Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ରାଜଗଙ୍ଗପୁରର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଜଗଙ୍ଗପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ସାରଦା ନାୟକ, ପୂର୍ବତନ ବିଧାୟକ ମଙ୍ଗଳା କିଶାନ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ, ଶ୍ରୀ କିଶାନ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରାଜଗଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ, ଶ୍ରୀ କିଶାନ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ରାଜଗଙ୍ଗପୁର ବିକାଶ ପରିଷଦର ସଭାପତି ସୁନୀଲ ଅଗ୍ରୱାଲ, ବିଧାୟକଙ୍କ ପ୍ରତିନିଧି ରତନ କୁମାର ସାହୁଙ୍କ ସହ ଶତାଧିକ ବିଜେପି କର୍ମ ବିଜେଡିରେ ସାମିଲ ହୋଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଗତକାଲି ସେ ଅଭିମାନରେ ବିଜେଡିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏଥର ମଧ୍ୟ ବିଜେଡି ଟିକେଟ ଦେବ ନାହିଁ ବୋଲି ଅନୁଭବ କରିବା ପରେ ଆକାଶ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସଭାପତି ମନମୋହନ ସାମଲ ଆକାଶଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏଥିରେ ଆକାଶଙ୍କ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ, କୋରେଇର ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶଙ୍ଖ ଫୁଙ୍କିଲେ ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ ତାଙ୍କ ସମର୍ଥକ

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ ତାଙ୍କ ସମର୍ଥକ। ଆଜି ଚିରଞ୍ଜୀବ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ସାଂସଦ ମାନସ ମଙ୍ଗରାଜ ଏବଂ ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ଏହା ବ୍ୟତିତ ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଚିରଞ୍ଜୀବ କହିଛନ୍ତି। ବର୍ତ୍ତମାନ ଦଳ ଚଳିତ ନିର୍ବାଚନରେ ଯେଉଁ ସଫଳତା ହାସଲ କରିବାକୁ ଯାଉଛନ୍ତି ସେଥିରେ ମୁଁ ଗୁଣ୍ଡୁଚି ମୂଷା ପରି କାମ କରିବି ବୋଲି ଚିରଞ୍ଜୀବ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଲଟିଲା ସୁର ରାଉତରାୟଙ୍କ ଘର ରାଜନୀତି, ଏବେ ବଡପୁଅ କହିଲେଣି ଜଟଣୀରୁ ଛିଡା ହେବେ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘର ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଦୁଇ ପୁଅଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଭାଗ ବଣ୍ଟା ସରିପାରୁ ନାହିଁ। ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପୂର୍ବରୁ ଯାହା କହୁଥିଲେ ସେଥିରେ ସେ ମତ ବଦଳାଇଲେଣି। ଏବେ ସିଦ୍ଧାର୍ଥ କହିଲେଣି ଯେ, ମୁଁ ନିମାପଡାରୁ ନୁହେଁ ଜଟଣୀ ବିଧାନସଭାରୁ ଲଢିବି।

ତେବେ ସିଦ୍ଧାର୍ଥ କହିଛନ୍ତି ଯେ, ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ହେବି। ସେ କାହା ନାମ ନ ନେଇ କହିଛନ୍ତି ତାଙ୍କୁ ୱାକଓଭର କରିବାକୁ ଦେବି ନାହିଁ। ଗତଥର ତାଙ୍କୁ ହରାଇବା ପାଇଁ ବହୁ ଚେଷ୍ଠା କରିଛି। ହେଲେ ଏଥର ସେ ସେମିତିରେ ନିର୍ବାଚନ ଜିତିିଯିବେ, ତାହାକୁ କଦାପି ମୁଁ ବରଦାସ୍ତ କରିବି ନାହିଁ। ସେଥିପାଇଁ ଜଟଣୀର ସ୍ବାଭିମାନ ପାଇଁ ମୁଁ ସ୍ବାଧୀନ ଭାବେ ଏଠାରୁ ଲଢେଇ କରିବି ବୋଲି ସିଦ୍ଧାର୍ଥ ଘୋଷଣା କରିଛନ୍ତି।

ତେବେ କଂଗ୍ରେସରୁ ନ ଲଢି ସ୍ବାଧୀନରୁ କାହିଁକି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଲୋକେ ଭଲ କହିବେ ନାହିଁ। ଗୋଟିଏ ପୁଅ ବିଜେଡିରେ ଆଉ ଗୋଟେ ପୁଅ କଂଗ୍ରେସରେ, ଏମାନେ କଣ ଏଠି ଖେଳ କରିବେ ? ସେପରି ପ୍ରଶ୍ନ ଜଟଣୀବାସୀଙ୍କ ମନରେ ନ ଉଠିବା ପାଇଁ ମୁଁ ସ୍ବାଧୀନରୁ ପ୍ରାର୍ଥୀ ହେବି ବୋଲି ସିଦ୍ଧାର୍ଥ କହିଛନ୍ତି। ମୋର ଗୋଟିଏ ଲକ୍ଷ୍ୟ ହେବ ସେମାନଙ୍କୁ ହରାଇବା। ସେଥିପାଇଁ ମୁଁ ନିମାପଡା ଛାଡି ଜଟଣୀ ଆସିଲି ବୋଲି ସିଦ୍ଧାର୍ଥ କହିଛନ୍ତି।

କଂଗ୍ରେସ ଉପରେ ସେ କହିଛନ୍ତି ଯେ, ଏହିଦଳ ଆମକୁ ସବୁ କିଛି ଦେଇଛି। ବାପା ସେହି ଦଳରୁ ଆଜି ନେତା ହୋଇଛନ୍ତି। ତାହା ଆମେ କେବେ ଭୁଲିପାରିବୁ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ ମୁଁ କଂଗ୍ରେସରୁ ଲଢେଇ କରିପାରିବି ନାହିଁ। ‘ସରି କଂଗ୍ରେସ’ ବୋଲି କହି ସେ ଦଳକୁ କ୍ଷମା ମାଗିଛନ୍ତି। ଏପରିକି ସେ କଂଗ୍ରେସକୁ ଭଲ ପାଆନ୍ତି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

