ଝାରସୁଗୁଡା: ପାଠ୍ୟପୁସ୍ତକରେ ତ୍ରୁଟି ବିରୋଧରେ ଆଜି ଛାତ୍ର ଓ ଯୁବ ବିଜେଡି ତରଫରୁ ଝାରସୁଗୁଡାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଈପ୍ସିତା ସାହୁ, ବିଜେଡି ନେତା ଶ୍ରୀ ସଞ୍ଜୀବ ମହାନ୍ତି, ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଣ୍ଟନ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ପ୍ରତିବାଦରେ ଏହି ବିକ୍ଷୋଭ କରିଥିଲେ।
ଝାରସୁଗୁଡ଼ା ତାରିଣୀ ମନ୍ଦିରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଜୋରଦାର ପ୍ରତିବାଦ କରାଯିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଶିକ୍ଷା ବ୍ୟବସ୍ଥାରେ ସୁଧାର ଦାବୀ କରି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଗଲା। ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଆମର ସଂଗ୍ରାମ ଜାରି ରହିବ ବୋଲି ବିଜେଡି କହିଛି।


