Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ

ବାଣପୁର ( ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ ନିର୍ବାଚନୀ ବୁଥ ପରିଦର୍ଶନ କରି ବ୍ୟବସ୍ଥା ପରଖିଥିଲେ। ଜିଲ୍ଲାପାଳ ପୂର୍ବାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବିରିବାଡ଼ି, ହରିପୁର, ଛୋଟରାୟପୁର, ବଡ଼କୁଳ, ପରବଳ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁର ଓ କେକେ ନୂଆଗାଁ ବୁଥ ପରିଦର୍ଶନ କରିଥିଲେ।

ପରବର୍ତ୍ତୀ ସମୟରେ ବାଣପୁର ବ୍ଲକ ଯାଇ ସେଠାର ନରେନ୍ଦ୍ରପୁର, କୋଳଥଡିହ ଏବଂ ନଛିପୁର ବୁଥ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ ଜିଲ୍ଲାପାଳ। ତେବେ ବୁଥ ଗୁଡିକ ମଧ୍ୟରେ ଅତ୍ୟାବଶକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ, ପାନୀୟ ଜଳ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଗମନାଗମନ ବ୍ୟବସ୍ଥା , ପରିମଳ ବ୍ୟବସ୍ଥା ଆଦି ପରଖିଥିଲେ ଜିଲ୍ଲାପାଳ।

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ବୁଥ ନିକଟରେ ଥିବା ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ତଥା ନିର୍ବାଚନ ନୋଡାଲ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଚିଲିକା ବିଡ଼ିଓ ହଳଧର ଶବର, ତହସିଲଦାର ଚକ୍ରଧର ପାଢ଼ୀ,ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ଏବଂ ତହସିଲଦାର ଟି. ପଦ୍ମନାଭ ଦୋରା ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେପିର ୧୦୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଖୁବ ଶିଘ୍ର ଓଡିଶାର ୧୦୦ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏ ନେଇ ଆଜି ଗଣମାଧ୍ୟମକୁ କହିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଦଳ ତରଫରୁ ସମସ୍ତ ସମୀକ୍ଷା ଶେଷ ହୋଇଛି। କେବଳ କେନ୍ଦ୍ରୀୟ ନିର୍ବାଚନ କମିଟର ମୋହର ବାଜିଲେ ତାହା ଘୋଷଣା କରାଯିବ।

ଏହି ପ୍ରାର୍ଥୀ ଘୋଷଣା କରିବା ପାଇଁ ଆଜି ସକାଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଆଜି ସିଇସି ବୈଠକରେ ଏହି ପ୍ରାର୍ଥୀଙ୍କ ତାଲିକା ଉପରେ ଆଲୋଚନା କରିବେ। ଏହାପରେ ଆସନ୍ତାକାଲି କିମ୍ବା ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ ଭର୍ତ୍ତୁହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଏବଂ ଦମୟନ୍ତି ବିସ୍ରା

ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା। ସେମାନେ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ ଏବଂ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏଥିସହିତ ସମାଜସେବୀ ପଦ୍ମଶ୍ରୀ ଦମୟନ୍ତି ବିସ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତେ ଦିଲ୍ଲୀର ମୁଖ୍ୟ କାର୍ଯ୍ୟଳୟରେ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡିଶା ପ୍ରଭାରୀ ପ୍ରମୁଖ ଯୋଗଦେଇଥିଲେ।

ଭର୍ତ୍ତୁହରି ଗତ ମାର୍ଚ୍ଚ 22 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳେ ଜଣାପଡିଥିଲା ଯେ, ସେ ବିଜେପିରେ ଯୋଗଦେବେ। ସେହିିପରି ସିଦ୍ଧାନ୍ତ ମହାପାତ୍ରଙ୍କୁ ଗତ କିଛି ବର୍ଷ ଧରି ବିଜେଡି କଣଠୋସା କରି ରଖିଥିଲା। ସେ ମଧ୍ୟ ଆଜି ବିଜେପିରେ ଯୋଗଦେଇଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେ ଏଥର ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବେ ବୋଲି ଜଣାପଡିଛି। ଏଥିସହିତ ବିଜେପିର ବାକିଥିବା ତିନୋଟି ଲୋକସଭା ଆସନ ନେଇ ମଧ୍ୟ ଆଜି ଚୁଡାନ୍ତ ହେବ।

ବର୍ତ୍ତମାନ ବିଜେଡି ପ୍ରଥମେ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବର୍ତ୍ତମାନ ସୁଦ୍ଧା ଦଳ 72 ଟି ବିଧାନସଭା ଏବଂ 15ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଗତକାଲି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇଟି ପର୍ଯ୍ୟାୟରେ ଏହି ଘୋଷଣା କରିଛନ୍ତି। ଏହାପରେ ବିଜେପି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପାଇଁ ତତ୍ପତର ହୋଇଉଠିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସର ସବୁ କମିଟରୁ ଇସ୍ତଫା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ବର: କଂଗ୍ରେସର ସମସ୍ତ କମିଟରୁ ଇସ୍ତଫା ପ୍ରଦାନ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଭିନ୍ନ କମିଟରୁ ଇସ୍ତଫା ଦେଇଥିବାର ଜଣାପଡିଛି। ହେଲେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ଅଛନ୍ତି। ଅର୍ଥାତ ସେ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଏହାର କାରଣ ହେଲା ତାଙ୍କର ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗଦାନ।

ସୁରେଶ ରାଉତରାୟ କହିଛନ୍ତି ଯେ, ମୋ ପୁଅକୁ କଂଗ୍ରେସରୁ ଛିଡା ହେବା ପାଇଁ ବହୁତ କହିଲି। ହେଲେ ସେ ରାଜି ହେଲା ନାହିଁ। ସେ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଭକ୍ତ ପାଲଟିଯାଇଛି। ହେଲେ ମୁଁ ଜଣେ ସଚ୍ଚୋଟ କଂଗ୍ରେସ କର୍ମି। ପୁଅକୁ ବିଜେଡି ଭୁବନେଶ୍ବରର ଲୋକସଭା ଆସନରେ ଛିଡା କରିଛି। ସେ ଯାହା କରିବ କରୁ ମୁଁ ତାକୁ ସାହାଯ୍ୟ କରିପାରିବି ନାହିଁ ବୋଲି ସୁର ରାଉତରାୟ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରତିଷ୍ଠିତ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପର ପ୍ରତିଷ୍ଠାତା ପୀୟୁଷ ମହାନ୍ତିଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର: ଓଡିଶାର ଜଣାଶୁଣା ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ପୀୟୁଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତି ରଞ୍ଜନ ପାଇକରାୟ, ପ୍ରଣବ ଦାସ, ସନାତନ ମହାକୁଡ, ବଳଭଦ୍ର ନାୟକ, କାହ୍ନୁ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀବାସିନ୍ଦା ତଥା ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ସମ୍ପାଦକ ଏବଂ ଯୁବ ସଂଗଠକ ଶ୍ରୀ ବାଣୀକଲ୍ୟାଣ ମହାନ୍ତି ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ବିଜେଡି ପରିତ୍ୟାଗ କରିଥିବା ପୂର୍ବତନ ସରପଂଚ ବଂଶୀଧର ବିଶ୍ୱାଳ, ୱାର୍ଡ ମେମ୍ବର ନକୁଳ ମହାଲିକ, ପଂଚାୟତ ସମିତି ସଦସ୍ୟ ସନାତନ ସେଠୀ।

ସେହିପରି ସମବାୟ ସମିତି ସଭାପତି ବିଭୁ ସୁନ୍ଦର ସେଠୀ, ଉଦୟନାଥ ବିଶ୍ୱାଳ, ବୁଦ୍ଧଦେବ ସାହୁ, ଆରତୀ ବେହେରା, ଗଙ୍ଗାଧର ମଲ୍ଲିକ, ନିଶିକାନ୍ତ ଗିରି, ବଳରାମ ନାୟକ, ଖଗେଶ୍ୱର ଜେନା, ଶିବପ୍ରସାଦ ନାୟକ, ଜଗବନ୍ଧୁ ନାଥ, କାମିନୀକାନ୍ତ ନାଥ, ଶ୍ରୀକାନ୍ତ ନାଥ,ଭାଗିରଥୀ ବିଶ୍ୱାଳ, ବୁଲୁ ବେହେରା, ସରୋଜ କୁମାର ପଲେଇ, ଦଶରଥ ବେହେରା, ସୁଶୀଲ ମହାନ୍ତି, ଗୋବିନ୍ଦ ଜେନା, ବିମଳ କୁମାର ମାଝୀ, ତ୍ରିଲୋଚନ ମହାନ୍ତି, ସରୋଜ ରାଉତ, ରାଜା କୁମାର ନାୟକ, ବସନ୍ତ ନାୟକ, ଲିକୁନ ପଲେଇ, ନିରାକାର ସାହୁ, ବିଦ୍ୟାଧର ସାମଲ, ଅନାଦି ବେହେରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ କୁମାର ପାଣି ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ବିଧାୟକ ଦେବାଶିଷ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବରିଷ୍ଠ ନେତା ଦୀନବନ୍ଧୁ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଅଣାଯାଇଥିଲା।

ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ ଓ ମାଷ୍ଟରକ୍ୟାଂଟିନ ଛକଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଲାପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ ବୋଷ, ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ମଧୁ ବାବୁ, ପଣ୍ଡିତ ଗୋପବନ୍ଧୁ ଦାସ ଓ କୃଷ୍ଣଚନ୍ଦ୍ର ଗଜପତି ସମେତ ରାଷ୍ଟ୍ରନାୟକଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମବେତ ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ଦାସ କହିଥିଲେ ଯେ ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ।

ଆସନ୍ତା ୨୦ ଦିନ ମଧ୍ୟରେ ସାରା ରାଜ୍ୟରେ କଂଗ୍ରେସର ପ୍ରଚାର ଅତି ଦୃତ ଗତିରେ ଆଗେଇଯିବ। ଓଡ଼ିଶାର ଜନସାଧାରଣ ଉଭୟ ବିଜେଡ଼ି ଓ ବିଜେପିର ମିଳିତ ସରକାରଙ୍କୁ ୨୫ ବର୍ଷ ଧରି ଏ ରାଜ୍ୟରେ ଶାସନ କରିବାର ସୁଯୋଗ ଦେଲେ। କିନ୍ତୁ ଏ ରାଜ୍ୟ କୌଣସି କ୍ଷେତ୍ରରେ ଆଜି ସ୍ୱାବଲମ୍ବି ହୋଇପାରିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉତ୍କଟ। ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ବେକାରୀ ସମସ୍ୟା ଆଜି ଶୀର୍ଷ ସ୍ତରରେ ପଂହଚିଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାପାଇଁ ବାହାରକୁ ଯାଉଛନ୍ତି। ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟର କୃଷକମାନଙ୍କର ଆୟକୁ ବୃଦ୍ଧି କରାଯାଇ ପାରିଲାନାହିଁ।

ରାଜ୍ୟର ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ। କିନ୍ତୁ ଏ ସରକାର କେବଳ ଗଣମାଧ୍ୟମରେ ବିକାଶ ହୋଇଛି ବୋଲି କହି ବାହା ବାହା ନେବାକୁ ପଛାଉନାହାନ୍ତି। ଓଡ଼ିଶାର ଜନସାଧାରଣ ଆଜି ସଜାଗ ହୋଇଛନ୍ତି ଏମାନଙ୍କ ସମ୍ପର୍କ କେବଳ ଓଡ଼ିଶାର ସମ୍ପତିକୁ ଲୁଟ କରିବାପାଇଁ କିନ୍ତୁ ଓଡ଼ିଶାର ବିକାଶ ଏମାନଙ୍କ ଚିନ୍ତାରେ ନାହିଁ। ଆଉ କେତେବର୍ଷ ଶାସନ କଲାପରେ ଓଡ଼ିଶାର ମୌଳିକ ସମସ୍ୟାକୁ ସମାଧାନ କରାଯାଇପାରିଥାନ୍ତା। ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇବାର ଯୁଗ ଶେଷ ହେଲା। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବ। ଯେଉଁମାନଙ୍କର କଂଗ୍ରେସ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ଅଛି ସେମାନେ କଂଗ୍ରେସ ଦଳକୁ ଫେରିଆସନ୍ତୁ।

ଆଜିର କାର୍ଯ୍ୟକ୍ରମରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ନକୁଳ ନାୟକ, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଅମିୟ ପାଣ୍ଡବ, ବଳଭଦ୍ର ମାଝୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ହଳଧର ସେଠୀ, ରଜନୀ ମହାନ୍ତି, ନିପନ ଦାସ, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, ଶୁଭଦ୍ରା ମିଶ୍ର, ସ୍ନେହା ଜେନା, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ନିହାର ବେହେରା, ଶାନ୍ତାୟନ ମିଶ୍ର, ଶିଶିର ରଥ, ବଟକୃଷ୍ଣ ରାଉତରାୟ, ବିଂରଚି ବାରିକ, ଅମରେଶ ପରିଡ଼ା, ବିକାଶ ପଶୁପାଳକ, ବଳରାମ ନନ୍ଦ, ସୁଦିପ ସାମଲ, ମହମ୍ମଦ ପରଭେଜନ, ସୁନିଲ ସାହୁ ଗାନ୍ଧୀ, କାର୍ତିକେଶ୍ୱର କାଣ୍ଡି, ଉଦ୍ଦିତ ପ୍ରଧାନ, ସ୍ପନ୍ଦନ ସ୍ୱାଇଁ, ସାଗର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ବେଳେ ନଗଦ ଟଙ୍କା କାରବାରକୁ ରୋକିବା ପାଇଁ ବସିଲା ଏନଫୋର୍ସମେଣ୍ଟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।

ପୂର୍ବରୁ ଏହି ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ବୈଠକରେ ବିଭିନ୍ନ ଯାଂଚ ଓ ଚଢଉ ଦାୟିତ୍ୱରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଂଚ କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା, ନିର୍ବାଚନ ଆଦର୍ଶ ଆଚରଣବିଧିକୁ କଡାକଡ଼ି ଅନୁପାଳନ କରାଯିବା ନେଇ ଗଠିତ ରାଜ୍ୟସ୍ତରୀୟ କମିଟିର ସଭ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଂଚ ଓ ଚଢଉ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ, ଜିଏସ୍‌ଟି କମିଶନର, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ, ପରିବହନ ବିଭାଗ କମିଶନର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, ଓଡିଶା ପ୍ରମୁଖ ସଦସ୍ୟମାନେ ଯୋଗଦେଇଥିଲେ।

ବୈଠକରେ ପୁଲିସ୍ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି, ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଅନୁପ୍ରବେଶକାରୀ ଏବଂ ଉଗ୍ରବାଦୀ କାର‌୍ୟ୍ୟକଳାପର ମୁକାବିଲା କରିବା ପାଇଁ ପୁଲିସ ତରଫରୁ କାର‌୍ୟ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ଅପରାଧିକ ମାମଲାରେ ପୋଲିସ ତରଫରୁ ଅଦ୍ୟାବଧି କାର‌୍ୟ୍ୟନୁଷ୍ଠାନ, ନିର୍ବାଚନ ଘୋଷଣା ପରଠାରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଇତ୍ୟାଦି ଜବତ, ମଦ ଓ ନିଶାଦ୍ରବ୍ୟ ମାମଲାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା।

ବିଭିନ୍ନ ଜିଲ୍ଲାରେ ପୁଲିସ୍ ମୁତୟନ, ଆନ୍ତଃରାଜ୍ୟ ସୀମାରେ ପୋଲିସ ଚେକ୍ ପୋଷ୍ଟ, ଅବକାରୀ ଚେକ୍ ପୋଷ୍ଟ, ଜଙ୍ଗଲ ବିଭାଗ ଚେକ୍ ପୋଷ୍ଟ ଆଦିରେ କଡ଼ାକଡ଼ି ନଜର ରଖାଯିବା, ଅସାମାଜିକ କାର‌୍ୟ୍ୟକଳାପରେ ଲିପ୍ତ ଅନୁପ୍ରବେଶକାରୀ, ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ ନଗଦ ଟଙ୍କା କାରବାର ଉପରେ କଡ଼ା ନଜର ରଖିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି କଡାକଡି ଅନୁପାଳନ ପାଇଁ ସଂପୃକ୍ତ ପୋଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଆଦି ବିଭିନ୍ନ ବିଭାଗରେ ମୁଖ୍ୟମାନଙ୍କୁ ସମନ୍ୱୟ ରଖି କାର‌୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବେଆଇନ ମାଦକ ଦ୍ରବ୍ୟ ଜବତ ସଂପର୍କରେ ଅବକାରୀ ବିଭାଗ ତରଫରୁ ଅଦ୍ୟାବଧି ନିଆଯ।ଇଥିବା କାର‌୍ୟ୍ୟନୁଷ୍ଠାନ ସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ସୂଚନା ପ୍ରଦାନ କରିଥିଲେ।

