Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଭୋଟରଙ୍କୁ ଅପରାଧି କହିଲେ ସାଂସଦ ଅପରାଜିତା: ବିଜେଡିର ଅଭିଯୋଗ

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି ବର୍ଷ ପରେ ପରିଦର୍ଶନ କରୁଛନ୍ତି, ନିର୍ବାଚନମଣ୍ଡଳୀର ମହିଳା ଏବଂ ପୁରୁଷମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ସେ ଗତ ସାଢେ ଚାରି ବର୍ଷ ଧରି କେଉଁଠାରେ ଥିଲେ ଏବଂ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କାହିଁକି ଆସୁଛନ୍ତି?

ଭୁବନେଶ୍ୱରର ମହିଳା ତଥା ସାଧାରଣ ଲୋକଙ୍କ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ କହୁଛନ୍ତି ଯେ ଭୁବନେଶ୍ୱରର ଲୋକେ ତଥା ଅପରାଧୀମାନେ ତାଙ୍କ ସଭାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ।

ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗତ ନିର୍ବାଚନରେ ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ କରିଥିଲେ, ବିଶେଷକରି ଭୁବନେଶ୍ୱରର ମହିଳା, ମା’ ଏବଂ ଭଉଣୀ, ସେମାନଙ୍କୁ ଆଜି ସେ ଅପରାଧୀ ବୋଲି କହୁଛନ୍ତି । ଯେଉଁମାନେ ତାଙ୍କୁ ଭୋଟ୍ ଦେଇଛନ୍ତି ସେମାନଙ୍କୁ ଅପରାଧୀ ବୋଲି ଜଣେ ସାଂସଦ କିପରି କହିବେ? ସେ କିପରି ଜଣେ ମହିଳା ଭାବରେ ଭୁବନେଶ୍ୱରର ମହିଳାମାନଙ୍କୁ ଅପରାଧୀ ବୋଲି କହିପାରିବେ?

ନିଜ ସାଂସଦଙ୍କୁ ସାମାନ୍ୟ ପ୍ରଶ୍ନ ପଚାରିଥିବା ଭୁବନେଶ୍ୱର ଲୋକଙ୍କୁ ଶ୍ରୀମତୀ ଷଡଙ୍ଗୀ ଯେଭଳି ଅପରାଧି ବୋଲି କହୁଛନ୍ତି ଆମେ ତାହାକୁ ନିନ୍ଦା କରୁଛୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ସରକାରଙ୍କୁ ସମର୍ଥନ କଲେ YSR କଂଗ୍ରେସ ଏବଂ ବିଜେଡି, ଏହି ନିଷ୍ପତ୍ତି ଠିକ କି ଭୁଲ?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହ ସୋମବାରରୁ ଆରମ୍ଭ ହେବ। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନର ଅଧିବେଶନରେ ଦୁଇଟି ପ୍ରସଙ୍ଗରେ ବହୁ ହଟ୍ଟଗୋଳ ଦେଖାଦେଇଛି। ପ୍ରଥମ ମଣିପୁର ହିଂସା ଏବଂ ଦ୍ୱିତୀୟ ଦିଲ୍ଲୀ ସେବା ବିଲ୍।

ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିରବତା ଅବଲମ୍ବନ କରୁଥିବା ବିରୋଧୀ ଦଳ ଇଣ୍ଡିଆ ଅଭିଯୋଗ କରିଛି। ମିଳିତ ମେଣ୍ଟର କ୍ରମାଗତ ଦାବି ହେଉଛି ଯେ ଉଭୟ ଗୃହରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିବୃତ୍ତି ଦିଅନ୍ତୁ। ଏଥିପାଇଁ ବିରୋଧୀ ମିଳିତ ମେଣ୍ଟ ଗୃହର ନିୟମ ୧୯୮ ଅଧୀନରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାର ପଦକ୍ଷେପ ନେଇଛନ୍ତି।

ଜୁଲାଇ ୨୬ ତାରିଖରେ ବିରୋଧୀ ଦଳ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଚର୍ଚ୍ଚା ଏବଂ ଭୋଟ୍ ଗ୍ରହଣ କରାଯାଇ ନାହିଁ। ସେହି ଦୁଇ ବିରୋଧୀ ଦଳର ଏହି ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେଉଛି, ଯେଉଁମାନେ ଅନାସ୍ଥା ପ୍ରସ୍ତାବ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିଲେ। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦଳ YSR କଂଗ୍ରେସ ଏବଂ ଓଡିଶା ସିଏମ୍ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ରହିଛି।

ଅନାସ୍ଥା ପ୍ରସ୍ତାବ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି YSR କଂଗ୍ରେସ ପାର୍ଟି ଏବଂ ବିଜେଡି ଠିକ କିମ୍ବା ଭୁଲ କରିଥିଲେ, ଏବିପି ନ୍ୟୁଜ୍ ପାଇଁ କରାଯାଇଥିବା ସି-ଭୋଟର ଅଲ ଇଣ୍ଡିଆ ସର୍ଭେରେ ଲୋକମାନେ ନିଜର ମତ ଦେଇଛନ୍ତି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ସଂଖ୍ୟା ପ୍ରକାଶ ପାଇଛି।

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ବିରୋଧୀ ଦଳ YSR କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ସମର୍ଥନ କରିଛନ୍ତି। ଠିକ୍ କି ଭୁଲ୍?
ଠିକ ହୋଇଛି- ୪୩ %
ଭୁଲ ହୋଇଛି- ୩୪ %
ଜଣା ନାହିଁ – ୨୩ %

ଏହି ସର୍ଭେରେ ସର୍ବାଧିକ ୪୩ ପ୍ରତିଶତ ଲୋକ YSRCP ଏବଂ ବିଜେଡିର ପଦକ୍ଷେପକୁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ପଦକ୍ଷେପକୁ ‘ସଠିକ୍’ ବୋଲି କହିଛନ୍ତି। ଦ୍ୱିତୀୟ ସଂଖ୍ୟାରେ ୩୪ ପ୍ରତିଶତ ଲୋକ ଉଭୟ ଦଳର ଏହି ପଦକ୍ଷେପକୁ ଭୁଲ ବୋଲି କହିଛନ୍ତି। ଏଥି ସହିତ ୨୩ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଏହା ବିଷୟରେ ଜାଣନ୍ତି ନାହିଁ।

ପ୍ରକାଶ ଯେ, ଚଳିତ ଅଧିବେଶନର ଏହି ଶେଷ ସପ୍ତାହରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଏବଂ ଭୋଟ୍ ଆଶା କରାଯାଏ, କାରଣ ଲୋକସଭାର ନିୟମ ଅନୁଯାୟୀ, ବିଜ୍ଞପ୍ତି ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ଆଲୋଚନା ଦିନ ରଖାଯାଏ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସେବା ବିଲକୁ ସମର୍ଥନ ପରେ ବିଜେଡ଼ି କୁ ଟାର୍ଗେଟ କଲେ ଆପ ସାଂସଦ ରାଘବ ଚଢା

ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ସହ ଜଡିତ ଏହି ନିୟମକୁ ବଦଳାଇବା ବିଲ୍ ଆସନ୍ତାକାଲି ଲୋକସଭାରେ ଚର୍ଚ୍ଚା ହେବ। ଏହି ସମୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ଆନ୍ଧ୍ରପ୍ରଦେଶ) ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି (YSRCP) ଏହି ବିଲ୍ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ଆମ୍ ଆଦମୀ ପାର୍ଟି (AAP) ଏହି ଦୁଇ ଦଳକୁ ଟାର୍ଗେଟ କରିଛି।

ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା କହିଛନ୍ତି ଯେ, “ଏହା ଏକ ଦେଶ ବିରୋଧୀ ବିଲ୍, ଯେଉଁମାନେ ଏହି ବିଲକୁ ସମର୍ଥନ କରିବେ, ଦେଶ ସେମାନଙ୍କୁ ଦେଶବିରୋଧୀ ଭାବେ ମନେ ରଖିବ। ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶପ୍ରେମୀ କୁହାଯିବ।’’ ଏଥିସହିତ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସଂସଦରେ ଦିଲ୍ଲୀ ସେବା ବିଲ୍ ଭଲି ଏକ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଲକୁ ବିଜୁ ଜନତା ଦଳ ସମର୍ଥନ କରିବା ପଛରେ କିଛି ବାଧ୍ୟବାଧକତା ରହିଥିବ। ଏପରି ହୋଇ ନଥିଲେ ଏକ ନିର୍ବାଚିତ ସରକାରର ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯିବା ଭଳି ପ୍ରସ୍ତାବ ଥିବା ବିଲକୁ କେବେ ସମର୍ଥନ କରି ନଥାନ୍ତା ବିଜେଡି।

Categories
ବିଶେଷ ଖବର

ଆଇନ ପ୍ରଣୟନ କରିବାର ଅଧିକାର ସରକାରଙ୍କ ରହିଛି: ବିଜେଡି

ନୂଆଦିଲ୍ଲୀ: ଦିଲ୍ଲୀର ସେବା ଅଧିକାର ସଂକ୍ରାନ୍ତ ବିଲ୍ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ। ଦଳର ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ଦିଲ୍ଲୀ ସମ୍ପର୍କରେ ଆଇନ ପ୍ରଣୟନ କରିବାର ଅଧିକାର କେନ୍ଦ୍ରର ରହିଛି। ସରକାରଙ୍କ ସମର୍ଥନରେ ଭୋଟ୍ ଦେବା ପାଇଁ ଦଳ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ଯଦି ଆମେ ଲୋକସଭାରେ ସଂଖ୍ୟା ଗରିଷ୍ଠତା କଥା କହିବୁ, ତେବେ ଏହି ବିଲ୍‍କୁ ପାରିତ ହେବାରୁ କେହି ଅଟକାଇ ପାରିବେ ନାହିଁ। କେବଳ ବିଜେପିର ୩୦୧ ସଦସ୍ୟ ଥିବାବେଳେ ଏନଡିଏର ୩୩୦ରୁ ଅଧିକ ସଦସ୍ୟ ଅଛନ୍ତି। ସେହିପରି ଲୋକସଭାରେ କୌଣସି ବିଲ୍ ପାରିତ କରିବା ପାଇଁ ୨୭୨ ଜଣ ସାଂସଦଙ୍କ ଆବଶ୍ୟକତା ରହିଛି।

ମଙ୍ଗଳବାର ଲୋକସଭାରେ ଆଗତ ହୋଇଥିବା ଦିଲ୍ଲୀର ସେବା ଅଧିକାର ସଂକ୍ରାନ୍ତ ବିଲ୍ ଉପରେ ଆଜି ଆଲୋଚନା ହେବ। ଆଲୋଚନା ପୂର୍ବରୁ ମଧ୍ୟ ଆମ୍ ଆଦମୀ ପାର୍ଟି ଏହି ବିଲ୍ ପାରିତ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି। ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ଲଗାତାର ଅନ୍ୟ ଦଳର ସମର୍ଥନ ମିଳୁଛି। ପୂର୍ବରୁ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଏହି ବିଲ୍ ଉପରେ ସରକାରଙ୍କୁ ସମର୍ଥନ ଘୋଷଣା କରିଥିବାବେଳେ ମଙ୍ଗଳବାର ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳ ସରକାରଙ୍କୁ ସମର୍ଥନ ଘୋଷଣା କରିଛି।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ବିଲ୍ ଆଗତ କରିଥିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାରଙ୍କ ସଂଶୋଧନ ବିଲ୍-୨୦୨୩ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯେତେବେଳେ ଏହି ବିଲ୍ ଆଗତ କରୁଥିଲେ, ସେତେବେଳେ ବିରୋଧୀ ଦଳଗୁଡ଼ିକ ହଙ୍ଗାମା କରୁଥିଲେ। ହଙ୍ଗାମା ଓ ନାରାବାଜି ମଧ୍ୟରେ ଏହି ବିଲ୍ ଆଗତ ହୋଇଥିଲା। ସେପଟେ ଆଜି ଏହି ବିଲ୍ ଉପରେ ଆଲୋଚନା ହେବ। ଏହି ବିଲ୍ କିଛି ମାସ ତଳେ ଜାରି ହୋଇଥିବା ଅଧ୍ୟାଦେଶକୁ ବଦଳାଇବ। ପ୍ରଚଳିତ ବିଲରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି।

ସେମାନଙ୍କର ବାଧ୍ୟତାମୂଳକତା ରହିଛି, ସେଥିପାଇଁ ସେମାନେ କେନ୍ଦ୍ରକୁ ସମର୍ଥନ କରୁଛନ୍ତି: ଆପ୍

ଅଧ୍ୟାଦେଶ ପ୍ରସଙ୍ଗରେ ୱାଇଏସଆର କଂଗ୍ରେସ ଏବଂ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବେ କି ବୋଲି ପଚରାଯିବାରୁ ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା କହିଛନ୍ତି ଯେ କିଛି ବାଧ୍ୟତାମୂଳକ କାରଣରୁ ସେମାନେ ଏହି ନିଷ୍ପତ୍ତି ନେଇଥାଇପାରନ୍ତି। ଯେଉଁମାନେ ଏହି ବିଲକୁ ସମର୍ଥନ କରିବେ ସେମାନେ ଦେଶଦ୍ରୋହୀଭାବେ ସ୍ମରଣୀୟ ରହିବେ। ଭାରତର ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମେ ଲଢ଼େଇ କରିବୁ।

