜ୍ୟ ଖବର

ନୂଆ ବରଷରେ ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନେତାଙ୍କୁ ଭିନ୍ନ ଭିନ୍ନ ଦଳୀୟ ଦାୟିତ୍ବ ପ୍ରଦାନ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଆଜି ବିଜେଡି ଦୁଇ ଜଣ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି।

ସେହି ଅନୁସାରେ ଖଦୀବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କୁ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେଗୁଡିକ ହେଲା ତେଲକୋଇ ଏବଂ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ।

ସେହିପରି ବାଲିଆପାଳର ନେତା ଦେବ କୁମାର ଦେ ଙ୍କୁ ବାଲେଶ୍ବର ବିଜୁ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ ଆସିଲା ବଡ ଖୁସି, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ନୂଆ ବର୍ଷ ପଦାର୍ପଣ କରୁକରୁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଆଣିଦେଇଛି ଖୁସି। ତାହା ହେଲା ଯେ, ବିଜୁ ଜନତା ଦଳ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନେଇଛି। ଏ ନେଇ ଦଳ ତରଫରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରେ ଦଳ 2018 ମସିହାରେ ବହିସ୍କାର କରିଥିଲା। ଏହାପରେ ସେ ବିଜେପିରେ ଯୋଗଦେଇ ବାଲିକୁଦା ଏରସାମରୁ ଛିଡା ହୋଇଥିଲେ। ହେଲେ ସେ ହାରିଯାଇଥିଲେ। ହେଲେ ତାଙ୍କର ପୁଅ ସମ୍ବିତ ରାଉତ ବିଜେଡି ଟିକେଟରୁ ପାରାଦ୍ବୀପରୁ ଲଢେଇ କରି ବିଜୟ ଲାଭ କରିଛନ୍ତି। ଏହାପରେ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ତାଙ୍କ ଉପରୁ ଦଳ ନିଳମ୍ବନ ପ୍ରତ୍ୟାହାର ପରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରି ନାହାଁନ୍ତି। କାରଣ ସେ ବର୍ତ୍ତମାନ ଅସୁସ୍ଥତା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କର ପୁତ୍ର ବିଧାୟକ ସମ୍ବିଦ ରାଉତ ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ବାପାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ। ଏହା ବାପାଙ୍କୁ ନିଶ୍ଚିତ ଖୁସି କରିବ।

ତେବେ ସମ୍ବିତ କହିଛନ୍ତି ଯେ, ବାପା ବିଜେଡିରୁ ଦୂରେଇ ଯିବା ପରେ ମାନସିକ ସ୍ତରରେ ବେଶ ଭାଙ୍ଗି ପଡିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କର ମନ ସେଠାରେ ନ ଥିଲା। ତାଙ୍କର ବଡ ଇଚ୍ଛା ଯେ ସେ ଶେଷ ପର୍ଯ୍ୟନ୍ତ ବିଜେଡିରେ ରହିବେ ଏବଂ ନବୀନ ପଟ୍ଟନାୟକଙ୍କ ସେବା କରିବେ। ବର୍ତ୍ତମାନ ବାପାଙ୍କର ସେହି ଇଚ୍ଛା ପୂରଣ ହୋଇଛି। ଆଗାମୀ ନିର୍ବାଚନରେ ସେ ଜଗତସିଂହପୁର ଜିଲ୍ଲାରେ ପ୍ରଚାର କରିବେ।

ଦାମୋଦର ରାଉତ ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଏକ ବଡ ସମର୍ଥକ ଭାବେ ପରିଚିତ। ତାଙ୍କର ପରଲୋକ ପରେ ସେ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ବିଜୁ ଜନତା ଦଳର ଗଠନରୁ ହିଁ ସହଯୋଗ କରିଆସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଦଳ ତଥା ସରକାରରେ ପ୍ରମୁଖ ସ୍ଥାନ ଦେଇଆସିଛନ୍ତି।

ହେଲେ ବିଜୁ ଜନତା ଦଳରେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ବୃଦ୍ଧି ପରେ ତାଙ୍କର ପତିୟାରା ହ୍ରାସ ପାଇବାରେ ଲାଗିଲା। ଏପରି କି ଦଳରେ କଣଠୋସା ହେବା ପରି ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟତଃ ସେ ମିଡିଆରେ ସିଧା ସିଧା ମନ୍ତବ୍ୟ ଦେବା ତାଙ୍କ ପାଇଁ କାଳ ହୋଇଥିଲା। ତାଙ୍କର ମନ୍ତବ୍ୟକୁ ନେଇ ସାରା ରାଜନୀତିରେ ଚର୍ଚ୍ଚା ହେଉଥିଲା। ଶେଷରେ ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିବାକୁ ବାଧ୍ୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା କିଛି ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେହି ଅନୁସାରେ ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଭାବେ ଘୋଷଣା କରାଯାଇଛି।

ସେହିପରି ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ ଏବଂ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ-ସମ୍ବଲପୁର ଏନ୍‌ଏଚ୍‌-୫୫ର ଦୁରବସ୍ଥାକୁ ନେଇ ବର୍ଷିଲା ବିଜେଡ଼ି, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍ଏଚ୍-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି। ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁ ଯନ୍ତା ପାଲଟିଛି।

ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ହେଁ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳ ଦେଇ ଏହି ଏନ୍ଏଚ୍ ଯାଇଥିଲେ ହେଁ ସେ ମଧ୍ୟ ପାଟି ଫିଟାଉ ନାହାନ୍ତି। ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁ ଆମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି।

ଶଙ୍ଖ ଭବନରେ ଆୟୋଜିତ ପ୍ରେସମିଟରେ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଲେ ଯେ ଏନ୍ଏଚ୍-୫୫ ଏବେ ଦେଶର ସବୁଠାରୁ ବିପଦ ସଂକୁଳ ରାଜପଥରେ ପରିଣତ ହୋଇଛି।

ଜୀବନକୁ ବାଜି ଲଗାଇ ଲୋକେ ଏହି ରାସ୍ତାରେ ଯା’ଆସ କରୁଛନ୍ତି। ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା ହଜାରହଜାର ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି।

ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ୧୫/୨୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ଦେଢ଼ରୁ ଦୁଇ ଘଣ୍ଟା ସମୟ ଲାଗୁଛି। ଫଳରେ ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି।

କେବଳ ସେତିକି ନୁହେଁ, ଏନ୍ଏଚ୍-୫୫ ଦେଇ ରୋଗୀଙ୍କୁ ନେଇଏସ୍ସିବି, ଏମ୍ସ କିମ୍ବା କଟକ, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସ ଗୁଡ଼ିକ ମଧ୍ୟ ରାସ୍ତା ଖରାପ ଯୋଗୁଁ ଅତ୍ୟନ୍ତ ମନ୍ଥର ଗତିରେ ଯାଉଛି କିମ୍ବା ରାସ୍ତାଜାମରେ ଫସିଯାଉଛି।

ଫଳରେ ବେଳେ ବେଳେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯାଉଛି। ଏହି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟି ଯାଇଛି। ପ୍ରତିଦିନ ହାରାହାରି ୨ଟି ମୁଣ୍ଡ ଗଡ଼ୁ ଥିବା ବେଳେ ୧୦/୧୫ ଜଣ ଆହତ ହେଉଛନ୍ତି। ଅଥଚ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଓ ବିପଦ ମଧ୍ୟରେ ଛାଡ଼ିଦେଇ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି।

ଶ୍ରୀଦାସ ଆହୁରି କହିଲେ ଯେ ନିକଟରେ ଅନୁଗୁଳ ଜିଲ୍ଲାର ରୋଡ଼ ସେଫ୍ଟି କମିଟିର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା।କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ମହୋଦୟ ଜାତୀୟ ରାଜପଥ ଅଧିକାରୀଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଚିଠି ଦେଇଥିଲେ।

ଏହି ବୈଠକରେ ଯାତ୍ରୀ ସୁରକ୍ଷା ଏବଂ ଏନ୍ଏଚ୍-୫୫ ମରାମତି କେବେ ସରିବ ସେ ନେଇ ଆଲୋଚନା ହେବାର ଥିଲା। ମାତ୍ର ଏନ୍ଏଚ୍ ଅଧିକାରୀମାନେ ବେପରୁଆ ମନୋଭାବ ଦେଖାଇ ବୈଠକକୁ ଆସିଲେ ନାହିଁ।

ଏମାନଙ୍କଚମଡ଼ା ଏତେ ମୋଟା ହୋଇଗଲାଣି ଯେ ଲକ୍ଷଲକ୍ଷ ଲୋକ ସମସ୍ୟାରେ ପଡ଼ୁଥିଲେ ମଧ୍ୟ ଏଥି ପ୍ରତି ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ କୌଣସି ନିଘା ନାହିଁ। ତେବେ ୧୫ ଦିନଭିତରେଏନ୍ଏଚ୍ ମରାମତି କାର୍ଯ୍ୟ ଶେଷ ନ ହେଲେ ଏନ୍ଏଚ୍ଏଆଇ ବିରୋଧରେ ମାମଲା ରୁଜୁ ହେବ ବୋଲି ରୋଡ଼ ସେଫ୍ଟି କମିଟି ବୈଠକରେ ଚେତାବନୀ ଦିଆଯାଇଛି।

ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିଲେ ହେଁ କିଛି ପଦକ୍ଷେପ ନ ନେଇ ସେ ବି କ’ଣ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି କି ବୋଲି ଶ୍ରୀଦାସ ପ୍ରଶ୍ନ କରିଥିଲେ ଏବଂ ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ଓଡ଼ିଶା ବିରୋଧୀ ବେପରୁଆ ମନୋଭାବକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ଚେତାଇ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡିର ମିଡିଆ ପେନାଲିଷ୍ଟ ସୋଫିଆ ଆଲାମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ଥିଲେ। ସେ କହିଥିଲେ ଯେ ଧର୍ମେନ୍ଦ୍ରବାବୁ ନିଜ ଅଞ୍ଚଳର ଲୋକଙ୍କ ଦୁଃଖ କଷ୍ଟ ଦେଖିପାରୁ ନାହାନ୍ତି? ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ କ’ଣ ପାଇଁ କିଛି ଠୋସ୍ ପଦକ୍ଷେପ ନେଉ ନାହାନ୍ତି?

