Categories
ବିଶେଷ ଖବର

ରାଜସ୍ଥାନରେ ବସୁନ୍ଧରା ରାଜେଙ୍କୁ ବିଶ୍ୱାସ କରୁନି ବିଜେପି!

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ଟ୍ରେଣ୍ଡ ରହିଛି ଯେ ପ୍ରତ୍ୟେକ ନିର୍ବାଚନ (ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩)ରେ କ୍ଷମତା ପରିବର୍ତ୍ତନ ହୋଇଥାଏ। ବିଜେପି ସପକ୍ଷରେ ଏହି ଧାରା ହେଉଛି ଯେ ରାଜସ୍ଥାନରେ ବର୍ତ୍ତମାନ କଂଗ୍ରେସ କ୍ଷମତାରେ ଅଛି ଏବଂ ବିଜେପି ଦାବି କରୁଛି ଯେ ରାଜ୍ୟରେ ଆଣ୍ଟି-ଇନକମ୍ବେନ୍ସି ରହିଛି। ଦୁର୍ନୀତି ପ୍ରସଙ୍ଗରେ ତ କେତେବେଳେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେପି କଂଗ୍ରେସ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛି। କିନ୍ତୁ ବିଜେପି (ରାଜସ୍ଥାନ ବିଜେପି) ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦଳୀୟ ନେତା। ରାଜସ୍ଥାନରେ ନିଜ ନେତାଙ୍କୁ ଏକାଠି କରି ଏକଜୁଟ ହୋଇ ନିର୍ବାଚନ ଲଢ଼ିବା ବିଜେପି ପାଇଁ ଏକ ବଡ଼ କାମ।

ଦଳୀୟ ନେତାମାନଙ୍କୁ ଏକଜୁଟ ରଖିବା ପାଇଁ ପ୍ରୟାସ

ରାଜ୍ୟରେ ବିଜେପି ନେତାଙ୍କ ବିଭିନ୍ନ ଗୋଷ୍ଠୀ ଗଠନ ହୋଇଛି। ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ଭାବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନର କମାଣ୍ଡ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ହାତରେ ରଖାଯାଇଛି। ଏପରିକି ଆସନ୍ତା ମାସରେ ରାଜ୍ୟରେ ହେବାକୁ ଥିବା ପରିବର୍ତ୍ତନ ଯାତ୍ରାକୁ କେନ୍ଦ୍ରୀୟ ନେତାମାନେ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି । ପରିବର୍ତନ ଯାତ୍ରା ପାଇଁ ଆଗକୁ ଗୋଟିଏ ବି ମୁହଁ ନାହିଁ।

ପରିବର୍ତ୍ତନ ଯାତ୍ରାରେ ମଧ୍ୟ ରାଜ୍ୟ ନେତାଙ୍କ କୌଣସି ଦାୟିତ୍ୱ ନାହିଁ

ସେପ୍ଟେମ୍ବରରେ ବିଜେପି ରାଜସ୍ଥାନରେ ୪ଟି ପରିବର୍ତ୍ତନ ଯାତ୍ରା କରିବାକୁ ଯାଉଛି। ଏହି ୪ଟି ଗସ୍ତର ଦାୟିତ୍ୱ ପୂର୍ବରୁ ୪ ଜଣ ଭିନ୍ନ ଭିନ୍ନ ନେତାଙ୍କୁ ଦିଆଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କ୍ୟାବିନେଟ୍ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆ ଓ ରାଜ୍ୟ ସଭାପତି ସିପି ଯୋଶୀ ଏହି ଯାତ୍ରାର ନେତୃତ୍ୱ ନେବାର ଥିଲା। କିନ୍ତୁ ଏହାପରେ ବିଜେପି ଏହି ଯୋଜନାକୁ ବଦଳାଇ ଦେଇଥିଲା। ବିଜେପି କହିଛି ଯେ କୌଣସି ଗୋଟିଏ ଯାତ୍ରାରେ କୌଣସି ଜଣେ ନେତା ପ୍ରତିନିଧିତ୍ୱ କରିବେ ନାହିଁ, କିନ୍ତୁ ସମସ୍ତ ଯାତ୍ରାରେ ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ ସାମିଲ ହେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ସ୍ଥାନରୁ ୪ଟି ଭିନ୍ନ ଭିନ୍ନ ପରିବର୍ତ୍ତନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଦଳ ଏବେ ସ୍ଥାନୀୟ ନେତାମାନଙ୍କୁ ଯାତ୍ରାର ସଂଯୋଜକଭାବେ ନିଯୁକ୍ତ କରିଛି।

କାହିଁକି କେନ୍ଦ୍ରୀୟ ନେତାଙ୍କ ହାତରେ ରହିଛି କମାଣ୍ଡ ?

ବିଧାନସଭା ନିର୍ବାଚନର ପୂରା କମାଣ୍ଡ କେନ୍ଦ୍ରୀୟ ନେତାଙ୍କ ହାତରେ ରହିଛି। ରାଜ୍ୟରୁ ଜଣେ ବି ନେତାଙ୍କୁ ଆଗେଇ ନେବାଦ୍ୱାରା ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଦେଖୁଛି ବୋଲି ବାର୍ତ୍ତା ନ ଦେବା ପାଇଁ ଏପରି କରାଯାଇଛି। ଏହା ଦଳ ପାଇଁ କମ୍ ଲାଭ ଏବଂ କ୍ଷତି କରିବାର ସମ୍ଭାବନା ଅଧିକ। ରାଜସ୍ଥାନ ବିଜେପିରେ ଏହି ଗୋଷ୍ଠୀକନ୍ଦଳ ଯୋଗୁଁ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କୁ ହଟାଇ ସିପି ଯୋଶୀଙ୍କୁ ସଭାପତି ପଦ ଦେଇଥିଲା। ବସୁନ୍ଧରା ରାଜେ ଓ ପୁନିଆଙ୍କ ମଧ୍ୟରେ ଝଗଡ଼ା ଖବର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଉଭୟଙ୍କ ସମର୍ଥକମାନେ ପରସ୍ପର ବିରୋଧରେ ବୟାନ ଦେଉଛନ୍ତି।

ରାଜସ୍ଥାନ ପାଇଁ କ’ଣ ରହିଛି ବିଜେପିର ଯୋଜନା ?

୨୦୦୩ ଓ ୨୦୧୩ ବିଧାନସଭା ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେପି ପରିବର୍ତନ ଯାତ୍ରା କରିଥିଲା ସେତେବେଳେ ଏହାର ନେତୃତ୍ୱ ନେଇଥିଲେ ବସୁନ୍ଧରା ରାଜେ। କିନ୍ତୁ ଏଥର ବିଜେପି ପ୍ରଥମେ ୪ ଜଣ ଭିନ୍ନ ଭିନ୍ନ ନେତାଙ୍କ ନେତୃତ୍ୱରେ ଏହାକୁ ହଟାଇବାକୁ ଚିନ୍ତା କରିଥିଲା କିନ୍ତୁ ପରେ ଏହି ଯୋଜନାକୁ ମଧ୍ୟ ବଦଳାଇ ଦେଇଥିଲା। କାରଣ ବିଭିନ୍ନ ନେତାଙ୍କ ସମର୍ଥକମାନେ ଯାତ୍ରା ମାର୍ଗରେ ଆସୁଥିବା ଆସନର ସମୀକରଣ ଏବଂ ସେମାନେ କେତେ ଆସନରେ ଜିତିବେ, ଦଳ କାହାକୁ କମାଣ୍ଡ ହସ୍ତାନ୍ତର କରିବ ସେ ନେଇ କଳ୍ପନାଜଳ୍ପନା କରୁଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ନୂଆ କମିଟରେ ଓଡିଶା ନେତାଙ୍କ ନାଁ ନାହିଁ, କେମିତି ଲଢିବେ ନିର୍ବାଚନ !!

ଭୁବନେଶ୍ବର: ଏଥର ଓଡିଶାରେ କଂଗ୍ରେସ ଆସିବ। ଏହିପରି ନାରା ଦେଉଥିବା ଓଡିଶା କଂଗ୍ରେସ ପାଇଁ ଲାଗିଛି ଏକ ବଡ ଧକ୍କା। କାରଣ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ହେଲେ ଦୁଃଖର କଥା ସେଥିରେ ଓଡିଶାର କୌଣସି ନେତାଙ୍କ ନାମ ନାହିଁ। କେବଳ ଭକ୍ତ ଦାସଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟରେ ସ୍ଥାନିତ କରାଯାଇଛି। ହେଲେ କାର୍ଯ୍ୟକାରୀ କମିଟରେ କେହି ନାହାଁନ୍ତି। ଫଳରେ ଓଡିଶା କଂଗ୍ରେସ ପ୍ରତି କେନ୍ଦ୍ର କଂଗ୍ରେସ କେତେ ଗୁରୁତ୍ବ ଦେଉଛି ତାହା ବୁଝି ହେଉଛି।

ଗତକାଲି ପ୍ରକାଶିତ ନୂଆ ତାଲିକାରେ କଂଗ୍ରେସ କାର୍ଯ୍ୟକାରୀ କମିଟ ବା ସିଡବ୍ଲୁସି ରେ ୩୯ ଜଣ ସଦସ୍ୟ ରହିଛନ୍ତି। ଏହି କମିଟକୁ ଖୋଦ ସଭାପତି ଖାର୍ଗେ ମନୋନିତ କରି ନିଯୁକ୍ତ ଦେଇଛନ୍ତି। ଏହି କମିଟ ହେଉଛି ଦଳର ସର୍ବୋଚ୍ଚ କମିଟ। ଏହିମାନେ ନୀତି ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଏହି କମିଟରେ ଖୋଦ ସଭାପତି ସହିତ ରାହୁଳ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅମ୍ବିକା ସୋନୀ ପ୍ରମୁଖ ଆଗଧାଡିର ନେତା ରହିଛନ୍ତି। ହେଲେ ଓଡିଶାର କେହି ବି ଜଣେ ସ୍ଥାନ ପାଇ ନାହାଁନ୍ତି।

ବିଶେଷ ସୁତ୍ରରୁ ପ୍ରକାଶ ଯେ, କୁଆଡେ ସିଡବ୍ଲୁସି ର ସଦସ୍ୟ ହେବା ପାଇଁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଜୋରଦାର ଲବି କରିଥିଲେ। ତାଙ୍କ ପାଇଁ ଏକ ବଡ ଗୋଷ୍ଠୀ ଦିଲ୍ଲୀରେ ଡେରା ପକାଇ ବିଭିନ୍ନ ନେତାଙ୍କୁ ଭେଟି ନିରଂଜନଙ୍କୁ ନେବା ପାଇଁ ଅନୁରୋଧ କରିଥିଲେ। ଏପରିକି ଖୋଦ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କ ପାଇଁ ଲବି କରିଥିଲେ। ହେଲେ ଶେଷ ମୁର୍ହୁତରେ ତାହା ସଫଳ ହୋଇପାରିଲା ନାହିଁ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ଜାତୀୟ କଂଗ୍ରେସ ଓଡିଶା କଂଗ୍ରେସକୁ ସେତେ ଗୁରୁତ୍ବ ମନେ କରୁ ନାହିଁ। ସେମାନେ ବୋଧହୁଏ ଜାଣିସାରିଲେଣି ଯେ, ଓଡିଶାରେ କଂଗ୍ରେସର କିଛି ହେବ ନାହିଁ। ସେଥିପାଇଁ ସେମାନେ ଓଡିଶାର କୌଣସି ନେତାଙ୍କୁ ଗୁରୁତ୍ବ ଦେଲେ ନାହିଁ। ବର୍ତ୍ତମାନ ଗତ କିଛି ବର୍ଷ ଧରି ଜାତୀୟ କଂଗ୍ରେସ ଓଡିଶା କଂଗ୍ରେସକୁ ଅଣଦେଖା କରି ଆସିଛୁ।

ପୂର୍ବରୁ ଏହି କାର୍ଯ୍ୟକାରୀ କମିଟରେ ରାମଚନ୍ଦ୍ର ଖୁଣ୍ଟିଆ, ଜୟନ୍ତି ପଟ୍ଟନାୟକ, ସୁଶୀଳା ତିରିଆଙ୍କ ପରି ନେତା ସ୍ଥାନ ପାଇଛନ୍ତି। ହେଲେ ଗତ କିଛି ବର୍ଷ ଧରି କଂଗ୍ରେସର ଓଡିଶା ପ୍ରତି ଫୋକସ ନାହିଁ। ତେବେ ଜଣେ ଓଡିଶା କଂଗ୍ରେସ ନେତାଙ୍କ କହିବା ଅନୁସାରେ ଖୁବ ଶିଘ୍ର ଖାର୍ଗେ ଦଳର ସାଧାରଣ ସଂପାଦକ ଏବଂ ସଂପାଦକ ସହିତ ବିଭିନ୍ନ ରାଜ୍ୟର ପ୍ରଭାରୀଙ୍କ ନାମ ଘୋଷଣା କରିବେ। ସେତେବେଳେ ଓଡିଶା ନେତାଙ୍କ ନାମ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ପାଇଁ କେନ୍ଦ୍ର ବିଜେପିର ଜୋରଦାର ପ୍ରୟାସ, କାରଣ କଣ

ପ୍ରକାଶ ଭୋଳ

ଭୁବନେଶ୍ବର: ପୁରୀ ଲୋକସଭାରୁ ସମ୍ବିତ ପାତ୍ର ଜିତିବା ଦରକାର। ଏହା ଚାହୁଛି ରାଷ୍ଟ୍ରୀୟ ବିଜେପି। ସେତିକି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚାହୁଛନ୍ତି ଓଡିଶାର କେମିତି ହେଲେ ସମ୍ବିତ ପାତ୍ର ଜିତିବା ଦରକାର। ପ୍ରକୃତ କାରଣ କଣ ଜଣାପଡି ନ ଥିଲେ ମଧ୍ୟ ଓଡିଶାରୁ ସମ୍ବିତ ପାତ୍ର ନେତୃତ୍ବ ନେବାରେ ଉପଯୁକ୍ତ ବୋଲି ଦିଲ୍ଲୀରେ ଦଳ ଚିନ୍ତା କରିଛି।

