ନିମାପଡ଼ା : ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ଜାଲିଆତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବରିଷ୍ଠ ନେତା ତଥା ନିମାପଡ଼ାର ପୂର୍ବତନ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ତତ୍କାଳ ପ୍ରଭାବରୁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ବହିଷ୍କାର କରାଯାଇଥିବା ନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀପ ନାୟକଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ନିମାପଡ଼ା ଆସନରୁ ଦଳ ପ୍ରାର୍ଥୀ କରିଥିଲା। ତେବେ ୨୦୨୫ ମସିହାରୁ ତାଙ୍କ ନାଁରେ ଜମି ଜାଲିଆତି ଭଳି ଗୁରୁତର ଅଭିଯୋଗ ରହିଥିବା ବେଳେ ଅର୍ଥନୀତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ସେତେବେଳେ ଗିରଫ ହୋଇଥିଲେ ହେଁ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ବର୍ତ୍ତମାନ ସମୟରେ ଏହି ପ୍ରସଙ୍ଗକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ, ଶୃଙ୍ଖଳା କମିଟିର ରିପୋର୍ଟ ଏବଂ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କର କାର୍ଯ୍ୟକଳାପ ଜାଲିଆତି ଓ ଦଳ ବିରୋଧୀ ଥିବାରୁ ତର୍ଜମା ପରେ ଦଳ ଏଭଳି କଠୋର ନିଷ୍ପତ୍ତି ନେଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପ୍ରତି କୌଣସି କୋହଳ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।