ତେବେ ସିଦ୍ଧାର୍ଥଙ୍କ ଏପରି ନିଷ୍ପତି ପରେ ଜଟଣୀ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ପୂର୍ବରୁ ସିଦ୍ଧାର୍ଥ ନିମାପଡାରୁ ଲଢେଇ କରିବେ ବୋଲି ଭାବି ସେଠାରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ମତ ପରିବର୍ତ୍ତନ ଯୋଗୁଁ ଖୋଦ ସୁରେଶ ରାଉତରାୟ କଣ କରିବେ ବୋଲି କିଛି ଚିନ୍ତା କରିପାରୁ ନାହାଁନ୍ତି।

 

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଅଡୁଆରେ ଅପରାଜିତା, ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କଲେ ଖୋର୍ଦ୍ଧା କର୍ମି

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ଦଳିୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ ଧସେଇ ପଶିଥିଲେ। ମଞ୍ଚ ଉପକୁ ଚଢିଯାଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିଲେ।

ଏପରିକି ସେଠାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରବର୍ତ୍ତି ସମୟରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କୁ ମଧ୍ୟ କର୍ମିମାନେ ଘେରିଯାଇଥିଲେ। ଉଭୟ ସୋନାଲି ଏବଂ ପ୍ରଶାନ୍ତ ଜଗଦ୍ଦେବ ଉତ୍ୟେକ୍ତ କର୍ମିଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ଉଭୟଙ୍କ ଚାରିପଟେ ଘେରି ରହିଥିଲେ। ଏପରି ପରିସ୍ଥିତି ଦେଖି ସେଠାରେ ରାଜ୍ୟ ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ତୁଙ୍ଗ ନେତା ଥିଲେ ମଧ୍ୟ କେହି ଆସି ନ ଥିଲେ।

ତେବେ ଘଟଣାରୁ ପ୍ରକାଶ ଯେ, ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏକ ସ୍ଥାନରେ ଦଳିୟ ସଭା କରିଥିଲେ। ସେଠାରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଉପସ୍ଥିତ ଥିଲେ। ସେହି ସଭାରେ ଅପରାଜିତା ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରାର୍ଥୀ ହେବେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ କାଳୁ ଖଣ୍ଡାୟତରାୟ କର୍ମି ଉତ୍ୟେକ୍ତ ହୋଇ ଉଠିଥିଲେ।

ସେମାନେ ପ୍ରଥମେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କରିବା ପରେ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ କାଳୁଖଣ୍ଡାୟତ ରାୟ ଲଢେଇ କରିବେ। ମୁଁ ଯେତେବେଳେ ଦଳରେ ସାମିଲି ହେଲି ସେତେବେଳେ କୌଣସି ସର୍ତ୍ତ ରଖି ନାହିଁ। ଦଳରେ ଯୋଗଦେବା ପୂର୍ବରୁ କାଳୁଭାଇଙ୍କ ସହିତ କଥା ହୋଇଥିଲି। ସେ ମୋତେ ଆଣି ଦଳରେ ମିଶାଇଛନ୍ତି। ସେ ନିର୍ବାଚନ ଲଢନ୍ତୁ, ମୁଁ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ଏହି ହାଙ୍ଗାମା ବେଳେ ଖୋଦ କାଳୁ ଖଣ୍ଡାୟତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଦାବୀ କରିଥିଲେ ଯେ, ମୁଁ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧାରେ ସଂଗଠନକୁ ମଜବୁତ କରି ରଖିଛି। ସବୁ ବୁଥରେ କର୍ମି ତିଆରି କରିଛି। ଏତେ ବର୍ଷ ଧରି ପରିଶ୍ରମ କରିବା ପରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହେବେ ବୋଲି କାହିଁକି କୁହାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ବହୁ ବୁଝାବୁଝି ପରେ କାଳୁ ଖଣ୍ଡାୟତରାୟଙ୍କ କର୍ମିମାନେ ଥଣ୍ଡା ପଡିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୂରିୟା ରାଓ

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ସୁରିୟା ରାଓ। ସେ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବରର ଶଙ୍ଖ ଭବନରେ ସେ ଶଙ୍ଖ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇଥିଲେ। ସେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

କେ ସୂରିୟା ରାଓ ପାରଳାଖେମୁଣ୍ଡିରେ ୨୦୧୪ ରେ କଂଗ୍ରେସ ବିଧାୟକ ଥିଲେ। ବିଜେଡିରେ ମିଶିବା ପରେ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆକର୍ଶିତ ହୋଇ ବିଜେଡିରେ ସାମିଲ ହେଲି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିବାର କିଛି ସମୟ ପରେ ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ଶେଷରେ ବିଜେପିରେ ସାମିଲ ହେଲେ ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ବିଜେଡି ଛାଡିବାର କିଛି ସମୟ ପରେ ସେ ରାଜ୍ୟ କାର୍ଯ୍ୟକାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ବିଜେପି ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ଦେବାଶୀଷ ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରିୟଦର୍ଶୀ କହିଛନ୍ତି ଯେ, ବିଜେଡିରେ ମୋତେ କୌଣସି ଦାୟିତ୍ବ ଦିଆଗଲା ନାହିଁ। ଦଳ ପ୍ରତିଷ୍ଠା ଦିନରୁ ମୁଁ ଛାତ୍ର ନେତା ଭାବେ ସେଠାରେ ଉପସ୍ଥିତ ଥିଲି। ହେଲେ ଦଳର ପ୍ରତିଷ୍ଠା ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ଧିରେଧିରେ ଦଳରୁ ବାଦ ଦିଆଯାଉଛି। ସେମାନଙ୍କର କୌଣସି ସ୍ଥିତି ବିଜେଡିରେ ନାହିଁ। ସେଥିପାଇଁ ମୁଁ ବିଜେଡି ଛାଡିଲି ବୋଲି ସେ କହିଛନ୍ତି। ପ୍ରିୟଦର୍ଶୀ ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜୁଆଁଇ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବାର ଜଣାପଡିଛି। ଅନୁଭବ ମହାନ୍ତି ବହୁ ଦିନ ଧରି ବିଜେଡିରୁ କଣଠୋସା ହୋଇ ରହିଥିଲେ। ମୁଖ୍ୟତଃ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଛେଦ ନେଇ ସେ ବିବାଦରେ ଥିଲେ। ଫଳରେ ଦଳ ତାଙ୍କୁ କୌଣସି କାର୍ଯ୍ୟରେ ଲୋଡି ନ ଥିବାର ଜଣାପଡିଛି।