ସେଥିପାଇଁ ସମ୍ବିତ, ଗଣ୍ଡାଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭର୍ତ୍ତି କରି ସାରିଲେଣି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୀରେ ବହୁ କାର୍ଯ୍ୟକ୍ରମ କରି ସମ୍ବିତଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଛନ୍ତି। ସେ ପୁରୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ରଘୁରାଜପୁର ଏବଂ ପିପିଲିରେ ମଧ୍ୟ ଛୋଟଛୋଟ କାର୍ଯ୍ୟକ୍ରମ କରିଛନ୍ତି। ସେସବୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ଏହା ଦ୍ବାରା ପୁରୀରେ ସମ୍ବିତ ପାତ୍ରଙ୍କ ପତିୟାରା ବଢିବାରେ ଲାଗିଛି।

ଏହା ପୂର୍ବରୁ ପୁରୀ ଗସ୍ତରେ ଆସିଥିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ ମଧ୍ୟ ପୁରୀ ଲୋକସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ପିପିଲିରେ ସେ ତ୍ରିରଙ୍ଗା ଯାତ୍ରା ମଧ୍ୟ କରି ଏକ ବଡ ଶୋଭାଯାତ୍ରାରେ ସମ୍ବିତ ପାତ୍ରଙ୍କ ସହ ବୁଲିଥିଲେ। ସେହିପରି ପୂର୍ବରୁ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ବଡ ସଭା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଯାହା ସମ୍ବିତଙ୍କ ପାରିବା ପଣିଆକୁ ପ୍ରତିପାଦନ କରିଛି।

କେବଳ ଯେ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି ତାହା ନୁହେଁ ଖୋଦ ସମ୍ବିତ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରତି ପଞ୍ଚାୟତ ଏକା ଏକା ବୁଲି ସାରିଲେଣି। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀର ଛୋଟବଡ ସମସ୍ତ କାର୍ଯ୍ୟକ୍ରମରେ ସେ ସିଧା ଲୋକଙ୍କ ପାଖରେ ହାଜର ହେଉଛନ୍ତି।  ସାଧାରଣ ନିର୍ବାଚନକୁ ଢେର ଦିନ ବାକିଥିଲେ ମଧ୍ୟ ସମ୍ବିତଙ୍କ ଏପରି ମାରଥନ ଗସ୍ତ ବର୍ତ୍ତମାନ ତାଙ୍କର ଜିତିବା ରାସ୍ତାକୁ ସୁଗମ କରିବାରେ ଲାଗିଛି।

ଅନ୍ୟପଟେ ପୁରୀ ଲୋକସଭା ଆସନରେ ବିଜେଡିର ନିଷ୍କ୍ରିୟତା ସମ୍ବିତଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି। ପୁରୀ ସାଂସଦ ପିନାକୀ ମିଶ୍ର ଦିଲ୍ଲୀରୁ ଆଉ ଓଡିଶା ଆସୁ ନାହାଁନ୍ତି। ଆସିଲେ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳିରେ ମୁଣ୍ଡ ପୁରାଉ ନାହାଁନ୍ତି। ସେ କୁଆଡେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ପିନାକୀ ତାଙ୍କ କର୍ମିମାନଙ୍କୁ କହିସାରିଲେଣି। ଫଳରେ ସମ୍ବିତଙ୍କ ପାଇଁ ବିଲେଇ କପାଳକୁ ଶିକା ଛିଣ୍ଡିବା ପରି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ସାଧାରଣରେ ଏକ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ ଯେ, କେନ୍ଦ୍ର ବିଜେପି କଣ ପାଇଁ ସମ୍ବିତଙ୍କ ଜିତିବାକୁ ଗୁରୁତ୍ବ ଦେଉଛି। ଏହାର ଉତ୍ତରରେ ଏତିକି କୁହାଯାଇ ପାରିବ ଯେ, ଭବିଷ୍ୟତରେ ଓଡିଶାରେ ବିଜେପିର ମୁହଁ ହେବେ ସମ୍ବିତ ପାତ୍ର। କାରଣ ପୂର୍ବରୁ ଯେଉଁମାନଙ୍କୁ ଦଳ ଓଡିଶାର ମଙ୍ଗୁଆଳ କରି ଛାଡିଥିଲେ ତାଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଫଳରେ ଓଡିଶାରେ ବିଜେପି ଯେପରି ସଫଳତା ପାଇବା କଥା ତାହା ହୋଇପାରୁ ନାହିଁ।

ହେଲେ ସେଥିରୁ ସମ୍ବିତ ସଂପୂର୍ଣ୍ଣ ଅଲଗା। ସେ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୋଇପାରୁଛନ୍ତି। ସେଥିପାଇଁ ସେ ଚଳିତ ନିର୍ବାଚନରେ ଜିତିବା ପରେ ତାଙ୍କୁ ଶକ୍ତିଶାଳି କରାଯାଇ ଓଡିଶା ବିଜେପିର ମଙ୍ଗ ସମ୍ଭାଳିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ବିଜେପି କରିଛି। ଏଥିପାଇଁ ସମ୍ବିତଙ୍କ ପାଇଁ ଦିଲ୍ଲୀରୁ ଏକ ଟିମ ଭୁବନେଶ୍ବରରେ ରହି କାର୍ଯ୍ୟ କରୁଛନ୍ତି। ସମ୍ବିତଙ୍କ ନିର୍ବାଚନ ଜିତିବା ପାଇଁ ପୁରା ଟିମ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ରଣନୀତି ତିଆରି କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଗୁଆ ନିର୍ବାଚନ ନେଇ ବିଜେଡିକୁ ସମାଲୋଚନା କଲେ ଅପରାଜିତା, କହିଲେ ଏପରି କଥା

ଭୁବନେଶ୍ବର: ଓଡିଶାରେ ଆଗୁଆ ନିର୍ବାଚନ ହେବ। ଏ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଖବର ଜଣାପଡିବା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ଏହି ଆଗୁଆ ନିର୍ବାଚନ ନେଇ ଭୁବନେଶ୍ବର ସାଂସଦ ଭିନ୍ନ ମତ ରଖିଛନ୍ତି।

ଅପରାଜିତା ଆଗୁଆ ନିର୍ବାଚନ ନେଇ କହିଛନ୍ତି ଯେ, ବିଜେଡି କଣ ପାଇଁ ଆଗୁଆ ନିର୍ବାଚନ କରିବାକୁ ତରତର ହେଉଛି। ଓଡିଶାର ଜନସାଧାରଣ ବିଜେଡିକୁ ପାଞ୍ଚ ବର୍ଷ ପାଇଁ ଶାସନ କରିବାକୁ ଦେଇଛନ୍ତି। ହେଲେ ସେ ତା ପୂର୍ବରୁ ସରକାର ଭାଙ୍ଗିବା କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରେ ସେ କହିଛନ୍ତି ଯେ, ବିଜେପି ଓଡିଶାରେ ଏକ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ। ଅମିତା ସାହା ଓଡିଶା ଆସି ଆମର ରଣନୀତି ଉପରେ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବିଜେପି ବର୍ତ୍ତମାନ ତୃଣମୂଳ ସ୍ଥରରେ କାର୍ଯ୍ୟ କରୁଛି। ବିଜେଡି ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଅପରାଜିତା ସ୍ପଷ୍ଟ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ନିର୍ବାଚନ, କେଉଁ ଦଳ କେତେ ପ୍ରସ୍ତୁତ, କଣ କହୁଛନ୍ତି ଦଳର ନେତା

ଭୁବନେଶ୍ବର: ଓଡିଶାରେ ହେବ ଆଗୁଆ ନିର୍ବାଚନ। ଏ ନେଇ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣ କର୍ମିଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି। ଏହି ଆଗୁଆ ନିର୍ବାଚନ ନେଇ ରାଜ୍ୟର ରାଜନୈତିକ ଦଳଗୁଡିକ ମଧ୍ୟ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ବୋଲି ମିଡିଆରେ କହିସାରିଲେଣି।

ଏ ନେଇ ଖୋଦ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ଯେତେବେଳେ ବି ନିର୍ବାଚନ ହେଲେ କଂଗ୍ରେସ ସବୁବେଳ ପ୍ରସ୍ତୁତ ରହିଛି। ସେଥିରେ କିଛି ଆସୁବିଧା ହେବ ନାହିଁ। ବହୁଦିନରୁ କଂଗ୍ରେସ ତୃଣମୂଳ ସ୍ତରରୁ କାମ ଆରମ୍ଭ କରିଦେଇଛି। ଲୋକଙ୍କର ଆସ୍ଥାଭାଜନ ପାଇଁ ଦଳର ନେତାମାନେ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକ୍ରମ କରିସାରିଛନ୍ତି। ସେଥିପାଇଁ ଏବେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ।

ସେହିପରି ବିଜେପି ତରଫରୁ ମଧ୍ୟ ଏ ନେଇ ମତ ରଖାଯାଇଛି। ଦଳ କହିଛି ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ ବୋଲି ସୂଚନା ରହିଛି। ସେହି ଅନୁସାରେ ଦଳ ତରଫରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା ହୋଇ ସାରିଲାଣି। ତେଣୁ ଆଗୁଆ ହେଉ କି ଆଜି, ବିଜେପି ସବୁବେଳେ ନିର୍ବାଚନକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି। ଓଡିଶାରେ ବିଜେପି ଏକା ଲଢିବ, କାହା ସହିତ ମେଣ୍ଟ କରିବ ନାହିଁ।

ସେହିପରି ବିଜେଡି ତରଫରୁ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖାଯାଇଛି। ଯଦି ଆଗୁଆ ନିର୍ବାଚନ ହେବ ତେବେ ବିଜେଡି ହିଁ କରିବ। ତେବେ ଏ ନେଇ ବିଜେଡି ସାଂସଦ ମୁନ୍ନା ଖାନ କହିଛନ୍ତି ଯେ, ବିଜେଡି ଓଡିଶାରେ ଭଲସ୍ଥିତିରେ ରହିଛି। ଆଗ ଅପେକ୍ଷା ବିଜେଡି ଏଥର ଆହୁରି ଅଧିକ ଆସନରେ ଜିତିବ। ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ହେଲେ ବିଜେଡି କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ମୁନ୍ନା ଖାନ୍ କହିଛନ୍ତି।

ତେବେ ଏପରି ଘଟଚପଟ ମଧ୍ୟରେ ବର୍ତ୍ତମାନ ଓଡିଶା ରାଜନୀତି ବେଶ ସରଗରମ ହୋଇ ଉଠିଛି। କର୍ମି ତଥା ନେତାଙ୍କ ମନରେ ଏହି ଆଗୁଆ ନିର୍ବାଚନ ଖବର ବାଉଳା କରିସାରିଲାଣି। ସେମାନେ କଣ କରିବେ, ଦଳ ଟିକେଟ ଦେବ କି ନାହିଁ, କେତେବେଳେ ସଂଗଠନ ହେବ ସେ ନେଇ ସେମାନେ ଚିନ୍ତାରେ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ ବୋଲି କାହିଁକି ହେଉଛି ଚର୍ଚ୍ଚା, କଣ ଅଛି ପ୍ରମାଣ?

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ। ଚର୍ଚ୍ଚା ଅନୁସାରେ ନବୀନ ପଟ୍ଟନାୟକ କୁଆଡେ ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭା ଭଙ୍ଗ କରିବେ। ଏହାପରେ ଡିସେମ୍ବରରେ ଦେଶରେ ହେବାକୁ ଥିବା ପାଞ୍ଚୋଟି ବିଧାନସଭା ନିର୍ବାଚନ ସହିତ ଓଡିଶା ନିର୍ବାଚନ ମଧ୍ୟ ହେବ।

ତେବେ ଏହି ଚର୍ଚ୍ଚା ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସରକାର ଭାଙ୍ଗିବାକୁ ଘୋଷଣା କରିବେ। ତେବେ ଏ ନେଇ କେନ୍ଦ୍ର ସରକାର କୁଆଡେ ଚାପ ପକାଉଛନ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାରଙ୍କ କୌଣସି ପ୍ରକାରରେ ରାଜ୍ୟ ବିଧାନସଭା ସହ ଦେଣନେଣ ନାହିଁ। ସେମାନଙ୍କର ସାଂସଦ ଦରକାର, ଲୋକସଭାରେ ସଂଖ୍ୟା ଗରିଷ୍ଠ ଦରକାର।

ହେଲେ ଓଡିଶାରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେଉଥିବାରୁ ରାଷ୍ଟ୍ରୀୟ ବିଜେପିକୁ ଅଡୁଆ ହେଉଛି। ନବୀନ ପଟ୍ଟନାୟକଙ୍କ ହାୱାରେ ବିଧାନସଭାରେ ସବୁ ଭୋଟ ବିଜେଡି ପୋଛି ନେବା ସହିତ ଲୋକସଭା ଭୋଟ ମଧ୍ୟ ନେଇଯାଉଛନ୍ତି। ସେଥିପାଇଁ ଅମିତ ସାହା ଓଡିଶା ଗସ୍ତବେଳେ କୁଆଡେ ନବୀନ ଏବଂ ପାଣ୍ଡିଆନଙ୍କ ସହିତ ଆଲୋଚନା କରି ଆଗୁଆ ନିର୍ବାଚନ କରିବା ପାଇଁ ଚାପ ପକାଇଛନ୍ତି।