Categories
ବିଶେଷ ଖବର

ସତ୍ୟପାଠକୁ ମିଥ୍ୟା ବୋଲି କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତାକୁ ଦର୍ଶାଉଛି: ବିଜେଡି

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି। ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ।

ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି। ମହାପ୍ରଭୁଙ୍କ ନାଁରେ ମିଛ କହିବା କେବଳ ତାଙ୍କ ଭଳି ମିଥ୍ୟାବାଦୀମାନେ ହିଁ ଚିନ୍ତା କରିପାରନ୍ତି।

ପୃଥ୍ୱୀରାଜ ବାବୁଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ମିଥ୍ୟାପାଠ ଭଳି ଲାଗୁଛି, ସେ ଏହା ବିରୋଧରେ ହାଇକୋର୍ଟକୁ ଯାଉନାହାନ୍ତି କାହିଁକି? ସବୁ ଆଡ଼ୁ ହତାଶ ହୋଇ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ବିଧାୟକ ପ୍ରତାପ ଜେନା ଓ ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ବିଜୁ ଜନତା ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ। ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ। ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଜଭୂତ ହେବ ବୋଲି ବିଧାୟକ ଶ୍ରୀ ଦାଶ ଆଶା ପ୍ରକାଶ କରିଥିଲେ।

ମିଶ୍ରଣ ପର୍ବରେ ଗୁଣନିଧି ସ୍ୱାଇଁ, ବୁଦ୍ଧନାଥ ସ୍ୱାଇଁ, ଲିଙ୍ଗରାଜ ସାହୁ, କାଳନ୍ଦୀ ମଲ୍ଲିକ, ଗଙ୍ଗାଧର ମହାରଣା, ନିରଞ୍ଜନ ମହାପାତ୍ର ବିଜେଡ଼ିରେ ସାମିଲ୍ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ତେରୁଣ୍ଡିଆ ଗ୍ରାମପଞ୍ଚାୟତ ସରପଞ୍ଚ ଚିତ୍ତ ନାୟକ, ଚିନ୍ତନ ପ୍ରଧାନ, ଅଜୟ କୁମାର ସ୍ୱାଇଁ, ଅକ୍ଷୟ ବେହେରା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନିଆରା ଢଙ୍ଗରେ ଜନ୍ମଦିନ ଉପହାର

କୁଜଙ୍ଗ: ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣ କୁମାର ବେହରାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଅବସରରେ ଦଳର ବହୁ ନେତା ଓ କର୍ମୀଙ୍କ ସମାବେଶ ଦେଖିବାକୁ ମିଳିଥିଲା।

ଏହି ଅବସରରେ ମହ୍ଲାସାହି ସରପଞ୍ଚ ଧୃବ ଚରଣ ନାୟକ ତାଙ୍କୁ ନଡିଆ ଚାରା ଉପହାର ସ୍ୱରୂପ ଦେଇଥିଲେ ଯାହା ବେଶ ପ୍ରେରଣା ଦାୟୀ ହୋଇଥିଲା। ଏହି ଅବସରରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ, ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ, ତାଳପଡା ସରପଞ୍ଚ ଦମୟନ୍ତୀ ଲେଙ୍କା, ଯୁବ ବିଜେଡି ନେତା ଅରୂପ ପ୍ରସାଦ ମହାନ୍ତି, ପୂର୍ବତନ ସମିତି ସଭ୍ୟ କବି ରଞ୍ଜନ ବେହେରା, ମହନୀ ଚରଣ ରାଉତଙ୍କ ସହ ବହୁ ସରପଞ୍ଚ ଓ ଦଳର ନେତା ଓ ସଂଗଠକ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ, କହିଲେ ଏପରି କଥା

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହି ରେକର୍ଡକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପାଳନ ନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ।

ତେବେ ଏହାର କଡା ଜବାବ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି। ରାଜନୀତିରେ ତିଷ୍ଠି ରହିବା ପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି।

ଏକ ଟୁଇଟ୍‍ ଜରିଆରେ ବିଜେପି ନେତା ଶ୍ରୀ ମହାନ୍ତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ। ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି: ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର: ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ ଗଣତନ୍ତ୍ରକୁ ଅପହରଣ କରିଦେଇଛି। ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି।

ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି। କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ।

ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ, ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି। ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧ ସରକାରର ଡିମଡିମ ପିଟୁଛି।

ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସାରା ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି। ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ।

ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି। ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି। ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି। ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ।

ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ତୋଳାଳୀଙ୍କ ବୋନସ ଘୋଷଣାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ

ଭୁବନେଶ୍ୱର : କେନ୍ଦୁ ପତ୍ର ଶ୍ରମିକଙ୍କୁ ବୋନସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା ପରେ ବିଜେପି ଏହାକୁ ସମାଲୋଚନା କରିବା ଆରମ୍ଭ କରିଛି। ବିଜେପି କହିଛି ଓଡିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ହଜାର ବନ୍ଧେଇ ଶ୍ରମିକ ଓ ୨୨ହଜାର ସିଜିନାଲ କର୍ମଚାରୀ ମାନଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ୍‌” ଧରାଇ ଦେଲେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି।

ତେବେ ବିଜେପିର ଏହି ସମାଲୋଚନାକୁ ଜବାବ ଦେଇଛି ବିଜେଡି। ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ। ସେମାନେ କେବଳ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବାକୁ ରାଜ୍ୟ ବିଜେପି ନେତାମାନଙ୍କ ସତ୍ ସାହାସ ନାହିଁ। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରସଙ୍ଗରେ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବୟାନକୁ ନେଇ ରାଜ୍ୟ ବିଜେପି ଉପରେ ଏମିତି ବର୍ଷିଛି ବିଜେଡି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ନେତା ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ ସଂଜିତ ମହାନ୍ତି କହିଛନ୍ତି ଯେ ମାନବ୍ୟର ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟ ବର୍ଷ ପାଇଁ ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ୩ଟି ପର‌୍ୟ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ୍, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ଦେଇ ସାରିଲେଣି। ସେଥିରୁ ୫୬ କୋଟି ଟଙ୍କା ଗତକାଲି ତୃତୀୟ ପର‌୍ୟ୍ୟାୟରେ ପ୍ରଦାନ କରିଛନ୍ତି।