ଅନୁଭବ ମହାନ୍ତି ପ୍ରଥମେ ରାଜ୍ୟସଭା ସଦସ୍ୟ ଭାବେ ଦଳ ତାଙ୍କୁ ମନୋନିତ କରିଥିଲା। ଏହାପରେ ତାଙ୍କୁ ଦଳ ଗତ 2019 ନିର୍ବାଚନରେ କେନ୍ଦ୍ରାପଡାରୁ ଲଢେଇ କରିବା ପାଇଁ ପଠାଇଥିଲା। ସେତେବେଳେ ସେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ବହୁ ଭୋଟରେ ହରାଇଥିଲେ। ବର୍ତ୍ତମାନ ସେ ବିଜେଡି ଛାଡିବା ପରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିଲେ ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ମୁଖ୍ୟତଃ ଦଳରେ କ୍ରମାଗତ ଅବହେଳା ଏବଂ କୌଣସି ଦାୟିତ୍ବ ଦେଉ ନ ଥିବାରୁ ସେ ଦଳ ଛାଡିଥିବା କହିଛନ୍ତି।

ପ୍ରିୟଦର୍ଶୀ ୨୦୧୪ରୁ ୨୦୧୯ ଯାଏ ଉତ୍ତର ଭୁବନେଶ୍ବରର ବିଧାୟକ ଥିଲେ। ହେଲେ ଦଳ ୨୦୧୯ ରେ ତାଙ୍କୁ ଟିକେଟ ନ ଦେଇ ସୁଶାନ୍ତ ରାଉତଙ୍କୁ ଦେଇଥିଲା। ସୁଶାନ୍ତ ସେଠାରୁ ବିଜୟୀ ମଧ୍ୟ ହୋଇଛନ୍ତି। ଏଥର ପ୍ରିୟଦର୍ଶୀ ଭୁବନେଶ୍ବର ଉତ୍ତରରୁ ଟିକେଟ ପାଇବେ ବୋଲି ବହୁ ଆଶା କରିଥିଲେ। ହେଲେ ସେ ନିରାଶ ହେବାର ଅନୁଭବ କରିବା ପରେ ଦଳ ଛାଡିଛନ୍ତି। ତେବେ ସେ ଖୁବ ଶିଘ୍ର ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।

ପ୍ରିୟଦର୍ଶୀ ମିଶ୍ର ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜାମାତା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ଭିନ୍ନ ନିୟମ, ଆଶାୟୀ ପ୍ରାର୍ଥୀମାନେ ଦେବେ ୫୦ ହଜାର ଟଙ୍କାର ଚେକ୍

ଭୁବନେଶ୍ବର: ଟିକେଟ ଆଶାୟୀଙ୍କ ପାଇଁ ପ୍ରଦେଶ କଂଗ୍ରେସ ଏକ ଅଦଭୁତ ନିୟମ ଜାରୀ କରିଛି। ତାହା ହେଲା ଯେଉଁମାନେ ଆଶାୟୀ ପ୍ରାର୍ଥୀ ସେମାନେ ପ୍ରଥମେ ୫୦ ହଜାର ଟଙ୍କାର ଚେକ କଂଗ୍ରେସ ନାମରେ ଦାଖଲ କରିବେ। ଏହାପରେ ସେମାନଙ୍କ ନାମ ବିଚାରକୁ ନିଆଯିବ। ଯଦି କୌଣସି କାରଣରୁ ଟିକେଟ ନ ମିଳିଲା ତେବେ ସେହି ଚେକ ତାଙ୍କୁ ଫେରାଇ ଦିଆଯିବ।

ଏପରି ନିୟମ କରିବା ପଛରେ କାରଣ ହେଉଛି ଯେ, ଅନେକ ଟିକେଟ ନ ପାଇ ଅନ୍ୟଦଳକୁ ଚାଲିଯାଉଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ କରାଯାଇଛି। ଏହା କେବଳ ଓଡିଶା ପାଇଁ ନୁହେଁ, ସାରା ଦେଶରେ ଏପରି ନିୟମ କଂଗ୍ରେସ ଜାରୀ କରିଛି। ଏହାଦ୍ବାରା ନେତାମାନେ ଦଳ ଡିଆଁ କରିପାରିବେ ନାହିଁ ବୋଲି ଦଳ ଆଶା କରିଛି।

ଗତକାଲି ପୁରୀର ଏକ ହୋଟେଲରେ ମାରଥନ ବୈଠକ କରାଯାଇଥିଲା। ଏଥିରେ ଦଳର ପ୍ରଗମନ ମାଧ୍ୟମରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ବାଓଡାଟା ତଦାରଖ କରିବା ପରେ ବହୁ ଆଶାୟୀଙ୍କୁ ପୁରୀ ଡକାଯାଇଥିଲା। ସେଠାରେ ସେମାନଙ୍କୁ ଦଳର ଆଭିମୁଖ୍ୟ ତଥା ଜିତିବାର ମନ୍ତ୍ର ଫୁଙ୍କା ଯାଇଥିଲା। ଏଥିରେ ଏଆଇସିସିରୁ ଆସିଥିବା ପ୍ରତିନିଧି ମଣ୍ଡଳି ମଧ୍ୟ ସାମିଲ ହୋଇଥିଲେ।

ଏହି ବୈଠକରେ ଗତକାଲି ଓଡିଶାର ସମସ୍ତ ଆସନର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇସାରିଛି। ସେ ସବୁ ତାଲିକା କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟ ଆଗରେ ଉପସ୍ଥାପିତ କରାଯିବ। ସେମାନେ ଶେଷ ସ୍ପର୍ଶ ଦେବା ପରେ ତାହା ଘୋଷଣା କରାଯିବ। ଖବର ଅନୁସାରେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ସାଂସଦ ଓ ବିଧାୟକ ଧନେଶ୍ୱର ମାଝୀ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥର ବିଧାୟକ ଥିବା ଶ୍ରୀ ଧନେଶ୍ୱର ମାଝୀ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଷଷ୍ଠ ପାଳିରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ, ନିର୍ବାଚନ ପାଇଁ ବସିଲା ବିଜୁ ଯୁବ ଜନତା ବୈଠକ