ଘଟଣାଟି ଏବର ନୁହେଁ, ବହୁ ପୂର୍ବରୁ କୁଆଡେ କେନ୍ଦ୍ର ସରକାର ବିଜେଡି ଉପରେ ଚାପ ପକାଇ ଆସୁଛନ୍ତି। ସେଥିପାଇଁ କେନ୍ଦ୍ରରୁ ଆସୁଥିବା ବିଜେପି ନେତାମାନେ କୌଣସି ପ୍ରକାରରେ ବିଜେଡି ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରୁ ନାହାଁନ୍ତି। ବିଜେଡି ମଧ୍ୟ କେନ୍ଦ୍ର ବିରୋଧରେ କୌଣସି ପ୍ରକାରର ଆଭିମୁଖ୍ୟ ପ୍ରକାଶ କରୁ ନାହିଁ। ବଂର ସବୁ ପ୍ରକାରର ସହାୟତା ପ୍ରଦାନ କରିବାରେ ଲାଗିଛି।

ଅନ୍ୟପକ୍ଷରେ ବର୍ତ୍ତମାନ ବିଜେଡି ସରକାରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ନିଶ୍ଚିତ ଆଗୁଆ ନିର୍ବାଚନ ହେବ। ବିଜେଡି ସରକାରର ପ୍ରଚାର ପ୍ରସାର କରିବା ପାଇଁ 5ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନବୀନ ସରକାର କିପରି ଭଲ କାମ କରୁଛନ୍ତି ତାହାକୁ ଜିଲ୍ଲାୱାରୀ ବୁଲି ବୁଲି ସେ ଲୋକ ସମର୍ଥନ ଜୁଟାଇବାରେ ଲାଗିପଡିଛନ୍ତି।

ସେହିପରି ବିଜେଡି ଦଳ ଭିତରେ ମଧ୍ୟ ବେଶ ତତ୍ପରତା ପ୍ରକାଶ ପାଇଛି। କିଛି ମାସ ଧରି ଦଳର ଛାମୁଆ ସଂଗଠନଗୁଡିକ ସଜାଡିବା ସହିତ ଜିଲ୍ଲାରେ ନୂଆନୂଆ ମୁଖିଆ ନିଯୁକ୍ତି ହେବାରେ ଲାଗିଛନ୍ତି। ସେହିପରି ବିଜେଡି ନେତାମାନେ ମଧ୍ୟ ବର୍ତ୍ତମାନ ତୃଣମୂଳ ସ୍ତରରେ ନିଜର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିସାରିଛନ୍ତି।

କାହାକୁ ଟିକେଟ ମିଳିବ ତାହା ଜଣାପଡି ନ ଥିଲେ ମଧ୍ୟ ଆଶାୟୀମାନେ ଗାଁକୁ ଗାଁ ବୁଲିବାରେ ଲାଗିଛନ୍ତି। ବିଜେଡି ଦଳ ଏବଂ ବିଜେଡି ସରକାରର ଏପରି ତତ୍ପରତା ଯୋଗୁଁ ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଅଧିକ ଦୃଢିଭୂତ କରିବାରେ ଲାଗିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ସାଂସଦଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କର ବିସ୍ପୋରକ ବୟାନ, ଧର୍ମେନ୍ଦ୍ରଙ୍କୁ କଲେ ଗାଳି

ଭୁବନେଶ୍ବର: ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ବୟାନକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବିଶେଷ କରି ଓଡିଶା ବିଜେପି ରାଜନୀତିରେ ଏ ନେଇ ଚାଲିଛି ଗରମାଗରମ ଆଲୋଚନା। କାରଣ ଅରୁନ୍ଧତୀ ଦେବୀ ଯେପରି କଥା କହିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଜୋରଦାର ଚର୍ଚ୍ଚା।

ଅରୁନ୍ଧତୀ ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଛନ୍ତି। କେବଳ ଟାର୍ଗେଟ କହିଲେ ଠିକ ହେବ ନାହିଁ, ବଂର ତାଙ୍କୁ ଗାଳି କରିଛନ୍ତି। ଅରୁନ୍ଧତୀ ଧର୍ମେନ୍ଦ୍ରଙ୍କୁ ‘କୁଚକ୍ରୀ’, ‘ରୁଗ୍ନ ମାନସିକତା’, ‘ଦମ ଅଛି ତ ସମ୍ବଲପୁରରୁ ଆସି ଲଢେଇ କର’ ବୋଲି ଆହ୍ବାନ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ମଧ୍ୟ ଗାଳି କରିଛନ୍ତି। ସେ ଜଣେ ମାନସିକ ରୋଗାଗସ୍ତ ବିଧାୟକ ବୋଲି ଅରୁନ୍ଧତୀ କହିଛନ୍ତି। ତେବେ ସେ ଉଭୟଙ୍କ ନାମ ନ ନେଇ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ବୋଲି କହିଛନ୍ତି।

ଅରୁନ୍ଧତୀ ଏପରି ଗାଳି କରିବାର କାରଣ ରହିଛି। ତାହା ହେଲା ନୀତିଶ ଗଙ୍ଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଶଙ୍କା ରହିଛି। କାରଣ ସେଠାରୁ କୁଆଡେ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନାଉରୀ ନାୟକ ମିଶି ସାଂସଦଙ୍କୁ ବଦନାମ କରୁଛନ୍ତି ବୋଲି ସେ କହିଛନ୍ତି। ଅରୁନ୍ଧତୀ କହିଛନ୍ତି ଯେ, ଯଦି ଧର୍ମେନ୍ଦ୍ର ସମ୍ବଲପୁରରୁ ଛିଡା ହେବାକୁ ଇଚ୍ଛା ତେବେ ରାଜାସାହେବଙ୍କୁ କହିଥାଆନ୍ତେ। ସେ ତାଙ୍କୁ ଖୁସିରେ ଏହି ଆସନ ଛାଡି ଦେଇ ଥାଆନ୍ତେ। ତେବେ ଏବେ ଆଉ ନୁହେଁ, ଆମେ ଲଢେଉ ନିଶ୍ଚିତ କରିବୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଅରୁନ୍ଧତୀ ତାଙ୍କ ଫେସବୁକ ପେଜରେ ଏହିସବୁ କଥା ଉଲ୍ଲେଖ କରିଛନ୍ତି। ସେ ଯାହା ପୋଷ୍ଟି କରିଛନ୍ତି ତାହା ହେଲା, “ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଲବା ଜଣେ କୁଚକ୍ରୀ ମନ୍ତ୍ରୀକୁ। ରାଜା ସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କର୍ବାକେ ଦିଆଯାଉ। ଜଣେ ମାନସିକ ରୋଗଗ୍ରସ୍ତ ବିଧାୟକ ଏବଂ ରୁଗ୍ନମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି। ରାଜା ସାହେବ ଙ୍କ ସରଲତାର ଫାଇଦା ଆଉ କେତେଦିନ ଉଠାଇବ।”

ସେ ଆହୁରି ଲେଖିଛନ୍ତି ଯେ, “ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାର କୁ ସୁଧାର ନ ହେଲେ ବହୁତ୍ ମହଙ୍ଗା ପଡ଼ିବ। ମୁଁ ଆହୁଆନ ଦଉଛି ଯଦି ଦମ୍ ଅଛି ତାହେଲେ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ। ଦୁହି କୁଚାକ୍ରି କୁ କହୁଛି ସୁଧୁରି ଯାଅ। ବାରମ୍ବାର ରାଜା ସାହେବ ଙ୍କ କାମ ରେ ମୁଣ୍ଡ ପୁରେଇବା କେତେ ଯୁକ୍ତି ଯୁକ୍ତ।”

ସେ ପୁଣି ଉଲ୍ଲେଖ କରିଛନ୍ତି ଯେ, “ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦ କୁ କାମ କରିବାରୁ କେତେ ଅଟକାଇବ ? ସାଂସଦ କୁ ବଦନାମ୍ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ। ଯଦି ଦମ୍ ଅଛି ତାହେଲେ ସାମ୍ନାରୁ ଲଢ଼ାଇ କର କାପୁରୁଷ ପରି ପଛରୁ ଲଢ଼ାଇ କର ନାହିଁ। ରାଜା ସାହେବ କୁ ଥରେ କହିଥାନ୍ତ କୁ ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଚି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଥିତେ। ଏବେ ତ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ। ରାଜା ସାହେବ ଙ୍କ ସରଲତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ। ”

ଅରୁନ୍ଧତୀଙ୍କ ଏହି ପୋଷ୍ଟିଂକୁ ନେଇ ବିଜେପି ଭିତରେ ବେଶ ଆଲୋଡନ ସୃଷ୍ଟି କରିଛି। ପୂର୍ବରୁ କେହି ଧର୍ମେନ୍ଦ୍ରଙ୍କ ବିରୋଧରେ କହିବାକୁ ସାହାସ କରୁ ନ ଥିଲେ। ହେଲେ ଏବେ ସାଂସଦଙ୍କ ପତ୍ନୀ ଏପରି ଧମକ ତଥା ଗାଳି କରିବା ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀକୁ ବେଶ ଖୁସି ଆଣି ଦେଇଛି। ତେବେ ଏହି ପୋଷ୍ଟିଂକୁ ହଟାଇବା ପାଇଁ ଅରୁନ୍ଧତୀଙ୍କ ଉପରେ କୁଆଡେ ପ୍ରବଳ ଚାପ ପଡୁଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଆରଏସ ଓ ବିଜେପିରେ ବିଫଳ ହେବା ପରେ ପୁଣି କଂଗ୍ରେସକୁ ଫେରିବେ ଗମାଙ୍ଗ ବାପପୁଅ !

ଭୁବନେଶ୍ବର: ପୁଣି ଥରେ ତାଙ୍କର ରାଜନୈତିକ ଘର କଂଗ୍ରେସ ଦଳକୁ ଫେରିବେ ଗମାଙ୍ଗ ବାପପୁଅ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଫେରିବେ ବୋଲି ଚାଲିଛି ଜୋରଦାର ଚର୍ଚ୍ଚା। ସେଥିପାଇଁ ଉଭୟ କୁଆଡେ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ବୋଲି ଜଣାପଡିଛି। ହେଲେ ରାହୁଳ ଗାନ୍ଧି ସାଂସଦ ପଦ ଫେରିବା ମାମଲାରେ ବ୍ୟସ୍ତ ରହୁଥିବାର ତାଙ୍କର ଦେଖା ମିଳିପାରି ନାହିଁ।

ଏମାନେ କଂଗ୍ରେସର ଯୋଗ ନେବା ନେଇ ଦଳର କେତେକ ନେତା କୁଆଡେ ସମର୍ଥନ ମଧ୍ୟ କରୁଛନ୍ତି। ମୁଖ୍ୟତଃ ଶରତ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗିରିଧର ଗମାଙ୍ଗ କଂଗ୍ରେସରେ ବେଶ ଭଲ ପରିଚୟ ରହିଛି ଏବଂ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ କଂଗ୍ରେସ ତାଙ୍କୁ ନିଶ୍ଚିତ ଗୁରୁତ୍ବ ଦେବ। ସେହି ଆଶାରେ ଏହି ଗୋଷ୍ଠୀ ଗମାଙ୍ଗ କଂଗ୍ରେସରେ ଯୋଗ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯଦି ସବୁ ଠିକଠାକ୍ ହୁଏ ତେବେ ଗମାଙ୍ଗ ବାପପୁଅ ଏହି ମାସରେ କଂଗ୍ରେସରେ ସାମିଲ ହେବେ।

ନିକଟରେ ଉଭୟ ବିଜେପିରୁ ଇସ୍ତଫା ଦେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ରୀୟ ସମିତିରେ ଯୋଗଦେଇ ଥିଲେ। ତାଙ୍କ ସହିତ କେତେକ ପୁରୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକଙ୍କୁ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ୟତିତ ଏହି ଦଳ ତରଫରୁ ଆଉ କିଛି ହୋଇପାରିଲା ନାହିଁ।

ବିଶେଷ ସୁତ୍ର ଅନୁସାରେ ଗିରିଧର ଗମାଙ୍ଗ ବିଆରଏସ ରେ ଯୋଗ ଦେବା ପରେ ତାଙ୍କ ବିରୋଧରେ କୁଆଡେ ବିଭିନ୍ନ କ୍ଷେତ୍ରରୁ ଚନ୍ଦ୍ରଶେଖରଙ୍କ ପାଖକୁ ଖବର ଗଲା। ସେଥିରେ କୁହାଯାଇଥିଲା ଯେ, ଗିରିଧର ଗମାଙ୍ଗଙ୍କର ଓଡିଶାର ଆଉ କୌଣସି ଗୁରୁତ୍ବ ନାହିଁ। ତାଙ୍କର ନିଜସ୍ବ ସଂଗଠନ ନାହିଁ। ଏପରିକି ସେ କୌଣସି ସଂଗଠନ କରିପାରିବେ ନାହିଁ। ଓଡିଶାର ଜନସାଧାରଣ ତାଙ୍କ ଉପରେ ଆଉ ଭରସା କରୁ ନାହାଁନ୍ତି।

ଚନ୍ଦ୍ରଶେଖର ଏହି ଖବର ପାଇବା ପରେ ସଂଗଠନ ପାଇଁ ଯେଉଁ ଅର୍ଥ ଦେବା କଥା ତାହା ଦେଲେ ନାହିଁ ବୋଲି ଜଣାପଡିଛି। ଏପରିକି ସେ ଗିରିଧର ଗମାଙ୍ଗ ସହିତ ଆଉ ଯୋଗାଯୋଗ ମଧ୍ୟ କଲେ ନାହିଁ। ଏପରି ପରିସ୍ଥିତିରେ ଗମାଙ୍ଗ ବିଆରଏସରୁ ମୁହଁ ଫେରାଇ ନେଇ ସେ ତାଙ୍କର ସେହି ପୁରୁଣା ଘରକୁ ଫେରିବା ପାଇଁ ଦିଲ୍ଲୀରେ ଲବି ଆରମ୍ଭ କରିଛନ୍ତି।

କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଏହି ଗମାଙ୍ଗ ବାପପୁଅ ୨୦୧୫ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ହେଲେ ପରବର୍ତ୍ତି ସମୟରେ ଏହି ଦୁଇଜଣଙ୍କ ଉପରେ ବିଜେପି କୌଣସି ଭରସା କରିପାରିଲା ନାହିଁ। ଫଳରେ ଉଭୟ ବିଜେପିରେ କଣଠୋସା ହୋଇପଡି ରହିଥିଲେ। ବର୍ତ୍ତମାନ ବିଜେପି ଏବଂ ବିଆରଏସରରୁ ବିଫଳ ହେବା ପରେ ଏବେ ଘରବାହୁଡା ପାଇଁ ଉଭୟ ବାପପୁଅ ଉଦ୍ୟମ ଜାରି ରଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେବେ ସେ ବିଜେପିରେ ନ ଥିଲେ,ଏବେ ସିଧା ଉପସଭାପତି; କିଏ ସେହି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମରେ ନୂଆ ନୂଆ କଥା ଦେଖିବାକୁ ମିଳିଛି। ଏହି ଟିମରେ ବରିଷ୍ଠ ନେତାମାନଙ୍କୁ ବାଦ ଦିଆଯାଇଥିବା ବେଳେ କେତେକ ଯୁବ ନେତାଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଅପରାଜିତା ଗୋଷ୍ଠୀଙ୍କୁ ମଧ୍ୟ ଅବହେଳା କରାଯାଇ ନାହିଁ। ଏକ ମିଳାମିଶା ତାଲିକା ପ୍ରକାଶ କରାଯାଇଛି।

ହେଲେ ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା, ଯିଏ କେବେ କୌଣସି ରାଜନୈତିକ ଦଳରେ ସାମିଲ ନ ଥିଲେ ତାଙ୍କୁ ବିଜେପି ଡାକିଆଣି ଉପସଭାପତି କରିଛି। ସେ କେବେ ବିଜେପିର କାର୍ଯ୍ୟକ୍ରମରେ ଭାଗ ନେଇ ନାହାଁନ୍ତି କି ଦଳରେ ସାମିଲ ମଧ୍ୟ ହୋଇ ନାହାଁନ୍ତି। ହେଲେ ଆକସ୍ମିକ ଭାବେ ତାଙ୍କୁ ସିଧା ଦଳର ଉପସଭାପତି କରାଯାଇଛି। ଯାହାକୁ ନେଇ କେବଳ ବିଜେପି ନେତାଙ୍କ ମଧ୍ୟରେ ନୁହେଁ ପୁରା ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। ସେ ହେଲେ କଟକର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।

ଅବଶ୍ୟ ଡାକ୍ତର ମହାପାତ୍ର ରୋଗୀ ସେବା କରିବାରେ ବେଶ ପରିଚିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଜଣାଶୁଣା। ଜଣେ ମହିଳା ଓ ଶିଶୁ ବିଶେଷଜ୍ଞ ଡାକ୍ତର ଭାବେ ତାଙ୍କର ବେଶ ଖ୍ୟାତି ରହିଛି। ସେତିକି ନୁହେଁ ସେ ଜଣେ ଭଲ ମଣିଷ ଭାବରେ ମଧ୍ୟ ପରିଚିତ। ସେଥିପାଇଁ ରାଜ୍ୟ ସରକାର ତାଙ୍କୁ ଏସସିବି ମେଡିକାଲ କଲେଜର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ ସେ କେବେ କୌଣସି ରାଜନୈତିକ ମଞ୍ଚରେ ନିଜର ପାଦ ରଖି ନାହାଁନ୍ତି।

ତେବେ ଏ ନେଇ ଖୋଦ ଡାକ୍ତର ମହାପାତ୍ର ମଧ୍ୟ ଆଶ୍ଚର୍ଯ୍ୟ। ଏହା ତାଙ୍କ ପାଇଁ ଏକ ଅକସ୍ମିକ ଘଟଣା ବୋଲି ସେ କହିଛନ୍ତି। ଏହି ତାଲିକା ପ୍ରକାଶ ପରେ ସେ କହିଛନ୍ତି ଯେ, ମୋର ସଭାପତି ମନମୋହନବାବୁଙ୍କ ସହିତ ଭଲ ସଂପର୍କ ରହିଛି। ଏପରିକି ଜେ ପି ନଡ୍ଡାଙ୍କ ସହିତ ମଧ୍ୟ ସଂପର୍କ ରହିଛି। ହେଲେ ମୋତେ ଦଳରେ ସାମିଲ କଥା ଜଣା ନ ଥିଲା। ତାଲିକା ପ୍ରକାଶ ପରେ ସେ ଜାଣିଲେ ଯେ, ତାଙ୍କୁ ଦଳର ଉପସଭାପତି କରାଯାଇଛି।

ତେବେ ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ, ସେ କେବେ ରାଜନୀତିର ନ ଥିଲେ କି କୌଣସି ଦଳରେ ନ ଥିଲେ। ଗତଥର ତାଙ୍କୁ ଏକ ଦଳ ତରଫରୁ ଟିକେଟ ଯଚା ଯାଇଥିଲା, ହେଲେ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ। ଏବେ ମଧ୍ୟ କୌଣସି ଦଳରେ ସାମିଲ ହେବାର ଆଗ୍ରହ ନ ଥିଲା। ତେବେ ବିଜେପି ମୋତେ ଉପସଭାପତି କରିଥିବାର ତାଲିକା ପ୍ରକାଶ ପରେ ଜାଣିଲି। ତେବେ ଏହାପରେ ଦଳ କଣ କରୁଛି, କି ପ୍ରକାରର ନିର୍ଦ୍ଦେଶ ଦେଉଛି ତାହାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ଡାକ୍ତର ମହାପାତ୍ର।

ବିଜେପି ହେଉଛି ଏକ କ୍ୟାଡର ଭିତ୍ତିକ ଦଳ। ଏହି ଦଳର କାର୍ଯ୍ୟକର୍ତ୍ତାଙ୍କୁ ଯେତେବେଳେ ନିଯୁକ୍ତି ଦିଆଯାଏ ତା ପୂର୍ବରୁ ତାଙ୍କର ଇତିହାସ ପରଖା ଯାଏ। ସେ ଦଳରେ କେବେଠାରୁ ଅଛନ୍ତି, କିପରି କାମ କରୁଛନ୍ତି, ସଂଘ ସହିତ ଅଛନ୍ତି କି ନାହିଁ ଇତ୍ୟାଦି। ହେଲେ ସେ ସବୁ ନୀତି ନିୟମ ଡାକ୍ତର ମହାପାତ୍ରଙ୍କ କ୍ଷେତ୍ରରେ ଲାଗୁ କରାଯାଇ ନାହିଁ। ତାଙ୍କୁ ଦଳରେ ନ ମିଶାଇ ସିଧା ଉପସଭାପତି କରାଇବା ଓଡିଶା ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବିଜେପିର କେତେକ ନେତାଙ୍କ ଅନୁସାରେ ଡାକ୍ତର ମହାପାତ୍ରଙ୍କୁ କୁଆଡେ କଟକରୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ଦଳ ନିଷ୍ପତି କରିଛି। ସେଥିପାଇଁ ଦଳର ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଦିଆଯାଇଛି। ପୂର୍ବରୁ ଆଇପିଏସ ପ୍ରକାଶ ମହାପାତ୍ର ଏହି ଆସନରୁ ଲଢେଇ କରିଥିଲେ। ହେଲେ ସେ ନିର୍ବାଚନ ପରେ ଆଉ ଲୋକ ସଂପର୍କରେ କିମ୍ବା ଦଳ ସଂପର୍କରେ ରହିଲେ ନାହିଁ। ଫଳରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ଆଗକୁ ଆଣିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଟିକେଟ ନ ଦେଲେ କଣ କରିବେ ବିଧାୟକ ମହମ୍ମଦ ମୋକିମ, କଲେ ଖୋଲାସା

ଭୁବନେଶ୍ବର: ଦଳରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଏହାପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ଯଦି କଂଗ୍ରେସ ନିଲମ୍ବନ ଆଦେଶ ନ ହଟାଏ ତେବେ କଟକର ଏହି ଟାଣୁଆ କଂଗ୍ରେସ ନେତା କଣ କରିବେ। ସେ ଲଢେଇ କରିବେ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନବାଚୀ।

ତେବେ ମୋକିମ ନିଲମ୍ବିତ ହୋଇଥିଲେ ମଧ୍ୟ ତାଙ୍କ ମନ କିନ୍ତୁ କଂଗ୍ରେସରେ ରହିଛି। ଏବେବି କଂଗ୍ରେସରୁ ଟିକେଟ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। ଯଦି କୌଣସି କାରଣରୁ କଂଗ୍ରେସ ଟିକେଟ ନ ଦିଏ ତେବେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ। ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ଖୋଲାସା କରିଛନ୍ତି ମହମ୍ମଦ ମୋକିମ। ସେତିକି ନୁହେଁ ସେ କଟକ ବାରବାଟୀରୁ ନିଶ୍ଚିତ ଜିତିବେ ଏବଂ ନୂଆ ବିଧାୟକ ହୋଇ ପୁଣି ଥରେ କଂଗ୍ରେସରେ ମିଶିବେ ବୋଲି ସେ କହିଛନ୍ତି।

ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଲଢେଇ କରି ଆପଣ ସ୍ବାଧୀନ ପ୍ରାର୍ଥୀ ହୋଇ ଜିତିବା ପରେ ଆପଣଙ୍କୁ ଆଉ କଂଗ୍ରେସ ଗ୍ରହଣ କରିବ ନାହିଁ। ପୁଣି କଂଗ୍ରେସକୁ କେମିତି ଯିବେ ବୋଲି ପ୍ରଶ୍ନର ଉତ୍ତରେ ସେ କହିଥିଲେ ଅପେକ୍ଷା କରନ୍ତୁ। ସମୟ ବହୁତ ଅଛି କେଉଁ ପାଣି କୁଆଡେ ବହୁଛି ତାହା ଏବେ କହିବା ଠିକ ହେବ ନାହିଁ ବୋଲି ମୋକିମ କହିଥିଲେ।

କଂଗ୍ରେସ ଟିକେଟ ନ ଦେଲେ ସେ ବିଜେଡି କିମ୍ବା ବିଜେପିରୁ କାହିଁକି ଲଢେଇ ନ କରିବେ ବୋଲି ପ୍ରଶ୍ନର ଉତ୍ତରେ ସେ ରୋକଠୋକ ମନା କରିଦେଇଛନ୍ତି। ସେ କୌଣସି ଦଳକୁ ଯିବେ ନାହିଁ, କେବଳ କଂଗ୍ରେସରେ ହିଁ ରହିବେ। ଯଦି ଦଳ ମୋତେ ନ ଚାହିଁବ ତେବେ ମୁଁ ସ୍ବାଧୀନ ଭାବେ ରାଜନୀତି କରିବି ସିନା ଦଳ ଡିଆଁ କାମ କରିବି ନାହିଁ। ଏ ନେଇ ମୁଁ କୌଣସି ଦଳ ସହିତ କୌଣସି ପ୍ରକାରର ଯୋଗସୂତ୍ରରେ ନାହିଁ।

ଆପଣ କଂଗ୍ରେସ ସଭାପତି ହେବା ପାଇଁ ବେଶ ଲବି କରିଥିଲେ। ହେଲେ ତାହା ହେଲା ନାହିଁ। ସେଥିପାଇଁ ଆପଣ ଅସନ୍ତୁଷ୍ଠ ହୋଇ ଦଳକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ଶରତ ପଟ୍ଟନାୟକ ସଭାପତି ହେବା ପୂର୍ବରୁ ମୋତେ ସଭାପତି କରାଯାଉ ବୋଲି ଅନେକ ଦିଲ୍ଲୀରେ ଦାବୀ କରିଥିଲେ। ହେଲେ ଶରତବାବୁ ସଭାପତି ହେବା ପରେ ମଧ୍ୟ ମୁଁ ଦଳରେ ଅଛି କାମ କରୁଛି। ଯଦି ଏହାକୁ କେହି କଣ ଭିନ୍ନ ଅର୍ଥରେ ଭାବୁଥିବା ତେବେ ମୋରି କିଛି କହିବାର ନାହିଁ ବୋଲି ମୋକିମ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପାଇଁ ଦୁଇ ରାଜନୈତିକ ଦଳର ବଳକଷା

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ରାଜନୀତି ଆଦିବାସୀ ବହୁଳ ମତାଦାତାଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛି। ତେଣୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଲୋକପ୍ରିୟ ଆଦିବାସୀ ନେତାଙ୍କୁ ନେଇ ନିଜର ଗୋଟି ଚାଳନା କରିଥାନ୍ତି। ଏହି କ୍ରମରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟା ଇତିଶ୍ରୀ ମୁର୍ମୁଙ୍କୁ ନେଇ ଜିଲ୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଛି।

ଜିଲ୍ଲାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ପରେ ତାଙ୍କ ପରିବାର ସଦସ୍ୟ କହିଲେ ଝିଅ ଇତିଶ୍ରୀ ଏବେ ରାଜନୈତିକ ଦଳଗୁଡ଼ିକର ପ୍ରଥମ ପସନ୍ଦ ହୋଇଛନ୍ତି। କାରଣ ଇତିଶ୍ରୀ ଉଚ୍ଚ ଶିକ୍ଷିତା ହୋଇଥିବାରୁ ସେ ଲୋକମାନଙ୍କର ସମସ୍ୟାକୁ ତାଙ୍କ ମା’ଙ୍କ ଭଳି ପ୍ରାଥମିକତା ଦେଇ ସମାଧାନ କରିପାରିବେ ବୋଲି ମତଦାତା ତଥା ରାଜନୈତିକଦଳଗୁଡ଼ିକର ନେତୃମଣ୍ଡଳୀ ବିଶ୍ୱାସ କରୁଛନ୍ତି।