୭ ବର୍ଷ ହେଲା ଏହି ଏନ୍ଏଚର ମରାମତି କାର୍ଯ୍ୟ ଚାଲିଥିବା ବେଳେ ତୁରନ୍ତ ଏହି କାର୍ଯ୍ୟ ସାରୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ରବାବୁ ଚେଷ୍ଟା କରିବେ ବୋଲି ସୋଫିଆ ଆଶା ପ୍ରକାଶ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର କଣ ବିକାଶ ହୋଇଛି ହିସାବ ନିଅ ବିରୋଧୀ ଦଳ, ଏପରି କାହିଁକି କହିଲା ବିଜେଡି

ଭୁବନେଶ୍ୱର: ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି। ତେଣୁ ଏହା ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି। ତେଣୁ ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ଯେଭଳି ବିଭ୍ରାନ୍ତ କରୁଛି ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ସୋଫିଆ ଆଲାମ।

ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି। ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ ତାଲିକାର ଶୀର୍ଷରେ ରହିଛି ଏବଂ କ୍ରମାଗତ ଭାବେ ୧୧.୫% ଅଭିବୃଦ୍ଧି ହାର ସହ ଜାତୀୟ ହାର ଠାରୁ ଅଧିକ ଅଛି।

ସିଏମ୍‌ଆଇଇ କ୍ୟାପେକ୍ସ ଡାଟାବେସ୍ ଏବଂ ସିଆଇଆଇ ଗବେଷଣା ଅନୁଯାୟୀ, ୨୦୨୩-୨୪ ବର୍ଷରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବା କ୍ଷେତ୍ରରେ ଓଡ଼ିଶା ଭାରତର ତୃତୀୟ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଛି।

ଏହା ଆର୍ଥିକ କ୍ଷେତ୍ରରେ ରାଜ୍ୟର ବଢୁଥିବା ବିଶ୍ୱସନୀୟତା ଏବଂ ଆକର୍ଷଣର ପ୍ରମାଣ। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିବା ବେଳେ ଇସ୍ପାତ ଉତ୍ପାଦନ ୧୫ ଗୁଣ ବୃଦ୍ଧି ପାଇଛି ଏବଂ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ୭.୮ ଗୁଣ ବୃଦ୍ଧି ପାଇଛି। ଏହି ବିପୁଳ ଅଭିବୃଦ୍ଧି ଭାରତର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି।

ଭାରତରେ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଝାଡ଼ଖଣ୍ଡକୁ ୧.୩୬ ଗୁଣ ପଛରେ ପକାଇ ଆଗରେ ଥିବାବେଳେ ଛତିଶଗଡ଼ ପଛକୁ ରହିଛି। ଏହି ଚମତ୍କାର ସଫଳତା ଓଡ଼ିଶାକୁ ଦେଶର ଇସ୍ପାତ ଶିଳ୍ପରେ ଏକ ପ୍ରମୁଖ ଖେଳାଳି ଭାବେ ସ୍ଥାନିତ କରିଛି। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ସବୁଠାରୁ ଆଗରେ ରହିଛି। ବିଜେଡି ସରକାର ୨୦୨୧-୨୨ ସୁଦ୍ଧା ପ୍ରାୟ ୧୧ ହଜାର ଏକର ପରିମିତ ଅଞ୍ଚଳ ଓ ୧୫୦୦ରୁ ଅଧିକ ନିର୍ମିତ ସେଡ୍ ସହ ରେକର୍ଡ ୧୨୦ଟି ଶିଳ୍ପାଞ୍ଚଳ(ଆଇଇ)/ଏରିଆ/ପାର୍କ, ଥିମ୍ ପାର୍କ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି।

ବିଗତ ୨୩ ବର୍ଷରେ ଓଡ଼ିଶାର ଇସ୍ପାତ ଉତ୍ପାଦନ ୧୫ ଗୁଣା ବୃଦ୍ଧି ପାଇଛି। ବାର୍ଷିକ ୨.୧ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ରୁ ୩୧.୪ ଏମଏମଟିପିଏରେ ପହଞ୍ଚିଛି। ଆଲୁମିନା ଉତ୍ପାଦନ ୦.୮ରୁ ୬.୫ ଏମଏମଟିପିଏ ପର୍ଯ୍ୟନ୍ତ ୮ ଗୁଣ ବୃଦ୍ଧି ପାଇଛି। ଆଲୁମିନିୟମ ଉତ୍ପାଦନ ୦.୩୪୫ରୁ ୭.୫ ଗୁଣ ବୃଦ୍ଧି ପାଇ ୨.୬ ଏମଏମଟିପିଏ ହୋଇଛି।

ସିମେଣ୍ଟ ଉତ୍ପାଦନ ୨୨.୫ ଗୁଣ ବୃଦ୍ଧି ପାଇ ୧.୦ ରୁ ୨୨.୫ ଏମଏମଟିପିଏରେ ପହଞ୍ଚିଛି। ବନ୍ଦର କ୍ଷମତା ୨୦.୫ ଏମଏମଟିପିଏରୁ ୧୭୬ ଏମଏମଟିପିଏ ପର୍ଯ୍ୟନ୍ତ ୮.୬ ଗୁଣ ବୃଦ୍ଧି ପାଇଛି। ଶକ୍ତି କ୍ଷମତା ୩.୫ ଗୁଣ ବୃଦ୍ଧି ପାଇ ୫୦୦୯ ମେଗାୱାଟ ରୁ ୧୭,୬୮୫ ମେଗା ୱାଟ୍ ରେ ପହଞ୍ଚିଛି।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଯେଉଁ ବ୍ୟାପକ ପରିବର୍ତନ ଦେଖିଛି ଏବଂ ବିଶ୍ୱସ୍ତରୀୟ ସୁବିଧାର ବିକାଶ ଓ ପ୍ରଗତି ଚାଲିଛି, ଶିଳ୍ପାୟନ ଓ ଏହା ଦ୍ୱାରା ରାଜ୍ୟ ପାଇଁ ଅଧିକ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି ଏହା ହେଉଛି ତାହାର ଏକ କ୍ଷୁଦ୍ର ଝଲକ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଯେଉଁ ଭଲ କାମ କରିଆସୁଛି ସେଥିପାଇଁ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ।