ଭୁବନେଶ୍ୱର: ଓଡ଼ିଶାର ଯୁବବର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଶାସନରେ ସ୍ୱତନ୍ତ୍ର ଯୁବ ବଜେଟ ଆସିବ। ନବୀନଙ୍କ ଷଷ୍ଠ ପାଳିରେ ଏହା ପ୍ରଥମ ଦିଗ ରହିଛି ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳ।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି ଯେ ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି । ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି ୨୦ରୁ ୨୫% ରହିଛି। ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିଗ ଦର୍ଶନ ଦେଇଛନ୍ତି।

ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି, ଜୋନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବକ ହେଉଛନ୍ତି ରାଜ୍ୟ ଗଠନର ସୂତ୍ରଧର। ରାଜ୍ୟର ଯୁବଗୋଷ୍ଠୀ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଓ ଚିନ୍ତାଶୀଳ ଅଟନ୍ତି। ସେଥିପାଇଁ ଓଡ଼ିଶାର ଯୁବବର୍ଗ ନବୀନ ବାବୁଙ୍କୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ବୋଲି ବ୍ୟୋମକେଶ କହିଛନ୍ତି।

ଏହି ବୈଠକରେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବିରୋଧୀଙ୍କ ଅପପ୍ରଚାରକୁ ସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବ ଜନତା ଦଳର ଲଢ଼େଇ ଦୁର୍ବାର ରହିବ। ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଓ ମାଟି ପଛ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି ଓଡ଼ିଆଙ୍କ ବିକାଶ ସଦାସର୍ବଦା ଆଗରେ ରହିଛି।
ନିଜ ବକ୍ତବ୍ୟରେ ସାଧାରଣ ସମ୍ପାଦକ (ଛାତ୍ର ଯୁବ ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ, ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବା ସହିତ ବିଜୁ ଜନତା ଦଳ ରେକର୍ଡ଼ ସଂଖ୍ୟକ ଆସନ ଅକ୍ତିଆର କରି ଓଡ଼ିଶା ରାଜନୀତିରେ ଇତିହାସ ରଚିବ।

ଶେଷରେ ବିଜୁ ଯୁବ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଆଜିର କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁ ମଙ୍ଗରାଜ, ଉପସଭାପତି ସୋଫିଆ ଆଲାମ, ସାଧାରଣ ସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, କୁଆଡେ ଯିବେ ?

ଭୁବନେଶ୍ବର: ଶେଷରେ ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଆଜି ନୀଳଗିରିରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା ଦେବାର କାରଣ କଣ ତାହା କହି ନାହାଁନ୍ତି। ହେଲେ ଏହାର କାରଣ ପରେ କହିବି ବୋଲି ଶ୍ରୀ ନାୟକ କହିଛନ୍ତି।

ଶ୍ରୀ ନାୟକ ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଦେବାରୁ ଅସନ୍ତୁଷ୍ଟ ହୋଇ  ବିଜେପିରେ ସାମିଲ ହୋଇଥିଲେ। ସେ ବିଜେପି ଟିକେଟରେ ବିଧାୟକ ଭାବେ ଲଢି ନିର୍ବାଚନ ଜିତିଥିଲେ। ତେବେ ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡିକୁ ଫେରିବା ନେଇ ଏବେ ଚର୍ଚ୍ଚା ହୋଇଛି । ସେପଟେ ବିଜେଡି ନୀଳଗିରି ପାର୍ଥୀ ଘୋଷଣା କରିନଥିବା ବେଳେ ସୁକାନ୍ତଙ୍କ ଇସ୍ତଫା ସମସ୍ତଙ୍କ ସନ୍ଦେହ ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ଜନସମାଗମ ଭିତରେ ମା ସମଲେଇଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କଲେ ବବି ଦାସ

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି।

ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ ଆଜି ସମ୍ବଲପୁର ମୋର ଘରପରି ମନେହେଉଛି।ସମ୍ବଲପୁରରେ ପ୍ରଣବଙ୍କୁ ଯେପରି ସ୍ବାଗତ କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ସମ୍ବଲପୁରରେ ବର୍ତ୍ତମାନ ବିଗ ଫାଇଟ ହେବ। ଏଠାରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଦୁଇ ପ୍ରମୁଖ ଦଳର ଦୁଇ ସିଂହ ମୁହାଁମୁହିଁ ଲଢେଇ କରିବେ। ଯାହା ଓଡିଶା ରାଜନୀତିରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ। ସେ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଭାପତି ଥିଲେ। ଗତକାଲି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଆଜି ସେ ଶଙ୍ଖ ଭବନରେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ସସ୍ମିତ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ଭୋଇଙ୍କ ସହିତ ସେହି ଅଞ୍ଚଳର ବହୁ କର୍ମି ଓ ସରପଞ୍ଚ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।

ଶ୍ରୀ ଭୋଇ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିଲା ବିଜେପିର ଟିକେଟ କସରତ,ପୁଣି ସକାଳୁ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଓଡିଶା ବିଜେପି ଟିକେଟ କସରତ ଚାଲିଥିଲା। ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟ ଓଡିଶାରୁ ଯାଇଥିବା ବିଧାନସଭା ଓ ଲୋକସଭା ତାଲିକା ଉପରେ ସମୀକ୍ଷା ଚାଲିଥିଲା। ହେଲେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିପାରି ନ ଥିଲା। ଫଳରେ ତାହା ଘୋଷଣା ହୋଇପାରି ନାହିଁ।

ଏହାପରେ ଆଜି ସକାଳୁ ମଧ୍ୟ ଏହି ଟିକେଟ ଘୋଷଣା ନେଇ ଏକ ବୈଠକ ବସିଛି। ଏଥିରେ ମଧ୍ୟ ସେହି ପ୍ରାର୍ଥୀଙ୍କୁ ନେଇ ତର୍ଜମା ଚାଲିଛି। ଯେତେଦୂର ସମ୍ଭବ ଆଜି ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଆସିପାରେ। ବିଜେପି ବର୍ତ୍ତମାନ ତିନୋଟି ଲୋକସଭା ଛାଡି ଅନ୍ୟ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ କୌଣସି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବ। ଏ ନେଇ ବିଜେଡି ଆଶାୟୀଙ୍କ ଛାତିରେ ଛନକା ପଶିଗଲାଣି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଦୁଇଟି ପର୍ଯ୍ୟାୟରେ ମୋଟ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି।