ମୟୁରଭଞ୍ଜ ଲୋକସଭା ଆସନ ଶାସକ ବିଜେଡି ପାଇଁ କେବେବି ସହଜ ହୋଇନାହିଁ । ଗତ ନିର୍ବାଚନରେ ଏଠାରୁ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ବିଜେଡି ପ୍ରାର୍ଥୀଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ମୟୁରଭଞ୍ଜ ଲୋକସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ପକ୍ଷରୁ ଇତିଶ୍ରୀଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଇତିଶ୍ରୀ ବିଜେଡି ପଟକୁ ଢଳିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ଅପର ପକ୍ଷରେ ବିଜେପିରେ ମୁର୍ମୁଙ୍କ ପରିବାର ରାଜନୀତି ଆରମ୍ଭ କରିଛନ୍ତି। ଇତିଶ୍ରୀଙ୍କ ମା’ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିରୁ ତାଙ୍କ ରାଜନୈତିକ ଯାତ୍ରା କରିଥିଲେ।ସେ ବିଜେପିରୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାମ କରି ବହୁ ସୁନାମ ଅର୍ଜନ କରିଛନ୍ତି।

ଏହାପରେ ମୋଦି ସରକାରଙ୍କୁ ତାଙ୍କୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ କରି ଦେଶର ଆଦିବାସୀ ମତଦାତାମାନଙ୍କୁ ନିଜ ପଟକୁ ଆଣିବାର ପ୍ରୟାସ କରିଛନ୍ତି। ଯେହେତୁ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଜୀବନ ବିଜେପିରେ କଟିଛି ତେଣୁ ତାଙ୍କ ଝିଅ ବିଜେପି ସହିତ ରହିବାରେ କୌଣସି ଅସୁବିଧା ହେବା ନାହିଁ।

ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ବିଜେପିରୁ ପ୍ରାର୍ଥୀ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତା ଚିନ୍ତା କରୁଥିବାର ଜଣାପଡିଛି। ଇତିଶ୍ରୀ ସେଠାରୁ ପ୍ରାର୍ଥି ହେଲେ ଦଳ ସାଂସଦ ପଦ ଫେରିପାଇବା ସହିତ ବିଧାୟକ ଆସନଗୁଡିକରେ ମଧ୍ୟ ସେ ବେଶ ପ୍ରଭାବ ପକାଇ ପାରିବେ।

ତେବେ ଏ ନେଇ ଉଭୟ ଇତିଶ୍ରୀ ଏବଂ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଜୋରଦାର ଆଲୋଚନା ଚାଲିଛି। ତେବେ ଇତିଶ୍ରୀ ଲୋକସଭା ପ୍ରାର୍ଥୀ ହେଲେ ବିଶେଶ୍ବର ଟୁଡୁଙ୍କୁ ବିଧାୟକ ପ୍ରାର୍ଥୀ ପ୍ରାର୍ଥୀ କରାଯିବ ବୋଲି ମୟୁରଭଂଜରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଇଣ୍ଡିଆ ଟିଭି ସିଏନଏକ୍ସ ସର୍ଭେକୁ ନେଇ ଓଡିଶା ରାଜନୀତି ସରଗରମ, ଆରମ୍ଭ ହେଲା ହିସାବ

ଭୁବନେଶ୍ବର: ନିକଟରେ ଇଣ୍ଡିଆ ଟିଭି ସିଏନଏସ୍କ ସର୍ଭେକୁ ନେଇ ଓଡିଶା ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ଉଭୟ ବିଜେଡି ବିଜେପି ସହିତ କଂଗ୍ରେସ ଏହି ସର୍ଭେକୁ ନେଇ କେହି ଖୁସି ନାହାଁନ୍ତି। ହେଲେ ଏହି ତିନିଦଳ ଭିତରେ ଭିତରେ ଏହା ଉପରେ ବେଶ ଆଲୋଚନା ଜାରୀ ରଖିଛନ୍ତି। ଓଡିଶାରେ ଦଳର ଏପରି କାହିଁକି ପରିସ୍ଥିତ ହେବ ବୋଲି ନିଜ ମଧ୍ୟରେ ପ୍ରଶ୍ନ ପଚରା ଆରମ୍ଭ କରିଦେଇଛି।

ଏହି ସର୍ଭେରୁ ପ୍ରକାଶ ପାଇଛି ଯେ, ଓଡିଶାରେ ୨୧ ଟି ଲୋକସଭା ଆସନରୁ ବିଜେପିକୁ ସେହି ୮ ଟି ସିଟ ମିଳୁଥିବା ବେଳେ ବିଜେଡିକୁ ୧୩ ଟି ଆସନ ମିଳିବ। ହେଲେ କଂଗ୍ରେସ କିମ୍ବା ଅନ୍ୟ କାହାକୁ ଗୋଟିଏ ମଧ୍ୟ ଆସନ ମିଳିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି। ବର୍ତ୍ତମାନ ଓଡିଶାରେ ଲୋକସଭାରେ ବିଜେଡିର ୧୨ ଜଣ ଥିବା ବେଳେ ବିଜେପିର ୮ ଜଣ ଏବଂ କଂଗ୍ରେସର ଜଣେ ସଦସ୍ୟ ଅଛନ୍ତି। ସେହି ଗୋଟିଏ ଆସନ ମଧ୍ୟ ଏଥର ବିଜେଡି ନେବ ବୋଲି ସର୍ଭେରେ କୁହାଯାଇଛି।

ଆଜି ଦେଶରେ ନିର୍ବାଚନ ହେଲେ କେଉଁ ଦଳକୁ କେତେ ମିଳିବ ଆସନ, ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

ତେବେ ଏହାକୁ ନେଇ ବିଜେଡି ତରଫରୁ ସାଂସଦ ମୁନ୍ନା ଖାନ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର କହିବା କଥା ଯେ, ଏପରି ସର୍ଭେ କେବେ ଠିକ ହୋଇ ନ ଥାଏ। ହେଲେ ଏଥର ବିଜେଡି ଲୋକସଭାରେ ୨୦ ଟି ଆସନ ଜିତିବ। ତେବେ କେଉଁ ଆସନରେ ବିଜେଡି ହାରିବ ସେ ନେଇ ସେ କୌଣସି ସ୍ପଷ୍ଟି କରଣ ଦେଇ ନ ଥିଲେ। ସେହିପରି କଂଗ୍ରେସ ମଧ୍ୟ ଏହି ରିପୋର୍ଟକୁ ମାନିବାକୁ ନାରାଜ। କାରଣ କଂଗ୍ରେସ ମେଣ୍ଟ ବା ଇଣ୍ଡିଆ ଏଥର ଲୋକସଭାରେ ବେଶ ଭଲ କରିବ। ଏ ରିପୋର୍ଟରେ କୌଣସି ମାନେ ରହେ ନାହିଁ ବୋଲି ଦଳ କହିଛି।

ସେହିପରି ବିଜେପି ସଭାପତି ମନମୋହନ ସାମଲ ଏହାକୁ ନେଇ ନିଜର ପତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ହେବାକୁ ଆହୁରି ବେଶ ସମୟ ବାକି ରହିଛି। ଏହା ଭିତରେ ମହାନଦୀ ଓ ସୁବର୍ଣ୍ଣରେଖାରେ ବହୁ ପାଣି ବହିଯିବ। ତେଣୁ ଏବେଠାରୁ ଆକଳନ କରି କହିବା ସମ୍ଭବ ନୁହେଁ। ତେବେ ଏହା ଭିତରେ ଆମେ ଦଳକୁ ସୁଦୃଢ କରିବାକୁ ଲାଗିଛୁ। ବହୁତ କାମ ଆହୁରି ବାକି ରହିଛି। ଆସନ୍ତା ନିର୍ବାଚନରେ ବିଜେପି ବେଶ ଭଲ ଫଳ କରିବ।

ସେହିପରି ଏହି ଜନମତ ସର୍ଭେରେ ଓଡିଶାରେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି। ଏଥର ବିଜେଡିର ଭୋଟ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଓଡିଶାରେ ନବୀନ ପଟ୍ଟନାୟକ ୨୩ ବର୍ଷ ଧରି ଶାସନ କରିଥିଲେ ମଧ୍ୟ ଶାସନ ବିରୋଧ ଜନମତ ପରିଲକ୍ଷିତ ହେଉ ନାହିଁ। ବିଜେଡିର ଅଭେଦ୍ୟ ଦୁର୍ଗକୁ ବିରୋଧ ଭେଦ କରିପାରୁ ନାହାଁନ୍ତି ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ନଡ୍ଡା ଗଠନ କଲେ ନୂଆ ଟିମ୍, ଅଛନ୍ତି ବୈଜୟନ୍ତ ପଣ୍ଡା, ଅରୁଣ ସିଂ, ସୁନୀଲ ବଂଶଲ ପ୍ରମୁଖ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ଏଥିରେ ସେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ରାଷ୍ଟ୍ରୀୟ ଉପ ମହାମନ୍ତ୍ରୀ, କୋଷାଧ୍ୟକ୍ଷ, ମହାକୋଷାଧ୍ୟକ୍ଷ ରାଷ୍ଟ୍ରୀୟ ସଚିବ ପ୍ରମୁଖ ପଦବୀରେ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି।

ନୂଆ ତାଲିକାରେ ନଡ୍ଡା 13 ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରମଣ ସିଂ, ବସୁନ୍ଧରା ରାଜେ, ରଘୁବର ଦାସ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଏହି ତାଲିକାରେ ଅଛନ୍ତି। ସେହିପରି ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଅରୁଣ ସିଂ, ସୁନୀଲ ବଂଶଲ, ଦୁଷ୍ମନ୍ତ କୁମାର ଗୌତମ ପ୍ରମୁଖ ରହିଛନ୍ତି।

ସେହିପରି ରାଷ୍ଟ୍ରୀୟ ମହାମନ୍ତ୍ରୀ ସଂଗଠନ ଭାବେ ଜଣଙ୍କୁ ନିଯୁକ୍ତି ମିଳିଛି। ସେ ହେଲେ ବି ଏଲ ସନ୍ତୋଷ। ବିଶ୍ବପ୍ରକାଶଙ୍କୁ ରାଷ୍ଟ୍ରୀୟ ଉପମହାମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲଙ୍କୁ ନଡ୍ଡା ନିଯୁକ୍ତି ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, ‘ସମୀକ୍ଷା’କୁ କହିଲେ ଏପରି କଥା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ନୀରବତା ପରେ ଏବେ ମୁହଁ ଖୋଲିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ‘ସମୀକ୍ଷା’ ସହିତ ଏକ ଦୀର୍ଘ ଆଲୋଚନା ପରେ କେତେକ ନୂଆ କଥା ପ୍ରକାଶ କରିଛନ୍ତି। ତେବେ ସଂଗଠନକୁ ନେଇ ସେ ଯାହା କହିଛନ୍ତି ତାହା ହେଲା ଯେ, ଆସନ୍ତା ସପ୍ତାହରେ ସେ ଚିଲିକାର ସମସ୍ତ ବିଜେଡି କର୍ମିଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବେ।

ମୋର ଆଖି ଅପରେସନ ହୋଇଥିଲା, ସେଥିପାଇଁ ମୁଁ ବାହାରକୁ କୁଆଡେ ବାହାରୁ ନ ଥିଲି। ବର୍ତ୍ତମାନ ଭଲ ହୋଇଗଲାଣି। ଖୁବ ଶିଘ୍ର ଚିଲିକାରେ ପୁଣି କାମ ଆରମ୍ଭ କରିବି ବୋଲି ସେ କହିଛନ୍ତି। ସମସ୍ତ ବିଜେଡି କର୍ମିଙ୍କ ସହିତ ବ୍ୟକ୍ତିଗତ ଭାବେ ମିଶିବି ବୋଲି ସେ କହିଛନ୍ତି। ଯେଉଁ କର୍ମିମାନେ ଅସନ୍ତୁଷ୍ଠ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରି ବିଜେଡିକୁ ଆହୁରି ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି ରଘୁନାଥ।

ତେବେ ନିକଟରେ ଚିଲିକା ନିର୍ବାଚନ ମଣ୍ଡଳିକୁ ଜିଲ୍ଲା ସଭାପତି, ବେଗୁନିଆ ବିଧାୟକ ଏବଂ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସିଥିଲେ। ହେଲେ ଆପଣ ସେଠାକୁ ଆସିଲେ ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହି ଆଖି ପାଇଁ ଯୋଗ ଦେଇପାରି ନ ଥିଲି। ତେବେ ଆପଣଙ୍କୁ ଏଥର ଟିକେଟ ମିଳିବ କି ନାହିଁ ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ। କହିଥିଲେ ମୋର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ଆମେ ତାକୁ ସମର୍ଥନ କରିବୁ।

ସେହିପରି ନିକଟରେ ଶଙ୍ଖ ଭବନରେ ତାଙ୍କୁ ବୈଠକରୁ ବାହାରି ଯିବା ପାଇଁ କୁହାଯାଇଥିବା ଘଟଣାକୁ ରଘୁନାଥ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ପାଇଁ ସେଠାରେ ଦାବୀ କରିଥିଲି। ଏହାକୁ ନେଇ ସେଠାରେ ପ୍ରଶାନ୍ତ ଜଗଦ୍ଦେବ କର୍ମିମାନେ ମୋ ବିରୋଧରେ ହୋ ହାଲ୍ଲା କରିଥିଲେ। ପରିବେଶକୁ ଶାନ୍ତ କରିବା ପାଇଁ ଆମ ଦଳର ସାଂଗଠାନିକ ସଂପାଦକ ବବିବାବୁ ମୋତେ ବାହାରକୁ ଯିବା ପାଇଁ କହିଥିଲେ।