ସେହିପରି ଜିଏସ୍‌ଟି କମିଶନର ଦ୍ରବ୍ୟ ଓ ସେବାକର ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ କର‌୍ୟ୍ୟାନୁଷ୍ଠାନ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏ ସଂପର୍କରେ ନିୟମିତ ଆନ୍ତଃ-ରାଜ୍ୟ ସମନ୍ୱୟ ବୈଠକ ନିୟମିତ ଅନୁଷ୍ଠିତ ହେଉଥିବା, ବାଣିଜ୍ୟ ଓ ପରିବହନ ବିଭାଗ ସମନ୍ୱୟରେ ମିଳିତ ଚଢଉ କରାଯାଉଥିବା ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିର ଜାରି ହେଲା ୫ମ ପ୍ରାର୍ଥୀ ତାଲିକା: ପଢନ୍ତୁ ଓଡ଼ିଶାରେ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପଞ୍ଚମ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନାମ ବିଜେପି ପ୍ରକାଶ କରିଛି।

ଏଥର ତାଲିକାରେ ଓଡ଼ିଶାରୁ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି।

ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଜରୁ ନବ ଚରଣ ମାଝି, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡଙ୍ଗି, ଭଦ୍ରକରୁ ଅଭିମନ୍ୟୁ ସେଠି, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗିତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝି, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କା ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହି ଓ କୋରାପୁଟରୁ କାଲେରାମ ମାଝି।

 

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେଉଁ ଦଳରୁ ଛିଡା ହେବେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ବର: କଂଗ୍ରେସର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ପାରିବାରିକ ରାଜନୀତି ଭିତରେ ଛନ୍ଦି ହୋଇପଡିଛନ୍ତି। କାରଣ ତାଙ୍କର ଦୁଇ ପୁଅ କିଏ କେଉଁଠି କେଉଁ ଦଳରୁ ଛିଡା ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଫଳରେ ଏକ ଭସା ବାଦଲ ପରି ପରିସ୍ଥିତିରେ ଅଛନ୍ତି ବିଧାୟକ ସୁରେଶ ରାଉତରାୟ।

ତେବେ ସଦ୍ୟତମ ଖବର ଅନୁସାରେ ଗତକାଲି ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ଗଙ୍ଗପଡାଠାରେ ଏକ ବିରାଟ ସଭା କରିଥିଲେ। ଏହି ସଭାରେ ସେ ଘୋଷଣା କରିଥିଲେ ଯେ, ମୋ ସାନ ପୁଅ ମନ୍ମଥକୁ ଗାଦି ଛାଡିଲି। ମୁଁ ଆଜି ପର୍ଯ୍ୟନ୍ତ ଜନ ସେବା କରିଆସୁଛି। ଏବେ ମୋ ପୁଅ ତାହା କରିବ। ଆପଣମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବେ ବୋଲି ଜନସମାବେଶକୁ ସମ୍ବୋଧନ କରିଥିଲେ ସୁର ରାଉତରାୟ।

ତେବେ ବଡକଥା ହେଲା ସେ ସେହି ସଭାରେ ପୁଅ ଜଟଣୀରୁ ଲଢେଇ କରିବ ବୋଲି କହିଥିଲେ ମଧ୍ୟ କେଉଁ ଦଳରୁ ଛିଡା ହେବ ତାହା କହି ନ ଥିଲେ। ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯେ, ସୁର ରାଉତରାୟ ସେଠାରେ କହିଥିଲେ ଯେ, ପୁଅ କେଉଁ ଦଳରୁ ଛିଡା ହେବ ତାହା ତା’ ଉପରେ ନିର୍ଭର କରେ। ହେଲେ ମୁଁ କଂଗ୍ରେସରେ ରହିଛି ରହିବି। ଯଦି ପୁଅ ମୋତେ ନିର୍ବାଚନ ପ୍ରଚାର କରିବାକୁ ଡାକେ ତେବେ ମୁଁ ଯିବି। ସେ ଯେଉଁ ଦଳରୁ ଛିଡା ହେଲେ ମଧ୍ୟ ପୁଅ ପାଇଁ ପ୍ରଚାର କରିବି।

ଏହି କଥାକୁ ନେଇ ବର୍ତ୍ତମାନ ଜଟଣୀ ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଚାଲିଛି। କଂଗ୍ରେସର ପୁରୁଖା ନେତା ସୁର ରାଉତରାୟ ଏମିତି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। ତେବେ କଣ ମନ୍ମଥ ରାଉତରାୟ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି କି  ? ପୂର୍ବରୁ ସୁର ରାଉତରାୟ କହି ଆସୁଥିଲେ ଯେ, ମନ୍ମଥ ଜଟଣୀ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପ୍ରାର୍ଥୀ ହେବ। ହେଲେ ଏବେ ସେଥିରେ କାହିଁକି ପରିବର୍ତ୍ତନ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଶେଷ ସୁତ୍ର ଅନୁସାରେ ମନ୍ମଥ ରାଉତରାୟ କୁଆଡେ ବିଜେଡିରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଯଦି କୌଣସି କାରଣରୁ ବିଜେଡି ନ ହୁଏ ତେବେ ବିଜେପି ସହିତ ମଧ୍ୟ ସେ ଯୋଗାଯୋଗରେ ରହିଛନ୍ତି। ହେଲେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏ ନେଇ ଆଉ ତିନିଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି।

ତେବେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାନ୍ତ ରାଉତରାୟ ନିମାପଡାରୁ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ତାଙ୍କ ମାମୁଁ ଘର ନିମାପଡା ହୋଇଥିବାରୁ ସେଠାରେ ସେ ନିର୍ବାଚନ ଲଢିବେ। ହେଲେ ପ୍ରଶ୍ନ ଉଠିଛି ଦୁଇ ପୁଅ ମଧ୍ୟରୁ ଜଣେ କଂଗ୍ରେସରେ ଆଉ ଜଣେ ବିଜେଡିରେ ପ୍ରାର୍ଥୀ ହେଲେ ସାଧାରଣ ଜନତା ତାହାକୁ କେଉଁ ଦୃଷ୍ଟିରେ ଦେଖିବେ ତାହା ଚର୍ଚ୍ଚାର ବିଷୟ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପ୍ରବଳ ବିରୋଧ ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମକୁ ଶୀତଳ ଭଣ୍ଡାରରେ ରଖିଲା ବିଜେଡି

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ। ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଆରମ୍ଭ ହେଲା କମ୍ପନ। କାରଣ ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ନୁହେଁ। ଏପରିକି ତାଙ୍କର ଚିଲିକା ସହିତ କୌଣସି ସଂପର୍କ ନ ଥିବାରୁ ବିଜେଡି କର୍ମି ତାଙ୍କ ନାମ ଶୁଣି ମୁହଁ ମୋଡି ଦେଲେ।

କର୍ମିଙ୍କ ମହଲରେ ଅସନ୍ତୋଷ ଜାଣିବା ପରେ ଦଳର ଶୀର୍ଷ ନେତୃତ୍ବ ଚିଲିକାର ନେତାମାନଙ୍କୁ ଡାକି ସେମାନଙ୍କର ମତାମତ ସଂଗ୍ରହ କରିଥିଲେ। ହେଲେ କେହି ହେଲେ ପ୍ରସନ୍ନ ପାଟ୍ଟଶାଣଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ନ ଥିଲେ। ଏପରି ବିରୋଧ ପରେ ବିଜେଡି କଣ କରିବ ସେ ନେଇ କୌଣସି ପ୍ରତିଶୃତି କର୍ମୀଙ୍କୁ ଦେଇପାରି ନ ଥିଲା। ପରେ ବିଚାର କରାଯିବ ବୋଲି କହି ଚିଲିକା ନେତାଙ୍କୁ ସେଦିନ ବିଦାୟ କରି ଦିଆଯାଇ ଥିଲା।

କିଛିଦିନ ପରେ ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ହେଉଥିବା ଅରୂପ ପଟ୍ଟନାୟକ ଜଗନ୍ନାଥ ଦର୍ଶନ କରିଥିଲେ। ତାଙ୍କ ସାଥୀରେ ଥିଲେ ଏହି ଲୋକସଭା ଅଧିନରେ ଆସୁଥିବା ସମସ୍ତ ବିଧାନସଭାର ଭାବି ପ୍ରାର୍ଥୀମାନେ। ସେମାନେ ହେଲେ ପୁରୀରୁ ସୁନୀଲ ମହାନ୍ତି, ପିପିଲିରୁ ରୁଦ୍ର ମହାରଥୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ନୟାଗଡରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ।