ବର୍ତ୍ତମାନ ବିଜେଡିର ଆଉ 75 ଟି ବିଧାନସଭା ଏବଂ 6 ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଲା। ଏହି ଆସନ ପାଇଁ ଦଳ ତରଫରୁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଦିନରାତି କସରତ କରିବାରେ ଲାଗିଛନ୍ତି। ଯଦି କାହାକୁ ନବୀନ ନିବାସରୁ ଡକରା ଆସୁଛି ତେବେ ବିରୋଧୀ ଗୋଷ୍ଠି ବିରୋଧ ଆରମ୍ଭ କରିଦେଉଛନ୍ତି। ଫଳରେ ସେମାନଙ୍କୁ ମ୍ୟାନେଜ କରିବା ଦଳ ପାଇଁ କଷ୍ଟକର ହୋଇପଡୁଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ କଣ ଭର୍ତ୍ତୁହରି ଓ ସିଦ୍ଧାନ୍ତ ନିଜର ପତିୟାରା ଦେଖାଇପାରିବେ ?

ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ।

ଗତକାଲି ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ସାଂସଦ ଭର୍ତ୍ତୁହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର। ତା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ଅରବିନ୍ଦ ଢାଲି ଏବଂ ଦେବାଶିଷ ନାୟକ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି। ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ଦୁଇଥର ଏବଂ ଭର୍ତ୍ତୁହରି ମହତାବ ସେହି ବିଜେଡି ବ୍ରାଣ୍ଡରେ ଛଅ ଥର ସାଂସଦ ହୋଇଛନ୍ତି।

ତେବେ ଗତ 2019 ନିର୍ବାଚନ ପୂର୍ବରୁ ମଧ୍ୟ ଏହିପରି ଘଟଣା ପରିଲକ୍ଷିତ ହୋଇଥିଲା। ସେତେବେଳେ ବିଜେଡିର ଦୁଇ ଟାଣୁଆ ନେତା ରଘୁନାଥ ମହାନ୍ତି ଓ ଦାମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ସମୟ ଚକ୍ରରେ ଉଭୟଙ୍କୁ ମଧ୍ୟ ବିଜେଡି ଦଳରୁ ବହିସ୍କାର କରିଥିଲା। ଆଉ ଉଭୟ ସେତେବେଳେ ବିଜେପିରେ ସାମିଲ ହୋଇଥିଲେ।

ଦାମୋଦର ରାଉତଙ୍କୁ ବିଜେପି ଦଳର ପ୍ରଚାର କମିଟର ଅଧ୍ୟକ୍ଷ କରିଥିଲା। ସେତିକି ନୁହେଁ ନିର୍ବାଚନରେ ଲଢେଇ କରିବା ପାଇଁ ବାଲିକୂଦା ଏରସମାରୁ ବିଜେପି ଟିକେଟ ମଧ୍ୟ ଦେଇଥିଲା। ହେଲେ ଦାମୋଦର ଜିତିବା ଦୂରେ ଥାଉ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ସେଠାରେ ରଘୁନନ୍ଦନ ଦାସ ଜିତିଥିବା ବେଳେ ଦ୍ବିତୀୟରେ ଥିଲେ କଂଗ୍ରେସ ପ୍ରାର୍ଥୀ।

ନିଜର ପତିୟାରା ଏବଂ ସାତଥର ବିଧାୟକ ସହ ବହୁବାର ମନ୍ତ୍ରୀ ଥାଇ ମଧ୍ୟ ବିଜେଡି ଛାଡିବା ପରେ ତାଙ୍କର ସ୍ଥିତି ସାଂଘାତିକ ହୋଇଗଲା। ଅନ୍ୟପଟେ ହାରିବା ପରେ ବିଜେପି ତାଙ୍କୁ କଣଠୋସା କରିଦେଲା। ପରିସ୍ଥିତି ଏପରି ହେଲା ଯେ, ସେ ପରବର୍ତ୍ତି ସମୟରେ ବିଜେପିରୁ ଇସ୍ତଫା ମଧ୍ୟ ଦେବାକୁ ବାଧ୍ୟ ହୋଇଥିଲେ। ତେବେ ବିଜେଡି ଦାମୋଦରଙ୍କ ମୃତ୍ୟୁ ପୂର୍ବରୁ ନିଲମ୍ବନ ହଟାଇ ଦେଇଥିଲା।

ସେହିପରି ରଘୁନାଥ ମହାନ୍ତିଙ୍କ ଏକଦା ବିଜେଡିରେ ଥିଲେ ଅନ୍ୟତମ ପତିୟାରା ଥିବା ନେତା। ଏକାଥରେ ସେ ଥିଲେ ବହୁ ବିଭାଗର ମନ୍ତ୍ରୀ। ତାଙ୍କ ଉପରେ ନବୀନଙ୍କ ଭରସା ବେଶ ଭଲଥିଲା। ହେଲେ ପୁଅ ବୋହୂଙ୍କ ବିବାଦ ନେଇ ଛନ୍ଦି ହୋଇଗଲେ ରଘୁନାଥ। ଶେଷରେ ଜେଲ ଯିବାକୁ ମଧ୍ୟ ପଡିଲା। ରଘୁଙ୍କୁ ବିଜେଡି ବହିସ୍କାର କଲା। ସେ ମଧ୍ୟ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ବସ୍ତାରୁ ଗତ ନିର୍ବାଚନରେ ଲଢେଇ କରିଥିଲେ। ତାଙ୍କ ଅବସ୍ଥା ମଧ୍ୟ ସେଇଆ। ଜିତିବା ଦୂରେ ଥାଉ ତୃତୀୟ ସ୍ଥାନକୁ ଖସି ଆସିଥିଲେ ରଘୁନାଥ।