ଏବେ ମୁଁ ପ୍ରଣବ ପ୍ରକାଶ ଦାସଙ୍କ ସହିତ ତିନିଥର ଦେଖା ହୋଇ ଆସିଛି। ସେ ସଂଗଠନ କରିବାକୁ ମୋତେ କହିଛନ୍ତି। ବର୍ତ୍ତମାନ ଚିଲିକାକୁ ବିଭୂତି ବଳବନ୍ତରାୟ ଏବଂ ରାଜେନ୍ଦ୍ର ସାହୁ ଘନଘନ ଗସ୍ତରେ ଆସୁଛନ୍ତି। ସେମାନେ ବର୍ତ୍ତମାନ ବିଧାୟକଙ୍କଠାରୁ କିପରି କର୍ମିମାନଙ୍କୁ ଅଲଗା କରାଯିବ ସେ କାମ କରୁଛନ୍ତି। ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇ ଦଳ ଯେଉଁ ଭୁଲ କରିଛି ତାହା ଆଉ ଏଥର ହେବ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ରଘୁନାଥଙ୍କ ସହିତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ସେ ଆଗାମୀ ଦିନରେ ଚିଲିକାରୁ ଟିକେଟ ପାଇବା ଆଶାରେ ଅଛନ୍ତି। ସେଥିପାଇଁ ତାଙ୍କ ପ୍ରତି ଅସନ୍ତୁଷ୍ଠ ଥିବା ବିଜେଡି କର୍ମିମାନଙ୍କୁ ସେ କିପରି ମନେଇବେ ସେ କାମ ଆରମ୍ଭ କରିବେ ବୋଲି ଜଣାପଡିଛି। ହେଲେ ପ୍ରଶ୍ନ ଉଠିଛି ଯେ, ଯେଉଁମାନେ ରଘୁନାଥଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି ସେମାନେ ପୁଣି ଥରେ ପକାଇଲା ଛେପ କିପରି ଢୋକିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦି, ଦିନ ଓ ସମୟ ହେଲା ଧାର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସେଥିପାଇଁ କେନ୍ଦ୍ରର ଏନଡିଏ ସରକାର ଏଥିପାଇଁ ଏବେଠାରୁ ଆରମ୍ଭ କରିଛନ୍ତି ଉଦ୍ୟମ। ସେହିକ୍ରମରେ ଏନଡିଏ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ମାରଥନ ବୈଠକ କରିବେ ବୋଲି ଘୋଷଣା କରାଯାଇଛି। ଏହି ଆଲୋଚନା ଚଳିତ ୩୧ ତାରିଖରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଚାଲିବ।

ପ୍ରଥମେ ସନ୍ଧ୍ୟା ସାଢ଼େ ୬ଟାରେ ଏବଂ ଅନ୍ୟଟି ସନ୍ଧ୍ୟା ସାଢ଼େ ୭ଟାରେ ଦୁଇଟି ଭାଗରେ ବୈଠକ ହେବ। ସୋମବାର ଜୁଲାଇ ୩୧ରୁ  ଏନଡିଏ ବୈଠକ ଆରମ୍ଭ ହେବ, ଯେଉଁଥିରେ ଉତ୍ତରପ୍ରଦେଶର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୬ଟାରେ ଭେଟି ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଏହି ବୈଠକରେ ପଶ୍ଚିମ ୟୁପି, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡର ସାଂସଦମାନେ ସାମିଲ ହେବେ। ସଞ୍ଜୀବ ବାଲିୟାନ ଏବଂ ବିଏଲ ବର୍ମାଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ସାଂସଦମାନଙ୍କ ସହ ସାକ୍ଷାତ କରିବେ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ। ଧର୍ମେନ୍ଦ୍ର ପ୍ରଧାନ ଏବଂ ଶାନ୍ତନୁ ଠାକୁର ଏହି ଅଧିବେଶନର ଆୟୋଜନ କରିବେ। ଯେଉଁଥିରେ ଓଡିଶା ସମେତ ୪୧ ଜଣ ସାଂସଦ ଉପସ୍ଥିତ ରହିବେ।

ଅଗଷ୍ଟ ୨ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଉତ୍ତରପ୍ରଦେଶର କାଶୀ, ଗୋରଖପୁର ଓ ଅବଧରୁ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଅମିତ ଶାହା ଓ ରାଜନାଥ ସିଂହ ଉପସ୍ଥିତ ରହିବେ ଏବଂ ମନ୍ତ୍ରୀ ଅନୁପ୍ରୁକ୍ତ ପଟେଲ ଓ ମହେନ୍ଦ୍ର ନାଥ ପାଣ୍ଡେ ଆୟୋଜକଭାବେ ଦାୟିତ୍ୱ ତୁଲାଇବେ ଏହି ଅଧିବେଶନରେ ୪୮ ଜଣ ସାଂସଦ ଅଂଶଗ୍ରହଣ କରିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପର ସାଂସଦମାନଙ୍କ ସହ ବୈଠକ ହେବ। ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭି ମୁରଲୀଧରନଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ଉପସ୍ଥିତ ରହିବେ। ଏଥିରେ ମୋଟ ୪୮ ଜଣ ସାଂସଦ ଯୋଗଦେବେ ବୋଲି ଆଶା କରାଯାଉଛି।

ଆଗକୁ ବଢ଼ି ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବିହାରର ୨୭ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜନାଥ ସିଂହ ଏବଂ ଅମିତ ଶାହା ଯୋଗଦେବେ।

Categories
ଜାତୀୟ ଖବର ବିଶେଷ ଖବର

ରାଜସ୍ଥାନ ରାଜନୀତିରେ ‘ନାଲି ଡାଇରୀ’ ବନାମ ‘ନାଲି ଟମାଟୋ’

ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ସମୟ ଯେତିକି ପାଖେଉଛି ସେଠାକାର ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଉଭୟ ବିଜେପି କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଚା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ ପରେ ସେଠାକାର ରାଜନୀତି ଆହୁରି ଗମ୍ଭିର ହେବାରେ ଲାଗିଛି। ମୋଦି ରାଜସ୍ଥାନର ସୀକାରରେ ଏକ ରାଲିକୁ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ମୋଦି କହିଥିଲେ ଯେ, ନାଲି ଡାଇରୀ କଂଗ୍ରେସର ପେଡି ଖୋଲିବ। ସେହି ଡାଇରୀ ପୃଷ୍ଠା ଖୋଲିଲେ କଂଗ୍ରେସର ବଡବଡ ନେତା ଓଲଟି ପଡିବେ। ନାଲି ଡାଇରୀକୁ ନେଇ ରାଜ୍ୟର କଂଗ୍ରେସ ସରକାର ବିଚଳିତ ହୋଇପଡିଛି। ଏଥର ରାଜସ୍ଥାନ ନିର୍ବାଚନରେ କଂଗ୍ରେସକୁ ଏହି ନାଲି ଡାଇରୀ ଖାଇବ ବୋଲି ମୋଦି ଜନସମାଗମକୁ ଉଦବୋଧନ ଦେଇ କହିଥିଲେ।

ବର୍ତ୍ତମାନ ରାଜସ୍ଥାନରେ ନାଲି ଡାଇରୀକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କାରଣ ମୁଖ୍ୟମନ୍ତ୍ରୀ ଗେହେଲଟ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଗୋଧାଙ୍କୁ  ମନ୍ତ୍ରୀପଦରୁ ବହିସ୍କୃତ କରିଛନ୍ତି। ଏହାପରେ ସେ ବିଧାନସଭାରେ ଏକ ନାଲି ଡାଇରୀ ଦେଖାଇଥିଲେ। ଏହି ଡାଇରୀରେ ଗେହେଲଟଙ୍କ କଳା କାରନାମା ଲେଖା ଅଛି ବୋଲି ସେ ଦାବୀ କରିଥିଲେ। ଏହାପରେ ରାଜସ୍ଥାନ ରାଜନୀତିରେ ନାଲି ଡାଇରୀକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ଡାଇରୀ ସଂପର୍କରେ ଗତକାଲି ଖୋଦ ପ୍ରଧାନମନ୍ତ୍ରୀ କହିବା ପରେ ଏହି ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି। ଏହି ଡାଇରୀରେ ମୁଖ୍ୟମନ୍ତ୍ରୀ ଗେହେଲେଟ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ କାହାକୁ ଟଙ୍କା ଦେଇଛନ୍ତି ତାହା ଉଲ୍ଲେଖ ରହିଛି। ଫଳରେ ରାଜସ୍ଥାନର କଂଗ୍ରେସ ସରକାର ଏହାକୁ ନେଇ ବେଶ ସମାଲୋଚନାର ସମ୍ମୁଖୀନ ହେବାରେ ଲାଗିଛି। ଆଉ ଚାରିମାସ ପରେ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ସରକାରଙ୍କ ପାଇଁ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପାଇଁ ଏହା ମୁଣ୍ଡବିଧାର କାରଣ ପାଲଟିଛି।

ତେବେ ଏହାକୁ ଉଚିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ କୁମାର ଗେହେଲେଟ। ମୋଦିଙ୍କ ନାଲି ଡାଇରୀ କଟାକ୍ଷକୁ ଉତ୍ତର ଦେଇ ସେ କହିଛନ୍ତି ଯେ, ମୋଦି ନାଲି ଡାଇରୀ କଥା କାହିଁ କହୁଛନ୍ତି, ସେ ନାଲି ଟମାଟୋ କଥା ଲୋକଙ୍କୁ କୁହନ୍ତୁ। ଗତକାଲି ରାଜସ୍ଥାନରେ ମୋଦିଙ୍କର ସରକାରୀ କାର୍ଯ୍ୟକ୍ରମ ଥିଲେ ମଧ୍ୟ ସେଥିରେ ମୁଖ୍ୟମନ୍ତ୍ରୀ ଗେହେଲେଟ ଯୋଗ ଦେଇ ନ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ୩ ପ୍ରମୁଖ ଦଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସମ୍ବଲପୁର ଲୋକସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଚୟନ ନେଇ ହରଡ଼ଘଣାରେ ପଡ଼ିଯାଇଛନ୍ତି। ବିଜେପି-ବିଜେଡି-କଂଗ୍ରେସ ଆଗାମୀ ନିର୍ବାଚନରେ ଗତଥରର ପ୍ରାର୍ଥୀଙ୍କୁ ଟିକେଟ ଦେବେ କି ନୂଆ ପ୍ରାର୍ଥୀ ଦେବେ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।

କଂଗ୍ରେସରୁ ଆସି ବିଜେପିରୁ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ନିତେଶ ଗଙ୍ଗଦେବ ନଳିନୀକାନ୍ତଙ୍କଠାରୁ ୯,୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ୪ଲକ୍ଷ ୭୩ ହଜାର ୭୭୦ ଖଣ୍ଡ (୪୨.୧୩%) ଭୋଟ ପାଇଥିଲେ। ଇତି ମଧ୍ୟରେ ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନିତେଶଙ୍କୁ ଭୋଟ ପରେ ନିର୍ବାଚନ ମଣ୍ଡଳୀର ମତଦାତାମାନେ ଦେଖିବାକୁ ପାଉନାହାନ୍ତି। ‌

ନିତେଶ ଲୋକଙ୍କ ସମସ୍ୟାକୁ ଅଣଦେଖା କରି ଅଧିକାଂଶ ସମୟ ଦେବଗଡ଼ କିମ୍ବା ଦିଲ୍ଲୀରେ ବିତାଇବାକୁ ପସନ୍ଦ କରୁଛନ୍ତି। ତେଣୁ, ବିଜେପି ତାଙ୍କୁ ପୁଣିଥରେ ଏଠାରୁ ପ୍ରାର୍ଥୀ କରିବ ନାହିଁ ବୋଲି ଆଲୋଚନା ହେଉଛି।

ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାର ୪ଟି, ଦେବଗଡ଼ ଜିଲ୍ଲାର ଗୋଟିଏ ଓ ଅନୁଗୁଳ ଜିଲ୍ଲାର ୨ଟି ବିଧାନସଭା ‌କ୍ଷେତ୍ରକୁ ନେଇ ଗଠିତ ସମ୍ବଲପୁର ଲୋକସଭା ଆସନରେ ଗ୍ରହଣୀୟ ହେଲା ଭଳି ଅନ୍ୟଜଣେ ନେତା ହେଉଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଜୟ ନାରାୟଣ ତାଙ୍କ ସୁରକ୍ଷିତ ସମ୍ବଲପୁର ବିଧାନସଭା କ୍ଷେତ୍ର ଛାଡ଼ି ଲୋକସଭା ନିର୍ବାଚନ ଲଢ଼ିବାକୁ କଦାପି ରାଜି ହେବେ ନାହିଁ।

ତେବେ, ଯୁବାବସ୍ଥାରେ ବହୁ ବର୍ଷ ସମ୍ବଲପୁରରେ ବିତାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଏଠାରୁ ପ୍ରାର୍ଥୀ କଲେ ଦଳ ସୁବିଧାଜନକ ସ୍ଥିତିରେ ରହିବ କୁହାଯାଉଛି। ନିଜ ଗୃହ ଜିଲ୍ଲା ଅନୁଗୁଳର ଦୁଇଟି ବିଧାନସଭା କ୍ଷେତ୍ରରେ ବିଜେଡିର ଭୋଟ ବିଭାଜନରେ ସେ ସଫଳ ହେବେ। ପୁନର୍ଗଠନ ପୂର୍ବରୁ ସେ ଥରେ ଦେବଗଡ଼ ଲୋକସଭା କ୍ଷେତ୍ରର ସାଂସଦ ଥିଲେ। ଦେବଗଡ଼ ଏବେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି। ତେବେ, ଧର୍ମେନ୍ଦ୍ର ସମ୍ବଲପୁର ଓ ନିଜ ଗୃହ ଲୋକସଭା କ୍ଷେତ୍ର ଢେଙ୍କାନାଳ ମଧ୍ୟରୁ କାହାକୁ ବାଛିବେ ତାଙ୍କ ଉପରେ ନିର୍ଭର କରୁଛି।

