ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

Published: Mar 21, 2024, 12:46 pm IST

ଭୁବନେଶ୍ବର: ଚିଲିକାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏ ନେଇ ଦଳର ପ୍ରସ୍ତାବ ଚାରିଆଡେ ପ୍ରଚାର ହେବା ପରେ ବର୍ତ୍ତମାନ ତୃଣମୂଳ ସ୍ତରରେ ଦେଖାଦେଇଛି ବିରୋଧ। ଯାହାକୁ ନେଇ ବିଜେଡି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଯାଇଛି। କାରଣ ପ୍ରସନ୍ନ ପାଟ୍ଟଶାଣୀଙ୍କ ଘର ଚିଲିକା ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ଦଳ ଭାବିଥିଲା। ହେଲେ ତାଙ୍କର ପ୍ରାର୍ଥିତ୍ବ ନେଇ ଯେ, ଚିଲିକାରେ ବିରୋଧ ହେବ ସେ ନେଇ କେହି କେବେ ଆଶା କରି ନ ଥିଲା।

କିଛିଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ବ ନେଇ ଆଲୋଚନା କରାଯାଇଥିଲା। ଏଥିରେ ପୁରୀ ଲୋକସଭା ଅଧିନରେ ଥିବା ସମସ୍ତ ଦଳିୟ ବିଧାୟକଙ୍କୁ ଡକାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା। ଅରୂପଙ୍କୁ ପୁରୀ ଲୋକସଭା ଏବଂ ପାଟ୍ଟଶାଣୀଙ୍କୁ ଚିଲିକା ବିଧାନସଭା ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ଏଥିରେ ଉଭୟ ରାଜି ହେବା ପରେ ତାଙ୍କ ନାମ ପ୍ରସ୍ତାବକୁ ନିଆଯାଇଥିଲା।

ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ଚିଲିକା ନୁହେଁ। ସେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ରାଜନୀତି କରୁଛନ୍ତି। ସେହିପରି ନେତାଙ୍କୁ କାହିଁକି ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଲା।

ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଗତକାଲି ଅର୍ଥାତ ବୁଧବାର ଦିନ ବିଜୁ ଜନତା ଦଳ ତରଫରୁ ଚିଲିକା ନେତାଙ୍କୁ ଶଙ୍ଖ ଭବନକୁ ଡକାଯାଇଥିଲା। ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ କରାଯାଇଥିଲା। ସେଠାରେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ, ସମସ୍ତେ ସାହାଯ୍ୟ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ଚିଲିକା ନେତା ଅସନ୍ତୋଷ ବ୍ୟକ୍ତ କଲେ। ଚିଲିକାର ଜଣେ ନେତାଙ୍କୁ ଛିଡା କରାଯାଉ ବୋଲି ଦାବୀ ଉଠିଥିଲା।

ସେହିପରି ସେହି ବୈଠକରେ ମେଣ୍ଟ ନେଇ କଣ ସ୍ଥିତି ବୋଲି ନେତାମାନେ ଜାଣିବାକୁ ଚାହିଁଥିଲେ। ହେଲେ ଏହାର ଉତ୍ତରରେ କୁହାଯାଇଥିଲା ଯେ, ଆପଣମାନଙ୍କୁ ନିର୍ବାଚନ ଲଢିବା ପାଇଁ କୁହାଯାଉଛି। ମେଣ୍ଟ କଣ ହେବ ନ ହେବ ସେ କଥା ଭୁଲିଯାଅ ବୋଲି କୁହାଯାଇଥିଲା। ଏହାପରେ ନେତାମାନେ ଚୁପ ରହିଥିଲେ।

ଚିଲିକା ନେତାମାନଙ୍କର ଦାବୀ ରହିଲା ଯେ, ଗତଥର ଜଣେ ବାହାର ନେତାଙ୍କୁ ଆଣି ଆମ ଉପରେ ଲଦି ଦିଆଯାଇଥିଲା। ଆମେ ଆଖି ବୁଜି ସାହାଯ୍ୟ କଲୁ। ହେଲେ ପରିସ୍ଥିତି କଣ ହେଲା ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସେହି ପ୍ରକାରର ପ୍ରସ୍ତାବକୁ ଆମେ ଆଉ ଗ୍ରହଣ କରିବୁ ନାହିଁ ବୋଲି ଚିଲିକା ନେତାମାନେ ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛନ୍ତି। ଏହାଦ୍ବାରା ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲି ରହିଲା ବୋଲି ଜଣାପଡିଛି।

Related posts