ଉଭୟ ନେତାଙ୍କର ତାଙ୍କ ନିର୍ବାଚନ ମଣ୍ଡଳିରେ ରହିଥିଲା ବେଶ ଦବଦବା। ହେଲେ ସେମାନଙ୍କୁ ଯେଉଁଦିନ ବିଜେଡି ଦୂରେଇ ଦେଲା, ସେହିଦିନ ଲୋକସବୁ ତାଙ୍କଠାରୁ ଦୂରେଇ ଗଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ବିଜେଡି ବିନା ଏମାନଙ୍କର ସ୍ଥିତି ନାହିଁ। ସେମାନେ ଯେତେ ବଡ ବଡ ଦଳରେ ଯୋଗ ଦିଅନ୍ତୁ ପଛେ ନବୀନଙ୍କ ବିନା ଏମାନେ ତିଷ୍ଠିବା ଅସମ୍ଭବ।

ବର୍ତ୍ତମାନ ସେମିତି ବିଜେଡିର ଦୁଇ ନେତା ଭର୍ତ୍ତୁହରି ଏବଂ ସିଦ୍ଧାନ୍ତ ମହାପାତ୍ର ବିଜେଡି ବ୍ରାଣ୍ଡରେ ନେତା ହୋଇ ସାଂସଦ ହୋଇଥିଲେ। ବର୍ତ୍ତମାନ ସେମାନେ ବିନା ବିଜେଡିରେ କିପରି ନିଜର ରାଜନୈତିକ କ୍ୟାରିରୟରକୁ ଆଗକୁ ନେବେ ତାହା ସନ୍ଦେହ ଘେରରେ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କ ବିରୋଧରେ ବିଜେପି କଲା ଅଭିଯୋଗ, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପି ତରଫରୁ ଏକ ପ୍ରତିନିଧୀ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେଡି ତାହାକୁ ଉଲ୍ଲଘଂନ କରୁଛି ବୋଲି କରାଯାଇଛି ଅଭିଯୋଗ। ଏଥିରେ ରାଜ୍ୟ ସରକାର ଏସଏଚଜି ଗ୍ରୁପ ମହିଳାମାନଙ୍କୁ ବିଦେଶ ଭ୍ରମଣରେ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏଥିସହିତ କେତେକ ସ୍ଥାନରେ ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ବଦଳି କରାଯାଇ ନାହିଁ। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ଦାବୀ କରିଛି। ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀଙ୍କ ନାମ ସେମାନେ ଲିଖିତ ଆକାରରେ ଦେଇଛନ୍ତି। ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରଞ୍ଜନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ।

ସେହିପରି ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତିର ବ୍ଲକ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ବିଜେପି ଦାବୀ କରିଛି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଓ ବିଜେଡିର ୱାର ରୁମ ମୁହାଁମୁହିଁ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ସାମ୍ପ୍ରତିକ ଘଟଣାକ୍ରମ ମୋଡ଼ରେ ଖୁବ୍ ଶୀଘ୍ର ୨୦୨୪ ନିର୍ବାଚନ ଯୁଦ୍ଧ କ୍ଷେତ୍ରଭଳି ଲଢ଼ାଯିବ ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ ୱାର୍ ରୁମ୍‍ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛନ୍ତି। ବିଜେପି ଓ ବିଜେଡି ଅଲଗା ଅଲଗା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ଉଭୟ ଦଳ ଏବେ ନିଜର ଶକ୍ତିକୁ ଜୋରଦାର କରିଛନ୍ତି।

ଉଭୟ ଦଳ ଏବେ ବିଭିନ୍ନ ସୂତ୍ରରୁ ସର୍ଭେ ରିପୋର୍ଟ ଓ ମତାମତ ନେଇ ବିଜୟୀ ପ୍ରାର୍ଥୀ ଚୟନ ଓ ପ୍ରଚାର ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସରକାରୀ ବାସଭବନ, ନବୀନ ନିବାସ ଓ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ବିଜେଡିର ୱାର ରୁମ କାର୍ଯ୍ୟକ୍ଷମ ହୋଇସାରିଛି।

ବିଜେଡିର ୱାର ରୁମ୍

୨୦୨୪ ନିର୍ବାଚନର କେନ୍ଦ୍ରବିନ୍ଦୁ ହେଉଛି ନବୀନ ନିବାସ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ପ୍ରତିଦିନ ଦଳର ଶୀର୍ଷ ନେତାଙ୍କ ସହ ବିଚାର ବିମର୍ଶ କରୁଛନ୍ତି। ପ୍ରତ୍ୟେକ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ସେମାନଙ୍କ ଭିତରେ ଥିବା ସାତଟି ବିଧାନସଭା କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଶ୍ରୀ ପଟ୍ଟନାୟକ କମାଣ୍ଡର-ଇନ୍-ଚିଫ୍ ହୋଇଥିବା ବେଳେ ତାଙ୍କ ବିଶ୍ୱସ୍ତ ସହଯୋଗୀ କାର୍ତ୍ତିକ ପାଣ୍ଡିଆନ ଦଳର ପ୍ରମୁଖ ନେତାଙ୍କ ସହ ଆଲୋଚନା କରି ଅଞ୍ଚଳଭିତ୍ତିକ ଯୁଦ୍ଧ ଯୋଜନା ପ୍ରସ୍ତୁତ କରୁଛନ୍ତି।

ୱାର ରୁମ୍‍ର ନିର୍ଦ୍ଦେଶନାମାରେ ସୋସିଆଲ ମିଡିଆ ଜରିଆରେ ପ୍ରଭାବଶାଳୀ ବାର୍ତ୍ତା ଉପରେ ବିଶେଷ ଧ୍ୟାନ ଦେବା ସହ ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନଗୁଡ଼ିକ କ’ଣ ଉପଯୁକ୍ତ ରଣନୀତି ଅବଲମ୍ବନ କରିବେ ସେ ନେଇ ଉଲ୍ଲେଖ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ବ୍ୟତୀତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ‘ବବି’ ଦାସ ପ୍ରତ୍ୟେକ ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ବିଧାନସଭା କ୍ଷେତ୍ରର ନେତାଙ୍କ ସହ ସମସ୍ତ ବୈଠକରେ ଉପସ୍ଥିତ ରହୁଛନ୍ତି।