୨୦୧୯ ମସିହା ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଜନ୍ମିତ ଓ ସମ୍ବଲପୁରରେ ବହୁ ସମୟ ବିତାଇଥିବା ବିଜେଡି ପ୍ରାର୍ଥୀ ହୋଇଥିଲେ ନଳିନୀକାନ୍ତ ପ୍ରଧାନ। ତାଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ନ ମିଳିବା ଯୋଗୁ ସେ ପରାଜିତ ହୋଇଥିଲେ। ସେ ୪ଲକ୍ଷ ୬୪ ହଜାର ୬୦୮ଖଣ୍ଡ ଭୋଟ (୪୧.୩୨%) ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।

ନିର୍ବାଚନରେ ପରାଜିତ ହେବା ପରେ ନଳିନୀକାନ୍ତ ପ୍ରଧାନ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଅଧିକ ସକ୍ରିୟ ଥିଲେ। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ତାଙ୍କୁ ସମ୍ବଲପୁର ଅପେକ୍ଷା ଆଠମଲ୍ଳିକ ବିଧାନସଭା କ୍ଷେତ୍ରର ରାଜନୀତିରେ ଅଧିକ ସକ୍ରିୟ ‌ରହୁଥିବା ଦେଖିବାକୁ ମିଳୁଛି।ଶାସକ ବିଜେଡି ସମ୍ବଲପୁର ଲୋକସଭା ଆସନରେ ଆଗାମୀ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ, ଏବେଠୁ ଆକଳନ କରିବା ମୁସ୍କିଲ।

ତଥାପି, ନଳିନୀ ପ୍ରଧାନଙ୍କ ସହିତ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ ଓ ଯୁବନେତା ସଂଜିତ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି।

ଗତ ନିର୍ବାଚନରେ ମାତ୍ର ୧ଲକ୍ଷ ୩୫ହଜାର ୯୬୯ (୧୨.୦୯%) ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ଏବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅଛନ୍ତି। ସମ୍ବଲପୁର ଲୋକସଭା କ୍ଷେତ୍ର ତାଙ୍କର ନିର୍ବାଚନ ମଣ୍ଡଳୀ ନୁହେଁ। ସେ ବଲାଙ୍ଗୀରରୁ ଆସି ସମ୍ବଲପୁରରୁ ଲଢ଼ୁଥିଲେ। ଦିଲ୍ଲାରେ କଂଗ୍ରେସର ସଂଗଠନ ବହୁତ ଦୁର୍ବଳ ରହିଛି। ଏଭଳି ସ୍ଥିତିରେ ଶରତ ପୂରା ରାଜ୍ୟର ନିର୍ବାଚନ ଦାୟିତ୍ୱ ସମ୍ଭାଳିବ‌ାକୁ ଥିବାରୁ ସେ ନିଶ୍ଚିତଭାବେ ନିଜ ପାଇଁ କୌଣସି ସୁରକ୍ଷିତ ଆସନ ଦେଖିବେ।

ପୂର୍ବରୁ ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇଥିବା ସଂଜୟ ଭୋଇ ଏବେ ବିଜେପି ଯୋଗ ଦେଇଛନ୍ତି। ତେଣୁ କଂଗ୍ରେସ ପାଇଁ ସମ୍ବଲପୁରରେ ପ୍ରାର୍ଥୀ ମଡ଼କ ପଡ଼ିଛି ବୋଲି କହିଲେ ଭୁଲ ହେବ ନାହିଁ। ଏଭଳି ସ୍ଥିତିରେ କିଏ ପ୍ରାର୍ଥୀ ହେବ ଦଳୀୟ ନେତାମାନେ କିଛି କହିପାରୁନାହାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ନିଜେ ବାତିଲ କଲେ ସ୍ବାଗତ କାର୍ଯ୍ୟକ୍ରମ, ବବିଙ୍କ ଚାପରେ ବଦଳାଇଲେ ନିଷ୍ପତି

ସୀତାରାମ ଅଗ୍ରୱାଲ

ଚିଲିକା: କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷ ମୁହୂର୍ତ୍ତରେ ବାତିଲ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଚିଲିକା କାର୍ଯ୍ୟକ୍ରମ। ବିଧାୟକ ଆସନ୍ତା 28 ତାରିଖରେ ଏକ ବିଶାଳ ରାଲିରେ ବାଲୁଗାଁ ଓ ବାଣପୁର ଆସିବାକୁ ପୁର୍ବରୁ ସ୍ଥିର ହୋଇଥିଲା। ହେଲେ ସେ ନିଜେ ଆଜି ଏହି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ବିଧାୟକ ଜଗଦେବଙ୍କୁ ଆଜି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଡାକି ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତତସହିତ ଏକ ମାସ ପର୍ଯ୍ୟନ୍ତ ବିଧାୟକଙ୍କୁ ନିରବ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଫଳରେ ବିଧାୟକ ଜଗଦେବ ମଧ୍ୟ ଉକ୍ତ ନିର୍ଦ୍ଦେଶକୁ ମାନି ଶେଷ ମୁହୂର୍ତ୍ତରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିଜ ଆଡୁ ବାତିଲ କରିଛନ୍ତି।

ତେବେ ବିଜେଡି ରୁ ନିଲମ୍ବିତ ବିଧାୟକଙ୍କୁ ବିଜେଡି ସଂଗଠନ ସମ୍ପାଦକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚାପ ପକାଇବା ଘଟଣା ଆଲୋଚନାର ବିଷୟ ପାଲଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ବିଜେଡି କୋଳେଇ ନେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ପ୍ରାର୍ଥୀ ଚୟନ ଆରମ୍ଭ, ଏଥର ସେଲିବ୍ରିଟି ଓ ପ୍ରଶାସକଙ୍କୁ ୧୦ ପ୍ରତିଶତ ଟିକେଟ୍

ଭୁବନେଶ୍ବର : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧିଦଳର ନେତାମାନଙ୍କ ପାଇଁ ପ୍ରାର୍ଥୀ ଚୟନ କରିବା ଦୂରର କଥା ହୋଇଥିଲା ବେଳେ ମେଣ୍ଟ ପ୍ରକ୍ରିୟା ଚୂଡ଼ାନ୍ତ କରିପାରୁ ନାହାନ୍ତି। କିନ୍ତୁ ବିଜେପି ବିରୋଧିଦଳମାନଙ୍କଠାରୁ ଦୁଇପାଦ ଆଗରେ ରହିଛି। ବିଜେପି ଏପର୍ଯ୍ୟନ୍ତ ଟିକେଟ ବଣ୍ଟନ ଆରମ୍ଭ କରିନଥିଲେ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି।

ଦଳ ୪୫୦ଟି ଆସନରେ ଲଢ଼ିବ ବୋଲି ଆକଳନ କରାଯାଉଛି। ଅନ୍ୟଦଳର କିଛି ପ୍ରାର୍ଥୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ସୁଦ୍ଧା ଏଭଳି ୧୧ ଜଣଙ୍କ ନାମ ସାମ୍ନାକୁ ଆସିଛି। କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତର କିଛି ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି। ଅତିକମରେ ୧୦ ପ୍ରତିଶତ ଆସନ ବାହାର ଲୋକଙ୍କୁ ଦେବାକୁ ପଡ଼ିବ ବୋଲି ବିଜେପି ନେତାମାନେ ମୋଟାମୋଟି ଆକଳନ କରିଛନ୍ତି।

ଓଡ଼ିଶାରେ ସେଲିବ୍ରିଟି ଖୋଜା ଚାଲିଛି

ଓଡ଼ିଶାରେ ଗତ ଲୋକସଭା ନିର୍ବାଚନରେ ଦୁଇ ଜଣ ପ୍ରଶାସନିକ ଅଧିକାରୀ ନିର୍ବାଚନ ଲଢ଼ିଥିଲେ। ସେମାନେ ହେଲେ କଟକରୁ ପୂର୍ବତନ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଓ ଭୁବନେଶ୍ୱରରୁ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଥିବାବେଳେ ପ୍ରକାଶ ମିଶ୍ର ହାରିଯାଇଥିଲେ।

ସେହିପରି ବିଧାନସଭା ପାଇଁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡିରୁ ଲଢି ପରାଜିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଅନେକ ନେତାଙ୍କ ଟିକଟ କାଟି ଭୋଟରମାନଙ୍କୁ ଆକୃଷ୍ଟ କରିପାରୁଥିବା ସେଲିବ୍ରିଟିମାନଙ୍କୁ ଟିକଟ ଦେବାପାଇଁ ଯୋଜନା କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି।

ଆମଦାନୀ ନେତାଙ୍କୁ ଗୁରୁତ୍ୱ

ବିଜେପିର ପୁରୁଖା ସଦସ୍ୟମାନଙ୍କର ଚିନ୍ତା ରହିଛି ବାହାର ଲୋକମାନେ ଦଳରେ ଯୋଗ ଦେଉଛନ୍ତି ଏବଂ ବଡ଼ ଲାଭ ପାଉଛନ୍ତି। କିଛି ସାଂସଦ, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ହେଉଛନ୍ତି। ଫଳରେ ପୁରୁଣା ସଦସ୍ୟମାନେ ଖାଲି ହାତରେ ରହୁଛନ୍ତି। ଏବେ ତେଲେଙ୍ଗାନାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଇତେଲା ରାଜେନ୍ଦ୍ରଙ୍କୁ ରାଜ୍ୟରେ ପ୍ରଚାର କମିଟିର ମୁଖ୍ୟ କରାଯାଇଛି।

ବିଜେପି ଜିତିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସଙ୍କେତ ମିଳିଛି। ଆଉ ଏକ ପ୍ରସଙ୍ଗ ହେଉଛି ଦଳରେ ଯୋଗ ଦେଉଥିବା ବାହାର ଲୋକମାନେ ହିନ୍ଦୁତ୍ୱ ଏବଂ ଏହାର ଆଦର୍ଶ ବିଷୟରେ ଅଧିକ ସ୍ପଷ୍ଟ ଭାବରେ କହୁଛନ୍ତି, ଯାହା ପୁରୁଣା ସଦସ୍ୟଙ୍କ ପାଇଁ ଲଜ୍ଜାଜନକ ହେବାରେ ଲାଗିଛି। ଆପଣ ବୁଝିପାରିବେ ଏହା କେଉଁଠାରେ ଘଟୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଦଖଲରେ ପ୍ରଶାନ୍ତ ଜଗଦ୍ଦେବ, ଅଣ ରାଜନୈତିକ ସଂଗଠନ କରି ଆରମ୍ଭ କଲେଣି ରାଜନୀତି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ମୁହାଁ ହେଲେଣି। ନିର୍ବାଚନ ଆଉ ମାସ କେଇଟା ଥିବାରୁ ସେ ନିଜର ଆସନକୁ ସୁଦୃଢ କରିବା ପାଇଁ ଲାଗିପଡିଛନ୍ତି। କୋର୍ଟ ପ୍ରତିବନ୍ଧକ ଯୋଗୁଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେଠାକାର ସଂଗଠନ ଦୁର୍ବଳ ହୋଇପଡିଛି। ସେଥିପାଇଁ ସେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧାରେ ନିଜର ରାଜନୈତିକ ଭବିଷ୍ୟତ ଦେଖିବା ପାଇଁ ସେଠାରେ ସଂଗଠନ ଆରମ୍ଭ କରିଛନ୍ତି।

ବିଜେଡିରୁ ବହିସ୍କୃତ ହୋଇଥିବାରୁ ସେ ବର୍ତ୍ତମାନ ସିଧା ଦଳୀୟ ରାଜନୀତି କରିପାରିବେ ନାହିଁ। ସେଥିପାଇଁ ସେ ଖୋର୍ଦ୍ଧାରେ ଗଠନ କରିଛନ୍ତି ଦୁଇଟି ଅଣ ରାଜନୈତିକ ସଂଗଠନ। ଗୋଟିଏ ଟାଙ୍ଗୀ ବିକାଶ ପରିଷଦ ଏବଂ ଅନ୍ୟଟି ଖୋର୍ଦ୍ଧା ବିକାଶ ପରିଷଦ। ଏହି ଦୁଇ ସଂଗଠନ ମାଧ୍ୟମରେ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ସେଠାକାର ପୁରୁଣା ବିଜେଡି ନେତା ତଥା ଯୁବକମାନଙ୍କୁ ନେଇ ଅଣରାଜନୈତିକ କାର୍ଯ୍ୟ ଜାରୀ ରଖିଛନ୍ତି।

ନିକଟରେ ସେ ଟାଙ୍ଗୀଠାରେ ଏହି ସଂଗଠନ ମାଧ୍ୟମରେ ଏକ ସଭା କରିଥିଲେ। ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହିତ ଖୋର୍ଦ୍ଧାରୁ ଲଢେଇ କରିବା ପାଇଁ ଦାବୀ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ସେ ବିଭିନ୍ନ ଉତ୍ସବ ଅନୁଷ୍ଠାନ ଏବଂ କ୍ଲବ ସଂଘ ପ୍ରଭୃତି ଗସ୍ତ କରି ତାଙ୍କର ପୁରୁଣା ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ପୁରା ଖୋର୍ଦ୍ଧାଗଡରେ ଡେରା ପକାଇ ନିଜର ଜାନ ଲଗାଇ ଦେଇଛନ୍ତି ଏହି ପାଇକ ପୁଅ।

ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ପରିଷଦର ସଭାପତି ଥିବା ସହିତ ବିଜେଡିର ଦୁଇଥର ଜିଲ୍ଲା ସଭାପତି ମଧ୍ୟ ହୋଇଛନ୍ତି।ଏପରିକି ସେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବଡପୋଖରୀଆ ହେଉଛି ତାଙ୍କର ଜନ୍ନସ୍ଥାନ। ସେହି ନିର୍ବାଚନ ମଣ୍ଡଳୀରୁ ସେ ଛାତ୍ର ନେତା ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ଚିଲିକା ଅପେକ୍ଷା ଖୋର୍ଦ୍ଧା ତାଙ୍କ ପାଇଁ ଉପଯୁକ୍ତ ବୋଲି ଭାବି ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଅନ୍ୟପଟେ ଖୋର୍ଦ୍ଧାର ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଚିନ୍ତା କରିଛନ୍ତି। ସେ ତାଙ୍କ ପୁତ୍ର କିମ୍ବା ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେଥିପାଇଁ ଖୋର୍ଦ୍ଧାରେ ପ୍ରଶାନ୍ତଙ୍କ ସଂଗଠନ ପାଇଁ ଜିତୁ ମିତ୍ର ପୁରା ରାସ୍ତା ଛାଡି ଦେଇଛନ୍ତି। ଏପରିକି ଉଭୟ ମିଶି ବିଭିନ୍ନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାରେ ଜାରୀ ରଖିଛନ୍ତି।

ଅନ୍ୟପକ୍ଷରେ ଖୋର୍ଦ୍ଧାର ପୂର୍ବତନ ଏବଂ ବର୍ତ୍ତମାନ ବେଗୁନିଆର ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ପୁଣି ଖୋର୍ଦ୍ଧା ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ ଆଉ ବେଗୁନିଆରେ ମନ ଲାଗୁ ଲାଗୁ ନାହିଁ। ହେଲେ ସେ ଖୋର୍ଦ୍ଧାର ବିଧାୟକ ଥିବା ବେଳେ ତାଙ୍କ ଉପରେ ବହୁ କର୍ମି ଅସନ୍ତୁଷ୍ଠ ଅଛନ୍ତି। ତେଣୁ ସେ ଆସିଲେ ତାଙ୍କ ବିରୋଧରେ ବିଦ୍ରୋହ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ରାଜେନ୍ଦ୍ର ସାହୁ ଚିଲିକା ନିର୍ବାଚନ ମଣ୍ଡଳୀ ଆଡେ କୁଆଡେ ମୁହାଁଉଛନ୍ତି ବୋଲି କୁହାଯାଉଛି। ଇତିମଧ୍ୟରେ ସେ ଦଳୀୟ କାର୍ଯ୍ୟକ୍ରମ ନେଇ ଚିଲିକାକୁ ତିନିଥର ଗସ୍ତ କରିସାରିଲେଣି।

ସବୁ ଦୃଷ୍ଟିରୁ ଦେଖିଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଖୋର୍ଦ୍ଧା ବେଶ ସୁରକ୍ଷିତ ହୋଇ ଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ତାଙ୍କୁ ବିଜେଡି ଟିକେଟ ଦେବ କି ନାହିଁ। ପ୍ରଶାନ୍ତ ନିଜେ ମଧ୍ୟ ବିଜେଡି ଟିକେଟ ମିଳିବା ନେଇ ଦ୍ବନ୍ଦରେ ଅଛନ୍ତି। କାରଣ ତାଙ୍କ ଉପରୁ ଦଳ ଏ ପର୍ଯ୍ୟନ୍ତ ବହିସ୍କାର ଆଦେଶ ଉଠାଇ ନାହିଁ। ହେଲେ ତାଙ୍କ ମନ ଏବଂ ରକ୍ତ କିନ୍ତୁ ବିଜେଡି ସାଥୀରେ ରହିଛି। ଦଳରୁ ଦୂରରେ ରହିଥିବାରୁ ସେ ସେଥିପାଇଁ ବିଭିନ୍ନ ଅଣ ରାଜନୈତିକ ସଂଗଠନ କରି ଗାଁକୁ ଗାଁ ବୁଲୁଛନ୍ତି। ନିଜର ପତିୟାରା ଜାହିର କରିବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ; କର୍ଣ୍ଣାଟକରୁ ରାଜ୍ୟସଭାକୁ ଆସିବେ ସୋନିଆ

ଭୁବନେଶ୍ବର: କର୍ଣ୍ଣାଟକର ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନକୁ ଆଉ ୮ ମାସ ବାକି ଥିବାବେଳେ ସୟଦ ନସିର ହୁସେନ ଓ ସୁପ୍ରିୟା ଶ୍ରୀନେତଙ୍କ ସହ ସୋନିଆ ଗାନ୍ଧି ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ପ୍ରବେଶ କରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଲୋକସଭା ନିର୍ବାଚନ ନ ଲଢ଼ି ରାଜ୍ୟସଭା ଦେଇ ସଂସଦକୁ ଯିବେ ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି ।

ଉଚ୍ଚସ୍ତରୀୟ ସୂତ୍ରରୁ ପ୍ରକାଶ ଯେ ନିକଟରେ ସୋନିଆଙ୍କ ବେଙ୍ଗାଲୁରୁ ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୂର୍ବତନ ଏଆଇସିସି ମୁଖ୍ୟଙ୍କୁ କର୍ଣ୍ଣାଟକରୁ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ । ସିଦ୍ଧରମୈୟାଙ୍କ ପ୍ରସ୍ତାବରେ ସୋନିଆ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ କିଛି କାରଣ ରହିଛି ଯାହାକି ତାଙ୍କୁ ରାଜ୍ୟସଭାରେ ପ୍ରବେଶ କରିବାର ସମ୍ଭାବନାକୁ ସୂଚାଉଛି ।

ମୁଖ୍ୟତଃ, ଯଦି ସୋନିଆ ସିଦ୍ଧରମୈୟାଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଏହା ତାଙ୍କୁ ୧୦, ଜନପଥ ସରକାରୀ ବାସଭବନକୁ ବଜାୟ ରଖିବାରେ ସାହାଯ୍ୟ କରିବ, ଯାହାକୁ ସେ ୧୯୮୯ ମସିହାରୁ ରହୁଛନ୍ତି। ଯେତେବେଳେ ରାଜୀବ ଗାନ୍ଧୀ ବିରୋଧୀ ଦଳ ନେତା ଥିଲେ ସେ ସମୟରେ ସେ ୧୦ ଜନପଥ ବାସଭବନକୁ ଆସିଥିଲେ।

ନିକଟ ଅତୀତରେ ଉଭୟ ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୁଟିଆନ୍ସ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଛାଡ଼ିଛନ୍ତି। ମୋଦି ଉପନାମ ମାନହାନୀ ମାମଲାରେ ହାରିବା ପରେ ଚଳିତ ବର୍ଷ ଏପ୍ରିଲରେ ରାହୁଲ ୧୨, ତୁଗଲକ କ୍ରିସେଣ୍ଟ ସରକାରୀ ବାସଭବନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହପରି ପ୍ରିୟଙ୍କା ୨୦୨୨ ଜୁଲାଇରେ ତାଙ୍କର ୩୪, ଲୋଧି ଇଷ୍ଟେଟ ବାସଭବନ ଖାଲି କରିଥିଲେ ଯାହା ସୁରକ୍ଷା କାରଣରୁ ତାଙ୍କୁ ୧୯୯୭ ରେ ଆବଣ୍ଟନ କରାଯାଇଥିଲା ।

ସୋନିଆ ବର୍ତ୍ତମାନକୁ ମିଶାଇ ପାଞ୍ଚଥର ଲୋକସଭାରୁ ସାଂସଦ ଅଛନ୍ତି (ଥରେ ଆମେଠିରୁ ଏବଂ ଚାରିଥର ରାଏବରେଲିରୁ) ଏବଂ ନିର୍ବାଚନୀ ଲଢ଼େଇରେ କେବେ ହାରିନଥିବାର ଏକ ଦୃଢ଼ ରେକର୍ଡ ରହିଛି। ତେବେ ୨୦୧୯ ପରେ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କାରଣରୁ ସୋନିଆ ନିଜ ନିର୍ବାଚନମଣ୍ଡଳୀକୁ ଯେତିକି ପସନ୍ଦ କରୁଥିଲେ ସେତିକି ସମୟ ଦେଇପାରି ନାହାନ୍ତି। ପ୍ରିୟଙ୍କା ଗାନ୍ଧି ୨୦୨୪ରେ ନିର୍ବାଚନ ଲଢ଼ି ବିଜୟୀ ହେଲେ ମଧ୍ୟ ୧୦, ଜନପଥ ସରକାରୀ ବାସଭବନ ବଜାୟ ରଖିବା ପ୍ରସଙ୍ଗର ସମାଧାନ କରିବ ନାହିଁ। ଯଦି ପ୍ରିୟଙ୍କା ନିର୍ବାଚନ ଜିତନ୍ତି ପ୍ରଥମ ଥର ସାଂସଦ ହେଉଥିବାରୁ ତାଙ୍କୁ ୧୦, ଜନପଥ ସରକାରୀ ବାସଭବନ ମିଳିବ ନାହିଁ ।

ସୂଚନାଯୋଗ୍ୟ, ୧୯୮୯ମସିହାରେ ରାଜୀବଙ୍କୁ ଲୁଟିୟନ୍ସ ଦିଲ୍ଲୀ ବଙ୍ଗଳାର ଯତ୍ନ ନେଉଥିବା କେନ୍ଦ୍ରୀୟ ପୂର୍ତ୍ତ ବିଭାଗ କର୍ମଚାରୀମାନେ ସେଠାକୁ ନ ଯିବାକୁ ପରାମର୍ଶ ଦେଇଥିଲେ। ୧୦, ଜନପଥକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। କୁହାଯାଉଛି ଯେ ୧୦ ଜନପଥ ବାସଭବନ ଭିତରେ ଦୁଇଟି କବର ରହିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ଘର ଭାବରେ ବିବେଚନା କରାଯାଉଥିଲା ଯାହା ସଞ୍ଜୟ ଗାନ୍ଧିଙ୍କ ପାଇଁ ଦୁର୍ଭାଗ୍ୟ ଆଣିଦେଇଥିଲା।

୧୯୭୫ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୦, ଜନପଥ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟାଳୟ ଥିଲା ଯେତେବେଳେ ଅମ୍ବିକା ସୋନି ଏହାର ସଭାପତି ଥିଲେ ଏବଂ ସଞ୍ଜୟ ଗାନ୍ଧୀ ଏହାର ପରାମର୍ଶଦାତା ଥିଲେ। ୧୯୭୭ ପରାଜୟର ଗମ୍ଭୀରତା ବହୁତ ବଡ଼ ଥିଲା। ରାଜେନ୍ଦ୍ର ପ୍ରସାଦ ରୋଡରେ ବହୁ ବର୍ଷ ପରେ ଯୁବ କଂଗ୍ରେସ କାର୍ଯ୍ୟାଳୟ ବନ୍ଦ ହୋଇ ଖୋଲିଥିଲା।

୧୯୮୯ରେ ରାଜୀବ ଯେତେବେଳେ ୧୦, ଜନପଥରେ ପ୍ରବେଶ କରିଥିଲେ, ସେତେବେଳେ ସେ କିଛି ଅଞ୍ଚଳରେ ରକ୍ତ ଚିହ୍ନ ଦେଖିଥିଲେ। ୧୯୭୭ରୁ ୧୯୮୯ ମଧ୍ୟରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିଲା। ଏହାପରେ ବକ୍ସରର ଜଣେ କଂଗ୍ରେସ ନେତା କେକେ ତେଓ୍ଵାରୀ ସେଠାରେ ରହିଥିଲେ। ତେଓ୍ଵାରୀ ଆଜି ପର୍ଯ୍ୟନ୍ତ ରାଜନୈତିକ ମହଲରେ ଅଛନ୍ତି ।

ପୁରୁଣା ଲୋକମାନେ ମନେପକାନ୍ତି ଲାଲ ବାହାଦୁର ଶାସ୍ତ୍ରୀ ମଧ୍ୟ ୧୦, ଜନପଥ (ପ୍ରଧାନମନ୍ତ୍ରୀ ଭାବରେ)ରେ ରହିଥିଲେ। ତାଙ୍କ ଆବାସିକ କମ୍ପ୍ଲେକ୍ସରେ ବର୍ତ୍ତମାନର ୧୦, ଜନପଥ ଥିବା କିଛି ଅଂଶ ଅନ୍ତର୍ଭୁକ୍ତ ଥିଲା । ପ୍ରଧାନମନ୍ତ୍ରୀ ହେବାର ୧୮ ମାସ ମଧ୍ୟରେ ଶାସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା ।

ବିଦାୟୀ ୪ ଜଣ ସାଂସଦ ଜିସି ଚନ୍ଦ୍ରଶେଖର, ସୟଦ ନସିର ହୁସେନ ଏବଂ ଡକ୍ଟର ଏଲ୍ ହନୁମନ୍ତୈୟା (ଅଖିଳ ଭାରତ କଂଗ୍ରେସ) ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୪ରେ ଶେଷ ହେଉଛି । ବର୍ତ୍ତମାନର ବିଧାୟକ ସଂଖ୍ୟା ଅନୁଯାୟୀ, କର୍ଣ୍ଣାଟକର ୪ଟି ଆସନରୁ ୩ଟି ଆସନ ପାଇବ । ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଜଡ଼ିତ ଏଆଇସିସି ସଂଯୋଜକ ନାସିରଙ୍କୁ ଆଉ ଥରେ କାର୍ଯ୍ୟକାଳ ଦିଆଯିବ ଏବଂ କଂଗ୍ରେସ ସୋସିଆଲ ମିଡ଼ିଆ ମୁଖ୍ୟ ଶ୍ରୀନେତଙ୍କୁ ସୋନିଆଙ୍କ ସହ ରାଜ୍ୟସଭାକୁ ଅଣାଯିବ ବୋଲି ଚର୍ଚ୍ଚା ହେଉଛି।