କିନ୍ତୁ ଦୁର୍ଭାଗ୍ୟବଶତଃ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ଭାରତ ତଥା ବିଶ୍ୱସ୍ତରରେ ବଦନାମ କରିବା ପାଇଁ ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ମିଥ୍ୟା ପ୍ରଚାର କରିବାରେ ଲାଗିଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତିଙ୍କ ସହ ଆଲାମ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆନନ୍ଦ ଭବନରୁ ଶଙ୍ଖ ଭବନ: ପ୍ରତିଷ୍ଠା ଦିବସରେ ବିଜେଡି କରିବ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ କଟକ ସ୍ଥିତ ବିଜୁ ବାବୁଙ୍କ ଏନ୍ତୁଡ଼ିଶାଳ ‘ଆନନ୍ଦ ଭବନ’ ଠାରୁ ଭୁବନେଶ୍ବର ‘ଶଙ୍ଖ ଭବନ’ ପର୍ଯ୍ୟନ୍ତ ବିଶାଳ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହେବ। ବିଜେଡି ଲୋକଙ୍କ ବଳ ବୋଲି ଏହି ସାଇକେଲ ରାଲିରେ ପ୍ରଚାର କରାଯିବ। ଏହା ସକଳା ଆଠଟାରୁ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ସମସ୍ତ ଯୁବକ ସାମିଲ ହେବା ପାଇଁ ଦଳ ତରଫରୁ ଆହ୍ବାନ କରାଯାଇଛି।

ଏହାପୂର୍ବରୁ ଶଙ୍ଖ ଭବନ ଠାରୁ ଏକ ପ୍ରତୀକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତୀକ ସାଇକେଲ ଶୋଭାଯାତ୍ରାରେ ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ସମେତ ଆମ ଯୁବ ଓ ଛାତ୍ର ସଂଗଠନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଇଲେକ୍ଟୋରାଲ ବଣ୍ଡରୁ ୫ଟି ଆଞ୍ଚଳିକ ଦଳକୁ ମିଳିଲା ୧୨୪୩ କୋଟି ଟଙ୍କା, ଜାଣନ୍ତୁ କିଏ କେତେ ପାଇଲେ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଆଉ ମାତ୍ର ୨-୩ ମାସ ବାକି ଅଛି । ଏହା ପୂର୍ବରୁ ୨୦୨୨-୨୩ରେ ୫ଟି ଆଞ୍ଚଳିକ ଦଳକୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡର ତଥ୍ୟ ସାମ୍ନାକୁ ଆସିଛି । ସଦ୍ୟତମ ଅଡିଟ୍ ରିପୋର୍ଟ ଅନୁଯାୟୀ, ଇଲେକ୍ଟୋରାଲ ବଣ୍ଡ ଜରିଆରେ ୫ଟି ଆଞ୍ଚଳିକ ଦଳମୋଟ ୧୨୪୩ କୋଟି ଟଙ୍କା ପାଇଛନ୍ତି।

ଏହି ଦଳଗୁଡ଼ିକ ମଧ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ), ତୃଣମୂଳ କଂଗ୍ରେସ, ଡିଏମକେ, ବିଜୁ ଜନତା ଦଳ (ବିଜେଡି) ଏବଂ ଓ୍ଵାଇଏସ୍ଆର୍ ରହିଛନ୍ତି । ଏହା ୨୦୨୧-୨୨ରେ ସଂଗ୍ରହ କରାଯାଇଥିବା ୧୩୩୮ କୋଟି ଟଙ୍କା ତୁଳନାରେ କମ୍ ହୋଇଥିବାବେଳେ ବିଆରଏସ ଏହି ସମୟ ମଧ୍ୟରେ ବଣ୍ଡ ତୁଳନାରେ ୩.୪ ଗୁଣ ଅଧିକ ସଂଗ୍ରହ କରିଛି।

ଇଲେକ୍ଟୋରାଲ ବଣ୍ଡରୁ କେଉଁ ଦଳକୁ କେତେ ଫାଇଦା

ଇଲେକ୍ଟୋରାଲ ବଣ୍ଡ ସହାୟତାରେ ୨୦୨୨-୨୩ରେ ତୃଣମୂଳ କଂଗ୍ରେସ ୯୭%, ଡିଏମକେର ୮୬%, ବିଜେଡି ୮୪%, ୱାଇଏସଆର କଂଗ୍ରେସର ୭୦% ଏବଂ ବିଆରଏସର ୭୧% ବୃଦ୍ଧି ପାଇଛି । ଜାତୀୟ ଦଳ ପାଲଟିଥିବା ଆମ୍ ଆଦମୀ ପାର୍ଟି (ଆପ୍) ୨୦୨୨-୨୩ରେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୩୬.୪ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ୨୦୨୧-୨୨ରେ ଏହା ୨୫.୧ କୋଟି ଟଙ୍କା ଥିଲା।