ହେଲେ ଆଶ୍ଚର୍ଯ୍ୟର କଥା ପୁରୀ ଲୋକସଭାରେ ଚିଲିକା ଆସୁଥିଲେ ମଧ୍ୟ ସେଦିନ ଏହି ନିର୍ବାଚନ ମଣ୍ଡଳିରୁ କୌଣସି ଭାବି ପ୍ରାର୍ଥିଙ୍କୁ ଡକାଯାଇ ନ ଥିଲା। ଏପରିକି ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରେ ଥିଲେ ମଧ୍ୟ ସେହି କାର୍ଯ୍ୟକ୍ରମରେ ତାଙ୍କର ଦେଖା ନ ଥିଲା। ଫଳରେ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଯେଉଁ ଚିନ୍ତା କରିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଲା। ଯଦି ସେ ପ୍ରାର୍ଥୀ ହୋଇ ଥାଆନ୍ତେ ତେବେ ତାଙ୍କୁ ପୁରୀ ଯିବା ପାଇଁ ନିଶ୍ଚିତ ନିର୍ଦ୍ଦେଶ ଦିଆଯାଇ ଥାଆନ୍ତା।

ଅନ୍ୟପଟେ ଚିଲିକାର ଅନ୍ୟତମ ଦାବୀଦାର ରଘୁନାଥ ସାହୁ ମଧ୍ୟ ଶଙ୍ଖ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେଠାରେ ସେ ପ୍ରାୟ ହଜାରେ ସମର୍ଥକଙ୍କୁ ନେଇ ଟିକେଟ ପାଇଁ ଦାବୀ କରିଛନ୍ତି। ହେଲେ ସେଠାରେ କର୍ମିମାନେ ରଘୁନାଥଙ୍କୁ ଯେତିକି ସମର୍ଥନ କରିଥିଲେ ତାହାଠାରୁ ଅଧିକ ପାଟ୍ଟଶାଣୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଏ ସବୁ ପରିସ୍ଥିତି ମଧ୍ୟରେ ବର୍ତ୍ତମାନ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଥିବାର ଜଣାପଡିଛି।

ତେବେ ବିଶେଷ ସୁତ୍ର ଅନୁସାରେ ରଘୁନାଥ ଏବଂ ତାଙ୍କର କର୍ମି ଶଙ୍ଖ ଭବନରେ ଯେପରି ବିକ୍ଷୋଭ ପ୍ରଦର୍ଶନ କଲେ ସେଥିରେ ଦଳ କୁଆଡେ ତାଙ୍କ ଉପରେ ଖପ୍ପା ହୋଇ ଉଠିଛି। ଫଳରେ ବର୍ତ୍ତମାନ ରଘୁନାଥଙ୍କ ନାମକୁ ମଧ୍ୟ ବିଜେଡି ଶୀତଳ ଭଣ୍ଡାରରେ ରଖିଦେଇଛି ବୋଲି ଶୁଣାଯାଇଛି। ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ବିଜେଡି କର୍ମୀ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଚୁଡାନ୍ତ, ହୋଲି ପରେ ଘୋଷଣା

ଭୁବନେଶ୍ବର: ଓଡିଶାରେ ବିଜେଡି ବିଜେପି ମେଣ୍ଟ ଭିତରେ କଂଗ୍ରେସ ତାହାର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ଭୁବନେଶ୍ବର ଓ ଦିଲ୍ଲୀରେ ଘନଘନ ବୈଠକ କରି ଦଳ ମୁକିବିଲା ସ୍ଥିତିରେ ରହିଛି। ବିଭିନ୍ନ ବୈଠକରେ ଦଳର ଶୀର୍ଷ ନେତୃବୃନ୍ଦ ଓଡିଶାର ମେଣ୍ଟ ରାଜନୀତିକୁ ତୀକ୍ଷ୍ମ ନଜରରେ ରଖିଛନ୍ତି। ସେହି ଅନୁସାରେ କଂଗ୍ରେସ ଓଡିଶାର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି।

ତେବେ ନୂଆଦିଲ୍ଲୀରେ ଏଆଇସିସି ସାଧାରଣ ସଂପାଦକ କେ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ପ୍ରଭାରୀ, ନିର୍ବାଚନ ପ୍ରଭାରୀ ଏବଂ ସଭାପତି ଶରତ ପଟ୍ଟନାୟକ ଯୋଗଦେଇଥିଲେ। ସେଥିରେ ଓଡିଶାରେ କିପରି ରଣନୀତି ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ଓଡିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନ ଉପରେ ଆଲୋଚନା କରାଯାଇଥିଲା।

ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ସବୁ ଆସନର ଏକ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ତାଲିକା ଉପରେ ବେଣୁଗୋପାଳ ଆଲୋଚନା କରିଥିଲେ। ସେଥିରେ ଗୋଟିଏ ଗୋଟିଏ ଆସନରେ ତିନି ଜଣ ପ୍ରାର୍ଥୀଙ୍କ ନାମ ରହିଛି। ହେଲେ କେତେକ ନିର୍ବାଚନ ମଣ୍ଡଳୀରେ ଜଣଙ୍କ ନାମ ଦିଆଯାଇଛି। ଯେଉଁ ସ୍ଥାନରେ କଂଗ୍ରେସ ବିଧାୟକ ଅଛନ୍ତି ସେମାନଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯିବ ବୋଲି ବେଣୁଗୋପାଳଙ୍କୁ ଅବଗତ କରାଯାଇଛି।

ଏଥିସହିତ ଓଡିଶା ପ୍ରଭାରୀ ଅଜୟ କୁମାର ପ୍ରାର୍ଥୀ ଚୟନ ପାଇଁ କିପରି ଅନଲାଇନ ମାଧ୍ୟମରେ ପ୍ରଗମନ ବ୍ୟବସ୍ଥା କରାଯାଇଥିଲା ତାହା ଉପରେ ଆଲୋକପାତ କରାଇଥିଲେ। ତାହାରି ଆଧାରରେ ଏହି ତାଲିକା କରାଯାଇଛି ବୋଲି ଅଜୟ କୁମାର ବେଣୁଗୋପାଳଙ୍କୁ ଅବଗତ କରାଇଥିଲେ।

ଏଥର ଓଡିଶାର ଯୁବ ପ୍ରାର୍ଥୀଙ୍କୁ କିପରି ଅଧିକ ସଂଖ୍ୟାରେ ସୁଯୋଗ ପ୍ରଦାନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ତେବେ ଚୁଡାନ୍ତ ତାଲିକା ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଳ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହିତ ଆଲୋଚନା ପରେ ହୋଲି ପରେ ଘୋଷଣା କରାଯିବ ବୋଲି କୁହାଯାଇଥିଲା।

ତେବେ ଏହି ବୈଠକରେ ଓଡିଶାରେ କିପରି ପ୍ରଚାର କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସେଥିରେ ଓଡିଶାରେ ନିର୍ବାଚନ ଇସ୍ତାହାର ପ୍ରକାଶ କରାଯାଇଛି ବୋଲି ଦିଲ୍ଲୀ ନେତାଙ୍କୁ ଅବଗତ କରାଯାଇଥିଲା। ସେହିପରି ଓଡିଶା ନିର୍ବାଚନ ପ୍ରଚାରରେ ଦଳର ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖଙ୍କୁ ଷ୍ଟାର ପ୍ରତାର ତାଲିକାରେ ରଖିବା ପାଇଁ ଅନୁରୋଧ କରାଯାଇଛି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ବିଜେପିର ଅଭିଯୋଗ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋ ଚିତ୍ର ଥିବା ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ।

ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଖୋଲି ଉଲ୍ଲଂଘନ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।
ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି।

ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଜାରି କରିଥିବା ନିୟମାବଳୀକୁ ସମସ୍ତେ ପାଳନ କରିବା ଉଚିତ। ଇସିଆଇ ସ୍ପଷ୍ଟଭାବେ କହିଛନ୍ତି ଯେ, ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। ଯେଉଁ ଅନୁସାରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡିକୁ ଖୋଲାଯିବାର ନିର୍ଦ୍ଦେଶନାମା ରହିଛି। କିନ୍ତୁ ସରକାରୀ ଦଳ ବିଜେଡି ଏହାର ଖୋଲାଖୋଲି ଉଲଘଂନ କରୁଛି।