କୌଣସି ରାଜ୍ୟରେ କେବେ ବି କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ଏତେ ଟଙ୍କାର ପ୍ରୋତ୍ସାହନ ରାଶି କେହି ଦେଇ ନାହାନ୍ତି। ଏ କଥା ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳି ଏବଂ ଏଥିସହ ସଂପୃକ୍ତ ସମସ୍ତ ହିତାଧିକାରୀ ଭଲ ଭାବେ ଜାଣିଛନ୍ତି। ମାତ୍ର ବିଡ଼ମ୍ବନା ହେଲା, ନିଜକୁ କେନ୍ଦୁପତ୍ର ତୋଳାଳି ସଂଘର ନେତା ବୋଲାଉଥିବା ବିଜେପି ନେତା ପ୍ରଦୀପ ପୁରୋହିତ କେବେବି ଏ ବିଷୟରେ ମୁହଁ ଖୋଲିବେନି। କାରଣ ସତ କହିଲେ ତାଙ୍କ ଛାତି ଫାଟିଯିବ।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ କେନ୍ଦୁପତ୍ର ଉପରୁ କେନ୍ଦ୍ର ସଂଗ୍ରହ କରୁଥିବା ୧୮ ପ୍ରତିଶତର ଜିଏସ୍ଟି ଛାଡ଼ କରିବାକୁ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଓଡ଼ିଶାର ବିଜେପି ନେତାମାନେ କେବେ କେନ୍ଦ୍ର ସରକାରଙ୍କ ଆଗରେ ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଏହି ଦାବିକୁ ଉଠାଇଛନ୍ତି କି? ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ରହିଛନ୍ତି।

ପ୍ରଦୀପ ପୁରୋହିତ କହିପାରିବେ କି ଏସବୁ ରାଜ୍ୟରେ କେନ୍ଦୁପତ୍ର ତୋଳାଳିଙ୍କୁ ତାଙ୍କ ରାଜ୍ୟ ସରକାର କେତେ ଟଙ୍କାର ପ୍ରୋତ୍ସାହନ ରାଶି ଦେଉଛନ୍ତି? ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ପ୍ରଦୀପ ପୁରୋହିତଙ୍କ ଭଳି ବ୍ୟକ୍ତିଙ୍କର କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କୌଣସି ଦରଦ କେବେ ନଥିଲା କି ଆଜି ମଧ୍ୟ ନାହିଁ।

ସେ କେବଳ ସେମାନଙ୍କୁ ନେଇ ରାଜନୀତି କରିବା ଜାଣନ୍ତି। ଏହି କାରଣରୁ ଅଧିକାଂଶ କେନ୍ଦୁପତ୍ର ତୋଳାଳି ଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି ଏବଂ ପଦ୍ମପୁରବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶାସକ ବିଜେଡି ନିଜର ଜିଲ୍ଲା ସ୍ତରୀୟ ଦଳୀୟ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନମୋଦନ କ୍ରମେ ଦଳର  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ସୁନ୍ଦରଗଡ଼ ଜିଲ୍ଲାର ନୂତନ କର୍ମକର୍ତ୍ତା ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀ ଓ 10ଟି ବ୍ଲକ ଓ 2ଟି ମୁନିସିପାଲିଟିରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ଆଠ ଜଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବାବେଳେ 35ଜଣ ସମ୍ପାଦକ,19ଜଣ ଉପାଦାଷ୍ଟା ମଣ୍ଡଳୀ ସଭ୍ୟ ଏବଂ ଜଣେ କୋଷାଧ୍ୟକ୍ଷ  ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଲିଗାଲ, କୃଷକ, ଅନୁସୂଚିତ ଜାତି ଓ ଉପଜାତି ସେଲର 8ଜଣଙ୍କୁ ସଭାପତି ଭାବେ ନିଯୁକ୍ତି. ମିଳିଛି।

 

ସେହିପରି ସୁନ୍ଦରଗଡ ପାଇଁ 19 ଜଣଙ୍କୁ ଉପଦେଷ୍ଠା କମିଟ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।  ଏଥିସହିତ ଆଠ ଜଣଙ୍କୁ ଦଳର ବିଭିନ୍ନ ସଂଗଠନର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ସେହିପରି ସୁଦନ୍ଦରଗଡର ବିଭିନ୍ନ ସହର ତଥା ବ୍ଲକର ସଭାପତି ଭାବେ ନୂଆ ନିଯୁକ୍ତି କରାଯାଇଛି।

ଏହି ନୂଆ ନିଷ୍ପତିକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉଲ୍ଲେଖ କରିଛନ୍ତି। ସୁନ୍ଦରଗଡ ଜିଲ୍ଲା ବିଜେଡି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା। ସେଥିପାଇଁ ଏହି ଜିଲ୍ଲାର ସଂଗଠନକୁ ମଜବୁତ କରିବା ପାଇଁ ଦଳ ଭାବି ଚିନ୍ତି ନୂଆ କର୍ମକର୍ତ୍ତାକୁ ନିଯୁକ୍ତି ଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନ ନେଇ କେନ୍ଦ୍ରକୁ ଦୋଷ ଦେଲା ବିଜେଡି, କହିଲା ଶିକ୍ଷାରେ ହେଉଛି ରାଜନୀତି

ଭୁବନେଶ୍ୱର : ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡିଶା କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହେଉଥିବାବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ର‌୍ୟାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାରେ ପ୍ରାୟ ୮୦୦୦ ହାଇସ୍କୁଲରେ ରୂପାନ୍ତରଣ କରାଯାଉଛି ଯାହାକି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛି। ଓଡ଼ିଶା ଆରମ୍ଭ କରିଥିବା ମୋ ସ୍କୁଲ ଅଭିଯାନ ଯାହା କି ଦେଶରେ ଅତୁଳନୀୟ ଏବଂ ଏହାକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି, ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟଗୁଡ଼ିକର ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟରେ ଓଡିଶା ର଼୍ୟାଙ୍କିଙ୍ଗରେ ହ୍ରାସ ଘଟିବା ଆଶ୍ଚର୍ଯ୍ୟଜନକ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଖରାପ ଭାବେ ଦର୍ଶାଇବା ଏବଂ ଓଡିଶାବାସୀଙ୍କୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ । ଆଶ୍ଚର୍ଯ୍ୟର କଥା ଯେ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମାନ୍ୟତାରେ ମଧ୍ୟ ହ୍ରାସ କରାଯାଇଛି।

ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡିଶାର ଶିକ୍ଷା ବ୍ୟବସ୍ଥାର ମୂଲ୍ୟାୟନ କ୍ଷେତ୍ରରେ ଏଭଳି ରାଜନୀତିରେ ଲିପ୍ତ ଅଛି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ମୂଲ୍ୟାୟନକୁ ଆମେ ମାନ୍ୟତା ଦେଉ ନାହୁଁ କାରଣ ଏହା ଯୋଗ୍ୟତା ଅପେକ୍ଷା ରାଜନୀତି ସହିତ ଅଧିକ ଜଡିତ ଅଟେ।

Categories
ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହକୁ ତୁରନ୍ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ: ବିଜେଡି

ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଦେଇ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ରାଜନାଥ ସିଂହଙ୍କୁ ଅନୁରୋଧ କରିଥିଲେ।

୨୦୧୭ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀରେ ପାଇକ ବିଦ୍ରୋହର ଶତାବ୍ଦୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।

୨୦୨୧ ଡିସେମ୍ବର ୬ ତାରିଖରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧିଦଳ ମାନ୍ୟବର କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା ପାଇଁ ଦାବି କରିଥିଲେ।

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରରେ ଥିବା ଦୁଇ ଓଡିଆ ମନ୍ତ୍ରୀ ତଥା ଓଡିଶାର ୮ଜଣ ବିଜେପି ସାଂସଦ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ କେନ୍ଦ୍ରରେ ଏହି ପ୍ରସଙ୍ଗକୁ ଉଠାଉ ନାହାନ୍ତି। ସଂସଦରେ ଓଡିଆ ବିଜେପି ସାଂସଦମାନେ ଏହି ପ୍ରସଙ୍ଗ ମୁହଁ ଖୋଲିଥିବାର ଆମେ କେବେ ବି ଦେଖିନାହୁଁ। ଏହା ପାଇକ ବିଦ୍ରୋହ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଭୁବନେଶ୍ୱରର ବିଜେପି ସାଂସଦ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହେଉଛି “ଓଡିଆ ଅସ୍ମିତା ଏବଂ ଓଡିଆ ଆତିଥ୍ୟ” ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଦୁଇ ଓଡିଆ ମନ୍ତ୍ରୀ ଏବଂ ୮ଜଣ ବିଜେପି ସାଂସଦ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଓଡିଶାର ସାଢେ ୪କୋଟି ଲୋକଙ୍କ ସହ ଆମେ ଦୃଢଭାବେ ଦାବି କରୁଛୁ ଯେ କାଳ ବିଳମ୍ବ ନକରି ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ ଈର୍ଷାନ୍ୱିତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଆଜି ଏଠାରେ ଶ୍ରୀମତୀ ସାହୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସେମାନଙ୍କ ଦୁଆର ମୁହଁକୁ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଠାଇଛନ୍ତି। ଏଭଳି ପଦକ୍ଷେପ ଯୋଗୁଁ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।

ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଶାସନ କରିବାକୁ ଅଭ୍ୟସ୍ତ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ବୁଝିପାରିବେ ନାହିଁ। ମାଲକାନଗିରିର ଲୋକମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ସେମାନଙ୍କ ଅଭିଯୋଗ ଜଣାଇବା ସମ୍ଭବ ନୁହେଁ।

ଯେଉଁମାନେ ରାଜନୀତିରେ ନବାଗତ ଅଟନ୍ତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହଁନ୍ତି ସେମାନେ ଏହା ବୁଝି ପାରିବେ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟାକୁ ଶୁଣିବା ଏବଂ ସମାଧାନ କରିବାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ପୁଷ୍ପେନ୍ଦ୍ର ସିଂହଦେଓ ହେଲେ ସଭାପତି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବିଜୁ ଜନତା ଦଳ ଧିରେ ଧିରେ ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ବିଭିନ୍ନ ସମୟରେ ଜିଲ୍ଲା କମିଟ ତଥା ନିର୍ବାଚନ ମଣ୍ଡଳୀ କମିଟ ଗଠନ କରି ନୂଆ ନେତାଙ୍କୁ ଦାୟିତ୍ବ ଦେଉଛି।

ଏହି ପରିପ୍ରେକ୍ଷୀରେ ଦଳ କଳାହାଣ୍ଡି ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ସଭାପତି ଅଛନ୍ତି।

ସେହିପରି ଏହି ତାଲିକାରେ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି। ଏହି ତାଲିକାରେ ଜିଲ୍ଲାର ପାଞ୍ଚୋଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପାଞ୍ଚ ଜଣଙ୍କୁ ସଭାପତି କରାଯାଇଛି। ସେହିପରି ଏହି ଜିଲ୍ଲାପାଇଁ ସାତ ଜଣ ଉପସଭାପତି ରହିଛନ୍ତି।

ଜିଲ୍ଲା ପାଇଁ ଦଳ ଆଠ ଜଣଙ୍କୁ ସାଧାରଣ ସଂପାଦକ ଏବଂ ବାର ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ତାଲିକା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଦୁଇ ନୂଆ ପର୍ଯ୍ୟବେକ୍ଷକଙ୍କ ନାମ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଦୁଇ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି। ଏହି ଦୁଇ ଜଣ ହେଲେ ପ୍ରଶାନ୍ତ ମୁଦୁଲି ଏବ ବିଜୟ ନାୟକ।

ଉଭୟ ନେତା ଆସୁଥିବା ଓଡିଶା ରାଜ୍ୟ ସମବାୟ ୟୁନିୟନ ନିର୍ବାଚନ ଏବଂ ଓବିସି ଅର୍ଥନୈତିକ ଉନ୍ନୟନ ସମବାୟ ନିଗମ ନିର୍ବାଚନର ପର୍ଯ୍ୟବେକ୍ଷକ ହେବେ। ଏ ନେଇ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଜନ୍ମମାଟି ପାଇଁ କିଛି କରି ନାହାଁନ୍ତି, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରଶ୍ନବାଣ ଛାଡିଲା ବିଜେଡି

ଭୁବନେଶ୍ୱର: ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି। ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି? କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି।

ଢେଙ୍କାନାଳ ଏବଂ ଅନୁଗୁଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି?

ଆପଣ ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ।ଏହି ଦୁଇ ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି। ତାଳଚେର-ବିମଳାଗଡରେ ଜଳପଥର କୌଣସି ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳ ଷ୍ଟେସନ ଏବେବି ଗୁଡସ୍‍ ଷ୍ଟେସନ ହୋଇରହିଛି।କେନ୍ଦ୍ରମନ୍ତ୍ରୀ ଭାବେ ଜନ୍ମ ହୋଇ ଥିବା ନିଜ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି?

ଟେଲି ଯୋଗାଯୋଗ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ- ଅନୁଗୁଳରେ ବହୁତ ଖରାପ। ବ୍ୟାଙ୍କିଙ୍ଗ୍‌ସେବା ମଧ୍ୟ ଦୟନୀୟ ଅଟେ। ପରିସ୍ଥିତିକୁ ସୁଧାରିବା ପାଇଁ ମନ୍ତ୍ରୀ ହେବା ପରେ ଆପଣ କ’ଣ କରିଛନ୍ତି? ଆପଣ ହେଉଛନ୍ତି ଦେଶର ଶିକ୍ଷାମନ୍ତ୍ରୀ। ଆପଣ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି? ଆପଣ ଯେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ, ଶିକ୍ଷାମନ୍ତ୍ରୀ ହେବା ଦ୍ୱାରା ସେହି ଜିଲ୍ଲା କିପରି ଲାଭବାନ ହୋଇଛି?