ଏହାର ମୋଟ ଆୟ ୨୦୨୧-୨୨ରେ ୪୪.୫ କୋଟି ଟଙ୍କା ଥିବା ବେଳେ ୨୦୨୨-୨୩ ରେ ଏହା ୮୫.୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହି ସମୟ ମଧ୍ୟରେ ଏହାର ବାର୍ଷିକ ଖର୍ଚ୍ଚ ୩୦.୩ କୋଟି ଟଙ୍କାରୁ ୧୦୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଆଶ୍ଚର୍ଯ୍ୟର କଥା ହେଉଛି, ଆପ୍‍ର ସାଧାରଣ ପ୍ରଚାର ଖର୍ଚ୍ଚ ୨୦୨୨-୨୩ରେ ୩୩୦% ବୃଦ୍ଧି ପାଇ ୫୮.୮ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୨-୨୩ରେ ଦିଲ୍ଲୀ ଓ ପଞ୍ଜାବରେ ଶାସକ ଦଳ ପାଇଁ ସର୍ବସାଧାରଣ ପ୍ରଚାର ଓ ସର୍ଭେ ପାଇଁ ୨୩.୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

୨୦୨୨-୨୩ ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ପାଞ୍ଚଟି ଆଞ୍ଚଳିକ ଦଳର ବାର୍ଷିକ ଅଡିଟ୍ ରିପୋର୍ଟ:

ବିଆରଏସ ସର୍ବାଧିକ ଆୟ ୭୩୭.୭ କୋଟି ଟଙ୍କା (୨୦୨୧-୨୨ରେ ୨୧୮ କୋଟି ଟଙ୍କାରୁ ହ୍ରାସ), ତୃଣମୂଳ କଂଗ୍ରେସ ୩୩୩.୪ କୋଟି ଟଙ୍କା (୫୪୫.୭ କୋଟି ଟଙ୍କାରୁ ହ୍ରାସ), ଡିଏମକେ ୨୧୪.୩ କୋଟି ଟଙ୍କା (୩୧୮.୭ କୋଟି ଟଙ୍କାରୁ ହ୍ରାସ), ବିଜେଡି ୧୮୧ କୋଟି ଟଙ୍କା (୩୦୭ କୋଟି ଟଙ୍କାରୁ ହ୍ରାସ) ଏବଂ ୱାଇଏସଆର କଂଗ୍ରେସ (୯୪.୭ କୋଟି ଟଙ୍କାରୁ ହ୍ରାସ) ୧୦୦ କିଲୋମିଟର/ସେକେଣ୍ଡରୁ କମ୍ ଆୟ ଘୋଷଣା କରାଯାଇଛି ।

୨୦୨୨-୨୩ରେ ତୃଣମୂଳ କଂଗ୍ରେସର ସର୍ବାଧିକ ୧୮୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୱାଇଏସଆର କଂଗ୍ରେସର ୭୯.୩ କୋଟି ଟଙ୍କା, ବିଆରଏସର ୫୭.୫ କୋଟି ଟଙ୍କା, ଡିଏମକେର ୫୨.୬ କୋଟି ଟଙ୍କା ଏବଂ ବିଜେଡିର ୯.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଇଲେକ୍ଟୋରାଲ ବଣ୍ଡ ଯୋଜନାର ଅଧିକାଂଶ ହିତାଧିକାରୀ ବିରୋଧୀଙ୍କଠାରୁ ଇଲେକ୍ଟୋରାଲ ବଣ୍ଡ ଯୋଜନାରୁ ସବୁଠାରୁ ଅଧିକ ଫାଇଦା ପାଇଥିବା ଦଳ ଥିଲା ବିଆରଏସ। ନିକଟରେ ତେଲେଙ୍ଗାନାରେ ସରକାରରୁ ହଟାଇ ଦିଆଯାଇଥିବା ଏହି ଦଳ ୨୦୨୨-୨୩ରେ ବଣ୍ଡରୁ ୫୨୯ କୋଟି ଟଙ୍କା ପାଇଥିଲା, ଯାହା କି ଗତବର୍ଷ ମିଳିଥିବା ୧୫୩ କୋଟି ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ।

କାହାର କମିଲା ଆଉ କାହାର ବୃଦ୍ଧି ?