ଏବେବି ଅନେକ ଜାଗାରେ ଦଳର ହୋର୍ଡିଂ, ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିଜେଡି ଦଳୀୟ ଚିହ୍ନ ଓ ସ୍ଳୋଗାନ ଥାଇ ଅନେକ ଜାଗାରେ ବଡ ବଡ ହୋର୍ଡିଂ ଓ ୱାଲିଂ ଲାଗି ରହିଛି। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଫଟୋ ଏବେ ସୁଦ୍ଧା ରହିଛି। “ଆମ ଓଡ଼ିଶା ନବୀନ ଓଡ଼ିଶା”, “ଆମ ଓଡ଼ିଶା ନୂଆ ଓଡିଶା” ଲେଖା ଥିବା ବହୁ କଟ୍‌ଆଉଟ୍ ଏବଂ ହୋର୍ଡିଂ ବିଭିନ୍ନ ଜାଗାରେ ପୂର୍ବଭଳି ରହିଛି।

ଯାହା ଖୋଲା ଖୋଲି ଆଦର୍ଶ ନିର୍ବାଚନ ଆଚରଣ ବିଧି ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଛି। ବହୁ ଜାଗାରେ ଶାସକ ଦଳର ହୋର୍ଡିଂ ଲାଗିଥିବାବେଳେ ବାଛି ବାଛି ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ବିଜେପି ହୋର୍ଡିଂ ଗୁଡିକୁ କଢ଼ାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠୁ ଛିଡା ହେବେ ମୁଁ ସେହିଠାରୁ ପ୍ରାର୍ଥୀ ହେବି: ଅକ୍ଷୟ କୁମାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଯେଉଁ ଆସନରୁ ପ୍ରାର୍ଥୀ ହେବେ ମୁଁ ସେହି ଆସନରୁ ଛିଡା ହେବି। ତାଙ୍କ ବିରୋଧରେ ମୁଁ ପ୍ରାର୍ଥୀ ହେବି। ଏପରି ଏକ ଘୋଷଣା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଆଜି ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅକ୍ଷୟ କୁମାର ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ରାଜ୍ୟର ସବୁ ବର୍ଗର ଲୋକଙ୍କୁ ବିଭିନ୍ନ ସୁବିଧା ଘୋଷଣା କଲେ ନବୀନ ପଟ୍ଟନାୟକ। ହେଲେ ରାଜ୍ୟର ଚାଷୀଙ୍କ ପାଇଁ କୌଣସି ଘୋଷଣା କଲେ ନାହିଁ। ସେଥିପାଇଁ ନବନିର୍ମାଣ କୃଷକ ସଂଗଠନ ତାଙ୍କ ବିରୋଧରେ ଲଢେଇ କରିବ ବୋଲି ଅକ୍ଷୟ କୁମାର କହିଛନ୍ତି। ଅକ୍ଷୟ କୁମାର କିଛିଦିନ ତଳେ କେତେକ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ମଧ୍ୟ କରିଛନ୍ତି। ଏଥର ପ୍ରଥମ ଥର ପାଇଁ ନବ ନିର୍ମାଣ କୃଷକ ସଂଗଠନ ରାଜନୈତିକ ମଇଦାନକୁ ଓହ୍ଲାଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

ଭୁବନେଶ୍ବର: ଚିଲିକାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏ ନେଇ ଦଳର ପ୍ରସ୍ତାବ ଚାରିଆଡେ ପ୍ରଚାର ହେବା ପରେ ବର୍ତ୍ତମାନ ତୃଣମୂଳ ସ୍ତରରେ ଦେଖାଦେଇଛି ବିରୋଧ। ଯାହାକୁ ନେଇ ବିଜେଡି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଯାଇଛି। କାରଣ ପ୍ରସନ୍ନ ପାଟ୍ଟଶାଣୀଙ୍କ ଘର ଚିଲିକା ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ଦଳ ଭାବିଥିଲା। ହେଲେ ତାଙ୍କର ପ୍ରାର୍ଥିତ୍ବ ନେଇ ଯେ, ଚିଲିକାରେ ବିରୋଧ ହେବ ସେ ନେଇ କେହି କେବେ ଆଶା କରି ନ ଥିଲା।

କିଛିଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ବ ନେଇ ଆଲୋଚନା କରାଯାଇଥିଲା। ଏଥିରେ ପୁରୀ ଲୋକସଭା ଅଧିନରେ ଥିବା ସମସ୍ତ ଦଳିୟ ବିଧାୟକଙ୍କୁ ଡକାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା। ଅରୂପଙ୍କୁ ପୁରୀ ଲୋକସଭା ଏବଂ ପାଟ୍ଟଶାଣୀଙ୍କୁ ଚିଲିକା ବିଧାନସଭା ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ଏଥିରେ ଉଭୟ ରାଜି ହେବା ପରେ ତାଙ୍କ ନାମ ପ୍ରସ୍ତାବକୁ ନିଆଯାଇଥିଲା।

ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ଚିଲିକା ନୁହେଁ। ସେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ରାଜନୀତି କରୁଛନ୍ତି। ସେହିପରି ନେତାଙ୍କୁ କାହିଁକି ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଲା।

ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଗତକାଲି ଅର୍ଥାତ ବୁଧବାର ଦିନ ବିଜୁ ଜନତା ଦଳ ତରଫରୁ ଚିଲିକା ନେତାଙ୍କୁ ଶଙ୍ଖ ଭବନକୁ ଡକାଯାଇଥିଲା। ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ କରାଯାଇଥିଲା। ସେଠାରେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ, ସମସ୍ତେ ସାହାଯ୍ୟ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ଚିଲିକା ନେତା ଅସନ୍ତୋଷ ବ୍ୟକ୍ତ କଲେ। ଚିଲିକାର ଜଣେ ନେତାଙ୍କୁ ଛିଡା କରାଯାଉ ବୋଲି ଦାବୀ ଉଠିଥିଲା।

ସେହିପରି ସେହି ବୈଠକରେ ମେଣ୍ଟ ନେଇ କଣ ସ୍ଥିତି ବୋଲି ନେତାମାନେ ଜାଣିବାକୁ ଚାହିଁଥିଲେ। ହେଲେ ଏହାର ଉତ୍ତରରେ କୁହାଯାଇଥିଲା ଯେ, ଆପଣମାନଙ୍କୁ ନିର୍ବାଚନ ଲଢିବା ପାଇଁ କୁହାଯାଉଛି। ମେଣ୍ଟ କଣ ହେବ ନ ହେବ ସେ କଥା ଭୁଲିଯାଅ ବୋଲି କୁହାଯାଇଥିଲା। ଏହାପରେ ନେତାମାନେ ଚୁପ ରହିଥିଲେ।

ଚିଲିକା ନେତାମାନଙ୍କର ଦାବୀ ରହିଲା ଯେ, ଗତଥର ଜଣେ ବାହାର ନେତାଙ୍କୁ ଆଣି ଆମ ଉପରେ ଲଦି ଦିଆଯାଇଥିଲା। ଆମେ ଆଖି ବୁଜି ସାହାଯ୍ୟ କଲୁ। ହେଲେ ପରିସ୍ଥିତି କଣ ହେଲା ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସେହି ପ୍ରକାରର ପ୍ରସ୍ତାବକୁ ଆମେ ଆଉ ଗ୍ରହଣ କରିବୁ ନାହିଁ ବୋଲି ଚିଲିକା ନେତାମାନେ ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛନ୍ତି। ଏହାଦ୍ବାରା ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲି ରହିଲା ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ନେଇ ସ୍ପଷ୍ଟ କଲେ ଅମିତ ଶାହା, କହିଲେ ଆଲୋଚନା ଚାଲିଛି

ନୂଆଦିଲ୍ଲୀ: ଓଡିଶାରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଚାଲିଛି। ସେ ସେ ସଂପର୍କରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତି ନେବେ ବୋଲି କହିଛନ୍ତି ଅମିତ ଶାହା। ନ୍ୟୁଜ-18 କନକ୍ଲେଭରେ ଯୋଗ ଦେଇ ବିଜେପି ଚାଣକ୍ୟ ଶାହା କହିଛନ୍ତି ଯେ, ଓଡିଶାରେ ଦଳର ସ୍ଥିତି ସୁଦୃଢ ହୋଇଛି। ମୋଦିଙ୍କ ପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି ହୋଇଛି। ତେଣୁ ଓଡିଶାରେ ଦଳ ପୂର୍ବ ଅପେକ୍ଷା ବହୁତ ଭଲ କରିବ।