ନିର୍ଦ୍ଦିଷ୍ଟ ସଂସଦୀୟ ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ବୈଠକରେ ସମ୍ପୃକ୍ତ ସାଂସଦ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ, ନିର୍ବାଚନମଣ୍ଡଳୀର ସମସ୍ତ ବିଧାୟକ, ଦଳୀୟ ପର୍ଯ୍ୟବେକ୍ଷକ ଏବଂ ସାଂଗଠନିକ ନେତାମାନେ ଯୋଗଦେଦେଉଛନ୍ତି। ଉଭୟ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକାକୁ ଆନୁଷ୍ଠାନିକଭାବେ ଅପେକ୍ଷା କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ଆଲୋଚନା କରି ନିର୍ଦ୍ଧାରିତ ନିର୍ବାଚନମଣ୍ଡଳୀରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଉଛନ୍ତି।

ସମ୍ଭାବ୍ୟ ପ୍ରାର୍ଥୀ ଓ ସେମାନଙ୍କ ବିଜୟ ସମ୍ଭାବନାକୁ ନେଇ ନବୀନ ନିବାସରେ ଥିବା ୱାର ରୁମକୁ ସର୍ଭେ ରିପୋର୍ଟ ମିଳିଛି। ଅପରପକ୍ଷରେ ଦଳୀୟ ମୁଖ୍ୟାଳୟରେ ଥିବା ୱାର୍ ରୁମରେ ଦଳର ସୋସିଆଲ ମିଡିଆ ଟିମ୍, ମିଡିଆ ବ୍ରିଫିଂ ଟିମ୍ ଓ ନ୍ୟୁଜ୍ ମନିଟରିଂ ସେଲ୍ ରହିଛି। ଅପରେସନ କ୍ଷେତ୍ରରେ ଶଙ୍ଖ ଭବନ ୱାର୍ ରୁମ ବିଜେପି ଓ କଂଗ୍ରେସର ଅଭିଯୋଗର ଜବାବ ଦେବା ସହ ସେମାନଙ୍କ ସୋସିଆଲ ମିଡିଆ କାର୍ଯ୍ୟକଳାପ ଏବଂ ପ୍ରମୁଖ ବିରୋଧୀଙ୍କ ରାଜନୈତିକ ବୟାନ ଉପରେ ନଜର ରଖିଛି।

ବିଜେପି ୱାର ରୁମ

ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟରେ ମଧ୍ୟ ବିଜେପି ୱାର ରୁମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଯେହେତୁ ବିଜେପି ଏକ ଜାତୀୟ ଦଳ, ତେଣୁ ଏହାର ଅଧିକାଂଶ ସର୍ଭେ ପ୍ରାର୍ଥୀ ଏବଂ ବିଜୟ ସମ୍ଭାବନା ଉପରେ କେନ୍ଦ୍ରୀୟ ୟୁନିଟ୍ ଦ୍ୱାରା କରାଯାଇଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟ ନିର୍ବାଚନ କମିଟିର ସୁପାରିସକୁ ବିଚାର କରି ପ୍ରାର୍ଥୀ ଚୟନ କରିଛି।
ନିର୍ବାଚନ ପୂର୍ବରୁ ହୋଇଥିବା ମେଣ୍ଟ ଆଲୋଚନା ବିଫଳ ହେବା ପରେ ବିଜେପି ୧୮ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ସମୟ ହରାଇନଥିଲା। ଓଡ଼ିଶାରେ ୨୧ଟି ଲୋକସଭା ଆସନ ରହିଛି। ୨୦୦୪ ପରଠାରୁ ଏକକାଳୀନ ନିର୍ବାଚନ ଦର୍ଶାଉଛି ଯେ ବିଧାନସଭା ଫଳାଫଳ ଲୋକସଭା ଫଳାଫଳ ସହ ସମାନ-୨୦୧୯ ଏକ ବ୍ୟତିକ୍ରମ ଥିଲା ଯେତେବେଳେ ବିଜେପି ମାତ୍ର ୧୬ ପ୍ରତିଶତ ବିଧାନସଭା ଆସନ ଜିତିଥିଲା କିନ୍ତୁ ଲୋକସଭାର ୩୮ ପ୍ରତିଶତ ଆସନ ଜିତିଥିଲା।

ବିଧାନସଭା ନିର୍ବାଚନ ଅପେକ୍ଷା ଲୋକସଭା ନିର୍ବାଚନରେ ‘ମୋଦି ମ୍ୟାଜିକ୍’ର ପ୍ରଭାବ ବିଜେପି ନେତାମାନେ ଅଧିକ ଦେଖିଛନ୍ତି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଭଳି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ବିଜେପି ୮୬ ପ୍ରତିଶତ ଲୋକସଭା ପ୍ରାର୍ଥୀ ଘୋଷଣା କରି ଏବେ ବିଧାୟକ ପ୍ରାର୍ଥୀଙ୍କ ଉପରେ ଫୋକସ କରୁଥିବାବେଳେ ବିଜେଡି ଉଭୟଙ୍କ ମିଳିତ ବୈଠକରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଚୟନ କରୁଛି। ମେଣ୍ଟ ଆଲୋଚନା ବିଫଳ ହେବା ପରେ ଉଭୟ ଦଳ ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ବିଜେପିର ସୋସିଆଲ ମିଡିଆ ଅଭିଯାନରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ‘ଏକାକି ଲଢ଼ିବୁ, ସରକାର ଗଢ଼ିବୁ’ ଭଳି ବାର୍ତ୍ତା ରହିଛି।

ଓଡ଼ିଶାରେ ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଏପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ନ ଥିଲେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଦୌଡ଼ ଜୋର ଧରିଛି। ବିଜେପି ମୁଖ୍ୟତଃ ‘ମୋଦି ଗ୍ୟାରେଣ୍ଟି’ ଉପରେ ଫୋକସ୍ କରୁଛି। ଏହାବ୍ୟତୀତ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ତ୍ରୁଟି ଥିବା ଦର୍ଶାଇ ବିଜେପିର ସୋସିଆଲ ମିଡିଆ ଟିମ୍ ଏବେ ଭିଡିଓ ଓ ଖବରକାଗଜ କ୍ଲିପିଂ ପୋଷ୍ଟ କରୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବ।

ସେହିପରି ବିଜେଡି ପ୍ରଚାରରେ ନବୀନ ପଟ୍ଟନାୟକଙ୍କ ଫଟୋ ଓ ବାର୍ତ୍ତା ରହିଛି: ଜୁନ୍ ୪, ମଙ୍ଗଳବାର, ଓଡ଼ିଶାର ଷଷ୍ଠଥର ନବୀନ ସରକାର। ଅପରପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ମନ୍ଦିର ପ୍ରକଳ୍ପ, ଓଡ଼ିଶାର ଦେଶର କ୍ରୀଡ଼ା ହବ୍ ଭାବେ ଉଭା ହେବା, ରାଜ୍ୟକୁ ଆସୁଥିବା ଶିଳ୍ପ ପୁଞ୍ଜିନିବେଶ, ସରକାରୀ ବିଦ୍ୟାଳୟ ଓ ଧାର୍ମିକ ସ୍ଥଳର ପରିବର୍ତନ ଆଦି ନବୀନ ପଟ୍ଟନାୟକ ସରକାରଙ୍କ ବଡ଼ ସଫଳତା ସମ୍ପର୍କରେ ବିଜେଡି ଭିଡିଓ ପୋଷ୍ଟ କରୁଛି। ଏବଂ ମହିଳା ଏବଂ ଛାତ୍ର ଯାତ୍ରୀମାନଙ୍କୁ ରିହାତି ପ୍ରଦାନ କରୁଥିବା ସମସ୍ତ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ।

ଇତିହାସ ଏବଂ ରାଜନୀତିକ ଧାରା

ଆଗାମୀ ନିର୍ବାଚନରେ ୨୦୦୯ ପରେ ଚତୁର୍ଥ ଥର ପାଇଁ ଉଭୟ ଦଳ ପ୍ରତିଦ୍ୱନ୍ଦ୍ୱୀତାକୁ ଯାଉଥିବାବେଳେ ବିଧାନସଭା ନିର୍ବାଚନରେ ବିଜେପି କୌଣସି ବିଶେଷ ଅଗ୍ରଗତି କରିନାହିଁ। ୨୦୧୯ରେ ମୋଦିଙ୍କ କରିସ୍ମା ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ୬ ପ୍ରତିଶତ ଅଧିକ ଭୋଟ୍ ଦେଇଥିଲା, ଲୋକସଭା ଆସନରୁ ୩୮ ପ୍ରତିଶତ ଜିତିଥିଲେ ମଧ୍ୟ ମାତ୍ର ୧୬ ପ୍ରତିଶତ ବିଧାନସଭା ଆସନ ଜିତିବାରେ ସଫଳ ହୋଇଥିଲେ। ୨୦୧୪ ଓ ୨୦୧୯ ପରେ କ୍ରମାଗତ ତୃତୀୟ ଥର ପାଇଁ ହେବାକୁ ଥିବା ମୋଦି ପ୍ରଭାବର ଫାଇଦା ରାଜ୍ୟ ବିଜେପି ନେତାମାନେ ଉଠାଇପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଯଦିଓ ନିର୍ବାଚନ ପୂର୍ବରୁ ମେଣ୍ଟ ଆଲୋଚନା ସଫଳ ହୋଇନଥିଲା, ଏହାର ଅର୍ଥ ନୁହେଁ ଯେ ନିର୍ବାଚନ ପରବର୍ତ୍ତୀ ବୁଝାମଣା ହୋଇପାରିବ ନାହିଁ। ତେଣୁ ବର୍ତ୍ତମାନ ପାଇଁ ମେଣ୍ଟ ସମ୍ଭାବନା ଶୀତଳ ଭଣ୍ଡାରରେ ରହିଛି ଏବଂ ନିର୍ବାଚନ ପରବର୍ତ୍ତୀ ଆବଶ୍ୟକତା ଉପରେ ନିର୍ଭର କରି ମେଣ୍ଟକୁ ନୂଆ ଜୀବନ ମିଳିପାରେ ବୋଲି କହିବା ଠିକ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆକ୍ରମଣାତ୍ମକ ପ୍ରଚାର ସହ ନିର୍ବାଚନ ଲଢ଼ିବା ଏବଂ ପରେ ବିନା ତିକ୍ତତାରେ ରାଜ୍ୟ ଓ ଦେଶର ବିକାଶ ପାଇଁ ହାତ ମିଳାଇବାର ଅନନ୍ୟ ରେକର୍ଡ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ

ବାଣପୁର ( ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ ନିର୍ବାଚନୀ ବୁଥ ପରିଦର୍ଶନ କରି ବ୍ୟବସ୍ଥା ପରଖିଥିଲେ। ଜିଲ୍ଲାପାଳ ପୂର୍ବାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବିରିବାଡ଼ି, ହରିପୁର, ଛୋଟରାୟପୁର, ବଡ଼କୁଳ, ପରବଳ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁର ଓ କେକେ ନୂଆଗାଁ ବୁଥ ପରିଦର୍ଶନ କରିଥିଲେ।

ପରବର୍ତ୍ତୀ ସମୟରେ ବାଣପୁର ବ୍ଲକ ଯାଇ ସେଠାର ନରେନ୍ଦ୍ରପୁର, କୋଳଥଡିହ ଏବଂ ନଛିପୁର ବୁଥ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ ଜିଲ୍ଲାପାଳ। ତେବେ ବୁଥ ଗୁଡିକ ମଧ୍ୟରେ ଅତ୍ୟାବଶକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ, ପାନୀୟ ଜଳ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଗମନାଗମନ ବ୍ୟବସ୍ଥା , ପରିମଳ ବ୍ୟବସ୍ଥା ଆଦି ପରଖିଥିଲେ ଜିଲ୍ଲାପାଳ।

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ବୁଥ ନିକଟରେ ଥିବା ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ତଥା ନିର୍ବାଚନ ନୋଡାଲ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଚିଲିକା ବିଡ଼ିଓ ହଳଧର ଶବର, ତହସିଲଦାର ଚକ୍ରଧର ପାଢ଼ୀ,ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ଏବଂ ତହସିଲଦାର ଟି. ପଦ୍ମନାଭ ଦୋରା ଆଦି ଉପସ୍ଥିତ ଥିଲେ।