୨୦୨୨-୨୩ରେ ତୃଣମୂଳ ୩୨୫ କୋଟି ଟଙ୍କା, ଡିଏମକେ ୧୮୫ କୋଟି ଟଙ୍କା, ବିଜେଡି ୧୫୨ କୋଟି ଟଙ୍କା ଏବଂ ୱାଇଏସଆର କଂଗ୍ରେସ ୫୨ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡରୁ ସଂଗ୍ରହ କରିଥିଲା। ୨୦୨୧-୨୨ରେ ଏହି ୪ ଦଳ ବଣ୍ଡ୍ ତୁଳନାରେ ଅଧିକ ଅର୍ଥ ସଂଗ୍ରହ କରିଥିଲେ।

ତୃଣମୂଳକୁ ୫୨୮ କୋଟି, ଡିଏମକେକୁ ୩୦୬ କୋଟି, ବିଜେଡିକୁ ୨୯୧ କୋଟି ଓ ୱାଇଏସଆର କଂଗ୍ରେସକୁ ୬୦ କୋଟି ଟଙ୍କା ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅନ୍ୟ ଏକ ଜାତୀୟ ଦଳ ସିପିଏମ୍ର ବାର୍ଷିକ ଅଡିଟ୍ ରିପୋର୍ଟ ଗୁରୁବାର ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି।

୨୦୨୧-୨୨ରେ ଦଳର ମୋଟ ଆୟ ୧୬୨.୨ କୋଟି ଟଙ୍କାଥିବା ବେଳେ ଏବେ ତାହା ୧୪୧.୭ କୋଟିଟଙ୍କାକୁ ଖସି ଆସିଛି। ସେହିପରି ୨୦୨୧-୨୨ରେ ଦଳର ଖର୍ଚ୍ଚ ୮୩.୪ କୋଟି ଟଙ୍କା ଥିବାବେଳେ ଏବେ ତାହା ୧୦୬ କୋଟିକୁ ବୃଦ୍ଧି ପାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ବିଜେଡି ନେତାଙ୍କୁ ସମ୍ବୋଧନ କଲେ କାର୍ତ୍ତିକ ପାଣ୍ଡିଆନ, କଣ କହୁଛି ସମୀକରଣ

ଭୁବନେଶ୍ବର: ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଶଙ୍ଖ ଭବନରେ ବିଜେଡି ନେତାଙ୍କୁ ସମ୍ବୋଧନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସେ ଏହି ସମ୍ବୋଧନ କରିଛନ୍ତି। ଏଥିରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ସେ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ।

ତେବେ ସମ୍ବୋଧନ କରିବା ଅବସରରେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ସେ ୨୦୨୪ ନିର୍ବାଚନରେ ଲଢେଇ କରିବେ ନାହିଁ। ସେ ଦଳରେ ଜଣେ କର୍ମି ଭାବେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଶାସନ ଗାଦିରେ ବସାଇବା ପାଇଁ ସମସ୍ତ ଚେଷ୍ଠା କରିବେ ବୋଲି କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ, ସେ ଦଳରେ ଜଣେ କର୍ମି ଭାବେ ରହିବେ ନା ଦଳର କିଛି ପଦପଦବୀ ନେବେ। ଏହି କାର୍ଯ୍ୟକାରିଣୀ ବୈଠକରେ ସେ ଦଳର ଏକ ବଡ ପଦବୀ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାହା ହେଲା ନାହିଁ। ଏହା ଚର୍ଚ୍ଚା ହେଉଥିଲା ଯେ, ପାଣ୍ଡିଆନ ବିଜେଡିର କାର୍ଯ୍ୟକାରୀ ସଭାପତି ହେବେ। ଏପରିକି କେତେକ ଆଶା କରିଥିଲେ ଯେ, ସେ ପ୍ରଚାର କମିଟର ଅଧ୍ୟକ୍ଷ ହେବେ। ହେଲେ ତାହା ହେଲା ନାହିଁ।

ତେବେ ଏହି ବୈଠକରେ ଯୋଗଦେଇଥିବା କେତେକ ନେତାଙ୍କ ଅନୁସାରେ ସେ ଦଳର କୌଣସି ପଦପଦବି ଗ୍ରହଣ କରିବାର ଆଗ୍ରହ ପରିଲକ୍ଷିତ ହେଉ ନାହିଁ। ହେଲେ ତାଙ୍କର ଏକମାତ୍ର ଲକ୍ଷ୍ୟ କିପରି ବିଜେଡି ପୁଣି ଥରେ ଶାସନ କ୍ଷମତାକୁ ଆସିବ ଏବଂ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ। ସେଥିପାଇଁ ସେ ଆହରହ ଉଦ୍ୟମ କରିବେ।

ଦଳର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ଅନୁସାରେ ପାଣ୍ଡିଆନ ଯେହେତୁ ଦଳରେ ସାମିଲ ହୋଇସାରିଛନ୍ତି, ସେଥିପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସେ ନିର୍ବାଚନରେ ଅବତିର୍ଣ୍ଣ ହୋଇପାରିବେ। ହେଲେ ସେ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ସେହିପରି ସେ ଚାହିଁଲେ ଦଳର ଏକ ବଡ ପଦବୀରେ ମଧ୍ୟ ବସିପାରିବେ ହେଲେ ସେଥିରେ ମଧ୍ୟ ତାଙ୍କର ଆଗ୍ରହ ନାହିଁ।

କାର୍ତ୍ତିକ ପାଣ୍ଡିଆନଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ତଳ ସ୍ତରରେ ଏକ ଭଲ ପ୍ରଭାବ ପକାଇବ। କାରଣ ସମସ୍ତେ ଏହି ଘୋଷଣାରୁ ସ୍ପଷ୍ଟ ହୋଇଛନ୍ତି ଯେ, ପାଣ୍ଡିଆନଙ୍କର କୌଣସି ପଦପଦବୀ ପ୍ରତି ଲାଳସା ନାହିଁ। ସେ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ପରି ପଦବୀ ନେବାର କ୍ଷମତା ଥିଲେ ମଧ୍ୟ ତାହା ମଧ୍ୟ ଗ୍ରହଣ କରୁ ନାହିାଁନ୍ତି। ପାଣ୍ଡିଆନଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ବିଜେଡିକୁ ବେଶ ଭଲ ଫାଇଦା ଦେବ ଏଥିରେ ସନ୍ଦେହ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଘୋଷଣା, କହିଲେ ମୁଁ ନିର୍ବାଚନ ଲଢିବି ନାହିଁ; ବିରୋଧୀଙ୍କ ମୁହଁ ନାଲି