ଓଡ଼ିଶା ସରକାର ୫-ଟି ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତରିତ କରୁଛନ୍ତି । ଆପଣ ନିଜ ଗାଁ ବିଦ୍ୟାଳୟକୁ ୫-ଟି ସ୍ତରୀୟ ବିଦ୍ୟାଳୟ ପରି ରୂପାନ୍ତରିତ କରିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଛାଡିଦିଅ, ଆପଣ ଗତ ୯ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କୌଣସି ନୂତନ ରାଷ୍ଟ୍ରାୟତ ସଂସ୍ଥା (ପିଏସୟୁ) ଆରମ୍ଭ କରିଛନ୍ତିକି?

ଆପଣ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ ମଧ୍ୟ ଢେଙ୍କାନାଳକୁ ଗୋଟିଏ ପିଏସୟୁ ଆଣିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ ଲୋକମାନେ ଏମସିଏଲ ଏବଂ ନାଲ୍‍କା ପାଇଁ ଜମି ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ । ଆପଣ ସେମାନଙ୍କ ପାଇଁ କ’ଣ କରିଛନ୍ତି?

ଏମସିଏଲ୍‍ ତାଳଚେରରେ ଦୁର୍ନୀତି ହେଉଛି। ଏଥିପ୍ରତି କେନ୍ଦ୍ର ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି କାହିଁକି ? ଏହାକୁ ରୋକିବା ପାଇଁ ଆପଣ କ’ଣ କରୁଛନ୍ତି? ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ୱପ୍ନ ହୋଇ ରହିଗଲା। ଆପଣଙ୍କର ପ୍ରତିବଦ୍ଧତା ମଧ୍ୟପ୍ରଦେଶ ଏବଂ ବିହାର ପାଇଁ, ଯେଉଁଠାରୁ ଆପଣ ନିର୍ବାଚିତ ହୋଇଛନ୍ତି ଏବଂ ସେଥିପାଇଁ ଆପଣ ସେଠାରେ ଧ୍ୟାନ ଦେଉଛନ୍ତି ଏବଂ ସେଠାରେ ସାହାଯ୍ୟ କରୁଛନ୍ତି।

କିନ୍ତୁ ଆପଣ ଜନ୍ମ ହୋଇଥିବା ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ କିଛି କରି ନାହାନ୍ତି। ଯେତେବେଳେ ନିର୍ବାଚନ ଆସେ, ଆପଣ ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନଙ୍କଠୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି। ଅତୀତରେ ଓଡ଼ିଶାର ବିଜେପି ସାଂସଦ ଏବଂ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ଲକ୍ଷ ଲକ୍ଷ ଗରିବ ଓଡ଼ିଆ ହିତାଧିକାରୀଙ୍କୁ ତିନି ବର୍ଷ କାଳ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଞ୍ଚିତ କରିଥିବାବେଳେ ଏବେବି ଏଭଳି ଷଡ଼ଯନ୍ତ୍ର ଜାରି ରଖିଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧୀ ଏହି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦମାନଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଛି ବିଜେଡି।

ଏହି ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଖାଦ୍ୟ ଓ ବସ୍ତ୍ର ଭଳି ବାସଗୃହ ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା। ପ୍ରତ୍ୟେକ ଲୋକର ସ୍ୱପ୍ନ ଥାଏ ନିଜ ପାଇଁ ଘରଟିଏ ତୋଳିବ। ମାତ୍ର ବିଡ଼ମ୍ୱନା ହେଲା, ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ମୁଣ୍ଡ ଉପରେ ଛାତଟିଏ ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଳିତ ହୋଇ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ଦେବାକୁ ଚାପ ପକାଇଥିଲେ। ଶେଷରେ ସେମାନଙ୍କର ଏହି ଷଡ଼ଯନ୍ତ୍ର ସଫଳ ମଧ୍ୟ ହେଲା ଏବଂ ଦୀର୍ଘ ୩ ବର୍ଷ କାଳ ଓଡ଼ିଶାକୁ ଘର ମିଳିବା ବନ୍ଦ ହୋଇଗଲା।

ତେବେ ଓଡ଼ିଶାବାସୀଙ୍କ ଆଗରେ ଏବେ ସେମାନଙ୍କର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଯାଇଛି। ଓଡ଼ିଶାର ବିଜେପି ସାଂସଦମାନେ ଏବଂ ଓଡ଼ିଶାର ସ୍ୱାର୍ଥ ବିରୋଧରେ ସଦାବେଳେ କାର୍ଯ୍ୟ କରୁଥିବା ଜଣେ ନିର୍ଦ୍ଦିଷ୍ଟ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ତାଙ୍କ ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ଏ ବାବଦରେ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପାଇଁ ମାତ୍ର ୮ ଲକ୍ଷ ଘର ମଞ୍ଜୁର ହୋଇଥିବାବେଳେ ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି କଳାହାଣ୍ଡିର ଏକ ଜନସଭାରେ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ କୁହାଇଛନ୍ତି। ଏଭଳି ଭୁଲ ତଥ୍ୟ ଦେଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶା ବିଜେପିର ସାଂସଦମାନେ ରାଷ୍ଟ୍ରୀୟ ସଭାପତିଙ୍କୁ ଅତ୍ୟନ୍ତ କଠିନ ଓ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛନ୍ତି।

ଓଡ଼ିଶାର ବିଜେପି ସାଂସଦ ଏବଂ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଷଡ଼ଯନ୍ତ୍ର ସତ୍ତ୍ୱେ ଓଡ଼ିଶା ସରକାର ଏବଂ ଓଡ଼ିଶାର ବିଜେଡି ସାଂସଦମାନଙ୍କ କ୍ରମାଗତ ଭାବେ ଚାପ ଫଳରେ ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ସରକାର ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମଞ୍ଜୁର କଲେ। ତେଣୁ ଘର ପାଇବାରୁ ବଞ୍ଚିତ ହେବାକୁ ଯାଉଥିବା ୭ ଲକ୍ଷ ହିତାଧିକାରୀ ଏବେ ଯିବେ କୁଆଡ଼େ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ଭୋଟରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ଏ ନେଇ ଚିନ୍ତା କରିବା ଉଚିତ। ଯେତେବେଳେ ଓଡ଼ିଶା ସରକାର ଏହି ବଞ୍ଚିତ ହିତାଧିକାରୀମାନଙ୍କୁ ଘର ଯୋଗାଇବା ଲାଗି ପ୍ରବଳ ଚେଷ୍ଟା କରୁଛନ୍ତି, ଏବେ ସେମାନେ ପୁଣିଥରେ ଏହାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପୁରସ୍କୃତ ହୋଇଛି। ଏଭଳି ଉତ୍ତମ ପ୍ରଦର୍ଶନ ଲାଗି ଓଡ଼ିଶା ଆବାସ ଯୋଜନାରେ ଅଧିକ ଘର ପାଇବାକୁ ହକଦାର। ମାତ୍ର ଦୁର୍ଭାଗ୍ୟଜନକ ଭାବେ ଓଡ଼ିଶାକୁ ଘର ଦେବା ବନ୍ଦ କରି ଠିକ୍ ବିପରୀତ ବ୍ୟବହାର କରାଯାଉଛି।

