ଚିଲିକା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ

Published: Mar 28, 2024, 5:19 pm IST

ବାଣପୁର ( ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ ନିର୍ବାଚନୀ ବୁଥ ପରିଦର୍ଶନ କରି ବ୍ୟବସ୍ଥା ପରଖିଥିଲେ। ଜିଲ୍ଲାପାଳ ପୂର୍ବାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବିରିବାଡ଼ି, ହରିପୁର, ଛୋଟରାୟପୁର, ବଡ଼କୁଳ, ପରବଳ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ରାମପୁର ଓ କେକେ ନୂଆଗାଁ ବୁଥ ପରିଦର୍ଶନ କରିଥିଲେ।

ପରବର୍ତ୍ତୀ ସମୟରେ ବାଣପୁର ବ୍ଲକ ଯାଇ ସେଠାର ନରେନ୍ଦ୍ରପୁର, କୋଳଥଡିହ ଏବଂ ନଛିପୁର ବୁଥ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ ଜିଲ୍ଲାପାଳ। ତେବେ ବୁଥ ଗୁଡିକ ମଧ୍ୟରେ ଅତ୍ୟାବଶକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ, ପାନୀୟ ଜଳ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଗମନାଗମନ ବ୍ୟବସ୍ଥା , ପରିମଳ ବ୍ୟବସ୍ଥା ଆଦି ପରଖିଥିଲେ ଜିଲ୍ଲାପାଳ।

ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ବୁଥ ନିକଟରେ ଥିବା ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ତଥା ନିର୍ବାଚନ ନୋଡାଲ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଚିଲିକା ବିଡ଼ିଓ ହଳଧର ଶବର, ତହସିଲଦାର ଚକ୍ରଧର ପାଢ଼ୀ,ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଣପୁର ବିଡିଓ ଶୀତଲ ଅଗ୍ରୱାଲ ଏବଂ ତହସିଲଦାର ଟି. ପଦ୍ମନାଭ ଦୋରା ଆଦି ଉପସ୍ଥିତ ଥିଲେ।

Related posts