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କୁ ଏକ ମାଷ୍ଟରଷ୍ଟ୍ରୋକ ଦେଇଛନ୍ତି ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢେଇ କରୁ ନାହିଁ। ଏ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଲେ ଯେ, ଭି କେ ପାଣ୍ଡିଆନ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି। ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ।

ସେ ପୁଣି କହିଛନ୍ତି ଯେ, ଯଦି ପାଣ୍ଡିଆନ ଚାହିଁବେ ତେବେ ସେ ନିର୍ବାଚନରେ ଲଢେଇ କରିପାରିବେ। କାରଣ ସେ ବର୍ତ୍ତମାନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ସେ ଏଥର ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାରା ରାଜ୍ୟରେ ତ୍ବରାନିତ କରିବା ସହିତ ଦଳକୁ ଆହୁରି ମଜବୁତ କରିବେ ବୋଲି ଦେବୀ କହିଛନ୍ତି।

ଆଜି ଶଙ୍ଖଭବନରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଜେଡିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଦଳର ନେତା ପାଣ୍ଡିଆନ ଭାଷଣ ଦେଇ ସେ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିଥିଲେ।

ଆଇଏଏସ ଅଫିସର ଥିବା ବେଳେ ପାଣ୍ଡିଆନ କାହିଁକି ଚାକିରୀ ଛାଡି ଦଳରେ ସାମିଲ ହେଉ ନାହିଁନ୍ତି ବୋଲି ବିରୋଧୀ ସେତେବେଳେ ଆହ୍ବାନ ଦେଉଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଚାକିରୀ ଛାଡି ଦଳରେ ସାମିଲ ହେଲେ। ଯାହା ଫଳରେ ବିରୋଧୀଙ୍କୁ ମୁହଁ ଚୁପ ହୋଇଗଲା। ଏହାପରେ ସେମାନେ ପାଣ୍ଡିଆନଙ୍କ ନାମରେ ପରୋକ୍ଷରେ ଏକ ପ୍ରଚାର କଲେ। ତାହା ହେଲା ଯେ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ହେଲେ ପାଣ୍ଡିଆନଙ୍କ ଆଜିର ଘୋଷଣା ପରେ ବିରୋଧୀ ମୁହଁ ନାଲି ପଡିଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ, ବିଜେପି ସଭାପତିଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହଛି, ତାହେଲେ ସେମାନଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା। ସେହିଭଳି କର୍ଣ୍ଣାଟକରେ ଯେତେବବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା।

ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି। ମନମୋହନ ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି।

ମନମୋହନ ସାମଲଙ୍କ ଆଜିର ବୟାନ ଦେଖି ଲାଗୁଛି, ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଡକ୍ଟର ମହାନ୍ତି କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମଦ ବ୍ୟବସାୟୀଙ୍କ ଜବତ ଟଙ୍କାକୁ ନେଇ ଓଡିଶା ରାଜନୀତିରେ ଝଡ, ବିଜେଡି କଲା ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ଓଡିଶା ଓ ଝାଡଖଣ୍ଡ ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବର୍ତ୍ତମାନ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଏତେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ବ୍ୟବସାୟରୁ ଆସିଛି ନା ତାହା ଆଉ କାହାର। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ତେବେ ଝାଡଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ଭାଇଙ୍କର ଏହି ମଦ ବ୍ୟବସାୟ ହୋଇଥିବାରୁ ଓଡିଶା କଂଗ୍ରେସ ଚୁପ ରହିଛି।

ପ୍ରଥମେ ଏହି ମଦ ବ୍ୟବସାୟୀଙ୍କ ଜବତ ଟଙ୍କା ବିଜେଡିର ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ସୂଚନା ଦେଇଛି। ଦଳର ମୁଖପାତ୍ର ମନୋଜ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟାର୍ଗେଟ କରିଛି। ମନୋଜ ଟୁକୁନୀ ସାହୁଙ୍କ ସହିତ ସେହି ବ୍ୟବସାୟୀ ବସିଥିବାର ଫଟୋ ଦେଖାଇଛନ୍ତି। ସିଧା ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି ଟଙ୍କା ବିଜେଡି ଆଗୁଆ ନିର୍ବାଚନ କରି ଖର୍ଚ୍ଚ କରିବା ପାଇଁ ମଦ ବ୍ୟବସାୟୀଙ୍କ ପାଖରେ ଗଚ୍ଛିତ ରଖିଥିଲା।

ମନୋଜ କହିଛନ୍ତି ଯେ, ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁରର ବିଜେଡି ନେତା ଏଥିରେ ସଂପୃକ୍ତି ରହିଛି। ହେଲେ ବିଜେଡି ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରଛି। ଦଳର ମୁଖପାତ୍ର ଇପିସ୍ସିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ମିଛ କହୁଛି। ସେ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ସେଠାରେ ଅଭିଯୋଗ କରିଛି ଯେ, ଏହି ଟଙ୍କା କଂଗ୍ରେସ ଦଳର। ହେଲେ ଓଡିଶା ବିଜେପି କହୁଛି ଏହା ବିଜେଡିର।