ଶ୍ରୀ ଦାସ ସୂଚନା ଦେଇ କହିଥିଲେ ଯେ, ଚଳିତ ବର୍ଷ ଜାନୁଆରି ୨୫ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆମେ ଘୋଷଣା କରିଥିଲୁ ଯେ ଯଦି କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଦେବାରୁ ବଞ୍ଚିତ କରେ, ତେବେ ଓଡ଼ିଶା ସରକାର ନିଜ ଉଦ୍ୟମରେ ସେମାନଙ୍କ ଘର ପ୍ରଦାନ କରିବାର ବ୍ୟବସ୍ଥା କରିବେ। ଏହି ପ୍ରତିଶ୍ରୁତି ଅନୁସାରେ ଗତ ମେ’ ୨୯ ତାରିଖରେ ରାଜ୍ୟରେ ବିଜେଡି ସରକାର ଏହାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ “ମୋ ଘର” ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶାର ଯେଉଁ ୭ ଲକ୍ଷ ପରିବାର ଯେଉଁମାନେ କି କଠୋର ଯୋଗ୍ୟତା ମାପଦଣ୍ଡ ଯୋଗୁଁ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ “ମୋ ଘର” ଯୋଜନାରେ ଘର ପ୍ରଦାନ କରାଯିବ।

“ମୋ ଘର” ଯୋଜନା ସଂପର୍କରେ ସୂଚନା ଦେଇ ଅନ୍ୟତମ ବିଜେଡି ମୁଖପାତ୍ର ତୁମ୍ୱନାଥ ପଣ୍ଡା କହିଲେ ଯେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ସରକାରଙ୍କର। ଏଥିପାଇଁ ଶତପ୍ରତିଶତ ଅର୍ଥ ଓଡ଼ିଶା ସରକାର ହିଁ ଦେଉଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ରିହାତି ସହିତ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି।

“ମୋ ଘର’ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ, ଯାହାକି ୧୦ ବର୍ଷରେ ସହଜ କିସ୍ତି ଜରିଆରେ ଶୁଝିବାକୁ ପଡ଼ିବ । ଜଣେ ହିତାଧିକାରୀ ନିଜର ସୁବିଧା ଅନୁସାରେ ୧ ଲକ୍ଷ, ୨ ଲକ୍ଷ କିମ୍ୱା ୩ ଲକ୍ଷ ଟଙ୍କାର ଋଣ ନେଇ ପାରିବେ। ସବୁଠାରୁ ବଡ଼କଥା ହେଲା, “ମୋ ଘର” ଯୋଜନାରେ ଜଣେ ହିତାଧିକାରୀ ୩ ଲକ୍ଷ ଟଙ୍କାର ଋଣରେ ସର୍ବାଧିକ ୬୦ ହଜାର ଟଙ୍କାର ସବ୍‌ସିଡି ପାଇପାରିବେ।

ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ୭୦ ହଜାର ଟଙ୍କାର ସବ୍‌ସିଡି ମିଳିବ। କେବଳ ସେତିକି ନୁହେଁ, ଋଣ ପ୍ରଦାନ ଲାଗି ହିତାଧିକାରୀମାନଙ୍କ ଠାରୁ କୌଣସି ପ୍ରସେସିଂ ଫି’ ନନେବା ଲାଗି ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ କହିସାରିଛନ୍ତି। ଏପରିକି ବ୍ୟାଙ୍କରେ ସିକ୍ୟୁରିଟି ଭାବେ ଜମି ବନ୍ଧକ ରଖିବା ଲାଗି ହିତାଧିକାରୀଙ୍କୁ କୌଣସି ପଞ୍ଜୀକରଣ ଫି’ କିମ୍ୱା ଷ୍ଟାମ୍ପ୍ ଡ୍ୟୁଟି ଇତ୍ୟାଦି ମଧ୍ୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି। ତେଣୁ ଗୋଟିଏ ପଟରେ ଓଡ଼ିଶାର ବିଜେପି ସାଂସଦମାନେ ଚକ୍ରାନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୁଖ୍ୟତଃ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୭ ଲକ୍ଷ ଗରିବ, ଆଦିବାସୀ ଲୋକଙ୍କୁ ଘରଟିଏ ପାଇବାରୁ ବଞ୍ଚିତ କରିଥିବା ବେଳେ ରାଜ୍ୟରେ ବିଜେଡି ସରକାର କୌଣସି ଗରିବ ଲୋକ ଯେପରି ଘର ପାଇବାରୁ ବଞ୍ଚିତ ନ ହୁ୍‌ଅନ୍ତି, ସେଥିପାଇଁ “ମୋ ଘର” ଯୋଜନା ଆଣିଛନ୍ତି।

ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ ନିଜ ଅଧିକାର ବିଷୟରେ ଓଡ଼ିଶାବାସୀ ସବୁବେଳେ ସଚେତନ। କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କ ଘର ବନ୍ଦ କରିଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ସେମାନେ ବିଜେପିକୁ ଏହାର ଜବାବ ଦେଇଥିଲେ। ସବୁ ଜିଲ୍ଲାରେ ସେମାନେ ବିଜେପିକୁ ହରାଇଥିଲେ। ବିଜେଡି ବିପୁଳ ବିଜୟ ହାସଲ କରି ୩୦ରୁ ୩୦ଟି ଯାକ ଜିଲ୍ଲା ପରିଷଦ ଗଠନ କରିଥିଲା।

ଓଡ଼ିଶାର ବିଜେପି ସାଂସଦମାନେ ଷଡ଼ଯନ୍ତ୍ର କରି ୭ ଲକ୍ଷ ଗରିବ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ କରିଥିବାରୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଆହୁରି କଡ଼ା ଜବାବ ଦେବାକୁ ଯାଉଛନ୍ତି।