ତେବେ ଓଡିଶାରେ ବିଜେପି ସରକାର କରିବ କି ବୋଲି ପ୍ରଶ୍ନର ଉତ୍ତରେ ଶାହା କହିଥିଲେ ଯେ, ଓଡିଶାରେ ମେଣ୍ଟ ହେବ କି, ବିଜେପି ଏକାକୀ ଲଢିବ ତାହା ବିଚାର ଚାଲିଛି। ସେଥିରୁ ଚୁଡାନ୍ତ ନିଷ୍ପତି ଆସିବା ପରେ ଯାହା ଜଣାପଡିବ। ହେଲେ ଓଡିଶାରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି ବୋଲି ଶାହା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ବିଜେପିର ପ୍ରାର୍ଥୀ ତାଲିକା: ‘ଏ’ ‘ବି’ ‘ସି’ ବର୍ଗରେ ଆସନ ହେଲା ଭାଗ, ଜାଣନ୍ତୁ କାରଣ

ଭୁବନେଶ୍ବର: ଓଡିଶାର ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀରେ ଅଛନ୍ତି ବିଜେପି ସଭାପତି ମନମୋହନ ସାମଲ। ସେଠାରେ ସେ ଶୀର୍ଷ ନେତୃତ୍ବଙ୍କ ସହିତ ଆଲୋଚନା କରି ଏହି ତାଲିକାକୁ ଚୁଡାନ୍ତ ରୂପରେଖ ଦେବେ। ତେବେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦଳ ଓଡିଶାରୁ ବର୍ତ୍ତମାନ ୨୧ ଟି ଲୋକସଭା ଏବଂ ୧୪୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି।

ତେବେ ଦଳ ବିଧାନସଭା ଆସନଗୁଡିକ ତିନୋଟି ବର୍ଗର ବିଭକ୍ତ କରିଛି। ସେଗୁଡିକ ହେଲା ‘ଏ’  ‘ବି’ ଏବଂ ‘ସି’ ବର୍ଗ। ଏଥିରେ ଦଳ ଯେଉଁ ଆସିନରେ ଅଧିକ ଜିତିବାର ସମ୍ଭାବନା ରହିଛି ତାହା ‘ଏ’ ବର୍ଗରେ ରଖିଛି। ସେହିପରି ଜିତିବା ସମ୍ଭାବନା ଅନୁସାରେ ‘ବି’ ଓ ‘ସି’ ବର୍ଗ କରାଯାଇଛି। ବିଶେଷ ସୁତ୍ର ଅନୁସାରେ ଦଳ ‘ଏ’ ବର୍ଗରେ ୩୭ ଟି ଆସନ ରଖିଥିବା ବେଳେ ‘ବି’ ବର୍ଗରେ ୬୫ ଏବଂ ‘ସି’ ବର୍ଗରେ ୪୫ ଟି ଆସନ ରଖିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଦିବାସୀଙ୍କ ପାଇଁ ରାଜ୍ୟ ସରକାର କଣ କରିଛନ୍ତି ତାହାର ହିସାବ ଦେଲା ବିଜୁ ଜନତା ଦଳ

ଭୁବନେଶ୍ୱର: ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି ଓଡ଼ିଶା ରାଜ୍ୟ ଏବଂ ଏହାର ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮ ପ୍ରତିଶତ ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭ ପ୍ରତିଶତ ଅଟନ୍ତି।

ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି ଏବଂ ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ, ଉଦ୍ଭିଦ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଏବଂ ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି।

ଏଠାରେ ଆୟୋଜିତ ଏକା ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମିଶ୍ର ଓ ଡକ୍ଟର ମାଝି କହିଛନ୍ତି ଯେ ଓଡ଼ିଶାରେ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକରେ ୬୪ ସମ୍ପ୍ରଦାୟର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି। ଓଡ଼ିଶାର ସ୍ୱୀକୃତିପ୍ରାପ୍ତ ୬୪ଟି ଭାଷା ଓ ୭୪ଟି ଉପଭାଷା କୁହାଯାଏ।

ଏହି ଅନନ୍ୟ ବିବିଧତା ସତ୍ତ୍ୱେ, ସମ୍ପ୍ରଦାୟର ଏବେ ବି ଅର୍ଥନୈତିକ ଏବଂ ସାମାଜିକ ଭାବରେ ଆତ୍ମର୍ନିଭରଶୀଳ ହେବା ଏବଂ ରାଜନୈତିକ ଭାବରେ ସଶକ୍ତ ଅନୁଭବ କରିବାର ଅନେକ ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥିଲେ ଏବଂ ସେ ସରକାର ଏବଂ ଦଳକୁ ଏକତ୍ରିତ କରି ଆଦିବାସୀମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।

ଶିକ୍ଷା, ବାସସ୍ଥଳୀ, ସଂସ୍କୃତି, ଭାଷା ସଂରକ୍ଷଣ ଆଦି ସେମାନଙ୍କର ମୁଖ୍ୟ ଆବଶ୍ୟକତା ଥିଲା। ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ସ୍ୱାଭାବିକ ପ୍ରତିଭାକୁ ଆଗକୁ ବଢ଼ାଇବା। ମୁଖ୍ୟମନ୍ତ୍ରୀ ଏସବୁକୁ ଶୃଙ୍ଖଳିତ ଭାବେ ସମାଧାନ କରିବାକୁ ସ୍ଥିର କରିଥିଲେ।

ଶିକ୍ଷାକୁ ଆଗକୁ ବଢ଼ାଇବା ପାଇଁ ୩ ଜଣ ବିଶିଷ୍ଟ ଆଦିବାସୀ ନେତାଙ୍କ ନାମରେ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଏଥି ମଧ୍ୟରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ; କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ ଭବାନୀପାଟଣାରେ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ନାମରେ ଥିବା ମେଡିକାଲ କଲେଜ ଅର୍ନ୍ତଭୁକ୍ତ।

ସେହିଭଳି ଆଦିବାସୀ ଅଂଚଳର ୨୫୦୦ ବିଦ୍ୟାଳୟକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି ଏବଂ ୨୦୨୪ ଶେଷ ସୁଦ୍ଧା ଆଉ ୩୩୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକ୍ରିୟାରେ ସ୍ମାର୍ଟ କ୍ଲାସ ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ, ପାନୀୟ ଜଳ ସୁବିଧା ଉପଲବ୍ଧ କରାଯାଇଛି।

ସୁବିଦ୍ୟା ସର୍ବବୃହତ ଆବାସିକ ବିଦ୍ୟାଳୟ ସୁବିଧା ପ୍ରଦାନ କରୁଛି। ଏସ୍‌ସିଏସ୍‌ଟି ବିଭାଗ ଅଧୀନରେ ୧୭୩୪ ଟି ବିଦ୍ୟାଳୟ କାର୍ଯ୍ୟ କରୁଛି ଏବଂ ୪.୬ ଲକ୍ଷ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟରେ କରୁଛନ୍ତି। ୬୫୦୦ ହଷ୍ଟେଲରେ ୫.୭ ଲକ୍ଷ ଛାତ୍ରଛାତ୍ରୀ ରହୁଛନ୍ତି।ପ୍ରି-ମାଟ୍ରିକ ସ୍ତରରେ ୧୫ ଲକ୍ଷ ଏସସିଏସଟି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦିଆଯାଉଛି – ଏ ବାବଦରେ ବାଳିକାଙ୍କୁ ବାର୍ଷିକ ୮୦୦୦ ଟଙ୍କା ଓ ବାଳକଙ୍କୁ ୭୫୦୦ ଟଙ୍କା ପ୍ରଦାନ କରାଯାଇଛି।

ସମସ୍ତ ଉଚ୍ଚଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତ୍ତୀ ବୃତ୍ତି ମିଳୁୂଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଟପ୍ ଅପ୍ ସ୍କଲାରସିପ୍ ପ୍ରଦାନ କରାଯାଇଛି। ଓଡ଼ିଶା ବାଳିକା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବୃତ୍ତି ଠାରୁ ଅଧିକ ୯୫୦ ଟଙ୍କା ପ୍ରଦାନ କରାଯାଇଛି। ୧,୨୩,୬୩୯ ଜଣ ଝିଅଙ୍କୁ ଏହି ବୃତ୍ତି ମିଳିଛି। ଏହି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିଭଳି ଆକାଂକ୍ଷା ଯୋଜନାରେ ଭୁବନେଶ୍ୱରରେ ୨ଟି ଅର୍ବାନ ହଷ୍ଟେଲ କମ୍ପେ୍ଲକ୍ସ, ଗଞ୍ଜାମ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୬ଟି ଏହି ଧରଣର ହଷ୍ଟେଲ ରହିଛି। ଅନ୍ୱେଷା ଯୋଜନାରେ ସହରାଞ୍ଚଳ ଓ ଜିଲ୍ଲା ସଦର ମହକୁମାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସହରାଞ୍ଚଳରେ ଘରୋଇ, କେନ୍ଦ୍ରୀୟ ଓ ଅନ୍ୟାନ୍ୟ ଅନୁଦାନପ୍ରାପ୍ତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଆଯାଉଛି।

୧୭ଟି ଜିଲ୍ଲାରେ ୧୧୭ଟି ସରକାରୀ ବିଦ୍ୟାଳୟରେ ୨୧୬୮୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୨୦ରୁ ଓଡ଼ିଶା ଆଦର୍ଶ ଆଦିବାସୀ ଶିକ୍ଷା ସମିତି – ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି। ଏହି ସମସ୍ତ ସହାୟତା ଫଳରେ ଜନଜାତି ଛାତ୍ରଛାତୀମାନଙ୍କ ଶିକ୍ଷା ସଂପୂର୍ଣ୍ଣ କରିବାରେ ସହାୟକ ହୋଇପାରୁଛି।

ଆଦିବାସୀମାନଙ୍କ ଅର୍ଥନୈତିକ ଆତ୍ମର୍ନିଭରଶୀଳତା ଓ ଅଭିବୃଦ୍ଧି ପାଇଁ ଲାଭ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିରେ ଲଘୁ ବନଜାତ ଦ୍ରାବ୍ୟ କ୍ରୟ ଲାଗି ଏମଏଫ୍‍ପି ପାଇଁ ୧୦୦% ରାଜ୍ୟ ସମର୍ଥିତ ଏମଏସପି ଅଟେ। ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ମୁଖ୍ୟତଃ ମହିଳା ହୋଇଥିବାରୁ ଏହା ପ୍ରାୟ ୯୯ ଲକ୍ଷ ଆଦିବାସୀଙ୍କୁ ସାହାଯ୍ୟ କରିଛି। ଏହା ଦ୍ୱାରା ଶୋଷଣ/ ଅଭାବୀ ବିକ୍ରି ବନ୍ଦ ହୋଇଯାଇଛି। ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ ସହିତ ୨% କମିଶନ୍ ମିଳୁଛି।

୫-ଟି ଓ ଟିଡିସିସିଓଏଲ୍ ଅଧୀନରେ କ୍ରୟ ଅଟୋମେସନ୍ ଇ ଟେଣ୍ଡରିଂ ଏବଂ ମୂଲ୍ୟ ସଂଯୋଜନ ଉପରେ ବିଚାର କରୁଛି। ଏଲବିଏଚଏ(ଲାଭ) ଯୋଜନାରେ ରାୟଗଡ଼ାରେ ୨୫ କୋଟି ଟଙ୍କା ବ୍ୟୟରେ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ୍ କାର୍ଯ୍ୟକାରୀ ହୋଇଛି । ୭୧୧ କୋଟି ବ୍ୟୟରେ ୧୩ଟି ଦୁର୍ବଳ ଆଦିବାସୀ ଗୋଷ୍ଠୀର ୨୭୩୦୮ ପିଭିଟିଜି ପରିବାର, ୩୯୯୬୯ ଅନ୍ୟ ଆଦିବାସୀ ପରିବାର , ୮୬୧୬ ଏସ୍‌ସି ପରିବାର , ୨୦୭୫୮ ଅନ୍ୟ ଗରିବ ପରିବାର ପାଇଁ ଜୀବିକା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଦିବାସୀମାନଙ୍କ ପାଇଁ ସାପ୍ତାହିକ ହାଟର ସୁବ୍ୟବସ୍ଥା ହୋଇଛି।

ଯୁବ ସଶକ୍ତୀକରଣ ପାଇଁ ଭଗବାନ ର୍ବିସା ମୁଣ୍ଡା ଷ୍ଟାଡିୟମ ନାମରେ ରାଉରକେଲାର ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି। ସୁନ୍ଦରଗଡ଼ର ପ୍ରତି ବ୍ଲକରେ ୧୭ଟି ଆଷ୍ଟ୍ରୋଟର୍ଫ ପ୍ରତିଷ୍ଠା ହୋଇଛି। ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଅଧୀନରେ ଅଲିମ୍ପିକ୍ ସ୍ତରର ଶିକ୍ଷା କାର୍ଯ୍ୟକ୍ରମ-ଉତ୍କର୍ଷତା, ବନ୍ଧୁତା ଏବଂ ସମ୍ମାନ କାର୍ଯ୍ୟକାରୀ ହୋଇଛି।

ଆଦିବାସୀମାନଙ୍କ ସାଂସ୍କୃତିକ ସଂରକ୍ଷଣ ପାଇଁ ପାରମ୍ପରିକ ବାଦ୍ୟଯନ୍ତ୍ର ବଣ୍ଟନ, ଆଦିବାସୀ ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ୨୦୨୨ ଆଦିବାସୀ ପଞ୍ଚାୟତରେ ୨୦୨୨ ସଂସ୍କୃତି କ୍ଲବ୍‌, ୪୪୦୦ଟି ପବିତ୍ର ପୂଜାସ୍ଥଳୀ, ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ – ଅଡିଓ ଭିଡିଓ ଫର୍ମାଟରେ ନୃତ୍ୟ, ସଙ୍ଗୀତ ପରିବେଷଣ, ରୀତିନୀତି ଉତ୍ସବ ଆଦି ପାଳନ ହେଉଛି।

ରାଜଧାନୀ ଭୁବନେଶ୍ୱରରେ ୫ ଏକର ପରିମିତ ଜମିରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆଦିବାସୀ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ରାଜ୍ୟର ସମସ୍ତ ଆଦିବାସୀ ଭାଇ ଓ ଭଉଣୀମାନେ ରହଣି ସହ ସାସ୍କୃତିକ, ସାମାଜିକ ସଂରକ୍ଷଣ କରିବାରେ ସହାୟକ ହୋଇପାରିବ।

ବିିଭିନ୍ନ ଉନ୍ନୟନ ଯୋଜନାରେ ଆଦିବାସୀଙ୍କୁ ସାମିଲ କରିବା ସହିତ ବିକାଶ ତ୍ୱରାନ୍ୱିତ ହୋଇଛି। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଭଳି ୯ଟି ଏସଡିସିି ଗଠନ ହୋଇଥିବା ବେଳେ ୨୦୨୨-୨୩ରେ ଆଉ ୧୪ଟି ଏସଡିସି ଗଠନ କରାଯାଇଛି।

ଆଦିବାସୀମାନଙ୍କୁ ବୈଷୟିକ ସହାୟତା ପାଇଁ ୨୦୧୨-୧୩ରେ ଓଡିଶା ଆଦିବାସୀ ବିକାଶ ସମିତି ଗଠନ ହୋଇଥିଲା ଯାହା ପ୍ରୟାସ (ଦକ୍ଷତା ବିକାଶ) ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମିଶନ ଜୀବିକା (କୃଷକମାନଙ୍କ ପାଇଁ ଆୟ ବୃଦ୍ଧି; କୃଷି ଯାନ୍ତ୍ରିକୀକରଣ); ଆଦିଶିଳ୍ପି ଯୋଜନା ଆଦି କାର୍ଯ୍ୟକାରୀ ହେଉଥିବା ଦୁଇ ମୁଖପାତ୍ର କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ନିଶ୍ଚିତ, ସରିଲା ଆସନ ବୁଝାମଣା, ମୋଦି ନବୀନଙ୍କ ମିଳିତ ଘୋଷଣାକୁ ଅପେକ୍ଷା !!

ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ, ଏହି ଚର୍ଚ୍ଚା କିଛିଦିନ ଧରି ନିରବତା ପରେ ଏବେ ପୁଣି ସକ୍ରିୟ ହୋଇ ଉଠିଛି। ନୂଆଦିଲ୍ଲୀରେ ଏହି ଚର୍ଚ୍ଚା ଅଧିକ ପରିଲକ୍ଷିତ ହୋଇଛି। ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ। ବର୍ତ୍ତମାନ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ଦୀର୍ଘଦିନ ଧରି ଆସନ ବୁଝାମଣା ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଥିଲା ତର୍କ ବିତର୍କ। ଫଳରେ ଏହା ଚୁଡାନ୍ତ ରୂପ ନେଇ ପାରୁ ନ ଥିଲା। ବର୍ତ୍ତମାନ ବିଜେପିର ଶୀର୍ଷ ନେତୃତ୍ବଙ୍କର ଚାପ ପରେ ରାଜ୍ୟ ବିଜେପି ରାଜି ହୋଇଥିବାର ଜଣାପଡିଛି।

ଦିଲ୍ଲୀର ଏକ ପ୍ରଭାବଶାଳି ସୁତ୍ର ଅନୁସାରେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ଅନ୍ତିମ ରୂପରେଖ ଦେଇସାରିଛନ୍ତି। ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ ଟିରେ ପ୍ରତିଦ୍ୱନ୍ଦୀତା କରିବ। ଆଉ ବିଜେଡି ୭ଟି ଆସନରେ ନିଜର ପ୍ରାର୍ଥୀ ଦେବ ବୋଲି ରାଜି ହୋଇଛି। ପୂର୍ବରୁ ବିଜେଡି ଲୋକସଭା ପାଇଁ ଅଧିକ ଆସନ ଦାବୀ କରୁଥିଲା।

ସେହିପରି ରାଜ୍ୟ ବିଧାନସଭାର ୧୪୭ ଟି ଆସନ ମଧ୍ୟରୁ ଶାସକ ବିଜେଡି ୧୦୬ ଟି ଆସନରେ ପ୍ରାର୍ଥୀ ଦେବ। ସହଯୋଗୀ ବିଜେପି ୪୧ ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି। ତେବେ ଉଭୟ ଦଳ ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତାଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସ୍ଥିର କରାଯାଇଛି।

ତେବେ ମନ୍ତ୍ରୀ ପଦ ନେଇ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରି ନ ଥିବାର ଜଣାପଡିଛି। ହେଲେ ନିର୍ବାଚନ ପରେ ଉଭୟ ଦଳ ମିଶି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚିନ୍ତା କରିବେ ବୋଲି ଜଣାପଡିଛି। କାରଣ ବିଜେଡି କୌଣସି ପ୍ରକାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଜେପିକୁ ସାମିଲ କରିବ ନାହିଁ ବୋଲି ଅଡି ବସିଛି। ତେବେ ତାହା ଭୋଟ ଗଣତି ପରେ ନିଷ୍ପତି ହେବ ବୋଲି କୁହାଯାଇଛି।

ଏହି ମେଣ୍ଟକୁ ନେଇ ବିଳମ୍ବ ହେବାର କାରଣ ହେଲା ଯେ, ବିଜେପି ଅଧିକ ସଂଖ୍ୟାରେ ବିଧାନସଭା ଆସନ ନେବା ପାଇଁ ଅଡି ବସିଥିଲା। ସେଥିପାଇଁ ମନମୋହନ ମେଣ୍ଟ ନେଇ କୌଣସି ସୂଚନା ଦେଉ ନ ଥିଲେ। ତେବେ ବିଜେଡି ଏଥିରେ କୌଣସି ପ୍ରକାରରେ ରାଜି ହେଲା ନାହିଁ। ଦଳ ୧୦୦ ରୁ ଉର୍ଦ୍ଧ ଆସନରେ ଲଢେଇ କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ବଙ୍କ ନିକଟରେ ଜିଦି ଧରି ବସିଲା। ଶେଷରେ ବିଜେପିର ଶୀର୍ଷ ନେତୃତ୍ବଙ୍କ ଚାପ ପରେ ରାଜ୍ୟ ବିଜେପି ସବୁ କଥାରେ ରାଜି ହୋଇଥିବାର ଜଣାପଡିଛି।

ବର୍ତ୍ତମାନ ଆସନ ବୁଝାମଣା ପରେ ଏହା ମିଳିତ ଭାବେ ଘୋଷଣା କରାଯିବ। ସେଥିପାଇଁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେଡି ତରଫରୁ ନବୀନ ପଟ୍ଟନାୟକ ମିଳିତ ଭାବେ ଏହାକୁ ଘୋଷଣା କରିବେ ବୋଲି ନିଷ୍ପତି ହୋଇଛି। ଏ ନେଇ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ମଧ୍ୟ ଖୁବ ଶିଘ୍ର ଘୋଷଣା ହେବ ବୋଲି କୁହାଯାଇଛି। ତେବେ ଏ ନେଇ ଉଭୟ ଦଳ ତରଫରୁ କୌଣସି ସୂଚନା ମିଳିପାରି ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନବୀନ ନିବାସରେ ଆରମ୍ଭ ହେଲା ପୁରୀ ସଂସଦୀୟ କ୍ଷେତ୍ରର ଟିକେଟ ଆଲୋଚନା

ଭୁବନେଶ୍ବର: ଆଜି ନବୀନ ନିବାସରେ ବିଜେଡି ନେତାଙ୍କର ଏକ ବୈଠକ ଆରମ୍ଭ ହୋଇଛି। ଏଥିରେ ଆଗାମୀ ନିର୍ବାଚନ ପାଇଁ ଦଳିୟ ଟିକେଟ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ତେବେ ଆଜିର ବୈଠକରେ କେବଳ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କାରଣ ଏହି ବୈଠକରେ କେବଳ ପୁରୀ ନେତାଙ୍କୁ ଡକାଯାଇଥିବାର ଜଣାପଡିିଛି।

ଏହି ବୈଠକରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ମହାରଥୀ ନବୀନ ନିବାସରେ ପହଂଚିଛନ୍ତି । ସଂଜୟ ଦାସବର୍ମା ଓ ଶୁଭାଶିଷ ଖୁଣ୍ଟିିଆ ମଧ୍ୟ ନବୀନ ନିବାସ ବୈଠକରେ ଉପସ୍ଥିତ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସର ପଦକ୍ଷେପ, ଆରମ୍ଭ ହେଲା ଫ୍ଲାଗ ମାର୍ଚ୍ଚ ସହିତ ଚେକିଂ

ଖୋର୍ଦ୍ଧା: ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏ ନେଇ ଖୋର୍ଦ୍ଧା ଏସପି ବି. ଯୁଗଳ କିଶୋରଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ନିର୍ବାଚନକୁ କିପରି ଅବାଧ,ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳନା କରାଯିବ ତାହାପାଇଁ ଜିଲ୍ଲାର ସମସ୍ତ ୧୨ ଗୋଟି ଥାନାଧିକାରୀ ଏବଂ ଦୁଇ ଏସଡିପିଓ ସଜାଗ ଅଛନ୍ତି।

ଅଦ୍ୟାବଧି ସମସ୍ତ ଥାନା ଅଞ୍ଚଳର ୩୬୩ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟରୁ ୫୯ ଗୋଟି ବନ୍ଧୁକ ଜବତ ହୋଇଛି ଏବଂ ଅନ୍ୟ ବନ୍ଧୁକଗୁଡିକର ଜବତ ପ୍ରକ୍ରିୟା ଜାରି ରହିଛି। ଅନୁରୂପ ଭାବେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲୁ) ୱାରେଣ୍ଟ ଗିରଫ ପ୍ରକ୍ରିୟା ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି।

ସେହିପରି ଭାବେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନାକା ପଇଣ୍ଟ କରାଯାଇ ଫ୍ଲାଗ ମାର୍ଚ୍ଚ କରାଯିବ ଏବଂ ରାତିରେ ବ୍ଲକିଙ୍ଗ ଚେକିଂ କଡ଼ାକଡି ହେବ। ଅନୁରୂପ ବେଆଇନ ଭାବେ ମଦ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଏସପି।

ସଂନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରହିବା ସହ ବିଭିନ୍ନ ସମ୍ବେଦନଶୀଳ ବୁଥ ଉପରେ କଡ଼ା ନଜର ରହିବ। ତେବେ ଗଣତନ୍ତ୍ରର ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳା ଭାବେ ସମାପନ କରିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଛନ୍ତି ଏସପି ଶ୍ରୀ ଯୁଗଳ କିଶୋର।

ସେହିପରି ଭାବେ ଯଦି ନିର୍ବାଚନ ଜନିତ କୌଣସି ଆଗୁଆ ବିଶୃଙ୍ଖଳା କିମ୍ବା ବେଆଇନ କାର୍ଯ୍ୟ କାହା ନଜରରେ ଆସେ ତେବେ ତୁରନ୍ତ ନିକଟସ୍ଥ ଥାନା ଅଧିକାରୀଙ୍କୁ ସୂଚନା ଦେବାପାଇଁ ଅନୁରୋଧ କରିଛନ୍ତି ଏସପି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସମ୍ପୂର୍ଣ ଗୋପନ ରଖାଯିବ ବୋଲି କହିଛନ୍ତି ଏସପି।