ତେଣୁ ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ଦଳ କହିଛି ଯେ, ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଝାଡଖଣ୍ଡ ବିଜେପିକୁ ପଚାରି ଦେଇଥିଲେ ଭଲ ହୋଇଥାଆନ୍ତା। ତେବେ ଇପସ୍ସିତା ଆଉ ଏକ ବଡ ଅଭିଯୋଗ କରିଛନ୍ତି। ତାହା ହେଲା ଯେ, ଜବତ ଟଙ୍କା ହେଉଛି ପଶ୍ଚିମ ଓଡିଶାର କେତେକ ବିଜେପି ନେତାଙ୍କର। ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ତଦନ୍ତ ପରେ ପ୍ରକୃତ ରହସ୍ୟ ଫିଟିବ ବୋଲି ବିଜେଡି କହିଛି।

ତେବେ ପ୍ରକୃତରେ ଦେଖିବାକୁ ଗଲେ ଏପରି ବିପୁଳ ପରିମାଣର ଟଙ୍କା ମିଳିବା କେବଳ ଓଡିଶା ଝାଡଖଣ୍ଡ କାହିଁକି ସାରା ଦେଶରେ ଏହା ଏକ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ଏହି ଖବରକୁ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହିପରି ବହୁ ବିଜେପି ନେତା ଓ ମନ୍ତ୍ରୀ ଏହି ଟଙ୍କାକୁ ନେଇ କେବଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ହେଲେ କେହି ବିଜେଡିକୁ ସମାଲୋଚନା କରି ନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କନ୍ଧନୟାଗଡରେ ପୁଣି ବିଜେପି ନେତ୍ରୀ ସୁରମା ପାଢୀଙ୍କୁ କଳା ପତାକା ପ୍ରଦର୍ଶନ

ରଣପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରଣପୁର ନିର୍ବାଚନମଣ୍ଡଳୀ ଚଳଚଂଚଳ ହାଇଛି। ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ କନ୍ଧନୟାଗଡ ପଚାଂୟତରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ କଳା ପତକା ପ୍ରଦର୍ଶନ କରାଯାଇଛି। ୪ ଦିନ ତଳେ ବିଜେଡି ତରଫରୁ କନ୍ଧନୟାଗଡରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ବେଳେ ବିଜେପି ତରଫରୁ ସ୍ଥାନୀୟ ବିଧାୟକଙ୍କୁ କଳା ପତକା ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏବେ ପୁଣି ସେହି ପଚାଂୟତରେ ବିଜେଡି ତରଫରୁ ବିଜେପି ନେତ୍ରୀଙ୍କୁ କଳା ପତକା ପ୍ରଦର୍ଶନ କରାଯିବା ସହ ଗୋବ୍ୟାକ୍ ସ୍ଲୋଗାନ ଦିଆଯାଇଥିଲା। ସୋମବାର ଦିନ ଜଙ୍କିଆ ପଚାଂୟତରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ପୁଣି କନ୍ଧନୟାଗଡ ପଚାଂୟତରେ ଏହି ଘଟଣାର ପୁନରାବୃତ୍ତି ଘଟିଛି।

ଘଟଣାରୁ ପ୍ରକାଶ ଗତକାଲି ରଣପୁର ବ୍ଲକ ଚାନ୍ଦପୁର ପଚାଂୟତରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମ କନ୍ଧନୟାଗଡ ପଚାଂୟତରେ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,  ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ। କିନ୍ତୁ ସୁରମା ପାଢୀଙ୍କ ଯୋଗଦାନକୁ ବିଜେଡି ତରଫରୁ ଜୋରଦାର ବିରୋଧ କରାଯାଇଥିଲା। କେବଳ ନିର୍ବାଚିତ ପ୍ରତିନିଧି ମାନେ ଏହି ବୈଠକରେ ବସି ପାରିବେ ବୋଲି ମତ ଦେବା ସହ ସୁରମାଙ୍କୁ କଳାପତକା ଦେଖାଇବା ସହ ଗୋବ୍ୟାକ୍ ସ୍ଲୋଗାନ ଦେଇଥିଲେ।

ଖବର ପାଇଁ ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପହଚିଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଟାଙ୍ଗି (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ର ତିନୋଟି ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯାଇଛନ୍ତି।

ଏହି ଅବସରରେ ମହିଳା, ଯୁବ, ଛାତ୍ର ବିଜେଡିର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜୟମଙ୍ଗଳପୁରରୁ ବାହାରି କୁଞ୍ଜୁରୀ, କୁହୁଡି ଓ ରତନପୁର ପଂଚାୟତ ପରିକ୍ରମା କରିଥିଲେ। ସମସ୍ତ ଗ୍ରାମରେ ଲୋକଙ୍କ ସହ ମିଶି ଓଡ଼ିଶାରେ ନବୀନ ସରକାରଙ୍କ ସଫଳତାକୁ ପାଥେୟ କରି ଆଗମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବା ପାଇଁ ନିବେଦନ କରିଛନ୍ତି।