ଅପରପକ୍ଷରେ ସେମାନଙ୍କର ଦୁଃଖ ବୁଝି ରାଜ୍ୟର ବିଜେଡି ସରକାର ପ୍ରତ୍ୟେକ ଗରିବ ଲୋକଙ୍କୁ “ମୋ ଘର” ଯୋଜନାରେ ଘର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଓଡ଼ିଶାବାସୀ କୃତଜ୍ଞତା ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳକୁ ପୁଣିଥରେ ଜିତାଇବାକୁ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ବିଜେଡ଼ିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ଏବଂ କର୍ମୀମାନେ ଏବେଠାରୁ ନିଜ ମଇଦାନରେ ସକ୍ରିୟ ହେଉଥିବାବେଳେ ସାଧାରଣ ଜନତାଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି।

ଏହିପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଜେଡି ଦଳକୁ ସୁସଙ୍ଗଠିତ ତଥା ସୁଦୃଢ କରିବା ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି।ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ସାହୁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏଥିସହିତ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ ଓ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କ ସୁଖଦୁଃଖରେ ସଦାସର୍ବଦା ରହିବେ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ।

ସାରା ଓଡ଼ିଶା ବିଜେଡିର ବିକାଶ ଧାରାରେ ଅନୁପ୍ରାଣିତ ହେବ ଏବଂ ଆଗାମୀ ଦିନରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ଧ୍ବଜା ନିଶ୍ଚିତ ଉଡିବ ବୋଲି କହିଥିଲେ ଶ୍ରୀ ସାହୁ। ଅନୁଷ୍ଠିତ ଉତ୍ସବରେ ଉଭୟ ଚିଲିକା ଓ ବାଣପୁର ବ୍ଲକର ବହୁ ଆଗ ଧାଡ଼ିର କର୍ମୀ ଯୋଗଦେଇଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣଙ୍କୁ ଦେଖିବାକୁ ମିଳିଥିଲା।

Categories
ଜାତୀୟ ଖବର ବିଶେଷ ଖବର

ନିର୍ବାଚନ ପୂର୍ବରୁ ମହାମେଣ୍ଟ, ନବୀନ ସାମିଲ ହେବା ସମ୍ଭାବନା ନାହିଁ ବୋଲି କହିଲେ ଟିଏମସି ସାଂସଦ

କଲିକତା: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳର ନେତାମାନେ ଏକଜୁଟ ହେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭାରେ ଟିଏମସି ନେତା ଡେରେକ ଓ’ବ୍ରାଇନ୍ ସୋମବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ଅନୌପଚାରିକ ଭାବେ ବିଜେପି ସାଥିରେ ଥିବାରୁ ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପାରେ।

ସେ କହିଛନ୍ତି ଯେ, “ମେ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ପଟ୍ଟନାୟକ ଯୋଗ ଦେଇନଥିଲେ। ନୂଆ ସଂସଦ ଭବନର ଉଦଘାଟନ କାର୍ଯ୍ୟକ୍ରମରେ ବିରୋଧୀ ଦଳ ବହିଷ୍କାର କରିଥିବା ବେଳେ ବିଜେଡ଼ିର ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦୁଇଜଣ ଲୋକ ଅଛନ୍ତି ଯେଉଁମାନେ ଫାସିବାଦର ପକ୍ଷ ରଖିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନବୀନ ପଟ୍ଟନାୟକ, ଯିଏ ଅନୌପଚାରିକ ଭାବେ ବିଜେପି ସହ ଅଛନ୍ତି। ”

ସାଂସଦ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ, ମଣିପୁରର ଦୁଃଖଦ ପରିସ୍ଥିତି କିମ୍ବା ସେଠାରେ ୨୫୦ ଚର୍ଚ୍ଚ ପୋଡିଯିବା ବିଷୟରେ ପଟ୍ଟନାୟକ କିଛି କହିବେ ନାହିଁ। ବରିଷ୍ଠ ବିରୋଧୀଦଳ ନେତାମାନେ ପଟ୍ଟନାୟକଙ୍କ ସହ ସମ୍ପର୍କ ରଖିବାକୁ ପ୍ରୟାସ କରୁଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଛନ୍ତି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାର ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ଏହି ଅଞ୍ଚଳର ଚାରିଟି ରାଜ୍ୟର ପୂର୍ବ ଗୋଷ୍ଠୀର ଏକ ଅଂଶ ଭାବରେ ବିରୋଧୀ ଦଳରେ ଯୋଗଦେବାକୁ ପ୍ରବର୍ତ୍ତାଇଥିଲେ। କିନ୍ତୁ ତାହା ହୋଇ ନଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ବର୍ଷର ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିରୋଧୀ ଦଳର ନେତାମାନେ ଜୁନ୍ ୨୩ ତାରିଖରେ ପାଟନାରେ ଏକ ମେଗା ବୈଠକ କରୁଛନ୍ତି। ଦଳର ବରିଷ୍ଠ ନେତାମାନେ କହିଛନ୍ତି ଯେ, ସମସ୍ତ ବିରୋଧୀଦଳ ନେତା ତିନିଟି ବ୍ୟାପକ ପ୍ରସଙ୍ଗରେ ସହମତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଲୋକସଭା ନିର୍ବାଚନ ସମ୍ପର୍କରେ ବିରୋଧୀ ଦଳର ଏଜେଣ୍ଡା ଉପରେ ଆଲୋଚନା ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ ପର୍ଯ୍ୟବେକ୍ଷକ ତାଲିକା, ଜାଣନ୍ତୁ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କିଏ

ଭୁବନେଶ୍ବର: ଆଜି ବିଜେଡି ପୁଣି ଥରେ ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି। ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା। ଏବେ ପ୍ରାରମ୍ଭକ ପର୍ଯ୍ୟାୟରେ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି।

ଯେଉଁମାନେ ଏହି ତାଲିକାରେ ଅଛନ୍ତି ସେମାନେ ହେଲେ

ବ୍ରହ୍ମପୁର ଲୋକସଭା ଆସନ ପର୍ଯ୍ୟବେକ୍ଷକ- ମାନସ ମଙ୍ଗରାଜ

ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ପର୍ଯ୍ୟବେକ୍ଷକ- ସୁଶାନ୍ତ ରାଉତ

ତେଲକୋଇ ବିଧାନସଭା ପର୍ଯ୍ୟବେକ୍ଷକ- ଅଶୋକ ବଳ

ଭୁବନେଶ୍ବର ଲୋକସଭା ପର୍ଯ୍ୟବେକ୍ଷକ- ଶ୍ରୀମୟୀ ମିଶ୍ର

ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ- କୁନ ବିହାରୀ ଦାସ

ପରଜଙ୍ଗ ଏବଂ କାମାକ୍ଷାନଗର ବିଧାନସଭା ପର୍ଯ୍ୟବେକ୍ଷକ- ଆସୀଶ ଚକ୍ରବର୍ତ୍ତି

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି।